Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭକ୍ତିର ଶକ୍ତି
ଭକ୍ତିର ଶକ୍ତି
★★★★★

© Dr Subas Chandra Rout

Others

10 Minutes   7.9K    21


Content Ranking

ଏହି କ୍ରମ ଅବକ୍ଷୟମୂଖୀ ଧର୍ମଭାବାପନ୍ନ ଭାରତରେ ଆମେ ବାସ କରୁଥିବା ଗୋଟିଏ ଛୋଟ ସହରରେ ମୋର ବାପା କି ମାଆ କି ଆଉ କିଏ ମୋ ନାଆଁ 'ଧାର୍ମିକ ଦାସ' ରଖିଥିଲେ ଜଣା ନାହିଁ । ମୁଁ ଅନେକ ସମୟରେ ଭାବେ, ପଚାରିବି କିଏ ଏ ନାମ ରଖିଲା, କିନ୍ତୁ କେଜାଣି କାହିଁକି ମାଡ଼ି ପଡ଼େ । କାଳେ କଅଣ ଭାବିବେ । କହିବେ, "ସେଇ ଗୋଟାକ ପିତାମାତାର ସ୍ଵାଧିକାର । ତାକୁ କେହି ନେଇ ପାରିବେ ନାହିଁ । ସେ ଛୁଆର ନାମ ବେଙ୍ଗ, ବିଲେଇ, ମାଙ୍କଡ଼ ଆଦି ଯେ କୌଣସି ନାମ ରଖିପାରିବେ ।" ହୁଏତଃ ହାଃ ହାଃ କରି ହସିବେ । ନ ହେଲେ କହିବେ, "ଏ ଖଣ୍ଡ ମଣ୍ଡଳରେ ଏତେ ସୁନ୍ଦର ନାଁ ଆଉ କାହାରି ନାହିଁ । ତୋ ଗୁଣ ଅନୁସାରେ ନାମ ତ ଠିକ ଅଛି, ଆଉ ଅସୁବିଧା କଅଣ ?"

ସତରେ, ପିଲାଦିନୁ ମୋର ଧର୍ମ ଭାବନା ଅଧିକ ଅଛି । ପ୍ରତି ସନ୍ଧ୍ୟାରେ ଘରେ ବାପା ରାମାୟଣ ଓ ଭାଗବତ ପଢନ୍ତି, ଯାହା ମୁଁ ମନ ଦେଇ ଶୁଣେ । ସେସବୁ ଶୁଣି ଶୁଣି ଭଲ ମନ୍ଦ, ପାପ ପୂଣ୍ୟ, ଧର୍ମ ଅଧର୍ମର ପାର୍ଥକ୍ୟ ଭାବନା ମନରେ ବସା ବାନ୍ଧି ରହିଥାଏ । କେବଳ ଥଟ୍ଟା ପରିହାସ କରିବା ସମୟ ଛଡ଼ା ଅନ୍ୟ କେତେବେଳେ ମିଛ କହେନି । କାହାରି ଅନିଷ୍ଟ ଚିନ୍ତା କରେନି । ମୋଠାରୁ ସାହାଯ୍ୟ ମାଗି କେହି ନିରାଶ ହୋଇନି । ମୋ କଥାବାର୍ତ୍ତା ଶୁଣି ଓ ଢଙ୍ଗଢାଙ୍ଗ ଦେଖି ସାଙ୍ଗମାନେ ମୋତେ 'ସାଧୁ ଧର୍ମୁ' କହି ଚିଡ଼ାନ୍ତି । ମୁଁ କେବେ ଖରାପ ଭାବେନି ।

ଦିନେ ସନ୍ଧ୍ୟାରେ ଦାସିଆ ବାଉରୀ କାହାଣୀ ଶୁଣି ମୁଁ ଅତି ଭାବ ବିହ୍ଵଳ ହୋଇଗଲି । ମନରେ ଗୋଟିଏ ଭାବନା ବସା ବାନ୍ଧି ରହିଲା, ମୁଁ ବି ଦିନେ ଦାସିଆ ଭଳି ପୁରୀ ଯାଇ ମନ୍ଦିର ବାହାରୁ ନଡ଼ିଆ ଯାଚିବି । ଦେଖବି, ମୋ ହାତରୁ ଜଗନ୍ନାଥ ନଡ଼ିଆ ନେଉଛନ୍ତି କି ନାହିଁ । ଅଳ୍ପ ବୟସରେ ବୋଧହୁଏ ଏମିତି ଅଦ୍ଭୁତ ଭାବନା ସବୁ ମନକୁ ଆସେ । ଅନେକ ଥର ମୁଁ ସ୍ଵପ୍ନ ଦେଖେ, ମୁଁ ଅରୁଣ ସ୍ତମ୍ଭ ପାଖରେ ଠିଆ ହୋଇ ଜଗନ୍ନାଥଙ୍କ ଦିଗକୁ ହାତରେ ନଡ଼ିଆ ବଢ଼େଇ ଧରି କହୁଛି, “ହେ ପ୍ରଭୁ, ଏ ଭକ୍ତ କଅଣ ବା ଆପଣଙ୍କୁ ଦେଇ ପାରିବ । ସବୁ ତ ଆପଣଙ୍କର ସୃଷ୍ଟି ଓ ଆପଣଙ୍କ ଜିନିଷ । ଆପଣଙ୍କ ଜିନିଷ ଆପଣଙ୍କୁ ଦେବାର ଧୃଷ୍ଟତା କରୁଛି । ଏ ଭକ୍ତକୁ ଦୟା କର ପ୍ରଭୁ ।”

ସମୟ ଗଡ଼ି ଚାଲିଲା । ସ୍କୁଲ ଓ କଲେଜ ଶିକ୍ଷା ସାରି ମୁଁ ଚାକିରି କଲି । ସୌଭାଗ୍ୟକୁ ୮ ବର୍ଷ ପରେ ଥରେ ପୁରୀରେ ମୋର ପୋଷ୍ଟିଂ ହେଲା । ଯେଉଁଦିନ ସେହି ବଦଳି ଅର୍ଡର ପାଇଲି ସେହି ଦିନ ମୋର ମନରେ ସେହି ସୁପ୍ତ କାମନା ଆଉ ଥରେ ଜାଗ୍ରତ ହୋଇଉଠିଲା । ପୁରୀରେ ମୋର ଜଣେ ପିଲାଦିନର ଅତି ପ୍ରିୟ ସାଙ୍ଗ ଥିଲା ଯାହାର ଡାକ ନାମ 'ବାବନା' ଥିଲା । ତା’ର ଫୋନ ନମ୍ବର ମୋ ପାଖରେ ଥିଲା । ତାକୁ ମୋ ବଦଳି କଥା କହିଲି । ଭାରି ଖୁସି ହେଲା । କହିଲା, “ଯାହାହେଉ ଏତେଦିନେ ମୋତେ ମୋ ସାଙ୍ଗ ମିଳିଗଲା ।” ତାର ଠିକଣା ସଂଗ୍ରହ କରି ଲେଖି ରଖିଲି ଓ ମୋ ପାଇଁ ଗୋଟିଏ ଘର ବୁଝିଦେବାକୁ କହିଲି ।

ଯଥା ସମୟରେ ପୁରୀରେ ପହଞ୍ଚି ନୂଆ ଘରେ ଜିନିଷ ସଜାଡ଼ି ରଖି ସାରିଲା ପରେ ଦିନେ ତା ଘରକୁ ଯାଇ ସନ୍ଧ୍ୟା ପୂର୍ବରୁ ପହଞ୍ଚି ଗଲି । କଲିଙ୍ଗ ବେଲ ଚିପି ଅପେକ୍ଷା କଲି । ଅଳ୍ପ ସମୟ ପରେ କବାଟ ଖୋଲିଗଲା ଓ ସେ ସାମନାରେ ଠିଆ ହୋଇଥିଲା । ମୁଁ ତାକୁ ଓ ସେ ମୋତେ କିଛି ସମୟ ପାଇଁ ଭଲ କରି ପରସ୍ପରକୁ ଅନେଇଲୁ । ତା ଚେହେରାର ଅନେକ ପରିବର୍ତ୍ତନ ହୋଇଥିଲା । ତା'ପରେ ଦୁହେଁ କୁଣ୍ଢା କୁଣ୍ଢି ହେଲୁ । କହିଲି, ହେ ବାବନା, "ତୁ ବହୁତ ସୁନ୍ଦର ଦେଖାଗଲୁଣିରେ ! କେତେ ବଦଳି ଯାଇଛି ତୋ ଚେହେରା ।" ସେ ହସି ପକେଇଲା । ସେମିତି ହସୁଥାଏ ଯେମିତି ସେଇ ପିଲାଦିନେ ହସୁଥିଲା । କିଛି ବଦଳି ନଥିଲା । କହିଲା, "ଓହୋ, ଆତ୍ମା ଥଣ୍ଡା ହୋଇଗଲା । କେତେ ବର୍ଷ ପରେ ଭେଟ ହେଲା ! ଆଉ ଏଠି କେଉଁ ପୋଷ୍ଟରେ ଆସିଛୁ ।"

"ଭାଇ, ନିର୍ବାହୀ ଯନ୍ତ୍ରୀ ହୋଇ ଆସିଛି ଯାହାକୁ ଆଗେ ଏକଜିକ୍ୟୁଟିଭ ଇଞ୍ଜିନିୟର କହୁଥିଲେ ।"

"ହଉ, ଭିତରକୁ ଆ । ହେ ଶୁଣୁଛ, ମୋ ପିଲା ଦିନ ସାଙ୍ଗ ଆସିଛି ଯାହା କଥା ମୁଁ ସବୁବେଳେ କହେ ।"

ମୁଁ କହିଲି, "ଆଉ, ତୁ କଅଣ କରୁଛୁ ।"

"ଭାଇ, ମୁଁ ଏଠି ଡାଟା ଅପରେଟର ପୋଷ୍ଟରେ ଅଛି । ଏଠି କମ୍ପ୍ୟୁଟର ଜଗତରେ ମୋର ବହୁତ ନାମ ଅଛି । ଅନେକ ଲୋକ ଆସି ମୋ ସାହାଯ୍ୟ ନିଅନ୍ତି ।"

ଶୁଣି ବହୁତ ଖୁସି ଲାଗିଲା । କହିଲି, "ଅଭିନନ୍ଦନ ଭାଇ । ବାଃ, ବହୁତ ଭଲରେ ଥିବୁ ତାହେଲେ । ଆଜିକାଲି ତ କମ୍ପ୍ୟୁଟର ଯୁଗ । ଚିଠିପତ୍ର ଯୁଗ ଗଲାଣି । ଜୀବନକୁ ଫୋନ ତ ଆହୁରି ସହଜ ଓ ସରସ କରିଦେଲାଣି । ଫେସବୁକ ଓ ହ୍ଵାଟସଅପ ମିଶି ଦୂରତାକୁ କମ କରିଦେଲେଣି । ଆରେ, ମୁଁ ତୋଠାରୁ ଗୋଟେ ସାହାଯ୍ୟ ନେବି । ଚାଲ, ବାହାରେ ସମୁଦ୍ର କୂଳରେ ବୁଲିବା ଓ ସେଠି ବୁଲା ବିକାଳିଠୁ ଖାଇବା । ସେତିକିବେଳେ କହିବି ।" "ହଉ ଚାଲ", ସେ କହିଲା ଓ ଦୁହେଁ ମୋ ଗାଡ଼ିରେ ବସି ସମୁଦ୍ର କୂଳକୁ ଚାଲିଲୁ । ହାତ ଧରା ଧରି ହୋଇ ବାଲି ଉପରେ ବସିଲୁ । ପୂର୍ଣ୍ଣମୀ ପାଖ ହୋଇ ଆସୁଥିଲା ଓ ଜହ୍ନର ପ୍ରତିବିମ୍ବ ସମୁଦ୍ରରେ ନାଚୁଥିଲା । ଗୋଟିଏ ପରେ ଗୋଟିଏ ଉତ୍ତାଳ ଢେଉ ମାଡ଼ି ଆସି କୂଳରେ ପିଟିହେଉଥିଲା । ଅପୂର୍ବ ସେ ଦୃଶ୍ୟ । ନୀଳ ସାଗର ଓ ନୀଳ ଆକାଶର ମିଳନ ଦିଗବଳୟରେ ଦେଖାଯାଉଥିଲା । ବଗମାନେ ଆକାଶରେ ଚକ୍ରାକାରରେ ଉଡ଼ିବୁଲୁଥିଲେ । ହଠାତ ତଳକୁ ଉଡ଼ି ଆସି ଥଣ୍ଟରେ ମାଛଟିଏ ଧରି ଉପରକୁ ଉଡ଼ିଯାଉଥିଲେ । ହଜାର ହଜାର ଲୋକ ସେ ଦୃଶ୍ୟ ଅବଲୋକନ କରି ଏ ପାର୍ଥିବ ଦୁନିଆର ଦୁଃଖ ଅନ୍ତତଃ କିଛି ଘଣ୍ଟା ପାଇଁ ଭୁଲି ଯାଉଥିବେ । ଦୁଇ ପ୍ୟାକେଟ ମସଲା ମୁଢ଼ି କିଣି ଦୁହେଁ ଖାଇବାକୁ ଲାଗିଲୁ । କିଛି ସମୟ ପରେ ସାଙ୍ଗ କହିଲା, “କଅଣ ସାହାଯ୍ୟ ମାଗୁଥିଲୁ କହ ?”

“ଭାଇ, ତୁ ତ ଜାଣିଛୁ ମୋର ପିଲାଦିନୁ ଗୋଟିଏ ଭାବନା ବସା ବାନ୍ଧି ରହିଛି । ମୁଁ ଦାସିଆ ବାଉରୀ ଭଳି ଜଗନ୍ନାଥକୁ ଅରୁଣ ସ୍ତମ୍ଭ ପାଖରେ ନଡ଼ିଆ ଭୋଗ ଦେବି ଓ ସେ ନେବେ କି ନାହିଁ ଦେଖିବି । ସେଦିନୁ ତାଙ୍କ ଭକ୍ତିରେ ମୁଁ ତଲ୍ଲୀନ ହୋଇ ରହିଛି । ଶୟନେ ସପନେ ତାଙ୍କୁ ହିଁ ଦେଖୁଛି । ମୁଁ ଶୁଣିଛି, ଗୃହସ୍ଥାଶ୍ରମରେ ଥିଲେ ମଧ୍ୟ ଭକ୍ତିରେ ଡାକିଲେ ସେ “ଓ” କରନ୍ତି । ଜଙ୍ଗଲକୁ ଯାଇ ତପସ୍ୟା ତ କରିପାରିବିନି । ଏଇଠି ଡାକିବି ଓ ମୋର ଭକ୍ତିର ପରୀକ୍ଷା ଦେବି ।” ବାବନା ଏ କଥା ଶୁଣି କିଛି ସମୟ ଚୁପ ରହିଲା । ମୋ ମୁହଁକୁ ଅନେଇଲା । କଅଣ ଦେଖିଲା ମୋ ମୁହଁରେ କେଜାଣି, କହିଲା, “ହଉ ଭାଇ, ଏକଥା ଫାଇନାଲ ଓ ଡନ । କେମିତି କଣ କରିବୁ କହ ?” ତାପରେ ମୁଁ କଅଣ କରିବି ଓ ସେ ମୋ ପାଇଁ କଅଣ କରିବ, ବୁଝେଇ ଦେଲି । ସେ ରାଜି ହୋଇଗଲା ।

ନିର୍ଦ୍ଦିଷ୍ଟ ଦିନ ସକାଳେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ହୋଇ ମୁଁ ଶ୍ରୀ ମନ୍ଦିରଠାରେ ପହଞ୍ଚିଲି । ଗୋଟିଏ ଧୋତି ପିନ୍ଧି ତା ଚାଦର ଘୋଡ଼େଇ ହୋଇଥାଏ । ହାତରେ ଗୋଟିଏ ନଡ଼ିଆ ଧରିଥାଏ । କେବଳ ଗୋଟିଏ ମୋଟା ଚୁଟି ବ୍ୟତୀତ ନଡ଼ିଆର ବାକି ସମସ୍ତ କତା ଛଡ଼େଇ ବାହାର କରିଦେଇଥାଏ । ନଡ଼ିଆ ଉପରେ ବଡ଼ ଅକ୍ଷରରେ ଅଳତାରେ ଓମ ଲେଖିଦେଇଥାଏ । ଗୋଟିଏ ଫୁଲ ମାଳ ଗୁଡ଼େଇ ନଡ଼ିଆ ଚୁଟି ମଧ୍ୟରେ ଖୋସି ଦେଇଥାଏ, ଯେମିତି ବାହାରିଯାଇପାରିବନି । ନୀଳ ଚକ୍ରକୁ ଦେଖି ମୋ ପାଟିରୁ କେବଳ ଓଁ, ଓଁ ଶବ୍ଦ ବାହାରୁଥାଏ । ବାବନା ମଧ୍ୟ ଆଗରୁ ପହଞ୍ଚିଥିଲା । ହାତରେ ଗୋଟିଏ ଭିଡିଓ କ୍ୟାମେରା ଧରିଥାଏ । ଅରୁଣ ସ୍ତମ୍ଭ କଡ଼ରେ ଭୂଇଁ ଉପରେ ଗୋଟିଏ ସତରଞ୍ଜ ବିଛେଇ ତା ଉପରେ ମୁଁ ଅଧିଆ ପଡ଼ିଲା ଭଳି ତଳକୁ ମୁହଁ କରି ଶୋଇରହିଲି । ଗୋଟିଏ ବଡ଼ 'ବଗିଚା ଛତା' ଭୂଇଁରେ ପୋତିଦେଲୁ ଯେମିତି ମୋତେ ଛାଇ ହେବ । ମୋ ପାଖରେ ଗୋଟିଏ ଚୌକି ପକେଇ ବାବନା କ୍ୟାମେରା ଧରି ବସିରହିଲା । ତା ଆଡ଼କୁ ଅନେଇ ମୁଁ ଆରମ୍ଭ କରିବାକୁ ଇଙ୍ଗିତ ଦେଇ ମନ ପ୍ରାଣ ଦେଇ ଜଗନ୍ନାଥଙ୍କୁ ଡାକି ଅଧିଆ ପଡ଼ିଲି । ସକାଳ ୫ଟାରୁ ଅଧିଆ ଆରମ୍ଭ ହେଲା । ମୋ ମନଶ୍ଚକ୍ଷୁରେ କେବଳ ଜଗନ୍ନାଥଙ୍କ ଛଡ଼ା ଆଉ କିଛି ନଥାଏ । ଭୋକ ଶୋଷ କିଛି ଲାଗିଲାନି ।

ହଠାତ ମୋର ଧ୍ୟାନ ଭଗ୍ନ ହେଲା । କେହି ଜଣେ ମୋ ଦେହକୁ ହଲେଇଦେଲା । ଧ୍ୟାନ ଭଗ୍ନ ହେବା ପରେ ଅନେଇ ଦେଖିଲି ପ୍ରାୟ ସନ୍ଧ୍ୟା ସମୟ ହୋଇଛି । ମୋ ଆଡ଼କୁ ଝୁଙ୍କି ପଡ଼ି ବାବନା ଠିଆ ହୋଇଛି । ସାମନାକୁ ଅନେଇ ଦେଖିଲି ନଡ଼ିଆ ନାହିଁ । ପ୍ରଶ୍ନୀଳ ଆଖିରେ ବାବନାକୁ ଚାହିଁଲି । ସେ ହସ ହସ ମୁହଁରେ ମୋତେ ଅନେଇଥିଲା । ମୋ ଆଡକୁ ହାତ ବଢେଇ ହ୍ୟାଣ୍ଡସେକ କରି ସେ କହିଲା, "ଭାଇ, ତୋ ନଡ଼ିଆ ଜଗନ୍ନାଥ ଗ୍ରହଣ କରିନେଲେ । ଗୋଟିଏ ଲମ୍ବା ହାତ ମନ୍ଦିର ଭିତରୁ ଆସିଲା ଓ ମୁଁ ଅନଉ ଅନଉ ନଡ଼ିଆଟି ଉଭେଇଗଲା । ତୁ ତାଙ୍କର ପ୍ରକୃତ ଭକ୍ତ, ଏ କଥା ମୁଁ ସତରେ ଜାଣିନଥିଲି ।" ଏକଥା ଶୁଣି "ଜୟ ଜଗନ୍ନାଥ", "ଜୟ ଜଗନ୍ନାଥ" କହି ମୁଁ ସେଇ ସିଂହଦ୍ଵାର ସାମନାରେ ମୋର ପଦ ପଦବୀ ସବୁ ଭୁଲି ନାଚିବାକୁ ଲାଗିଲି । ପାଖରେ ଥିବା ଲୋକମାନେ ମୋ ଚାରିପାଖରେ ଘେରିଗଲେ । ନିଶ୍ଚୟ ଭାବିଥିବେ ଏଇଟା ପାଗଳ । ସମସ୍ତେ ପ୍ରଶ୍ନ କଲେ, “କଅଣ ହେଲା, କାହିଁକି ଏ ବାବୁ ନାଚୁଛନ୍ତି ?”

ପ୍ରାୟ ୫ ମିନିଟ ପରେ ମୁଁ ପ୍ରକୃତିସ୍ଥ ହେଲି । ବାବନାକୁ ଅନେଇ ପ୍ରଶ୍ନ କଲି, “ହଇରେ, ସତରେ ଗୋଟିଏ ହାତ ଆସି ନଡିଆ ନେଇଗଲା ?” ସେ କହିଲା, “ସେ ଦୃଶ୍ୟ ଦେଖି ମୁଁତ ନିଜେ ଅବାକ ହୋଇଗଲି । ଗୋଟିଏ ସେକେଣ୍ଡରେ ନଡ଼ିଆ ଉଭାନ ହୋଇଗଲା ।” ବାବନାକୁ ବହୁତ ଧନ୍ୟବାଦ ଦେଇ ଘରକୁ ଫେରିବାକୁ ବାହାରିଲି ଓ ମୋ ସାଥିରେ ରାତ୍ରି ଭୋଜନ ପାଇଁ ଡାକିଲି । "କ୍ଷମା କର ଭାଇ, ସାରା ଦିନ ଏଠି ରହିଛି । କେତେ କାମ ଘରେ ବାକି ପଡ଼ିଛି । ଲୋକମାନେ ମୋତେ ଖୋଜୁଥିବେ । ଆଜି ଯାଇପାରିବିନି, ଆଉ ଦିନେ ଯିବି," କହି ମେଲାଣି ମାଗି ସେ ତା ଘରକୁ ଯିବାକୁ ବାହାରିଲା । ପଛରୁ ମୁଁ ବଡ଼ ପାଟିରେ କହିଲି, “ଭାଇ, ତୋର ଏ ଉପକାର ମୁଁ ଏ ଜନ୍ମରେ କଅଣ, ମୁଁ ସାତ ଜନ୍ମରେ ଭୁଲିପାରିବିନି ।” ନିର୍ମଳ ହସଟିଏ ହସିଦେଇ ବାବନା ଚାଲିଗଲା ।

ଜଗନ୍ନାଥଙ୍କ ଭକ୍ତିରେ ତନ୍ମୟ ହୋଇ ମୁଁ ଏକ ଲୟରେ କାହା ପ୍ରତି ଦୃଷ୍ଟି ନଦେଇ ଘରକୁ ଫେରିଲି । ପତ୍ନୀ ମୋ ମୁହଁ ଦେଖି "କଅଣ ହେଲା," କହି ଦୌଡ଼ି ଆସିଲେ । “ଏମିତି କାହିଁକି ତୁମ ମୁହଁ ଏତେ ଉଜ୍ଜ୍ଵଳ ଦିଶୁଛି, ପ୍ରଶ୍ନ କଲେ ।” ପତ୍ନୀଙ୍କ ଦୁଇ ହାତ ଧରି ମୁଁ ନାଚିବାକୁ ଲାଗିଲି । କହିଲି, “ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଆଜି ଜଗନ୍ନାଥ ମୋ ହାତରୁ ନଡ଼ିଆ ନେଇଗଲେ ।” ଗୋଟିଏ ଅବିଶ୍ଵାସ ଭରା ମୁହଁ କରି କହିଲେ, “ହଉ, ସକାଳୁ କିଛି ଖାଇନ, ଆସ, ଆଗ କିଛି ଖାଅ । ପରେ ସେ ବିଷୟ କଥା ହେବା । ଆଉ ଗୋଟେ କଥା, କିଛି ନିଶା ପାଣି ସେବନ କରି ନାଚୁନତ ?”

ଖାଇ ସାରିବା ପରେ ଧର୍ମପତ୍ନୀ କହିଲେ, “ଆଛା, ତୁମ ହାତରୁ ଜଗନ୍ନାଥ ନଡ଼ିଆ ନେବା ତୁମେ ଦେଖିଛ ।”

“ମୁଁ ତ ଅଧିଆ ପଡ଼ିଥିଲି, ଆଉ ଦେଖିବି କେମିତି ! ମୋ ସାଙ୍ଗ ବାବନା ଦେଖିଛି । ସେ ରଖିଥିଲା ଗୋଟିଏ ଭିଡିଓ କ୍ୟାମେରା ..., ଆରେ ହେ, ମୁଁ ତ ଭିଡିଓ କଥା ପୁରା ଭୁଲି ଯାଇଛି । ସେ ନିଶ୍ଚୟ ରେକର୍ଡ଼ କରିଥିବ । ସେ ଆସି ଦେଖେଇଲେ ତୁମର ବିଶ୍ଵାସ ହେବ ତ ?” ପତ୍ନୀ କହିଲେ, “ତୁମ ସାଙ୍ଗ କହିଲେ - ଆଉ ତୁମେ ବିଶ୍ଵାସ କରିଗଲ ? ହେଃ, ତୁମକୁ ପାରିହେବନି । ଏତେ ସରଳ ବିଶ୍ଵାସୀ ହେଲେ ଚଳିବ ? ଭଗବାନ କଅଣ ଏମିତି ଗୋଟିଏ ଦିନ ଧାରଣା ଦେଲେ ଦେଖାଦେଇ ନଡ଼ିଆ ନିଅନ୍ତି ! ଏତେ ସହଜରେ ଧରା ଦିଅନ୍ତି ?” ମୋତେ ବଡ଼ ଖରାପ ଲାଗିଲା । ସବୁ ଭକ୍ତି ଭାବନା ଓ ଆନନ୍ଦ ମୁହୂର୍ତ୍ତକ ଭିତରେ ଉଭେଇ ଗଲା । ପାଟିକରି କହିଲି, “ତୁମେ ନାରୀ ଜାତି ବଡ଼ ଅବିଶ୍ଵାସୀ । ରହ, ମୋ ସାଙ୍ଗ ତୁମକୁ ଦେଖେଇଦେବ ।”

ମୋବାଇଲ ଫୋନରେ ତାକୁ କଲ କଲି । ରିଙ୍ଗ ହେଲା । ସେ ପାଖରୁ ମୁଁ କିଛି କହିବା ପୂର୍ବରୁ ବାବନା ଫୋନ ଉଠେଇ କହିଲା, “ଭିଡିଓ ପାଇଁ ଫୋନ କରିଛୁତ ! ହ୍ଵାଟସଆପରେ ତୋ ପାଖକୁ ରାତି ୧୦ଟା ବେଳେ ପଠେଇଦେବି, ଦେଖିନେବୁ । ମୁଁ ଏବେ ଟିକିଏ ବ୍ୟସ୍ତ ଅଛି କହି ଫୋନ କାଟିଦେଲା ।” ରାତିରେ ଫୋନର ନେଟରେ ଭିଡିଓ ଦେଖି ମନ ଦ୍ଵିଗୁଣିତ ଆନନ୍ଦରେ ଭରିଗଲା, ପାଟିକରି ପତ୍ନୀଙ୍କୁ ବଡ଼ ପାଟିରେ ଡାକି କହିଲି, “ଅବିଶ୍ଵାସୀ କୋଉଠିକାର, ଆସ ଦେଖିବ, ସତ କି ମିଛ ।” ବାରମ୍ବାର ସେ ଦୃଶ୍ୟ ମୁଁ ଦେଖିବାକୁ ଲାଗିଲି । ଗୋଟିଏ ହାତ ମନ୍ଦିର ଭିତରୁ ବାହାରି ଆସି ଏକ ସେକେଣ୍ଡ ମଧ୍ୟରେ ନଡ଼ିଆଟି ନେଇଗଲା । ସାରା ଜୀବନରେ ବୋଧହୁଏ ମୋତେ ଏତିକି ପ୍ରଶାନ୍ତି କେବେ ମିଳିନଥିଲା, ଏମିତିକି ବିବାହ ବେଳେ ମଧ୍ୟ । ଦୁଇ ହାତ ଯୋଡ଼ି ‘ଜୟ ଜଗନ୍ନାଥ’ କହି ପ୍ରଣାମ କଲି ।

ଏ ଘଟଣାର ତିନି ବର୍ଷ ପରେ ହଠାତ୍ ଦିନେ ବାବନାର ଫୋନ ଆସିଲା । ଦେହରେ ଜୀବନ ନଥିବା ସ୍ଵରରେ ସେ କହିଲା, “ଭାଇ, ମୋର ଦୁଇ ମାସ ହେବ କାଶ ହେଉଥିଲା । ଚାରି ଦିନ ତଳେ କାଶିଲାବେଳେ ରକ୍ତ ପଡ଼ିବାରୁ ଡାକ୍ତରଖାନା ଆସି ପରୀକ୍ଷା କରେଇଲି । କାଲି ମୋତେ କ୍ୟାନସର ହେଇଥିବା କଥା ଡାକ୍ତର କହିଲେ । ଦୁଇ ମାସ ତଳେ ଆରମ୍ଭ ବେଳେ ଦେଖେଇଥିଲେ ହୁଏତ ଭଲ ହୋଇଥାନ୍ତା । ମୁଁ ଆଉ ବୋଧେ ବଞ୍ଚିବିନିରେ,” କହି କାନ୍ଦି ପକେଇଲା । ଏ କଥା ଶୁଣି ମୁଁ ତାକୁ ଆଶ୍ଵାସନା ଦେବା ପରିବର୍ତ୍ତେ ନିଜେ କାନ୍ଦିବାକୁ ଲାଗିଲି । ପଚାରିଲି, “ତୁ ଏବେ କୋଉଠି ଅଛୁ, ମୁଁ ଯାଉଛି ତୋ ପାଖକୁ ।”

“ମୁଁ ମୁମ୍ବାଇ ଯାଉଛି ଚିକିତ୍ସା ପାଇଁ; ଟ୍ରେନରେ ବସିଛି । ତୋ ପାଖକୁ ଗୋଟିଏ ମେଲ କରିଛି, ଦେଖିନେବୁ ।” ଏ ଖବର ପାଇ ମୋ ପାଦ ତଳୁ ଯେମିତି ଭୂମି ଖସିଗଲା । କଅଣ କରିବି, ବୁଦ୍ଧି ଦେଖାଗଲାନି । ହତାଶ ହୋଇ ଚୌକି ଉପରେ ବସିରହିଲି । ମୋ କାନ୍ଦଣା ଶୁଣି ପତ୍ନୀ “କଅଣ ହେଲା,” କହି ଦୌଡ଼ି ଆସିଲେ ।

ରାତିରେ ଭଲ ନିଦ ହେଲାନି । ଛଟପଟ ହେଉଥାଏ ବିଛଣାରେ । ହଠାତ ମନେ ପଡ଼ିଲା ସେ ମେଲ ପଠେଇବା କଥା । ମୋ ଟ୍ୟାବ ଆଣି ତା'ର ମେଲ ଖୋଲିଲି । ସେଥିରେ ଲେଖାଥିଲା: ଭାଇ, ମୋତେ କ୍ଷମା କରିଦେବୁ । ମୁଁ ଗୋଟେ ବଡ଼ ମିଛ କଥା ତୋତେ କହିଛି । ତାର ଦଣ୍ଡ ସ୍ୱରୂପ ବୋଧହୁଏ ଭଗବାନ ମୋତେ ଏ ରୋଗ ଦେଲେ । ସେଦିନ ପ୍ରକୃତରେ ତୋର ନଡ଼ିଆ କୌଣସି ହାତ ନେଇନଥିଲା । କୌଣସି କାରଣ ବଶତଃ ଦୁଇ ମିନିଟ ମୁଁ ଅନ୍ୟମନସ୍କ ହୋଇଥିଲି । ମନ୍ଦିରକୁ ଅନେଇଥାଏ । ଦେଖିଲି, ଗୋଟିଏ ମାଙ୍କଡ଼ ତୋର ନଡ଼ିଆଟି ଧରି ମନ୍ଦିର ଭିତରୁ ଆସି ପ୍ରବେଶ ଦ୍ଵାର ଉପରେ ବସିଲା । ସେ ଅଳତା ଚିହ୍ନ ସ୍ପଷ୍ଟ ଦେଖାଯାଉଥିଲା । ଫୁଲ ମାଳ ବି ଦେଖାଯାଉଥିଲା । ତାକୁ ଦେଖି ମୋ ମୁଣ୍ଡ ଘୁରେଇଗଲା । ତୋ ମୁଣ୍ଡ ପାଖରେ ଦେଖିଲା ବେଳକୁ ନଡ଼ିଆ ନାହିଁ । ଗୋଟିଏ ସେକେଣ୍ଡ ମଧ୍ୟରେ ଏସବୁ ଘଟିଗଲା । ଭାବିଲି, କଅଣ କରିବି । ତୁ ମୋତେ କଅଣ ଭାବିବୁ । ଦିନ ଭରି ବସି ବସି ଶେଷରେ ଏଇ ଫଳ ମିଳିଲା !

ମୁଁ ଧୀରେ ଧୀରେ ସେଇ ମାଙ୍କଡ଼ ଆଡ଼କୁ ଗଲି । ସେଇ ପ୍ରବେଶ ଦ୍ଵାର ପାଖରେ ଠିଆହୋଇ ମାଙ୍କଡକୁ ହାତଯୋଡି ପ୍ରଣାମ କରି କହିଲି, “ହେ ହନୁମାନ, ମୋ ସାଙ୍ଗର ଭକ୍ତିକୁ ହତାଦର କରନ୍ତୁନି ।” ତା ପରେ ସେ କିଛି ସମୟ ମୋତେ ଅନେଇ ଦେଖିଲା । କଅଣ ଭାବିଲା କେଜାଣି, ନଡ଼ିଆଟି ମୋ ଆଡ଼କୁ ଫୋପାଡ଼ି ଦେଲା । ସେଇଟି ମୋ ପାଦ ପାଖରେ ପଡ଼ି ଦୁଇଖଣ୍ଡ ହୋଇ ଫାଟିଗଲା । ମୋ ଦେହ ଉତ୍ତେଜନାରେ ଥରୁଥାଏ । ହତାଶ ହୋଇ ମୁଁ ସେ ଦୁଇଫାଳ ନଡ଼ିଆକୁ ଆଣି ଭଲରୂପେ ନଦେଖି ଲୁଚେଇଦେଲି ମୋ ବ୍ୟାଗରେ । କଅଣ କରିବି ବୁଝିପାରିଲିନି । ଶେଷରେ ତୋତେ ଡାକି ଅଧିଆରୁ ଉଠେଇଲି । ତା ପର କଥା ତ ଜାଣିଛୁ ।

ତା ପରଦିନ ନଡ଼ିଆକୁ ଧରି ଦେଖିଲା ବେଳକୁ ତା ଭିତରେ କୌଣସି ପାଣି ବା ଶସ ନଥିଲା । ଭିତରଟି ଚିକ୍କଣ ଦେଖାଯାଉଥିଲା । କୋରଣା ବା ଅନ୍ୟ କୌଣସି ଉପକରଣରେ କୋରିଲେ ମଧ୍ୟ ଏଭଳି କେବେହେଲେ ଦେଖାଯିବନି । ମୋ ମନକୁ ଆସିଲା, ନିଶ୍ଚୟ ଭଗବାନ ତୋ ନଡ଼ିଆ ଗ୍ରହଣ କରି ଖାଇଛନ୍ତି । ଜୟ ଜଗନ୍ନାଥ କହି ତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି । ତୋତେ ଯେଉଁ ଭିଡିଓ ପଠେଇଥିଲି, ତାକୁ ମୁଁ ପୁରା ସନ୍ଧ୍ୟାରେ ଲାଗିପଡ଼ି କମ୍ପ୍ୟୁଟରର ଫୋଟୋସପ ଜରିଆରେ ତିଆରି କରିଥିଲି । ତୋ ନଡ଼ିଆ ଜଗନ୍ନାଥଙ୍କ ହାତ ନନେଲେ କଅଣ ହେଲା, ବୋଧେ ହନୁମାନ ତୋ ନଡ଼ିଆ ନେଇ ଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ନହେଲେ ଅଭଙ୍ଗା ନଡ଼ିଆ ଭିତର ଏତେ ଚିକ୍କଣ କେମିତି ହୋଇଥାଆନ୍ତା ! ପ୍ରଭୁଙ୍କ ଚିନ୍ତାଧାରା ଆମେ ମର୍ତ୍ତ୍ୟବାସୀ ବୁଝିପାରିବାନି । ତୋର ସାରା ଜୀବନର କାମନା ଫଳବତୀ ହୋଇଛି ନିଶ୍ଚୟ । ସେଦିନ ଏହି ଚିନ୍ତା ଧାରା ମୋ ମନରେ ପଶିନଥିଲା । ତୁ ମନ ଦୁଃଖ ନ କରିବା ପାଇଁ ଓ ନିଜକୁ ଦୋଷୀ ଭାବି ମିଛ କହି କମ୍ପ୍ୟୁଟର କାଣ୍ଡ କରିଥିଲି । ମୋତେ କ୍ଷମା କରିଦେବୁ । ବଞ୍ଚିରହିଲେ ଆଉଥରେ ଦେଖାହେବ । ବିଦାୟ ..... ।

ଏ ଚିଠି ପଢ଼ି ମୁଁ ଆହୁରି ଜୋରରେ କାନ୍ଦିଉଠିଲି । ପାଟିରୁ ବାହାରିଗଲା, “ମିଛ କହି ଯଦି ଜଣକୁ ସାନ୍ତ୍ଵନା ମିଳେ, ତାହେଲେ ସେ ମିଛକୁ ମିଛ କୁହାଯାଏନି ଭାଇ । ମୁଁ ମୋଟେ ମନ ଦୁଃଖ କରିବିନି । ଜଗନ୍ନାଥ ତ ନଡ଼ିଆ ନେଲେ; ଆଉ ଦୁଃଖ କଅଣ ? ତୁ ନିଶ୍ଚୟ ଭଲ ହୋଇ ମୋ ପାଖକୁ ଫେରି ଆସିବୁ । ଆଜିକାଲି କ୍ୟାନସର ରୋଗରେ କେହି ମରୁନାହାନ୍ତି । ତୋ ଭଳି ବନ୍ଧୁକୁ ମୁଁ ଥରେ କଅଣ, ଶହେ ଥର କ୍ଷମା କରିବି ଓ ଆବଶ୍ୟକ ହେଲେ ଶହେ ଥର ଅଧିଆ ପଡ଼ି ପ୍ରଭୁଙ୍କ ପାଖରେ ତୋ ଜୀବନ ପାଇଁ ଭିକ୍ଷା ମାଗିବି ।"

ଡା: ସୁବାସ ଚନ୍ଦ୍ର ରାଉତ

ଫୋନ - ୭୯୭୮୦୫୯୮୫୧

ପରିହାସ ଧର୍ମ ସୃଷ୍ଟି

Rate the content


Originality
Flow
Language
Cover design

Comments

Post

Some text some message..