Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Tragedy

3  

pratap nayak

Tragedy

କେବଳ ଗପଟିଏ

କେବଳ ଗପଟିଏ

3 mins
13.9K


ରାଣିତୋଳା ଭଦ୍ରକ ଛାତ୍ରଛାତ୍ରୀଙ୍କ ସ୍ମରଣେ......ଗଳ୍ପ

ଆସୁନୁ ଶୋଇବା,ବୋଉ.....ଏ ବୋଉ....।ପାଷାଣ ହେଇ ଯାଇଥିଲା ପ୍ରିୟମ୍ବଦାର ମା,ଆଖିରୁ ଲୁହ ଗଡି ଚାଲିଥିଲା ଯେ ସୁଖିବାର ନାଁ ଧରୁନଥିଲା,ତାକୁ ଶୋଇବା ପାଇଁ ଅଳି କରୁଥିଲା ତା ସାନ ପୁଅ ରୂପୁନ ।ଛଅ ବରଷର ପୁଅର ଡାକ ଶୁଣି ବି ଶୁଣି ପାରୁନଥିଲା ସେ ।ପୁଅ ଅଝଟ ହେଉଛି ,ଶୋଇବାକୁ ଜିଦ କରୁଛି,ରାତି ତ ଅନେକ ହେଲାଣି,ସତେ ଆଉ କଣ ମୋ ପ୍ରିୟ ଫେରିବନି,ଯାଇଛି ଯେ ଯାଇଛି ପାଠ ପଢିବାକୁ।

କାନି ଧରି ମାଆକୁ ଏକ ରକମ ଟାଣି ଟାଣି ନେଇଗଲା ରୂପୁନ ।ଖଟରେ ଟାଣି ଶୋଇଦେଲା ,ତା ଡାହାଣ ହାତକୁ ଟାଣି ନିଜର ତକିଆ କରି ଦେଲା ସେ ।ନିଜର କୁନି ପାଦ ଯୋଡିକ ନେଇ ମାଆର ଅଣ୍ଟା ଉପରେ ରଖିଦେଲା ।ଆଜି କାଇଁ ତା ବୋଉ ତାକୁ କିଛି କହୁନି,ଧୋ ବାୟା ଗୀତ ଶୁଣାଉନି।

ପ୍ରିୟ ଦିଦି କଣ ଏତେବେଳ ଯାଏ ଶୋଇବାକୁ ଆସିନି,ପିଲା ମୁଣ୍ଡରେ କିଛି ଜାଣି ପାରୁନଥିଲା ରୂପୁନ ।ପଚାରିଲା ବୋଉ ଦିଦି କୁଆଡେ ଗଲା ,ଆସିବନି କି ଶୋଇବାକୁ,ନଆସୁ ।ଆସି କି ମତେ ମାରି ଥା’ନ୍ତା ମ,ତୋ ଆରପଟେ ଶୋଇ ତୋ ଉପରେ ଗୋଡ ପକେଇ ମୋ ଗୋଡକୁ ପେଲି ଦେଇ ଥାନ୍ତା,ନଆସୁ ଭଲହେଇଛି,ଆଜି ତୁ ଏକା ମୋର କହି ରୂପୁନ ବୋଉକୁ ବୁଲିପଡି ଯୋରରେ କୁଣ୍ଢେଇ ଧରିଲା ।ଆହୁରି ଜୋରରେ କାନ୍ଦି ଉଠି ତା ମା ତାକୁ କୋଳରେ ଜାବୁଡି ଧରି କହିଲା ଆଉ ତୋ ପ୍ରିୟ ଦିଦି ଜମା ଆସିବନି ରେ ରୂପୁନ,ମୋ ଉପରେ ଗୋଡ ପକେଇବନି..... ତୋ ଗୋଡକୁ ମୋ ଉପରୁ ଠେଲି ଦବନି କି ତତେ ମାରିବନି।

କାହିଁକି ଆସିବନି,ରାଗିଛି...

କହୁନୁ....

ତୁ କାନ୍ଦୁଛୁ କାହିଁକି ତୁ କଣ ପିଲା ହେଇ ଯାଉଛୁ ।ଆଉ କାନ୍ଦେନା ତୁ କାନ୍ଦିଲେ ମୁଁ ବି କାନ୍ଦିବି କହିଦେଉଛି।

ଆଖିରୁ ଖାଲି ଅଶ୍ରୁଜଳ ନିଗିଡିଲା ସିନା ଆଉ ମାର କାନ୍ଦ ରୂପୁନ ଶୁଣି ପରିଲାନି।

ଏଇ ଶୋଇଲା ବେଳେ ବୋଉ ଉପରେ ଗୋଡ ପକେଇବାକୁ ନେଇ ନିଇତି ମରାମରି ଝପଟା ଝପଟି ହୁଅନ୍ତି ଭାଇ ଭଉଣୀ,ବୋଉ ମାଡ ଗୋଳ ଭାଂଗେ,ଆକଟ କରେ,ବେଳେବେଳେ ରାଗିକି ପ୍ରିୟ ଦିଦି କି ପାଟି କରେ ,ରୂପୁନକୁ କିଛି କହେନା ପାଟି କରେନା ବାପ ଲୋ ଧନ ଲୋ କହି ପିଠି ଥାପୁଡାଇ ଦେଇ ଶୋଇପକାଏ ।ଆଜି ଦିଦି ନାହିଁ ବୋଉ ବି କିଛି କହୁନି କି ଗେହ୍ଲା କରୁନି ।ଦିଦି ନାଇଁ ବୋଲି ରୂପୁନକୁ ବି ଖାଁ ଖାଁ ଲାଗୁଛି ବିଛଣା,ଖଟ,ଭଲ ଲାଗୁନି।

ରୂପୁନ କହିଲା ବୋଉ ଦିଦିକି ଡାକେ ଶୋଇବ,ତୋ ଉପରେ ଗୋଡ ପକେଇବ,ମୁଁ ଜମା ତା ଗୋଡ ତୋ ଉପରୁ କାଢିବାକୁ କହିବିନି ।ତୁ ଆଉ କାନ୍ଦେନା ,ଡାକେ ତାକୁ ଡାକେନା ।ଅଧୈର୍ଯ୍ୟ କରିଦେଲା ରୂପୁନ ତା ମା’କୁ ।ଦୂରରୁ ଝରକା ସେପଟୁ ଜଳୁଥିବା ଜୁଇକୁ ଦେଖେଇ ବୋଉ କହିଲା ,ଦେଖ ପୁଅ ତୋ ଦିଦି ପା’ ସେଇଠି ଶୋଇଛି,ପୁଅ ଅନେଇଲା ଝରକା ଆରପଟକୁ ।କଣ ବୁଝିଲା କେଜାଣି ,କହିଲା ବୋଉ ସେଠି ପା’ ନିଆଁ ଜଳୁଛି,ଦିଦି କି ଡାକେ ଆମ କତିକି ପଳେଇ ଆସୁ ,ରାତି ହେଲାଣି ତାକୁ ଡର ମାଡିବନି ।କ... ନିଆଁ କତିକି ଯିବନି,ଗଲେ ତା ହାତ ନିଆଁରେ ପୋଡିଯିବ ।ନିଆଁ....।ଯେମିତି ମୋ ହାତ ସେଦିନ ଡିବିରିରେ ପୋଡିଯାଇ ନଥିଲା?ଡାକେ ତାକୁ ।ତାକୁ କ ସେଠିପା ଶ୍ମଶାନ ଅଛି,ତୁ କହୁନଥିଲୁ ସେଠି ସବୁ ଭୁତ ପ୍ରେତ ରହନ୍ତି ,ଡରେଇବେ ।କ ସିଏ ଆସୁ ଶୋଉ ମୁଁ ଜମା ଅଝଟ ହେବିନି ଡାକୁନୁ ବୋଉ ଡାକେ....

ଅଝଟିଆ ରୂପୁନକୁ କି ଉତ୍ତର ଦେବ ମା.....,ଆହୁରି ଜୋରରେ ଭିଡି ଧରି କାନ୍ଦିଲା ବୋଉ ,ରୂପୁନକୁ କହିଲା,ଦିଦି କଣ ସେଠି ଏକା ଅଛି କିରେ ପାଗଳା,ସେଠି ପା’ ତା ସାଂଗ ଶ୍ୱେତା,କଳ୍ପନା,ସୁକାନ୍ତ ,ସତ୍ୟବ୍ରତ ଅଛନ୍ତି...

ବଡ ପିଲା ପରି ବୁଝିଲା ଭଳିଆ ରୁପୁନ କହିଲା ତାହେଲେ ସେମାନେ ଆଲୁଅ ଲଗେଇ ସେଠି ପଢୁଛନ୍ତି ।ସେଇଥିପାଇଁ ଉମା ଦାଦା ହାତରେ ତାର ସବୁ ବହି ଖାତା ଦେଇଦେଲୁ ଦିଦି ସେଠି ପଢିବ ବୋଲି,ପଢି ଫାଷ୍ଟ ହେବ।

ବୋଉ ଏ ବୋଉ ବହି ଖାତା ତ ଦେଲୁ ବୁଝିଲି ହେଲେ ତା ସବୁ ଜାମାପେଣ୍ଟ ଯୋତା. ଚପଲ ଦେଲୁ କାହିଁକି,କାହିଁକି ଦେଲୁ କହୁନୁ

କ ବୋଉ କହୁନୁ.....

ହଁ ସିଏ କହୁଥିଲା ପଅର ଦିନ ବାହୁଡାରେ ରଥ ଟଣାହେବ ସେ ପୁରୀ ଯାଇ ଦେଖିବ ରଥ,ଟାଣିବ ରଥ ,କାଳେ ମୁଁ ପୁରି ଯିବାକୁ ଜିଦ କରିବି,କାନ୍ଦିବି ।ମୁଁ ଯେମିତି ଯାଣି ପାରିବିନି ।ସେଥିପାଇଁ ତୁ ତା ସବୁ ଜମାପେଣ୍ଟ ଦେଇ ଦେଇଛୁ ,ସେଠି ଆଲୁଅରେ ତା ସାଂଗରେ ଯୋଉ ପିଲାମାନେ ପଢୁଛନ୍ତି ତାଙ୍କରି ସହିତ ସିଏ ପୁରି ଯିବ ରଥ ଟାଣିବ ,କହୁନୁ ମୁଁ ଯିବି ମୁଁ ପୁରି ଯିବି ରଥରେ ଠାକୁର ଦେଖିବି ।ବୋଉ ତୁ ଦିଦି କି ଡାକେ ମତେ ନବ ମୁଁ ତା ସାଂଗେ ଯିବି ....ଡାକେ ଡାକେ ବୋଉ ,କହି କଇଁ ଉଠେଇ କାନ୍ଦିଲା ରୂପୁନ।

ବୋଉ ତା ପାଟିରେ ହାତ ଦେଇ କହଲା ତୁ ବୁଝି ପାରିବୁନୁରେ ପୁଅ ....ଦିଦି ବାହୁଡାରେ ରଥ ଟାଣିବ କଣ .....ବାହୁଡି ଯାଇଛିରେ ଆମ ପାଖରୁ ସହୁ ଦିନ ପାଇଁ ।ସିଏ ଆଉ ଜମା ଆସିବନି ।ଶୋଇଲା ବେଳେ ତୋ ସହିତ ଝଗଡା କରିବନି ।ଯାଇଛି ପା ପାଠ ପଢି ।ପାଠ ପଢି ବଡମଣିଷ ହବ,ଦେଶ ଜାତିର ନାଁ ରଖିବ।


Rate this content
Log in

Similar oriya story from Tragedy