Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Others

3  

Kanan Bala Nayak

Others

କର୍ମ ଫଳ

କର୍ମ ଫଳ

4 mins
1.9K


ସେ ଦିନ ହଠାତ୍ ଅଫିସରେ ଆସି ପହଞ୍ଚିଲେ ନିରଞ୍ଜନ ମଉସା. ଭାରୀ ଦୁଃଖି ଦୁଃଖି ଦେଖା ଯାଉଥାଆନ୍ତି. ମୁଁ ତାଙ୍କୁ କହିଲି ଆପଣ କାହିଁକି କଷ୍ଟ କରି ଅଫିସ ଆସିଲେ. ମୋତେ ଖବର ଦେଇଥିଲେ ତ ମୁଁ ଘରକୁ ପଳାଇ ଯାଇ ଥାଆନ୍ତି.

ମଉସା କହିଲେ ତୋ ପାଖରେ ଗୋଟିଏ କାମ ଅଛି. ସେଥିପାଇଁ ଆସିଛି. ମୋତେ ଟିକେ ସାହାଯ୍ୟ କରି ପାରିବୁ.ମୁଁ କହିଲି କଣ କହୁ ନାହାଁନ୍ତି? ମୋ ଦ୍ବାରା ଯାହା ସମ୍ଭବ ହେବ ନିହାତି କରିବି.ମଉସା କହିଲେ ତୁ ଟିକେ ସାଗରକୁ ବୁଝାନ୍ତୁ ନାହିଁ, ତା ସ୍ତ୍ରୀ କୁ ଗାଁ ସ୍କୁଲକୁ ଟ୍ରାନ୍ସଫର୍ କରି ନେବା ପାଇଁ. ଆମେ ବୁଢା ବୁଢୀ ଦୁଇଟା ଗାଁ ରେ ଭାରି ହଇରାଣ ହେଉଛୁ. ମୁଁ କହିଲି ମଉସା ଆଜି କାଲିର ପିଲାମାନେ କଣ କଥା ମାନୁଛନ୍ତି ଯେ ମୁଁ ତାକୁ ବୁଝାଇବି. ତା ଛଡା ଆପଣ ମାନଙ୍କର ବୟସ ହେଲାଣି. ଆପଣ ମାନେ ଆସି ସାଗର ସହ ରହୁ ନାହାଁନ୍ତି.

ମଉସା କହିଲେ ଝିଅ ତୁ କଣ ଭାବୁଛୁ ମୁଁ ଏକଥା ଚିନ୍ତା କରିନି ବୋଲି. ତୋ ମାଉସୀଙ୍କୁ ମଧ୍ୟ ଏ ବିଷୟରେ ଅନେକ ଥର କହିଲିଣି. ସେ କିନ୍ତୁ ନ ଛାଡେ ବନ୍ଧା. କହୁଛି ଏତେ କଷ୍ଟରେ ଏ ଘର ସଂସାର କରିଛି. ତା ଛଡା ମୁଁ ସହରକୁ ଗଲେ ଏ ବୁଢୀ ଚଣ୍ଡୀ କଥା କିଏ ବୁଝିବ? ତାରି ଆଶୀର୍ବାଦ ରେ ମୁଁ ପରା ପାଞ୍ଚ ଟି ସନ୍ତାନର ଜନନୀ ହୋଇଛି. ମୋ ଚଉରାରେ ସଞ୍ଜବତୀ କିଏ ଜାଳିବ?ତୁମ ବୋହୂ ମାନେ ତ ସହରରେ. ମୁଁ ପଛେ ଏଇଠି ଏମିତି ପଡି ପଡି ମରିଯିବି କିନ୍ତୁ ୟାକୁ ଛାଡି କୁଆଡେ ଯିବିନି. ତେଣୁ ତୁ ଟିକେ ସାଗରକୁ ବୁଝା.ଅନ୍ୟ ଦୁଇ ପିଲା ନ ହେଲେ ନାହିଁ. ଅତ୍ଯନ୍ତ ସାଗର ତ ଆମ କଥା ବୁଝୁ. ତା ସ୍ତ୍ରୀ କୁ ଗାଁ ସ୍କୁଲକୁ ଟ୍ରାନ୍ସଫର୍ କରି ନେଉ. ସେତ ଆରମ ରେ ଗାଁ ରୁ ଅଫିସକୁ ଯିବା ଆସିବା କରି ପାରିବ.

ସାଗର ତୋ କଥା ବହୁତ ମାନେ. ତେଣୁ ତୁ ତାକୁ ବୁଝାଇଲେ ହୁଏତ ସେ ବୁଝି ଯିବ.ମୁଁ କହିଲି ଠିକ୍ ଅଛି ଚେଷ୍ଟା କରିବି. ନିରଞ୍ଜନ ମଉସା ମୋର ଦୂର ସମ୍ପର୍କୀୟ ମଉସା. ସେ ତାଙ୍କ ଗାଁ ଗୋବିନ୍ଦପୁରର ପ୍ରାଇମେରୀ ସ୍କୁଲ୍ ରେ ଶିକ୍ଷକତା କରୁଥିଲେ. ଜଣେ ଭାରୀ ସଚ୍ଚୋଟ ଓ ସ୍ନେହୀ ଶିକ୍ଷକ ଥିଲେ.

ମଉସା ଙ୍କର ତିନି ପୁଅ ଓ ଦୁଇ ଝିଅ.ମଉସା ଙ୍କ ପିଲା ମାନେ ଶକ୍ତ ଅନୁଶାସନ ଭିତରେ ବଢିଥିଲେ. ଝିଅ ମାନେ ବଡ଼ ହେଲା ପରେ ଭଲ ଘର ଓ ଭଲ ବର ଦେଖି ବାହାଘର କରାଇ ଦେଇଥିଲେ.ତିନି ପୁଅ ମଧ୍ୟରୁ ବଡ ପୁଅକୁ ଡକ୍ଟର, ସାନ ପୁଅକୁ ଇଞ୍ଜିନିୟର ଏବଂ ମଝିଆ ପୁଅକୁ ଜଣେ ସୁପରଭାଇଜର କରି ଥିଲେ. ବଡ ପୁଅ କୋରାପୁଟ ଚାକିରି କରୁଥିଲେ ଏବଂ ସାନ ପୁଅ ସାତ ସମୁଦ୍ର ତେର ନଈ ପାର ହୋଇ ସୁଦୂର ଜର୍ମାନୀରେ.

ଆଉ ମଝିଆ ପୁଅ ସାଗର ଗାଁ ଠାରୁ ପଚିଶ କିଲୋମିଟର ଦୂର ଆମ ଅଫିସ ରେ. ପୁଅ ମାନଙ୍କର ମଧ୍ୟ ବୟସ ହୁଅନ୍ତେ ଧନୀ ଘର ଓ ମୋଟା ଅଙ୍କର ଯୌତୁକ ଦେଇ ଥିବା ସମୁଦି ମଧ୍ୟ କରିଥିଲେ.ଖାଲି ଏ ସାଗର ଟା ଯାହା ଜଣେ ଶିକ୍ଷୟତ୍ରୀକୁ ବିବାହ କରିଥିଲା. କିଛି ବର୍ଷ ସୁରୁଖୁରୁରେ ଜୀବନ ଚାଲିଥିଲା. ନିରଞ୍ଜନ ମଉସା ଚାକିରିରୁ ଅବସର ଗ୍ରହଣ କଲେ. ଅତିକ୍ରାନ୍ତ ବୟସରେ ନା ନା ରୋଗରେ ମଧ୍ୟ ଆକ୍ରାନ୍ତ ହେଲେ.ବର୍ତ୍ତମାନ ପିଲା ମାନଙ୍କର ସାହାଯ୍ୟ ତାଙ୍କର ଦରକାର ହେଲା. ବାହାଘରର କିଛି ବର୍ଷ ପର୍ଯ୍ୟନ୍ତ ବଡ ପୁଅ ଓ ସାନ ପୁଅ ଘରକୁ ଆସୁଥିଲେ. କ୍ରମେ ତାହା ବନ୍ଦ ହେବାରେ ଲାଗିଲା.ପିଲାମାନଙ୍କ ପାଠ ପଢା ନାଁ ରେ ତାଙ୍କର ଗାଁ କୁ ଆସିବା ବନ୍ଦ ହୋଇଗଲା. ଖାଲି ଏ ସାଗର ଟା ଯାହା ମଝିରେ ମଝିରେ ଗାଁ କୁ ଯାଏ ଏବଂ ବାପା ମାଆ ଙ୍କର ଭଲ ମନ୍ଦ ବୁଝେ.

ଏବେ କିଛି ଦିନ ତଳେ ମାଉସୀଙ୍କ ଦେହ ହଠାତ୍ ଭାରୀ ଖରାପ ହେଲା. ତେଣୁ ସେ ଏବେ ଆଗ ଭଳି ଘର କାମ କରି ପାରୁନଥିଲେ.ସେଥିପାଇଁ ମଉସା ଚାହୁଁଥିଲେ ସାଗରର ସ୍ତ୍ରୀ କୁ ଗାଁ ପାଖ ସ୍କୁଲକୁ ବଦଳି କରି ନେବା ପାଇଁ.

ସେ ଦିନ ସାଗର ଅଫିସ ଆସିବା ପରେ ମୁଁ ତା ସହ ଏ ବିଷୟରେ ଆଲୋଚନା କଲି.ସାଗର କହିଲା ଅପା ଆପଣ ସିନା କହୁଛନ୍ତି କିନ୍ତୁ ମୋ ସ୍ତ୍ରୀ ଜମାରୁ ରାଜି ହେବନି. ତା ଛଡା ମୋ ପୁଅ ଏଇଠି ଡି. ଏ. ଭି ସ୍କୁଲରେ ପଢୁଛି. ତାର ନାଚ ଗୀତ କ୍ଲାସ ମଧ୍ୟ ଚାଲିଛି. ମୋ ଝିଅବି ଛୋଟ ଅଛି. ତା ର ସବୁବେଳେ ଥଣ୍ଡା କାଶ ଲାଗି ରହୁଛି.ଏଇଠି ଡକ୍ଟର ଙ୍କୁ ଦେଖାଉଛି. ଗାଁ ରେ ନାଁ ଇଂରାଜୀ ମିଡିୟମ ସ୍କୁଲ ଅଛି ନାଁ ଭଲ ଡାକ୍ତରଖାନା ଟେ ଅଛି. ମୋ ସ୍ତ୍ରୀ ଜମାରୁ ରାଜି ହେବନି. ମୋ ଶ୍ବଶୁର ଘର ମଧ୍ୟ ଏଇ ପାଖରେ, ସୁବିଧା ଅସୁବିଧାରେ ସେମାନେ ସାହାଯ୍ୟ କରୁଛନ୍ତି.

ତା ଛଡା ବାପା ତ ତାଙ୍କ କଲା କର୍ମର ଫଳ ପାଉଛନ୍ତି. ପିଲାମାନେ ବଡ ବଡ ଚାକିରି କରୁଛନ୍ତି ବୋଲି ଭଲ ଘର ଓ ଭଲ ଝିଅ ନ ଖୋଜି ବେଶୀ ଟଙ୍କା ଲୋଭରେ ଧନୀଘରର ଝିଅ ମାନଙ୍କୁ ବୋହୂ କରି ଆଣିଲେ.ସେମାନେ ଆମ ଘରର ଚଳଣି ସହ ଖାପ ଖୁଆଇ ଚଳି ପାରିଲେ ନାହିଁ. ବଡ ଭାଉଜ ବଡ଼ ଭାଇଙ୍କୁ ଶିଖାଇ ତାଙ୍କ ଚାକିରି ଯାଗାରେ ରହିଲେ. ଆଉ ସାନ ଭାଇ ତ ବିଦେଶୀ ନାଗରିକ ହୋଇଗଲା. ସେ ଦୁଇ ଜଣ କଣ ବାପାଙ୍କ ପୁଅ ନୁହଁନ୍ତି?ତା ଛଡା ଦୁଇ ଜଣ ଭଉଣୀ ମଧ୍ୟ ଅଛନ୍ତି. କାହିଁ ବାପା ତ ତାଙ୍କୁ କିଛି କହୁ ନାହାଁନ୍ତି.

ମୁଁ ତ ଛୁଟି ଦିନରେ ଗାଁ କୁ ଯାଇ ତାଙ୍କ କଥା ବୁଝି ଆସୁଛି, ତେଣୁ ସେଠାକୁ ଟ୍ରାନ୍ସଫର୍ ହୋଇ ଯିବା କଣ ଦରକାର. ତାଙ୍କୁ ଯଦି ଗାଁ ରେ ଭଲ ଲାଗୁନି ସେମାନେ ଆସି ମୋ ସହ ରୁହନ୍ତୁ. ସେମାନେ ତ ଅସ୍ତମିତ ସୂର୍ଯ୍ୟ ତାଙ୍କ ପାଇଁ ମୁଁ ମୋ ପିଲାଙ୍କ ଭବିଷ୍ୟତ ବରବାଦ କରି ପାରିବି ନାହିଁ.

ଏତିକି କଥା ରୋକ୍ ଠୋକ୍ ଶୁଣାଇ ଦେଇ ସାଗର ମୋ ରୁମ୍ ରୁ ବାହାର କୁ ବାହାରି ଗଲା .

ନିରଞ୍ଜନ ମଉସା ଆସିଲେ କଣ ଜବାବ ଦେବି ଭାବୁଥିଲି. ଆଜି କାଲି ପ୍ରତେକ ବାପା ମାଆ ନିଜ ପିଲାମାନେ କେମିତି ବଡ ଚାକିରି କରିବେ ଓ ବିଦେଶ ଯିବେ ସେ କଥା ଚିନ୍ତା କରୁଛନ୍ତି. ନିରଞ୍ଜନ ମଉସା ମଧ୍ୟ ଠିକ୍ ସେଇ କାମ କରିଛନ୍ତି.ସତରେ କଣ ସିଏ ଭୁଲ୍ କରିଛନ୍ତି. ନାଁ ପିଲା ମାନେ ବଡ ହୋଇ ନିଜର ଘର ସଂସାର କଲାପରେ ବାପା ମାନଙ୍କର ସବୁ ନିଷ୍ପତ୍ତି ଏମିତି ଭୁଲ ବୋଲି ପ୍ରମାଣିତ ହୁଏ. ଆଉ ବାପା ମାଆ ମାନେ ଏମିତି ବିଚରା ପାଲଟି ଯାଆନ୍ତି.

ସାଗର ଚାଲିଯାଉଥିବା ରାସ୍ତାକୁ ମୁଁ ଏକ ଲୟରେ ଅନାଇ ରହିଥିଲି ଆଉ ମୋ କାନରେ ପ୍ରତିଧ୍ଵନିତ୍ବ ହେଉଥିଲା ସେ କହିଥିବା ସେଇ କଥା ପଦଟି 'ବାପା ତାଙ୍କ କଲା କର୍ମର ଫଳ ପାଉଛନ୍ତି'.


Rate this content
Log in