Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Matrudatta Mohanty

Inspirational

4.6  

Matrudatta Mohanty

Inspirational

ଭାଗ

ଭାଗ

9 mins
620


ଦାଣ୍ଡପିଣ୍ଡାରେ ଖୁଣ୍ଟକୁ ଆଉଜିବସି ମନେମନେ କେତେ କ’ଣ ଗୁଣି ହେଉଥିଲା ମାଣିକ । ଆକାଶରେ ଭାସିଯାଉଥିବା ଭେଳାଏ ବାଦଲକୁ ଚାହିଁଥିଲା ଏକଲୟରେ । କାଇଁଚ ପାଚିଆରେ ମୁଢ଼ି ଦିମୁଠା ରସୁଣ ଦି ପାଖୁଡା ପକେଇ ବୋହୂ ଆଣି ପାଖରେ ଥୋଇଲା । ଅନ୍ୟମନସ୍କ ଶାଶୂ ଦେହରେ ହାତମାରି କହିଲା ବୋଉ ପାଟିରେ ପକାଅ, ମୁଁ ଚା’ କରି ଆଣୁଛି । ମାଣିକ ଚମକିପଡ଼ିଲା । ଆକାଶରୁ ଆଖି ଫେରାଇ ଆଣି ମୁଢି ଗଣ୍ଡାକ ପାଟିକୁ ଛାଟୁଛାଟୁ ଖଳାବାଡ଼ିରେ ବୀର ପରି ଛାତିଫୁଲେଇ ଛିଡ଼ା ହୋଇଥିବା ଧାଡ଼ିଏ ନଡ଼ିଆଗଛ ଆଡ଼େ ଚାହିଁଲା । ବର୍ଷବର୍ଷ ଧରି ଏମାନେ ଏମିତି ଧାଡ଼ିରେ ଛିଡ଼ା ହୋଇଛନ୍ତି । କାହାର କାହା ସହ ଗୋଳ ନାହିଁ । ନାହିଁ ଝାମେଲା । କାହାର କାହା ପାଖରେ ନାହିଁ ଅଝଟ କି ଅଭିମାନ । ଯବାନ ବେଳରେ ଗେରସ୍ତ ବାଡ଼ିରେ ପୋତି ଥିଲା ନଡ଼ିଆ ଚାରା । ଅବିଯାଏ ଫଳୁଚି । ଏଇ ନଡ଼ିଆରୁ କେତେ ପିଠା ପଣା । କେତେ ପୁନେଁଇ ପରବ । ବନ୍ଧୁବାନ୍ଧବ କୁଣିଆ ମଇତ୍ରଙ୍କ ଘରେ ପହଞ୍ଚିଛି ଏଇ ନଡ଼ିଆ । ପୁଣି ପାଞ୍ଚ ପାଞ୍ଚଟା ଛୁଆଙ୍କୁ କେତେ ବାଗରେ ଖୁଆଇଛି । ଆଜି ରାତିକ ଏମାନେ ଏକାଠି ରହିବେ । କାଲିକୁ ନଥିବେ । କାହା ଭାଗରେ ପଡିବେ । ହଣା ଖାଇବେ । ପିଣ୍ଡାରେ ବସି ଚାହିଁଲେ ଦିଶିବନି ସେମାନଙ୍କ ସୁନ୍ଦର ଚେହେରା । ଆଖିରେ ଜକେଇଥିବା ବୁନ୍ଦାଏ ଲୁହକୁ ପାପୁଲିରେ ସାଉଁଟି ମୁଢ଼ି ଡାଲାରେ ହାତ ପୂରେଇଲା ମାଣିକ ।

ସଞ୍ଜ ନଇଁ ଆସିଲାଣି । ଓଳିତଳେ ଅନ୍ଧାର ହାଇଯାଉ । ଖଞ୍ଜାରେ ବୋଝେଇ ହୋଇଛି କାହିଁରେ କେତେ ଶୂନ୍ୟତା । ଭିତରଘରେ ଚୁଲି ଲଗୋଉଛି ବୋହୂ । ଠଣାରେ ଡିବି ଜାଳିଦେଇ ମାଣିକ ବସିଛି । ଗୋରୁ ଗୁହାଳୁ ଭାସି ଆସୁଛି ପୋଡ଼ା କୁଟାର ଗନ୍ଧ । ମଝି ଦୁଆରେ ଚିଁ ଚାଁ କରି ଏପାଖ ସେପାଖ ହେଉଛନ୍ତି ଚୁଚୁନ୍ଦ୍ରା । ଗୁହାଳେ ଗୋରୁଙ୍କ ପାଖରେ ଧୂଅାଁ ଦେଇ ଧଡ଼ା ଆଉଜେଇ ସାରିଲାଣି ମନୁଆ । ପୁଅ ପାଇଁ ଚା ବରାଦ କଲା ମାଣିକ । ଆଉ ଗୋଟେ ଡିବି ଲଗେଇ ପିଲାଙ୍କ ପାଖରେ ଥୋଇବାକୁ ହବ । ତାଙ୍କ ପାଠପଢ଼ା ବେଳ ହେଲାଣି । ନାତି ନାତୁଣି ଚାରିଟାଙ୍କ ଚିନ୍ତାରେ ସବୁ ବେଳେ ଘାଣ୍ଟି ହଉଥାଏ ବୁଢୀ । ଚାଷ ଉପରେ ଭରଷା କରି ଚାଲିଛି ସାତ ପରାଣୀ କୁଟୁମ୍ବ । ବର୍ଷରେ ଚାଷରୁ ଯାହା ଅମଳ ହୁଏ ଅମାର ପୂରେ । ପୁଣି ପୂରେ ପିଲା ଛୁଆଙ୍କ ପେଟ । ମନୁଆ ଧିଅକୁ ମାଟିକରି ଲାଗିଛି ଚାଷରେ । ଧାନ, ବିରି, ମୁଗ ଓ ଆଳୁ କରି ପାଗଯୋଗ ହେଲେ ନଳିତା ଅରା ଦି ଅରା ଛାଟି ଦିଏ । ମନ ନ ବୁଝିଲେ ପାଟନାଳି କୂଳରେ ଦାଳୁଅ ଧାନ ଦି ଚାରି ଗୁଣ୍ଠ କରି ପକାଏ । ଏ ସବୁ ପୁଣି ହୁଏ ପାଞ୍ଚ ଭାଗ । ଯାହା ମନୁଆ ଭାଗରେ ପଡ଼େ ସେଥିରେ ପରିବାର ଚଳେ । ଚାଷ ନକଲେ ପେଟକୁ ଦାନା ପାଇବ କୋଉଠୁ । ଉପାସରେ ମରିଯିବେ ଛୁଆ ମାଇପ । ପିତଳ ଗିଲାସରେ ଗିଲାସେ ଚା ଆଣି ପାଖରେ ଥୋଇଲା ବୋହୂ । ଡିବିଆଲୁଅରେ ଖଞ୍ଜାଟା ଆଲୋକିତ ହେଉଥିଲା । ମଝିରେ ଚିତପଟାଙ୍ଗମାରି ପଡିଥିବା ପଥର ଦୁଆରଟା ବି ଖଣ୍ଡ ଖଣ୍ଡ ହୋଇଯିବା ଆଶଙ୍କାରେ ତୁନି ପଡିଥିଲା । କାଳିଆ ଧୂଅାଁ ମେଳରେ ମାଣିକର ନୁଖୁରା ଚୁଟି କେରାକ ଆହୁରି ବିକୃତ ଦିଶୁଥିଲା । ଚା ଗିଲାସରେ ମୁହଁ ଲଗେଇଲା ବେଳେ ବୁଢୀ ମୁହଁର ଶୁଖିଲା ପଣ ଫୁଟି ଦିଶୁଥିଲା ବେଶିବେଶି । ପାଖରେ ମଶିଣା ପକେଇ ବସି ପଡିଲା ମନୁଆ । ପାଟ ଜମି ନବା କଥା ଉଠିଲେ ତୁ ମନା କରିଦେବୁ । ତୋ ବାପା ଥିଲା ଦିନଠାରୁ ସେଠି ଫସଲ ଭାରି ହିନିମାନିଆ ହୁଏ । ଧିଅକୁ ମାଟି କରି ଖଟିଲେ କ’ଣ ହବ ଜମି ଖାଲୁଆ ଯୋଗୁଁ ଉଜୁଡି ଯାଏ ସବୁ’ ।

ମନୁଆକୁ ଜମି ବାବଦରେ ବୁଦ୍ଧି ଦେଉ ଦେଉ ମାଣିକର ଆଖି ଛଳଛଳ ହୋଇ ଆସିଲା । ଛାତିରେ ବସା ବାନ୍ଧିଥିବା କୋହ ତରଳିବା ଆରମ୍ଭ କରିଦେଲା । ‘ତୋ ବାପ ଥିଲେ କ’ଣ ଏମିତି ସବୁ ହୋଇଥାଆନ୍ତା । ନା କାହାର ସାହାସ ହୋଇଥାଆନ୍ତା ଜମିଜମା ଭାଗ ବଣ୍ଟା କରିବାକୁ । କେତେ ମେହେନତ କରି ଜମି ବାଡ଼ି କମେଇଥିଲା । ଏ ପାଞ୍ଚ ଖଣ୍ଡ ମଉଜାରେ କାହାର ଏତେ ଜମି ଥିବ ଯେ । ଯାହା ଅର୍ଜିଥିଲା ସବୁ ନଷ୍ଟ ହେବାକୁ ବସିଛି । ମୋ ଛାତି ଫାଟି ଯାଉଛିରେ ମନୁଆ । ମନୁଆ ମା’କୁ ଧର୍ଯ୍ୟ ଧରିବାକୁ କହୁଥିଲା । ତୁ କାନ୍ଦିଲେ କ’ଣ ହବ ବୋଉ । ଗାଁରେ ତାଙ୍କର ଆଉ କାମ କଣ । ତୋ ପୁଅମାନେ ତ ବଡ଼ ଚାକିରି କଲେ । ଘରଦ୍ୱାର କରି ସହରରେ ରହିଲେ । ଏଠୁ ଜମି ବାଡ଼ି ବିକି ଦେବେ । ତା ଛଡ଼ା ସିଏ ତାଙ୍କ ଭାଗ ବିକିବେ । କାହାର କଣ କହିବାର ଅଛି’ । ପୁଅ କଥାରେ ଚିଡ଼ି ଉଠିଲା ମାଣିକ । ‘ସେ ଗୁଡ଼ାକ କ’ଣ ଜମି କରିଥିଲେ ଭାଗ ବସେଇବାକୁ ଆସୁଛନ୍ତି । ମୋ ପେଟରୁ ବାହାରି ଏାମାନେ ଭଗାରୀ ହେବେ ବୋଲି ମୁଁ ଭାବି ନଥିଲି । ଲୁଗା କାନିରେ ଆପଣାର ଲୁହ ପୋଛିଲା ବେଳେ ଧର୍ଯ୍ୟ ହରା ହୋଇ ପଡୁଥିଲା ମାଣିକ । ମା’ କଥା ଶୁଣି ମନୁଆ କହିଲା କାଲି ସକାଳୁ ସେମାନେ ଆସିବେ ବୋଲି କହିଛନ୍ତି । ଭଦ୍ରଲୋକମାନେ ଆସି ଠିକ୍ ସମୟରେ ପହଞ୍ଚିବେ । ଜମିପଟା ମୁଁ ବାହାର କରି ରଖିଛି । ଦି ପହର ସୁଦ୍ଧା ଭାଗ ବଣ୍ଟା ସରିଯିବ । ପାଞ୍ଚ ଜଣ ବସି ଯାହା ନାୟ କରିବେ ମୋର ସେଥିରେ କଣ କହିବାର ଅଛି । ମୋ ଭାଗରେ ଯାହା ପଡ଼ିବ ତାହା ମୋର ଭାଗ୍ୟ ଲୋ ବୋଉ । ମୁଁ ପାଟଜମିକୁ କେମିତି ମନା କରିବି କହିଲୁ । ପୁଅ କଥା ଶୁଣି ଚୁପ୍ ରହିଲା ମାଣିକ । ଏଇତ ଭାଗ ବଣ୍ଟାର ନିୟମ । ଆଉ ଅଧିକ କିଛି କହିବା ପାଇଁ ବାଟ ଖୋଜି ପାଉ ନଥିଲା ସେ । ଡିବିରୁ ବାହାରୁଥିବା ଧୂଅାଁ ଗୋଲଗୋଲ କୁଣ୍ଡଳୀ କାଟି ଶୂନ୍ୟରେ ହଜି ଯାଉଥିଲା । ରାତିର ବୟସ ବଢ଼ିବାରେ ଲାଗିଥିଲା ।

ଦାଣ୍ଡ ପିଣ୍ଡାରେ ବିଛେଇ ହୋଇ ପଡ଼ିଛି ବଡ଼ ଦରି । ପିତଳ ଥାଳିରେ ଦିଗଣ୍ଡା ହେବ ଭଙ୍ଗା ପାନ । ପାଖରେ ଢାଳେ ପାଣି । ଗିଲାସ ଗୋଟା । ହାତରେ ଜମି ପଟ୍ଟା ଧରି ବସିଛନ୍ତି ଭଦ୍ରଲୋକ । ଭଦ୍ରଲୋକଙ୍କୁ ବେଢ଼ି ବସିଛନ୍ତି ପାଞ୍ଚଭାଇ । ବିଭିନ୍ନ ମଉଜାର ଜମି ବାଡ଼ି ହିସାବ ସରିଲା । ଏଣିକି କିଏ କୋଉ ଭାଗ ନବ ତା ଫଇସଲା କରିବା । ଦକ୍ଷିଣ ନହେଲେ ପଶ୍ଚିମ ପଟରୁ ଘରବାଡ଼ି ବଡ଼ପୁଅ ନବ । ପୁଣି ବଡ଼ ପୁଅର ଜେଷ୍ଟା ଭାଗ ସିଏ ପାଇବ । ବାପା ମାର ପିଣ୍ଡ କରିବ ସିଏ । ତା ପଛକୁ ପଛ ଭାଗ ପଡ଼ିବ ଅନ୍ୟ ଭାଇମାନଙ୍କର । ଦାଣ୍ଡ ବାଡ଼ି ପୁରୁଣା ପୋଖରୀ, ଖଳାବାଡ଼ି, ବଡ଼ତୋଟା ବାଉଁସବାଡ଼ି ଇଜିମାଇଲିରେ ରହିବ । ନା କ’ଣ କହୁଛ’? ଚଷମା ଫାଙ୍କରୁ ଆଖି ନଚେଇ ପ୍ରଶ୍ନକଲା ପଲେଇ ବୁଢା । ମାଣିକ ଦୁଆରବନ୍ଧ ପାଖରେ କାନିରେ ମୁହଁ ଢାଙ୍କି ଭାଗବଣ୍ଟା ଉପରେ ନଜର ରଖିଥାଏ । ଭଦ୍ରଲୋକଙ୍କ ଟିକିନିଖି ଆଲୋଚନା ଶୁଣୁଥାଏ । ଗ୍ରାମ ଦେବତୀଙ୍କ ଉଦ୍ଧେଶ୍ୟରେ ଲକ୍ଷେ ମୁଣ୍ଡିଆ ମାରୁଥାଏ । ବୁଢ଼ିର ସାନପୁଅ ପ୍ରତି ଭାରି ଲୋଭ । ବଡ଼ ଚାରି ପୁଅ ଚାକିରି ବାକିରି କରି ସହରରେ ବସା ବାନ୍ଧିଲେ । ବିଚରା ମନୁଆ ଗାଁରେ ରହି ବାପ ସମ୍ପତ୍ତି ଦେଖିଲା । ଚାଷବାସ ସମ୍ଭାଳିଲା । ଗଧ ଭଳି ଖଟିଖଟି ଭାଇମାନଙ୍କ ଭାଗ ସହରକୁ ବୋହିଲା । ମୁଗ ବିରି କୋଳଥ ଆଳୁ ନଡ଼ିଆ ପଣଷ ସମାନ ଭାଗ କରି ଟେକି ଦେଲା ଭାଇମାନଙ୍କ ହାତକୁ । ମାଇପ ତାର ଦେଇପିଣ୍ଡିରେ ନିଇତି ସଞ୍ଜଦୀପ ଜାଳିଲା । ବଡ଼ବଡ଼ୁଆଙ୍କୁ ପିଣ୍ଡ ପାଣି ଦେଲା । ଘର ମାଣ ଦାୟିତ୍ତ୍ୱ ସମ୍ଭାଳିଲା । ବର୍ଷକ ବାରମାସ ଯାବତୀୟ ଜାନି ଜାତରା ଠାକୁର ଭୋଗ ଖିଆ, ଶଶୁର ପିଣ୍ଡ ନିଷ୍ଠାରେ କଲା । ଶେଷକୁ ଜମି ଭାଗ ବଣ୍ଟା କରି ଗାଁ ମାଟିରୁ ସମ୍ପର୍କ ଛିଣ୍ଡେଇ ଦେବାକୁ ବସିଛନ୍ତି ଭାଇମାନେ । ଏ ମୂଲିଆ ଭାଇଟାର ଦୁଃଖ ପ୍ରତି ଚଣ୍ଡାଳ ଗୁଡାଙ୍କାର ଟିକେ ହେଲେବି ଦରଦ ନାହିଁ । ପୁଣିଥରେ ଜୋଡ଼ ହସ୍ତ ମୁଣ୍ଡରେ ମାରିଲା ମାଣିକ । ପଲେଇ ବୁଢ଼ା କଥା ଶୁଣି ଚିହିଙ୍କି ଉଠିଲା ବଡ଼ ପୁଅ । କହିଲା ନାନା ଏମିତି ବାଣ୍ଟ ହବନି । ମୁଁ ଯାହା କହୁଛି କର । ଇଜିମାଇଲି କଥା ଉଠାନା । ଜମି ବାଡ଼ିରେ ପୁଣି ଇଜିମାଇଲି କ’ଣ । ଆମେ କ’ଣ ଏଠି ପୋଖରୀ ଦାଣ୍ଡ ତୋଟା ଜଗି ବସିବୁ ନା କଣ । ନା ଦାଣ୍ଡରେ ଆମ ପିଲା ଛୁଆଙ୍କ ବାହା ଘର କରିବୁ । ଇଜିମାଇଲି କିଛି ରହିବିନି । ଚାଷ ଜମି ମୋଠାରୁ ବାଣ୍ଟିବା ଆରମ୍ଭ କର । ପହିଲେ ମୋ ଜେଷ୍ଠା ଭାଗ ମୋତେ ଦିଅ । ପଲେଇ ବୁଢ଼ା କହିଲା ବାପ ତୁ ତ କହୁଛୁ ଗାଁରେ ବସି ରହି ଦାଣ୍ଡ ବାଡ଼ି ଜଗିବୁନି ପୁଣି ଜ୍ୟେଷ୍ଟାଭାଗ…! ତମେ ଏତେ କଥାରେ ମୁଣ୍ଡ ପୂରାଅନି ମଉସା । ଯେମିତି କହିଲି ସେମିତି ଭାଗ ବଣ୍ଟା କର । ମନୁଆ ଚୁପ୍ ହୋଇ ବସିଥାଏ । ଅନ୍ୟ ଭାଇମାନେ ତରତର ହେଉଥାଆନ୍ତି । କାମ ସାରି ଶୀଘ୍ର ଫେରିବାକୁ ହେବ । ନହେଲେ ଏଠି ନାଲି ଚାଉଳ ଭାତ ସାଙ୍ଗକୁ ମୁଗଡ଼ାଲି ଖାଇବା ପାଇଁ ପଡ଼ିବ ଯେ । ଶୀଘ୍ର ବାଣ୍ଟ କୁଣ୍ଟ ସାରିବା ପାଇଁ ସମସ୍ତେ ଏକ ସ୍ୱରରେ ଗର୍ଜି ଉଠିଲେ । ବିଚରା ପଲେଇ ବୁଢ଼ା ଥ ଥ ମ ମ ହୋଇ କାଗଜ କଷିବାରେ ଲାଗିଲା । ବେଳ ଗଡ଼ି ଯାଉଛି । ଘର ଡିହ ସମେତ ଚାଷଜମି ସବୁ ବାଣ୍ଟ ହେବ । ସମସ୍ତେ ଚାହିଁ ରହିଥାଆନ୍ତି କାହା ଭାଗରେ କ’ଣ ପଡ଼ିବ । ମାଣିକ ଭାବୁଥାଏ ଭାଗ ଭାଗ ହୋଇ ଯିବ ସୁରିଆ ମହାନ୍ତିର ଯେତେ ସ୍ୱଅର୍ଜିତ ସମ୍ପତ୍ତି । ବଡ଼ ବିଲରେ ହିଡ଼ ଉଠିବ । ପୋଖରୀ ଖଳାବାଡ଼ି ଆମ୍ବ ତୋଟା… ଜାତି ଅଜାତି କାହା ହାତରେ ଟେକି ଦେବେ ଏ ଚଣ୍ଡାଳଗୁଡ଼ାକ ।

ବେଶ୍ କିଛି ସମୟ ଖଡ଼ିକୁ ତଳେ ଘୋଷାରି ଚାଲିଥିଲା ପଲେଇ ବୁଢ଼ା । ଓଠ ସନ୍ଦିରୁ ପାନ ପିକ ବୋହି ପଡ଼ିବା ଆଗରୁ ସେ ସବୁକୁ ସାଉଁଟି ନେଇ ମୁଣ୍ଡ ଟେକିଲା ବୁଢ଼ା । ଏଣିକି ଘର ଡିହରୁ ଆରମ୍ଭ ହେବ ବାଣ୍ଟ । ବଡ଼ପୁଅ କହିଲା ଆମେ କେହି ଘରଡ଼ିହରୁ ଇଞ୍ଚେ ନେବୁନି । ବାପାଙ୍କ ଅମଳର ପୁରୁଣା ଚାଳ ଛପର ଖଞ୍ଜାଟା ପଡ଼ିଛି । ମନୁଆ ବର୍ଷବର୍ଷ ଧରି ଏଠି ରହୁଛି । ତାକୁ ଡିହ ଦେଇ ଦିଅ । ଡିହଠୁ ଲାଗି ଖଳାବାଡ଼ି ନଡ଼ିଆବାଡ଼ି ବାଉଁସବୁଦା ମୋଠାରୁ ବାଣ୍ଟିବା ଆରମ୍ଭ କର । ଏ କଥା ଶୁଣି ତଳେ କାଟିଥିବା ଗାର କେଇଟାକୁ ପୁଣି ଥରେ ପଳେଇ ବୁଢା ଘଷିବାରେ ଲାଗି ପଡ଼ିଲା । ହଁ ଡିହ ଛାଡି ଦେବା ମନୁଆ ପାଇଁ । ଘର ଡିହକୁ ଲାଗିଥିବା ନଡ଼ିଆ ବାଡ଼ି ଆମ୍ବ ତୋଟା ପୋଖରୀ ସବୁ ବଡ଼ ଆଉ ତା ତଳ ଭାଇର । ବିଭିନ୍ନ ମଉଜାରେ ଥିବା ଚାଷ ଜମିକୁ ସମାନ ପାଞ୍ଚ ଭାଗ କଲି । ସବୁ ଜାଗାରେ ବଡ଼ ଭାଇର ଆଗ । ତା ପଛୁକୁ ପଛ ତମର । ମନୁଆ ସାନ । ସବୁ ଆଡ଼େ ଶେଷ ଅଂଶରେ ସେ ରହିଲା । ପାଟ ଜମି ସବୁ ମନୁଆର । ଚାଷ ବାସ କରି ଚଳିବ । କେଳାଜୋର, ଅମୃତମଣୋହୀ, ଗୋଖା ପୋଖରୀ, ଆମ୍ବତୋଟା ଏମିତି ସବୁ ଜାଗାରେ ବଡ଼ ପୁଅର ଆଗ ବାଣ୍ଟ । ମନ୍ଦିର ପାଖ ରାସ୍ତାକଡ଼ର ଜାଗା ଜେଷ୍ଠାଭାଗ ହିସାବରେ ବଡ଼ପୁଅ ହାତକୁ ଗଲା’ । ଏକା ନିଶ୍ୱାସରେ ଏତକ କହି ଗିଲାସେ ପାଣି ଟେକି ଦେଲା ପଲେଇ ବୁଢ଼ା । ଆଉକାହାର କିଛି କହିବାର ଅଛି କି ବୋଲି ପଚାରିବାରୁ ସମସ୍ତଙ୍କ ମୁହଁରେ ଆନନ୍ଦ ଖେଳିଗଲା । ମନୁଆ ନିରବରେ ବସି ସବୁ ଶୁଣୁଥାଏ । ବଡ଼ ଭାଇମାନଙ୍କ କଥାରେ କଥା କହିବାର ପରମ୍ପରା ତାଙ୍କ ପରିବାରେ ନାହିଁ । ଏକଥା ବାପା ସିଖେଇ ଦେଇ ଯାଇଛନ୍ତି । ବୁଢ଼ା ଛେପ ଢ଼ୋକି କହିଲା ହଁ ବାପାର ସମାଧି ଜାଗାଟା ରିଜିମାଇଲି ରଖି ଦିଆଯାଉ । ବଡ଼ କହିଲ । ନାନା ସେ ଜାଗା କହାର କ’ଣ କାମରେ ଆସିବ । ଆମ ପୁଅମାନେ କ’ଣ ଏଠକି ଆସି ଆମ ସମାଧି ତିଆରି କରିବେ ଏ ମଫସଲରେ । ସେ ସମାଧି ବାଡ଼ି ମନୁଆ ଭାଗରେ ରହୁ । ସେଠି ବୋଉ ସମାଧି ତିଆରି ହେବ । ବଣ୍ଟନପତ୍ର ଲେଖାଗଲା । ଦସ୍ତଖତ ପାଇଁ ଭାଇମାନେ ପକେଟରୁ କଲମ କାଢ଼ିଲେ ।

ଭାଗ ଭାଗ ହେଇଗଲା ସୁରିଆ ମାହାନ୍ତିର ସବୁ ସମ୍ପତ୍ତି । ଭାଗବଣ୍ଟାର ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଭଦ୍ରଲୋକମାନେ ଭାଙ୍ଗବଣ୍ଟାର ଫଇସଲା କରିଦେଲେ । ଆଖି ଆଗରେ ଚିରି ହୋଇଗଲା ଖଳା, ଆମ୍ବତୋଟା ସମାଧିବାଡ଼ି । ଅତୀତର ସ୍ମୃତିସବୁ ଗୋଟି ଗୋଟି ହୋଇ ନାଚି ଉଠୁଥିଲା ମାଣିକ ଆଖିରେ । ବୁଢ଼ା ବଞ୍ଚିଥିଲା ବେଳେ ଘରେ ଚାଷ ବାସ କାହିଁରେ କେତେ । ଦି ଯୋଡ଼ା ବଳଦ । ଚାକର ବାକର ବୋଝେଇ । ରାତି ପାହିଲେ ହଳିଆମାନେ ଦାଣ୍ଡରେ ଭିଡ଼ ଜମାଉଥିଲେ । ମାଗମୂଲିଆଙ୍କ ଖାଇବାପିଇବା ପୁଣି ମଜୁରି ଦେଣନେଣରେ ଘୋ ଘୋ କମ୍ପୁଥିଲା ଏ ଖଞ୍ଜା । ଏକା ମଣିଷ କେତେ କ’ଣ କରିଥିଲା । ପାଞ୍ଚଟା ପିଲାଙ୍କୁ ମଣିଷ ପରି ମଣିଷ କରିଥିଲା । ବୁଢା ଚାଲିଗଲା ଯେ ଲକ୍ଷ୍ମୀ ଛାଡ଼ି ଚାଲିଗଲେ । ଏବେ ଲୋଡ଼ା ପଡ଼ିଛି ବୋଲି ପୁଅମାନେ ଆସି ହାଜର ହୋଇଛନ୍ତି ବୋପା ଡିହରେ, ଭାଗ ବସେଇବାକୁ ବୋପା ସମ୍ପତ୍ତିରେ । ମାଣିକ କୋହ ସମ୍ଭାଳି ପାରୁ ନ ଥିଲା । ଦିନ ଚାଲିଯିବାକୁ ବସିଛି । ବୁଢୀ ବାଡ଼ିରୁ ମଞ୍ଜ କଦଳୀପତ୍ର କାଟି ଆଣିଲା । ପୁଅମାନଙ୍କ ପାଇଁ ଖଞ୍ଜାରେ ପାରିଦେଲା ପତର । ବୋହୂକୁ କହି ଭାତ ସାଙ୍ଗକୁ ମୁଗଡ଼ାଲି ଚୁନାମାଛ ପତର ପୋଡ଼ା, ସଜନାପତର ହଳଦୀପାଣି, ମଞ୍ଜାରାଇ ଓ ଏମିତି କେତେ କ’ଣ କରିଥିଲା । ପୁଅମାନେ ଦାଣ୍ଡକୁ ଓହ୍ଲାଇଲେ । ଯିବା ପାଇଁ ସଜ ହେଲେ । ସାଙ୍ଗରେ ଆଣିଥିବା ପାଣି ବୋତଲ ମୁଣାରେ ଭରିଲେ । ପୁଅମାନଙ୍କୁ ପାଖକୁ ଲାଗିଯାଇ ମାଣିକ ପଚାରିଲା ଦି ଦିଟା ଖାଇ ଦେଇ ଯାଉନ । ପୁଅମାନେ ନାଇଁ କହି ଜୋତାରେ ପାଦ ଗଳେଇଲେ । ଭାଗୁଆଳି ଖରାବେଳ ରୋଷେଇ କରିଛି । ସେଠି ଖିଆ ପିଆ ହବ । ବଡ଼ ପୁଅର ଉତ୍ତରରେ ଚମକି ପଡ଼ିଲା ମାଣିକ । ଅଭିମାନକୁ ଛାତି ଭିତରେ ଚାପି ରଖିଲା ସିନା କୋହ ସବୁକୁ କିନ୍ତୁ ସମ୍ଭାଳି ପାରିଲାନି । ମୁଁହ ଖୋଲିବା ପାଇଁ ବାଧ୍ୟ ହେଲା । ଯିବା ଆଗରୁ ମୋର ପଦିଏ କଥା ଶୁଣି ଦେଇ ଯାଅ । ବାପ ପିଣ୍ଡ ପାଇଁ ଟଙ୍କା ପଚାଶ ଶହେ ଆଉ ପଠେଇବା ଦରକାର ନାହିଁ । ମନୁଆର ଯାହା ଭାଗ ପଡ଼ିଛି ସେଥିରେ ସେ ତାର ବାପା ମାକୁ ପିଣ୍ଡ ବାଢ଼ି ପାରିବ । ଏ ମାଟି ସହ ଆଜିଠାରୁ ତମର ସବୁ ସମ୍ପର୍କ ତୁଟିଲା । ମୁଁ ବଞ୍ଚିଥିବା ଯାଏ ତମେ ଏ ଡିହରେ ପାଦ ରଖିବନି । ମୁଁ ମଲା ପରେବି ନୁହେଁ । ତମକୁ ତମ ମଲା ବୋପାର ରାଣ । ଚାଲି ଯା ଏଠୁ’ । କିଛି ସମୟ ପାଇଁ ସବୁ କିଛି ଯେମିତି ନିରବ ହୋଇଗଲା । ଦାଣ୍ଡରେ ମୁଣ୍ଡଟେକି ଛିଡ଼ା ହୋଇଥିବା ଲିମ୍ବଗଛର ପତ୍ରଟାଏ ବି ଦୋହଲିଲାନି । ମଟରଗାଡ଼ି ଧୂଅାଁଛାଡ଼ି ଗାଁ ଦାଣ୍ଡରୁ ଅପସରି ଗଲା । ଖୁଣ୍ଟକୁ ଆଉଜି ବସି କେତେ କଣ ଭାବୁଥିଲା ମନୁଆ । ମାଣିକ ଲାଗିଗଲା ତା’ ଆଡେ । ତୁ ମନ ଦୁଃଖ କରନାରେ ମନୁ । ମୋ ପେଟରୁ ବାହାରି ଏଗୁଡା ଭଗାରି ସାଜିବେ କିଏ ଜାଣିଥିଲା । ମନୁଆ କହିଲା ବୁଝିଲୁ ବୋଉ ସେମାନେ କ’ଣ ନେଇ ଗଲେ ଯେ ତୁ ଏମିତି ଭାଳି ହଉଛୁ । ତୁ ଜାଣିନୁ ଲୋ ବୋଉ ମୋତେ ସବୁଠୁ ଭଲ ଜିନିଷ ମିଳିଛି । ମୋ ଭାଗରେ ମୋ ବାପାବୋଉଙ୍କ ଶ୍ରାଦ୍ଧ ସେବା ପଡିଛି । ଘର ଦେଇପିଣ୍ଡି ମାଣ ସେର ପଡ଼ିଛି । ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ମୋ ବୋଉକୁ ସେମାନେ ମୋ ପାଖରେ ଛାଡ଼ି ଦେଇ ଯାଇଛନ୍ତି । ୟାଠାରୁ ଆଉ ବଡ଼ ଭାଗ କ’ଣ ଅଛି କହିଲୁ ? ସେମାନେ ଯାହା ନେଇଛନ୍ତି ତାହା ସବୁ ମାଟି । ବିକିଲେ ମୁଠାମୁଠା ଟଙ୍କା ଯାହା ମିଳିବ । ମୋ ସମ୍ପତ୍ତିର ଯତ୍ନ ନେଲେ ମୋତେ ଯୋଉ ପୂଣ୍ୟ ମିଳିବ, ସେମାନେ କାହୁଁ ପାଇବେ । ମୋ ଭାଗରେ ସୁନାମୁଣ୍ଡା, ସେମାନଙ୍କ ଭାଗରେ ମାଟିମୁଠା ପଡିଛି ଲୋ ବୋଉ । ମୋ ଭାଗରେ ତୁ ପଡିଛୁ । ମାଣିକ ଆଖିରୁ ଧାରଧାର ଲୁହ ଝରି ଡୁଥିଲା । ନିଜ ଲୁହ ନ ପୋଛି, ପୁଅ ମୁହଁକୁ ଲୁଗା କାନିରେ ପୋଛି ଚାଲିଥିଲା ସେ ।


Rate this content
Log in

More oriya story from Matrudatta Mohanty

Similar oriya story from Inspirational