Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କଣ୍ଠସ୍ୱର
କଣ୍ଠସ୍ୱର
★★★★★

© ପ୍ରିୟମ୍ବଦ ପଟ୍ଟନାୟକ

5 Minutes   268    11


Content Ranking

କେଜାଣି କେମିତି କି ମୋବାଇଲି କିଣିଛି ସାରାରାତି ଶୋଉନି କି କାହାରିକୁ ଶୁଆଇଦେଉନି । କାଲିରାତି ଗୋଟାକ ଯାକ ସେ ମୋବାଇଲିଟା କୁଁ-କୁଁ କରି ଡାକ ଦେଉ ଥିଲା , ଆରେ ଏମିତି କି ଚାକିରୀ କରିଛୁ ଶୁଣେ ବମ୍ବେରେ ତୁ ତ ଏକା ନୁହଁ ସାରା ରାଇଜ ଯାକର ଲୋକ ଚାକିରୀ କରୁଥିବେ, ଆରେ ସେମାନଙ୍କ କଥା ଛାଡ ତୁ ଟିକେ ଭଣଜାକୁ ଦେଖା ତ ସିଏତ ଏମିତି ମୋବାଇଲିରେ ଲାଗୁ ନାହାନ୍ତି ତୋ ମୁଣ୍ଡରେ ତ ବୁଦ୍ଧି-ସୁଧୀ କିଛି ବୋଲି ନାଇଁ ଖାଲି ମୋବାଇଲି ତୁ ଧରି ବସ… ବସିଲେ ସବୁ ହୋଇ ଯିବ ”….....।

ଏ ସବୁ କଥା ମୋ ପାଇଁ ନୀତି ଦିନିଆ ହୋଇ ଗଲାଣି , ବେଳେ-ବେଳ ମୋ ବୋଉ ଠୁ ଏସବୁ ନ ଶୁଣିଲେ ମୋତେ ଜମା ଭଲ ଲାଗୁନି । ପୁଣି ବୋଉର ସତର୍କ ସୂଚନା- " ଏଥର ଶୋଇ ପଡ..ବାବା ଉଠି ପାଟି କଲେ ମୋତେ କିଛି କହିବୁନି ।

- “ଏତେ ବେଳୁ ନିଦ ଆସୁନି ଯେ.." ମୋ ବିରକ୍ତି ମିଶା ଉତ୍ତର ।

- ହୋଉ ମୋର କଣ ଅଛି ତୋ ବାବା ଉଠିଲେ....,କଥା ସାରିବା ଆଗରୁ

- " ବାବା କାହିଁ ଉଠିବେ ଯେ..ବୋଉ ତୁ ନା ସବୁ କଥାରେ ବାବାଙ୍କୁ କାହିଁ ଭିଡି ଆଣୁଛୁ ଶୁଣେ..?

- ତୋତେ ଏତେ କଥା କହି ପାରିବି ନି..ଗୋଟାକ ଯାକ ବାବୁର ଗୁଣ ଆଣିଛି ସବୁ କଥାରେ ପୁଣି କଥା ଯୋଡ଼ିବ,ଶୁଣ ଶୀଘ୍ର ଶୋଇ ପଡ କାଲି ସଅଳ ସଅଳ ଉଠି ମନ୍ଦିର ଯିବୁ ଯେ ଦଶଟା ପର୍ଯ୍ୟନ୍ତ ଶୋଇଲେ ପାଣି ଢାଳି ଦେବି” ବିରକ୍ତି ରେ କହି କହି ଚାଲି ଗଲା ଆର ଘର ଆଡ଼କୁ ।

ପୁଣି ମୋ ପ୍ରଶ୍ନ - କାଲି ମନ୍ଦିର କାହିଁ ଯିବି ଯେ ?,

ଆରଘର ପଟୁ ବାବା କହିଲେ " ତୋର ଆଜି କାଲି ଆଉ କିଛି ମନେ ରହୁନି କି ? କାଲି ଜେଷ୍ଠ ପୁନେଇ" , ବାବାଙ୍କ କଥା ଶୁଣି ମୋବାଇଲିକୁ ତକିଆ ତଳେ ମାରି ସେମିତି ଆଖି ବନ୍ଧ କରି ଦେଲି, ହେଲେ ନିଦ କାହିଁ..? ; ବୋଉ ଆସି ଲାଇଟି ବନ୍ଧ କରୁ କରୁ କହିଲା…

– “କେଜାଣି କେବେ ସୁଧୀରିବୁ..” କାବାଟଟା ଟାଣି ଥମ-ଥମ ହୋଇ ଚାଲିଗଲା ... ।

ବୋଉ କଥା ମୋର ଯେବେ-ଯେବେ ଆଉ ଯୋଉଠି-ଯୋଉଠି ବି ମନେ ପଡେ଼ ସେବେ ସେବେ ଆଖି ରୁ ଲୁହ ଆସିଯାଏ...ସେ ଖାଲି ତ୍ୟାଗୀ ମାଆ ନୁହଁ ବାଟ ଭୁଲି ଯାଇ ଥିବା ଜଣେ ଦେଵୀ, ତା ହାତ ରନ୍ଧା ଯିଏ ଥରେ ବି ଖାଇଛି ସେ କେବେବି ତାକୁ ଜୀବନରେ ଭୁଲି ପାରିବନି । ସବୁବେଳେ ମୋ ପାଇଁ ତାର ଚିନ୍ତା ମୋର ଖାମ-ଖିଆଲୀ ଆଉ ବେପରୁଆ ଜୀବନ ଶୈଳୀ ଲାଗି ସେ ମୋତେ ସବୁ ବେଳେ ଅସୁରକ୍ଷିତ ମନେ କରେ ।

ବମ୍ବେରେରୁ ଗାଁକୁ ଗଲେ ଘରେ ରହେନି ବୋଲି ବିରକ୍ତି ହୁଏ କିନ୍ତୁ ରାତି ରେ ଶୋଇଲା ବେଳେ ସେ ମୋ ଗୋଡ ଆଉଁଷି ଦିଏ , ମୋ ଗୋଡ ମୋଡା ଦେଖି ଘରେ ସଭିଏ ହସନ୍ତି ମୁଁ ଯେତେ ମନା କଲେବି ଶୁଣେନା ସବୁବେଳେ ଢେଲା-ଢେଲା ବୋଲି ଗାଳି କରି ଥାଏ ଉପରକୁ ମୁଁ ରାଗିଲା ଭଳି ରହିଲେ ବି ତା ଗାଳିରେ କେଜାଣି କେମିତି ମୋ ଭୋକ ମରି ଯାଏ,ବହୁତ ସୁନ୍ଦର ଥିଲା ସେ ଦିନ ସବୁ ,ସକାଳୁ-ସକାଳୁ ବୋଉ ମୋତେ ଗାଧୋଇ ଦିଏ ବାବା ଆଣି ଥିବା ନୂଆ ଡ୍ରେସ ପିନ୍ଧାଇ ମନ୍ଦିର ଯାଏ, ଘର ଠୁ ମନ୍ଦିର ବେଶୀ ଦୂର ନ ହେଲେ ବି ; ଯିବା-ଆସିବା ମିଶି ଅଧା ଘଣ୍ଟା ଲାଗେ , ଆଉ ଆସିଲା ପରେ ସରୁ ଚକୁଳି ମିଠା ପୋଳି କେତେ କଣ…ଆଉ ମୋ ପାଇଁ ମିଠାବରା ନିହାତି କରିଥିବ ,ମିଠା ବରା ମୋ ଦୁଇ ପେଣ୍ଟ ପକେଟ ରେ ମାରି ସାଙ୍ଗ ମାନଙ୍କ ପାଇଁ ନେଇ ଚାଲି ଯିବି ,ବୋଉ ମୋର ଚିଡି ଯାଏ …ମୁଁ କିଛି ନ ମାନି ଚାଲିଯିବି ସେ ରାଗି ଯାଏ ଆମ ଢ଼ିଙ୍କି ଶାଳ ପର୍ଯ୍ୟନ୍ତ ଉଠିଯାଇ ପାଟି କରେ ବାବାଙ୍କ ନାଁ ନେଇ ମୋତେ ମିଛରେ ଡ଼ରାଏ, ବାବା ନାଁ ଶୁଣି ମୁଁ ଅଟକି ଯାଏ… ମୋ ଅଟକି ବା ଦେଖି ସେ ଖୁସି ହୋଇ ଯାଏ ଆଉ ମୁଁ ଫାଳିକିଆ ହସି ଦେଇ ଡେ଼ଇଁ ଚାଲି ଯାଏ…!!

ସବୁ କଥା ସେ ବାବା ନାଁ କହି ମୋତେ ଆକଟ କରେ କିନ୍ତୁ କେବେ ବି ବାବାଙ୍କୁ କହେନା, ସେ ଜାଣେ ମୁଁ ବାବାଙ୍କୁ ବହୁତ ଡ଼ରେ , ବାବା ବହୁତ ରାଗି ...ମୋ ବାବାଙ୍କ ରାଗ ପଣିଆକୁ ନେଇ ହିଁ ମୋତେ ସେ ଆକଟ କରି ଥାଏ , ମୋ ବାବାଙ୍କ ଏଇ ରାଗ ହିଁ ତ ତାର ଏକ ମାତ୍ର ଅମୋଘ ଅସ୍ତ୍ର ମୋ ପାଇଁ ...ସମସ୍ତଙ୍କ କାମ ଦେଖୁ ଦେଖୁ ବୋଉ ମୋର ଥକି ଯାଏ ତଥାପି ବାବାଙ୍କୁ କହି ମୋ ପାଖକୁ ଫୋନ କରାଏ ସେ , ବମ୍ବେରେ ମୋ ଚାକିରୀ ପରେ ମୋ ପାଇଁ ତାର ଚିନ୍ତା ବହୁତ ବଢିଗଲା.. ।

ମୋ ବେପାରୁଆ ଜୀବନ ଢଙ୍ଗ ପାଇଁ ସେ ବାବାଙ୍କୁ ଦୋଷ ଦିଏ , ବାବାଙ୍କ ନା ନେଇ ସେ ମୋତେ ଏବେବି ଫୋନରେ ଡ଼ରାଏ,ଧମକାଏ କିନ୍ତୁ ମୁଁ ହସି ଦିଏ ସେ ପୁଣି ବାବାଙ୍କୁ ଦୋଷ ଦେବା ଆରମ୍ଭ କରେ, ବୋଉ ମୋର ଜାଣି ସାରିଲାଣି ଯେ ବାବା ଆଉ ଆଗଭଳି ଜମା ରାଗନ୍ତିନି. ଏକଥା ବୋଧେ ମୁଁ ଜାଣି ଗଲିଣି, ବାବାଙ୍କୁ କହେ ତୁମ ଲାଗି ସେ ହାତ ରୁ ବଳି ଗଲାଣି , ବାବା କହନ୍ତି “ ଠିକି ଅଛି କାଲି ହିଁ ମୁଁ ଫୋନ କରୁଛି” ବୋଉ ଚାଲି ଯାଏ ଘର ଭିତରକୁ ବାବା ମୋତେ ଫୋନ କରି ହସି ହସି କହନ୍ତି ମୋ ବୋଉର ରାଗ କଥା ଆଉ ବୁଝାନ୍ତି ମୋ ବେପାରୁଆ ଜୀବନ ଢଙ୍ଗ ପାଇଁ ।

ବୋଉ ପାଟିକରି କହିଲା ଆହୁରି ଶୋଇଛୁ ....ଆଜି ମନ୍ଦିର ଯିବୁନି କି ଆଜି ବା ଜେଷ୍ଠ ପୂନେଇଁ..ବୋଉ ପାଟି ଶୁଣି ମୁଁ ହଟାତ ଉଠି ବସିଗଲି .....!!

XXX

ବାହାରେ ଢ଼ୀ-ଢ଼ୀ ବର୍ଷା, ସମୟ ଦେଖେ ତ ସକାଳ ନ' ଟା , ମୁଁ ଚମକି ଗଲି ନିଜ କୁ ନିଜେ ପରଖିଲି ମୁଁ ଶୋଇ ସ୍ଵପ୍ନ ଦେଖୁଥିଲିକି....!! ଶୁଣିଥିବା କଣ୍ଠସ୍ୱର ମୋ ପିଇସୀ ମାର , ତା ବଡପୁଅର ଦୁଷ୍ଟାମୀ ପାଇଁ । ବାବା,ଦାଦା ଆଉ ଗଦାନନା ବସି ବାରଣ୍ଡାରେ କଣ କଥା ହେଉଥିଲେ ,ଭିଣୋଇ ମାମୁ ଆଉ ଭାଇନା ବସି ଭୋଜିର ଆଲୋଚନା କରୁଥିଲେ , ସାନ ଭଣଜା ସେମିତି ଖେଳୁଥିଲା ମୁଁ ପଚାରିଲି- “ ଆଜି କଣ ଜ୍ୟେଷ୍ଟ ପୂର୍ଣ୍ଣିମା” ?? ଭାଉଜ ଚାହା ଦେଉ-ଦେଉ କହିଲେ- “ ପୂର୍ଣ୍ଣିମା ଯାଇ ଆଠ ରୁ ନ' ଦିନ ହେଲାଣି..କାଲି ପରା ଖୁଡିର ପ୍ରଥମ ବାର୍ଷିକ ଶ୍ରାଦ୍ଧ,ମୁଁ ଚମକି ଉଠିଲି , ଧାର-ଧାର ଲୁହ ଗଡ଼ିଗଲା ଚାହାକପ ଆଡ଼କୁ ,ଦିନ କେଇଟା ପରେ ତାର ପ୍ରଥମ ବାର୍ଷିକ ଶ୍ରାଦ୍ଧ ତଥାପି ମୁଁ ବୁଝି ପାରିନି…ମନେ ହୁଏ ଯେମିତି ଏବେ ବି ସେ ମୋ ପାଇଁ ଚକୁଳି କରୁଛି ରୋଷ ଘରେ ଦାଦା ଆଉ ଭିଣୋଇ ବାହାରେ ରହି ଗାଡିର ଚାବି ମାଗୁ-ମାଗୁ କଣ ସବୁ କହୁ ଥିଲେ.. ଘରେ ସମସ୍ତେ ନିଜ-ନିଜ କାମରେ ବ୍ୟସ୍ତ ଥିଲେ ଖାଲି ମୁଁ ଯେମିତି ଏକା ହୋଇ ଯାଇଥିଲି ସମ୍ପୂର୍ଣ୍ଣ ଏକା ...,ଜେଷ୍ଠ ପୂନେଇ ଜିବାର ଆଠରୁ ନଅଦିନ ହେଲାଣି ମୋ ବୋଉ ତା କାନି ଫିଟାଇ ମୋତେ ଛାଡି ଯିବାର ପ୍ରାୟ ତିନିଶହ ପଚାଶ ଦିନ ହେଲାଣି କିନ୍ତୁ ମୁଁ ସେଇଠି ସେମିତି ଅଟକି ଯାଇଛି ସେ ସରୁ ଚକୁଳି ,ମିଠା ବରା ଆଉ ଜେଷ୍ଠ ପୁନେଇଁ ପାଖରେ .ସବୁ କିଛି ଅନ୍ଧାର ଦିଶୁ ଥିଲା ବୋଉ ନଥିବାର ଯନ୍ତ୍ରଣା ହୃଦ ସ୍ଵନ୍ଦନ ଠୁ ବି ବଢି ଯାଉ ଥିଲା କଣ କରିବି କିଛି ବି ଜାଣି ପାରୁନଥିଲି ମୁଁ ସମ୍ପୂର୍ଣ୍ଣ ନିରଵୀ ଯାଉ ଥିଲି ଖାଲି ଶୁଭୁ ଥିଲା "ଏଥର ଉଠିପଡ ଢେ଼ଲା ସକାଳ ଦଶଟା ବାଜିଲାଣି ".... ।

ମୋ ଅତିପରିଚିତ କଣ୍ଠସ୍ୱର ଯାହା ବୋଧେ ମୁଁ ଆଉ ଜୀବନରେ କେବେ ଶୁଣିପାରିବିନି ମୋ ବୋଉର “କଣ୍ଠସ୍ୱର” ।

ପ୍ରିୟମ୍ବଦ ପଟ୍ଟନାୟକ

କରାଖଣ୍ଡି,ହିଞ୍ଜଳିକାଟୁ,ଗଂଜାମ

ଦୂ:ଭା :- ୮୮୨୮୧୨୫୫୨୫

ଚାକିରୀ ପୁନେଇ କଣ୍ଠସ୍ୱର

Rate the content


Originality
Flow
Language
Cover design

Comments

Post

Some text some message..