ଓଡ଼ିଆ ଗଳ୍ପ ଓ କବିତା - ୨

Classics


2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics


ମନୁଆର ଗଣତି – ଭାଗ ୧

ମନୁଆର ଗଣତି – ଭାଗ ୧

2 mins 7.4K 2 mins 7.4K

ମନୁଆର ବହୁ ପସନ୍ଦ ନାପସନ୍ଦ। କୋଉ ଜିନିଷ ଭଲ ଲାଗିଲେ ବହୁତ ଭଲ ଲାଗେ ଆଉ ଭଲ ନ ଲାଗିଲେ କାହାରି କଥା ବି ଶୁଣେନି ସିଏ। ଇଚ୍ଛା ନ ଥିଲେ କୌଣସି କାମ କରେ ନାହିଁ। ମନୁଆକୁ ଗଛ ଚଢ଼ି କଞ୍ଚା ଆମ୍ବ ଚୋରି କରିବାକୁ ଭାରି ଭଲ ଲାଗେ। ଗଛ ଉପରେ ଚଢ଼ି ଚୀତାବାଘ ମନେ କରେ ନିଜକୁ।

ତା’କୁ ପୋକ-ଜୋକ ଧରିବାକୁ ମଧ୍ୟ ଭଲ ଲାଗେ। ବଡ଼-ମୁଣ୍ଡିଆ ନେଳି କଙ୍କି, ସୁକୁଟା ସବୁଜ ଝିଙ୍କ, ଆଉ ହଳଦିଆ ପ୍ରଜାପତି ଯାହା ଡେଣାର ରଙ୍ଗ ଧୂଳି ପରି ତା’ ଆଙ୍ଗୁଠିରେ ଖେଳି ଯାଏ। ଗୁଡ଼ି ଉଡ଼େଇବା ତା’ର ଅତି ପ୍ରିୟ, ଯେତେ ଉଞ୍ଚା, ସେତେ ଭଲ। ସବୁଠୁ ଉଞ୍ଚା ଛାତ ଉପରେ ଚଢ଼ି ଗୁଡ଼ିକୁ ବାଦଲ ମାନଙ୍କ ଉପରେ ଉଡ଼େଇବାକୁ ସେ ଚେଷ୍ଟା କରେ. ସତେ ଯେପରି ଗୋଟିଏ ଚୀଲ ସୂର୍ଯ୍ୟଙ୍କ ଆଡ଼କୁ ମାଡ଼ି ଯାଉଛି। ସଂଖ୍ୟା ସବୁ ବି ତା’ର ଅତି ପ୍ରିୟ। ୧ଟି କେଡ଼େ ସୁକୁଟା ଆଉ ଏକା ସତେ! ୧୦୦ କେଡ଼େ ମୋଟା ଆଉ ଧନୀ। ୯ଟି କେଡ଼େ ସୁନ୍ଦର, ୧୯ରେ ସେ ୧ ତୁଳନାରେ କେଡ଼େ ସୁନ୍ଦର ଦେଖା ଯାଏ। ସଂଖ୍ୟାମାଳା ଯେପରି ଗୋଟେ ଅନନ୍ତ ବିସ୍ତୃତ ଶିଡ଼ି। ମନୁଆ କଳ୍ପନା କରେ ଏହି ଶିଡ଼ି-ଚଢ଼ା। କେତେବେଳେ ପାହାଞ୍ଚ ଉପରେ ଦୌଡ଼ି ଯାଏ, କେତେବେଳେ୨-୩ ପାହାଞ୍ଚ ଏକା ସାଂଗରେ ଡେଇଁ ଯାଏ। ଥକିଗଲେ ଶିଡ଼ିରେ ଖସି ଆସେ ପୁଣି ତଳକୁ। ଭାତ ସିନା ଖାଉ ଖାଉ ସରି ଯାଏ, ସଂଖ୍ୟାମାନେ ସବୁବେଳେ ତା’ ପାଖରେ ଥାନ୍ତି. ତା’ ସାଙ୍ଗମାନଙ୍କ ପରି ସେମାନେ ଖେଳୁ ଖେଳୁ ପଳାନ୍ତି ନାହିଁ। ଅସଂଖ୍ୟ ଆଉ ଅସୀମ ଆନନ୍ଦ ମିଳେ ତା’କୁ ସଂଖ୍ୟା-ଗଣତି ରୁ। ସେ ତାଙ୍କୁ ଯୋଡ଼େ, ଗୁଣେ, ଫେଡ଼େ, କାଟେ, ଫୋପାଡ଼େ, ଖଞ୍ଜେ, ଓ ମିଶାଏ। ନାନା ପ୍ରକାରର କରାମାତି କରିପାରେ ସେ ଏହି ସଂଖ୍ୟାମାନଂକ ସହ। ତା’ ସାଙ୍ଗମାନଙ୍କ ସକାସେ ତା’କୁ ସ୍କୁଲ ଯିବାକୁ ଭଲ ଲାଗେ। ସକାଳୁ ଉଠି କୁଆଡ଼େ ଯିବାକୁ ତା’ର ଭାରି ମନ. ସ୍କୁଲ ହଉ ନା’ କାହିଁକି! ବଡ଼ ପଡ଼ିଆରେ ଖେଳିବାକୁ ମନ, କିନ୍ତୁ ଶ୍ରେଣୀକକ୍ଷ ଯିବାକୁ ମନ କରେ ନାହିଁ। ମାଷ୍ଟ୍ରେ ଭଲ ଲାଗନ୍ତି ନାହିଁ. ଶ୍ରେଣୀରେ ଅବରୁଦ୍ଧ ଲାଗେ। ପିଲାମାନେ ମନ ଖୋଲି ପ୍ରଶ୍ନ ପଚାରି ପାରନ୍ତି ନାହିଁ, ଖୋଲାରେ ବୁଲି ପାରନ୍ତି ନାହିଁ, ଏପରି କି’ କଥା ମଧ୍ୟ ହବାକୁ ମନା। ପୁଣି ମାଷ୍ଟ୍ରେ ବି ଚିଡ଼ି-ଚିଡ଼ା। ମନୁଆକୁ ଲାଗେ ଯେପରି ମାଷ୍ଟ୍ରେ ପିଲାମାନଙ୍କୁ ଭଲ ପା’ନ୍ତି ନାହିଁ। ବୋଧେ ମାଷ୍ଟ୍ରେ ହବାକୁ ତାଙ୍କର ମନ ନଥିଲା, ଅଥବା ସ୍କୁଲ ଆସିବାକୁ ତାଙ୍କର ମନ ନାହିଁ। ପିଲାମାନଙ୍କର ବି’ ସିଏ ନାପସନ୍ଦ। ପ୍ରତି ଦିନ ସକାଳେ ମାଷ୍ଟ୍ରେ ବୋର୍ଡ଼ରେ ପାଠ ଲେଖି ଦିଅନ୍ତି। ବଡ଼ ପାଟିରେ ପିଲାମାନଙ୍କୁ ନକଲ୍ କରିବାକୁ କହି ଦେଇ ନିଜେ ବାହାରକୁ ବୁଲି ଯା’ନ୍ତି। ଫେରିଲା ବେଳକୁ ଯଦି ପିଲାଏ ଲେଖି ସାରିଥା’ନ୍ତି, ସେ ଖାତା ଦେଖନ୍ତି। ନ’ହେଲେ ଖୁବ ଜୋର୍ ରେ ଗାଳି। ବେଳେ ବେଳେ ଅତି ରାଗି ଗଲେ ମାଡ଼ ମଧ୍ୟ ମାରନ୍ତି। ଦିନେ ମାଷ୍ଟ୍ରେ ବୋର୍ଡ଼ରେ ଗଣିତ ଲେଖିଲେ। ଗଣିତ ସହଜ, ମାତ୍ର ଭାରି ନିରସ। ମନୁଆର ଗଣିତ କଷିବାକୁ ମନ ନଥିଲା। ସୀଲଟ୍ ବି ଆଣି ନଥିଲା ସେଦିନ। ପୁରୁଣା ସୀଲଟ୍ ଭାଙ୍ଗି ଯାଇଥିଲା ଆଉ ମା’ଙ୍କ ପାଖରେ ନୂଆ ସୀଲଟ୍ କିଣିବାକୁ ପଇସା ନାହିଁ। ମନୁଆ କାନ୍ଥ ଉପରେ ଚାଲୁଥିବା ସହସ୍ର ପିମ୍ପୁଡ଼ି ଗଣିବାକୁ ଲାଗିଲା. ବାହାରେ ଥିବା ଗଛକୁ ଦେଖିଲା। ତା’ ପତ୍ରମାନେ କି’ ସୁନ୍ଦର, ତାଙ୍କ ଛାଇ କେଡ଼େ ସୁନ୍ଦର। ସ୍କୁଲ ପାଚେରୀରେ ଭଙ୍ଗା ଇଟା ସବୁ ଗଣିଲା। ଯଦି ଗୋଟେ ଇଟାର ଦାମ୍ ୫ ଟଙ୍କା, ସେ ହିସାବ୍ କଲା ଯେ ପାଚେରୀ ମରାମତି କରିବାକୁ ପ୍ରାୟ ୧୦୦୦ ଟଙ୍କା ଉପରେ ଲାଗିଯିବ। ମନୁଆ!’, ମାଷ୍ଟ୍ରେ ଚିତ୍କାର କଲେ। ମନୁଆ କାବା ହୋଇ ଚାହିଁଲା। ‘ତୋ’ ସୀଲଟ୍ କାହିଁ?’ ମାଷ୍ଟ୍ରେ ଜେରା କଲେ। ମନୁଆ ଜାଣିଲା ମାଷ୍ଟ୍ରେ ଅତି ରାଗିଛନ୍ତି।


Rate this content
Originality
Flow
Language
Cover Design