Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -81
ଜହ୍ନମାମୁଁ -81
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.5K    13


Content Ranking

ବୀର ହନୁମାନ 2

ହନୁମାନ ସନ୍ତୁଷ୍ଟ ହୋଇ ପୁଣି କିଛି ଦୂର ଯାଇଛନ୍ତି ଦେଖିଲେ ତାଙ୍କୁ କେହି ଆକର୍ଷଣ କରୁଛି । ତଳକୁ ଚାହିଁ ସେ ଦେଖିଲେ ସିଂହିକା ନାମକ ଏକ ଭୟଙ୍କର ଛାୟା ଗ୍ରହିଣୀ ରାକ୍ଷସୀ ତାଙ୍କ ଛାଇ ଦ୍ୱାରା ତାଙ୍କୁ ତଳକୁ ଆକର୍ଷିତ କରୁଛି । ସେ ଜୀବମାନଙ୍କ ଛାଇ ଦ୍ୱାରା ସେମାନଙ୍କୁ ଆକର୍ଷିତ କରି ଖାଏ । ଏହି ଭୟଙ୍କର ଜୀବ ବିଷୟରେ ସୁଗ୍ରୀବ ତାଙ୍କୁ ଆଗରୁ ସାବଧାନ କରି ଦେଇଥିଲେ । ହନୁମାନ ଜାଣିପାରିଲେ ଇଏ ସେହି ଜୀବ । ତେଣୁ ସେ ତାଙ୍କର କାୟାବିସ୍ତାର କରିବାରେ ଲାଗିଲେ । ସିଂହିକା ମଧ୍ୟ ନିଜର କାୟାବିସ୍ତାର କଲା, ହନୁମାନ ଛୋଟ ହୋଇ ତା’ ପାଟିରେ ପଶି ପୁଣି ବଡ ହୋଇ ବାହାରି ଆସିଲେ । ସିଂହିକାର ଛାତି ଫାଟିଗଲା ପରି ଲାଗିଲା । ସେ ନିର୍ଜିବ ହୋଇ ପଡି ରହିଲା । ଏଣେ ହନୁମାନ ଲମ୍ପ ଦେଇ ପୁଣି ଆକାଶ ମାର୍ଗରେ ଉଡି ଚାଲିଗଲେ ।

ବହୁ ଦୂର ଯିବା ପରେ ତାଙ୍କୁ ଧୀରେ ଧୀରେ ଲଙ୍କାର ଦୃଶ୍ୟ ସବୁ ଦୂରରୁ ଦେଖାଗଲା । କ୍ରମେ ସେ ନିକଟତର ହେଲେ ଓ ଶେଷରେ ସେଠାରେ ପହଁଚିଲେ । ତା’ ପୂର୍ବରୁ ସେ ଭାବିଲେ ଯଦି ତାଙ୍କର ବିରାଟ ରୂପକୁ ରାକ୍ଷସମାନେ ଦେଖିବେ ତେବେ ଯୁଦ୍ଧ ପାଇଁ ବାହାରି ଆସିବେ । ତେଣୁ ସେ ନିଜକୁ ଛୋଟ କରି ଗୋଟିଏ ପାହାଡ ଉପରେ ଅବତରଣ କଲେ ଓ ଲଙ୍କା ଦ୍ୱୀପକୁ ଭଲ ଭାବରେ ଦେଖିଲେ । ଏହା ଇନ୍ଦ୍ରଙ୍କର ଅମରାବତୀ ସଦୃଶ ଦେଖା ଯାଉଥିଲା ।

ବାସ୍ତବରେ ଲଙ୍କା ନଗରୀ ତ୍ରିକୁଟ ପର୍ବତ ଉପରେ ଅବସ୍ଥିତ ଥିଲା । ସେ ଦେଖିଲେ ସୁନ୍ଦର ଓ ସୁଗନ୍ଧ ଫୁଲରେ ଭରା ବୃକ୍ଷମାନ, ପାହାଡି ଝରଣା, ନାନା ସୁନ୍ଦର ପଶୁପକ୍ଷୀ, ନଦୀ, ଜଙ୍ଗଲ ।

ଲଙ୍କା ନଗରୀର ଚାରିପାଖରେ ଗଭୀର ଖାଇ ଥିଲା । ସେ ପାଣିରେ ଅସଂଖ୍ୟ ପଦ୍ମଫୁଲ ଫୁଟୁଥିଲା । ଚାରିପଟେ ସୈନ୍ୟଗଣ ଜଗି ରହିଥିଲେ । ସୁନ୍ଦର ସୁନ୍ଦର ଅଟ୍ଟାଳିକାମାନ ଶୋଭା ପାଉଥିଲା । ଦୁର୍ଗ ଉପରେ ପତାକାମାନ ଉଡୁଥିଲା । ଦୂରରୁ ଦେଖାଯାଉଥିଲା ଯେପରି ନଗରୀଟି ଆକାଶରେ ନିର୍ମାଣ ହୋଇ ଝୁଲୁଛି । ଏହି ସୁନ୍ଦର ନଗରୀକୁ ଦେବଶିଳ୍ପୀ ସ୍ୱୟଂ ବିଶ୍ୱକର୍ମା ନିର୍ମାଣ କରିଥିଲେ ।

ହନୁମାନ ଧୀର ଭାବରେ ଲଙ୍କାର ଉତ୍ତର ଦ୍ୱାରରେ ଯାଇ ପହଁଚିଲେ ଓ ରାବଣର ସୈନ୍ୟବାହିନୀ କଳନା କରିବାକୁ ଚେଷ୍ଟା କଲେ । ସେ ଦେଖିଲେ ରାବଣକୁ ଜିତିବା ଏତେ ସହଜ ନୁହେଁ । ଆଗରୁ ଏହା କୁବେରଙ୍କ ନଗରୀ ଥିଲା । ଏତେ ବଡ ନଗରୀ ଓ ପ୍ରହରୀମାନଙ୍କୁ ଦେଖି ହନୁମାନ ଭାବିଲେ ଯେ ଏଠାକୁ ବାହାରୁ ଆସିବା କେତେ କଷ୍ଟ ପୁଣି ଯୁଦ୍ଧରେ ଜିତିବା ତ ଆହୁରି କଷ୍ଟ । ଶ୍ରୀରାମ କ’ଣ ଏ ମହାନଗରୀକୁ କେବେବି ଜିତି ପାରିବେ? କାରଣ ବାନର ସୈନ୍ୟଙ୍କର ଦାୟିତ୍ୱ ତ ପୁଣି ଶ୍ରୀରାମଙ୍କୁ ନେବାକୁ ପଡିବ । ଦେବତାମାନେ ଭୟରେ ଯେଉଁ ରାକ୍ଷସର ସେବା କରୁଛନ୍ତି ତାକୁ କିପରି ଜିତି ହେବ । ରାକ୍ଷସମାନେ ତ ସ୍ୱଭାବତଃ କ୍ରୁର । ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କୁ ଜିତିବା ତ ଅସମ୍ଭବ । ପ୍ରଥମ ସମସ୍ୟା ସାଗର କିପରି ପାରି ହେବେ । ଏପରି ସବୁ ସମସ୍ୟାମାନ ହନୁମାନଙ୍କ ମନ ଭିତରେ ଆସିବାରୁ ସେ ବଡ ଚିନ୍ତିତ ହୋଇ ପଡିଲେ । କିନ୍ତୁ ତାହା କ୍ଷଣିକ ପାଇଁ । ଯେଉଁ ମୁହୂର୍ତ୍ତରେ ସେ ଭଗବାନ ଶ୍ରୀରାମଙ୍କୁ ସ୍ମରଣ କଲେ ଏସବୁ ଚିନ୍ତା ତାଙ୍କ ମନରୁ ଦୂର ହୋଇଗଲା; କାରଣ ସେ ଭାବିଲେ ଶ୍ରୀରାମ ନିଜେ କ୍ଷୀରସାଗରର ଅନନ୍ତ ଶଯ୍ୟାରେ ଶାୟିତ ଶ୍ରୀନାରାୟଣ, ତାଙ୍କ ପାଇଁ ପୁଣି କ’ଣ ବା ସମସ୍ୟା ହୋଇପାରେ । ସେ ଯାହା ଚାହିଁବେ ତାହାହିଁ ହେବ ।

ତା’ପରେ ସେ ଭାବିଲେ ଏତେଗୁଡାଏ ଚିନ୍ତା କରିବା ହାସ୍ୟାସ୍ପଦ ଓ ନିରର୍ଥକ; କାରଣ ସୀତାଠାବ କରିବାହିଁ ଏବେ ମୋର ପ୍ରଥମ କର୍ତ୍ତବ୍ୟ । ସୀତା ଜୀବନରେ ଅଛନ୍ତି ନା ନାହାଁନ୍ତି, ଥିଲେ ସେ ଏବେ କେଉଁଠି ଓ କିପରି ଅଛନ୍ତି ସେସବୁ ନ ଜାଣିଲେ ଏଠାକୁ ଆସିବାର ବା ଏତେ କଷ୍ଟ କରିବାର କୌଣସି ଅର୍ଥ ନାହିଁ । ଏବେ ପ୍ରଥମ ସମସ୍ୟା କିପରି ନଗରୀ ଭିତରେ ପ୍ରବେଶ କରିବେ । ଭାବିଚିନ୍ତି ସେ ଠିକ୍ କଲେ ସୂର୍ଯ୍ୟାସ୍ତ ପରେ ସେ ଛୋଟ ରୂପରେ ନଗରୀରେ ପ୍ରବେଶ କରିବେ । ତେଣୁ ଚୁପ୍ଚାପ୍ ଅପେକ୍ଷା କରି ସେ ରହିଲେ । ସୂର୍ଯ୍ୟାସ୍ତ ପରେ ଗୋଟିଏ ଛୋଟ ବିଲେଇ ପରି ସେ ତାଙ୍କ ଶରୀରକୁ ଛୋଟ କରିଦେଲେ । ତା’ପରେ କୌଣସି ଏକ ଦ୍ୱାରରେ ପଶିଯାଇ ସେ ଅନେକ ସ୍ଥାନ ବୁଲି ବୁଲି ଦେଖିଲେ । ତା’ପରେ ପ୍ରଧାନ ଦ୍ୱାରରେ ଯିବାବେଳେ ଲଙ୍କା ନଗରୀକୁ ସର୍ବଦା ରକ୍ଷା କରୁଥିବା ଲଙ୍କିନୀର ଆଖି ସେ ଛୋଟ ହନୁମାନ ଉପରେ ଯାଇ ପଡିଲା । ଲଙ୍କିନୀ ହେଉଛନ୍ତି ଲଙ୍କା ନଗରୀର ରକ୍ଷାକର୍ତ୍ତା । ସେ ଲଙ୍କାକୁ ସର୍ବଦା ଜଗି ରହିଥା’ନ୍ତି । ବ୍ରହ୍ମାଙ୍କ ବରଦାନ ଯୋଗୁଁ ସେ ଏପରି ଆସି ଜଗିଥା’ନ୍ତି । ସେ ହନୁମାନଙ୍କର ରାସ୍ତା ବନ୍ଦ କରି ପଚାରିଲେ, “ହେ, ତୁ କିଏ? ଏତେବେଳେ ଚୁପ୍ଚାପ୍ ଦ୍ୱାର ଦେଶରେ ଭିତରକୁ ପଶି ଯାଉଛୁ? ପୁଣି କାହାର ଅନୁମତି ବିନା, ତୁ ପୁଣି ଏକ ବାନର ପରି ଦେଖାଯାଉଛୁ । ବାନରର ତ ଲଙ୍କାରେ ପ୍ରବେଶ ନିଷେଧ ।”


ହନୁମାନ ଲଙ୍କା ନଗରୀ ଶ୍ରୀରାମ

Rate the content


Originality
Flow
Language
Cover design

Comments

Post

Some text some message..