Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଇଞ୍ଜିନ୍ ବାବା
ଇଞ୍ଜିନ୍ ବାବା
★★★★★

© Arabinda Rath

Others

9 Minutes   7.3K    11


Content Ranking

ଲେଖା- ଅରବିନ୍ଦ ରଥ

– ଆରେ ଧଡିଆ, କେତେ ଥର ଡାକିଲିଣି ଶୁଭୁନି ନା କଣ? ପନ୍ଦର ନମ୍ବର ରେଞ୍ଚି ଟା ବେଇଗି ଦେ। ବିରକ୍ତିଭରା କଣ୍ଠରେ କହିଲା ନରିଆ ସାହୁ।

- - ଆରେ ବାପା ରୁହ, ସେମିତି ଆମ୍ପୁଡି କାମୁଡି କାହିଁକି ହେଉଛ। ପାଇଲେ ତ ଦେବି। ନଥିଲେ କୁଆଡୁ ଜନମ କରିବି ନା କଣ?

ଏମିତି କଥା କଟାକଟି ସବୁ ଦିନ ଚାଲେ ନରିଆ ମିସ୍ତ୍ରୀ ଗ୍ଯାରେଜ୍ ରେ। ତାହା ସହରର ସବୁଠାରୁ ଭଲ ଗ୍ଯାରେଜ୍। ଲୋକେ କୁହନ୍ତି ସେ ଗାଡିରେ ହାତ ମାରିଲେ ଜାଣି ଯାଏ କେଉଁ ଜାଗାରେ ଅଖଞ୍ଜ ହୋଇଛି। ଜଣେ ନାମକରା ମେକାନିକ୍ ହିସାବରେ ତାର କାଟତି କାହିଁରେ କଣ। କିନ୍ତୁ ବୟସ ବଢିବା ସାଙ୍ଗକୁ ଦେହରେ ବଳ ବି କମି ଗଲାଣି। ଗ୍ଯାରେଜ୍ ର ପିଲା ମାନେ କୌଣସି ମତେ କାମ ଚଳଉଛନ୍ତି। ନରିଆର ଅଭିଜ୍ଞତା ପାଇଁ ଲୋକେ କେବଳ ତା ଗ୍ଯାରେଜ୍ କୁ ଆସନ୍ତି । ସେ କେତେ ସ୍ବପ୍ନ ଦେଖିଥିଲା ପୁଅ ଧଡିଆ ପାଠଶାଠ ପଢି ଚାକିରି କରି ତାକୁ ପୋଷିବ। ପୁଅ କମାଣି ଗଲେ ସେ ନିତିଦିନିଆ ଗ୍ରୀଜ୍ , ମୋବିଲ୍ , ରଙ୍ଗ ଆଦି କାମରୁ ମୁକ୍ତି ପାଇବ। କିନ୍ତୁ ଧଡିଆ ପରି ନିକ୍କମା ପିଲା ଜଗତରେ ନଥିବେ। ସେ ଦଶମ ଶ୍ରେଣୀରେ ପାଞ୍ଚ ଥର ଗୁଡୁମ୍ ମାରିବା ପରେ ପାଠ ବ୍ଯାଗ୍ ରେ ଡୋରି ବାନ୍ଧି ଗ୍ଯାରେଜ୍ ରେ ବସିଲା। ଅଳସୁଆମିରେ ତାକୁ କେହି ପାରିବେନି। କାମ ନାଁଆ ଶୁଣିଲେ ତା ଦିହରେ ଜ୍ବର ମାଡିଆସେ। ପେଟେ ଖାଇ, ଦିନ ସାରା ସାଙ୍ଗସାଥି ଗହଣରେ ଖୁସି ଗମାତ କରିବାରେ ତା ସମୟ ଯାଏ। ନରିଆ ବହୁତ୍ ଗାଳିଫଜିତ୍ କଲା ପରେ ଏବେ କିଛିଦିନ ହେବ କାମ ଟିକେ କରୁଛି। ତଥାପି ଗ୍ଯାରେଜ୍ କାମ ରେ ତାର କିଛି ଆଗ୍ରହ ନ ଥିବାରୁ ସଦାବେଳେ କାନରେ କାନଗେଞ୍ଜା ଯନ୍ତ୍ର ଗେଞ୍ଜି ଗୀତ ଶୁଣି ସମୟ କାଟେ। ନରିଆ କେବେକେବେ ବିରକ୍ତ ହୋଇ କୁହେ-- ମୁଁ ମଲା ପରେ ଯାଇ ତୁ ବୁଝିବୁ। ଏବେ କୁଟା ଖଣ୍ଡ କୁ ଦି ଖଣ୍ଡ କରୁନୁ, ସେତେ ବେଳେ ମୂଲ ଲାଗିଲେ ବି ପଇସା ନ ପାଇ ଭୋକ ଉପାସରେ ରହିବୁ। କିନ୍ତୁ ଧଡିଆ ବାପାକୁ ଚିଡାଇ କୁହେ-- ତୁମେ ସେମିତି ରେଡିଓ ପରି ଗଜ ଗଜ ହୁଅନି। ଜ୍ଯୋତିଷ କହିଛି ମୁଁ ବହୁତ୍ ବଡ ଲୋକ ହେବି। ବହୁତ ପଇସା ରୋଜଗାର କରିବି। ନରିଆ ଆହୁରି ବିରକ୍ତ ହୋଇ କୁହେ-- କଉ ଶଳା ଜ୍ୟୋତିଷ କହିଲା,, ମୋତେ ଟିକେ କହିବୁ ତ, ତା ମୁହଁରେ ଯଦି ପୋଡା ମୋବିଲ୍ ବୋଳି ନ ଦେବି।

ଦିନେ ବାପ ପୁଅଙ୍କର ଯୁଦ୍ଧଟା ପ୍ରବଳତର ହେଲା ଓ ନରିଆ ରାଗରେ ପୁଅର ପିଚାରେ ଦୁଇ ଗୋଇଠା ମାରି ଘରୁ ବିଦା କରିଦେଲା। କହିଲା ଯଦି ମୁଁ ବଞ୍ଚିବା ଯାଏ ଘର ଦୁଆର ମାଡିବୁ ତୋ ଉପରେ ଗାଡି ଚଢେଇ ଦେବି। ରାଗ ରେ ଗରଗର ହୋଇ ଧଡିଆ ଗୃହତ୍ଯାଗ କଲା। ନରିଆ ସ୍ତ୍ରୀ ନାକଫୋଡି ଯେତେ ନେହୁରା ହୋଇ କାନ୍ଦିଲେ ବି ନିଷ୍ପତ୍ତି ଅଟଳ ରହିଲା ଓ ତା ପରଦିନ ଘରେ କେବଳ ନରିଆ ଓ ନାକଫୋଡି ଥିଲେ।

ସେତେଦିନ ଯାଏ ବାପ ପଇସାରେ ଅୟସ କରୁଥିବା ଧଡିଆ କଣ କରିବ କୂଳକିନାରା ପାଇଲାନି। ତାର ପିଲା ଦିନର ସାଙ୍ଗ ଓ ଚେଲା ଚେମେଣି ପାଖକୁ ଗଲା। ତା ଠାରୁ ମଧ୍ଯ ଶୁଣିଲା ସେହି ଦୁଃଖ କାହାଣୀ। ବିଲ କାମରେ ବାପ କୁ ସାହାଯ୍ଯ କରିପାରୁନି ବୋଲି ଠିଆ ଗୋଇଠା ଖାଇ ସେ ବି ଗୃହତ୍ଯାଗ କରିଛି। ବେନି ଜନଙ୍କର ସମଦୁଃଖ। ଭବିଷ୍ଯତ କାର୍ଯ୍ଯପନ୍ଥା ସ୍ଥିର କରିବାକୁ ବହୁତ ବାଟ ଚାଲିବା ପରେ ଗୋଟିଏ ବରଗଛ ମୂଳେ ବସିଲେ। ଭୋକରେ ପେଟ ଜଳୁଛି, ବିଡିଧୂଆଁ ଟିକେ ମିଳିନି ବୋଲି କେମିତି ପାଣିଚିଆ ଲାଗୁଛି ପାଟି ଟା। ବହୁତ ଖୋଜାଖୋଜି କଲାପରେ ଖଣ୍ଡିଆ ସିଗାରେଟ୍ ବାଲି ଉପରେ ପଡିଥିବାର ଦିଶିଲା । କୌଣସି ମତେ ଦୁଇ ପ୍ରାଣୀ ସୁଡୁକେ ଲେଖାଏ ଟାଣି, କଣ କରିବେ ଚିନ୍ତା କଲେ।

– ଆରେ ଧଡିଆଇ( ଧଡିଆ ଭାଇ), ତୁ ପରା ପିଲା ଦିନେ ମ୍ଯାଜିକ୍ ଦେଖଉଥିଲୁ। ଚାଲୁନୁ ଆମେ ଦି ଜଣ ମିଶି, ଗାଁଆ ଗାଁଆ ବୁଲି ମ୍ୟାଜିକ୍ କରି ପଇସା କମେଇବା।

– - ଭାକ୍ ବେ, ଆରେ ସିଂହ କେବେ ଘାସ ଖାଇବ ନାଁ କଣ? ତୁ ଟିକେ ଭାବିବାକୁ ଦେ। ଏମିତି କାମ କରିବି ଯେ ମୋ ବୋପା ମୋତେ ପାଲିଙ୍କିରେ ଟେକି ଘରକୁ ନେଇ କି ଯିବ।

- - କଣ କରିବୁ ଭାବିଛୁ କହୁନୁ ଟିକେ? ତୋର ତ କେତେ ବୁଦ୍ଧି, ତଥାପି ଟିକିଏ ହେଲେ ଗର୍ବ ନାହିଁ।

- - ହଁ ଯାହା କହିଲୁ । ମୁଁ ଭାବିଛି ମୁଁ ବାବା ହେବି ଆଉ ତୁ ମୋର ଚେଲା ହେବୁ।

– କଣ କହୁଛୁ ଧଡିଆଇ, ବାବା ମାନଙ୍କର ଅବସ୍ଥା କଣ ହେଉଛିି ଜାଣିନୁ ନା କଣ? ସାରା ଦେଶର ଜେଲ୍ ରେ ଅଧା କଏଦି ହେଲେ ବାବା। ମୁଁ ଯେତେ ଟା ବାବାଙ୍କ ଫଟୋରେ ଫୁଲମାଳ ଦେଇ ପୂଜା କରୁଥିଲି, ନିଇତି ସେମାନଙ୍କ କେଳେଙ୍କାରୀ ଖବରକାଗଜରେ ବାହାରୁଛି। ସେମାନଙ୍କର ଭକ୍ତ ବୋଲି ମୁଁ ଫୁଟାଣି ମାରୁଥିଲି, କିନ୍ତୁ ଏବେ ସେମାନଙ୍କ ମାତା ଭଗୀନି ମାନଙ୍କୁ ଲଗେଇ ଗାଳି ଦେବାକୁ ମନ ହେଉଛି। ନିରିହ ଲୋକ ଗୁଡାକୁ କେମିତି ହନ୍ତସନ୍ତିଆ କରୁଛନ୍ତି ତୁ କଣ ଟିଭିରେ ଦେଖିନୁ?

– – ଆରେ ଚିଙ୍ଗୁଡିମୁଣ୍ଡିଆ, ତୋର କେତେ ବୁଦ୍ଧି ଯେ ପାଟି କରୁଛୁ। ମୁଁ ହେଲି ଗୁରୁ, ତୁ ମୋର ଚେଲା। ବୁଦ୍ଧି ଖଟାଇବା କାମ ମୋର। ବାକି ସବୁ କାମ ତୁ କରିବୁ। ମୁଁ କାହାକୁ ଠକିବିନି ଏତିକି ଜାଣିଥା। ତଥାପି ଲୋକେ ଗୋଡେଇବେ ମୋ ପଛରେ। ଯେମିତି କହିବି ସେମିତି କରିବୁ।

– – ହଉ ହେଲା ଯେ ତୋ ନାମ କଣ ହେବ? ତୁ କେଉଁ ବାବା ହେବାକୁ ଭାବିଛୁ। ଏବେ ଆମ ଦେଶରେ ଦାମବାବା, ନିରାଶାରାମ ଟାପୁ, ଚନ୍ଦରାଶଙ୍କର, ଅସୁର ବାବା, ଯନ୍ତୁରା ବାବା, ଦାନ୍ତୁରା ବାବା, ବେରଥି ବାବା,ପେଟୁଆ ବାବା,ରସିକ ବାବା, ମୋହନି ବାବା, ତରୁଣ ବାବା, ଗୋବରା, ଥୋବରା, ନାକରା, ମେଞ୍ଚଡ, ଆଣ୍ଠୁକୁଡା, ଓଥରା ବାବା ସମୁହ ଙ୍କ କାଟତି କାହିଁରେ କଣ। ତେତିଶ କୋଟି ଦେବତା, ମଲା ପରେ କିଛି ମହାପୁରୁଷ ବି ଠାକୁର ହୋଇ ପୂଜା ପାଉଛନ୍ତି, ପୁଣି ବାବା ଓ ମାତା ମାନଙ୍କ ସଂଖ୍ଯା ବି କିଛି କମ୍ ନୁହଁ। ଆରେ ଧଡିଆଇ, ଯେତିକି ଠାକୁର ସେତିକି ଲୋକ ନାହାଁନ୍ତି। ଏତେ ଅଧିକା ଚମ୍ପିଟିସନ୍ ( କମ୍ପିଟିସନ୍) ରେ ଆମେ ତିଷ୍ଠିବା କେମିତି।

--- ବ୍ଯସ୍ତ ହୁଅନି ବତ୍ସ୍ଯ, ସେସବୁ ର ବ୍ଯବସ୍ଥା ମୁଁ କରିବି। ହସିହସି କହିଲା ଧଡିଆ।

– ଆରେ ବଢିଆ ତ, ତୁ ତ ଆମ ଚେଣ୍ଟାରୁ ବାବାଙ୍କ ପରି କଥାଭାଷା ହେଉଛୁ। ଯେ ତୋତେ କି ନାମରେ ନାମିତ କରିବା କହ।

– ମୁଁ ହେଲି ଇଞ୍ଜିନ୍ ବାବା।

- - ଆରେ ସେଇଟା କଣ?

– କିରେ ଭୁନ୍ଦୁ, ମୋ ବୋପା ଗ୍ଯାରେଜ୍ ରେ କାମ କରିପାରିଲିନି ବୋଲି ଘରୁ ତଡିଦେଲା। ଏବେ ଦେଖ୍ ମୁଁ ଇଞ୍ଜିନ୍ ବାବା ହୋଇ କି କାରସାଦି କରୁଛି।

ସେଇ ବରଗଛ ମୂଳରେ ହିଁ ଜନ୍ମନେଲେ ଇଞ୍ଜିନ୍ ବାବା ଓ ତାଙ୍କ ଚେଲା ଚେମେଣିଆ ବାବା।

XXXXXXXXXXXXXXXXXXXXX

ଆରେ ଭାଇମାନେ ଦଉଡି ଆସ, ବରଗଛ ମୂଳରେ କେହି ଜଣେ ମହାପୁରୁଷଙ୍କର ଆବିର୍ଭାବ ହୋଇଛି।

ଲୋକଟିର ଡାକରେ କିଛି ଲୋକ ଦଉଡି ଆସି ଦେଖିଲେ ଜଣେ ତେଜବନ୍ତ ପୁରୁଷ ଚକ୍ଷୁଅର୍ଦ୍ଧ ନିମିଳିତ କରି ଯୋଗାସନରେ ବସିଛନ୍ତି ଓ ଜଣେ ସେବକ ତାଙ୍କର ପାଦ ତଳେ ହାତ ଯୋଡି ବସିଛି। ଜଣେ ଲୋକ ପାଖକୁ ଯାଇ ନିରେଖି ଦେଖିଲା ଧ୍ଯାନମଗ୍ନ ପୁରୁଷଙ୍କ ମୁଣ୍ଡଟି କୁକୁଡା ଅଣ୍ଡାପରି ଚକଚକ କରୁଛି। ଗୋଟିଏ ହେଲେ କେଶ ନାହିଁ । ଆହୁରି ନିରେଖି ଦେଖିଲା ମୁଣ୍ଡରେ ଓଁ ଲେଖା ଯାଇଛି।

– ପ୍ରଭୋ, କିଛି ଲୋକ ଆସିଛନ୍ତି।

ଧ୍ଯାନ ଭାଙ୍ଗି ସେ ପୁରୁଷ ଧିର କଣ୍ଠରେ କହିବା ଆରମ୍ଭ କଲେ-- ହେ ଅମୃତ ସନ୍ତାନ ଗଣ। ଏଠାରେ ବସିବା ହୁଅନ୍ତୁ। ଆମ୍ଭେ ବହୁତ ଦୂର ଦେଶରୁ ତପସ୍ଯା ସାରି ଫେରୁଛୁ। କ୍ଳାନ୍ତ ଶରୀରକୁ ଟିକେ ଆରାମ ଦେବାପାଇଁ ଧ୍ଯାନମଗ୍ନ ହେଲୁଁ। ଧ୍ଯାନ ସମୟରେ ଜାଣି ପାରିଲି ଆପଣଙ୍କ ଗ୍ରାମକୁ ଭୀଷଣ ବିପତ୍ତି ମାଡି ଆସୁଛି। ବେଳ ହୁଁ ସାବଧାନ ନହେଲେ ଆପଣମାନେ ପୋକ ମାଛି ସଦୃଶ ମଶାଣିରେ ଲୀନ ହୋଇଯିବେ।

ସେଠାରେ ରୁଣ୍ଡ ହୋଇଥିବା ଲୋକ ମାନଙ୍କର ତୁଣ୍ଡ ଆଉ ଖୋଲିଲାନି। ଏତେ ସାହିତ୍ଯିକ ଭାଷା ବୁଝିବା ପାଇଁ ସାହିତ୍ଯ ସାରେଙ୍କ ସାହାଯ୍ଯ ନେବାକୁ ହେବ। କିନ୍ତୁ ଏତିକି ବୁଝା ପଡିଲା ଯେ, ମହାପୁରୁଷ ଜାଣି ପାରିଲେ ଯେ ତାଙ୍କ ଗାଁଆକୁ ବିପଦ ମାଡି ଆସୁଛି। ସାବଧାନ ନ ହେଲେ ଲୋକମାନେ ପୋକ ମାଛି ପରି ମରିଯିବେ।

ଜଣେ ନିହାତି ଭକ୍ତି ରେ ହାତ ଯୋଡି ମହାପୁରୁଷଙ୍କ ନାମ ପଚାରନ୍ତେ, ସେବକ ଟି କହିଲା ସେ ହେଲେ ମହାନ ଇଞ୍ଜିନ୍ ବାବା। ମୁଁ ହେଲି ତାଙ୍କର ଦାସ, ଚେଲା, ସେବକ, ଗୋଡାଣିଆ, ଚାକର, ନୌକର ଚେମେଣିଆ ବାବା। ଆମେ ଦୁହେଁ ଶିବଙ୍କୁ ଦର୍ଶନ କରିବାକୁ କୈଳାସ ପର୍ବତ ଯାଇଥିଲୁ। ଶିବ ମାହାପୁରୁ ପାର୍ବତୀ ମାତାଙ୍କ ସାଙ୍ଗେ ବହୁତ ଦିନ ଧରି କଣ ଟୁପୁରୁ ଟାପୁରୁ ହେବାର ଦେଖି ଆମେ ଫେରି ଆସିଲୁ। ପୁଣି ତିନି ମାସ ପରେ ଯିବୁ। ଆମ ଇଞ୍ଜିନି ବାବାଙ୍କ ମହିମା କଥା କଣ କହିବି। ସେ ଚାହିଁଲେ ବୋଲୁଅ ବି ରସଗୋଲା ହୋଇଯିବ। ତାଙ୍କ ହାତ ବାଜିଲେ ବିଛୁଆତି ପତ୍ର ତୁଳସି ପରି ମହମହ ବାସିବ। କୃପା ଦୃଷ୍ଟି ପଡିଲେ ବାଞ୍ଝ ନାରୀ ବି ଗାନ୍ଧାରୀ ପରି ଶତପୁତ୍ର ବେଇ ଦେବ। ଯଦି ସେ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦେବେ, ହଗୁରା ମେହେନ୍ତର ହଗ୍ରମ୍ ମହାଜନ ହୋଇ ଟଙ୍କା ଗଦି ଉପରେ ଥାକୁଲ୍ ଥାକୁଲ୍ ନାଚିବ। ସମୁଦ୍ରର ଢେଉ ଗଣି ହେବନି କି ଆମ ବାବାଙ୍କ ମହିମା କହି ହେବନି। ବଡ କଷ୍ଟ କରି ମୁଁ ବାବାଙ୍କ ମହିମା ମଧ୍ଯରୁ କିଛି ଲେଖି ରଖିଛି। “ ଇଞ୍ଜିନ୍ ବାବା ମାହାତ୍ମ୍ୟ ଭାଗ ୧ ରୁ ୫୦୦” “ଇଞ୍ଜିନ୍ ସହସ୍ରନାମ” “ ପରମ ଅବତାରୀ ସନ୍ଥ ଇଞ୍ଜିନ୍ ଏମିତି କେତେ କଣ। ଦଶ ଟା ଘର ପୁରି ରହିଛି ବାବାଙ୍କର ବହିରେ।

କିଏ ଜଣେ ଟାଉଟରିଆ ଟୋକା ପଚାରିଲା କିନ୍ତୁ ବାବାଙ୍କୁ ଦେଖିଲେ ଲାଗୁଛି, ବୟସ ତିରିଶି ଖଣ୍ଡେ ହେବ। ଏତିକି ଦିନ ରେ ଏତେ ମହିମା କଲେ କିପରି।

– ଚେମେଣି ଚିତ୍କାର କରି କହିଲା, ମୁର୍ଖ ମୋ ଦେବତାଙ୍କୁ ଅପମାନ କରୁଛୁ? ତାଙ୍କ ବୟସ ଅଶି ସରିକି ହେବ। ଯୋଗ ଓ ତପ ବଳରେ ବୟସ ସେଇ ତିରିଶିରେ ଠାକିଛି। ବାବା ଚାହିଁଲେ ବଢିବ ନୋହିଲେ ନାହିଁ।

ବାବା ଆଖି ଟିକେ ଖୋଲି ଦେଖିଲେ ଚେମେଣିର ବାକ୍ଯବାଣ ଠିକ୍ ଜାଗାରେ ବାଜୁଛି। ସବୁ ଲୋକ ଭୂଇଁ ତଳେ ହାତ ଯୋଡି ବସିରହିଛନ୍ତି ଓ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଛନ୍ତି। କିଛି ସମୟ ଉତ୍ତାରୁ ଲୋକେ ସଂକୀର୍ତ୍ତନ କରି ବାବା ଓ ଚେଲାଙ୍କୁ ଧରି ମହା ଆନନ୍ଦରେ ଗାଁଆକୁ ଫେରିଲେ। କିଛି ଦିନ ଭିତରେ ଆଶ୍ରମ ଟିଏ ଗଢି ରହିବାର ସୁବ୍ଯବସ୍ଥା କରିଦେଲେ। ଇଞିନ୍ ବାବା ପିଲା ଦିନେ ଶିଖିଥିବା ମ୍ଯାଜିକ୍ ଦେଖେଇ ଲୋକଙ୍କୁ ଖୁବ୍ କମ୍ ଦିନରେ ଚେଲା କରିଦେଲେ। ସବୁ ଦିନ ସକାଳେ ସନ୍ଧ୍ଯାରେ ଆଶ୍ରମରେ ସତସଙ୍ଗ ହୁଏ। ଚେମେଣି, ବାବାଙ୍କ ପାଖରୁ ରାତିରେ ନେଇଥିବା ଜ୍ଞାନ ସବୁ ଲୋକଙ୍କ ଆଗରେ ବାନ୍ତିି କରିଦିଏ। ସରଳ ଲୋକମାନେ ତଣ୍ଟିଯାଏ ଜ୍ଞାନ ପିଇ ମନ ଖୁସିରେ ଘରକୁ ଫେରନ୍ତି। ଦିନ ପରେ ଦିନ ବାବାଙ୍କ ମହିମା ବଢିବାରେେ ଲାଗିଲା। ବାବାଙ୍କ ସ୍ପର୍ଶରେ ରୋଗ ଉଭେଇ ଗଲା, ପିଲା ମାନେ ଦୃଷ୍ଟିଆ ହେଲେ ବାବାଙ୍କ ବିଭୂତି ମାରିଦେଲେ ଭଲ ହୋଇଗଲା, ବର ଖୋଜିଖୋଜି ଦରବୁଢୀ ପାଲଟି ଥିବା ଅଭିଆଡୀ ଝିଅ ଘରେ ମଙ୍ଗୁଳା ପାଣି ପଡିଲା। ରୋଗ ଶଯ୍ଯାରେ ପଡି ଜୀବନ ଛାଡୁ ନଥିବା ଲୋକ ମୁଣ୍ଡରେ ବାବା ହାତ ରଖିଦେଲା ମାତ୍ରେ ପ୍ରାଣପକ୍ଷୀ ଉଡି ସିଧା କୈଳାସମୁହାଁ ହେଲା। ଭକ୍ତ ବଢିବା ସହିତ ଭେଟି ଓ ଉପହାର ବି ବଢିଚାଲିଲା। କିଛି ଦିନ ଭିତରେ ବାବା ଓ ଚେଲା ବହୁତ ପରିଶ୍ରମ କରି ବାବା ହେବାର ସମସ୍ତ ଗୋପନ ଜ୍ଞାନ ଆହରଣ କରିନେଲେ। ରାତିରେ କିଛି ବହି ପଢି ବାବା ସରଳ ଭାଷାରେ ଚେମେଣି କୁ ବୁଝେଇ ଦିଅନ୍ତି ଓ ଚେମେଣି ଲୋକ ମାନଙ୍କ ସାମନା ରେ ସବୁ ଗଳଗଳ କରି ଗାଇ ଦିଏ। ଅଧିକାଂଶ ସମୟ ବାବା ନୀରବ ରୁହନ୍ତି। ନୀରବ ରହିଲେ କୁଆଡେ ଲୋକ ମାନଙ୍କ ସାମନା ରେ ଓଜନ ବେଶୀ ବଢିଯାଏ। ଲୋକ ମାନଙ୍କର ଭକ୍ତି କୂଳଥଳ ନ ମାନି ଆଗକୁ ବଢି ଚାଲିଲା। ସେତିକି ବେଳକୁ ବାବା ତାଙ୍କର ଅସଲ ମହିମା ଦେଖେଇଲେ।

ପୂର୍ବ ନିର୍ଦ୍ଦେଶ ଅନୁସାରେ ଚେମେଣି ଗାଁର ଗୋଟିଏ ମୁଣ୍ଡରେ ଥିବା ବସ୍ତିରେ ନିଆଁ ହୁଳାଟାଏ ପକେଇ ତିନି ଚାରିଟା ଘର ଜାଳିପକେଇଲା। ବାବା ଆଶ୍ରମ ଭିତରୁ ଦଉଡି ଗଲେ ଓ ଚେଲା କୁ ଧରି ନିଆଁ ଲିଭା କାମରେ ଲାଗିଗଲେ। ପୂର୍ବରୁ ଚେମେଣି ବସ୍ତାରେ ବାଲି ପୁରେଇ ରଖିଥିଲା। ଦୁଇ ଜଣ ମିଶି ବାଲି ବସ୍ତା ଫିଙ୍ଗାଫିଙ୍ଗି କଲେ। ଲୋକ ମାନେ ଆସିଯିବାରୁ ସମସ୍ତେ ମିଶି ପାଣି ଢଳାଢଳି କରି ନିଆଁ ଲିଭେଇଲେ। ସବା ଶେଷରେ ଇଞ୍ଜିନ୍ ବାବା କହିଲେ-- ହେ ଧର୍ମାତ୍ମା ମାନେ, ମୁଁ ଏହି କାମ ପାଇଁ ଏ ଗ୍ରାମରେ ଅବସ୍ଥାନ କରିଥିଲି। ମୁଁ ଆଗରୁ ଯେଉଁ ବିପଦର ଆଭାସ ଦେଇଥିଲି ତାହା ଆଜି ଘଟିବାକୁ ଯାଉଥିଲା। ଆଉ ଟିକେ ବିଳମ୍ବ ହୋଇଥିଲେ ଏହି ଗ୍ରାମର ସବୁ ଘର ଦ୍ବାର ଓ ଲୋକ ମାନେ ଅଗ୍ନୀ ଦେବତାଙ୍କ ଲେଲିହାନ ଜିହ୍ବାରେ ନିଶେଃଷ ହୋଇଥାଆନ୍ତେ।

ଚେମେଣି ରଡି ଛାଡି କହିଲା – ଜୟ ଇଞ୍ଜିନ୍ ବାବାଙ୍କର। କୈଳାସ ନିବାସୀ ଭୋଳାନାଥଙ୍କର ସାକ୍ଷାତ ସ୍ବରୂପ ଇଞ୍ଜିନ ବାବାଙ୍କର ଜୟ। ଗାଁଆଟା ସାରା ଖାଲି ଜୟ ଜୟ ଧ୍ବନିରେ କମ୍ପି ଉଠିଲା। ଲୋକ ମାନଙ୍କର ବିଶ୍ବାସ ଆହୁରି ବଢିଗଲା। ସବୁ ଏତେ ଖୁସି ହେଲେ ଯେ ଆଶ୍ରମଟା ଧାନ, ଚାଉଳ, ଟଙ୍କା, ସୁନା,ରୂପା ଓ ଉପହାରରେ ପୁରି ଉଠିଲା। ଶେଷରେ ବାବା ଓ ଚେଲା ଶୋଇବା ପାଇଁ ଜାଗା ମିଳିଲାନି।

ଦିନେ ଚେମେଣି ଦେଖିଲା ଆଶ୍ରମ ଭିତରୁ ଦୁଇ ତିନିଟି ନାରୀ, ଚୋରଣୀ ଙ୍କ ପରି ବାହାରି ଅନ୍ଧାରରେ ଅଦୃଶ୍ଯ ହୋଇଗଲେ। ସେମାନେ କିଏ ଜାଣିବାକୁ ଚାହିଁବାରୁ ଇଞ୍ଜିନ ବାବା ଟିକେ ବିରକ୍ତ ହେଲେ। କହିଲେ ତୁ ଚେଲା ଲୋକ, ଚେଲା ପରି ରହ। ବାବା ହେବାକୁ ଚେଷ୍ଟା କଣ ପାଇଁ କରୁଛୁ?

– ଏ ଧଡିଆଇ, ସେମିତି କଣ କହୁଛୁ ମ? ତୋ ପିଲା ଦିନର ସାଙ୍ଗ ମୁଁ। ଆରେ ଲୋକଙ୍କ ଆଗରେ ସିନା ଆମେ ସେମିତି ଡ୍ରାମା କରୁଛେ, ତୁ କଣ ସତସତିକା ବାବା ପରି ହେଉଛୁ।

– ଚେମେଣି ମୋତେ ବିରକ୍ତ କରନି। କାଲି ଠାରୁ ମୋର ଗୋଟେ ବଖରା ଘର ଅଲଗା ଦରକାର।

ବାବାଙ୍କ ପାଇଁ ବଡ ଘର ଦରକାର ବୋଲି ଗାଁଆ ଲୋକ ଜାଣିବା ପରେ ସାଙ୍ଗେସାଙ୍ଗେ ବ୍ଯବସ୍ଥା ହୋଇଗଲା। ଏବେ ଚେମେଣି ସେଇ ଚାଳ ଆଶ୍ରମରେ ରହିଲା ଓ ଇଞ୍ଜିନ୍ ବାବା ଛାତ ଘରେ ମହା ଆନନ୍ଦ ରେ ରହିଲେ। ଇଞ୍ଜିନ୍ ବାବା ପ୍ରକୃତି ଛାଡିବେ କିପରି, ତେଣୁ ଅଧିକାଂଶ ସମୟ ସେ ନାରୀ ମାନଙ୍କ ଗହଣ ରେ ବିତେଇଲେ। ଲୋକେ ବି କୁହା କୁହି ହେଲେ, ସେ ମହାପୁରୁଷ, ବଡ ତପସ୍ବୀ ଲୋକ। ଶିବ ଯେମିତି ପଞ୍ଝେ ନାରୀଙ୍କ ଗହଣରେ ତପସ୍ଯା କରନ୍ତି, ବାବା ସେମିତି ତପସ୍ଯା କରୁଥିବେ ବୋଧେ। ଚେମେଣି କୁ କିଛି ଠିକ୍ ଲାଗୁ ନ ଥାଏ। ଦିନେ ଦେଖିଲା ବେଳକୁ ଭକ୍ତ ଦେଇଥିବା ଟଙ୍କା ପଇସା ଇଞ୍ଜିନ୍ ବାବା ନିଜ ନାମରେ ବ୍ଯାଙ୍କରେ ଜମା କରିଦେଲେ। ସବୁ ସେ ନିଜେ ନେଇଗଲେ ଓ ଚେମେଣି ଭାଗ୍ଯରେ ଫଟା ଅଧୁଲେ ଟେ ବି ପଡିଲାନି। ମନେମନେ ସେ ରକ୍ତ ଚାଉଳ ଚୋବେଇବା ଆରମ୍ଭ କଲା। ଗାଁଆ ଟା ଯାକର ଲୋକଙ୍କ ନଜରରେ ଚେମେଣି ଗୋଟେ ଛାର ଚେଲା। ତାର କିଛି ନିଜତ୍ବ କି ଅସ୍ତିତ୍ବ ନାହିଁ। ସିଏ ଖାଇଲା କି ନାହିଁ, ଭଲରେ ରହିଲା କି ନାହିଁ, ସେ ଆଡକୁ କାହାର ନଜର ନ ଥାଏ। କିନ୍ତୁ ବାବାଙ୍କର ଶୋଇବାରେ ବି ଯଦି ଅସୁବିଧା ହୋଇଯାଏ, ଗାଁଆ ଟା ଯାକର ଲୋକଙ୍କ ଆଖିରୁ ନିଦ ହଜି ଯାଏ। ଯାହା ହେଲେ ସେ ବାବା ଲୋକ ନା, କାଳେ ରାଗି ଅଭିଶାପ ଦେଇଦେବେ। ଦିନ ପରେ ଦିନ ଗଡି ଚାଲିଥାଏ। ଦିନ ସହିତ ଲୋକଙ୍କର ବିଶ୍ବାସ ବି ବଢି ଚାଲିଥାଏ। ଇଞ୍ଜିନ ବାବାଙ୍କର ମନଟା ସନ୍ଯାସ ଛାଡି ଗୃହସ୍ଥ ଆଡେ ଡଙ୍କେଇବା ଆରମ୍ଭ କଲା। ଚେମେଣି ନୀରବ ରେ ସବୁ ଦେଖୁଥାଏ। ଖାଲି ଧର୍ମ ନାମରେ ଡରେଇ ବାବା କେତେ ଯୁବତୀଙ୍କୁ ନିଭୃତ କୋଠରୀରେ ନିଷିଦ୍ଧ ଆଶିର୍ବାଦ ଦେଲେଣି ତାର ହିସାବ ରଖିବା କଷ୍ଟ। ଯୁବତୀ ମାନଙ୍କ ମଧ୍ଯରେ ବି ପ୍ରତିଯୋଗିତା ଚାଲିଲା କିଏ ବାବାଙ୍କର ବେଶି ନିଜର ହେବ। ଏମିତି ଘଟଣାକ୍ରମରେ ଗାଁଆର କିଛି ଯୁବତୀ ପୋଖରି ପାଖରେ ବାନ୍ତି କରି ତେନ୍ତୁଳି ଖାଇବା ଘଟଣା ସମସସ୍ତଙ୍କ ନଜର କୁ ଆସିଲା। ଘଟଣାର ଗମ୍ଭୀରତା ଦେଖି ଚେମେଣି ଗାଁଆ ଛାଡି ରାତାରାତି କୁଆଡେ ଉଭାନ୍ ହୋଇଗଲା। ସେଇ ବାନ୍ତୁରୀ ଯୁବତୀ ମାନଙ୍କ ଭିତରେ ଗାଁଆ ମହାଜନ ଗେନ୍ଥଲ ଚୌଧୁରି ଙ୍କ ଅଲିଅଳି କନ୍ଯା ପେଣ୍ଠିବତୀ ଅନ୍ଯତମ। ତା ବାହାଘର ଅନ୍ଯ ଏକ ଜମିଦାର ପୁଅ ସହ ସ୍ଥିର ହୋଇ ସାରିଥିଲା। ନିର୍ବନ୍ଧ ମୁଦି ବି ପିନ୍ଧା ସରିଥିଲା। ବାହାଘର ପାଇଁ ବାବାଙ୍କ ପାଖକୁ ଆଶିର୍ବାଦ ନେବାକୁ ଯିବା ଅବସରରେ ଇଞ୍ଜିନ୍ ବାବା ନିଭୃତ କୋଠରୀରେ ସ୍ବତନ୍ତ୍ର ଆଶିର୍ବାଦ ପ୍ରଦାନ କରିଥିଲେ। ତାହାର କିଛି ଦିନ ପରେ ମହାଜନଙ୍କ ସମସ୍ତ କୋଳି, ଆମ୍ବ, କରମଙ୍ଗା, ଲଙ୍କା ଆଚାର ଡବା ଆଚାରଶୂନ୍ଯ ହୋଇ ଗଡିବାରେ ଲାଗିଲା। ପେଣ୍ଠିବତୀ ମଧ୍ଯ ପାଣି କମ୍ ପିଉଥିଲା ଓ ବାନ୍ତି ବେଶୀ କରୁଥିଲା। ଡାକ୍ତରଖାନାରେ ଦିଦି ପରୀକ୍ଷା କରି ମହାଜନଙ୍କୁ ମିଠା ଯୋଗାଡ କର ବୋଲି କହିବାରୁ, ଗେନ୍ଥଲ ମହାଜନେ ଡାକ୍ତରଖାନା ପିଣ୍ଡାରେ ମାଙ୍କଡଚିତ୍ ମାରି ପଡିଲେ। ଚାହୁଁ ଚାହୁଁ ଗାଁଆରେ କଥାଟା ବଣନିଆଁ ପରି ବ୍ଯାପିଗଲା। ଆଶିର୍ବାଦ ଭିକ୍ଷୁ ଯୁବତୀ ମାନେ ଡାକ୍ତରଖାନା ଦଉଡିବା ପରେ ଦିଦି ସମସ୍ତଙ୍କୁ ମିଠା ଦିଅ କହି ମାଙ୍କଡଚିତ୍ ମରେଇବାରେ ନିମଜ୍ଜିତ ହେଲେ।

ସେଦିନ ରାତିରେ ସବୁ ଗାଁଆ ଲୋକେ ଠେଙ୍ଗାବାଡି ଧରି ଇଞ୍ଜିନ ବାବାଙ୍କ ନିଭୃତ କୋଠରୀ ଭାଙ୍ଗିଲା ବେଳକୁ ମାଇପି ମାନେ ମୁହଁରେ ଓଡଣୀ ଦେଇ ରହିଲେ। କିଛି ସମୟ ଯାଏ “ମୋତେ ଛାଡି ଦିଅ”, “ମରି ଗଲି ଲୋ ମାଆ”, “ମୁଁ ବାବା ନୁହଁ, ନରିଆ ମିସ୍ତ୍ରୀ ପୁଅ ଧଡିଆ” ରାବରେ ଗାଁଆର ଗଗନପବନ ପ୍ରକମ୍ପିତ ହେଲା। ତା ପରଦିନ ସକାଳୁ ସେଇ ବରଗଛ ମୂଳେ ଇଞ୍ଜିନ୍ ବାବାଙ୍କର ସୁକୁସୁକୁ ହେଉଥିବା ଦାନ୍ତ ବିହୀନ ରକ୍ତାକ୍ତ ଶରୀର ଉଦ୍ଧାର କରାଗଲା। ଲୋକେ କହିଲେ ଇଞ୍ଜିନ୍ ବାବା ଶିବଙ୍କର ଭକ୍ତ ଥିଲେ, ତପସ୍ଯାରେ କଣ ଅନୁଲୋମ୍ ବିଲୋମ୍ ହୋଇଥିବ ବୋଲି ଏ ଅବସ୍ଥା।

**************************

ଇଞ୍ଜିନ୍ ସିଗାରେଟ୍ ମ୍ୟାଜିକ୍

Rate the content


Originality
Flow
Language
Cover design

Comments

Post

Some text some message..