କର୍ତ୍ତବ୍ୟ
କର୍ତ୍ତବ୍ୟ
"ପାତି ଇତି ପିତା"। ଯିଏ ପାଳନ କରେ ସେ ପିତା। ମାର ସ୍ଥାନ ସ୍ୱର୍ଗ ଠାରୁ ବଡ଼ ହେଲେ ପିତା ଆକାଶ ପରି ବିଶାଳ। ପିଲାମାନଙ୍କର ସମସ୍ତ ଭରଣପୋଷଣ ସହିତ ଭବିଷ୍ୟତ ଚିନ୍ତା ପିତା ହିଁ କରିଥାନ୍ତି କିନ୍ତୁ କୁନାର ଭାଗ୍ୟରେ ଥିଲା ଏସବୁ ସାତ ସପନ।
କୁନାର ବାପା ଥିଲେ ଜଣେ ଜଣେ ଅଳସୁଆ ଏବଂ ଦାୟିତ୍ୱହୀନ ମଣିଷ। ଅଜାଙ୍କର ଅନେକ ଧନ ସମ୍ପତ୍ତି ଥିଲେ ମଧ୍ୟ ବସି ଖାଇଲେ ନଈ ବାଲି ସରେ । ନ୍ୟାୟରେ ସାରି ଦେଇଥିଲେ ସବୁ କିଛି। ଅଭାବ ଅନଟନ ଯୋଗୁ ବାପା ବୋଉଙ୍କର ଘରେ ସର୍ବଦା କଳହ।
ନିଜେ ବସି ପିଲାମାନଙ୍କୁ କାମ କରାଇବା କୁନା ବାପାଙ୍କର ଅତି ଖରାପ ଅଭ୍ୟାସ। ଯଦି କେହି ପାଖ ପଡ଼ିଶା କହିବେ ପିଲାଙ୍କୁ ଖଟେଇ ତୁମେ ବସୁଛ, ଉତ୍ତରରେ କୁହନ୍ତି ଯଦି ମୁଁ ମରିଯିବି କରିବ କିଏ? ଆଜି ଠୁ ଶିଖିଥିଲେ ତ। ବହୁତ କଷ୍ଟ ଲାଗେ କୁନାକୁ।
ଘରର ଭଲମନ୍ଦ, ସଉଦା ପତ୍ର, ତେଲ ଲୁଣ ବିଷୟରେ କିଛି ବି ଜାଣନ୍ତିନି କୁନା ବାପା। ଏହା ଭିତରେ କୁନା ଏବେ ଟିକେ ବଡ଼ ହୋଇ ଗଲାଣି। ଯଦି ବାରି ଘରେ ଗଛଟିଏ କି ଫସଲ ଦିଟା କରିବାକୁ କୁନା ବାପାଙ୍କୁ କହିଲେ ବାପା ଉତ୍ତର ଦେବେ ତମେ ସବୁ କରିଦେବ, କରୁନ।
ଗାଁ ଗଣ୍ଡାରେ ଭୋଜି ଭାତ ହେଲେ ପେଣ୍ଟ ଶାର୍ଟ ପିନ୍ଧି ବାହାରିବା ସମୟରେ କୁନାକୁ ପଚାରିବେ "ତୋର ଯିବାକୁ ଇଚ୍ଛା ଅଛି"। କୁନା ବି ମନ କଥା ମନରେ ରଖି କହେ ନା। ମୋଟାମୋଟି କହିବାକୁ ଗଲେ ଖାଇ ପିଇ ବଞ୍ଚିବା ଛଡା ଆଉ କିଛି ନ ଥିଲା କୁନା ବାପାଙ୍କ ଜୀବନରେ।
ଘରର ପରିସ୍ଥିତି ଆଖି ଆଗରେ ରଖି ଦଶମ ପରୀକ୍ଷା ପରେ କୁନା ସହରରେ ଗୋଟେ ଦୋକାନରେ ରହି ଘର ଚଳାଇବାରେ ଲାଗିପଡ଼ିଲା। ଭାବଗ୍ରାହୀ ବାବୁ(କୁନା ବାପା) ଘରର ସଉଦା ପତ୍ର ଭଲମନ୍ଦ ରେ ହଜାରେ ଖର୍ଚ୍ଚ ହେଲେ କହିବେ ଦୁଇ ହଜାର। ଅଭାବ ଅନଟନ ଭିତରେ ଘର ଖଣ୍ଡେ ବି କରିପାରିଲେ ନାହିଁ ଶେଷକୁ। ଏପରିକି ପାଇଖାନା ବାବଦକୁ ସରକାରଙ୍କ ଠୁ ମିଳିଥିବା ଟଙ୍କା ଟା ବି କଣ କଲେ ତାର ପତା ମିଳିଲା ନାହିଁ।
କୁନା ମନେ ମନେ ଭାବେ ଏସବୁ କେଉଁ ଜନ୍ମର ପାପ ଫଳ ନ ହେଲେ କାହାର ଅଭିଶାପ। ସମୟକ୍ରମେ, କୁନା ବି ଘର ସଂସାର କରେ। କୁନାର ପୁଅଟିଏ ଜନ୍ମ ହୁଏ କିନ୍ତୁ ମେଡିକାଲରେ ରହିବାକୁ ହୁଏ ଅନେକ ଦିନ। ସମସ୍ତେ ଯିବା ଆସିବା କରନ୍ତି, ଭଲମନ୍ଦ ବୁଝନ୍ତି କିନ୍ତୁ ଭାବଗ୍ରାହୀ ବାବୁ କେବେ ଦେଖିବାକୁ ଯାଇଛନ୍ତି ନା ଭଲମନ୍ଦ ବୁଝିଛନ୍ତି। କୁନା ଅନେକ ଧାର କରଜ କରି ଭଲ ହୋଇ ଘରକୁ ଆସେ।
ଏବେ କୁନାର ହୃଦୟ ବାପାଙ୍କ ପ୍ରତି ଘୃଣାରେ ଭରିଯାଇଛି। ସେ ଭାବେ ସଂସାରରେ ସବୁଠୁ କଦର୍ଯ୍ୟ ମଣିଷ ହେଉଛି ତା ବାପା। ସବୁଠୁ ଅଦରକାରୀ ଏବଂ ବିବେକହୀନ ମଣିଷ ରୂପରେ ଜଣେ ପଶୁ।ବାପାଙ୍କୁ ଆଗରେ ନ ହେଲେ ବି ପଛରେ ଅନେକ ଗାଳି ଦିଏ।ଭାବଗ୍ରାହୀ ବାବୁ କେବେ ନାତିକୁ କେବେ ଧରନ୍ତିନି କି ବିସ୍କୁଟ ଟିଏ ଆଣନ୍ତିନି। କିନ୍ତୁ ଖାଇବା ସମୟ ଟିକେ ବିଳମ୍ବ ହେଲେ ରାଗରେ ଗରଗର ହେବେ।
ଏବେ ଭାବଗ୍ରାହୀ ବାବୁଙ୍କର ବୟସ ୭୫ ବର୍ଷ। କିଛିଦିନ ତଳେ ପାଇଖାନାରୁ ପଡିଗଲେ ଯେ ଜଙ୍ଘ ହାଡ଼ ଭାଙ୍ଗିଗଲା। ଡାକ୍ତର କହିଲେ ଅପରେସନ କରିବାକୁ ପଡିବ କିନ୍ତୁ ଏତେ ବୟସ ହୋଇଗଲାଣି ଅପରେସନ ସଫଳ ହେବ କି ନା କିଛି କହି ହେବନି। କୁନାର ଭାଲେଣି ପଡ଼ିଲାଣି କଣ କରିବ, ଡାକ୍ତର କହିଛନ୍ତି ୭୦ ହଜାର ଟଙ୍କା ଖର୍ଚ୍ଚ ହେବ। ଅଭାବ ଅନଟନ, ଘରେ ପୁଅର ପାଠପଢା, ରୋଗୀଣା ମାଆ କଣ କରିବ??ସମସ୍ତେ କହୁଥାନ୍ତି "ମଲା ହଡାକୁ ଦୁବ ଘାସ"। ଭୂତ କୁ କଣ ପାଇଁ ଟଙ୍କା ଦେବ। ୭୫ ବର୍ଷର ବୁଢା କଣ ଭଲ ହୋଇ କରିବ?
ଭାବଗ୍ରାହୀ ବାବୁ କଷ୍ଟରେ ଆଉଟୁ ପାଉଟୁ ହେଉଥାନ୍ତି। ବଡ଼ ପାଟିରେ କହୁଥାନ୍ତି କୁନାରେ ଆଉ ସମ୍ଭାଳି ପାରୁନି। ମତେ ଟିକେ ଭଲ କରିଦେରେ କୁନା। ତାଙ୍କର ବିକଳ ଚିତ୍କାର ସମସ୍ତଙ୍କୁ ସ୍ତବ୍ଧ କରୁଥାଏ। କୁନାର ଆଖିରେ ଧାର ଧାର ଲୁହ। ପାଖରେ ଟଙ୍କା ନାହିଁ। ଜଣେ ସମ୍ପକୀୟଙ୍କୁ ବାପାଙ୍କ ପାଖରେ ଛାଡ଼ି କୁନା ଧାଇଁଲା ଗାଁ ଅଭିମୁଖେ। ଆଖି ଆଗରେ ନାଚି ଯାଇଥାଏ ପିଲାଦିନର ପ୍ରତେକ ସ୍ମୃତି। ମନରେ ଅନେକ ଦୁଃଖ ଯନ୍ତ୍ରଣା ଏବଂ ଅଭିମାନ।
ଘରେ ପହଞ୍ଚି ବୃଦ୍ଧା ମା’କୁ ସବୁ କଥା ଜଣାଇଲା କୁନା। "ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ"। ମା ବି ତାଙ୍କ କର୍ତ୍ତବ୍ୟ କୁ ଆଖି ଆଗରେ ରଖି କହିଲେ "ପୁଅରେ ଅଯଥାରେ ଏତେ ଟଙ୍କା କାଇଁ ଖର୍ଚ୍ଚ କରିବୁ। ଯେଉଁ ଲୋକ ବୟସ ବେଳେ କିଛି କଲାନି, ଏ ବୁଢା ବୟସରେ ସେ କଣ କରିବ"। କୁନାର ମନ ମାନିଲାନି। ଗାଁ ମନ୍ଦିରକୁ ଯାଇ ସବୁ ଦୁଃଖ ଜଗନ୍ନାଥଙ୍କୁ ଜଣାଇଲା, ଆଜି କଣ ପାଇଁ କେଜାଣି ଜଗନ୍ନାଥ ମୂର୍ତ୍ତି ଲାଗୁଥିଲା କୁନାକୁ ସମ୍ପୁର୍ଣ୍ଣ ଜୀବନ୍ତ। ଦେଉଳ ବେଢାରେ ଥିବା ଲେଖାଟି "ପିତା ସ୍ୱର୍ଗ, ପିତା ଧର୍ମ ପିତା ହିଁ ପରମ ତପ। ପିତରି ପ୍ରତିମାପଂନେ ପ୍ରିୟନ୍ତେ ସର୍ଵ ଦେବତା" ଆନମନା କରୁଥାଏ କୁନାକୁ। ଶେଷରେ କୁନା ଦୃଢ଼ ନିଷ୍ପତି ନେଲା ବାପାଙ୍କୁ ନିଶ୍ଚିତ ଭଲ କରିବ। ବାପା ଯଦି ନିଜ କର୍ତ୍ତବ୍ୟ ନ କଲେ ମୁଁ ତ ମୋ କର୍ତ୍ତବ୍ୟ କରିବି। ଶେଷରେ ସାତ ପୁରୁଷର ଭିଟାମାଟି ବିକ୍ରିକରି ବାପାଙ୍କୁ ଭଲ କଲା କୁନା।
ଏବେ କୁନା ନିଜକୁ ବହୁତ ହାଲକା ଅନୁଭବ କରୁଥିଲା। ଭାବଗ୍ରାହୀ ବାବୁ ସମ୍ପୂର୍ଣ୍ଣ ସୁସ୍ଥ, ହେଲେ ଆଗ ଅପେକ୍ଷା ବେଶୀ ଚିଡା ହୋଇଗଲେଣି। ନାତି ଟୋକା ଉପରେ ସବୁବେଳେ ରାଉ ରାଉ ହେଉଛନ୍ତି।