Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Inspirational

3  

Jyotiranjan Sahu

Inspirational

ସ୍ବଚ୍ଛ ଭାରତ

ସ୍ବଚ୍ଛ ଭାରତ

6 mins
573


ଆଜ୍ଞା ! ଆପଣମାନେ ଏହି କିଛି ବର୍ଷ ହେଲା 'ସ୍ବଚ୍ଛ ଭାରତ'ର ସ୍ଳୋଗାନଟି ବହୁଳ ମାତ୍ରାରେ ଶୁଣୁଥିବେ । କିନ୍ତୁ ଜାଣନ୍ତି ଏହି ସ୍ଳୋଗାନଟି ବହୁ ପୁରାତନ । ଆମର ଏବେଏବେ ଏହାସହ ପରିଚୟ ହୋଇଛି । ଯାହାବି ହେଉ ପରିଚୟଟାତ ହୋଇଯାଇଛି । ଏବେ ଆଉ ଏହା ଆମପାଇଁ ନୂଆ ନୁହେଁ । କାହିଁକିନା ଟିକସ ନାଁରେ ଏହା ଆମ ପର୍ସଟିକୁବି ହାଲୁକା କରୁଛି । 'ସ୍ବଚ୍ଛ ଭାରତ'ର ସବୁଠାରୁ ମଜାକଥାଟି ହେଲା ହାତରେ ଝାଡୁଟିଏ ଧରି ଫୋଟ ଉଠାଇ ମୋବାଇଲରେ ଅପ୍ ଲୋଡ କରିବା । ଏଇତ କିଛିଦିନ ଆଗରୁ ଆମ ଅଫିସ୍ ରେ 'ସ୍ବଚ୍ଛ ଭାରତ' ନାଁରେ ସଫେଇ କାର୍ଯ୍ୟକ୍ରମଟିଏ ଅୟୋଜିତ ହୋଇଥିଲା । ସଫେଇ ଅପେକ୍ଷା ଝାଡୁଧରି ଫୋଟ ଉଠାଇବା ମୋହଟା କାହିଁକି କେଜାଣି ଟିକିଏ ଅଧିକ ଥିବାପରି ଲାଗୁଥିଲା । ମୁଁ ବି କେମିତି ସେଥିରୁ ବାଦ୍ ପଡିଥାଆନ୍ତି । ଖୁବ୍ ଗର୍ବରେ ଝାଡୁଧରି ଭଲ ଭଲ ଦୁଇ ଚାରିଟା ପୋଜରେ ଫୋଟ ଉଠାଇଲି । କିନ୍ତୁ ଅପ୍ ଲୋଡ କରିବାକୁ ଇଚ୍ଛା ହେଲାନି । ସେତେବେଳେ ଭାବୁଥିଲି ଯଦି ଏହି ସ୍ଳୋଗାନଟା ରାଜରାଜୁଡା ସମୟରେ ହୋଇଥାଆନ୍ତା ତେବେ ବୋଧହୁଏ ଆମ ଗଜପତି ମହାରାଜାଙ୍କୁ ଅପମାନିତ ହେବାକୁ ପଡିନଥାନ୍ତା କି କାଞ୍ଚି ଅଭିଯାନର ଯୁଦ୍ଧଟାର ମଧ୍ୟ ଆବଶ୍ୟକତା ପଡିନଥାନ୍ତା । ଆଉ ସବୁଠାରୁ ଇଣ୍ଟରେଷ୍ଟିଂ ଏଇଟା ହୋଇଥାଆନ୍ତା ଯେ ଏହି ଅସ୍ପୃଶ୍ୟ ,ଦଳିତ ଆଦି ଶବ୍ଦର ଉତ୍ପତ୍ତି ମଧ୍ୟ ହୋଇନଥାନ୍ତା କି ଆଜିର ଯୁବ ପିଢୀ ରିଜର୍ଭେସନ କିମ୍ବା କୋଟାର ଚକ୍ରବ୍ୟୁହରେ ଫସୁନଥାନ୍ତେ । ମୁଁ କିଛି ଭୁଲ୍ କହିଦେଲି କି ଆଜ୍ଞା ? ଯଦି ମୁଁ ଭୁଲ୍ ତେବେ ମୋତେ ଭୁଲ୍ ବୁଝିବେ ନାହିଁ । ହୁଏତ ମୋ ଚିନ୍ତାଧାରା ଭୁଲ୍ ହୋଇଥାଇପାରେ । ତେବେ ଛାଡନ୍ତୁ ସେ କଥା । ଏବେ ଆଲୋଚନା କରିବା ଏହି ସ୍ବଚ୍ଛ ଭାରତ ବିଷୟରେ ।

ସେଦିନ ସକାଳୁ ସକାଳୁ ମୁଁ' ଆମ ଅଫିସ୍ ରେ 'ସ୍ବଚ୍ଛ ଭାରତ ଅଭିଯାନ ' ସାରି ପେଟେ ଟିଫିନ୍ ଖାଇଦେଇ ଘରକୁ ଆସିଲି । ଘରେ ପତ୍ନୀ ମହାଶୟା ମୋ ଉପରେ ରାଗି ଖପ୍ପା । କାହିଁକିନା ଘରେ ପହଞ୍ଚିବାରେ ମୋର ଟିକିଏ ବିଳମ୍ବ ହୋଇଯାଇଥିଲା । ସେଦିନ ଥିଲା ମୋପୁଅ ସୁନୁ ର ଜନ୍ମଦିନ । ପ୍ଲାନିଂ ଥିଲା ସକାଳୁ ସକାଳୁ ଶିଘ୍ର ଗାଧୋଇ ପୁଅ ଆଉ ପତ୍ନୀଙ୍କୁ ନେଇ ଶିବ ମନ୍ଦିର ଯିବା । କିନ୍ତୁ ମୋର ବିଳମ୍ବଟା ସବୁକିଛି ଗଡବଡ କରିଦେଇଥିଲା । ତଥାପି ମୁଁ ଆଉ କାଳ ବିଳମ୍ବ ନକରି ଗାଧୋଇ ହୋଇ ଶିଘ୍ର ବାହାରିପଡିଲି ମନ୍ଦିର ଯିବାକୁ । ତରତର ହୋଇ ମନ୍ଦିର ରେ ପହଞ୍ଚି ଗାଡିରୁ ଓହ୍ଲାଇପଡି ଦୌଡିଗଲି ଭୋଗପାଇଁ ମନ୍ଦିରପାଖ ଫଳ ଦୋକାନକୁ । ସେ କଦଳୀ , ନଡିଆ ଆଉ ତିନି ଚାରି ପ୍ରକାରର ଫଳ ତଥା ଧୂପ ଦୀପ ଦୁଇଟି ପଲିଥିନ୍ ଭିତରେ ପୁରାଇ ଦେଇ ମୋ ଦୁଇ ହାତକୁ ଟେକି ଦେଲା । ସେସବୁକୁ ମୁଁ ନେଇ ଧରାଇଦେଲି ମୋ ସହଧର୍ମିଣୀ ଙ୍କ ହାତରେ । ଟିକିଏ ବିଗିଡି ଯାଇ ସିଏ ପଚାରିଲେ " ତୁମେ କଣ ମନ୍ଦିର ଭିତରକୁ ଯିବନି "? ମୁଁ ନିର୍ଲଜଙ୍କ ପରି ହସିଦେଇ କହିଲି " ଆରେ ! ମୋର ସକାଳୁ ସକାଳୁ ପେଟ ପୂଜା ସରିଯାଇଛି " । ଆଉ ଅଧିକ କିଛି ନକହି ପତ୍ନୀ ମହାଶୟା ପୁଅକୁ ଧରି ତମତମ ହୋଇ ମନ୍ଦିର ଭିତରକୁ ଚାଲିଗଲେ । ହଠାତ୍ ମୁଁ ଦେଖିଲି ଆରେ ବ୍ୟସ୍ତତା ଭିତରେ ମୋର ବାମ ହାତରେ ଥିବା କଦଳୀ ଜରିଟା ସୁନୁ ମା'କୁ ଦେବାକୁ ଭୁଲିଯାଇଛି । ପଛରୁ ଡାକିଲେ ପତ୍ନୀ ଆହୁରି ବିଗିଡିବେ ଜାଣି ମୁଁ କିଛିନକହି ଚୁପ୍ ଚାପ୍ କଦଳୀ ଜରିଟା ଧରି ମନ୍ଦିର ପାହାଚ କଡରେ ଛିଡା ହୋଇଗଲି । କିଛି ସମୟ ସେଇଠି ଛିଡା ହୋଇଥିବି କି ନାହିଁ ମୁଁ ଲକ୍ଷ୍ୟକଲି ମନ୍ଦିର ପାଚେରୀ କଡ ନାଳ ପାଖରେ ନୁଖୁରା ବାଳ ର ଦୁର୍ବଳ ପିଲାଟିଏ ଏକ ଲୟରେ ମୋ ହାତକୁ ଚାହିଛି । ମୁଁ ତା ପାଖକୁ ଯାଇ ତାକୁ ପଚାରିଲି " କଣ କିରେ ! ଭୋକ ଲାଗୁଛି ? ଖାଇବୁ "? ମୁଁ ଭାବିଥିଲି ସେହି ଜରିଏ ଯାକ କଦଳୀ ସେହି ପିଲାଟିକୁ ଖାଇବାକୁ ଦେଇଦେବି । ମୋ କଥା ଶୁଣି ସେ ପିଲାଟି କିନ୍ତୁ କହିଲା " ନା ! ମୋତେ ଭୋକ ନାହିଁ କି ମୋର କିଛି ଖାଇବା ଦରକାର ନାହିଁ "। ପିଲାଟିର ଏପରି ସ୍ପଷ୍ଟ କଥାରେ ମୁଁ ରୋମାଞ୍ଚିତ ହୋଇଉଠିଲି । ଏଥର ମୁଁ ସ୍ନେହରେ ତାକୁ ପଚାରିଲି " ଆଚ୍ଛା ! ତାହା ହେଲେ କଣ ଟଙ୍କା ନେବୁ " ? ଏଥର ପିଲାଟି ଧୀର ଗଳାରେ କହିଲା " ସାର୍ ! ମୋର କିଛି ଦରକାର ନାହିଁ । ମୋର ସେହି ଜରିଟା ଦରକାର " । ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି " ଆରେ ଜରିଟା କଣ କରିବୁ ? ତୁ କଣ ବୁଲିବୁଲି ଜରି ଗୋଟାଉ " ! ପିଲାଟି କହିଲା " ନା ସାର୍ ! ମୁଁ କାହିଁକି ବୁଲିବୁଲି ଜରିଗୋଟାଇବି ! ମୁଁ ତ ଜରି ସଫା କରୁଛି " । " ମାନେ "! ବୋଲି କହି ଆହୁରି ଆଶ୍ଵର୍ଯ୍ୟ ହୋଇ ମୁଁ ତାକୁ ଚାହିଁଲି । ପୁଣି ସେ ପିଲାଟିକୁ ପଚାରିଲି " ଆଚ୍ଛା ! କହିଲୁ କହିଲୁ ଏ ଜରି ଗୋଟାଇ ତୋତେ କି ଲାଭ ମିଳୁଛି "? ମୋର ମୁହଁକୁ କିଛି ସମୟ ଧରି ଚାହିଁରହିବାପରେ ପିଲାଟି କହିଲା " ବୁଝିଲେ ସାର୍ ! ଏ ମନ୍ଦିରକୁ ବହୁତ ଲୋକ ଆସନ୍ତି । ସମସ୍ତେ ଖାଲି ମାଗନ୍ତି ଠାକୁରଙ୍କୁ । ସମସ୍ତେ ସ୍ବାର୍ଥପରଗୁଡା । ଦେଖୁନାହାନ୍ତି ନିଜର ଭଲ ପାଇଁ କେମିତି ଠାକୁରଙ୍କ ଆଗରେ ବିକଳ ହୋଇପଡୁଛନ୍ତି ! ସେ ପଥର ଷଣ୍ଢଟା କାନରେ କଣ ସବୁ କହିକହି ମୁଣ୍ଡିଆ ମାରିଯାଉଛନ୍ତି । ସେହି ପଥର ଷଣ୍ଢଟାକୁ କଦଳୀ ନଡିଆ କେତେକଣ ଖୁଆଇ ଦେଉଛନ୍ତି । ହେଲେ ଥରଟିଏ ବି ଆଗପଛଚିନ୍ତା ନକରି ପ୍ଲାଷ୍ଟିକ୍ ଜରି ଭିତରେ କଦଳୀ ଚୋପା ଅନାବଶ୍ୟକ ଫଳ ପତ୍ର ସବୁକୁ ଭରିଦେଇ ଏଇଠି ଫିଙ୍ଗି ଦେଇ ଚାଲିଯାଉଛନ୍ତି । ସେହି ଫଳ ପତ୍ର ଚୋପା ଆଦିକୁ ଗାଈ ବାଛୁରୀ ସବୁ ଖାଉଛନ୍ତି । ଖାଲି ଖାଉନାହାନ୍ତି ତାହାକୁ ଖାଇ ସେମାନେ ମରିଯାଉଛନ୍ତି । କାହିଁକିନା ସେ ପଶୁଗୁଡା କଣ ବୁଝନ୍ତି ଖାଦ୍ୟ କଣ ଅଖାଦ୍ୟ କଣ ? ଖାଉ ଖାଉ ସେହି ପ୍ଲାଷ୍ଟିକ୍ ଜରି ସବୁକୁ ମଧ୍ୟ ଖାଇଦେଉଛନ୍ତି । କିଛିଦିନ ଆଗରୁ ଆମର ଦୁଧିଆଳୀ ଗାଈଟାର ପେଟଟା ହଠାତ୍ ଫୁଲିଗଲା । କିଛି ଔଷଧ କାମ କଲାନାହିଁ । ଶବ ବ୍ୟବଚ୍ଛେଦ ପରେ ଡାକ୍ତର ବାବୁ କହିଲେ ତା ପେଟରୁ ଦୁଇ ବସ୍ତା ପାଖାପାଖି ଜରି ବାହାରିଲା । ସେହି ଗାଈର କ୍ଷୀର ବିକି ଆମେ ଦୁଇ ପଇସା ପାଉଥିଲୁ । ସେ ଚାଲିଗଲାପରେ ମୋ ବାପା ମନ ବହୁତ ଦୁଃଖ । ଖାଲି ବାପା କାହିଁକି ସେ ଗାଈଟିର କଅଁଳ ବାଛୁରୀର ହମ୍ବା ରଡିରେ ବାରିହୋଇପଡୁଛି ଅସହ୍ୟ ଯନ୍ତ୍ରଣା । କେତେଥରଯେ ବାଛୁରୀଟି ତା ମା' ର ମଲାମୁହଁଟାକୁ ଚାଟି ତାକୁ ଉଠାଇବାକୁ ଚେଷ୍ଟା କରୁଥାଏ ତାର ହିସାବ ନାହିଁ । ସତ କୁହନ୍ତୁତ ସାର୍ ! ଏ ଭକ୍ତ ମାନେ ଶିବ ପୂଜି ପୂଣ୍ୟ ଅର୍ଜନ କରୁଛନ୍ତି ନା ଗୋ ହତ୍ୟା କରି ପାପ ଅର୍ଜନ କରୁଛନ୍ତି ! ସେ କୁନି ବାଛୁରୀର ଦୁଃଖ ଦେଖି ମୁଁ ଆଉ ସହିପାରିଲିନି । ଆଉ କୌଣସି ଗାଈ ବାଛୁରୀ ସେ ପ୍ଲାଷ୍ଟିକଗୁଡା ଖାଇ ଯେପରି ମୃତ୍ୟୁବରଣ ନକରନ୍ତି ସେଇଥିପାଇଁ ମୁଁ ଚିନ୍ତାକଲି ସକାଳୁ ସ୍କୁଲ ଯିବା ଆଗରୁ ଘଣ୍ଟାଏ ଆଉ ସ୍କୁଲରୁ ଆସିବାପରେ ଘଣ୍ଟାଏ ଜରି ଗୋଟାଇ ତାହାକୁ ଜଳାଇ ଦେବି । ଲୋକ କହନ୍ତି ଗାଈ ବାଛୁରୀ ସବୁ ଘରେ ବାନ୍ଧିରଖୁନ ! କେତେଦିନ ବାନ୍ଧିବୁ ସାର୍ ! ଚରିବୁଲିବା ପ୍ରାଣୀ ଏମାନେ । ତାଙ୍କର ଚାରଣ ଭୂଇଁକୁ ଆମେ ନଷ୍ଟକଲେ ସେମାନଙ୍କ ଦୋଷ କଣ ? ଦିନେ ଯେଉଁଠି ଏମାନଙ୍କର ଚାରଣ ଭୂମି ଥିଲା ସେଇଠି କେଇଟା ବର୍ଷରେ ବଡବଡ କୋଠାଘର ହୋଇଗଲା । କୋଠାଘର ହେଲାନିଯେ ତା ଆଖପାଖର ପରିବେଶକୁବି ନଷ୍ଟ କରିଦେଲା । ଚାରିଆଡେ ଅଦରକାରୀ କାଗଜ ଆଉ ପ୍ଲାଷ୍ଟିକ୍ । ବାସ୍ ସେଇଥିପାଇଁ ଏମନ୍ଦିର ତଥା ଏହାର ଆଖପାଖର ଚାରଣ ଭୂମିରେ ପଡିଥିବା ପ୍ଲାଷ୍ଟିକ୍ ଜରି ଆଉ କାଗଜ ସଫା କାମରେ ଲାଗିପଡିଛି । ସଫେଇ ବି ହେଉଛି ଆଉ ସେହି ବାହାନାରେ ମୋର ଖେଳବି ହୋଇଯାଉଛି । ଆଉ ବାକି ରହିଲା ଲାଭ କ୍ଷତିର ହିସାବ । ଏ ହିସାବରୁ ମୋତେ କଣ ମିଳିବ ସାର୍ । ଆଉ କଣ ଆମ ବାଛୁରୀଟାର ହମ୍ବା ରଡିରେ ମା' ତାର ଫେରିଆସିବ ନା ମୋ ବାପାଙ୍କର ଝାଉଁଳି ପଡିଥିବା ମନଟା ବୁଝିଯିବ ! କିନ୍ତୁ ହଁ ! ମୋର ଜରି ଗୋଟାଇବା ଦ୍ବାରା ଆଉ କାହାରି ଗାଈ ଅଖାଦ୍ୟ ଗୁଡା ଖାଇବେନି କି ତାର କଅଁଳ ବାଛୁରୀକୁ ଆଉ ମା' ଛେଉଣ୍ଡ ହେବାକୁ ପଡିବନି ।" । ତା କଥା ଶୁଣୁ ଶୁଣୁ ମୁଁ ସତେ ଯେପରି ସମ୍ମୋହିତ ହୋଇପଡିଥିଲି । ମନେମନେ ଭାବିଲି ଏ ପିଲାଟିର ଗୋଟିଏ ଫୋଟ ଉଠାଇବି । ପିଲାଟିର କଥା ସରିବାରୁ ମୁଁ କହିଲି " ବାବାରେ ! ତୁମ ଘର କେଉଁଠି ? ତୁମର ଏହି ମହତ୍ କାମ ପାଇଁ ତୁମେ ପୁରସ୍କାର ପାଇବା କଥା " । ମୋର କଥା ଶୁଣି ପିଲାଟି ହସିଦେଇ କହିଲା " ସାର୍ ! ମୁଁ ଏ ମନ୍ଦିର ଜଗୁଆଳିଙ୍କ ପୁଅ । ଏଇ ପାଖରେ ଆମ ଘର । ସାର୍ ଜାଣନ୍ତି ! ନନା କହନ୍ତି ଭଲ କାମ ଏମିତି କରିବ ଯେମିତି ବାମ ହାତବି ନଜାଣିପାରେ ଡାହାଣ ହାତର କାମ ! ତେଣୁ ଆଉ ପୁରସ୍କାର କଥା ଆସୁଛି କୁଆଡୁ ! ତେବେ ଏକଥା ସତ ଯେ ଯେଉଁଦିନ ଏ ମନ୍ଦିରକୁ ଆସୁଥିବା ସୁଟ୍ ବୁଟ୍ ପିନ୍ଧା ପାଠପଢା ବାବୁମାନେ ତାଙ୍କ ପାଠ ପଢାକୁ ସାର୍ଥକ କରି ଏ ମନ୍ଦିର ଅଗଣା ଆଉ ତାର ଆଖପାଖର ପରିବେଶଟାକୁ ସ୍ବଚ୍ଛ କରିଦେବେ ; ସେହିଦିନ ମୁଁ ମୋର ପୁରସ୍କାରଟା ପାଇଯିବି " । ତାର ସରଳ ଉତ୍ତରଟା ଭିତରେ ଲୁଚିରହିଥିବା କଟାକ୍ଷକୁ ଶୁଣି ମୁଁ ତା ମୁଣ୍ଡ ଚୁଟିକୁ ହାତରେ ସାଉଁଳି ଦେଉଦେଉ କଦଳୀ ଫେଣାଟା ତାହାତରେ ସ୍ନେହରେ ଧରାଇଦେଲି । ଅଭ୍ୟାସବସତଃ କଦଳୀ ଥିବା ପଲିଥିନ୍ ଟା ଫିଙ୍ଗିଦେବାପାଇଁ ମୋ ହାତଟା ଚାଲିଗଲାବେଳେ ମୁଁ ହଠାତ୍ ତାକୁ ଅଟକାଇଦେଲି । ମୋର ଅଟକିଯାଇଥିବା ପଲିଥିନ୍ ଧରା ହାତକୁ ଦେଖି ପିଲାଟି ହସିଦେଲା । ମୁଁବି ତାକୁ ଦେଖି ହସିଦେଇ ପଲିଥିନ୍ଟିକୁ ପକେଟରେ ପୁରାଇଦେଲି । ମୋର ଏତାଦୃଶ କାମରେ କିନ୍ତୁ ପିଲାଟିର ମନରେ ଭରିଯାଇଥିଲା ଆତ୍ମସନ୍ତୋଷ । ମୁଁ ତା ପାଖରୁ ଫେରି ଆସୁଆସୁ ଚିନ୍ତା କରୁଥାଏ ସତରେ କାମଟିଏ କର୍ତ୍ତବ୍ୟ ଭାବି କରାଯାଏ ଦେଖାଇହେବା ପାଇଁ ନୁହେଁ । କର୍ତ୍ତବ୍ୟ କରିବା ଲୋକ କର୍ତ୍ତବ୍ୟ କରିଯାଏ ଆଉ ଦେଖାଇ ହେବା ଲୋକର ଆଶା ପୁରସ୍କାରରେ । ଯଦି ସମସ୍ତେ କର୍ତ୍ତବ୍ୟ ର ପରିଭାଷା ବୁଝିପାରନ୍ତେ ତାହାହେଲେ ବୋଧହୁଏ 'ସ୍ୱଚ୍ଛ ଭାରତ'ପରି ଅନେକ ଅଭିଯାନ ର ଆଉ ଆବଶ୍ୟକତା ନଥାନ୍ତା । ଏହିସବୁ କଥା ଭାବୁ ଭାବୁ ମୁଁ ଅନ୍ୟମନସ୍କରେ କେତେବେଳେ ମୋର ସ୍ବଚ୍ଛ ଭାରତ ଫୋଟଗୁଡାକୁ ମୋବାଇଲ୍ ରୁ ଡିଲିଟ୍ କରିସାରିଥିଲି । ଘରେ ପହଞ୍ଚି ପତ୍ନୀ ମହାଶୟା ଙ୍କ ମନ ଟିକିଏ ସ୍ଥିର ହୋଇଆସିବାପରେ ସେ ମୋତେ କହିଲେ " ଦେଖିବା କେମିତି କଲ ସ୍ବଚ୍ଛ ଭାରତ । ସତରେ ସ୍ବଚ୍ଛ କରିଛ ନା ଘରଲୋକଙ୍କ ଆଗରେ ଡିଣ୍ଡିମ ପିଟୁଛ " ! ତାଙ୍କ କଥା ଶୁଣି ମୁଁ କହିଲି "ବୁଝିଲ ଲୀନା ! ପ୍ରକୃତରେ ଭାରତକୁ ସ୍ବଚ୍ଛ ରଖୁଥିବା ଲୋକଙ୍କୁ ପ୍ରଶଂସାର ଆବଶ୍ୟକତା ନଥାଏ । ନା ଲାଳସା ଥାଏ ନିଜ ନାଁର ପ୍ରସାର ପ୍ରଚାରର । ଏହା ତାଙ୍କ ପାଇଁ ଏକ କର୍ତ୍ତବ୍ୟ । ଆଉ ହଁ ସ୍ବଚ୍ଛ ଭାରତ ଆବଶ୍ୟକ କରେନାହିଁ ପ୍ରମାଣ ସ୍ବଚ୍ଛତାର । କାହିଁକିନା ସବୁବେଳେ ସ୍ବଚ୍ଛତାର ପ୍ରମାଣ ହେଉଛି ସେ ନିଜେ " ॥

॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com


Rate this content
Log in

Similar oriya story from Inspirational