Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Others Romance Tragedy

3  

Soumya Shubhadarshinee

Others Romance Tragedy

ତେନ୍ତୁଳି

ତେନ୍ତୁଳି

8 mins
5.6K


--" ହିଁ ହିଁ "..

--"ହେ ହେ"...

--"ହିଁ ହିଁ ହିଁ "...

--- "ହୋ ହୋ ହୋ ହୋ , ସକାଳୁ ଆଉ ଦେଖାନି ହେଲା ଏଥର କହ।"

--" ଯିବି , ହିଁ ହିଁ ହିଁ ହିଁ....

--" ହୁଁ , ଯା .....

--" ହିଁ ହିଁ ହିଁ .....

---" ଆରେ ଯାଉନୁ , ଆଉ ବେଶି ବତିଶି ଦେଖେଇଲେ ଛାଡିବିନି।''

--"ଉହୁଁ , ପଚାରୁନ କୁଆଡେ?"

--" ବୁଝିଲୁ ତୋ ଇଚ୍ଛା , ତୁ ଯିବୁ , ମୁଁ କାହିଁକି ପଚାରିବି କୁଆଡେ ବୋଲି ଶୁଣେ?"

--" ପଚାରିଲେ ସିନା , ହେ ହେ ହେ ...

--" ଜୋକଟେ ତୁ ବୁଝିଲୁ , ଶ' ଛାଡ଼ିବୁନି, ତୋ ପେଟରେ ପେଟେ ଅଳିଆ। କହ ବାପ ଧନ କୁଆଡେ ଯିବାକୁ ମନ ଛନ ଛନ?"

ଆସିଗଲା ତା' ଚେୟାରଟା ସଟ୍ କରି ସ୍ପ୍ରିଂଗ ଭଳିଆ ପୂରା ମୋ ପାଖକୁ ଆଉ ସେ ବଢ଼େଇ ଦେଲା ଖଣ୍ଡେ ବୋମା। ହଁମ ବୋମା କଣ ଖାଲି କାଶ୍ମୀରରେ ଆମରବି ଅଛି ନା'।ମୁଁ ଦେଖିକି କାବା, ଫୁଟିଗଲା ବୋମା ଢୋ' କି ମୋ ମୁଣ୍ଡ ଭିତରେ। ଆଉ ମୁଁ ଟିକେ ଧୀର ପଚାରିଲି

--" କେବେ ହେଲା , ଏମିତି ଅଦିନିଆ ମେଘ?''

---" ହିଁ ହିଁ ହିଁ , ସେଇଆ କହିବାକୁ ପା' ଏତେ ଚୁଙ୍ଗୁ ଚୁଙ୍ଗୁ ହଉଚି , ବୁଝୁନା ତମେ ହେଲା। ଅସଲି ମଞ୍ଜ କଥାକୁ ନଶୁଣି ଖାଲି ଗୋଟେ ହୁଁ।''

--" ଏତେ ଖୁରି ଖାଅନା ଧନ ମଣି ଖୁର ଭାଙ୍ଗି ଯିବ। ବୁଝିଲ ସେଗୁଡା ଆଉ ଟାଣ ନାହିଁ। ହୁଗୁଳା ହେଇ ଗଲାଣି। ଶୀଘ୍ର କହିଦିଅ , ନହେଲେ ଯାଅ।"

--'' ହିଁ ହିଁ ହିଁ , ଏଗୁଡା କ'ଣ ଶୀଘ୍ର ହୁଏ ଛା' ହବନି ବୁଝୁନ କିଆଁ , ଇଏ ପା' ରାଧା ନାଚ।"

--" ମୋ ମୁଣ୍ଡ ଗୁଣ୍ଡ ହେଲାଣି ଧୀରେ ଧୀରେ। ଆଉ ବେଶି ବକ ବକ ହେଲେ ମୋ ବୋମା ଫୁଟା ମୁଣ୍ଡ ବଡ଼ ବିସ୍ଫୋରଣ କରିପକେଇବ ତୋ ଉପରେ ବୁଝିପାରୁନୁ କିରେ।''

--'' ହିଁ ହିଁ , କହୁଛି କହୁଛି , ଶୁଣନ୍ତୁ , କାଲି ଫୋନ୍ କରି ସେଟିଂ ହେଇଛି ।ଏଇଟା ମିଳିଚି ସେଇ , ଦାସ ପକ୍ଷରୁ । ମନ ଅଛି ଟି?"

ଦାସ ଲୋକଟାକୁ କିଏ ଭଲା ଭୁଲି ପାରିବ । ସରକାରୀ, ବେସରକାରୀ, ଘରୋଇ, ବେଘରୀ ସବୁଠି ଫିଟ୍ ହେଇଯିବା ଆଇଟମ୍ ଇଭେଣ୍ଟ୍ ମ୍ୟାନେଜର୍। ଵିଶେଷ ଗୋଟେ ମାଟିରେ ତିଆରି ହେଇଥିବା ସ୍ପେସିମେନ୍। ତାଙ୍କ ଅଫିସରେ ବି ଆତ ଜାତ ଅବାଧ। ଆଛା ଏ' କାମବି କରୁଛି? ହେ ପ୍ରଭୁ ନର ମାୟା ନାରାୟଣଙ୍କୁ ଅଗୋଚର।

***

ସବୁ କିଛି ଭଲ କି ଘୋଷିକି ଆସିଛି। ସାମାଜିକ ଲୋକ ନା' ଏସବୁ ଟିକେ ବାଗେଇ କି ନକଲେ ଅଡ଼ୁଆ ।

ସାଙ୍କେତିକ ଭାଷା ଗୁଡା ବଡ଼ ଜରୁରୀ ନହେଲେ ଗୋପନ ଅଭିସାର ଗୁଡାକ ଫଳବତୀ ହେବନି। ଖାସ ସେଇ ସକାଶେ ସେ ମନେ ମନେ ଘୋଷି ପକେଇଛି। ହଁ ଦୁଆର ଆଗରେ ଗୋଟେ ସଜନା ଗଛ। ଘରଟା ଶୁଆ ରଙ୍ଗ ଆଉ କଳା ଗ୍ରୀଲ ।ଗୋଟେ ସୁନ୍ଦରୀ ପାନ ପତ୍ର ଡଙ୍ଗା ହେଇଚି ନେମ୍ପ୍ଲେଟ ପାଖେରେ । ସେଇଟା ଲଭ୍ ଲ୍ୟାମ୍ପ , ଓହୋ ପାନପତ୍ର ଭିତରେ ଛୋଟିଆ ଏଲ୍ ଇଡି ବତୀ। ଜଳୁଛି ଡ଼ହ ଡ଼ହ ହେଇ ଯେମିତି ଏଇନା ତା' ମନ ମୁନ ଚୌତନ।

ତା' ବାଦେ କବାଟ ଆଗରେ ଆସି ପ୍ରଥମେ ଖଣ୍ଡି କାଶ ,ଗଣିକି ଦି ଥର। ଭିତରୁ ଶୁଵିଵ କିଏ? ଉତ୍ତର ସଂଗେ ସଂଗେ ବି ଥୁଆ ହବ , '' ପିଜ୍ଜା ଡେଲିଭେରୀ'' ......

ବାସ୍ ଏତିକି ହେଇଗଲେ କାମ ଫତେ। ତା ପରେ ନନ୍ଦନ କାନନ , ଅମରାବତୀ,ଇନ୍ଦ୍ର ଭୁବନ , ରମ୍ଭା ,ମେନକା, ଉର୍ବଶୀ ଏମିତି ସେମିତି ।କେତେ କ'ଣ ମିଳିଯିବ , ହିଁ ହିଁ ହିଁ।

ପୁଲିସ ଗୁଡାକ ଉପରେ ପ୍ରବଳ ରାଗ ଆସୁଛି। ଆରେ ସେଗୁଡା ବୁଲା କୁକୁର ଭଳିଆ ଭୁକି ଭୁକି ସବୁ ମଜା କିରି କିରା କରି ଦେଉଛନ୍ତି। କେଡେ କେଡେ ଗ୍ୟାଙ୍ଗଷ୍ଟାର ବୁଲୁଛନ୍ତି ଧୋବ ଧୋବଳିଆ ହେଇ ଆଉ ସେଗୁଡା ଏଇ ନିରୀହ ମାନଙ୍କ ଉପରେ କରାମତି ଦେଖେଇ ହିରୋଗିରୀ କାଢୁଛନ୍ତି। ଖଣ୍ଡଗିରି ବନରେ କେଡେ ସରାଗରେ କୁଲୁ କୁଲୁ ହେଇ ତାରା ଫୁଲ ଫୁଟୁ ଥିଲେ। ସେଦିନ ଗୁଡା ମନେ ପଡିଲେ। ଆହା କି ଦୁଃଖ।

****

ଆସିଗଲା ଶୁଆଘର, କଳା କବାଟ, ସଜନା ଗଛ। ମନକୁ ପାଇଛି ଭାରି। ବଢିଆ ସାଜ ସଜ୍ଜା। ଆଉ ଜୁଳୁ ଜୁଳୁ ପାନ ପତର ମନ୍ଥି ପକଉଛି ମଗଜ। ସଜନା ନୁହେଁ କଦମ୍ବ, ହଁ କୁଞ୍ଜ ବନ କୂଳିଆ କଦମ୍ବରେ ପେନ୍ଥା ପେନ୍ଥା , ଭୁରୁ ଭୁରୁ ବାସ ଚହଟା ଫୁଲ। ଭାବିଲା ବେଳକୁ ବଇଁଶୀ ବାଜୁଛି , ଘୁଙ୍ଗୁର ଶୁଭୁଛି ତା' ସାଙ୍ଗକୁ

" ସାରେ.. ଗାମା.... ପା......ଆ.... ଆ ....ଆ...."

ଏବେ ଖଣ୍ଡି କାଶ, ଖୁଁ ଖୁଁ । କିନ୍ତୁ କିଛି ଶୋର ଶବ୍ଦ ନାହିଁ ! ବଡ଼ ଆଡୁଆ ହେଲା , କ'ଣ କରିବ। ଆଗକୁ ବଢିବାକୁ ହେଲେ ଭିତରୁ ଆସିବ ଡାକ। ନହେଲେ କ'ଣ ଶିଶୁପାଳ ହବ ନା' କ'ଣ!!ଏଡ଼େ ବାଗରେ , ସାଜି ସୁଜି , ବାସ ଚହଟେଇ ଆସିଛି। ପକେଟରେ ବନ୍ଦୋବସ୍ତ ଜିନିଷ ବି କିଣିକି ରଖିଛି। ସବୁଗୁଡା ବେକାର ହେଇଯିବ। ଏକୁଟିଆ ହେଇଥିଲେ ଚଳିଥାନ୍ତା , ମନ ମାରି ପଳେଇଥାନ୍ତା। କିନ୍ତୁ ସେ ତ' ଡିଣ୍ଡିବ ପିଟି , ରୋଳା କରି ସଭିଙ୍କୁ ଜଣେଇ ଆସିଛି।ଗଲେ ସବୁ କାନ୍ଧ ଉପରେ ବସି କାନ ଚୋବେଇବେ। ପୁଣି ସିଏ ଅନ୍ୟ ମାନଙ୍କ ଗୁରୁ ସାଜିବ ବୋଲି ଗୋଟେ ମସ୍ତ ବଡ଼ ପ୍ରମିସ୍ କରିକି ଆସିଛି। ନୂଆ ଅଭିସାରର ପ୍ରତ୍ୟକ୍ଷ ବିବରଣୀ ଦେବାର ଅଛି, ଗୋଟେ ଦିଟା ମୋବାଇଲ୍ ଫୋଟୋ ଦେଖେଇବାର ଅଛି, ମେଣ୍ଢା ପଲ୍ଲଙ୍କ ଭିତରେ ଏକୁଟିଆ ଭେଣ୍ଡା ହବାର ଅଛି।

ଶ' ଭିତରକୁ ନଗଲେ ଏସବୁ ଗମାତ କଣ ଯାଦୁ ମନ୍ତର କରିକି କରିବ। ସବୁ ଟାହି ଟାପରା କରି ମନ ଖପରା କରି କିତି କିତି ଖେଳିବେ। ଅତି ଚାଲାଖ ଡ୍ୟାସ୍ ଖାଏ ନୀତିରେ ବିଚରା ଛିନି ଛତର ହେଇଯିବ। ନା ନା କରିବ ସିଏ ଆଉ ଥରେ ଟ୍ରାଇ।

****

" ଖୁଁ ଖୁଁ...

" ଖୁଁ ଖୁଁ

ଗୋଟେ ଦାଢ଼ିଆ ଲୋକ ରାସ୍ତାରେ ଯାଉ ଯାଉ ଅନେଇଲା ତେଢେଇ ହେଇକି। ତାକୁ ଲାଗିଲା ଲୋକଟା ହସୁଥିଲା କୁରୁ କୁରୁ ହେଇକି । ଆରେ ଚିହ୍ନା ଲୋକଟା କି? ତାକୁ ଆଉ ଚିହ୍ନି ପକେଇ ନାହିଁ ତ? .......

ଗଲା ମୁଣ୍ଡ ଗୋଳ ମାଳ ଖାଇଗଲା । ଚିନ୍ତା ଘରିଲା ପ୍ରବଳ। ଘରେ ଯଉ ମା କଟକ ଚଣ୍ଡୀ, ମା ଚାମୁଣ୍ଡା, ମା ଉଗ୍ର ତାରା ଅଛନ୍ତି। ଠିଆ ଫାଡ଼ି ଦେଇ ଗଳ ଗଳ ହେଇ ରକ୍ତ ପିଇ ଦେବେ। ଆଉ ଜୀବନ ରହିବ ନାହିଁ। ମେମେଁ ମେମେଁ ହେଇ ମରିଯିବ ବିଚରା।

ଏମିତି ଅଶୁଭ ଚିନ୍ତା ଘାରୁ ଘାରୁ ମନେ ପଡିଗଲା ସେ ମୁହଁରେ ମଫଲର ଟେ ଗୁଡେଇ ଆସିଛି। ଛେ' କେମିତି ଆଉ କିଏ ଚିହ୍ନି ପାରିବ। ସନ୍ତ୍ରାସବାଦୀ ଲୁକ୍ ନେଇକି ଆସିଛି ଆଜି ଫୁଲ୍ ପ୍ରସ୍ତୁତି ରେ। ନା' କିଛି ଟେନ୍ସନ ନାହିଁ ସବୁ ବିନ୍ଦାସ।

*****

ହେଲେ ଏଯାଏଁ ଭିତରୁ କିଛି ଡାକରା ଆସୁନି। ଏଇ ଟେନ୍ସନ ଟା ତ ଘାରିଛି ଘୋର। କ'ଣ କରିବ କେତେ ଆଉ ଖଣ୍ଡୀ କାଶ ମାରିବ। ଲୋକ ଭାବିବେ ଯକ୍ଷ୍ମା କି ଟଂସିଲ୍ ବେମରିଆ ଗୋଟେ କିଏ ଠିଆ ହେଇଛି। ଡାକିବେ ଆଉ କ'ଣ କୁକୁର ଲଗେଇ ଗୋଡେଇ ଦେବେ। କ'ଣ କରିବ କିଛି ବୁଝା ପଡୁନି। ହେଲେ କରିବ ନିଶ୍ଚିତ। କିଛି ନା କିଛି କରିବ ଆଉ କାଲି ଅଫିସରେ ଷ୍ଟାର୍ ହେଇକି ବୁଲିବ ।

ଏଥର ଆଉ କାଶ ନ ମାରି ଆଗକୁ ଗଲା କବାଟ ବାଡେଇଲା। ଫେଣେ କିଛି ସୋର ଶବ୍ଦ ନାହିଁ। କବାଟକୁ ଜୋର କରି ଠେଲିଦେଲା ବେଳକୁ କବାଟ ଛାଏଁ ଖୋଲିଗଲା। ଆରେ ଆରେ ଇଏ ତ' ସାହାଣ ମେଲା। ବେକାରିଆ ଟାରେ ବାହାରେ ଠିଆ ହେଇ କାଶିଲା ମଣିଷ ଛି ଛି ଛି, ଧିକ ତା ମୂର୍ଖ ପଣିଆକୁ। ମୁଣ୍ଡ ରେ ଟିକିଏ ବି ମସଲା ନାହିଁ ଖାଲି ତୁଚ୍ଛା ଗୋବର। ବୋଉ ଠିକ ଜାଣି 'ଗୋବର ଗଣେଶ' ଡାକେ ତାକୁ।

*****

ଭିତରେ କିଟି କିଟି ଅନ୍ଧାର, ଆଇଁଷିଆ ଗନ୍ଧ ଆଉ କେମିତି ଗୋଟେ ଗୁମ୍ ସୁମ୍ ଭାବ।

" କିଏ ଅଛ କି? '' ଗଳା ଝାଡ଼ି ପଚାରିଲା ସେ । କିନ୍ତୁ ତଥାପି କେହି କିଛି କହୁ ନାହାନ୍ତି। ବଡ଼ ବିଚିତ୍ର ବ୍ୟାପାର। ଘର ଭିତରକୁ ଯିବାପରେ କେହି ଦିଶିବେ ନାହିଁ ଏମିତି ହେବାର ନୁହେଁ। ଆଉ ଅଧିକ ଭିତରକୁ ଯିବା ଉଚିତ ହେବ ନାହିଁ। ଲଫଡା ଭିତରେ ପଶି ଯାଇପାରେ।

ଫେରି ଯିବାକୁ ବାହାରିଲା ମନ ମାରି। ଠିକ ଏତିକି ବେଳେ ଶୁଭିଲା କଇଁ କଇଁ କାନ୍ଦ। କିଏ ପୁଣି ଏମିତି ସକେଇ ହେଉଛି ଅନ୍ଧାର ଘର ଭିତରେ। ଏବେ ଡର ଲାଗିଲାଣି ତାକୁ। ଏଗୁଡାଙ୍କୁ ଭେଟିବା ବଡ଼ ଆଡୁଆ। ସବୁବେଳେ ଥାଏ ଗୋଟେ ଅଜଣା ଆତଙ୍କ। ତା' ଭଳିଆ ସାମାଜିକ ଲୋକ ପାଇଁ ପୁଣି ବେଶି ସମସ୍ୟା। ନାଇଁ ଆଉ ନୁହେଁ ପଳେଇବ ଏବେ ଏଠୁ।ବହୁତ ଗଙ୍ଗା ଗଲା ଆଉ ବହୁତ ଫଳ ପାଇଲା। ଆଉ ବେଶି କଲେ ନେଡି ଗୁଡ଼ କହୁଣୀକୁ ବୋହି ଯିବ । ତାପରେ ପୁଅ ଚାଟୁ ଥିବ ଜିଭ ଳମ୍ବେଇ ଆଉ ପାଉଥିବ ପାନେ।

ବାହାରି ଆସିଲାବେଳକୁ, ଧକ୍କା ଖାଇ କଳା ଗ୍ରୀଲ ଦେହରେ ପଡିଗଲା ଧୁମକି। ଶବ୍ଦ ଶୁଣି ଘର ଭିତରୁ ଗୋଟେ କିଏ ଜୋର କରି କହିଲା " କିଏ , କିଏ ସେଠି?"

ଉଠିକି ଏକ ରକମ ଦୌଡ଼ିଲା ସିଏ।ଅଳ୍ପ ବାଟ ଯାଇଛି କି ନାହିଁ ଶୁଭିଲା ଅସଲ ବଇଁଶୀ ପୋଲିସ ସାଇରନ୍ । ଏଥର ଆଉ ସତରେ ରକ୍ଷା ନାହିଁ। ସିଧା ଯିବ ମାମୁ ଘର । ଚକି ପେଷିବ, ଚାକିରୀ ଯିବ, ମୁହଁରେ ଚୂନ କାଳି ବୋଳି ବର୍ବାଦ ହେଇଯିବ।

କେଉଁ ଆଡେ ଆଉ ନଜର ନଦେଇ ନାକ ସିଧା ଧାଇଁଲା । ଛକରେ ଗୋଟେ ବୁଢା ଷଣ୍ଢ ବାଟ ଓଗାଳି ଠିଆ । ସେଟାକୁ ଦେଖି ଛୋବ ଖାଇଗଲା ସେ ଆଉ ହଉଳିଆ ରଡି ପକେଇ ବେହୋସ ହବା ଉପରେ। ପେଣ୍ଟ ଭିତରେ ଏକ ନମ୍ବର ହେଇଗଲା ବୋଧେ। କିନ୍ତୁ ଅଟକି ଗଲା ନାହିଁ। କାରଣ ସେପର୍ଯ୍ୟନ୍ତ ପୁଲିସ ସାଇରନ୍ ଶୁଭୁଛି , କିଛି ବୁଝା ପଡୁନି । ପୋଲିସ କ'ଣ ଜାଣି ଗଲା କି ତା' କଳା କାରନାମା?? ହେଲେ କେମିତି ଭଲା ସେ ବିଚରା ଖାଲି କବାଟ ଖୋଲିଛି ଆଉ କ'ଣ କିଛି ଖୋଲିଛି ଯେ ତା' ପିଛାରେ ପଡିଗଲା ମାମୁଁ ?

ଏମିତି ଅନ୍ଦା ଧୁନ୍ଦୁଆ ଧାଉଁ ଧାଉଁ କେତେବେଳେ କବରସ୍ଥାନ ସମ୍ନା ଗଳିରେ ପହଞ୍ଚି ଯାଇଛି ଆଉ ସ୍ୟାଡୁକୁ ନଜର ନାହିଁ।

*****

"ଯିବୁନି ବୁଝିଲୁ ଜମା ଯିବୁନି କବରସ୍ଥାନ ଆଡ଼କୁ" ଛୁଆ ବେଳେ ବୋଉ କୁହେ । ସେଠି କୁଆଡେ ରଡ଼ ନିଆଁ ଆଖି ଵାଲା କାଳିଆ ଭୁଆଁବିଲେଇ ଗୁଡା ବୁଲୁଥାନ୍ତି।ସବୁ ଗୋଟେ ଗୋଟେ ପଠାଣିଆ ପ୍ରେତ। ସେଗୁଡା ଡାହାଣା ଭଳିଆ ଓର ଉଣ୍ଡୁ ଥାନ୍ତି କେତେବେଳେ କିଏ ଏକୁଟିଆ ଦିଶିଯିବ। ସିଧା ଗ୍ରାସି ପକେଇବେ । କୋଉ ଗୁଣିଆ କି ଓଝା କାମ ଦବନି । ଓଷଦ ପାତି ବି କଲେ ହବନି। ଶୁଖି ଶୁଖି କଣ୍ଟା କରି ପକେଇବେ , ମଣିଷକୁ। ଆଉ ମୋଡି କି ବେକ ଖାଇବେ ମାନେ ଖାଇବେ।

ମନେ ପଡିଗଲା ସେଇ କଥା। ବୋଉଲୋ' ବୋଉଲୋ' ହାଉଳି ଖାଇ ଦୌଡ଼ିଲା ସିଏ ପୂରା ଅରଣା ମହିଷି ଭଳିଆ । ଆଉ ପବନ ଘର ଧରୁ ନଥିଲା , ତଣ୍ଟି ପାଟି ଶୁଖି ଠକ ଠକ ବାଜୁଥିଲା, ମୁଣ୍ଡ କାମ କରୁନଥିଲା, ବାଟ ଘାଟ ଦିଶୁ ନଥିଲା।.....

******

ସାଇଁ ସାଇଁ କି ଦି ବେତ ମାଡ଼ରେ ହାଉଳି ଖାଇ ଉଠି ବସିଲା ସିଏ। ଧୂଆଁ ଜୋର ଧୂଆଁରେ ଆଖି ରୁନ୍ଧି ହେଇ ଯାଉଛି। ସବୁ ଜାଲୁ ଜାଲୁଆ ଦିଶୁଛି। ଗୋଟେ ଅନ୍ଧାରୁଆ ଜାଗାରେ କଳା ପୋଷାକ ପିନ୍ଧି ଲୋକଟା ବସିଛି ହାତରେ ପାଞ୍ଚଣ ଧରି। ସେଇଟା ହିଁ ପାହର ପକେଇଲା। କିଛି ସମୟ ପାଇଁ ଆଉ ବୁଝି ପାରିଲା ନାହିଁ ସିଏ। ଆରେ ହେ ମରିଗଲା କି , ଦଉଡୁ ଦଉଡୁ ହାର୍ଟ ଫେଲ ମାରିଗଲା କି ଆଉ?

ଏବେ ସିଧା ଯମ ପୂରରେ ଯମ ଦୂତ ଆଗରେ ବସିଛି। ତା ପାଇଁ କ'ଣ ହଜାରେ ବେତ ପାହାର ଦଣ୍ଡ ବିଧାନ ହେଇଛି କି?

ଶ ' ହାରାମି ଦାସ ତୋ ମା' ମରୁ , ତୋ ବଅଁଶ ବୁଡୁ, ତୋ ଡିହରେ ବିଲୁଆ ଡେଉଁ। କଉ ବେଳାରେ ଦେଲୁରେ ସେ କାର୍ଡ ଖଣ୍ଡକ ,

" ରୋମା , ଗରମ ମସଲା , ନାଇଟ୍ କୁଇନ୍ '' । କୁଆଡେ ମସାଜ କରିକି ମନ କିଣି ନେବ। ପୂରା ନୂଆ ଟେଷ୍ଟ , ଆଉ ତା' ପରେ ହିଁ ହିଁ । ସେ ରୋମା ତା' ରୁମ ଓପାଡି ଜୀବନ ନେଇଗଲା । ବିଚରା ଏଇନେ ଭୂତ ହେଇକି ଯମ ଦୁଆରେ।

ସାଇଁ ସାଇଁ କି ପୁଣି ଦି ପାହାର ବସିଲା , ସେ ବିକଳ ହେଇକି ବୋଉଲୋ ମରିଗଲି କହିପକେଇଲା। ଏତିକି ବେଳେ ଶୁଭିଲା ତା' ଉଗ୍ର ତାରା ସ୍ତ୍ରୀର ବିକଳ ଡାକ, " ହେ ବାବା ଥିର ଥିର ପାହାର ବସା , ବଡ଼ ବିକଳ ହଉଛନ୍ତି , କାଟୁଛି ଭାରି।"

ଆରେ ଏ ସ୍ତ୍ରୀଟା ବି ସାଥିରେ ମରିଗଲା ହେଁ? ଆଉ ଥରେ ଅନେଇଲା , ଏଥର ଧୂଆଁ କମି ଯାଇଥିଲା ଟିକେ ଫରଚା ଦିଶିଲା। ଏଇଟା ତ ତା' ଘର, ହଁ ହଁ ସତରେ ସେ ତା' ଘରେ ।ଦିଶୁଛି ତା' ସ୍ତ୍ରୀ ଆଉ ତା' ବୁଢ଼ୀ ବୋଉ। ବୋଉ ଖାଲି କାନ୍ଦୁଛି , ଗୁଣୁଗୁଣୁ ହେଇ ଜପ କରୁଛି। ତା' ହେଲେ ବଞ୍ଚିଛି ସିଏ ମରୁ ମରୁ ବଞ୍ଚି ଯାଇଛି ବୋଧେ ବୋଉର ପୂଜା ପାଠ କି ସ୍ତ୍ରୀର ଭାଗ୍ୟ ଜୋର ପାଇଁ।

ହେଲେ ବାଡ଼ଉଛି କିଏ ତାକୁ ଏମିତି ଗୋଗଛ ବାଡ଼ିଆ? ଭଲକି ଦେଖିଲା ବେଳକୁ ଗୋଟେ ଗୁଣିଆ ଡ଼କା ହେଇ ଆସି କରୁଛି କାରସାଦି।

ତାକୁ ଅନେଇବାର ଦେଖି ବୋଉ କୁଣ୍ଢେଇ " ଇଲୋ ମୋ ପୁଅ " କହି କାନ୍ଦି ପକେଇଲା। ଗୁଣିଆ ଟାକୁ ସ୍ତ୍ରୀ ତା'ର ଧୂନି ମହାରାଜାଙ୍କ ଜୟ କହି ଦଣ୍ଡବତ ହେଲା। ଟଙ୍କା ପଇସା ନେଇ ଗୁଣିଆ ଝଡା ଫୁଙ୍କା ଓଷଦ ଦେଇ ବିଦା ହେଲା।

****

ଅଫିସ ଗଲା ଦି’ଦିନ ପରେ। ଦେହ ଖରାପ ବୋଲି ଖବର ଦେଇଥିଲା। ହେଇଥିବ କିଛି ଅସୁବିଧା ଯାଇଥିଲା ଯେତେବେଳେ ସିଆଡେ ହିଁ ହିଁ। ଅଭିଯାନ ଅଭିଜ୍ଞତା ଶୁଣିବାକୁ ସବୁ ଅନେଇ ଥିଲେ ଆଉ କୁଲୁ କୁଲୁ ହେଉଥିଲେ। ମୁଁ ବି ହଲ୍ ଚଲ ଟିକେ ଟିକେ । କିନ୍ତୁ ସବୁବେଳେ ହିଁ ହିଁ ହଉଥିବା ଲୋକଟା ଆଜି ମୋତେ ଦେଖି ଟିକେ ଖିଜୁ ବୁଜୁ ହେଲା ଆଉ ସୁଟ୍ କି ପଶିଗଲା ନିଜ ଚଉକି ଭିତରକୁ। ମୁଣ୍ଡ ମାଡି ଘୋଷିଲା ବିଲ୍ ଭଉଚର୍ କାଗଜ ।କେଜାଣି କାହିଁକି ମୁହଁଟା ତା'ର ତେନ୍ତୁଳି ଖାଇଲା ଭଳିଆ ଦୁଶୁ ଥିଲା ବୁଝା ପଡୁ ନଥିଲା !!

ସୌମ୍ୟା


Rate this content
Log in