Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବସରପ୍ରାପ୍ତ
ଅବସରପ୍ରାପ୍ତ
★★★★★

© Banabihari Mishra

7 Minutes   333    10


Content Ranking

ସାରା ଅଫିସରେ ଜଣେ ଦକ୍ଷ ଆଉ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସୁରବାବୁଙ୍କର ଭଲ ନାଁ ଅଛି। ସାଧାରଣ କିରାଣୀ ସ୍ତରରୁ ଉଠି ଉଠି ଅଫିସର ବଡ଼ବାବୁ ହେବା ପର୍ଯ୍ୟନ୍ତ ଦୀର୍ଘ ତିରିଶି ବର୍ଷର ଯାତ୍ରା। ସୁରେନ୍ଦ୍ର ଦ୍ବିବେଦୀ। ସମସ୍ତଙ୍କ ପାଖରେ ସୁରନ୍ନା ଭାବରେ ପରିଚିତ। ଏମିତିକି ତାଙ୍କଠାରୁ ବୟସରେ ବଡ଼ କିନ୍ତୁ ସରକାରୀ ଖାତାରେ ଜନ୍ମ ତାରିଖ କମେଇ ଲେଖେଇଥିବା ଗୋବିନ୍ଦ, ଯାହାର ଏବେ ବି ଆହୁରି ତିନି ବର୍ଷ ଚାକିରୀ ବାକି ଅଛି, ସିଏ ବି ସୁରନ୍ନା ଡାକେ। ଯେମିତି ଜହ୍ନମାମୁଁ ଆଉ ବାଘମାମୁଁ ବାପା ଜେଜେବାପା, ମାଆ ଜେଜେମା, ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ମାମୁଁ, ସେଇମିତି ସୁରବାବୁ ସମସ୍ତଙ୍କର ସୁରନ୍ନା। ସୁରନ୍ନା ସମସ୍ତଙ୍କ ହୃଦୟରେ ଗୋଟେ ବିଶେଷ ସ୍ଥାନ ଅଧିକାର କରି ବସିଥିଲେ। ଏମିତିକି ଅଫିସଟାରେ ପଦସ୍ଥ ଅଫିସର ମୀରା ମାଡାମ୍ ମଧ୍ୟ ସୁରନ୍ନାଙ୍କ ସହ କଥାବାର୍ତ୍ତା କଲାବେଳେ ବଡ଼ ସମ୍ଭ୍ରମର ସହ କଥା ହୋଇଥାଆନ୍ତି। ସଙ୍ଗୀତା, ଚପଳା, ଆଉ ସେଇ ଟେରୀ ଝିଅଟା, କ'ଣ ତା ନାଁଆଟା ତ, କାକଳୀ, ସବୁଝିଅଗୁଡା ସୁରନ୍ନା ଡାକୁଥିଲେ ବି ଗୋଟେ ପିତୃତୁଲ୍ୟ ସମ୍ମାନ ତାଙ୍କୁ ଦିଅନ୍ତି।

ଆଜି ସେଇ ସୁରନ୍ନାଙ୍କର ଚାକିରୀ ଜୀବନର ଶେଷଦିନ। ୟା ପରେ ସିଏ ହେଇଯିବେ ଅବସରପ୍ରାପ୍ତ ପ୍ରାକ୍ତନ କର୍ମଚାରୀ। ମାସକୁ ମାସ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ଦରମା ଗଣ୍ଡାକ ବନ୍ଦ ହେଇଯିବ। ଭରସା ରହିବ କେବଳ ସେଇ ପେନସନ ଗଣ୍ଡାକ ପାଇଁ। ସେଇଥିରୁ ନିଜର ଆଉ ଘରଣୀଙ୍କର ଔଷଧ ଖର୍ଚ୍ଚ ତା ସାଙ୍ଗରେ ଘରର ସବୁ ଖର୍ଚ୍ଚ, ବେଭାର ଆଚାର, ପର୍ବପର୍ବାଣୀ, ସବୁକିଛି ତୁଲେଇବାକୁ ପଡ଼ିବ। ମୋହବଶତଃ ଅଥବା ସ୍ବାଭମାନ ହେତୁ ସୁରବାବୁ ଚାକିରୀଆ ପୁଅକୁ ଆଜି ପର୍ଯ୍ୟନ୍ତ କିଛି ମାଗି ନାହାନ୍ତି କି ଆଗକୁ ବି ମାଗିବା ତାଙ୍କ ପକ୍ଷେ ସମ୍ଭବ ହେବନି।

ଏତେ ଦିନର ଚାକିରୀକାଳ ଭିତରେ ଯଦିଓ ମଲ୍ଲିକ ବାବୁଙ୍କ ପରି ପିଲାମାନଙ୍କୁ ବେଜାଏ ପଇସା ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପଢେଇ ପାରିନଥିଲେ, ତଥାପି ସେଇ ସୀମିତ ଆୟରେ ସରକାରୀ ସ୍କୁଲରେ ପୁଅ ଆଉ ଝିଅ, ଦୁଇଜଣଙ୍କୁ ପଢ଼ାଇ ଉପଯୁକ୍ତ ମଣିଷ କରିବା ପାଇଁ କୌଣସି ହେଳା କରିନାହାଁନ୍ତି। ନିଜର ପାରିବାପଣିଆ ଆଉ ସକ୍ଷମତାକୁ ନେଇ ପିଲା ଦୁଇଜଣଙ୍କୁ ଭଲମଣିଷ କରିପାରିଛନ୍ତି। ପୁଅ ଭାରତୀୟ ସେନାରେ ଜଣେ ଉଚ୍ଚ ପଦସ୍ଥ ଅଫିସର। ଆଉ ଝିଅଟାକୁ ଵାହା ଦେଇଛନ୍ତି ଜଣେ ବ୍ୟାଙ୍କ ଅଫିସରଙ୍କୁ। ସେମାନେ ନିଜ ନିଜର ସଂସାର ନେଇ ସୁଖରେ ଅଛନ୍ତି। ଏଠି ଗାଁରେ ଖାଲି ସୁରବାବୁ ଆଉ ତାଙ୍କ ସ୍ତ୍ରୀ। ବୁଢ଼ାବୁଢ଼ୀ ଦିଟା ଯାହା ଯେମିତି ଚଳିଯାଆନ୍ତି। ଏମିତି ପୁଅ ଆଉ ଝିଅ ବାପା ମାଆଙ୍କର ଖବର ଅନ୍ତର ରଖନ୍ତିନି ସେମିତି ନୁହେଁ। ଏଇଟା ଗୋଟେ ରୁଟିନ୍ ହେଇଯାଇଥିଲା ଯେ ସକାଳୁ ଝିଅ ମାଆକୁ ଫୋନ କରି କଥା‌ହୁଏ। ଆଉ ପୁଅ ରାତିରେ ବାପାଙ୍କ ସହ କଥା ହେଇ ଘରର ଭଲମନ୍ଦ ବୁଝେ।

ସୁରବାବୁ ଏମିତି ଗୋଟେ ଭାବନାରେ ମଜ୍ଜି ଯାଇଥାଆନ୍ତି, ଗାଁକୁ ଗଲେ ଏମିତି କରିବି, ସେମିତି କରିବି, ଲୋକ ଲଗେଇ ଚାଷବାସ କରିବି, ଜଣେ ସଫଳ ଚାଷୀ ହେବି, ଗାଁର ସେବା କରିବି ଇତ୍ୟାଦି ଇତ୍ୟାଦି। ତାଙ୍କ ଭାବନାରେ ଅନ୍ତ ଘଟାଇ ମଲ୍ଲିକ ବାବୁ ଡାକିଲେ , "କ'ଣ ସୁରନ୍ନା ଫେୟାରଓ୍ଵେଲ ସଭାକୁ ଯିବେନି କି? ଶୀଘ୍ର ସଭା ସାରିଲେ ଘରକୁ ଯିବା ପରା।"

ସୁରବାବୁଙ୍କର ମନେହେଲା ସତେ ଯେମିତି ତାଙ୍କର ବିଦାୟକାଳୀନ ସଭା ପାଇଁ ମଲ୍ଲିକ ବାବୁଙ୍କର ବ୍ୟସ୍ତତା କେମିତି ଗୋଟେ ଅପ୍ରାକୃତିକ ଆଗ୍ରହରେ ପରିପୂର୍ଣ୍ଣ। ସୁରବାବୁଙ୍କ ପ୍ରତି ଅସହିଷ୍ଣୁତାର ଶୀକାର ହୋଇପଡ଼ିଥିବା ମଲ୍ଲିକ ବାବୁଙ୍କର ବ୍ୟସ୍ତତା ଟିକେ ଅଧିକ ଜଣାଯାଉଥିଲା। ସୁରବାବୁଙ୍କର ପତିଆରା ଆଉ ସମସ୍ତଙ୍କର ସିଏ ପ୍ରିୟ ଭାଜନ ହେବା ମଲ୍ଲିକ ବାବୁଙ୍କର ପାଇଁ ଅସହ୍ୟ ଥିଲା। ଆଉ ତା'ଛଡା ସୁରନ୍ନାଙ୍କ ପରି ଜଣେ ସଚ୍ଚୋଟ କର୍ମଚାରୀଙ୍କ ପାଇଁ ଟେବୁଲ୍ ତଳିଆ ଭିତିରି ଆୟଟା, ଯାହାର ନାଁଟା ଉପୁରି ନାମରେ ସର୍ବଜନ ସମାଦୃତ, ଖୁବ୍ କମିଯାଉଛି। ସେଇଟା ମଲ୍ଲିକ ବାବୁଙ୍କ ପାଇଁ ଖୁବ୍ ଗୋଟାଏ ବଡ଼ ଚିନ୍ତାର ବିଷୟ ଥିଲା। ଏବେ ସେଇ କାରବାରଟା ସୁରନ୍ନାଙ୍କ ଅବସର ପରେ ତାଙ୍କ ଅବର୍ତ୍ତମାନରେ ଅତ୍ୟନ୍ତ ସରଳ ସାବଲୀଳ ଢଙ୍ଗରେ ହେଇପାରିବ।

ମଲ୍ଲିକ ବାବୁଙ୍କ ଡାକରାରେ ସଂବିତ୍ ଫେରିପାଇଲେ ସୁରବାବୁ। କ୍ଳାନ୍ତ ଶରୀରଟାକୁ ଉଠାଇ ଧୀର ପଦକ୍ଷେପରେ ଚାଲିଲେ ଅଫିସର ସଭାଗୃହ ଆଡ଼କୁ ଯେଉଁଠି ତାଙ୍କୁ ବିଦାୟ ଦେବାପାଇଁ ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏକାଠି ହୋଇଥିଲେ।

ବିଦାୟକାଳୀନ ସଭା ସରିଲା। ସମସ୍ତେ ସୁରନ୍ନାଙ୍କର ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ। ପୋତି ପକେଇଲେ ବୁଢାଟାକୁ ଗଦାଗଦା ଅହୈତୁକ ପ୍ରଶଂସାରେ। ଗେଣ୍ଡୁଫୁଲର ମାଳରେ ପଲଙ୍ଗା କୁକୁଡ଼ା ପରି ଲମ୍ବା ବେକଟା ଲୁଚି ଯାଇଥିଲା। କେତେ ଉପହାର ଉପଢୌକନ। ଏମିତି ଜଣାପଡ଼ୁଥିଲା ଯେମିତି ସୁରନ୍ନାଙ୍କ ବିଦାୟରେ ସମସ୍ତେ ମ୍ରିୟମାଣ ଆଉ ଦୁଃଖାଭିଭୁତ ସୋଇପଡିଛନ୍ତି। ସୁରନ୍ନାଙ୍କର ଅବର୍ତ୍ତମାନରେ ସାରା ଅଫିସରେ ସମସ୍ତ ପ୍ରକାରର କାମ ଯେମିତି ଠପ୍ ହେଇଯିବ।

ଏ ସମସ୍ତ ଭିତରେ ସୁରନ୍ନା କିନ୍ତୁ ପାଲଟି ଯାଇଥିଲେ ଏକ ନିର୍ବିକାର ମଣିଷରେ। ସତେ ଯେମିତି ସମସ୍ତ କର୍ମଫଳ ତ୍ୟାଗ କରିଥିବା ସ୍ଥିତପ୍ରଜ୍ଞ ମଣିଷଟିଏ।

ସଭା ସାଙ୍ଗ ହେବାପରେ ସମସ୍ତେ ଯେ ଯୁଆଡେ ଚାଲିଗଲେ। ଚିରାଚରିତ ଢଙ୍ଗରେ ଧୀରେ ଧୀରେ ଏକ କ୍ଳାନ୍ତ ଅବସନ୍ନ ମନ ଆଉ କ୍ରମାଗତ ଭାବରେ ଭାଙ୍ଗି ପଡୁଥିବା ଅବକ୍ଷୟଶୀଳ ଶରୀରକୁ ନେଇ ସୁରବାବୁ ଚାଲିଲେ ସ୍ବ ଗନ୍ତବ୍ୟସ୍ଥଳ ଆଡ଼କୁ। ପ୍ରଥମେ ଆଉ ତାପରେ ଅପେକ୍ଷା ସେଇ ଇପ୍ସିତ ଧୀରଗାମୀ ଫାଷ୍ଟ ପାସେଞ୍ଜରକୁ। ଭୟଙ୍କର ଗର୍ଜନ କରି ରେଳଗାଡ଼ି ଷ୍ଟେସନରେ ପହଞ୍ଚିବାପରେ ଅନେକ ଅପରିଚିତ ମଣିଷଙ୍କ ଗହଳିରେ ଧକ୍କା ଖାଇ ରେଳଗାଡ଼ିରେ ଚଢି ଗୋଟିଏ ସୁରକ୍ଷିତ ଆସନ ଦଖଲ କରିବାର ପୂର୍ଣ୍ଣପ୍ରାଣ ପ୍ରୟାସ। ଯଦି ଚେଷ୍ଟାରେ ସଫଳ ହୋଇଥାନ୍ତେ ତେବେ ତ କଥା ନଥିଲା। କିନ୍ତୁ ଭାଗ୍ୟର ବିଡମ୍ବନା, ଭୟଙ୍କର ଭିଡ଼ ଭିତରେ କେତେବେଳେ ବାମକୁ ତ କେତେବେଳେ ଡାହାଣକୁ, ଢଳଢଳ କମଳ ପରି ସୁରବାବୁ ଠିଆ ହୋଇ ଝୁଲୁଥାଆନ୍ତି। ଏଇ ନିର୍ଦ୍ଦିଷ୍ଟ ରେଳଗାଡିରେ ନିତିଦିନିଆ ଯାତ୍ରୀ ହେବା ସତ୍ତ୍ୱେ, ଦୀର୍ଘ ତିରିଶି ବର୍ଷ କାଳ ସକାଳୁ ଯାଇ ସନ୍ଧ୍ୟାରେ ଫେରିବାର ଅଭିଜ୍ଞତା ଥିଲେ ବି ଆଜି ସୁରବାବୁ ଏ ଭିଡ଼ ଭିତରେ କେମିତି ଗୋଟେ ନିଃସଙ୍ଗତା ଅନୁଭବ କରୁଥିଲେ। ଚାରିପାଖରେ ଅନେକ ଚିହ୍ନା ମୁହଁ ଥିଲେ ମଧ୍ୟ ସମସ୍ତେ ଲାଗୁଥିଲେ ଅପରିଚିତ। ସେଇମିତି ସବୁଦିନ ପରି ବାଦାମବାଲା, ଚଣାବାଲା ଆଉ ବରାପିଆଜିବାଲା ସମସ୍ତେ ତାଙ୍କ ଦେହରେ ଘଷି ହୋଇ ଯାଉଥିଲେ ବି ସୁରବାବୁଙ୍କର ନିଃସଙ୍ଗପଣିଆ କମୁନଥିଲା।

ପୁଣି ସୁରବାବୁ ଫେରି ଯାଇଥିଲେ ନିଜର ଭାବନା ରାଜ୍ୟକୁ ଯୋଉଠି ସିଏ ଖୋଜି ଚାଲିଥିଲେ ବିଗତ ଦିନମାନଙ୍କର ଅନେକ ମିଠା ଖଟା ଅନୁଭୂତି। ନୂଆ ହୋଇ ନିଯୁକ୍ତି ପାଇଥିବା ମୀରା, ଯିଏ ଏବେ ମୀରା ମାଡାମ ହେଇଯାଇଛି, ସାମ୍ନା ଚେୟାରରୁ କଣେଇ କଣେଇ ତାଙ୍କୁ ଚାହୁଁଥିଲା। ଆଉ ସେତେବେଳେ ଯୁବକସୁଲଭ ମାଦକତା ନେଇ ସିଏ ବି ତ ମୀରା ଆଡ଼କୁ ଅନେଇ ନାହାନ୍ତି, ସେମିତି ନୁହେଁ। ଏଇମିତି କେତେ ଆସିଛନ୍ତି ଆଉ କେତେ ଯାଇଛନ୍ତି ମଧ୍ୟ। କିଏ ଆପଣା ଚାପ ଛାଡି ଯାଇଛନ୍ତି ଆଉ କିଏ ଭିଡ଼ ଭିତରେ ହଜି ଯାଇଛନ୍ତି। ସୁରବାବୁ କିନ୍ତୁ କାଟିଦେଲେ ସେଇ ଗୋଟାଏ ଅଫିସରେ ଜୀବନକାଳର ଗୋଟେ ସିଂହଭାଗ। କେମିତି ଗୋଟେ ମାୟା ଲାଗି ଯାଇଥିଲା ଏଇ ଅଫିସଟା ସହ। ସେଇ ଗୋଟେ ହାତ ଦରବା ହେଇଯାଇଥିବା କାଠ ଚେୟାର, ଅସମତଳ ସିମେଣ୍ଟ ଛାଡି ଯାଇଥିବା ଚଟାଣ ଉପରେ ଢକଢକ ହେଉଥିବା ଟେବୁଲ୍ ଉପରେ ଗଦା ହୋଇଥିବା ନାଲିଫିତାର ନିବିଡ଼ ବନ୍ଧନରେ ଆବଦ୍ଧ ଫାଇଲସବୁ ସସୁରବାବୁଙ୍କର ନିତ୍ୟ ନୈମିତ୍ତିକ ସହଚର ହୋଇଯାଇଥିଲେ। ସେଇ ଫାଇଲ୍ ଗଦା ଉପରୁ ଅଫିସର ପିଅନ ମକରା ଦୈନିକ ଗୋଟେ ମଇଳା କପଡା ନେଇ ଧୂଳି ଝାଡ଼ିଥାଏ ଆଉ ସେଇ କପଡାରେ ଚେୟାର ପୋଛିଥାଏ। ରେଳଗାଡିରୁ ଧାଇଁ ଧପଡି ଝାଳନାଳ ହେଇ ଆସିଥିବା ସୁରବାବୁ ବସି ଯାଆନ୍ତି ସେଇ ସଫା ହେଇଥିଲେ ବି ଅସନା ଦିଶୁଥିବା ଚେୟାର ଉପରେ। ବଡ଼ ମୁଣ୍ଡିଆ କେଁ ..... ଏଁ ... କର୍ କରି ଶଗଡ଼ ଚକଠୁ ବି ଧୀର ମନ୍ଥର ଗତିରେ ଘୂର୍ଣ୍ଣାୟମାନ ପୁରୁଣାକାଳିଆ ପଙ୍ଖା ତଳେ। ଆଶା, ଯାତ୍ରା ଜନିତ କ୍ଳାନ୍ତି ଅପନୋଦନ। ତାରି ଭିତରେ ସୁରବାବୁଙ୍କର କାମ ମଧ୍ୟ ଆରମ୍ଭ ହୋଇଯାଇଥାଏ। ସମସ୍ତେ ମଝିରେ ମଝିରେ କୌଣସି ନା କୌଣସି ବାହାନାରେ ଫୁରୁସତ ବାହାର କରୁଥିବା ବେଳେ ସୁରବାବୁ କାମରେ ଲାଗିଥାଆନ୍ତି। ଆଉ ସେଇଥିପାଇଁ କର୍ତ୍ତବ୍ୟନିଷ୍ଠ ସୁରବାବୁଙ୍କ ଟେବୁଲ୍ ଉପରେ ଫାଇଲ୍ ଗଦାଟିର ଉଚ୍ଚତା ବଢେ ସିନା, କମେ ନାହିଁ। ତଥାପି ସୁରବାବୁଙ୍କର କେବେ କୌଣସି ଅଭିଯୋଗ ନଥିଲା।

ସମୟ ଗଡିଚାଲେ। ବାପାଙ୍କର କୌଣସି ଜଣେ ପରିଚିତ ବନ୍ଧୁଙ୍କର ସୁଶୀଳା, ସୁନ୍ଦରୀ ଆଉ ଗୁଣବତୀ କନ୍ୟାରତ୍ନ ସହ ସୁରବାବୁଙ୍କର ବିବାହ ହୋଇଯାଏ। ତାପରେ ବୈବାହିକ ଜୀବନ। ଛୁଆ ଦୁଇଟି ସଂସାରକୁ ଆସିବା ପରେ ଜୀବନ ଜଞ୍ଜାଳ ତେଲଲୁଣର ସଂସାର ଭିତରେ କେତେବେଳେ ଯେ ସିଏ ବୟସର ଅପରାହ୍ନରେ ପହଞ୍ଚି ଯାଆନ୍ତି, ସ୍ତ୍ରୀ ମାଳତୀ ମଧ୍ୟ ପ୍ରାକ୍ ବାର୍ଦ୍ଧକ୍ୟରେ ପାଦ ଦେଇ ସାରିଥାନ୍ତି ସେଇଟା ଲକ୍ଷ୍ୟ କରିବାକୁ ସୁରବାବୁ କେବେ ସମୟ ପାଇନାହାନ୍ତି। ଆଜି ସେଇ ବନ୍ଧନରୁ ମୁକ୍ତିଲାଭ କଲାପରେ ନିଜକୁ ନିଜ ଭିତରେ ଖୋଜିବାର ଚେଷ୍ଟା କରୁଛନ୍ତି ସୁରବାବୁ। ନିଜ ସଂସାର ପ୍ରତି ସମୁଚିତ ଧ୍ୟାନ ଦେଇପାରିନଥିବା ସୁରବାବୁ ଅବସର ନେଲାପରେ କେମିତି ବାକି ସମୟତକ କାଟିବେ, ସେଇ କଥା ବାଟସାରା ଚିନ୍ତା କରୁଥିଲେ।

ୟା ଭିତରେ ରେଳଗାଡ଼ିଟି ଉଦ୍ଦିଷ୍ଟ ଷ୍ଟେସନରେ ପହଞ୍ଚି ସାରିଥିଲା। ଯନ୍ତ୍ରଚାଳିତ ପରି ସୁରବାବୁ ଗାଡିରୁ ଓହ୍ଲାଇ ଚାଲିଲେ ଷ୍ଟାଣ୍ଡରେ ରଖିଥିବା ନିଜ ପୁରୁଣା ମଟରସାଇକେଲ ଆଡ଼କୁ। ବାହାରକୁ ଆଣି ଷ୍ଟାର୍ଟ କଲେ। ଅନେକ ଦିନ ସେବା ଦେବା ଭିତରେ କେବେ କୌଣସି ଦିନ ମଟରସାଇକେଲଟି ଧୋକା ଦେଇନାହିଁ। ଆଜି ବି ଦେଇ ନଥିଲା। ସୁରୁଖୁରୁରେ ଘରେ ପହଞ୍ଚିଗଲେ ସୁରବାବୁ। ଘରେ ତାଙ୍କର ସୁଗୃହିଣୀ ମାଳତୀ। ହାତଗୋଡ ଧୋଇଧାଇ ହେଇ ଆସିବା ଭିତରେ ଖାଇବା ପାଇଁ ବଢା ସରିଥିଲା। ଏ ପର୍ଯ୍ୟନ୍ତ ମାଳତୀଙ୍କର ଜମାରୁ ଖିଆଲ ନଥିଲା ଯେ ସୁରବାବୁଙ୍କର ୟା ଭିତରେ ଚାକିରୀରୁ ଅବସର ପ୍ରାପ୍ତି ହୋଇସାରିଛି। ଶୀଘ୍ର ଶୋଇଲେ ପୁଣି ସକାଳୁ ଟ୍ରେନ ଧରି ଅଫିସ ଯିବାକୁ ପଡିବ। ସେଥିପାଇଁ ଶୀଘ୍ର ଖାଇବା ପାଇଁ ବଢା ହେଇଗଲା ଆଉ ଅଭ୍ୟସବଶତଃ ସୁରବାବୁ ବି ଖାଇନେଇ ଦିନଟା ଯାକର କ୍ଳାନ୍ତି ମେଣ୍ଟେଇବାକୁ ବିଛଣା ଧରିନେଲେ।

ପରଦିନ ସକାଳୁ ସୁରବାବୁ ଉଠିପଡ଼ି ଅଭ୍ୟାସଗତ ଭାବେ ନିତ୍ୟ ନୈମିତ୍ତିକ କାମ ସାରିଦେଇ ଗତାନୁଗତିକ ଧାରାରେ ପ୍ରସ୍ତୁତ ହେଇଗଲେ ଅଫିସ ଯିବା ନିମିତ୍ତ। ମାଳତୀ ମଧ୍ୟ ଯନ୍ତ୍ରବତ୍ ବାଢିଦେଲେ ଜଳଖିଆ। ସୁରବାବୁ ମଧ୍ୟ ଭୁଲିଯାଇଥିଲେ କାଲି ଆଉ ଆଜିର ତଫାତ୍। କାଲିର କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଆଜି ଅବସରପ୍ରାପ୍ତ ହୋଇଯାଇଥିଲେ।

ଜଳପାନ ପର୍ବ ସାରିଦେଇ ମଟରସାଇକେଲ ବାହାର କରି ଷ୍ଟାର୍ଟ ମାରି ଷ୍ଟେସନ ଅଭିମୁଖେ ଚାଲିଲେ ସୁରବାବୁ। ମାସିକିଆ ଟିକେଟ ଥିବାରୁ କାଉଣ୍ଟରରେ ଟିକଟ କାଟିବା ଝମେଲା ନାହିଁ। ଷ୍ଟାଣ୍ଡରେ ମଟରସାଇକେଲ ରଖିଦେଇ ଗାଡ଼ିରେ ଚଢି ଗୋଟେ ଚାରିଟିକିଆ ସିଟ୍ ଅକ୍ତିଆର କରି ଝରକା ପାଖକୁ ବସି ପଡିଲେ। ଆଗ ଷ୍ଟେସନରେ କେତେଜଣ ସହକର୍ମୀ ଉଠନ୍ତି ଏଇ ଗାଡିରେ। ସେମାନଙ୍କ ପାଇଁ ମଧ୍ୟ ସିଟ୍ ଆଗୁଳି ନେଲେ ସୁରବାବୁ। ଗାଡି ଛାଡ଼ିଲା।

ଏ ପର୍ଯ୍ୟନ୍ତ ସୁରବାବୁ କ'ଣ ଗୋଟେ କିଛି ଭୁଲିଗଲା ପରି ଅନୁଭବ କରୁଥିଲେ। ମନେ ପଡିଗଲା। ପୁଅ କାଲି ରାତିରେ ଫୋନ୍ କରିନି। କାହିଁକି ଫୋନ୍ କରିନି ସେକଥା ଭାବିଭାବି ମନଟା ଗୋଳେଇ ଘାଣ୍ଟି ହେଉଥାଏ। କ'ଣ କିଛି ଅସୁବିଧା ହେଇନି ତ? ତା ଦେହପା ଠିକଠାକ ଅଛି ତ? ଗୋଟେ ବାପାର ସନ୍ତାନ ପ୍ରତି ଦୁର୍ବଳ ମନଟା କେତେ କ'ଣ ଚିନ୍ତା କରି ପକେଇଲା ସେଇ ଅଳ୍ପ ସମୟ ମଧ୍ୟରେ।

ଏତିକିବେଳେ ସୁରବାବୁଙ୍କ ମୋବାଇଲଟାରେ କୋଉ ଗୋଟେ ସଂସ୍କୃତ ମନ୍ତ୍ରର ଘଷରା ରିଙ୍ଗଟୋନଟା ବାଜିଉଠିଲା। ସମ୍ବିତ୍ ଫେରି ପାଇଲେ ସୁରବାବୁ। ରେଳଗାଡିଟି କର୍କଶ ଶବ୍ଦ ସହ ନିୟତ ପଥରେ ଗଡ଼ି ଚାଲିଥାଏ ଆଗକୁ ଆଗକୁ। ଠିକ୍ ତା ସହ ତାଳ ଦେଇ ଗଛଲତା, ପାହାଡପର୍ବତ, ମେଘ, ସୂର୍ଯ୍ୟ, ଏମିତିକି ସାରା ପୃଥିବୀ ପଛକୁ ପଛକୁ ଦୌଡୁଥାଆନ୍ତି ଅବିଶ୍ରାନ୍ତ ଭାବେ।

ପକେଟରୁ ମୋବାଇଲଟା ବାହାର କରି ଦେଖିଲେ । ଗୋଟେ ଚିନ୍ତା ଗଲା। ଏଇ ତ, ପୁଅ ଫୋନ୍ କରିଛି। ଆଜି ଏତିକିବେଳେ କାହିଁକି ଯେ? ରିସିଭ ବଟନଟା ଦବେଇ ଦେଇ ଏକାବେଳକେ ପଚାରିଦେଲେ, "ବାପାରେ, ଏତେବେଳେ ମନେ ପଡ଼ିଲା। କାଲି ରାତିରେ କାଇଁ ଫୋନ୍ କଲୁନି?" ପୁଅର ଉତ୍ତରରେ ସୁରବାବୁ ଏକରକମ ହତବମ୍ବ ହୋଇପଡ଼ିଲେ। ପୁଅ କହୁଥିଲା, "ବାପା, କାଲି ପରା ତୁମର ଅଫିସରେ ଶେଷଦିନ ଥିଲା। ଆଜିଠାରୁ ତୁମେ ଆଉ ଅଫିସ ଯିବନି। ସେଇଥିପାଇଁ ସକାଳେ ତୁମେ ଉଠିଲେ ଫୋନ୍ କରିବି ବୋଲି ରାତିରେ ଫୋନ୍ କରି ନଥିଲି। ଏବେ ତ ତୁମେ ଘରେ ଥିବ। ମାଆ କ'ଣ କରୁଛି? ମୁଁ ଏଥର ଏଇଠି ତୁମ ଦିଜଣଙ୍କ ପାଇଁଁ ଘର ସଜାଡି ଦେଇଛି। ଏଇଥର ଛୁଟିରେ ଯାଇ ଘରେ ପନ୍ଦର ଦିନ ରହିବି। ଆସିଲାବେଳେ ଆମେ ସମସ୍ତେ ଆସିବା। ମୁଁ ଏଇଠି ତୁମରି ପାଖରେ ରହିବି। ବାପା, ମାଧକକାଙ୍କୁ କହିବ, ଆମ ଘର ଆଡେ ଟିକେ ନଜର ରଖିଥିବେ। ଗୁହାଳ ଚାଳରେ ପୋଇ କଖାରୁ ମଡେଇଦେବେ। ଭାବୁଛି ଆଉ ଦୁଇଟା ବର୍ଷ ଚାକିରୀ କଲେ ପେନସନଟା ଟିକେ ଅଧିକା ମିଳିବ। ତାପରେ ରିଟାୟାରମେଣ୍ଟ ନେଇଯିବି। ଘରେ ଆମେ ସମସ୍ତେ ମିଶି ରହିବା। ମା' ସେଇ ଯୋଉ ପୋଇ ଚିଙ୍ଗୁଡ଼ି ସାରୁ ତରକାରୀ କରେ, ଆଃ କି ସୁଆଦ" ଆହୁରି କ'ଣ କ'ଣ କହିଯାଉଥିଲା ପୁଅ। କିନ୍ତୁ ସୁରବାବୁ କେମିତି ନିଜକୁ ଗୋଟେ ବେଖାପ ଅନୁଭବ କରୁଥିଲେ। ପୁଅକୁ କହିଲେ, "ହଉ ରଖ, ତୁ ଭଲ ଅଛୁ ଜାଣି ଭଲ ଲାଗିଲା। ତୁ ଖାଲି ଫୋନ୍ କଲୁନି, ସେଥିପାଇଁ ବ୍ୟସ୍ତ ଲାଗୁଥିଲା।" ଏତିକି କହି ସୁରବାବୁ ନିଜ ଆଡୁ ଫୋନ୍ କାଟିଦେଲେ। କାଳେ ପୁଅ ରେଳଗାଡ଼ିର ଶବ୍ଦ ଶୁଣି ବାପା ରିଟା଼ୟାର୍ କରିବା କଥା ଭୁଲି ଯାଇଛନ୍ତି ବୋଲି ଜାଣିଯିବ!

ସେତେବେଳକୁ ଟ୍ରେନ୍ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚି ସାରିଥିଲା। ଗଲାଦିନର ସହକର୍ମୀମାନେ ଠେଲିପେଲି ହୋଇ ପଶି ଆସିଥିଲେ। ଆଶ୍ଚର୍ଯ୍ୟ, ଠିକ୍ ଅନ୍ୟ ଦିନମାନଙ୍କ ପରି ସେଇ ଚାରିଟିକିଆ ସିଟ୍ ଉପରେ ପରିଚିତ ଢଙ୍ଗରେ ନାଲିଆ ଖୋର୍ଦ୍ଧା ଗାମୁଛା ଖଣ୍ଡେ ସିଟ୍ ଆଗୁଳି ପଡ଼ିଛି ସେମାନଙ୍କ ପାଇଁ ଆସନ ସୁରକ୍ଷିତ କରି। ଏଇଟା ତ ସୁରନ୍ନାଙ୍କ ଗାମୁଛା। ହେଲେ ସୁରନ୍ନା କାହାନ୍ତି?

ଝରକା ଦେଇ ସେମାନଙ୍କ ଭିତରୁ ଜଣେ ବାହାରକୁ ଚାହିଁଲା ବେଳକୁ ସେଇ ପରିଚିତ ଚାଲି, ସେଇ ପରିଚିତ ପୋଷାକ। ପଛକରି ସୁରନ୍ନା ଚାଲିଯାଉଥିଲେ ସମସ୍ତଙ୍କ ସହ ପରିଚୟ କାଟିଦେଇ ନିଜେ ଜଣେ ଅପରିଚିତ ହୋଇ।

କର୍ମଚାରୀ ଅଧିକାର ମଣିଷ

Rate the content


Originality
Flow
Language
Cover design

Comments

Post

Some text some message..