Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Tragedy Inspirational

4.8  

Aravinda Das

Tragedy Inspirational

ଏକ ଛୋଟ ପ୍ରେମ କାହାଣୀ

ଏକ ଛୋଟ ପ୍ରେମ କାହାଣୀ

3 mins
14.9K


ଶେଖରବାବୁଙ୍କ ମନିପର୍ସ'ରୁ ଖୁଚୁରା ଟଙ୍କା ବାହାର କଲାବେଳେ,ଭିତର ପକେଟରେ ସାଇତା ଗୋଟେ ଛୋଟ ଚାରିଚଉତା କାଗଜରେ ଲେଖା ଥିବା, "ଆଇ ଲଭ ୟୁ "କୁ ଦେଖି ରିଆ ବଡପାଟିରେ ପଚାରିଲା,

"ଜେଜେ, ଏଇଟା କାହା ପାଇଁ ?ଜେଜେମାର ଫଟୋ ନ ରଖି ଏଇଟା ତା ହାତ ଲେଖା ସାଇତି ରଖିଛ ନା କଣ ?ୟୁ ଆର ସୋ ରୋମାଣ୍ଟିକ।"

  ନାତୁଣୀ ହାତରୁ ତରବର ହୋଇ ସେଇ ପୁରୁଣା କାଗଜଟି ନେଇଯାଇ ଟିକେ ମିଛ ରାଗ ଦେଖାଇ ଶେଖରବାବୁ କହିଲେ, "କାହାର ବ୍ୟକ୍ତିଗତ ଜିନିଷ ଦେଖିବା କଣ ଠିକ୍ ?"

  ଜିଭ କାମୁଡି ରିଆ କ୍ଷମା ମାଗିଲା ଢଙ୍ଗରେ କହିଲା,"ସରି ।ତେବେ ଏତେ ଯତ୍ନରେ ରଖିଛ ମାନେ, ନିଶ୍ଚୟ କେହି ସ୍ପେଶାଲ ହୋଇଥିବେ। ଯଦି ତମେ ତାଙ୍କ କଥା କହିବାକୁ ଚାହୁଁନ ,ତେବେ ଥାଉ। କିନ୍ତୁ ଆଜି ଜେଜେମା ବଂଚିଥିଲେ ତା ଠାରୁ ନିଶ୍ଚୟ ବୁଝିନେଇଥାନ୍ତି। ସେ ମୋତେ କିଛି ଲୁଚାନ୍ତିନି।"

   ଟିକିଏ ନରମ ଗଳାରେ ଶେଖର କହିଲେ," ଆରେ,ମୋ ସୁନା ନାତୁଣୀ ରାଗିଗଲା। ହଉ ଶୁଣ; ଏଇ କାଗଜ ଖଣ୍ଡକ ଏକ ଅଭୁଲା ସ୍ମୃତି। ମୋ ପ୍ରଥମ ପ୍ରେମ।ସେ ମୋତେ ବହୁତ ଭଲ ପାଉଥିଲା।"

  "ୟୁ ମିନ ଲଭର ?ଫାଷ୍ଟ ଲଭ ?ତା ମାନେ ଏଇଟା ଜେଜେମାଙ୍କ ହାତ ଲେଖା ?"

  ଏକ ଦୀର୍ଘନିଶ୍ୱାସ ଛାଡି ଶେଖର କହିଲେ," ନା, ଏଇଟା ଆଉ ଜଣଙ୍କର।"

   ସିଏ କିଏ ?ଜେଜେମା ଜାଣିଥିଲେ ?ତମେ ବି ତାଙ୍କୁ ଭଲ ପାଉଥିଲ ?ତାହେଲେ ଜେଜେମାଙ୍କୁ କାହିଁକି......

  ନାତୁଣୀ କଥାରେ ବାଧା ଦେଇ ଶେଖର କହିଲେ, ତମେ ଆଜିକାଲିକା ପିଲା ସେସବୁ ବୁଝିପାରିବ ନାହିଁ।କିଛି ସମ୍ପର୍କ ଶାଶ୍ୱତ,ଅଵର୍ଣ୍ଣନୀୟ।ଭଲ ପାଇବାର ସଂଜ୍ଞାକୁ ବୁଝିବା ଏତେ ସହଜ ନୁହେଁ।ଠିକ୍ ଯେମିତି ଏଇ ହାତ ଲେଖା କାଗଜର ମହତ୍ତ୍ୱ ତୁ ବୁଝି ପାରିବୁ ନାହିଁ। ସବୁ ପ୍ରେମ, ଶସ୍ତା ପ୍ରେମକାହାଣୀର ବର୍ଣନା ଭଳି ନୁହେଁ।"

  ପ୍ଲିଜ ଜେଜେ,ମୋତେ କହିବନି ?ତମକୁ ମୋ ରାଣ।

 ନାତୁଣୀକୁ କୋଳକୁ ଆଉଜେଇ ଆଣି,ଶେଖର କହିଲେ, ତୁ ବଡ଼ ଦୁଷ୍ଟ।ରାଣ ପକାଇ ମୋତେ ବ୍ଲାକମେଲ କରୁଛୁ।

  ଏକ ଦୀର୍ଘ ନିଶ୍ୱାସ ନେଇ ପୁଣି ଆରମ୍ବ କଲେ, "ମୋ କଲେଜ ବେଳ କଥା। ମାମୁଁ ଙ୍କ ପାଖରେ କଟକରେ ରହି ପଢ଼ୁଥିଲି।ଏକ ଆକ୍ସିଡେଣ୍ଟରେ ମୋ ଦୃଷ୍ଟିଶକ୍ତି ଚାଲିଗଲା।"

    ତମର ଆଖି ନଷ୍ଟ ହୋଇଯାଇଥିଲା ?କିଛି ବି ଦେଖି ପାରୁନଥିଲ ?

  ମୁଣ୍ଡ ହଲାଇ ଶେଖର କହିଲେ, ହଁ ।ଅନ୍ଧ ହୋଇଯାଇଥିଲି।ଏକଦମ ଅସହାୟ ଅବସ୍ଥା।ଏ ସୁନ୍ଦର ପୃଥିବୀ,ନିଜ ଲୋକ,ଆଖପାଖ ଜିନିଷ କିଛି ନଦେଖି ପାରିବାର ଅବଶୋଷ ମୋତେ ଡିପ୍ରେସନ ଆଡ଼କୁ ଟାଣି ନେଇଥିଲା।ମାମୁଁଙ୍କ ଘର ପାଖ ପାର୍କରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଯାଇ ବସୁଥିଲି।ସେଇଥି ଦେଖା ମିତୁ ସହିତ।କୁନି ଝିଅଟେ।ପୋଲିଓ ଆକ୍ରାନ୍ତ ମିତୁ ହୁଇଲ ଚେୟାରରେ ବସି ସବୁଦିନ ପାର୍କକୁ ଆସେ।ମୋ ପାଖରେ ବସି କଥାହୁଏ,ଭଲ ମନ୍ଦ ଗପେ।ପାର୍କ ଓ ଆଖ ପାଖରେ ଘଟୁଥିବା ଜିନିଷର ଧାରା ଵିଵରଣୀ ଦିଏ।ସେଇ ସମୟ ତକ ସେ ମୋ ଆଖି ବନିଯାଉଥିଲା। ମୋ ସହିତ ବଲ ଖେଳେ,ଗୀତ ଶୁଣାଏ,ମୋ ଠାରୁ ଗପ ଶୁଣେ।ଏକଦମ ଅଦ୍ଭୁତ ଝିଅ ଥିଲା ମିତୁ।"

 "ସେଠୁ କଣ ହେଲା ?"

 "ଆମେ ଦୁହେଁ ଏକଦମ ସାଙ୍ଗ ବନିଯାଇ ଥିଲୁ।ଦିନେ, ନ ଦେଖାହେଲେ ଖରାପ ଲାଗୁଥିଲା।ଦୁଇ ଦିବ୍ୟାଙ୍ଗ ଲୋକ ବୋଧେ ଖୁବ ଶୀଘ୍ର ନିବିଡ଼ ବନ୍ଧୁ ହୋଇଯାଆନ୍ତି। ମୋତେ ସବୁବେଳେ ସାନ୍ୱନା ଦେଇ କହେ,ଭଗବାନ ତମ ଦୃଷ୍ଟିଶକ୍ତି ନିଶ୍ଚୟ ଫେରାଇଦେବେ।ମୁଁ ହସିଦିଏ।ଭାବେ ସେ ଛୋଟ ପିଲା କଣ ଜାଣିଛି ?

କାଗଜରେ ମୋ ଚିତ୍ର ବନାଇ ନ ହେଲେ ଆଇ ଲଭ ୟୁ ଲେଖି ମୋତେ ଦିଏ।ଏକଦମ ପାଗିଳୀ ଥିଲା ସେ ବୋଧେ।ନିଶ୍ଚୟ ପୂର୍ବ ଜନ୍ମରେ ଆମ ଦୁହିଁଙ୍କ ଭିତରେ କିଛି ସମ୍ପର୍କ ଥିଲା।

 ଥରେ ଦୁଇଦିନ ମିତୁ ପାର୍କକୁ ଆସିଲାନି।ବ୍ୟସ୍ତ ହୋଇପଡ଼ିଥିଲି।ଖବର ପାଇଲି ଘର ପାହାଚରୁ ଖସି ପଡି ମିତୁ ହସ୍ପିଟାଲ୍ ରେ।ବାସ୍ ଆଉ ଫେରିଲାନି ବିଚାରୀ।ଭଗବାନଙ୍କ ପାଖକୁ ଚାଲିଗଲା ପୂର୍ବରୁ ତା ଦୁଇ ଆଖି ମୋତେ ଦାନ ଦେଇଗଲା।ତାରି ଆଖିରେ ଆଜି ମୁଁ ଦୁନିଆ ଦେଖୁଛି।ମିତୁ ଭଳି ପ୍ରେମ କରିବା କଣ ସହଜ ? ଋଣୀ କରିଦେଇ ଚାଲିଗଲା ବିଚାରୀ। ତା ଫଟୋ ମୋତେ ନ ଦେଖାଇବାକୁ ତାଙ୍କ ଘର ଲୋକଙ୍କ ଆଗରେ ସର୍ତ୍ତ ରଖିଥିଲା ମିତୁ।

 "କିନ୍ତୁ କାହିଁକି ?"ରିଆ ପଚାରିଲା।

 ସତରେ ଅଦ୍ଭୁତ ଝିଅ ଥିଲା ମିତୁ।ଏକଦମ ଜିଦିଆ।ଏବେ ବୁଝୁଛି ତା ସର୍ତ୍ତର କାରଣ।କିଛି ଗୋଟେ ଅଭାବପଣ ରହିଲେ ଆମେ ସେଇ ଜିନିଷକୁ ଖୋଜୁ,ବ୍ୟସ୍ତ ହୋଇ ମନେପକାଉ। ମିତୁ ନିଜ ମହନୀୟତାର ଉପହାର ଦ୍ୱାରା ମୋ ଅନ୍ଧାର ଦୁନିଆକୁ ଆଲୋକିତ କରି,ନିଜେ ମୋ ଆଖି ଆଢ଼ୁଆଳରେ ଲୁଚିଗଲା।ସେ ବନିଗଲା ମୋ ଅଭାବପଣ।ସାରା ଜୀବନ ତାକୁ ଭୁଲି ନ ପାରି ମନେପକାଇବା ପ୍ରେମ ନୁହେଁ ତ କଣ ?ଏମିତି ମହାନ ପ୍ରେମକୁ କଣ ନାଁ ଦେଇ ହେବ ?

ଏଇ ଛୋଟ କାଗଜ ଖଣ୍ଡକ ହିଁ ମିତୁର ଶେଷ ସନ୍ତକ,ମୋ ପାଇଁ।ଆମ ଛୋଟ ପ୍ରେମ କାହାଣୀର ମୂକସାକ୍ଷୀ।"

ଶେଖରବାବୁ ଆଖିରୁ ଚଷମା କାଢି ରୁମାଲରେ ଦୁଇ ଆଖିକୁ ପୋଛିଲେ।

  ରିଆର ଦୁଇ ଆଖି ବି ଓଦା ହୋଇ ଆସିଥିଲା।

 


Rate this content
Log in

Similar oriya story from Tragedy