Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କ୍ଷମା
କ୍ଷମା
★★★★★

© Subal Mohapatra

Inspirational

7 Minutes   11.4K    23


Content Ranking

ସୁବଳ ମହାପାତ୍ର

ସକାଳୁ ସକାଳୁ ଚିନ୍ହା ଚିନ୍ହା ପାଟି ଶବ୍ଦ ରେ ନିଦ ଭାଙ୍ଗିଗଲା ପଞ୍ଚାବନ ବର୍ଷୀୟ ଚିନ୍ମୟୀ ଦେବୀଙ୍କର I କିଏ? ବୋଲି ଖୋଲା ଝରକା ଫାଙ୍କ ରୁ ଉଣ୍ଡି ବସିଲା ବେଳକୁ କେବଳ ସ୍ତ୍ରୀ ଲୋକ ଜଣେ ଦେଖା ଯାଉଥାନ୍ତି I ବାହାରୁ କିନ୍ତୁ ପୁରୁଷ ଲୋକ ଜଣଙ୍କର ପାଟି ଶୁଭୁଥାଏ I ପୁରୁଷ ଲୋକ ଜଣଙ୍କ ଗାର୍ଡ ସହ କଥା ହେଉଥାନ୍ତି I କାନ ଡେରିଲେ ଚିନ୍ମୟୀ ଦେବୀ, ପାଟି ଚିନ୍ହା ଚିନ୍ହା ତ ଲାଗୁଛି, ମହିଳା ଜଣଙ୍କୁ କେଉଁଠି ଦେଖିଲା ପରି ମନେ ହେଉଛି, ସତରେ କି ଫୋଟୋ ରେ ଦେଖିଛନ୍ତି ମନେ ପଡୁନି I ହଉ... ମୁହଁ ଧୋଇ କବାଟ ଖୋଲି ଯାହାକୁ ଦେଖିଲେ ତାଙ୍କୁ କେବେବି ଏଇ ଵୃଦ୍ଧାଶ୍ରମ ରେ ଦେଖିବାର କଳ୍ପନା ବି ସେ କରି ନଥିଲେ I ନାଥ ସାର? ଏଠି? ହଁ, ୟେ ତ ନାଥ ସାର ଙ୍କ ସ୍ତ୍ରୀ I ଫୋଟୋରେ ଦେଖିଥିଲେ ତାଙ୍କୁ I

ପ୍ରାୟ ୨୦ ବର୍ଷ ତଳେ, କଲେଜ ର ଆକାଉଣ୍ଟାଣ୍ଟ ଥିଲା ବେଳେ ଚିନ୍ମୟୀଙ୍କ ଠାରୁ ଦଶ ବର୍ଷ ବଡ ନାଥ ସାର ଥିଲେ ଚିନ୍ମୟୀ ଦେବୀଙ୍କର ହେଡ଼, ଉପର ଅଫିସର I ନାଥ ସାର ଭାରି ଷ୍ଟ୍ରିକ୍ଟ I ଆକାଉଣ୍ଟ ସେକ୍ସନ ରେ ଅଛନ୍ତି ବୋଲି ସେ କାହା ସହ ବି ମିଳାମିଶା କରିବାକୁ ଚାହନ୍ତିନି I ଜୁନିଅରମାନଙ୍କୁ ମଧ୍ୟ ଏକରକମ ବାଧ୍ୟ କରନ୍ତି କାହା ସହ ନ ମିଶିବା ପାଇଁ I ପୁରା କଲେଜର ଦରମା ଟଙ୍କା ଏମାନଙ୍କ ହାତରେ ଥାଏ I ଆଜି କାହାର ଆଡ଼ଭାନ୍ସ ଦରକାର ତ କାଲି କାହାର ଛୁଟି ନ କାଟିବାକୁ ଅନୁରୋଧ, ସେଥିପାଇଁ ସେ ଦୁରେଇ କି ରହନ୍ତି ସମସ୍ତଙ୍କଠାରୁ I ଆହୁରି ବି ଟିକେ କଡା ମିଞ୍ଜାଜ ର ବ୍ୟକ୍ତିତ୍ୱ ତାଙ୍କର I ଟିକେ ଟିକେ ଭୁଲ ବି ସହି ପାରନ୍ତିନି I ମନ ଇଛା ଗାଳି କରନ୍ତି I ଚିନ୍ମୟୀ ଦେବୀ ମନେ ପକାଉଥିଲେ ସେ ଦିନ ଗୁଡିକ, ବେଳେ ବେଳେ ନାଥ ସାର ଆଉ ଚିନ୍ମୟୀ ଦେବୀଙ୍କ ଭିତରେ ଖଣ୍ଡେ ପଟେ ହୋଇଯାଏ I "କାହିଁକି ମିଶିବିନି ? ସେମାନେ ବି ତ ମଣିଷ " ବୋଲି ପାଟି କରି କହି ଉଠନ୍ତି ଚିନ୍ମୟୀ I ଲେବର, ପିଅନ, ଝାଡୁଦାରଙ୍କ ସହ କେବେ କେମିତି ଚିନ୍ମୟୀ ଟିକେ କଥା ହେଲାବେଳେ ନାଥ ସାରଙ୍କ ଆଖିରେ ପଡିଯାଏ ଆଉ....ରାମ ରାବଣ ଯୁଦ୍ଧ ପରି ରଣ-କ୍ଷେତ୍ର ପାଲଟି ଯାଏ ଆକାଉଣ୍ଟ ସେକ୍ସନ ଟି I

କଲେଜ ରୁ ଚାକିରୀ ଛାଡିବାର କାରଣ ଥିଲେ ଏଇ ନାଥ ସାର I ଦିନେ ଝଗଡା ପରେ ନାଥ ସାର, କଲେଜ ପ୍ରିନସିପାଲ ଙ୍କୁ ଫେରାଦି ହେଲେ I ପରିଣାମ ସ୍ୱରୂପ, ସେହି କଲେଜ ରୁ ଚାକିରୀ ହରେଇବାକୁ ପଡିଥିଲା ଚିନ୍ମୟୀଙ୍କୁ I କେବେ ମୁହଁ ନଚାହିଁବାର ଶପଥ ନେଇ ସେ ବାହାରି ଆସିଥିଲେ କଲେଜ ରୁ I କିଛି ଦିନ ପରେ କିନ୍ତୁ ଆଉ ଏକ ଜାଗାରେ ତାଙ୍କୁ ଚାକିରୀ ମିଳିଯାଇଥିଲା ଆଉ ସେ ପୁରୁଣା କଥା କୁ ଦୁଃସ୍ବପ୍ନ ମନେକରି ଭୁଲି ଯାଇଥିଲେ ଚିନ୍ମୟୀ ଦେବୀ I ଆଜି ପ୍ରାୟ କୋଡିଏ ବର୍ଷ ପରେ ଶୁଖି ଯାଇଥିବା ଘା-ଟାକୁ କିଏ ଯେମିତି ପୁଣି ରାମ୍ପି ଖଣ୍ଡିଆ କରି ଦେଇଥିଲା I ଦେହରେ ନିଆଁ ଲାଗି ଯାଇଥିଲା ଚିନ୍ମୟୀଙ୍କର I ମନ କୁ ସଂଯତ କରି ସେ ବାହାରକୁ ଆସିଲେ I ପଞ୍ଚଷଠି ବର୍ଷରେ, ଅଶି ବର୍ଷର ବୁଢା ପରି ଦେଖା ଯାଉଥିଲେ ନାଥ ସାର I କୋଡିଏ ବର୍ଷ ପୂର୍ବର ଥନ୍ତଲ ପେଟ ଟି ବି କମି ଯାଇଥିଲା I ମରି ମରି ବଞ୍ଚିଲା ପରି ଦେଖା ଯାଉଥିଲେ I ମ୍ୟାଡ଼ାମଙ୍କ ଅବସ୍ଥା ଆଉ ନକହିବା ଭଲ I ନମସ୍କାର ଟିଏ କରି ପାଖକୁ ଗଲେ ଚିନ୍ମୟୀ ଦେବୀ I ଚିନ୍ମୟୀଙ୍କୁ ଦେଖି ସାରଙ୍କ ଶୁଖିଲା ଆଖିରୁ ବି ଲୁହ ଧାରେ ବହି ପଡିଲା I ପାଣି ଗ୍ଲାସେ ଦେଇ ପାଖ ଚୌକି ରେ ବସିବାକୁ କହିଲେ ଆଉ ପଚାରିଲେ, "ସାର, ଆପଣ ଏଠି ?" I

ପ୍ରଶ୍ନ ବି ଶୁଣିବାକୁ ଧର୍ଯ୍ୟ ନଥିଲା ସାରଙ୍କର, କହି ଚାଲିଲେ, "ମା ଲୋ, ମୁଁ ଜାଣିଛି, ମୁଁ ତୋ ପ୍ରତି ଅନ୍ୟାୟ କରିଛି I କ୍ଷମତା ଥିଲା ବେଳେ କ୍ଷମତା ବଳରେ ଅନ୍ଧ ହୋଇ, ତୋ'ତେ ମୁଁ ହିଁ ଚାକିରୀରୁ ବାହାର କରେଇ ଥିଲି I ମୋତେ ଇଛା ନଥିଲା ଯେ ଆକାଉଣ୍ଟ ସେକ୍ସନରେ କାମ କରୁଥିବା କେହି ବି ଲୋକ ବାହାର ଲୋକଙ୍କ ସହ ମିଶୁ, କଥା ହେଉ I କାରଣ ସେମାନେ ଏଇ ବନ୍ଧୁତ୍ୱ ଟିକକର ଦ୍ୱାହି ଦେଇ ତାଙ୍କ ନହେଲା କାମ ବି କରେଇ ନେବେ ଆମ ପାଖରୁ I ତୁ ନଶୁଣିବାରୁ ମୁଁ ବାଧ୍ୟ ହୋଇ ପ୍ରିନ୍ସିପାଲ ଙ୍କ ପାଖରେ ଫେରାଦି ହୋଇ ତୋତେ ଚାକିରୀ ରୁ ବାହାର କରେଇଥିଲି I ଦୟାକରି ମୋତେ କ୍ଷମା କରିଦେ " ବୋଲି କହି ହାତ ଯୋଡି ଠିଆ ହୋଇ ପଡିଲେ I

ହଠାତ ଚିନ୍ମୟୀ ଦେବୀଙ୍କ ମୁଣ୍ଡରେ କିଛି ପଶୁ ନଥିଲା I ସାରଙ୍କ ହାତ ଧରି ପୁଣି ଥରେ ଚୌକିରେ ବସେଇଲେ ସେ, ଆଉ କହିଲେ, "କିଛି କଥା ନାହିଁ ସାର, ବେଳେ ବେଳେ ସେମିତି ହୁଏ I ଆମକୁ ପସନ୍ଦ ନଥିବା ଲୋକଙ୍କ ପ୍ରତି ଆମେ ବେଳେ ବେଳେ ଅତି ମାତ୍ରାରେ ପ୍ରତିକ୍ରିୟାଶିଳ ହୋଇପଡୁ, ଯାହାର ପରିଣାମସ୍ୱରୂପ ବେଳେ ବେଳେ କିଛି ଅଘଟଣ ଘଟିଯାଏ" I ତେବେ ମୋ କ୍ଷେତ୍ରରେ ଏହା ଚଳନୀୟ I ପରେ ମୋତେ ସାଙ୍ଗେ ସାଙ୍ଗେ ଚାକିରୀ ମିଳିଯାଇଥିଲା ଆଉ ମୁଁ ଭଲରେ ଅଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ I ସାରଙ୍କ ମୁହଁ ଟି କାନ୍ଦ କାନ୍ଦ ହୋଇ ଆସିଥିଲା, ପୁଣି ସେ କହି ଉଠିଲେ, "ନା, ମା, କଥା ଏତିକି ରେ ସରିନି I ମୁଁ ଆସିଛି ତୋତେ ଜାଗା ଖଣ୍ଡେ ମାଗିବା ପାଇଁ। ଅଫିସ ର କିଛି ପୁରୁଣା ଷ୍ଟାଫଙ୍କ ପାଖରୁ ବୁଝି ଜାଣିଲି ତୁ ଏଇଠି ଅଛୁ, ବୃଦ୍ଧାଶ୍ରମ ଟିଏ ଖୋଲିଛୁ, ସେଥିପାଇଁ ତୋ ପାଖକୁ ଚାଲି ଆସିଲି " I

-- କିନ୍ତୁ ଆପଣଙ୍କର ର ଦୁଇ ପୁଅ ଥିଲେ। ସେମାନେ କଣ?

-- ନା, ବଡ ଆଉ ନାହିଁ, ସାନ ଥାଇ ନଥିଲା ପରି। ନଥିଲେ ବରଂ ଭଲ ହୋଇଥାନ୍ତା। ଆମେ ଦି ପ୍ରାଣୀ ଟିକେ ଶାନ୍ତି ରେ ରହିଥାନ୍ତୁ।

-- କିଛି ବୁଝିପାରିଲିନି ସାର...

ଆଖିରୁ ଲୁହ ପୋଛି ସେ କହିବାକୁ ଲାଗିଲେ," କ୍ଷମତା ପାଇଁ ମୋର ଆଉ ଟିକେ ଗର୍ବ ବଢି ଯାଇଥିଲା I କଲେଜ ତ କଲେଜ, ସାମାଜିକ ଜୀବନରେ ଏହାର ପ୍ରଭାବ ପଡ଼ିବାକୁ ଲାଗିଥିଲା I ଫଳସ୍ୱରୂପ, ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ସମସ୍ତେ ମୋଠୁ ଦୁରେଇବାକୁ ଲାଗିଲେ I ତଥାପି ଆଣ୍ଟ ଭାଙ୍ଗି ନଥିଲା ମୋର I ବଦଳି ହୋଇ ସହର ର ଏକ ନାମୀ ଦାମୀ କମ୍ପାନୀ ରେ ଚାକିରୀ ପାଇ, ସହର ରେ ରହିବାକୁ ଲାଗିଲି I ପଇସା ଆଉ ଚାକିରୀ ର ଦ୍ୱାହି ରେ ମୁଁ ସମସ୍ତଙ୍କୁ ନିମ୍ନ ଦୃଷ୍ଟି ରେ ଦେଖିବାକୁ ଲାଗିଥିଲି I ଆମ ଗାଁ ରୁ ମୁଁ ଥିଲି ସହରରେ ରହୁଥିବା ଏକମାତ୍ର ବ୍ୟକ୍ତି I ବାପା ମା ଡକାହକା ହୋଇ କେବେଠୁ ଯାଇ ସାରିଥିଲେ, ଗାଁ ରେ ଯେଉଁ ଦି ଏକର ଜମିଥିଲା ତାକୁ ଭାଗରେ ଲଗେଇ ଦେଇଥିଲି I ସହର ରେ କିଛି କାମ ପଡିଲେ ମୋ ଗାଁ ଲୋକ ମୋ ପାଖକୁ ଆସୁଥିଲେ, ଏବେ ମୁଁ ତାଙ୍କୁ ମଧ୍ୟ ନିମ୍ନଦୃଷ୍ଟି ରେ ଦେଖି ୟାଡୁ ସ୍ୟାଡୁ କହିବାକୁ ଲାଗିଲି, ଯାହା ଫଳରେ ଗାଁ ରୁ କେବଳ ଭାଗୁଆରି କୁ ଛାଡିଲେ ଆଉ କେହି ମୋ ସହ ସମ୍ପର୍କ ରଖିଲେ ନାହିଁ I ଗାଁ ରୁ ଆଉ ଜଣେ ଦି ଜଣ ସହରକୁ ଆସିଲା ପରେ ମୋ ଘରୁ ଗହଳି ଭାଙ୍ଗି ଯାଇଥିଲା I ସେମାନଙ୍କ ବ୍ୟବହାର ପାଇଁ ଗାଁ ଲୋକ ତାଙ୍କୁ ବାଃ ବାଃ କରୁଥିବା ବେଳେ ମୋ ମୁହଁ ଚାହିଁଲେ ଖାଇବାକୁ ମିଳିବନି ବୋଲି କଥା ହେଉଥିଲେ I ତଥାପି ମୁଁ ଅନ୍ଧ ହୋଇ ଯାଇଥିଲି I କାହା କଥା ଶୁଣିବା ଅବସ୍ଥା ରେ ନଥିଲି I ଏପରିକି ମୋ ସ୍ତ୍ରୀ ର କଥା ମଧ୍ୟ I ମୋ ଜିଦି ଆଉ ପ୍ରତିପତ୍ତି ବଢି ଚାଲିଥିଲା, ତା ସହ ଖୋଲି ଚାଲିଥିଲା ମୋ ପିଲାଙ୍କର ଅବାଟକୁ ଯିବାର ରାସ୍ତା I ଉପୁରି ପଇସା ପାଇବା ପାଇଁ ମୁଁ ଦିନ ରାତି ଏକ କରି ଦେଉଥିଲି ଆଉ ପିଲାଙ୍କ ପାଇଁ ଦେଉଥବା ସମୟ ରୁ କାଟି ପଇସା ପଛରେ ଗୋଡ଼ଉଥିଲି I ପିଲାମାନେ ବାଳୁଙ୍ଗା ହେବାରେ ଲାଗିଥିଲେ I ଦୁଇ ପୁଅ ଭିତରୁ ବଡ ପୁଅ ଦିନେ ବାଇକ ଷ୍ଟଣ୍ଟ ଦେଖାଉ ଦେଖାଉ ରାସ୍ତା ରେ ଥିବା ଡିଭାଇଡର ରେ ପିଟି ହୋଇଗଲା I ଛଅ ମାସ କୋମା ରେ ରହିଲା ପରେ ତା'ର ଦେହାନ୍ତ ହେଲା I ତାକୁ ବଞ୍ଚେଇବାକୁ ଗୁଡ଼େ ପଇସା ଖର୍ଚ କଲି I ଏପଟେ ସାନ କୁ ମଧ୍ୟ ଧ୍ୟାନ ଦେଇ ପାରିଲି ନାହିଁ I ବଡ ଗଲା ପରେ ସାନ ପ୍ରତି ମାୟା ମୋହ ଟିକେ ଅଧିକା ହୋଇ ଯାଇଥିଲା I ଅତ୍ୟଧିକ ଗେଲ୍ହା ହେଲେ ପିଲା ଯାହା ହୁଅନ୍ତି, ସେ ବି ଆସ୍ତେ ଆସ୍ତେ ଖରାପ ରାସ୍ତା ଆଡକୁ ପାଦ ବଢେଇବାରେ ଲାଗିଥିଲା I ରାତିରେ ମଦ ପି ଘରକୁ ଆସିବା ତା'ର ନିତିଦିନିଆ ହୋଇଗଲା I ମୁଁ କି ମୋ ସ୍ତ୍ରୀ କିଛି କହିଲେ କି ବାରଣ କଲେ ଆମକୁ ମିଳୁଥିଲା ଚପଲ ମାଡ I ଭାବିଲି, ବାହା କରିଦେଲେ ବଦଳି ଯିବ I କିନ୍ତୁ ଯିଏ ଆଜି ଯାଏଁ ବଦଳିଲା ନାହିଁ, ସେ ବାହା ହେଲା ପରେ ଅବା କ'ଣ ବଦଳିଥାନ୍ତା ? ବାହା ହେଲା ପରେ ବି ତା'ର ଏପରି ହାବ ଭାବ ଦେଖି ବୋହୁ ତା' ବାପା ଘରକୁ ଯାଇ ଆଉ ଆସିବାକୁ ମନାକଲା I କେତେ ଆଉ ଦହଗଞ୍ଜ ହୋଇ ଜୀବନ ବିତେଇଥାନ୍ତି? ରିଟାୟାର୍ଡ଼ ପରେ ଗାଁ କୁ ଗଲି ରହିବା ପାଇଁ, କିନ୍ତୁ ମୋ ସମସାମୟିକ ଲୋକଙ୍କ ଠୁ ତ ମୁଁ ସମ୍ପର୍କ କାଟି ସାରିଥିଲି, ଆଉ ଆଜି କାଲିର ଛୁଆ ମୋତେ କଣ ଚିନ୍ହିଛନ୍ତି ନା ଜାଣିଛନ୍ତି I ସାନ ବି ମଝିରେ ମଝିରେ ଗାଁ କୁ ଆସି ଜମି ବିକି ପଇସା ନେବ ବୋଲି ମାର ଧର କରେ I ଦଶଦିନ ତଳେ ଆସିଥିଲା। ଆମକୁ ଧମକ ଦେଇ ଯାଇଛି, ଦଶଦିନ ଭିତରେ ଜମି ସବୁ ବିକ୍ରିକରି ପଇସା ନେଇକି ଯିବ। ଆଉ ପାରିଲିନି, ସବୁ ସମ୍ପତ୍ତି ବାଡ଼ି ବିକି କୁଆଡେ ଚାଲିଯିବୁ ବୋଲି ଠିକ୍ କଲୁ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ I ହଠାତ ମନ କୁ ଆସିଲା ତୁ ଚାକିରୀ କଲାବେଳେ କହୁଥିଲୁ ବୃଦ୍ଧାଶ୍ରମ ଟିଏ ଖୋଲିବୁ ବୋଲି I ପୁରୁଣା ଷ୍ଟାଫଙ୍କ ପାଖକୁ ଫୋନ କଲି, କିଛିଜଣ ତୋ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଲେ, ଶେଷରେ ପିଅନ ମକରା ଠୁ ତୋ ଖବର ପାଇଲି। ଗାଁ ର କିଛି ଲୋକଙ୍କୁ ଶାଗ ମାଛ ଦର ରେ ଜମି ବିକି ବହୁତ ଆଶା ନେଇ ତୋ ପାଖକୁ ଚାଲି ଆସିଲି। ଛିଣ୍ଡା ବ୍ୟାଗ ରୁ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା କାଢି ଟେବୁଲ ରେ ରଖିଲେ, ଆଉ କହିଲେ," ଆମେ ଦି ଜଣ ଏବେ ତୋ ପାଖରେ ରହିବୁ। ଏଇଠି। ମୁଁ ଜାଣିଛି, ତୁ ବହୁତ ଭଲ ଝିଅ, ଯିଏ ନିଜ ଠୁ ତଳ କର୍ମଚାରୀଙ୍କ ସହ ବନ୍ଧୁ ଭାବରେ ମିଶି ପାରେ, ସେ କଣ ମୋତେ କ୍ଷମା କରି ପାରିବନି? ଭୁଲ ତ ମୁଁ କରିଥିଲି, ଏବେ ପ୍ରାୟଶ୍ଚିତ କରିବାକୁ ଦେ" କହି କଇଁ କଇଁ ହୋଇ କାନ୍ଦି ଉଠିଲେ ନାଥ ସାର।

ଚିନ୍ମୟୀ ଦେବୀ ଆବାକାବା ହୋଇ ଦୁଇ ଜଣଙ୍କୁ ଦେଖୁଥାନ୍ତି। ରାଗ ତାଙ୍କର କୁଆଡେ ଉଭେଇ ଯାଇଥାଏ। ମଲା ଲୋକକୁ ଆଉ କଣ ମାରିବ? ମୁଣ୍ଡକୁ କିଛି ଯୁଟିବା ପୂର୍ବରୁ ହାତ ଟି ତାଙ୍କର , ସାରଙ୍କ ଲୁହ ପୋଛିବାକୁ ଆଗେଇଯାଇଥିଲା। ଚିନ୍ମୟୀ ଦେବୀ ନିଜ ଶାଢ଼ୀ କାନିରେ ସାରଙ୍କ ଲୁହ ପୋଛିଦେଲେ।ମ୍ୟାଡାମ ଙ୍କୁ କୁଣ୍ଢେଇ ଧରି କହିଲେ, ଆପଣ ପଇସା ଦେବା ଦରକାର ନାହିଁ। ଆଜିଠୁ ଆପଣ ଏଇଠି ରହିବେ। ମୋ ପାଖରେ...ଖୁସିରେ ସାର ଓ ତାଙ୍କ ସ୍ତ୍ରୀ ର ଆଖିରେ ଲୁହ ଆସି ସାରିଥିଲା।କ୍ଷମା କରି ଦେବାରେ ଯେ ଏତେ ଆନନ୍ଦ ଥାଏ, ଚିନ୍ମୟୀ ଦେବୀ ଆଜି ତାହା ହୃଦୟଙ୍ଗମ କରୁଥିଲେ....


--x--

ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ I ଏହାକୁ ହୃଦୟଙ୍ଗମ କରି ପାରିଲେ ମଣିଷ ମହାନ ବନିଯାଏ....

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ-(0)୯୩୭୬୦୧୨୫୦୦

ଇମେଲ-subal.mohapatra@gmail.com

ପଞ୍ଚାବନ ଆକାଉଣ୍ଟାଣ୍ଟ ଲେବର

Rate the content


Originality
Flow
Language
Cover design

Comments

Post

Some text some message..