ଚିନୁ
ଚିନୁ
ସାନ ଭଉଣୀ ଚିନ୍ମୟୀ, ଆମେ ସମସ୍ତେ ତାକୁ ଚିନୁ ଚିନୁ ବୋଲି ଡାକୁ। ଘରେ ସେ ସମସ୍ତଙ୍କର ସେ ଭାରି ଗେଲ୍ହା ଆଉ ମୋ ପାଇଁ ସେ ସବୁ କିଛି।ସେ ହେଉଛି ଆମ ଘରର ଲକ୍ଷ୍ମୀ। ଅନେକ ଦିନ ତଳେ ବାପା ଚାଲିଗଲେ ଆର ପାରିକୁ। ସବୁ ବାପା ମାନଙ୍କ ପରି ସେ ଵି ଝିଅ ଚିନୁକୁ ଜୀବନ ଠୁ ଅଧିକ ଭଲ ପାଉଥିଲେ। ବୋଧେ ଆମ ହସ ଖୁସିରେ କାହା ନଜର ଲାଗି ଯାଇଥିଲା?
ବାପାଙ୍କ ଅନ୍ତେ ବହୁତ ଚେଷ୍ଟା କରିଛି ଚିନ୍ମୟୀର ସବୁ ଅଭାବ ଅସୁବିଧା ଦୂର କରିବାକୁ। ତା ଦେହରେ ଧୂଳି ଟିକେ ପଡ଼ିବାକୁ ଦେଇନି। ମୋର ସବୁ କାମ, ଏପରିକି ଖାଇବା ଦେବା ଠୁ କପଡ଼ା ସଫା ପର୍ଯ୍ୟନ୍ତ ସବୁ ସେ କରିଦିଏ। ଆମେ ଦିନେ ସାଙ୍ଗ ହୋଉ ନ ଖାଇଲେ, ମନ ବୁଝେନି ପେଟ ପୁରେନି। ପେଟ ଅଧା ଅଧା ଲାଗେ। ଚିନୁ ପାଇଁ ବୋଉର ଆବଶ୍ୟକତା ମୁଁ କେବେ ଅନୁଭବ କରିନି।
ଚିନୁ MBA ପଢୁଛି । ପ୍ରାଣ ପ୍ରଣେ ଚେଷ୍ଟା କରିଛି ସବୁ ଆବଶ୍ୟକତା ପୂରଣ କରିବା ପାଇଁ, ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ। ବାପାଙ୍କୁ କଥା ଦେଇଥିଲି ଚିନ୍ମୟୀକୁ କେବେ ହତାଦର କରିବିନି। ସବୁ କରିଛି ହେଲେ ବାପାଙ୍କ ଅଭାବ ତା ମନରୁ ଦୁରେଇ ପାରିନି, କାରଣ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ। ବାପା ଥିଲେ ଆମ ସମସ୍ତଙ୍କର ଅତି ନିଜର, ଅତି ପ୍ରିୟ। ତାଙ୍କ କଥା ମନେ ପଡିଲେ ସମସ୍ତେ ଲୁଚି ଲୁଚି କାନ୍ଦୁ।
ଏବେ କିଛିଦିନ ହେବ ଭାରି ବେସ୍ତ ଲାଗୁଛି, ମନରେ ଅନେକ ଶଙ୍କା ଓ ଆଶଙ୍କା। ଚିନୁ ଏବେ ସବୁବେଳେ ମୋବାଇଲରେ ବେସ୍ତ। ତିନି ଡାକରେ ଶୁଣୁଛି। ବେଳେବେଳେ ଅନେକ ରାତି ପର୍ଯ୍ୟନ୍ତ ଲାଗିଥିବ ସେଇ ମୋବାଇଲରେ। ଭଉଣୀ ଉପରେ ମୋର ଅଖଣ୍ଡ ବିଶ୍ୱାସ, ସେ କେବେ ଭୁଲ ବାଟରେ ଯିବନି ତଥାପି ଭାଇ ମନ, ସାନ ଭଉଣୀ ଚାଲୁ ଚାଲୁ ବାଟରେ ଝୁଣ୍ଟି ନ ପଡୁ।କାରଣ ସଂସାର ରୂପକ ରାସ୍ତା ବହୁତ ଖସଡ଼ା।
ଆଜିକାଲି ମୋବାଇଲ ମଣିଷର ଅବିଛେଦ ଅଙ୍ଗରେ ପରିଣତ ହୋଇଗଲାଣି।ଦଶ ମିନିଟ ଏହାକୁ ଛାଡି ରହିବା ଅସମ୍ଭବ। ଆବଶ୍ୟକତା ଯେତେବେଳେ ନିଶାରେ ପରିଣତ ହୋଇଯାଏ, ତାହା ମୁଣ୍ଡ ବିନ୍ଧାର କାରଣ ହୋଇଯାଏ।
ଆଜି ରବିବାର। ସନ୍ଧ୍ୟା ବେଳରୁ କାହା ସହ ଚାଟିଙ୍ଗ କରୁଛି। ମନରେ ମୋର ଅନେକ ରାଗ, ସବୁ ରାଗକୁ ମନରେ ଚାପି କହିଲି ଝିଅ ଟିକେ ତୋ ମୋବାଇଲ ଦେଲୁ। ଚିନୁ ବି ବିନା ଦ୍ଵିଧାରେ ମୋବାଇଲଟିକୁ ବଢ଼ାଇ ଦେଲା। ମୁଁ ବି ଭଉଣୀ କିଛି ନ ଜାଣୁ ଭାବି ଅନ୍ୟ ଘରକୁ ଆସି CBI ଭଳି ସନ୍ଧେହ ଦୃଷ୍ଟିରେ ଖୋଜି ଚାଲିଲି ମେସେଜ ଠୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ। ଶେଷରେ ପାଇଲି ନାରାୟଣ ମିଶ୍ରଙ୍କ ସହ ଲମ୍ବା ଚାଟିଙ୍ଗ। ପ୍ରାଥମିକ ଅନୁସନ୍ଧାନ ରୁ ଜାଣିଲି ସେ ଜଣେ ଭଲ ଲେଖକ। ବୟସ୍କ ଏବଂ ବିବାହିତ। ତାଙ୍କର ଅନେକ ଲେଖା ମୁଁ ମଧ୍ୟ ଆଗରୁ ପଢ଼ିଛି। ଚାଟିଙ୍ଗ ଥିଲା ଏହିପରି....
- - ସାର୍ ଆପଣଂକ ଲେଖା ଖୁବ ସୁନ୍ଦର ହୋଇଛି, ଏତେ ସୁନ୍ଦର ଲେଖା ପାଇଁ ଅଶେଷ ଧନ୍ୟବାଦ ସାର୍।
- - ସାର୍ କହି ଲଜ୍ଜିତ କରନ୍ତୁ ନି। ଶିକ୍ଷାଗତ ଯୋଗ୍ୟତା ରେ ଆପଣ ଢେର ଆଗରେ।
- - ନା ସେମିତି ନୁହେଁ। କଣ କେବଳ ଶିକ୍ଷା ମନୁଷ୍ୟ ଯୋଗ୍ୟତା ର ମାପକାଠି? ପ୍ରତିଭା କିଛି ନୁହେଁ। ଆପଣ ଜଣେ ଲେଖକ।
- - ଲେଖକ ଆଉ ମୁଁ... କାହିଁ ରାଣୀ ଆଉ କାହିଁ ଚନ୍ଦ୍ରକାଣି। ଅମିୟ ବେଜ, ଅଜୟ ବରାଳ, ସୁବଳ ମହାପାତ୍ର, ଅରବିନ୍ଦ ଦାସ, କାର୍ତ୍ତିକ ପାଣିଗ୍ରାହୀ, ଚିନ୍ମୟୀ ବାରିକ, ଲୋପମୁଦ୍ରା ମିଶ୍ର, ବିସ୍ମିତା ସାହୁ, ଅନୁସୂୟା ମିଶ୍ର ସେମାନେ କୁଆଡେ ଯିବେ?
- - ଏତ ଆପଣଂକ ବଡ଼ ପଣ। ଆପଣଙ୍କ ସବୁ ଲେଖା ମତେ ଭଲ ଲାଗେ।
- - ଆପଣଂକ ପାପୁଲି ଏ ସ୍ନେହ ମୋ ଭିତରେ ସୃଷ୍ଟି କରିବ ଅନେକ ଲେଖା। ଆପଣ ବି ଚେଷ୍ଠା କରନ୍ତୁ କିଛି ଲେଖା ଲେଖି କରିବା ପାଇଁ। ଏହା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଏବଂ ଉର୍ଣ୍ଣତି ପାଇଁ ସହାୟକ ହେବ।
-- ଲେଖା ଲେଖି, ନାଇଁ ଆଜ୍ଞା ମୋ ଦ୍ଵାରା ହେବନି।
- - ଆଗ୍ରହ ଏବଂ ନିଷ୍ଠା ଦ୍ଵାରା ମଣିଷ ଅସମ୍ଭବ କୁ ସମ୍ଭବ କରିପାରେ। ଅନ୍ୟ ପାଇଁ ନୁହେଁ ପ୍ରଥମେ ନିଜ ପାଇଁ ଲେଖ।
- -ଚେଷ୍ଟା କରିବି ସାର୍।
MBA ର ଛାତ୍ର ହୋଉ ଓଡ଼ିଆ ସାହିତ୍ୟକୁ ଏତେ ଭଲ ପାଇବା ଦେଖି ମୋ ଛାତି କୁଂଢ଼େ ମୋଟ ହୋଇଗଲା। ବାପା ଆମର ଲେଖା ଲେଖି କରୁଥିଲେ। ତାଙ୍କର ଦୁଇଟି ପୁସ୍ତକ ପ୍ରକାଶିତ ହୋଇଥିଲା। ଦୁଃଖର ବିଷୟ ଆମ ପାଖରେ ତାର ଖଣ୍ଡେ କପି ନାହିଁ। ବହୁତ ଖୁସି ହେଲି ସେଇ ରକ୍ତ ଆଜି ମୋ ଭଉଣୀ ଦେହରେ ବହୁଛି, ଓଡ଼ିଆ ଭାଷା କୁ କାହିଁକି ବା ଭଲ ନ ପାଇବ।
ନାରାୟଣ ମିଶ୍ରଙ୍କ ବିନମ୍ରତା ମତେ ଖୁବ ପ୍ରଭାବିତ କଲା। ମହା ପୁରୁଷ ମାନେ ଯୁଗେ ଯୁଗେ ନମ୍ର।ସରସ୍ୱତୀଙ୍କ ଆଶିଷ ଲାଭ କରିଥିବା ବ୍ୟକ୍ତି ଅନ୍ୟ ଠୁ ନିଆରା। ତାଙ୍କ ପ୍ରଭାବରେ କାଚ ବି କାଂଚନ ହୋଇ ପାରେ। ନାରାୟଣ ମିଶ୍ରଙ୍କ ବ୍ୟକ୍ତିତ୍ବ ଚିନୁକୁ ଢେର ପ୍ରଭାବିତ କଲା। ମୁଁ ବି ଚିନୁକୁ ଲେଖା ଲେଖି ପାଇଁ ପ୍ରେରଣା ଦେଉଥାଏ। ଚିନୁ ଏବେ କିଛି ଲେଖିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କଲା।
ଆଗ୍ରହ ଓ ନିଷ୍ଠା ବଳରେ ମନୁଷ୍ୟ ଅସମ୍ଭବକୁ ସମ୍ଭବ କରିଥାଏ। ଚିନୁ ଏବେ ସାହିତ୍ୟ ଜ୍ଞାନ ବୃଦ୍ଧି ପାଇଁ ଅନେକ ଓଡ଼ିଆ ସାହିତ୍ୟ ପଢିବାକୁ ଲାଗିଲା। ଯୁଗାନ୍ତକାରୀ ଓଡ଼ିଆ ଲେଖକଙ୍କ ମହାନ ଲେଖା ସବୁ ପଢି ନିଜକୁ ପ୍ରସ୍ତୁତି କଲା କିଛି ବର୍ଷ।
ଚିନୁ ପ୍ରଥମେ ଫେସବୁକ ମାଧ୍ୟମରେ ନିଜ ଲେଖା ପ୍ରକାଶ କଲା। ଏହି ଲେଖା ଗୁଡିକ ହୋଇଥିଲା ବେଶ ମନଛୁଆଁ ଏବଂ ଦୃଦୟସ୍ପର୍ଶୀ। ଅନେକ ପାଠକ ପସନ୍ଦ କରିବା ସହ ସୁନ୍ଦର ସୁନ୍ଦର ମତାମତ ଜଣାଇ ଥିଲେ। ଏହା ଚିନୁର ଆଗ୍ରହ କୁ ଦ୍ଵିଗୁଣ ବଢାଇ ଥିଲା। ଏବେ ଚିନୁ ଜଣେ ଜଣାଶୁଣା ଲେଖିକା। ଏ ବର୍ଷ ରାଜଧାନୀ ପୁସ୍ତକ ମେଳାରେ ଚିନୁର ପୁସ୍ତକ "ଓଦା ମାଟିର ବାସ୍ନା"ର ଦଶ ହଜାରେ କପି ବିକ୍ରି ହୋଇଛି। ଆଜି ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ। ଚିନୁର ପରିଶ୍ରମ ସାକାର ହୋଇଛି ଆଉ ଚିନୁ ସଫଳତାର ସବୁ ଶ୍ରେୟ ହେଉଛନ୍ତି ନାରାୟଣ ମିଶ୍ର। "ଓଦା ମାଟିର ବାସ୍ନା" ପୁସ୍ତକର ଚାରୋଟି କପି ମୁଁ ସାଇତି ରଖିଛି, ମୋ ଶୋଇବା ଘର ବହି ଥାକରେ।
ସୀତାରାମ ଦାଶ
ସନମୂଳାଇ, କଟକ।