Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରତିବାଦ
ପ୍ରତିବାଦ
★★★★★

© Rakesh Mishra

Others Inspirational

5 Minutes   13.3K    14


Content Ranking

 ଆଜି ଅନ୍ୟ ଦିନ ଠାରୁ ବେଶ ଭଲ ରୋଜଗାର ହୋଇଛି ଅଲିଆର। ନିଶ୍ଵାସ ନେବାକୁ ବି ତର ନଥିଲା ଆଜି ତାକୁ। ଏତେ ବର୍ଷ ହେଲା ଅଟୋ ଚଲଉଛି ସେ, କିନ୍ତୁ ବିନା ମେଳା ମଉଛବ ବା ପରବରେ ଏମିତି ବେପାର କେତେବେଳେ କେମିତି ହୁଏ। କହିବାକୁ ଗଲେ ଏଇଟା ବି ପରବ ପରି । ପାଠୁଆ ଲୋକଙ୍କ ପରବ । ଦଳଦଳ ଲୋକ ଆସି ମେଳା କରି ଜମା ହୁଅନ୍ତି ଗୋଟେ ଜାଗାରେ। ବେଳେବେଳେ ହାତରେ ମହମବତୀ ଧରି, ଆଉ କେବେ ପୁଣି ହାତରେ କାଗଜପଟି ଧରି ଚାଲି ଚାଲି ରାସ୍ତାରେ ବୁଲନ୍ତି । କେତେ କଣ ଲେଖାଥାଏ ସେ କାଗଜ ପଟି ଉପରେ ସେ ସବୁ ଅଲିଆ ବୁଝେନା, ପାଠ ଘର ତାର ଶୂନ୍ । ଅଲିଆ ବୁଝେନା, ଚାରିଆଡେ ଏତେ ଆଲୁଅ ଜଳୁଥିବା ସତ୍ତ୍ୱେ ହାତରେ ଜଳନ୍ତା ମହମବତୀ ଧରି କାହିଁକି ଚାଲନ୍ତି ସେମାନେ। ଚାଲୁ ଚାଲୁ ପୁଣି କ୍ୟାମେରା ବାଲା ବଡ଼ବଡ଼ ଫୋନରେ କେବେ ନିଜେ ନିଜର ତ କେବେ ପୁଣି ଅନ୍ୟ ସାଙ୍ଗ ମାନଙ୍କର ଫଟୋ ଉଠାନ୍ତି । ଏ ପାଠପଢ଼ୁଆ ବାବୁ ମାନଙ୍କ ପ୍ରତିବାଦ ସଭା ତା' ମୁଣ୍ଡରେ ପଶେନା । ସେ କେବଳ ଗୋଟିଏ କଥା ବୁଝେ,ପ୍ରତିବାଦ ସଭା ଆଖପାଖରେ ଅଟୋ ଧରି ଅପେକ୍ଷା କରିବ ଆଉ ସଭା ପରେ ଥକି ଯାଇଥିବା ଲୋକ ଗୁଡ଼ାଙ୍କୁ ନେଇ ଛାଡ଼ି ଦେଇଆସିଛ ବରମୁଣ୍ଡା ବସଷ୍ଟାଣ୍ଡ ଅଥବା ରେଲୱେ ଷ୍ଟେସନରେ । କେହି କେବେ ପୁଣି କେ. ଏଫ୍. ସି ବା ଡୋମିନୋଜ୍ ନେବାକୁ କୁହନ୍ତି ।

ଆଜି ବୋଧହୁଏ ରାଜଧାନୀରେ ସେମିତି କିଛି ଗୋଟେ ପ୍ରତିବାଦ ସଭା ହେବାର ଅଛି । ସେଥିପାଇଁ ଦଳ ଦଳ ହୋଇ ଟୋକା ଟୋକି ଠାରୁ ଦରବୁଢ଼ା ଦରବୁଢ଼ୀ ଯାଏ, ସମସ୍ତେ ଛୁଟୁଛନ୍ତି ଏକମୁହାଁ ହୋଇ । ଏମାନେ ସମସ୍ତେ ଠୁଳ ହେବେ ଯାଇ ମାଷ୍ଟର କ୍ୟାଣ୍ଟିନ ଛକରେ । ତା'ପରେ ସେଠୁ ମହମବତୀ ବା କାଗଜପଟି ଧରି ଚାଲି ଚାଲି ଯିବେ ବାଣୀବିହାର ଛକଯାଏ । ଅଟୋରେ ବସେଇ ଆଣିଲା ବେଳେ ଦଳେ କଲେଜ ପଢୁଆ ପିଲାଙ୍କୁ ପଚାରି ବୁଝିଥିଲା ସେ, ଯେ ଆଜିର ପ୍ରତିବାଦ ସଭା କାଶ୍ମୀରର କୋଉ ଗୋଟେ ଛୋଟ ଝିଅ ପାଇଁ । ତାର ରେପ୍ ହୋଇଛି ।

ମଦଭାଟିରୁ ବାହାରି ଟଳମଳ ପାଦରେ ବାହାରି ଆସି ସିଧା ମାଳିସାହୀ ଆଡେ଼ ଅଟୋ ଗଡ଼େଇଲା ଅଲିଆ। ସେଇ ତାର ଗୋଟିଏ ଠିକଣା । ଠିକଣା ତା ସୁଖର ଦୁଃଖର, ହସର ଲୁହର। ସପ୍ତାହରେ ଥରେ ଦୁଇଥର ସେ ଯାଏ, ଚମେଲୀର ଫୁଙ୍ଗୁଳା ଦେହ ଉପରେ ଅଜାଡି ଦେଇ ଆସିବାକୁ ସାରା ସପ୍ତାହର ସବୁତକ କ୍ଲାନ୍ତି ।

ଅଲିଆ ଓରଫ ଅଲେଖ ସାହୁ । ତାକୁ କେହି ଏଇ ନାଁରେ ଡାକନ୍ତିନି । ସାଙ୍ଗ ଅଟୋଵାଲା, ଅଟୋଷ୍ଟାଣ୍ଡ ପାଖ ପାନଦୋକାନୀ, ହୋଟେଲଵାଲା ସମସ୍ତଙ୍କ ପାଇଁ ସେ ଅଲିଆ, କେବଳ ଅଲିଆ । ତା'ଛଡ଼ା ନାଁରେ କଣ'ଟା ଅଛି ଯେ ! ଅଲିଆ ଭାବେ, ନରେନ୍ଦ୍ର ମୋଦି ଯଦି ପ୍ରଧାନମନ୍ତ୍ରୀ ନ'ହୋଇ ତା ପରି ଅଟୋ ଚଲାଉଥାନ୍ତେ ଲୋକେ ତାଙ୍କୁ ବି ନରିଆ ବୋଲି ଡାକିଥାନ୍ତେ ।

ଅଲିଆର ନିଜ ଘର ବେଲପାଳ । ବ୍ରାହ୍ମଣୀ ନଈ କୂଳରେ ଛୋଟିଆ ଗାଁଟେ ବେଲପାଳ । ସେଇ ଗାଁରେ କଟିଛି ତା ପିଲାବେଳ। ସେଇଠି ସେ ଛାଡ଼ି ଆସିଛି ତା ଶୈଶବର ଧୂଳିଘର, ସାଙ୍ଗମେଳେ ନଈ ପହଁରା ଆଉ ଡାଳି ମାଙ୍କୁଡ଼ି ଖେଳ । ଅନେଶ୍ବତ ବାତ୍ୟାରେ ଅଲିଆକୁ ଅନାଥ କରି ବନ୍ୟାରେ ଭାସିଗଲେ ତା ବାପା ବୋଉ ଆଉ ତା ସହିତ ଗାଁ ଭିଟା ମାଟି'ଟା ବି । ବାର ବର୍ଷର ଅଲିଆ ପଳେଇ ଆସିଲା ରାଜଧାନୀ । ଏଇ ସହରହିଁ ତାକୁ ଦେଇଥିଲା ସାହାରା, କୋଳେଇ ନେଇଥିଲା ମା ପରି । ଯେମିତି କୋଳେଇ ନିଏ ଚମେଲୀ । ଚମେଲୀର ନରମ ଦେହର ଛୁଆଁରେ ସେ ଭୁଲି ଯାଏ ସବୁକିଛି । ଏବେ ସେ ଆଉ ଆଗ ପରି ସବୁ ଦିନ ଆସେନି ଚମେଲୀ ପାଖକୁ । କେତେବେଳେ କେମିତି ଆସେ ।

ଆଜିକାଲି ସେ ପଇସା ସଞ୍ଚୁଚି । ଭାବୁଛି କିଛି ପଇସା ଜମେଇ ନିଜର ଅଟୋଟେ କରିବ । ମାଲିକର ଅଟୋ ଚଳେଇ କିଛି ଲାଭ ନାହିଁ। ଦିନ ସାରା ଖରା ତାତି ବର୍ଷା ଶୀତରେ ବୁଲି ଚାରିଶରୁ ପାଁଆଶ ଟଙ୍କା । ସେଥିରୁ ପୁଣି ତେଲ ଖର୍ଚ୍ଚ ଆଉ ମାଲିକର ଅଟୋ ବାବଦ କମିଶନି ଟଙ୍କା । ତା ପରେ ଆଉ କଣ ବଳିବ ଯେ! ତଥାପି ହପ୍ତାରେ ଥରେ ଦୁଇଥର କାଳିଆ ଭାଟିରୁ ଟିକେ ଦେଶୀ ମାରି ଦୌଡ଼ି ଯାଏ ଚମେଲୀ ପାଖକୁ, ସାରା ସପ୍ତାହର ଥକ୍କା ମେଣ୍ଟାଇବାକୁ, ଟିକେ ଫୁର୍ତ୍ତି କରିବାକୁ । ସତେ ଯେମିତି ଚମେଲୀର ଦୁଇ ଜଙ୍ଘ ସନ୍ଧିରେ ଲୁଚି ରହିଛି ତା କ୍ଲାନ୍ତି ଅବସାଦ ଲାଘବ କରିବାର ଅବ୍ୟର୍ଥ ଓଷଦ।

ଚମେଲୀର ଖୋଲି ସାମ୍ନାରେ ଅଟୋ ରଖି ଭିତରକୁ ପଶିଲା ଅଲିଆ । ଖାଲି ଶାୟା ଆଉ ବ୍ଲାଉଜ ପିନ୍ଧି, ଖଟ ବିଛଣା ଝାଡ଼ୁଥିଲା ଚମେଲୀ । ପଛପଟୁ କୁଣ୍ଢେଇ ଧରିଲା ଅଲିଆ ।

- "ଆସିଗଲୁ ମଦରୁ ପେଟେ ପିଇ । ତତେ କେଇଥର କହିଛି ମୋ ପାଖକୁ ଆସିବୁନି । ଏ ବସ୍ତିରେ ଆହୁରି କେତେ କିଏ ଅଛନ୍ତି, ଯାଉନୁ ମରିବାକୁ ସେଠିକି । ମୋ ଦେହରେ କ’ଣ ଝରା ଓଳିଛି। ମୋରି ପାଖକୁ ମରିବାକୁ ଆସୁ" ତା ଆଡକୁ ନ'ଚାହିଁ ବିଛଣା ଝାଡୁ ଝାଡୁ କହିଲା ଚମେଲୀ ।

- "ତୁ ସବୁବେଳେ ଏମିତି ଖିଙ୍କାରି ହେଲେ ସତ କହୁଛି ଆଉ ଆସିବିନି ତୋ ପାଖକୁ" ସେମିତି ପଛରୁ କୁଣ୍ଢେଇ ଧରି ଅଧା ମୁକୁଳା ପିଠିରେ ବୋକ ଦେଉ ଦେଉ କହିଲା ଅଲିଆ।

- ନ ଆସୁନୁ। ମୁଁ କଣ ଝୁରୁଛି ତତେ । ହଉ ଛାଡ଼ ମତେ, ମୁଁ ଯାଇ ଧୋଇ ଧାଇ ହେଇ ଆସେ । ଏବେ ଏବେ ଗୋଟେ ଗରାଖ ଛାଡ଼ିଲି । ଦେହରେ ଆଉ ତାକତ ନାହିଁ । ତତେ ଭୋକ କଲାଣି? କିଛି ଖାଇବୁ?

- ନାଇଁ ଭୋକ ନାହିଁ । ତୁ ଆସିଲେ ତୋତେ ଖାଇବି ଗୋଟାପଣେ। ଯା ଶୀଘ୍ର ଆସିବୁ ଯା।

- ହଁ, ପେଟରେ ଭୋକ କୁଆଡୁ ଆସିବ । ମଦରୁ ପେଟେ ଗିଳି ଆସିଚୁ ପରା। ତୋର ତ କେବଳ ଗୋଟିଏ ଭୋକ, ଦେହର। କେତେ ଥର କହିଲିଣି ବାହା ହେଇଯା। ପୋଡ଼ାମୁହାଁ ବାହା ହବୁନି, ମୋରି ଉପରେ ଦାଉ ସାଧିବାକୁ ଚାଲି ଆସିବୁ ।

- ତୁ ବାହା ହଉନୁ ମୋତେ, ବାହାହବୁ? ସତ କହୁଛି ଲୋ, ରାଣୀ କରି ରଖିବି।

- "ଭାକ୍ ଶଳା, କେତେ ଦେଖିଲି ବାହାହେବା ଵାଲା । ତୋ ମିଠା କଥା ଖାଲି ଭୋକ ଥିବା ଯାଏଁ । ବିଛଣା ଉପରେ ଥରେ ଭୋକ ମେଣ୍ଟି ଗଲେ ସବୁ ପୀରତି ଝରକା ଦେଇ ଫୁ ହେଇ ଉଡ଼ିଯିବ ।" କହି ଚମେଲୀ ଚାଲିଗଲା ଧୁଆ ଧୋଇ ହୋଇ ଆସିବାକୁ ।

ଧୁଆ ଧୋଇ ହୋଇଆସି ତାରି ସାମ୍ନାରେ ଶାଢ଼ୀ ପାଲଟିଲା । ମୁହଁରେ ସ୍ନୋ ପାଉଡର ମାରିହେଲା । ଆଖିରେ କଜଳ ଓଠରେ ଲିପଷ୍ଟିକ ମାରି ସଜେଇ ହେଉଥିଲା । ଯଦିଓ ସେ ଜାଣେ ଏଇ ସବୁ ସଜବାଜ ମାତ୍ର ଘଣ୍ଟାଏ ପାଇଁ । ତାକୁ ଖିନଭିନ କରି ଖାଇବାକୁ ଡାହାଳ ପରି ଚାହିଁ ରହିଛି ଅଲିଆ । ସବୁ ସଜବାଜ ଝାଳ ହୋଇ ବହିଯିବା ଯାଏ ତାକୁ ଝୁଣି ଖାଇବ । ତଥାପି ସେ ପ୍ରସ୍ତୁତ କରୁଥିଲା ନିଜକୁ, ପ୍ରସ୍ତୁତ ହେଉଥିଲା ନିଜ ନାରୀତ୍ୱକୁ ସମର୍ପି ଦେବାକୁ ଗୋଟେ ପୁରୁଷର ନିର୍ମମ ପୌରୁଷତ୍ୱ ତଳେ । ପ୍ରସ୍ତୁତ ହେଉଥିଲା ଟଙ୍କା ବଦଳରେ ମେଣ୍ଟେଇବାକୁ ତା ଦେହର ଆଦିମ କ୍ଷୁଧାକୁ। ଯେଉଁ କ୍ଷୁଧାର ଉପଶମ ହୋଇ ପାରିବ କେବଳ ଗୋଟିଏ ନାରୀତ୍ୱର ବଦଳରେ।

ଭୋକ ମେଣ୍ଟାଇ ସାରି ତୃପ୍ତ ହୋଇ ଖଟ ଉପରେ ପେଟେଇ ପଡିଥିଲା ଅଲିଆ । ପାଖରେ ତା'ଆଡକୁ କଡେଇ ଶୋଇ ତା ମୁଣ୍ଡରେ ଧୀରେ ଧୀରେ ହାତ ବୁଲାଉଥିଲା ଚମେଲୀ । ବେଳେ ବେଳେ ତା' ହାତ ପାପୁଲିକୁ ନେଇ ନିଜ ହାତରେ ରଖି ତା ଆଙ୍ଗୁଳି ସହ ନିଜ ଆଙ୍ଗୁଳି ଛନ୍ଦି ଖେଳୁଥିଲା ।

- କିରେ ଉଠିବୁନି କି ଆଜି । ଉଠ ଯା ଏଥର । ଅନ୍ୟ ଗରାଖ ଆସିବାର ଅଛି ।

ବିଛଣାରୁ ଉଠି ଜାମା ପ୍ୟାଣ୍ଟ ପିନ୍ଧୁ ପିନ୍ଧୁ ଜାମା ପକେଟରୁ ଦୁଇଶ ଟଙ୍କିଆ ନୋଟ ଦୁଇଟା କାଢି ଚମେଲୀ ହାତକୁ ବଢ଼େଇ ଦେଲା ଅଲିଆ ।

- କିରେ ଆଜି କଣ ଡବଲ । ନିଶା ବେଶି ହେଇ ଯାଇଛି କି?

- "ନା, ଜାଣି ଦେଇଛି, ଆଜି ଦିଲ୍ ଖୁସ୍ କରିଦେଲୁ ରାଣୀ" ଚମେଲୀ ଗାଲ ଚିପିଦେଇ କହିଲା ଅଲିଆ ।

- "ନା ଥାଉ । ରଖିଦେ, ଆଜି ଦେବା ଦରକାର ନାହିଁ । ଆଜି ଫ୍ରି." ଅଲିଆ ପକେଟରେ ଟଙ୍କା ଗେଞ୍ଜି ଦେଇ କହିଲା ଚମେଲୀ।

- "? ଫ୍ରି କ'ଣ ପାଇଁ ?"

- ହଁ ଫ୍ରି, ଆଜି ଦିନଟା ମାଗଣାରେ ଭୋକ ମେଣ୍ଟା । ଖାଲି ମୁଁ ନୁହେଁ ପୁରା ମାଳି ସାହୀରେ ଫି'ମାସ ପ୍ରଥମ ରବିବାର ଫ୍ରି । ଆରେ କୋଉଠି ଗୋଟେ ସେ ଛୋଟ ଝିଅଟାକୁ ରେପ୍ କରି ମାରିଦେଇଛନ୍ତି ତୋ ପରି କେଇଟା ଭୋକ ବିକଳିଆ । ଶୁଣିନୁ କି. ସେଥିପାଇଁ..।

- "କଣ ପ୍ରତିବାଦ? ୟା ପରେ କଣ ମହମବତୀ ଧରି ରାସ୍ତାରେ ବୁଲିବ ନା କଣ!" ଠୋ ଠୋ କରି ହସି ପଚାରିଲା ଅଲିଆ ।

- ନା'ରେ ଶଳା ନିଲଠା। ସେ ପ୍ରତିବାଦ ଫ୍ରତିବାଦ ଆମକୁ ଜଣାନାହିଁ । ଶଳା ତୁମ ଗୁଡ଼ାଙ୍କ ଦେହରେ ବହୁତ ଭୋକ । ତୁମ ଭୋକ ମେଣ୍ଟାଇବାକୁ, ତୁମେ ଗୁଡ଼ା ୮ ବର୍ଷର ଛୁଆଟାକୁ ବି ଛାଡ଼ୁନ । କେବଳ ସେଇଥି ପାଇଁ ମାସର ଗୋଟେ ଦିନ ମାଗଣାରେ । ଯେତେ ଭୋକ ଅଛି ସବୁ ମେଣ୍ଟେଇ ନିଅ ମାଗଣାରେ । ଛିଡ଼େଇ ଖାଅ ଡାହାଳ କୁକୁର ପରି । କିନ୍ତୁ ହାତ ଯୋଡ଼ି କହୁଛି ଛୋଟ ଛୋଟ ଛୁଆ ଗୁଡ଼ାଙ୍କୁ ଛାଡି ଦିଅରେ କୁକୁର ଦଳ । ଅନ୍ତତଃ ଗୋଟେ ଦିନ ମାଗଣାରେ ଏ ଦେହଟାକୁ ଭୋଗିଲେ ହୁଏତ୍ କୋଉଠି ଗୋଟେ ଛୋଟ ଝିଅ ତମ ଭୋକ କବଳରୁ ବଞ୍ଚିଯିବ । ରେପ୍ ହେବାରୁ ବଞ୍ଚିଯିବ ।

ନିର୍ବାକ ହୋଇ ଛିଡା ହୋଇଥିଲା ଅଲିଆ । ଆଜି ପ୍ରଥମ ଥର ତାକୁ ନିଜ ପୁରୁଷ ପଣିଆ ଉପରେ ସରମ ଆସୁଥିଲା ।

© ରାକେଶ ମିଶ୍ର

ଅଲିଆ ଚମେଲୀ ଅଟୋଵାଲା

Rate the content


Originality
Flow
Language
Cover design

Comments

Post

Some text some message..