ପୁଅ ବାହାଘର
ପୁଅ ବାହାଘର
ସୁନାହାରଟା କେବେଠୁ ବରାଦ ଦେଲେଣି। ହେଲେ ସେ ବଣିଆର କ'ଣ ଗୋଟେ ଅର୍ଜେଣ୍ଟ କାମ ପଡିଲା ଯେ,... ହଁ ହଁ। କହି ସେବେଠୁ ଯାଇଛି ଯେ ଯାଇଛି।ପୁଅ ବାହାଘର ବୋଲି ବାରମ୍ବାର କହିଥିଲି।
-ତମେ ବ୍ୟସ୍ତ ହୁଅନି। ବାହାଘର ଦିନ ହାର ପହଂଚିଯିବ।
ହେଲେ ଆଜି ଦେଖ ପୁଅ ବାହାଘର। ଘରେ କୁଣିହାଁ ଭର୍ତ୍ତି ହେଲେ ମୋ ବେକ ଖାଲି। ରଞ୍ଜନ ବାପା ଏଇ ଚାରି ଭରିର ସୁନା ଚେନାଟା ଥରେ ଆଣି ଦେଇଥିଲେ। ସେଇ ପୁରୁଣା ଚେନଟାକୁ ପକେଇଛି।
ସେଇଆ ନୁହେଁ ଆଉ କ'ଣ ଅପା । ପୁଅ ବାହାଘର ; ହେଲେ ତୁ ସୁନାହାରଟା ପିନ୍ଧି ପାରିଲୁନି ।
.....
-ଖୁଡୀ ଲେମ୍ବୁ ପାଉନି।
-ତମେ ଚିନ୍ତା କରନି ଝିଅ । ଆମର ସବୁ ବଫେଇ ହେଇଛି । ସେମାନେ ବୁଝିବେ। ଆମର କିଛି କ।ଳେ ଚିନ୍ତା କରିବା ଦରକାର ନାହିଁ ବୋଲି ରଞ୍ଜନ କହୁଥିଲା।
-ହଁ ଯେ ଖୁଡୀ ହେଲେ ଗେଷ୍ଟମାନଙ୍କ ପାଇଁ ତ ପୁଣି କିଛି ଥଣ୍ଡା ଫଣ୍ଡ। ଦରକାର ନା ନାହିଁ। ତମେ ଯାଅ ରୀତାକୁ କହିବ ସେ ସବୁ ଜାଣିଛି। ମୁଁ ବ୍ୟସ୍ତ ଅଛି।
-ଆଲୋ ଅପା କେମିତିକା ଘରେ ବାହାଘର କଲୁ ତ କହିଲୁନି।
କହିବି କ'ଣ ତୁ ଦେଖିବୁନି। କଣ ସେ ନଦେବେ। ଗୋଟେ ବୋଲି ଝିଅ। ପୁଅ ଫୁଅ କେହି ନାହାଁନ୍ତି। ଟିଭି ,ଫ୍ରିଜ, ୱଶିଙ୍ଗ ମେସିନେ,ଗାଧୁଆ ସଜ ,ବାଟ ଖର୍ଚ୍ଚ, ପୁଅକୁ ଚେନ, ବ୍ରସେଲେଟ, ବୋହୂକୁ ଦୁଇ ଦିଟା ସୁନା ହାର ଓ ନଗଦ କ୍ୟାସ କେତେ କ'ଣ !!!
ସତରେ ନ କ'ଣ ଅପା !
-ହଁ ଅପା ବୁଲି ବୁଲି ଗୋଟେ ଭଲ ଜାଗାରେ ପହଂଚିଲୁ। ଭାଇ ନାହିଁ ତାର । ଆମର ତ ସବୁ....। ନା କ'ଣ ? ହା ...ହା...।
ହା ହା.... ସତ କହିଲୁ ଲୋ ।
ଅହଂକାରରେ ମଣିଷ ଭିତରକୁ ଚିହ୍ନି ପାରେନି । ବାହ୍ୟ ଆବରଣରେ ଅଟକି ଯାଏ। ଆବଶ୍ୟକତା ନ ପଡିଲେ ମଣିଷ କ'ଣ ଗୁଣ ଚିହ୍ନି ପାରେ ?
ସବୁଦିନ ଦେଖେଇ ହୋଇ ଗପିବା ମଞ୍ଜୁ ଖୁଡୀଙ୍କର ଅଭ୍ୟାସ । ଚଉଦିଗରେ କାଉ କୋଇଲି ବି ବିରକ୍ତ ହେଉଥିବେ ବୋଧେ।
.....
-କ'ଣ କରୁଛ ଖୁଡୀ ?
-ଏଇ ଏମିତି ରୋଷେଇ ଆଡେ ଟିକେ।
ଏତେ ଡେରିରେ ରୋଷେଇ ଯେ ? ଦାଦା କାହାନ୍ତି ?
-ବସି ବସି ଭଲ ଲାଗୁନି ତ । ରୋଷେଇ ଆଡେ ଟିକେ ପଳେଇ ଆସିଲି। ବୋହୁ ରୋଷେଇ କରୁଥିଲା। ତାକୁ ଯେତେ ମନା କଲେ ବି ସେ କିଛି କାମ ମୋତେ କରେଇ ଦେଉନି । ଏବେ ଏବେ ଯାଇ ଶୋଇଛି ଟିକେ। କେତେ କାମ କରୁଛି। ପିଲାଟା...। ବୋହୁ ଆଜି ବହୁତ ପ୍ରକାର ଜଳଖିଆ କରିଥିଲା । ମୁଁ ବହୁତ ଖାଇଦେଇଛି । ଆଉ କ'ଣ ଦେହରେ ଯାଉଛି । ଦାଦା ବି ଆଜି ଡେରିରେ ଜଳଖିଆ ଖାଇ ଏଇ କୁଆଡେ ବଜାରଆଡ଼େ ଯାଇଛନ୍ତି । ଆସୁଥିବେ ...।
ମୁଁ ନ ପଚାରୁଣୁ ଖୁଡୀଙ୍କର ଉତ୍ତର ।
ଦିନ ଦୁଇଟା ବାଜିଲାଣି ସେତେବେଳେକୁ । ଗ୍ୟାସ ଚୁଲା ଉପରେ ପ୍ରେସରରେ ଡାଲି ସେତେବେଳକୁ ଚାରିଟା ହୁଇସିଲ ମାରିଲାଣି । ଆଡେ ଚୁଲି ଉପରେ ଭାତ ଆସି ହେବା ଉପରେ । ଖୁଡୀ ଭାତ ଗାଳିବାକୁ ପ୍ରସ୍ତୁତ ।
- ଖୁଡୀ ମୁଁ ଗ୍ୟାସଟା ବନ୍ଦ କରିଦେବି କି ?
-ନାଇଁ ଥାଉ ମା ମୁଁ ବନ୍ଦ କରିଦେବି ।
ତେରେ ବିନ ଜିଆ ନାଯାଏ ..।
କିଏ ମ୍ୟୁଜିକ ଶୁଣୁଛି ଖୁଡୀ ? ରୀତା କି ? ସେ ନାହିଁ ମାମୁଁ ଘରକୁ ଯାଇଛି।
ନାଇଁ ମା ବୋହୂ ବୋଧେ ଟିଭି ଲଗେଇ ଶୋଇପଡିଛି। ପିଲାଲୋକ ତ।
.....
ଆରେ କ'ଣ ଦିଇଟା ଖାଇବାକୁ ହେଲାଣି ନା ନାହିଁ। ଆଗେ ସକାଳୁ ମଣିଷ ଟିକେ ଚା ପିଉଥିଲା । ଏବେ ସେତକ ବି ନାହିଁ ଆଉ । ଏବେ ପାଣି ଟୋପେ ମିଳୁନି । ବ୍ୟାଗଟା ଥୋଉ ଥୋଉ ଗାଳି ଚାଲିଲେ ରଘୁ ଦାଦା ।
କେହି ଜଣେ ଠିକ କହିଥିଲେ । ଭୋକ ବେଳେ ମଣିଷ ହିଁ ସତ କହେ। ଅନ୍ତର କଥା ବାହାରି ଆସେ ।
-ଥାଉ ଥାଉ ମାଆ କେତେବେଳେ ଆସିଲୁ ?
-ଏବେ ଏବେ ଦାଦା ।
ତମେ କ'ଣ ଖାଇନ କି ଦାଦା ?
ନାଁ ରେ ମାଆ ଏଯାଏଁ ଖାଇନି । ରୋଷେଇ ହେଲେ ସିନା ଖାଇବି ।ମୁଁ ତ ବାହାରେ ଖାଏନି। ମୋର ଡାଏବେଟିସ । ତୁ ଜାଣିଛୁ ।
ମୁହଁ ଲୁଚାଉଥିଲେ ମଞ୍ଜୁ ଖୁଡୀ । ଅଜାଣତରେ ଦୁଇ ଧାର ଲୁହ କାନିରେ ପୋଛି ପକାଉଥିଲେ ।