Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

3  

Soumya Shubhadarshinee

ଅଷ୍ଟମ ଋତୁ

ଅଷ୍ଟମ ଋତୁ

5 mins
2.5K


"ଗୋଟେ ଅୟୁତ ଯୁଗର ଇଚ୍ଛା ତୁମକୁ ଥରେ ସେଇ ମୁହୂର୍ତ୍ତରେ ଅନୁଭବ କରିବାକୁ। ଜାଣେ ତୁମେ ଟିକେ ଅରାଜି କିନ୍ତୁ ମନକୁ କଣ ବୁଝେଇ ହୁଏ ,ଅବାଧ୍ୟ ହେବା ହିଁ ତା'ର ପରିଚୟ।"

ଅରୂପଙ୍କର କଥା ସବୁବେଳେ ଏମିତି , ନା ବୁଝି ହୁଏ ନା ବୁଝେଇ ହୁଏ !.......

*******

ଦ୍ରୁତ ପାଦରେ କେମିଷ୍ଟ୍ରି କରିଡର ପାର କରି ଗଲା ସିଲୁ। ସିଡ଼ି ଚଢି ଉପରକୁ ଗଲା ଯେଉଁଠି ପ୍ଲସ୍ ଟୁ ପିଲାଙ୍କ ସୁଦୃଶ୍ୟ ଗ୍ୟାଲେରୀ ଅଛି। ସେମାନଙ୍କର ମୋର୍ଣ୍ଣି କ୍ଲାସ ସରିଯାଇଛି । ଏବେ ପୁରା ଗ୍ୟାଲେରୀ ଥିବ ମଲ୍ଟିପ୍ଲେକ୍ସର ହଲ୍ ପରି ଖାଲି। ଚମତ୍କାର ସ୍ପଟ୍ ଏକାନ୍ତରେ ଦୁଇ ପଦ କଥା ହେବାକୁ। ମାନିବାକୁ ପଡିବ ଅରୂପଙ୍କ ଚଏସ୍। ସିଲୁ ପାଞ୍ଚ ବର୍ଷ କାଳ ପଢିଲା ସେଇ କ୍ୟାମ୍ପସରେ କିନ୍ତୁ କେବେ ଜାଣିପାରିନାହିଁ

ଏଇ ଗ୍ୟାଲେରୀର ଉପଯୋଗୀତା । ସେ ତୁଛା ପୁସ୍ତକ କୀଟ , ତା'ର କଉଠୁ ଆସିଲା ଏତେ ବୁଦ୍ଧି। କିନ୍ତୁ ଦେଖ ଇଞ୍ଜିନିୟରିଂ କଲେଜ ପିଲା ହେଇ ଜଣା ଅରୂପଙ୍କୁ କଉଠି ଅଛି ମୀଟିଂ ସ୍ପଟ୍ । ନିଶ୍ଚିତ ଅଛି ପୁରୁଣା ସିକ୍ରେଟ୍ , ଆଜି ପଚାରି ବୁଝିବ ପକ୍କା।.....

**********

" ଇସ୍ ଦେଖ୍ ପାଞ୍ଚଶହ ଟଙ୍କା ଏଇଟା !" ସିଲୁ ଏକଦମ ଚିଲ୍ଲେଇଲା। ହେଲେ ବାନ୍ଧବୀ ମିନୁ କହିଲା," ହୁଁ ଦିଶୁଛି , ହେଲେ ଏଇ କାର୍ଡ଼ ଟା ହିଁ ଭଲ ଲାଗୁଛି, ଟ୍ରଷ୍ଟ ମି !" ଗିଫ୍ଟ ଗୋଟେ ସେମିତି ଲୋଭନୀୟ ହେବା ବଡ଼ ଜରୁରୀ।ସିଲୁ କିନ୍ତୁ ଦେଖୁଥିଲା ବାରମ୍ବାର ପ୍ରାଇସ୍ ଟ୍ୟାଗ୍। ଗିଫ୍ଟ ଟେ ଏତେ ଦାମ ଦେଇ କାହିଁକି କିଣିବ ସିଏ । ସ୍ୱାମୀ ଦାମ ଦେଖିବେ ନା ମନ !... ଅରୂପଙ୍କ ସ୍ପେସିଆଲ ଫରମାଇସ , " ମୋ ଲାଗି ଗୋଟେ ଗିଫ୍ଟ ଆଣିବଟି? ମୁଁ ସରପ୍ରାଇଜ ଗିଫ୍ଟ ସହ ରେଡି ଯେ ।" ......

ସିଲୁ ବ୍ୟାଗରେ ଲୁଚିଛି ସେଇ କାର୍ଡ଼ ଆଉ ଗୋଟେ ଚକଲେଟ। ଅରୂପ କୁ ପସନ୍ଦ। ଥରେ ଅବଶ୍ୟ କହିଥିଲା ସେ , " ତୁମେ ଝିଅଟେ ବୁଝିଲ। ଗିଫ୍ଟ ଆଉ ଚକଲେଟ ଖୋଜୁଛ।" ହୋ ହୋ ହସରେ ଫାଟି ଯାଇଥିଲେ ଅରୂପ ଆଉ ଲାଲ ହେଇଯାଇଥିଲା ତାଙ୍କ ଚେହେରା। ସିଲୁ କହିଥିଲା "ଇସ୍ କେତେ ଗୋରା ତୁମେ, ମୋତେ କଣ ପାଇଁ ତୁମେ ପସନ୍ଦ କରିଛ । ମୁଁ ତ ଭାରି ସାଧାରଣ ଝିଅଟେ।"

ସିଲୁର ହାତ ଧରି କହିଥିଲେ ସେ , " ଅସାଧାରଣ ଝିଅଟେ ନେଇ କଣ କରିବି , ଏଇ ସାଧାରଣ ମଣିଷ ହିଁ ଘର ଗଢ଼ିଵ ମୋ ଲାଗି ଆଉ କରିପାରିବ ସବୁ ଅସାଧାରଣ କାମ "!......

*******

ସିଲୁ ଇଞ୍ଜିନିୟର ସ୍ୱାମୀ ଟେ ଚାହୁଁଥିଲା କେବେ , କାରଣ ସେଗୁଡା ମେସିନ ସହ ରହି ରହି ମେକାନିକାଲ୍ ହେଇଯାଅନ୍ତି ଧୀରେ ଧୀରେ । ଏଇଟା ଥିଲା ତା' ନିଜ ଦୃଷ୍ଟିକୋଣ। ସେଥିପାଇଁ ଅରୂପ କୁ ରିଜେକ୍ଟ କରିଦେଇଥିଲା ସେ ବାହା ହେବାକୁ। କିନ୍ତୁ ପିଲାଟା କେମିତି କେଜାଣି ପ୍ରେମରେ ପକେଇଦେଲା ବୁଝା ପଡ଼ିଲା ନାହିଁ । ବାହାଘର ପରେ କିନ୍ତୁ ଭଲ ଲାଗୁଥିଲା ଖୁବ୍, ମେକାନିକାଲ୍ କମ ଇମୋସନଲ୍ ବେଶି ।

*******

" ଆଜି ଆସିବ କଲେଜ ?"

ବିଚିତ୍ର ଅନୁରୋଧ ଅରୂପର କି ଦରକାର କଲେଜ ଯିବା!

ସିଲୁ ଅରାଜି ହେଲା ,

" ଯା କଲେଜ କୁ କିଆଁ ଯିବି , ମୁଁ ? ମୁଁ ସେ ବୟସରୁ ବହୁ ଉର୍ଦ୍ଧ୍ବ ରେ, ନିଜେ ଗୋଟେ ଶିକ୍ଷୟିତ୍ରୀ ।"

" ନା ନା ତୁମେ ନିଜ ସ୍ଥିତି ଭୁଲିଯାଇ ଆସ ଥରେ ପ୍ଲିଜ! ଦେଖିବ ଗୋଟେ ଅପୂର୍ବ ଅନୁଭବ ନେଇ ଫେରିବ।"....

ଅରୂପର ଇଚ୍ଛା ଥରେ ଦେଖିବ ସେ ସିଲୁ କୁ କଲେଜ କ୍ୟାମ୍ପସରେ ନିଜ ପ୍ରେମିକା ରୂପରେ। ଆଉ ବଞ୍ଚିବ ଟିକେ ସେଇ ଭାବନାରେ । ଇସ୍ ଏଇଟା ଇଞ୍ଜିନିୟରର ମେସିନ ବୁଦ୍ଧି ନା ପ୍ରେମିକର ପ୍ରେମ? କେମିକାଲ ଲୋଚା ହେଇଯାଇଛି ଟିକେ ବୋଧେ , ମନେ ମନେ ହସିଲା ସିଲୁ।.....

**********

ନିଜ ବିବାହିତା ସ୍ତ୍ରୀ କୁ କଲେଜ କୁ ଡାକି ଟିନ୍ଏଜ ପ୍ରେମିକା ସଜେଇବାର ଇଚ୍ଛା ବିଚିତ୍ର କିନ୍ତୁ ରୋମାଞ୍ଚକର, ହୁଁ । ......

ସିଲୁ ନାହିଁ ନାହିଁ ହେଉଥିଲା ପ୍ରଥମେ । କି ଅଜଵ କଥା ପୁରା ଘର ପଡିଛି । ସୁରକ୍ଷିତ ଆଉ ସୁଉପଲବ୍ଧ , ତାକୁ ଛାଡି ଡରି ଡରି କଲେଜ କ୍ୟାମ୍ପସ ରେ ଲୁଚି ଲୁଚି ଭେଟିବ କାହିଁକି ଯେ ସେ ନିଜ ସ୍ୱାମୀ କୁ ?

କିନ୍ତୁ ଅରୂପର ସେଇ ବଦମାସି, " ହେ ପ୍ଲିଜ ପ୍ଲିଜ ଟିକେ କଷ୍ଟ କରିଦିଅ ମୋ ପାଇଁ । ଏତିକି ଟିକେ କରିପାରିବିନି ତୁମେ ?"

ସିଲୁ ବଡ଼ ବଡ଼ ଆଖିରେ ଅନେଇ ହସିଲା ଜୋରରେ ଆଉ ରାଜି ହେଇଗଲା। ହେଲେ ରଖିଲା ଗୋଟେ ସର୍ତ୍ତ, ଏଇଟା ପ୍ରଥମ ଆଉ ଶେଷ ପର୍ଵ ଆଉ କେବେ ସେ ଯିବନି ଏମିତି ବିଚିତ୍ର ଅଭିଯାନ ରେ। ଅରୂପ ରାଜି ହେଇଗଲେ ଚଟାପଟ ।

********

ଅରୂପ ଯାଇଥିଲେ ବମ୍ବେ ଗୋଟେ ଅଫିସିଆଲ କାମ ରେ । ଆଜି ଫେରୁଛନ୍ତି ଆଉ ସିଲୁ ସାଜିଛି ଅଭିସାରୀକା ତାଙ୍କ ଲାଗି, ଇସ୍!

ସକାଳୁ ଗୋଟେ ଅଦ୍ଭୁତ ବ୍ୟସ୍ତତା ଅଛି ସିଲୁ ଭିତରେ । ଗୋଟେ ଆଶା ଆଶଙ୍କା ଭିତରେ ବିତୁଛି ସବୁ ମୁହୂର୍ତ୍ତ।ଲାଗୁଛି ଯେମିତି କେଉଁଠି କିଛି ଅପ୍ରତ୍ୟାଶିତ ଘଟୁଛି।

ଚା' ଟା ବନେଇଛି ଯେ ଚିନି ପକେଇନି ସେଥିରେ। ଠାକୁରଙ୍କ ଲାଗି ଫୁଲ ତୋଳିବାକୁ ଭୁଲି ଯାଇଛି। ଶ୍ୱଶୁରଙ୍କୁ ଖବରକାଗଜ ଜାଗାରେ ମ୍ୟାଗାଜିନ୍ ଟେ ଧରେଇ ଦେଇଛି ଅନ୍ୟମନସ୍କ ହେଇ। ଶାଶୁ ତ ତା'ର ଏଇ ଆନମନା ଭାଵ କୁ ପଢ଼ିନେଇ ପଚାରି ସାରିଲେଣି ତା' ଦେହ ଠିକ ଅଛି ତ?......

ସିଲୁ କିନ୍ତୁ ଜାଣେ ଏସବୁ ଲକ୍ଷଣ ତା ଅଭୀସାରର । ସତରେ କଣ ସେ ଭେଟିବାକୁ ଯାଉଛି ଜଣେ ଇପ୍ସିତଙ୍କୁ ଗୋପନରେ? ମନର ଗଣିତ ବଡ଼ ଜଟିଳ!.....

ନିଜକୁ ଟିକେ ଭିନ୍ନ ରୂପରେ ସଜେଇ , ନୀଳ ରଙ୍ଗ ଡ୍ରେସ ପିନ୍ଧି ସେ ଯେବେ ବାହାରିଲା ଶାଶୁ ପଚାରିଲେ ସ୍କୁଲ କଥା , ମିଛ କହିଲା ସେ ତାଙ୍କୁ ଯେ ସ୍କୁଲରେ ଆଜି ଲୋକଲ୍ ହଲିଡେ । ତେଣୁ ସେ ଟିକେ ତା' ବାନ୍ଧବୀ ଘରକୁ ଯାଉଛି । ହେ ପ୍ରଭୁ !ଏମିତି ମିଛ କହିବା ଖୁଵ କଷ୍ଟ ,ଥତ ମତ ହେଇଗଲା ସେ କହୁ କହୁ। ଶାଶୁଙ୍କ ମୁହଁକୁ ଠିକ ସେ ଅନେଇ ପାରିଲାନି। ଭିତରେ ଭିତରେ ଜଳି ପୋଡି ଗଲା କି ଆଉ । କିନ୍ତୁ, କଣ କରିବ ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ଓଃ! ସତେତ ସେ ତ କେବେ ଏମିତି ଅନୁଭବ କରିନଥିଲା !

କଲେଜ ସମୟରେ ଯେମିତି ସ୍କୁଟି ଧରି ବୁଲୁଥିଲା ମୁକ୍ତ ବିହଙ୍ଗ ହେଇ ଠିକ ସେମିତି ବାହାରି ଆସିଲା ସେ । ଗିଫ୍ଟ କିଣାଲା କଲେଜ ସ୍କୋୟାର ଅର୍ଚିସ ଗ୍ୟାଲେରୀ ରୁ । ଆଉ ସାନ୍ତର୍ପଣ ରେ ପାଦ ଦେଲା କଲେଜ ମାଟିରେ ।....

*********

ହ୍ୟାଲୋ , ତୁମେ ଆଜି ଆସୁଛ ବୋଲି ଘରେ କହିନ କାହିଁକି , ଅରୁ ?" ସିଲୁର ସ୍ୱରରେ ବ୍ୟସ୍ତତା ।

ଶାଶୁ ଙ୍କ ଫୋନ୍ ଥିଲା ଏବେ ଆଉ କହୁଥିଲେ ଶୀଘ୍ର ଫେରିବାକୁ , କଣ ନା ଅରୂପ ଆସୁ ଆସୁ ଯାଇଁ କାଲି , ଏକୁଟିଆ ବେଶି ବୁଲିବା ଭଲ ନୁହେଁ। କି ଲୋକ ଏବେ କଲେଜରେ ଭେଟି କଣ ପ୍ରେମିକ ହୋଟେଲ ରେ ରହିବେ । ହୁଁ ବଡ଼ ବିଚିତ୍ର।

ସେପଟେ ଫୋନ୍ ରେ ଅରୂପ ର ହସ , " ଲୁଚି ଲୁଚି ଆସିଗଲ କୁଆଡେ ? ମୁଁ ତ ବମ୍ବେରେ । କାହାକୁ ଭେଟିବାକୁ ଏତେ ସଜ ହେଇ ନୀଳ ପରୀ ସାଜି ଆସିଛ ଯେ? କଥା କଣ ମ୍ୟାଡ଼ମ୍ ଏଇ ପାଠ ପିଲାଙ୍କୁ ପଢ଼ାଉଛ !"

ରାଗ ରେ ପୁରା ପାଚି ଗହମ ରଙ୍ଗର ମିଠା ଝିଅଟା ଦିଶିଲା ଲାଲ। କି ଲୋକ ଏମିତି କ'ଣ ହଇରାଣ କରନ୍ତି! ସତରେ କ'ଣ ତା ସହ ମଜାକ କରିଛନ୍ତି ଅରୂପ। ହେ ପ୍ରଭୁ! ସେ ଯେ ସତ ଭାବି କେତେ ବାହାନା କରି , ସ୍କୁଲ ରୁ ଛୁଟି ନେଇ, ଶାଶୁଙ୍କୁ ମିଛ କହି ଆସିଛି।କେମିତି ଲୋକ! ନାକ କାନ୍ଦୁରୀ ଝିଅ ଆଖିରେ ଲୁହ ଆସିଗଲା।

ହଠାତ୍ ଗୋଟେ ସ୍ପାର୍କ ହେଲା ମୁଣ୍ଡରେ, ସେ ନୀଳ ଡ୍ରେସ ପିନ୍ଧିଛି ବୋଲି କେମିତି ଜାଣିଲେ ଅରୂପ ? ପକ୍କା ଏଇଠି କୋଉଠି ଅଛନ୍ତି। ଆଉ ମିଛ କହି ତାକୁ ଚିଡ଼େଇବାକୁ ଚେଷ୍ଟା କରୁଛନ୍ତି। ଅସ୍ତ ବ୍ୟସ୍ତ ହେଇ ଆଖି ପହଁରେଇ ନେଲା ସେ ସାରା ଗ୍ୟାଲେରୀ ରେ ।କିନ୍ତୁ କାହନ୍ତି ସେ ଦିଶୁ ନାହାନ୍ତି ତ କେଉଁଠି । ପୁଣି ଥରେ ତନ୍ନ ତନ୍ନ କରି ଖୋଜିଲା ଆଖି , ଇସ୍ ! ବ୍ଲାକ ଡ୍ରେସଟେ ପିନ୍ଧି ସେଇ ଗ୍ୟାଲେରୀର ଲାଷ୍ଟ୍ ବେଞ୍ଚରେ ବସିଛନ୍ତି ଗୋଟେ ପିଲାର୍ ସାଇଡ଼ରେ ଟିକେ ଲୁଚିକି । ହେ ପ୍ରଭୁ ! ଛାତି ତଳେ ହୃଦସ୍ପନ୍ଦନ ଦ୍ରୁତ ହେଇଗଲା ସିଲୁର। କେଜାଣେ କେମିତି ଗୋଟେ ଅଲଗା ଲାଗିଲେ ଅରୂପ ଆଉ ଲାଜ ଲାଗିଲା ତାକୁ ।

ଅରୂପ ସତରେ କଲେଜ ଜୀବନର କ୍ରସ୍ ପରି ଲାଗୁଥିଲେ । ହାତ ପାଦ ଝିମ ଝିମ ଲାଗୁଥିଲା ଆଉ ଛାତି ଧଡ୍ ଧଡ୍ ହେଉଥିଲା ସିଲୁର। କାନ ଦୁଇଟା ଗରମ ହେଇଯାଇଥିଲା ଖୁବ୍। ତଣ୍ଟି ଶୁଖି ଶୁଖି ଯାଉଥିଲା । କିନ୍ତୁ ମନରେ ଥିଲା ଗୋଟେ ଅଦ୍ଭୁତ ଶୀହରଣ,ଭାରି ମିଠା ,ଖୁବ୍ ନିଜର ......

ପରିଚିତ ପୃଥିବୀରେ ଅଷ୍ଟମ ଋତୁର ଆବିର୍ଭାବ ହେଇଥିଲା ଯେମିତି ।ଗୋଟେ ରୋମାଞ୍ଚରେ ଭରିଯାଇଥିଲା ପରିବେଶ।ଇଞ୍ଜିନିୟର ଟା ସତରେ ଜିନିୟସ। ଧପ୍ କି ଆଖି ବନ୍ଦ କରିନେଲା ସେ ।

ସିଲୁ କୁ ଦେଖି ଏକଦମ ଦୌଡି ଆସିଲେ ଅରୂପ ଆଉ ତାକୁ ଶୁନ୍ୟ କୁ ଟେକି ନେଇ କହିଲେ ," ଲଭୟୁ , ସାଧାରଣ ଝିଅ ମାନେ ହିଁ ଏମିତି ଅସାଧାରଣ ରୋମାଞ୍ଚ ଭରି ପାରନ୍ତି ଡିଅର୍।".....

*ସୌମ୍ୟା। ଶୁଭଦର୍ଶିନୀ *


Rate this content
Log in