Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Comedy

5.0  

Aravinda Das

Comedy

ଭୁତ ଓ ଭୂତୁଣୀ

ଭୁତ ଓ ଭୂତୁଣୀ

3 mins
787


- ଆପଣଙ୍କ ଘରେ ଭୋଟଦାତା କେତେ ଜଣ ?

- ଦୁଇଜଣ ;ମୁଁ ଓ ମୋ ସ୍ତ୍ରୀ।ଏଇ ଦେଖନ୍ତୁ ଆମ ଦୁହିଁଙ୍କ ଭୋଟର କାର୍ଡ ।


ଭୋଟର ଲିଷ୍ଟ ସଂଶୋଧନ କରିବାକୁ ଆସିଥିବା କର୍ମଚାରୀ ଜଣଙ୍କ ପଚାରିଲେ," ଆପଣଙ୍କ ନାଁ ?ଟିକେ ଆପଣଙ୍କ ସ୍ତ୍ରୀଙ୍କୁ ଡାକନ୍ତୁ।'

- ମୋ ନାଁ ସତିଆ ,ସତ୍ୟବାନ ସାହୁ।ସ୍ତ୍ରୀ ନା ସାବିତ୍ରୀ।ବାପ ଘରକୁ ଯାଇଛି ସେ।'

ଟିକେ ହସିଦେଇ କର୍ମଚାରୀ ଜଣଙ୍କ କହିଲେ,"ବାଃ,ବହୁତ ସୁନ୍ଦର। ସତ୍ୟବାନ ସାବିତ୍ରୀ ଯୋଡି।ନିର୍ବାଚନରେ ଦୁହେଁ ନିଶ୍ଚୟ ନିଜ ନିଜ ଭୋଟ ଦେବେ।"


ଘର ବାହାର ସଜନା ଗଛରେ ବସିଥିଲା ସାବିତ୍ରୀ।ମନେ ମନେ ବହୁତ ଖୁସି ହୋଇଗଲା।ଛଅ ମାସ ହେଲାଣି ସେ ମରିସାରିଲାଣି।ତଥାପି ସ୍ୱାମୀ ତାକୁ ଜୀବିତ ବୋଲି ଭାବି ଭୋଟର ଲିଷ୍ଟରେ ନାଁ ଚଢ଼ାଉଛି।ଏଯାଏଁ ବାହା ବି ହୋଇନି।କେତେ ଭଲ ପାଏ ତାକୁ ?

ଆଗରୁ ସତିଆ କହୁଥିଲା,"ତୋ ବିନା ମୁଁ ମରିଯିବି।"ଏବେ ତ ସେ ନାହିଁ ;ସତିଆ ମରିଯିବନି ତ ଆଉ ?

ସ୍ୱାମୀ ପାଇଁ ସେ ଏଥର ପ୍ରେତ ଲୋକରେ ସାବିତ୍ରୀ ବ୍ରତ କରିବ ସେ; ଭାବି ଉଡ଼ିଗଲା ସାବିତ୍ରୀ।

ମଡ କିନା ସଜନା ଡାଳ ଖଣ୍ଡେ ଭାଙ୍ଗିଗଲା।

ଡାଳଟାରେ ଫୁଲ,କଷି ଭର୍ତ୍ତି ହୋଇଥିଲା।ଦୌଡ଼ି ଆସି ସତିଆ ଡାଳ ଟାକୁ ଉଠାଇ ନେଲାବେଳେ ପଡିଶାଘରୁ ସ୍ବର ଶୁଭିଲା," ସେଇ ଚିରୁଗୁଣୀ ବୋଧେ ଦୃଷ୍ଟି ପକେଇଲା କି ଡାଳରେ ବସିଲା ବୋଧେ।ଯେଉଁ ମନ୍ତୁରା ଡେ଼ଉଁରିଆ ଦେଇଥିଲି ପିନ୍ଧୁଛୁ ତ ?"

-ହଁ ପିନ୍ଧିଛି। ଘର କବାଟରେ ତ ଲୁହା କଣ୍ଟା ବାଡେଇଛି।ସଜନା ଗଛକୁ ଭାରି ଭଲ ପାଉଥିଲା।"କହି ହସିଦେଲା ସତିଆ ।


    ପ୍ରେତଲୋକରେ ସେଦିନ ପାର୍ଟି ପାଇଁ ହଲଚଲ ଟିକେ ଅଧିକ ଥିଲା।ସାବିତ୍ରୀ କୁ ଦେଖି ତା ଭତୁଣୀ ସଙ୍ଗାତ କେତକୀ କହିଲା,"କୁଆଡେ ଯାଇଥିଲୁ ?ଆଜି ମିଡନାଇଟ ମଶାଣୀ ଡି.ଜେ ପାର୍ଟିରେ ବହୁତ ମଜା ହେବ।ଗତ ମାସର ନୂଆମେମ୍ବରମାନେ ଇଂଟ୍ରୋଡ୍ୟୁସ ହେବେ।ପ୍ରେତିନୀ ରାମ୍ପ ୱାକରେ ଆମ ଦୁହିଁଙ୍କ ନାଁ ଦେଇଛି।ଡିଜାଇନର ହାଡ ଗହଣା ପକାଇବା।ସାଙ୍ଗରେ ତନ୍ଦୁରି ମେନୁ।

- କିଏ କିଏ ଆସୁଛନ୍ତି ?

- ଡ଼ିଜେ ହାଡ଼ବାଇ ଓ ଡ଼ିଜେ ବ୍ରହ୍ମରାକ୍ଷସ।ସେମାନଙ୍କ ରେକର୍ଡ ତ ସୁପର ହିଟ୍।ଆଉ ଶୁଣୁ, ସେ ନୂଆ ଭୁତ,ତମ ପାଖ ଗାଁ ର ବାବନା ତୋ କଥା ମୋତେ ପଚାରୁଥିଲା।ସ୍କୁଲବେଳେ କାଳେ ତମ ଦୁହିଁଙ୍କର ରୋମାନ୍ସ ଥିଲା।ତୋ ପ୍ରେତବୁକ ଷ୍ଟାଟସ ତ ସିଙ୍ଗଲ ଅଛି।ତା ଠାରୁ ଭଲ ଭୁତ ବୟଫ୍ରେଣ୍ଡ କଣ ତୋତେ ମିଳିବେ ?ଆଜି ପ୍ରପୋଜ୍ କଲେ ରାଜି ହୋଇଯିବୁ।

    ସାବିତ୍ରୀ କେତକୀ କୁ ନିଜ କହିଲା,"ସଙ୍ଗାତ,ଆଜି ଘରକୁ ଯାଇଥିଲି।ମୋ ସତିଆ ଏବେ ବି ମୋତେ ମନେ ରଖିଛି।

ମୁଁ ଏଥର ସାବିତ୍ରୀ ବ୍ରତ କରିବି ମୋ ସତିଆ ପାଇଁ।"

- ତୁ ଟା, ସତରେ ଭତୁଣୀ।ହଇଲୋ, ତା ସହ ତୋ ସମ୍ପର୍କ ଆଉ କଣ ?କ୍ରିୟା କର୍ମ କରି ତୋ ଅସ୍ଥି ବି ବିସର୍ଜନ ତ କରିଦେଲା।ଏଣିକି ସେ ତା ବାଟରେ ତୁ ତୋ ବାଟରେ।

- ସେ ପରା ମୁଁ ବଞ୍ଚିଛି ବୋଲି ଭୋଟ ଅଫିସରଙ୍କୁ କହିଲା।ଆଜି ଯାଏଁ ବାହାହୋଇନି।

  ଭୁସ କିନା ଶବ୍ଦ କରି ସେଠାରେ ହାଜର ହୋଇଗଲା ବାବନା ଓ କହିଲା,"ସତିଆ ର ଚକ୍କର ତୋ ପଡିଶା ଘର ସୁନା ଭାଉଜ ସହ ଚାଲିଛି। ଚୋରା ପ୍ରେମରେ ଉବୁଟୁବୁ ଦୁହେଁ।

କିନ୍ତୁ ସତିଆ ତୋ ସାନ ଭଉଣୀକୁ ବାହାହେବାକୁ ତୋ ବାପାକୁ କହିଛି।

ତୋ ନାଁରେ ଅନ୍ୟ ଦ୍ବାରା ଭୋଟ ଦେଇ ଟଙ୍କା ହାତେଇବ ବୋଲି ତୁ ମରିଛୁ ବୋଲି କହିଲାନି।"

- ତୁ ମିଛ କହୁଛୁ।ମୋ ସାନ ଭଉଣୀ ?

କିନ୍ତୁ ମୁଁ ତ ମରିଯାଇଛି, ମୋ ନାଁ ରେ କିଏ କେମିତି ଭୋଟ ଦେବ ?   

-ଲକ୍ଷ ଲକ୍ଷ ଭୂତଙ୍କ ନାଁରେ ମଣିଷମାନେ ଭୋଟ ଦେଉଛନ୍ତି ।କାଲି ତୋତେ ପ୍ରମାଣ ଦେଖାଇ ମୋ ପ୍ରସ୍ତାବରେ ରାଜି ହେବୁ ତ ?

     ସେଦିନ ରାତିରେ ସାବିତ୍ରୀ ମଶାଣୀରେ ଖୁବ ନାଚିଥିଲା ବାବନା ଭୁତ ସହ।

  ପରଦିନ ଖରାବେଳେ ବାବନା ଦେଖାଇଦେଲା ସତିଆ ର ଚୋରା ପ୍ରେମ କାହାଣୀ।ରାଗରେ କମ୍ପୁଥିଲା ସାବିତ୍ରୀ ଦେହ।ତଥାପି ଚୁପ୍ ରହିଲା।

- ଆଉ କରିବୁ ସାବିତ୍ରୀ ?"କେତକୀ ପଚାରୁଥିଲା।

- ହଁ କରିବି।ସତିଆ ପାଇଁ ନୁହେଁ,ଏଇ ପ୍ରେତଲୋକରେ ଯାହାକୁ ଭଲ ପାଇବି ସେଇ ଭୁତ ବୟ ଫ୍ରେଣ୍ଡ ପାଇଁ ସାବିତ୍ରୀ କରିବି।

 ସତିଆ ଘର ସାମ୍ନାରେ ଥିବା ସେଇ ସଜନା ଗଛଟା ପୁରା ଅଧାରୁ ଭାଙ୍ଗି ଗଲା ମଡମାଡ଼ ହୋଇ।

 

ଫେରିଲା ବେଳେ ବାବନାକୁ କହିଲା,"ତୁ ସତିଆ କୁ ଜେଲ ପଠାଇ ପାରିବୁ ?ତା ଦେହରେ ପଶି ସେ ପୁରୁଣା ଭୁତ ଡ୍ରାମା କରିବାକୁ ମୋର ଇଛା ନାହିଁ।ଲୋକେ କହିବେ ମାଇପ,ସ୍ୱାମୀ ଦେହରେ ପଶି ହଇରାଣ କରୁଛି।ବଦନାମ ହେବ ମୃତ ସ୍ତ୍ରୀ।"


ହସିଦେଇ ବାବନା କହିଲା,"ସପ୍ତାହେ ପରେ ନିର୍ବାଚନ।ଦେଖେ ମୋ କମାଲ।"


ନିର୍ବାଚନ ଦିନ ଲାଇନରେ ଠିଆ ହୋଇଥିଲା ବାବନା ଓ ତା ପଛରେ ସାବିତ୍ରୀ ର ଭଉଣୀ କାବେରୀ।ତିନି ଦଳରୁ ଦୁଇ ଭୋଟ ପାଇଁ ବାର ହଜାର ପାଇଥିଲା ସତିଆ।ରାଗରେ ଦାନ୍ତ କଡ଼ମଡ଼ କଲା ସାବିତ୍ରୀ।କାବେରୀ ଭୋଟ ଦେଉଥିଲା ସାବିତ୍ରୀ ନାଁ ରେ।

 

ବାବନା ପଶିଗଲା ସତିଆ ଦେହରେ ଓ ଟେବୁଲ ଉପରେ ଥୁଆ ହୋଇଥିବା ଲୋକସଭା ଇ.ଭି.ଏମ କୁ ତଳେ କଚାଡି ଦେଲା।ଭାଙ୍ଗିଗଲା ଇଭିଏମ ।ଲୋକେ ଆଶ୍ଚର୍ଯ୍ୟ ହୋଇ ଅନାଇଥିଲେ।ସାବିତ୍ରୀ ପଶିଗଲା ଭଉଣୀ ଦେହରେ ଓ ବିଧାନସଭା ଇଭିଏମ କୁ ଆଣି କଚାଡ଼ି ଦେଲା କାବେରୀ ।ସତିଆ ଓ କାବେରୀ ସେଇ ଭଙ୍ଗା ଇଭିଏମ କୁ ପାଦରେ ଦଳି ଆହୁରି ନାଚୁଥିଲେ ପାଗଳଙ୍କ ଭଳି ହସି ହସି।ସେମାନଙ୍କ ଭିତରେ ହସୁଥିଲେ ବାବନା ଓ ସାବିତ୍ରୀ।


ପୋଲିସ ଆସି ସତିଆ ଓ କାବେରୀକୁ ଆରେଷ୍ଟ କରିନେଲା। ସାବିତ୍ରୀ ଫେରୁଥିଲା ପ୍ରେତଲୋକ, ବାବନା ଭୁତ ହାତ ଧରି ।



Rate this content
Log in

Similar oriya story from Comedy