Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Romance Tragedy

4.9  

Bismita Sahoo

Romance Tragedy

ନଷ୍ଟଚରିତ୍ର

ନଷ୍ଟଚରିତ୍ର

7 mins
535


ଆଜି ତା ପ୍ରିୟାର ବାହାଘର। ହଳଦୀ ଗୁରୁଗୁରୁ ଦେହକୁ ନାଲି ପାଟ ଖୁବ୍ ମାନୁଥିବ। ଆଉ କିଛି ସମୟ ମଧ୍ୟରେ ମଥାରେ ସିନ୍ଦୂର , ହାତରେ ନାଲି ଶଙ୍ଖା, ପାଦରେ ନାଲି ଅଳତା ପିନ୍ଧି ଅନ୍ୟ କାହା ହାତ ଧରି ତାକୁ ସାତ ପର କରିଦେଇ ଚାଲିଯିବ। ଯାହା ସହିତ ସାରା ଜୀବନ ଏକାଠି ବିତେଇବା ପାଇଁ ସ୍ୱପ୍ନ ଦେଖିଥିଲା ଆଜି ସେ ତାକୁ ସବୁଦିନ ପାଇଁ ଏକୁଟିଆ ନିରାଶ୍ରୟ କରି ଚାଲି ଯାଉଛି। ମାନସୀ ତା ମନର ମାନସୀ। ଯାହାର ନାମ ସ୍ମରଣ କରିବା ମାତ୍ରେ ତା ହୃଦୟରେ ଆଙ୍କି ହେଇଯାଏ ଇନ୍ଦ୍ରଧନୁର ସପ୍ତରଙ୍ଗ। ତା ଶରୀରରେ ସୃଷ୍ଟି ହୁଏ ଅଦ୍ଭୁତ କମ୍ପନ। ସତେ ଯେମିତି ତାର ପ୍ରତ୍ୟେକଟି ସ୍ନାୟୁରେ ଖେଳିଯାଏ ପ୍ରେମର ତରଙ୍ଗ। କି ସମ୍ମୋହନ ଶକ୍ତି ଅଛି ମାନସୀ ପାଖରେ ଯେ ସେ ଆପଣାଛାଏଁ ଟାଣି ହୋଇଯାଏ ତା ପାଖକୁ। ଦିନେ ନ ଦେଖିଲେ ତାକୁ ଶାନ୍ତି ମିଳେନି। ଶୟନେ, ସ୍ବପନେ, ଜାଗରଣେ ସବୁବେଳେ ଭାସି ଉଠେ ତା ଚେହେରା। ହେଲେ ଏବେ ତା ମାନସୀ ଆଉ କାହାର ସ୍ତ୍ରୀ ପାଲଟି ଯିବ। 


    ମାନବ - ମାନସୀ। ଜଣେ ଛାୟା ତ ଆର ଜଣକ ତା କାୟା। କାୟା ବିନା ଛାୟାର କୌଣସି ଅସ୍ତିତ୍ବ ନାହିଁ। ପାଟି ଭିତରକୁ ବହି ଆସୁଥିବା ଲୁହକୁ ସେ ଜିଭରେ ଚାଟିଦେଲା। ଏଇ ଲୁହ ପ୍ରତି ମାନସୀର ଅନେକ ଦୁର୍ବଳତା। ସେ କୁହେ ଝିଅମାନେ ନାକ କାନ୍ଦୁରୀ। ଟିକିଏ କଥାରେ ସକ ସକ ହୁଅନ୍ତି, କିନ୍ତୁ ପୁଅ ମାନଙ୍କ ଲୁହ ଅମୂଲ ମୂଲ। ଯେତେ ପର୍ଯ୍ୟନ୍ତ କଷ୍ଟ ତାଙ୍କ ଶରୀରକୁ ସମ୍ପୂର୍ଣ୍ଣ ରୂପେ କବଳିତ ନ କରିଛି ସେତେ ପର୍ଯ୍ୟନ୍ତ ତାଙ୍କ ଆଖିରୁ ବୁନ୍ଦାଏ ଲୁହ ଝରେନି। ଏ ତ ଲୁହ ନୁହେଁ, ପୁରୁଷ ମନର କୋହ। 


  ମାନସୀ ତା ସହିତ ଏପରି କଲା କାହିଁକି? ହେ ଭଗବାନ ସେ ମାନସୀ ବିନା ରହିବ କେମିତି? ବରଂ ଯେଉଁ ଜୀବନରେ ମାନସୀ ନାହିଁ ସେ ଜୀବନ ତ୍ୟାଗ କରିଦେବା ଶ୍ରେୟସ୍କର। ମାନବ ନଦୀର ପାଣିକୁ ଚାହିଁଲା। ପୂର୍ଣ୍ଣମୀର ଆଲୁଅରେ ନଦୀର ପାଣି ଚିକ୍ ଚିକ୍ କରୁଥିଲା। ଏଇ ନଦୀ ତୀରରେ ସେ ଘଣ୍ଟା ଘଣ୍ଟା ସମୟ ମାନସୀ ସହିତ ଅତିବାହିତ କରିଛି। ଏଇ ନଦୀ ହିଁ ତାର ପ୍ରେମର ସାକ୍ଷୀ। ତା ପ୍ରେମ ମରି ଯିବା ପୂର୍ବରୁ ସେ ଏ ଅଗାଧ ଜଳରେ ସମାଧି ନେବା ଉଚିତ ହେବ। ସେ ଡେଇଁବାକୁ ଉଦ୍ୟତ ହେଉଛି କେହିଜଣେ ତା ହାତକୁ ଧରି ପକେଇଲା। ସେ ବୁଲିପଡ଼ି ଦେଖିଲା। ଏ ତ ମାନସୀର ଭାଉଜ। ହେଲେ ଏତେ ରାତିରେ ଏଠି? 


 - ଏ କଣ ହେଉଛି ମାନବ? ତୁମ ପରି ସାହସୀ ପିଲା ଭୀରୁଙ୍କ ପରି ରାତ୍ରୀର ଅନ୍ଧକାରରେ ଯଦି ଜୀବନ ତ୍ୟାଗ କରିବ ତେବେ ତାକୁ ସମାଜ କଣ କହିବ? ତୁମ ମାନସୀ ତୁମ ମଲା ଖବର ପାଇ ସଯ୍ୟ କରିପାରିବ ତ? ଯଦି ଏପରି କରିବାର ଥିଲା ତେବେ ସେଦିନ ମୋତେ ବଞ୍ଚେଇଲ କଣପାଇଁ? ସବୁର ମୂଳ କାରଣ ମୁଁ। ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ।


ମାନସୀର ଭାଉଜ କହିଲେ।


- ମାନସୀର ବାହାଘର ଚାଲିଛି, ତୁମେ ଏଠି କଣ କରୁଛ? ଯଥାଶୀଘ୍ର ତୁମେ ଘରକୁ ଯାଅ। ନଚେତ ତୁମକୁ ସମସ୍ତେ ସନ୍ଦେହ କରିବେ।


- ମୋ କଥାର କିଛି ଉତ୍ତର ଦେଲନି ଯେ? ତୁମେ କାପୁରୁଷଙ୍କ ପରି ଜୀବନ ଯୁଦ୍ଧରେ ପଛଘୁଞ୍ଚା କିପରି ଦେଉଛ? 


- ଭାଉଜ ମୋ ଜୀବନର କିଛି ମୂଲ୍ୟ ନାହିଁ। ମାନସୀ ଯେବେଠାରୁ ମୋତେ ସନ୍ଦେହ କରିଛି ସେହି ଦିନଠାରୁ ମୁଁ ସବୁଦିନ ପାଇଁ ମରି ସାରିଛି। ଆଜି ଖାଲି ଏ ଶରୀରକୁ ତ୍ୟାଗ କରିଥାନ୍ତି। 


 - ମୁଁ ଜାଣେ ମୋ ପାଇଁ ତୁମର ଏ ଅବସ୍ଥା। ସେ କାଳରାତ୍ରୀକୁ ମୁଁ ଭୁଲି ପାରୁନି। ମାନସୀର ଭାଉଜ କହିଲେ।

 

  ହଁ କାଳରାତ୍ରୀ ନୁହେଁ ତ ଆଉ କଣ। ସେ ରାତ୍ରୀର କଥା ମାନବର ଚକ୍ଷୁପଟଳରେ ଉଦ୍ଭାସିତ ହେବାକୁ ଲାଗିଲା। ସେଦିନ ଥିଲା ମାନସୀର ଜନ୍ମଦିନ। ତା ବାପା ମା ଗୋଟିଏ ବାହାଘର ଭୋଜିରେ ଯାଇଥିଲେ। ଏମିତି ତ ତା ବଡ଼ଭାଇ ବାହାରେ ଚାକିରୀ କରନ୍ତି। ତେଣୁ ମାନସୀ ଓ ତା ଭାଉଜ ସମ୍ପୂର୍ଣ୍ଣ ଏକା। ତା ପ୍ରେୟସୀର ଜନ୍ମଦିନରେ ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ସେ ହାତଛଡ଼ା କରିବାକୁ ଚାହୁଁନଥିଲା। ତେଣୁ ସେ ମାନସୀକୁ ସରପ୍ରାଇଜ ଦେବା ପାଇଁ ତାକୁ ଖବର ନଦେଇ ହାତରେ ଗୋଟିଏ ନାଲି ଗୋଲାପ ଧରି ହାଜର ହେଲା। ଦାଣ୍ଡ କବାଟ ଦର ଆଉଜା ଥିଲା। ତେଣୁ ସେ ଚୁପଚାପ ମାନସୀର କୋଠରୀରେ ପ୍ରବେଶ କରିଲା। ଘରଟିରେ ମୁଖ୍ୟ ଆଲୋକ ବନ୍ଦ ଥିଲା। ଗୋଟିଏ କ୍ଷୀଣ ନାଲି ବତୀ ଯାହା ଦୁକ୍ ଦୁକ୍ କରୁଥିଲା। ମାନସୀ ତା ଶଯ୍ୟାରେ ଗୋଟିଏ କଣକୁ ମାଡ଼ି ଶୋଇଥିଲା। କଳା ଶାଢୀରେ ସେ ଅତି ଆକର୍ଷଣୀୟା ଦିଶୁଥିଲା। ଠିକ୍ ଅଜନ୍ତାର କାମୋଦ୍ଦୀପକ ନାରୀ ମୂର୍ତ୍ତି ପରି। ମାନବ ନିଜକୁ ଆଉ ଆୟତ୍ତରେ ରଖି ପାରିଲାନି। ନାଲି ଗୋଲାପଟିକୁ ତା କଟୀରେ ଛୁଆଁଇ ଦେଇ ତାକୁ ଭିଡ଼ି ଆଣିଲା ତା ଛାତି ଉପରକୁ। ଚୁମିଗଲା ସାରା ଶରୀର। ଏସବୁ କଥାରେ କେବେ ରାଜି ହେଉନଥିବା ମାନସୀ କିନ୍ତୁ ଆଜି ଅତି ସହଜରେ ମାନବକୁ ଧରା ଦେଇ ଦେଇଥିଲା। ମାନବ ମନରେ ଆଦିମ କ୍ଷୁଧାଟି ବଳବତ୍ତର ହେବାକୁ ଲାଗିଲା। ଦୁହେଁ ଅତି ନିବିଡ଼ ଅବସ୍ଥାକୁ ଚାଲି ଆସିଲେ। ହଠାତ ଘରର ବତୀ କିଏ ଜଳେଇ ଦେଲା। 


- ଏ କଣ ହେଉଛି ମାନବ? ତୁମେ ଏ କଣ କରୁଛ? 


- ମୋତେ ବଞ୍ଚାଅ ମାନସୀ। ମୋତେ ଏ ରାକ୍ଷସ କବଳରୁ ବଞ୍ଚାଅ। ମୁଁ ମାନସୀ ନୁହେଁ ବୋଲି ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ସେ ମୋ ଉପରେ ଜବରଦସ୍ତି ମାଡ଼ି ବସିଛି। 


ନିଜ ଆଖି ସାମ୍ନାରେ ମାନସୀକୁ ଦେଖି ମାନବ ହତବମ୍ବ ହେଇଗଲା। ତାହାହେଲେ ଏବେ ଯାଏ ଯିଏ ତା ଶରୀର ସହିତ ଖେଳୁଥିଲା ସେ କିଏ?


ମାନସୀର ଭାଉଜ ନିଜ ଶାଢ଼ୀ ସଜାଡ଼ି ସଜାଡ଼ି ଖଟ ଉପରୁ ତଳକୁ ଡେଇଁ ମାନସୀର ହାତ ଧରି କହିଲେ


- ମାନସୀ ଏ ସୈତାନର କେବେଠାରୁ ମୋ ଉପରେ ଲୋଲୁପ ଦୃଷ୍ଟି ରଖିଥିଲା। ଆଜି ତୁମ ଅନୁପସ୍ଥିତିର ସୁଯୋଗ ନେଇ ମୋ ସତୀତ୍ୱ ସହିତ ଖେଳ ଖେଳିବାକୁ ଚାହୁଁଥିଲା। ମୋତେ ଏ ପାମର ପୁଣି କହୁଛି ମୁଁ କୁଆଡେ ଦିବ୍ୟସୁନ୍ଦରୀ। ଠିକ୍ ଅଜନ୍ତା ମୂର୍ତ୍ତି ପରି।


ମାନସୀର ମୁଣ୍ଡ ଝାଇଁ ଝାଇଁ କରୁଥିଲା। ସିଏ କାହା କଥାକୁ ବିଶ୍ୱାସ କରିବ? ଗୋଟିଏ ପଟେ ତା ଭାଉଜ ଓ ଆର ପଟେ ତା ପ୍ରେମିକ। ବିବାହର ଦଶଦିନ ପରଠାରୁ ଭାଇ ଦିଲ୍ଲୀରେ। ତିନି ଚାରିମାସରେ ଥରେ ଘରକୁ ଆସି ଦୁଇ ତିନି ଦିନ ରହି ନିଜ କର୍ମକ୍ଷେତ୍ରକୁ ଚାଲି ଯାଆନ୍ତି। ଭାଉଜ କେବେ ବି କୌଣସି ପରପୁରୁଷ ଆଡ଼କୁ ଚାହିଁବା ସେ ଦେଖିନି। ଘର ଗୋଟାଯାକର କାମ ସେ ବିନା ଦ୍ବିଧାରେ କରନ୍ତି। ତାଙ୍କୁ ସନ୍ଦେହ କରିବା ମୂର୍ଖାମୀ। 


ପ୍ରତ୍ୟେକଟି ପୁରୁଷ ବୋଧେ ନାରୀକୁ କେବଳ ସମ୍ଭୋଗ ଦୃଷ୍ଟିରେ ଦେଖେ। କେବଳ ନିଜ ରକ୍ତକୁ ଛାଡିଦେଲେ ଅନ୍ୟମାନେ ତା ପାଇଁ ଭୋଗ୍ୟବସ୍ତୁ। ଏଥିରୁ ମାନବ ବାଦ୍ ପଡ଼ିବ କିପରି? ମାନସୀର ଭାଉଜ ବଡ଼ ପାଟିରେ କାନ୍ଦି କାନ୍ଦି ତାଙ୍କ କରୁଣ କାହାଣୀ କହୁଥାନ୍ତି। କଥାରେ ଅଛି ଦୁର୍ଯୋଗ ଯେତେବେଳେ ଆସେ ତା ଭାଇ ବନ୍ଧୁ କୁଟୁମ୍ବକୁ ନେଇ ଆସେ। ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ମାନସୀର ବାପା ମା ପହଞ୍ଚିଗଲେ। ବୋହୂ ମୁହଁରୁ ସବୁ ଶୁଣି ମାନବକୁ ନଷ୍ଟଚରିତ୍ର କହି ଗଳା ଧକ୍କା ଦେଇ ତାକୁ ବାହାର କରିଦେଲେ। ମାନସୀଘରୁ ତଡ଼ା ଖାଇଲା ବୋଲି ତାର ମନ ଯେତିକି ଦୁଃଖ ନଥିଲା ମାନସୀ କିପରି ତାକୁ ଏକ ନଷ୍ଟ ଚରିତ୍ର ବୋଲି ଭାବିଦେଲା ସେ ବୁଝି ପାରିଲାନି। ମାନବ ଚାହିଁଥିଲେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରିଥାନ୍ତା, କିନ୍ତୁ ଯେଉଁଠି ପ୍ରେମିକା ପ୍ରେମିକକୁ ଅବିଶ୍ୱାସ କରୁଛି ସେଠି ପ୍ରେମର ସ୍ଥାନ କାହିଁ? ମାନସୀର ନୀରବତା ପରୋକ୍ଷରେ ମାନବକୁ ସବୁକିଛି ସୂଚାଇ ଦେଉଥିଲା। ତେଣୁ ମାନବ ବେଇଜ୍ଜତ ହେଇ ଚୁପଚାପ ସେ ସ୍ଥାନ ପରିତ୍ୟାଗ କରିଥିଲା।


     ସେଦିନଠାରୁ ମାନବ ମାନସୀକୁ କେବେ ଦେଖା କରିନି କି ମାନସୀ ମାନବ ସାମ୍ନାକୁ ଆସିନି। ନଷ୍ଟ ଚରିତ୍ରର ମୋହର ନେଇ ମାନସୀ ପାଖକୁ ଯିବାକୁ ସେ କେବେ ସାହସ କରି ପାରିନି କିନ୍ତୁ ତା ମନ କୁହେ ମାନସୀ ଦିନେ ନା ଦିନେ ପ୍ରକୃତ ସତ୍ୟ ଜାଣିପାରି ତା ପାଖକୁ ଫେରି ଆସିବ। ହେଲେ ମାନସୀ ବିବାହ କରୁଥିବା କଥା ଶୁଣି ତା ନିଜ ଉପରୁ ବିଶ୍ୱାସ ତୁଟି ଯାଇଥିଲା। ସତରେ କଣ ତାର ଭଲ ପାଇବା ଏତେ ଦୁର୍ବଳ ଥିଲା ଯେ ଛୋଟିଆ ଝଡ଼ ତାକୁ ଛାରଖାର କରିଦେଲା। 


- ମାନବ ମୋତେ କ୍ଷମା କରିଦିଅ। ମୋ ପାଇଁ ତୁମେ ଆଜି ଏତେ ଅପମାନ ଓ ଅପବାଦର ଶିକାର ହେଇଛ। ସେଦିନ ମୁଁ ନିଜର ସ୍ଥିତି ହରେଇ ଦେଇଥିଲି। ଘଡ଼ିଏ ପାଇଁ ମୋର ମତିଭ୍ରମ ଘଟିଥିଲା। ସଦାବେଳେ ସ୍ୱାମୀଙ୍କଠାରୁ ଦୂରରେ ରହୁଥିଲି। ମନକୁ ବୁଝେଇ ରଖିଥିଲି। କିନ୍ତୁ ତୁମେ ଯେତେବେଳେ ମାନସୀ ଭାବି ମୋତେ କୋଳେଇ ନେଲ ମୋ ଦେହର ଭୋକ ତା ଫଣାରେ ମୋତେ ଦଂଶିବାକୁ ଲାଗିଲା। ମୁଁ ତାର ଜ୍ୱାଳାରେ ବିଷାକ୍ତ ହେଇଗଲି। ମାନସୀଙ୍କ ଆଗରେ ଧରା ପଡିଯିବା ଭୟରେ ସବୁ ଦୋଷ ତୁମ ଉପରେ ଲଦି ଦେଲି। 


   ଏହା କହି ଭାଉଜ ମାନବର ପାଦ ତଳେ ପଡ଼ିଗଲେ। ଭାଉଜଙ୍କୁ ତଳୁ ଉଠେଇ ମାନବ ତାଙ୍କୁ ଘରକୁ ଫେରିଯିବା ପାଇଁ କହିଲା। ଭାଉଜ ତା ହାତରେ ଚିଠିଟିଏ ଧରେଇ ଦେଇ ଚାଲିଗଲେ। ମାନବ ଚିଠିଟି ଖୋଲିଲା। 


ମାନସୀ ଚିଠିରେ ଲେଖିଥିଲା


- ମାନବ, କେମିତି ଅଛ? 

ମୁଁ ଜାଣେ ଏତିକି ପଚାରିବାର ଅଧିକାର ବି ମୁଁ ହରେଇ ବସିଛି। ଜୀବନରେ ଏମିତି ଗୋଟିଏ ମୋଡ଼ରେ ଆମେ ଦୁହେଁ ପହଁଚିଯିବା ବୋଲି ମୁଁ କେବେ ଭାବି ନଥିଲି। ମୁଁ ଆଜି ସିନା ତୁମଠାରୁ ଦୂରକୁ ଚାଲି ଯାଉଛି ହେଲେ ମୋ ହୃଦୟ ଏବେ ବି ତୁମ ପାଖରେ ବନ୍ଧା ପଡିଛି। ମୁଁ ତୁମକୁ କେବେ ବି ସନ୍ଦେହ କରିନି କି ବଞ୍ଚିଥିଲା ଯାଏ କେବେ କରିପାରିବିନି। ତୁମେ ଯେ ନିର୍ଦ୍ଦୋଷ ମୁଁ ଜାଣେ। ମୋ ପ୍ରେମ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି, ଆମେ କିନ୍ତୁ ସଭିଏଁ ପରିସ୍ଥିତିର ଦାସ। 

    ତୁମକୁ ଯେତେବେଳେ ସେ ରାତିରେ ଭାଉଜଙ୍କ ସହିତ ଅସଂଯତ ଅବସ୍ଥାରେ ଦେଖିଲି ମୋ ମନ ଟିକିଏ ବି ଚହଲି ନଥିଲା। ମୁଁ ତୁମର ପରିସ୍ଥିତି ବୁଝିପାରିଥିଲି। କାରଣ ମୁଁ ହିଁ ଭାଉଜଙ୍କୁ ମୋ କଳା ଶାଢ଼ୀ ପିନ୍ଧିବାକୁ ଦେଇଥିଲି। ମା ବାପା ନଥିବାରୁ ରାତିରେ ଡର ଲାଗିବ ବୋଲି ଆମେ ଭାଉଜ, ନଣନ୍ଦ ଦୁହେଁ ଏକାଠି ଶୋଇବାର ନିଷ୍ପତ୍ତି ନେଇଥିଲୁ। ଭାଉଜ ଖଟରେ ଗଡ଼ପଡ଼ ହେଉଥିଲେ ଓ ମୁଁ ସେତେବେଳେ ପୋଷାକ ବଦଳେଇବା ପାଇଁ ଗାଧୁଅଘରେ ଥିଲି। ମୋ ଶାଢ଼ୀକୁ ଦେଖି ତୁମେ ଭାଉଜଙ୍କୁ ମୁଁ ବୋଲି ଧରି ନେଇଛ ଏହା ଜାଣିପାରିଥିଲି। ଭାଉଜଙ୍କର ବ୍ୟବହାର ପାଇଁ ମୁଁ କିଛି ସମୟ ପାଇଁ ନିର୍ବାକ ପାଲଟି ଯାଇଥିଲି। ଯେତେବେଳେ ସଂବିତ ଫେରି ପାଇଲି ବାପା ମା ଦୁହେଁ ମୋ ଆଖି ଆଗରେ ଥିଲେ। ମୋର ଇଚ୍ଛା ହେଉଥିଲା ପାଟିକରି ସତ ଉପରୁ ପରଦା ହଟେଇ ଦେବି, ହେଲେ ଦୋଳିରେ ଶୋଇଥିବା ଭାଉଜଙ୍କ କୁନି ପୁଅର କାନ୍ଦ ମୋତେ ଅସ୍ତବ୍ୟସ୍ତ କରିଦେଲା। 


   ସତ କହିଲ ଯଦି ମୁଁ ସେଠି ଭାଉଜଙ୍କୁ ଧରା ପକେଇଦେଇଥାନ୍ତି ତେବେ ମୋ ବାପା ମା କଣ ମୋ ଭାଉଜଙ୍କୁ ଘରେ ରଖିଥାନ୍ତେ? ଭାଇ କଣ ଭାଉଜଙ୍କୁ ପତ୍ନୀର ସ୍ୱୀକୃତି ଦେଇଥାନ୍ତେ? କଣ ହେଇଥାନ୍ତା ସେ କୁନି ପୁଅର ଭବିଷ୍ୟତ? ଯିଏ ଦୁନିଆରେ ଠିକ ଭାବରେ ପାଦ ବି ଥାପିନି କେମିତି ତା ରାସ୍ତାରେ କଣ୍ଟା ବିଛେଇ ଦେଇଥାନ୍ତି? ମୋ ନାରୀ ମନର ମାତୃତ୍ୱ ଯେମିତି ବିଳାପି ଉଠିଲା? ମୁଁ କିଛି କ୍ଷଣ ପାଇଁ ମା ଟିଏ ପାଲଟିଗଲି।  


  ତୁମେ କେବେଠାରୁ ମୋ ମନ ମନ୍ଦିରର ଦେବତା ସାଜିଥିଲ କିନ୍ତୁ ଯେତେବେଳେ ତୁମେ ଭାଉଜଙ୍କୁ ବଞ୍ଚେଇବାକୁ ଯାଇ ଏକୁଟିଆ ଅପମାନର ଗରଳ ପିଇଗଲ ମୁଁ ତୁମ ଚରଣର ଦାସୀ ବନିଗଲି। ସାରା ଜୀବନ ପାଇଁ ମୋ ପରିବାର ତୁମ ନିକଟରେ ଋଣୀ ହେଇ ରହିଗଲେ। ତୁମ ପ୍ରେମ ମୋ ହୃଦୟ ଭିତରୁ ଛଟପଟ ହେଇ ସତେ ଯେମିତି ମୋତେ ଅନୁରୋଧ କରୁଥାଏ ମା ବାପାଙ୍କୁ ସତ୍ୟ ବିଷୟରେ ଅବଗତ କରିଦେବା ପାଇଁ। ତୁମେ ନଷ୍ଟଚରିତ୍ରର ଆଖ୍ୟା ପାଇଲା ପରେ ବି ତୁମେ ଚୁପ୍ ଥିଲ, ତୁମେ ବୋଧେ ଚାହୁଁନଥିଲ ମୋ ଭାଉଜଙ୍କ ଚରିତ୍ରରେ କଳଙ୍କର ଦାଗ ଲାଗୁ। ତାଙ୍କ ସମ୍ମାନ ଧ୍ୱଂସ ହେଉ। ତେଣୁ ମୁଁ ତୁମ ନିଷ୍ପତ୍ତିକୁ ନୀରବରେ ସମର୍ଥନ ଜଣେଇଥିଲି। 


 ଏ ଦାସୀ ତୁମ ହୃଦୟ ମନ୍ଦିରରେ ରହିବାର ଯୋଗ୍ୟତା ହରେଇ ସାରିଥିଲା। ତୁମ ମହାନତା ଆଗରେ ମୁଁ ନିଜକୁ ଅତି କ୍ଷୁଦ୍ର ମନେ କରୁଥିଲି। ତୁମ ପାଇଁ ଆମ ଘରର ମାନ ଇଜ୍ଜତ ସବୁ ବଞ୍ଚିଗଲା। ଭାଉଜ ବି ଜଣେ ରକ୍ତ ମାଂସଧାରୀ ମଣିଷ। ଜଣେ ନବ ବିବାହିତା ପତ୍ନୀ ତା ସ୍ୱାମୀଠାରୁ ଦୂରରେ ରହି କେତେ ଯେ ଯନ୍ତ୍ରଣା ପାଉଥିବ ତାହା ମୁଁ ନାରୀ ହିସାବରେ ବୁଝି ପାରୁଥିଲି। ସେ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଯେଉଁ ଭୁଲ କରିଛନ୍ତି ତା ପାଇଁ ତାଙ୍କ ବିବେକ ତାଙ୍କୁ ନିଶ୍ଚୟ ଧିକ୍କାର କରୁଥିବ। 


 ହେଲେ ତୁମକୁ ଯଦି ମୁଁ ବିବାହ କରେ ଭାଉଜ ମୋତେ ଯେତେବେଳେ ତୁମ ସହିତ ଦେଖିବେ ଆତ୍ମଗ୍ଲାନିରେ ବଞ୍ଚିବା ତାଙ୍କ ପାଇଁ ଅସହ୍ୟ ହେଇଯିବ। ସେ ନିଜକୁ କେବେ ବି କ୍ଷମା କରି ପାରିବେନି। ତୁମେ ମଧ୍ୟ ଭାଉଜଙ୍କୁ ଯଥାମାନ୍ୟ ଦେଇପାରିବେନି। ମୋ ମା ବାପାଙ୍କ ମୁଣ୍ଡ ସଦାବେଳେ ତୁମ ଆଗରେ ତଳକୁ ରହିବ। ତୁମକୁ ଭୁଲ ବୁଝିଲେ ବୋଲି ନିଜକୁ ତିରସ୍କାର କରିବେ। ତେଣୁ ଏପରି କ୍ରୁର ନିଷ୍ପତ୍ତି ନେଲି। ତୁମକୁ ଜୀବନରେ କିଛି ଦେଇ ତ ପାରିଲିନି କିନ୍ତୁ ତୁମ ଭଲପାଇବାକୁ ମୁଁ ମୋ ସାଥିରେ ନେଇ ଯାଉଛି। ତାକୁ ପାଥେୟ କରି ମୁଁ ସାରା ଜୀବନ କାଟିଦେବି। 


   ତୁମପରି ଚରିତ୍ରବାନର ସ୍ତ୍ରୀ ହେବା ମୋ ଭାଗ୍ୟରେ ନାହିଁ। ମୋ ପାଇଁ କେବେହେଲେ ତୁମେ ଆଉ ଆଖିରୁ ଲୁହ ଗଡେଇବନି। ତୁମେ ଜାଣ ତୁମ ଆଖିର ଲୁହକୁ ମୁଁ ବରଦାସ୍ତ କରି ପାରେନି। ଆଜିଠୁ ତୁମର ମୋର ଦୁନିଆ ସମ୍ପୂର୍ଣ୍ଣ ଅଲଗା। ତୁମେ ତ ମୋର କେବେ ହେଇ ପାରିଲନି । ଖାଲି ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା କରିବ ଯେ ମୋ ଭାବୀ ବର ତୁମ ପରି ହୃଦୟବାନ ହେଇଥାନ୍ତୁ। ନିଜର ଯତ୍ନ ନେବ। 

    ଇତି

ତୁମର କେହି ନୁହେଁ


ମାନବ ମାନସୀର ଚିଠିଟିକୁ ପଢ଼ି ନଦୀରେ ଭସାଇ ଦେଲା। ଯାହାର ସୁଅରେ ଦୁହିଁଙ୍କ ଭଲ ପାଇବା ଭାସି ଯାଉଥିଲା, କିନ୍ତୁ ମାନବର ଆଖି ଦୁଇଟିରେ ପରମ ତୃପ୍ତିର ଝଲକ ଦିଶୁଥିଲା।



Rate this content
Log in

Similar oriya story from Romance