Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Mishra

Inspirational

3  

Kiran Mishra

Inspirational

ଶାଶୁ ମା'

ଶାଶୁ ମା'

3 mins
2.3K


ବ୍ରତତୀକୁ ଯେଉଁ ଦିନ ବୋହୂ କରିବା ପାଇଁ ଚାରୁଲତା ସ୍ଥିର କଲେ ,ସେଦିନ ତାଙ୍କ ମନରେ ପ୍ରଶ୍ନ ଆସିଥିଲା ବ୍ରତୀ ତାଙ୍କ ଘରେ ଚଳି ପାରିବ ତ? ଚାରୁଲତାଙ୍କ ସ୍ଵାମୀ ମଲାବେଳକୁ ପୁଅ ସୁରେଶକୁ ପାଞ୍ଚ ବର୍ଷ ଓ ଝିଅ ଶାନ୍ତାକୁ ମାତ୍ର ବର୍ଷଟିଏ । ବହୁ କଷ୍ଟରେ ସିଲେଇ ଦ୍ଵାରା ପଇସା ରୋଜଗାର କରି ଚାରୁଲତା ପିଲା ଦୁଇଟିଙ୍କୁ ମଣିଷ କରିଛନ୍ତି । ନିଜେ ଯେତେ କଷ୍ଟ କଲେ ବି ଚାରୁଲତା ପିଲା ଦୁଆଟିଙ୍କୁ ବାପା ନଥିବାର ଅଭାବ ଅନୁଭବ କରିବାକୁ ଦେଇନଥିଲେ । ଭଗବାନଙ୍କ ଦୟାରୁ ପିଲା ଦୁଇଟି ଭଲ ପାଠ ପଢୁଥିଲେ  ।  ସୁରେଶ ବି.ଏ ପାସ୍ କଲାପରେ ଚାକିରୀ ପାଇଁ ବହୁ ଇଣ୍ଟରର୍ଭିଉ ଦେଲା । ଶେଷର ଗୋଟିଏ ବ୍ୟାଙ୍କର ପି.ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲା । ଯେଉଁ ଦିନ ପୁଅ ବ୍ୟାଙ୍କରେ ଚାକିରୀ ପାଇଲା ସେଦିନ ମାକୁ ଧରି ଅନେକ କାନ୍ଦି କହିଥିଲା -

--ମା' ଆମର ଦୁଃଖର ଦିନ ସରିଗଲା । ତତେ ଆଉ ସିଲେଇ କରି କଷ୍ଟରେ ପରିବାର ଚଳାଇବାକୁ ପଡିବନି । ଦେଖିବୁ ମୁଁ ଶାନ୍ତାକୁ ବେଶ ବଡଘରେ ବାହା ଦେବି ଆଉ ତୋ ପାଇଁ ବଡଘର ଟିଏ କରିଦେବି । ବାକି ଜୀବନ ତୋର ସୁଖରେ କଟିବ ।

ସେଦିନ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଯାଇଥିଲା । ପୁଅର କଥାର ଚାରୁଲତା ଏକ ସ୍ୱପ୍ନର ଜଗତରେ ଘୂରି ବୁଲୁଥିଲେ । ଭାବୁଥିଲେ ବୋଧହୁଏ ଠାକୁର ଏତେଦିନେ ତାଙ୍କର ଗୁହାରି ଶୁଣିଲେ । ସତରେ ତାଙ୍କ ଦୁଃଖ ଦୂର ହୋଇଗଲା । ପୁଅ ଚାକିରୀ ପରେ ସତରେ ତାଙ୍କର ଦୁଃଖ ଦୂର ହୋଇ ଯାଇଥିଲା । ପରିବାରଟିରେ ହସଖୁସି ଭରିଯାଇଥିଲା । ମା’ ପାଇଁ ସୁନ୍ଦର ଘରଟିଏ କରି ଦେଇଥିଲା  ।

କିଛି ଦିନ ପରେ ଚାରୁଲତା ଚିନ୍ତା କଲେ ପୁଅର ହାତକୁ ଦିହାତ କରିଦେବା ପାଇଁ । ଶାନ୍ତା ଜିଦି ଧରିଲା ଆଗ ଭାଇ ବାହାଘର ହେବ ପରେ ,ତାର ବାହାଘର ହେବ ।  ତେଣୁ ପୁଅ ପାଇଁ କନ୍ୟା ଖୋଜାଖୋଜି ଆରମ୍ଭ କଲେ ।

ଅନେକ ପ୍ରସ୍ତାବର ଆସିଲେ ମଧ୍ୟ ଗୋଟିଏ ପ୍ରସ୍ତାବରେ ପୁଅ ସନ୍ମତି ପ୍ରକାଶ କଲା । କାରଣ ଝିଅଟି ଶିକ୍ଷିତ,ସୁନ୍ଦର ତଥା ତାର ବାପା ଜଣେ ଉଚ୍ଚ ପଦବୀରେ ଅଧିଷ୍ଟିତ ବ୍ୟକ୍ତି । ଯଦିଓ ଝିଅଟିର ରୂପ ଚାରୁଲତାଙ୍କୁ ଭଲ ଲାଗିଥିଲା,ତଥାପି ବଡ଼ ଘରୁ ଝିଅ ଆଣିବାକୁ ସେ ଅନିଚ୍ଛା ପ୍ରକାଶ କରୁଥିଲେ । କାରଣ ବଡ଼ଲୋକର ଝିଅ କାଳେ ତାଙ୍କ ପରିବାରରେ ଚଳି ପାରିବନି ସେଥିପାଇଁ ସେ ମନେମନେ ଡରୁଥିଲେ ।  କିନ୍ତୁ ପୁଅର ମନ କଷ୍ଟ ହେବ ଭାବି ସେ ମୌନ ରହିଲେ । ବାହାଘର ଖୁଵ୍ ଧୂମଧାମ ସରିଗଲା ।  ଅଳ୍ପଦିନ ପରେ ତାଙ୍କ ଆଶଙ୍କା ସତ୍ୟ ରେପରିଣତ ହେଲା  । ଅଳ୍ପଦିନରେ ବୋହୂଟି ନିଜ ଗୁଣଗ୍ରାମ ଦେଖାଇବା ଆରମ୍ଭ କରିଦେଲା । ପ୍ରତ୍ୟେକ କଥାରେ ବୋହୂଟି ନିଜ ବାପଘରର ବଡିମା ଦେଖାଇ, ଶାଶୁ ଘରକୁ ନୀଚ୍ଚ ଦେଖାଇଲା । ଶାଶୁ ନଣନ୍ଦଙ୍କୁ ଦୁର୍ଵ୍ୟବହାର ଦେଖାଇବା ଆରମ୍ଭ କରିଦେଲା । ଚାରୁଲତା ପ୍ରଥମେ ପୁଅ ମୁହଁକୁ ଚାହିଁ ସବୁ ସହ୍ୟ କରି ନେଉଥିଲେ । ଅବସ୍ଥା କ୍ରମଶଃ ଅସମ୍ଭାଳ ହେଲା ।  ଶେଷରେ ଛାତିରେ ପଥର ରଖି ପୁଅକୁ ଅଲଗା ଘର ନେବାକୁ ବାଧ୍ୟ କରିଲେ । ଯଦିଓ ପ୍ରଥମେ ପୁଅ ରାଜି ହେଉ ନଥିଲା,ତଥାପି ମା'ର ଜିଦ୍ ଓ ପରିବାରରେ ଶାନ୍ତି ପାଇଁ ଅଲଗା ଘର ନେଲା ।  ଯେଉଁ ଦିନ ପୁଅବୋହୂ ଘରୁ ଗଲେ ସେଦିନ ଚାରୁଲତା ଠାକୁର ଘରେ ବସି ଅନେକ କାନ୍ଦିଛନ୍ତି ସତ କିନ୍ତୁ ସେମାନଙ୍କର ଅମଙ୍ଗଳ କାମନା କରିନାହାନ୍ତି ।

ଏଭିତରେ ତିନି ବର୍ଷ କଟିଯାଇଛି । ପୁଅ ମଝିରେ ମଝିରେ ଘରକୁ ଆସି ସୁବିଧା ଅସୁବିଧା ବୁଝି ଯାଏ ।  ପୁଅର ଗୋଟିଏ ପୁଅ ମଧ୍ୟ ହୋଇଛି । ପୁଅର ଅନୁରୋଧରେ ନାତିର ଏକୋଇସିଆକୁ ଚାରୁଲତା ଯାଇଥିଲେ ଓ ଆତି ଆଦରରେ ନାତିକୁ ଟିକେ ଧରିଥିଲେ । କେଉଁଠି ବୋହୂ ଥିଲା ଝଡପରି ଆସି ଇନ୍ଫେକସନ୍ ହୋଇଯିବ କହି ଚାରୁଲତାଙ୍କ ହାତରୁ ନାତିକୁ ଝାମ୍ପି ନେଇଥିଲା । ସେ ଅପମାନକୁ ମଧ୍ୟ ସେ ପୁଅମୁହଁକୁ ଚାହିଁ ସହ୍ୟ କରିଥିଲେ । ଏ ଭିତରେ ଶାନ୍ତା ଗୋଟିଏ ଚାକିରୀ ପାଇଥାଏ । ମା ଓ ଭାଇ ମିଶି ଗୋଟିଏ ଭଲ ପୁଅ ଦେଖି ତାକୁ ବାହା କରିଦେଲେ । ଝିଅର ବାହାଘର ପରେ ଯଦିଓ ଚାରୁଲତା ଏକୁଟିଆ ହୋଇ ଯାଇଥିଲେ ତଥାପି ଚିନ୍ତାଶୂନ୍ୟ ହୋଇ ଯାଇଥିଲେ ।

ଦୁଇ ବର୍ଷ ପରେ ବୋହୂର ପ୍ରଥମେ ଟିକେ ଟିକେ ଜର ହେଲା । ପ୍ରଥମେ ସାମାନ୍ୟ ଜର ବୋଲି ଭାବିଥିଲେ  । ଦୀର୍ଘ ଦିନ ଧରି ଜର ନଛାଡିବାରୁ ଡାକ୍ତର ଙ୍କ ପରାମର୍ଶରେ ବିଭିନ୍ନ ପ୍ରକାର ଟେଷ୍ଟ କଲାରୁ ଜଣାପଡିଲା ବୋହୂର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଛି । ପରିବାର ଉପରେ ଚଡ଼କ ପଡିଲା ।  ପୁଅ ପାଗଳ ପ୍ରାୟ ହେଲା ।  ଛୋଟ ଛୁଆଟି କିପରି ବା ବଂଚିବ ।  ପରିବାରର ଏ ବିପର୍ଯ୍ୟସ୍ତ ଅବସ୍ଥାକୁ ସମ୍ମୁଖୀନ କରିବା ପାଇଁ ଚାରୁଲତା ହିଁ ଅଣ୍ଟାଭିଡିଲେ । ପୁଅକୁ ସାହାସ ଦେଲେ ଏ ଦୁର୍ଦ୍ଦିନ ନିଶ୍ଚୟ ଚାଲି ଯିବ ବୋଲି । ପୁଅ ଅର୍ଥ ସିନା ଯୋଗାଡ଼ କରିଦେଲା ,କିନ୍ତୁ କିଡ଼ନୀ ଦବ କିଏ?ଯେଉଁ ବାପ,ଭାଇ ଓ ମା'ଙ୍କୁ ନେଇ ସେ ଗର୍ବ କରୁଥିଲା କିଡ଼ନୀ ଦବା ନାଁ ଶୁଣି ସେମାନେ ଧରାଛୁଆଁ ଦେଲେନି । ସ୍ଵାମୀଙ୍କ କିଡ଼ନୀ ବି ମ୍ୟାଚିଙ୍ଗ କଲାନି ।

ଶେଷରେ ଚାରୁଲତା ନିଜ ଆଡୁ ତାଙ୍କ କିଡ଼ନୀ ଦେବାକୁ ପ୍ରସ୍ତାବ ଦେଲେ ।  ସୁଯୋଗ କ୍ରମେ କିଡ଼ନୀ ମ୍ୟାଚିଙ୍ଗ ବି କଲା । ଶାଶୁଙ୍କର ଉଦାରତାରେ ବ୍ରତତୀ ଲଜ୍ଜିତ ହେଲା । ବାପଘରର ବଡ଼ଲୋକିକୁ ନେଇ ଗର୍ବ କରୁଥିବା ବ୍ରତତୀର ଅହଂକାର ମାଟିରେ ମିଶିଯାଇଥିଲା  । ଯାହାକୁ ସେ ଅଶିକ୍ଷିତ ଦରିଦ୍ର କହି ହେୟ ମନେ କରୁଥିଲା,ତା'ଙ୍କ ହୃଦୟ ଯେ କେତେ ବିଶାଳ ସେଦିନ ସେ ମର୍ମେମର୍ମେ ଅନୁଭବ କରି ପାରିଲା ।  ଅଥଚ ନିଜ ମା! ଯେଉଁ ଦିନ ସେ ତାଙ୍କୁ କିଡନୀଟିଏ ଦେବାକୁ ଅନୁରୋଧ କରିଥିଲା,ଉତ୍ତରରେ ଶୁଣିଥିଲା-

----ତୁ ତ ଯାଣିଛୁ ,ବାପାଙ୍କର ଦେହ ଖରାପ । ମୁଁ କିଡ଼ନୀଟିଏ ଦେଲେ ତାଙ୍କ ସେବା କରିବ କିଏ?ବରଂ ଯୋଇଁଙ୍କୁ କହ ଆଉ କୋଉଠୁ ପଇସା ଦେଇ ଯୋଗାଡ କରିବେ ।

ସେଦିନ ମା କଥାରେ ସ୍ତମ୍ଭୀଭୂତ ହୋଇ ଯାଇଥିଲା । ଅଥଚ ଶାଶୁ ନିସଙ୍କୋଚରେ ତାଙ୍କ ଆଡୁ ପ୍ରସ୍ତାବ ଦେଉଛନ୍ତି ।  ତାଙ୍କ ମହାନତା ଆଗରେ ବ୍ରତତୀର ମୁଣ୍ଡ ଲଇଁ ଯାଉଥିଲା ।  ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । କାନ୍ଦିକାନ୍ଦି ସେ ଚାରୁଲତାଙ୍କ ଗୋଡ଼ ତଳେ ପଡି କ୍ଷମା ଭିକ୍ଷା କରୁଥିଲା । ଚାରୁଲତା ତାକୁ ଦୃଦୟରେ ଭିଡିଧରି ଆଶ୍ୱ । ସନ ଦେଉଥିଲେ ।  ଝିଅର ଭୂଲ୍ କ'ଣ ମା ଧରେ ।  ଯେଉଁ ଦିନ ଅପରେସନ ହୋଇ ବ୍ରତତୀ ଘରକୁ ଫେରିଲେ ସେଦିନ ସ୍ଵାମୀଙ୍କୁ ଅନୁରୋଧ କଲେ ତାଙ୍କୁ ଶାଶୂଘରକୁ ନେଇଯିବା ପାଇଁ । ବ୍ରତତୀର ଅନୁରୋଧରେ ସ୍ଵାମୀ ସୁରେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ମନରେ ଖୁବ ଖୁସୀ ହୋଇଥିଲେ ।


Rate this content
Log in

Similar oriya story from Inspirational