✿ ଫୁଲ ବଉଳବେଣୀ ✿
✿ ଫୁଲ ବଉଳବେଣୀ ✿
{୧}
ହପ୍ତାକର ତପସ୍ୟା । ଚାନ୍ଦ ଆଗେ କେତେ ଆକୁଳ ମନାସେ । ମନପବନ ଘୋଡା ପିଠିରେ , ମନପୁରୁଷ ବସି , ଏଇ ପୂନିଆଁ ଚାନ୍ଦ ଭିତରୁ , ଡେଇଁ ପଡନ୍ତାନି କୁଆଁରୀ ପସରାକୁ? ଚୋରିକରି ନେଇଯା'ନ୍ତା କଅଁଳ ମନକୁ ?
ଆଉକଣ ଲୋଡାକି? ମନଜିଣା ସୁପୁରୁଷଟେ' ତ଼ ଖାଲି !
{୨}
କାଳୁ - କାଳିଆ - କାଳନ୍ଦୀ , ଏ' ସବୁଯାକ ନାଁ ଶ୍ରଦ୍ଧାରେ ନୁହେଁ , ତା' ଦେହର ବିଟିବିଟି କଳାରଙ୍ଗ ପାଇଁ , ବୁଢୀମା' ଦେଇଥିଲା । ମନବୁଝେଇବାକୁ , କହେଖାଲି କାଳିଆ ଠାକୁରଙ୍କୁ ସୁମରଣା କରି ସ୍ୱର୍ଗକୁ ଯିବାଲାଗି ତା'ର ଏଇ ବେବସ୍ଥା !
ବୁଢ଼ୀ ମଲାପରେ କେଯାଣି କୁଆଡ଼େ ଗଲା , କିନ୍ତୁ କିଏ ତାକୁ କାଳୁ ଡାକିଦେଲେ , ମନେମନେ ପରସ୍ତେ ଶୋଧେ ସେ ବୁଢ଼ୀକୁ ।
- କାଳୁ! ମୋ'ଲାଗି ସେ ନୀଳକଇଁ ଯୋଡେ ଆଣିଦେନା !
ଅନୁରୋଧରେ କି' ଅଧିକାରରେ କେଜାଣି , ରୀନୁ କହେ କାଳୁକୁ !
- ହଁ ହଁଅଁ ଆଣିଦେଉଛି କହି , ଗାମୁଛାଟା' କଚ୍ଛା ମାରିଦେଇ , କାଳୁ ଡେଇଁପଡେ କଇଁ ଗଡିଆକୁ ।
ମୋ' ସହ ଯେତେ ଆସେ , ସବୁ ଭେଲେକା ହେଇ ଚାହିଁ ଥାଉ ତାକୁ । ଗୋଛାଏ ଲମ୍ବା ନାଡଲଗା କଇଁ ପିଠିରେ ଲଦି କୂଳରେ କାଳୁ ପହଞ୍ଚିଲାବେଳକୁ , ରୀନୁ କେମିତିଗୋଟେ କୁରୁଳୁ ଥାଏ ଖୁସିରେ ।
ମୋ' ଦେହଯାକ ଛୁଞ୍ଚି ଫୋଡିହୋଇଯାଏ ଏସବୁ ଦେଖି !
ଦୁର୍ଭାଗ୍ୟ ଯେ, ନା' ମୋତେ ପହଁରା ଆସେ , ନା' ଟିକେ ସାହାସ ଥାଏ । କଇଁ ଫୁଲ ନେଇ , ରୀନୁ ଚାଲିଗଲା ପରେ, କାଳୁସହ ବଚସା ହୁଏ ମୋର ।
- ଶଃ! ଟୋକିଟା କହିଦେଲା ବୋଲି , ପାଣିକୁ ଡେଇଁ ପଡୁଛୁ , ନାଇଁରେ ? ଜାଣୁ ସେ ନୀଳକଇଁ ଦଳ ତଳେ ପାଣିତମ୍ପ ଛପିଥାଏ । ଡରନାହିଁ ଜମା ?
- ଡର ?? ସାପ ପା' ସବୁଠୁଁ ଡରୁଆ ଜାତି । ବୁଝିଲୁ ? ରୀନୁ କହିଯାଇଛି , ପୟାଖାଡି ଆଣି ଦେବାକୁ । ଚାଲେଏ ।
- ଭାରି ରସିକଟେ ଆଉ ?
- ନାଁ ମଁ ! ସାହାର୍ଯ୍ୟ ।
- ଆଁ ?
{୩}
ଗୋବର ଲିପା ଦାଣ୍ଡ ଚଉଁରା ଆଗରେ , କାଉଁରିଆ ଖାଡିରେ ଛକ ଛକ କରି ଖଞ୍ଜିଖାଞ୍ଜି ବନାହୁଏ , କୁଆଁର ପୁନେଇଁ ଠାକୁର । କଇଁ ଫୁଲ ମାଳରେ ବନାହେଇଥିବ ମେଢ । ନାନା ଝୋଟି ମୁରୁଜ ଆଉ ଫୁଲ ରଙ୍ଗୋଲିରେ , ଚମକୁଥାଏ ଗାଁ ଦାଣ୍ଡ । ଓପାସିଆ ମୁହଁ ଧରି , ଫୁରୁଫୁରୁ ମୁକୁଳା ବାଳରେ , ନୂଆ ଜାମା ପିନ୍ଧି , କନକନ ହେଉଥିବେ ଗାଁ କୁଆଁରୀ । ତାଳସଜ ପୁରଦିଆ ପାଣିମଣ୍ଡାରେ , ମହମହ ବାସୁଥିବ ସମସ୍ତଙ୍କ ରୋଷେଇଶାଳ ।
ସଞ୍ଜ ହେଉହେଉ , ଉଚ୍ଛନ୍ନ ହୁଏ , କୁଆଁରୀ ମନ । ଚାନ୍ଦ ବନ୍ଦେଇବାକୁ କଇଁଗଡିଆ ହୁଡା ଉପରକୁ ମେଳିକରି ଗଲାବେଳେ , ପାଉଁଜି ରୁଣୁଝୁଣୁ ଶବ୍ଦରେ , ଛନ୍ଦାୟିତ ହୋଇପଡେ ଗାଁ ଦାଣ୍ଡ । ଖିଲିଖିଲି ହସ ସାଙ୍ଗକୁ , କୁଆଁରୀ ବାସ୍ନାରେ , ଭରିଉଠେ ମନପ୍ରାଣ ।
ସତକହୁଛି ଏସମୟରେ , ନିଜ ଗାଁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହୁଏନି ଯମା !
ପୂନେଇଁ ଚାନ୍ଦ ବି ଆକୁଳା ହୋଇ , ସମୟ ଆଗରୁ ହୋଇଯାଏ ହାଜର । ଦେଖିବା , ଦେଖେଇ ହେବାକୁ କା'ର ମନ ନଥାଏ ଯେ' ?
ଆଖିବୁଜି ସାରା ପୃଥିବୀର କୁଆଁରୀ ମାନେ ନିଜ ମନଅଳି , ଚାନ୍ଦ ଦେବତାଙ୍କୁ ଜଣାନ୍ତି । ଆଶା ଅସୁମାରୀ । ସମସ୍ତଙ୍କର ସୁଇଚ୍ଛା ! ସୁନ୍ଦର ବରଟିଏ ଲୋଡା । ଚାନ୍ଦ ତା' କୋମଳ ପରଶରେ ବୋଧେ ସଭିଙ୍କୁ ଆଶ୍ୱାସନାଟିଏ ନିଶ୍ଚେ ବାଣ୍ଟୁଥିବ !
ଦୁନିଆର ସବୁଯାକ ଚାନ୍ଦ ପୂଜିଥିବା ବିବାହିତା ମହିଳା ହିଁ କହିପାରିବେ , କେତେମାତ୍ରାରେ ମନକଥା ଚାନ୍ଦ ରଖିପାରିଛି !!!
{୪}
ରୀନୁ ସେଇମିତି । ଛଳଛଳି । କା'ସହ କଥାପଦେ ହୋଇଗଲେ , ସେ' ଭାବିନେବ ଯେ' ରୀନୁ ସହ ଭଲପାଇବା ହୋଇଗଲା ! ମୁଁ ଜୋଡିମୋଡି ଢେର୍ ଗପେ ତା'ସହ । କିନ୍ତୁ ତା'ପାଇଁ କଇଁଫୁଲ ତୋଳି ପାରେନା । ପ୍ରେମ କରିବାକୁ ହେଲେ , ପହଁରା ଜାଣିବା ନିହାତି ଜରୁରୀ ।
ଯିଏ ପାରେ , ସେ କାଳୁ । କିନ୍ତୁ ରୀନୁ ପରି ଅପରୂପା , କଣ କାଳୁକୁ ମନଦେଇ ପାରେ ?? ଏକଥା କଳନାର ବାହାରେ । କାଳୁର ଖୁସିହେବା , ଅନ୍ୟମନସ୍କ ହେବା ଆଦି ହାବଭାବରୁ କିନ୍ତୁ ମୋର ଢେର୍ ସନ୍ଦେହ ହୁଏ ।
ନିଜ ଗାଁର ସୁନ୍ଦରୀ ମାନେ , ପର ଗାଁକୁ ବା'ହେଇ ଚାଲିଗଲେ , ସତରେ ଗାଁଟା' ଭାରି ଅଭାବି ହୋଇଯାଏ !
{୫}
ସମୟ ବଢିଲେ , ଧିରେଧିରେ ଦାୟିତ୍ୱ ବଢେ । ପ୍ରାଣପ୍ରିୟ ଗାଁ ମାଟିକୁ ଛାଡ଼ିବାକୁ ହୁଏ । ପୁଅମାନେ ନିଜ ଘର ସମ୍ଭାଳିବାକୁ, ଝିଅମାନେ ପର ଘର ବସାଇବାକୁ । ଏଇତ ନିୟମ !
ଯା' ଆଶା କରୁଥିଲି ସେୟା ହେଲା । ମୁଁ ପରେ ଖବର ପାଇଲି , ରୀନୁର ବା'ଘର ବେଳେ , ସେ' କାଳୁକୁ ଭାରି ଅପଦସ୍ତ କରିଥିଲା ପରା । ନିରୋଳାରେ କାଳୁକୁ ଡାକି ଏୟା କହିଗଲା ଯେ'
- ବର୍ଷବର୍ଷ ଧରି ମୋର ଚାନ୍ଦ ପୂଜିବାର ଫଳ କଣ ତୁ' ?? କେବେ ନିଜକୁ ଭଲକି ଦେଖିନେ କାଳୁ । ଯୋଡ଼ି କଣ ଏମିତି ହୁଏ ? ମୋ' ପିଛାକରିବା ଛାଡ଼ିଦେ । ସୁନାପାଲିଙ୍କିରେ ଆସିବ ମୋ' ରାଜକୁମାର । ଗାଁ ସାହି ଲୋକଙ୍କ ଖୋସିହୋଇଯିବ ଆଖି ।
କାଳୁ କେମିତି ସମ୍ଭାଳିଥିବ କେଯାଣି ? କିନ୍ତୁ ମୁଁ ଶୁଣିଲି ରୀନୁ ବା'ଘରରେ ବି ସେ ଖୁବ୍ କରିଥିଲା ସାହାର୍ଯ୍ୟ !!
{୬}
ଖାଲି କଣ ସହର ବଜାରରେ ? ଆମ ଗାଁ ଗଣ୍ଡାରେ ବି ଢେର ହୁଏ ପ୍ରେମ ପ୍ରତାରଣା । ଘୃଣା ଥିଲେ ପ୍ରେମ , ପ୍ରେମ ଥିଲେ ଘୃଣା , ରହିବ ହି ରହିବ ।
ରୀନୁ , କାଳୁକୁ ପ୍ରତ୍ୟାଖ୍ୟାନ କରିବାଟା' ଗୋଟେ ବିଚିତ୍ର କଥାନଥିଲା , କିନ୍ତୁ କାଳୁ ମନରେ ଗୋଟେ ଭଲପାଇବାର ଆଶାଟିଏ ଜନ୍ମିବା , ନୀଳକଇଁ ତୋଳିଲା ପରି ଗୋଟେ ସାହାସିକ ପଦକ୍ଷେପ ନୁହେଁକି ? ମୁଁ କାଳୁର ଏଇ ଦୁର୍ଭାଗ୍ୟ ପାଇଁ ଭିତରେ ଭିତରେ ଢେର୍ ଖୁସିହେଉଥିଲି । ସେ' ବାଟ ଓଗାଳିନଥିଲେ , ମୋ' ଜୀବନର ଆଦ୍ୟ ପ୍ରେମ ଖୁବ୍ ସୁନ୍ଦର ହୋଇଥାନ୍ତା ପରି ମୁଁ ଭାବେ । ଯଦିଓ ୟା'ରି ଭିତରେ ମୁଁ ଢେର୍ ପ୍ରେମ ଭୋଗିସାରିଥିଲି ।
{୭}
ସମୟକ୍ରମେ ଗାଁ କଥା ଢେର୍ ପୁରୁଣା ହୋଇଯାଏ । ସହରାଭିମୁଖୀ ମଣିଷ , ଅନିଚ୍ଛାରେ ବି ଏଥିପାଇଁ ବାଧ୍ୟ ହୋଇଯାଏ ।
ମୁଁ ପିଲାମାନଙ୍କୁ ନେଇ ମୁମ୍ବାଇରେ ପ୍ରାୟ ସ୍ଥାୟୀ ହୋଇସାରିଥିଲି ।
ଗାଁ ପାଇଁ ଗୋଟେ ଲମ୍ବା ଛୁଟି ଦର୍କାର ପଡେ । କିନ୍ତୁ ଯନ୍ତ୍ର ଜୀବନରେ ଛୁଟି କାଇଁ ? ଖୁସିରେ ନୁହଁ , କେବଳ ଦୁଃଖ ପଡିଲେ ଯାଇ ମଣିଷ ସମୟ କାଢେ ଗାଁ ପାଇଁ ।
ବୋଉ କହିଲା ଏଥର ପୂଜାରେ ସମସ୍ତିଙ୍କୁ ନେଇ ଆସେ । ବହୁଦିନ ହେଲାଣି ଦେଖିନି ଛୁଆଙ୍କୁ । ପୂଜାଛୁଟି ବି ଏଥର ଲାଗିଲୁଗି ଦଶଦିନ । ସୁତରାଂ ଗାଁକୁ ଆସିଲୁ ।
ଠିକ୍ ଛୁଟି ସରିଆସିଲା ବେଳେ ଲକ୍ଷ୍ମୀପୂଜା । ଆଜି କୁଆଁରପୂନେଇଁ ବୋଲି ମନେ ନଥିଲା । ସେଇ ଏକା ପୁରୁଣା ମହକ ଆଉ କୁଆଁରୀଙ୍କ କଳରବ ମୋତେ ପଛକୁ ଫେରାଇନେବାକୁ ବାଧ୍ୟ କଲା ।
କେବେ ଏବାବଦରେ ଜାଣିନଥିବା ମୋର ଏକମାତ୍ର ଅଲିଅଳି ଝିଅ ଖୁସି' ବି କହିଲା ଓଷା କରିବବୋଲି । ଘର ସାରା ଆମେ ଖୁବ୍ ଉତ୍ସାହୀ ହୋଇଗଲୁ ଝିଅପାଇଁ । ଏଇତ ପ୍ରକୃତ ଜୀବନ । ସଅଳ ସହଜରେ ଆନନ୍ଦ ମିଳିଯାଏ ଗାଁରେ ।
ମୋ ଝିଅ ଚାନ୍ଦ ବନ୍ଦାଇବାର ମୁହୂର୍ତ୍ତ ସବୁଙ୍କୁ ସାଇତି ରଖିବାର ପ୍ରୟାସ କରୁଥିବା ବେଳେ, ମୋ ମୋବାଇଲର କ୍ୟାମେରା ପରିସୀମା ଭିତରକୁ ଆସିଗଲା ଗୋଟେ କୁନି କୁନୁମୁନି ଝିଅ । ଠିକ୍ କଣ୍ଢେଇଟିଏ ପରି !
କ୍ୟାମେରା ବନ୍ଦ କରି ଝିଅଟିକୁ ଭଲକି ଆଖିପୁରାଇ ଦେଖିବାକୁ ମନ କଲାବେଳେ , ମହିଳା ଜଣେ ଆସି କୋଳାଇ ନେଲେ ପିଲାଟିକୁ । ଆଉରି ଚମକିଲି ମୁଁ । କିଏ ଇୟେ ? କା' ପରିବାର ? ଆମ ଅଖ୍ୟାତ ପଲ୍ଲୀରେ କିଏ ୟେ' ଅନିତ୍ୟ ସୁନ୍ଦରୀ ?
- ମୋ' ସଂସାର ! କେବେଠାରୁ ଆସିଲୁଣି ?
ପଛପଟୁ ମୋ କାନ୍ଧରେ ହାତଚାପି କାଳୁ କହୁଥିଲା !
ମୁଁ ପ୍ରକୃତିସ୍ଥ ହୋଇ ତା' ଆଡକୁ ସନ୍ଦେହରେ ଚାହିଁବାରୁ ହସିଦେଇ କାଳୁ କହିଲା -
- ବୁଝିଲୁ ଏ ଝିଅଙ୍କ ପରି , ପୁଅ ମାନଙ୍କର ବି ଗୋଟେ ଓଷା ହେବା ଦର୍କାର ସାଙ୍ଗ ।।।
✿ ଅମିୟ ବେଜ୍ ,
ଘଟଗାଁ , କେନ୍ଦୁଝର ✿