Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Acharya

Abstract

3  

Arabinda Acharya

Abstract

ତୁମେ

ତୁମେ

8 mins
7.1K


“ଆଲୋ ମା ! ‘ଅନୁ’ କୁଆଡେ ଗଲୁକି ? କେତେ ବେଳୁ ମୁଁ ତତେ ଖୋଜୁଚି | କଣ କରୁଚୁ ସେଠି ବସିକି ?”

ଅନୁରାଧା ପଛକୁ ବୁଲି ଅନଇଲା | ହାତରେ ଗୋଟେ ଲଫାପା ଧରି ମା ନିଶିପ୍ରଭା ତାରି ଆଡକୁ ଏକ ପ୍ରକାର ଧାଇଁ ଆସୁଥିଲେ | ଦୀର୍ଘ ନିଶ୍ଵାସ ନେଇ ଅନୁ କହିଲା “କଣ ହେଲା କି ମା ?”

“ଆଲୋ ! ଏଇଟା ଦେଖିଲୁ , କଣ ଲେଖା ଯାଇଛି |”

ଲଫାପାଟା ମାଙ୍କ ହାତରୁ ନେଲା ସିଏ | ଉପର ଠିକଣାରେ ପ୍ରେରକର କିଛି ଛାପ ନଥିଲା | ତେଣୁ କେଉଁଠାରୁ ଆସିଛି ଜଣା ଗଲାନି | କିନ୍ତୁ ଠିକଣା ଲେଖାଯାଇଥିବା ଅକ୍ଷର ଗୁଡାକ ଚିହ୍ନା ଚିହ୍ନା ଲାଗୁଥିଲା | ଲଫାପା ଖୋଲିବା ଡେରି ହେବା ଦେଖି ନିଶିପ୍ରଭା ପୁଣି ଥରେ ଅନୁକୁ କହିଲେ

“ଚାହିଁ ଚୁ କଣ ବା ! ଦେଖୁନୁ ଖୋଲିକି , କିଏ ଦେଇଛି ?”

“ଦେଖୁଛି ଦେଖୁଛି |” କହି ସନ୍ଦିଗ୍ଧ ହୋଇ ଅନୁ ଚିଠିଟା ଖୋଲିଲା |

ଭିତରୁ ଗୋଟେ ନୀଳ କାଗଜ ବାହାରି ଆସିଲା | ତାକୁ ଖୋଲିକି ତଳ ଆଡକୁ , ଯେଉଁଠି ‘ଇତି’’ ବୋଲି ଲେଖା ଯାଇଥାଏ ,ସେ ଆଡକୁ ଅନେଇଲା | ଆରେ ! ସେ ଜାଗାଟି ଶୁନ୍ୟ ଥିଲା | ପ୍ରଥମରୁ ପୁଣି ଚିଠିଟା ପଢିଲା,

ପ୍ରିୟ ଅନୁ ,

        ମୋର ଏ ଚିଠିଟି ପାଇ ଆଶ୍ଚର୍ଯ୍ୟ ହେବ ନିଶ୍ଚୟ | ତୁମେ ମୋତେ ଚିହ୍ନି ଥିବ କି ନାହିଁ , ମୁଁ କିନ୍ତୁ ତୁମକୁ ଖୁବ୍ ଭଲ ଭାବରେ ଚିହ୍ନିଚି | ଶୁଣିଲି ତୁମର ବିବାହ ଏଇ ଭିତରେ ଠିକ୍ ହେଇଗଲା | ଯା ହେଉ ଖୁବ୍ ଭଲ ହେଲା | କିନ୍ତୁ ଆଶ୍ଚର୍ଯ୍ୟ କଥା ତୁମେ ଏତେ ବଡ କଥା ମୋ ଠାରୁ ଲୁଚେଇ ରଖିଲ କିପରି ? ହେଉ ଭଗବାନ ତୁମର ମଙ୍ଗଳ କରନ୍ତୁ |ମୁଁ ଆଉ କିଛି ଚାହୁଁ ନି | ଇତି ବୋଲି କିଛି ଲେଖି ନାହିଁ | ତୁମେ ଜାଣି ପାରୁଥିବ | ରହିଲି | ଆଉ ସବୁ ସାକ୍ଷାତରେ |

                *                           *                   *

ଚିଠିଟା ପଢି ଅନୁକୁ ଯେତିକି କୌତୁହଳ ଆଗିଲା , ସେତିକି ଭୟ ମଧ୍ୟ ଲାଗିଲା | ମା ହାତକୁ ଚିଠିଟା ବଢେଇ ଦେଲା ସିଏ | ନିଶିପ୍ରଭା ଚିଠିଟିକୁ ଏକା ନିଶ୍ଵାସରେ ପଢି ଶେଷ କଲେ | ମୁହଁକୁ ଗମ୍ଭୀର କରି , ଅନୁକୁ ପଚାରିଲେ

“ କିଏ ଇଏ ?”

 ଅନୁ ଭାବନା ରାଜ୍ୟରେ ବୁଡି ରହିଥିଲା | ଚିଠି ଉପର ଅକ୍ଷରଟା ଚିହ୍ନା ଚିହ୍ନା ଲାଗୁଚି | ଭିତର ଅକ୍ଷର ଗୁଡାକ କିନ୍ତୁ ଚିହ୍ନି ହେଉନି | କାହାର ହେଇପାରେ ଏ ଅକ୍ଷର ଗୁଡାକ ?

   ଅନୁ କିଛି ନ କହିବା ଦେଖି , ନିଶିପ୍ରଭା ପୁଣି ପଚାରିଲେ ,

“କିଲୋ ! କିଏ ଇଏ କହୁନୁ ?”

“ରହମ ! କିଏ ଥଟ୍ଟା କରି ଏମିତି ଲେଖିଛି ବୋଧେ |”

       ହଠାତ ଚିଠିଟିର ପଛ ପଟ ଲେଉଟାଇ ଦେଲା ଅନୁ |  ଆରେ ଏପଟରେ ଏଗୁଡା କଣ ଲେଖା ଯାଇଛି , ବଡ ବଡ ଇଂରାଜୀରେ ...... ଲେଖା ଯାଇଛି  

   “ଏପ୍ରିଲ ଫୁଲ !”

ସତେ ତ , ଆଜି ଏପ୍ରିଲ ପହିଲା | କିଏ ଆଉ ଏମିତି ମଜା କରିପାରେ ? ପୋଷ୍ଟ ଅଫିସର ମୋହରକୁ ଅନାଇଲା | ଅସ୍ପଷ୍ଟ ମୋହରରୁ ଠିକ ସେ ଜଣା ଯାଉ ନାହି | ତଥାପି ପଢିବାକୁ ଚେଷ୍ଟା କଲା ଅନୁ | ତାର ଏପରି ଏପଟ ସେପଟ ଲେଉଟାଇ ଚିଠିଟିକୁ ଦେଖିବା ଭଙ୍ଗିରୁ , ବିରକ୍ତ ହେଇ ନିଶିପ୍ରଭା କହିଲେ ,

“କଣ ସେଇଟା ଇଂରାଜୀରେ ଲେଖା ଯାଇଛି ?”

ଅନୁ ଆଉ ହସ ସମ୍ଭାଳି ପାରିଲା ନାହି , କହିଲା “ଆଜି ଏପ୍ରିଲ ପହିଲା ନା ? କିଏ ଆମକୁ ବୋକା ବନେଇଛି |”

ନିଶିପ୍ରଭାଙ୍କ ଗମ୍ଭୀର ମୁହଁ ହଠାତ ସ୍ଵାଭାବିକ ପରିସ୍ଥିତିକୁ ଆସିଲା | ସେ ମଧ୍ୟ ଧୀରେ ଧୀରେ ହସି ଘରକୁ ଫେରି ଯାଉଥିଲେ | ଅନୁ ଏବେ ଏକୁଟିଆ ଚିଠିଟାକୁ ଧରି ବିଶ୍ଳେଷଣ କଲା | ତାର ଠିକ ମନେପଡିଲା , ଠିକଣାରେ ଥିବା ଅକ୍ଷର ନିଶ୍ଚୟ ଅନିରୁଦ୍ଧଙ୍କର | ଲେଖିବା ଭଙ୍ଗିକୁ ବହୁତ କଷ୍ଟ କରି ବଦଳାଇବାର ଚେଷ୍ଟା କରା ଯାଇଛି | କିନ୍ତୁ ତଥାପି ଇଂରାଜୀର ‘ଏ ‘ ଗୁଡାକର ଲେଖିବା ଢଙ୍ଗ ଠିକ ପୂର୍ବ ପରି ରହିଛି | କଥା ଆସି ବାହାଘର ପର୍ଯ୍ୟନ୍ତ ଗଲାଣି , କିନ୍ତୁ ଚିଡେଇବା ଢଙ୍ଗ ତାଙ୍କର ଠିକ ସେମିତି ଅଛି |

             ତାକୁ ଦିଶିଗଲା ଅନିରୁଦ୍ଧଙ୍କ ହସ ହସ ମୁହଁଟି , ଆଖି ସାମ୍ନାରେ | ମନେପଡିଗଲା ପୁରୁଣା କଥା ସବୁ ।

  *      *        *       *       *  

       ପ୍ରଥମ ଦେଖାରେ ସେ ଭଲ ପାଇ ବସିଥିଲା ଅନିରୁଦ୍ଧଙ୍କୁ | ବସରୁ ଓହ୍ଲଉ ଓହ୍ଲଉ ଅନିରୁଦ୍ଧ ତାକୁ କହିଥିଲେ ,

“କଣ ଦେଖା ହବ ତ ?” ସତେ ଯେମିତି ତୀରଟିଏ ତା ଦେହର କେଉଁ ନିଭୃତ କୋଣରେ କେଞ୍ଚି ହେଇଯାଇଥିଲା ସେ କଥା ଶୁଣି | ତା ପରେ ସେ ତରତର ହେଇ ମାମି ସହିତ କଲେଜକୁ ପଶିଯାଇଥିଲା | ସେଠୁ ପିଲାଙ୍କ ଭିଡ ଭିତରେ ମଧ୍ୟ ଅନିରୁଦ୍ଧଙ୍କୁ ଦେଖୁଥିଲା | ଅନିରୁଦ୍ଧ  ମଧ୍ୟ ତାକୁ ଚାହିଁ ରହୁଥିଲେ | ସେଦିନ ସେ କଲେଜ ଆଡମିସନ ସାରି , ଘରକୁ ଫେରି ପାରି ନଥିଲା | ତାର ପିଉଷାଙ୍କ ଘରେ ରହିଯାଇଥିଲା | ତେଣୁ ଫେରିବା ବେଳେ ଅନିରୁଦ୍ଧଙ୍କ ସହିତ ଆଉ ଦେଖା ହେଇ ପାରିନଥିଲା |  ଦୁଇ ଦିନ ପିଉଷାଙ୍କ ଘରେ ରହି ପୁଣି ଘରକୁ ଫେରିଥିଲା ଅନୁରାଧା | ଘରେ ପହଞ୍ଚି ଅପେକ୍ଷା କଲା କଲେଜକୁ ଯିବା ଦିନକୁ |

              ପ୍ରତୀକ୍ଷାର ପ୍ରତି ମୁହୂର୍ତ୍ତ କେତେ ଲମ୍ବା ସେ ବୁଝୁଥିଲା | ଶେଷରେ ପ୍ରତିକ୍ଷିତ ଦିନଟି ଆସି ପହଞ୍ଚି ଥିଲା | ସକାଳୁ ରେଡି ହେଇ ବସ ଷ୍ଟପରେ ଅପେକ୍ଷା କରିଥିଲା ସେ | ଏମିତି ଆଗରୁ ସେ କେତେ ଥର ଅପେକ୍ଷା କରିଛି , କିନ୍ତୁ ଆଜିର ଅପେକ୍ଷା ତାକୁ ଅଲଗା ଲାଗୁଥିଲା | ନୂଆ ନୂଆ ଅନୁଭୂତ ହେଉଥିଲା |

               ବସ ଆସିଲା | ତରତର ହେଇ ଚଢିଗଲା ସିଏ |  ଭିତରେ ଅବଶ୍ୟ ସିଟଟିଏ ମିଳିଗଲା ତାକୁ |  ଗାଁ ଠାରୁ କଲେଜକୁ ଯିବାକୁ ଯେତିକି ସମୟ ବସରେ ବସିଲା, ତାକୁ ବହୁତ ଲମ୍ବା ଜଣାଗଲା | ଅବଶ୍ୟ ଅନେକ ବସ ତାଙ୍କ ଗାଁ ଠାରୁ ସବୁବେଳେ ଚାଲୁଥାଏ | କାରଣ ତାଙ୍କ ଗାଁ ଟା ମେନ ରୋଡ କଡରେ | ବୋଧ ହୁଏ ଅନିରୁଦ୍ଧ ଅନ୍ୟ କେଉଁ ବସରେ କିମ୍ବା ଅନ୍ୟ କେଉଁ ଗାଡିରେ କଲେଜ ଯାଇଥିବେ | ତାଙ୍କୁ ସେ ଦେଖି ପାରୁ ନଥିଲା ଏଇ ବସରେ | ବସ କଲେଜ ପାଖରେ ପହଞ୍ଚିଲା | ଅନ୍ୟ ନୂଆ ନୂଆ ସାଙ୍ଗ ମାନଙ୍କ ସହ ସେ ଚାଲିଲା କଲେଜ ଅଫିସ ଆଡେ | ସେଠି ଅନିରୁଦ୍ଧ ମଧ୍ୟ ଠିଆ ହେଇଥିଲେ ତାଙ୍କ ସାଙ୍ଗ ମାନଙ୍କ ଗହଣରେ | ସେ ତାଙ୍କୁ ଦେଖି କଣ କହିବ ବୋଲି ଭାବୁଥିଲା | କିନ୍ତୁ କିଛି କହିପାରିଲା ନାହି | ଅନିରୁଦ୍ଧ ତାକୁ ଦେଖି ହସିଥିଲେ | ସେ ମଧ୍ୟ ତାର ପ୍ରତ୍ୟୁତ୍ତର ହସରେ ଜଣେଇଥିଲା ମୁଣ୍ଡ ପୋତି |

       ତା ପରଠାରୁ ପ୍ରାୟ ପ୍ରତିଦିନ ଦେଖା ହୁଏ ତାର ଅନିରୁଦ୍ଧଙ୍କ ସହିତ, କିନ୍ତୁ କିଛି କଥା ବାର୍ତ୍ତା ହେଇ ପାରନ୍ତିନି କେହି କାହା ସହିତ | କେବଳ ହସରେ ହିଁ କଥା ଅଟକି ରାହିଯାଏ।

    ଆଉ ଦିନେ | ସେଦିନ ଥାଏ ଅଗଷ୍ଟ ମାସର ୧୪ ତାରିଖ | ଲାଇବ୍ରେରୀକୁ ଯାଇଥାଏ ଅନୁ | ଦେଖିଲା ଅନିରୁଦ୍ଧ ମଧ୍ୟ ଲାଇବ୍ରେରୀରେ କୌଣସି ବହି ଖୋଜୁଛନ୍ତି , କାଟାଲୋଗ ଟାକୁ ଧରି ଖେଳାଇ ଚାଲିଛନ୍ତି | ସେ ମଧ୍ୟ ତାକୁ ଦେଖିପକାଇଲେ |

ହଠାତ ତା ପାଖକୁ ଚାଲିଆସି କହିଲେ , “ କଉ ବହି ପଢିବେ ?”

ଅନୁରାଧା ହଠାତ ଏପରି ଆଶା କରିନଥିଲା | ଚାରିଆଡକୁ ଦେଖିଲା , ତାର ସାଙ୍ଗମାନେ ତା’ ରି ଆଡକୁ ଚାହିଁ ଛନ୍ତି | ତେଣୁ ସେ ହଡବଡେଇ ଗଲା | ତା’ ପାଟିରୁ ବାହାରି ପଡିଲା

“ମୁଁ ନିଜେ ଖୋଜି ପାରିବି | ଆପଣ ବ୍ୟସ୍ତ ହୁଅନ୍ତୁ ନି | “

“ତଥାପି , କୁହନ୍ତୁ | ଦେଖିବା ଆପଣଙ୍କ ପସନ୍ଦ କଣ ?”

ଅନୁରାଧା ଭାବିଥିଲା କଥା ଏଇଠି ସରିଯିବ ବୋଲି , କିନ୍ତୁ ଅନିରୁଦ୍ଧଙ୍କ ପ୍ରଶ୍ନରେ ସେ ଅଶ୍ଵସ୍ତି ବୋଧ କଲା | ହଠାତ ସମସ୍ତଙ୍କ ସାମ୍ନାରେ ଏହିପରି କଥା ବାର୍ତ୍ତା କରିବାକୁ ଠିକ ମନେ କଲା ନାହି | ତେଣୁ ବାଧ୍ୟ ହେଇ କିଛି ନ କହି ଲେଡିଜ ସେକ୍ସନ ଭିତରକୁ ଚାଲିଗଲା |ଅନିରୁଦ୍ଧ ସେଠି ଠିଆ ହେଇ ଡାକୁଥିଲେ ତାକୁ | କିନ୍ତୁ ସେ କିଛି ଶୁଣୁ ନଥିଲା | ସେଦିନ ଆଉ ଦେଖି ନି ଅନିରୁଦ୍ଧଙ୍କୁ |

                  ପରଦିନ ଅଗଷ୍ଟ ୧୫ |  ଧୂମ ଧାମରେ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥାଏ | ମାମି ସହ ଅନୁରାଧା ଯାଇଥାଏ ପ୍ୟାରେଡ ଦେଖି |  ପ୍ୟାରେଡ ପଡିଆ ପାଖରେ ବେସ ଭିଡ | ହଠାତ ଅନିରୁଦ୍ଧଙ୍କୁ ସେ ଦେଖିଲା | ଡ୍ରେସ ପିନ୍ଧି ରେଡି ହେଉଥାନ୍ତି ସେ |  ବୋଧହୁଏ ପ୍ୟାରେଡରେ ଭାଗନେଉଥାନ୍ତି | କିନ୍ତୁ ଏକଣ ! ତାକୁ ଦେଖି ମଧ୍ୟ ସେ ମୁହଁ ବୁଲାଇ ଚାଲିଗଲେ | ସବୁଦିନ ପରି କାହିଁ ହସି ଦେଲେନି ତ !

             ଅନୁରାଧାର ଏପରି ସନ୍ଦିଗ୍ଧ ଦୃଷ୍ଟିକୁ ଦେଖି ମାମି ପଚାରିଲା ,

“କଣ ହେଲା ଅନୁ ? କିଛି ଅସୁବିଧା ହେଇଛି କି ? ଆଜି କଣ ମୁଡ ଅଫ |”

“ଉଁ !........ ନାଁ ......କିଛି ନୁହଁ |”

“ କଣ ବାବୁ ଆଜି ରାଗିଛନ୍ତି ?”

ଅନୁରାଧା ଆଉ ସମ୍ଭାଳି ପାରିଲାନି | ସବୁ କଥା କହିଲା| କାଲି କେମିତି ଲାଇବ୍ରେରୀରେ ଅନିରୁଦ୍ଧ ତାକୁ ପଚାରିଥିଲେ ,, ଇତ୍ୟାଦି | ସବୁ ଶୁଣି ମାମି କହିଲା

“ଓହୋ ! ଏଇ କଥା ? ରହ ମୁଁ ବୁଝୁଛି | “

“ ନାଁ , ନାଁ   ତୁ କିଛି କହନା |”

ଅନୁରାଧାର ମନା କରିବା ସତ୍ଵେ ମାମି  ଆଗକୁ ଯାଇ ସେଠି ପହଞ୍ଚି ଗଲା , ଯେଉଁଠି ଅନିରୁଦ୍ଧ ବସି ତାଙ୍କର ଗୋଡରେ ପିଟି ସୁଜରେ ଲେସ ବାନ୍ଧୁଥିଲେ | ମାମି ପହଞ୍ଚିବା ଦେଖି ସେ କିଛି ନ କହି ଉଠୁଥିଲେ | ମାମି ପଚାରିଦେଲା

“କଣ , ଆଜି ଭଲ ପ୍ରିପାରେସନ ହେଇଛି ତ ?”

ମାମି ଆଡକୁ ଚାହିଁଲେ କିଛି ସମୟ ଅନିରୁଦ୍ଧ, ତା’ ପରେ ମାମିର ପଛ ପଟେ ଛିଡା ହେଇଥିବା ଅନୁକୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ଦୃଷ୍ଟି ଫେରାଇ ନେଉ ନେଉ କହିଲେ ,

“ଆମ କାମରେ ଆମେ ପୁରା ପରଫେକ୍ଟ | ଆମକୁ ଆଉ କେହି ଶିଖାଇବାକୁ ପଡିବ ନାହିଁ|” ଅନୁ କେବଳ ତଳକୁ ମୁହଁ ପୋତି ଶୁଣୁଥିଲା ତାଙ୍କ କଥାକୁ |

        କଥାକୁ ସଂକ୍ଷିପ୍ତ କରି ଅନିରୁଦ୍ଧ ଚାଲିଯାଉଥିଲେ ଅନୁର ପାଖ ଦେଇ | ଅନୁ ଆଉ ସମ୍ଭାଳି ପାରିଲାନି | ସିଧା ସାମ୍ନାରେ ଠିଆ ହେଇ ଧରିପକାଇଲା ଅନିରୁଦ୍ଧଙ୍କ ହାତକୁ |  ଆଉ କାନ୍ଦ କାନ୍ଦ ହେଇ କହିଲା ,

“ପ୍ଳିଜ ! ମୋର ଭୁଲ ହେଇଯାଇଛି | ଏତେ ଟିକେ କଥା ପାଇଁ କଣ ଏତେ ରାଗନ୍ତି ? କାଲି ସମସ୍ତେ ସେଠି ଥିଲେ, ଯଦି ମୁଁ କଥା ବାର୍ତ୍ତା ହେଇଥାନ୍ତି , କଣ ଭବିଥାନ୍ତେ ସେମାନେ , ଆଉ ......”

       କଥାର ଖିଅ ନ ସରୁଣୁ ଅନିରୁଦ୍ଧ ଅନୁର ହାତ ଧରି ପକାଇଲେ | ଆଉ କହିଲେ ,

“ହଉ ହେଲା |”

“ନାଇଁ , ଆପଣ କ୍ଷମା କରିଦେଲେ ତ ?” ଅନୁ କାନ୍ଦ କାନ୍ଦ ହେଇ ତଥାପି ତାଙ୍କ ହାତ ଧରିଥିଲା |

“ଓହୋ ! ହେଲା ପରା କହିଲି ............ ଛାଡ , ସିଆଡେ ପ୍ୟାରେଡରେ ଡେରି ହେଇଯିବ |” ହାତକୁ ଛଡାଇ ଏକମୁହାଁ ହେଇ ଚାଲି ଯାଉଥିଲେ ଅନିରୁଦ୍ଧ | ଅନୁ କାନ୍ଦି ପକାଇଲା | କିନ୍ତୁ , କିଛିବାଟ ଯାଇ ଅନିରୁଦ୍ଧ ପୁଣି ଫେରିଆସି ଅନୁର କାନ ପାଖରେ କହିଲେ ,

“ତୁମକୁ , କ୍ଷମା କରିଦେଲି |”

ଆଉ ତା ପରେ ତରତର ହେଇ ପଛକୁ ଚାହୁଁ ଚାହୁଁ , ହସି ହସି ପଡିଆ ଭିତରକୁ ଚାଲି ଯାଇଥିଲେ | ଅନୁରାଧା କାନ୍ଦୁ କାନ୍ଦୁ ହସି ପକାଇ ଥିଲା | ମାମି ପଛରେ ଠିଆ ହେଇ ସବୁ ଦେଖୁଥିଲା , କହିଲା

“ ବାଃ ରେ ! ଆମର ଆଉ କିଛି ଆବଶ୍ୟକ ନାହିଁ |”

ଅନୁରାଧା ବୁଲିପଡି ହସୁ ହସୁ ମାମିକୁ ଖୁସିରେ ବାଡେଇଲା | ସେଦିନ ପ୍ୟାରେଡ ମଧ୍ୟ ଦୁହେଁ ପୁରା ଉପଭୋଗ କଲେ | ଅଗଷ୍ଟ ୧୫ ଦିନଟି ଅନୁର ସବୁଦିନ ମନେ ରହିଗଲା | ସେଦିନ ସେ ‘ଆପଣ”ରୁ “ତୁମେ” କୁ ଚାଲି ଆସିଥିଲା |

         ସେଦିନ ଠାରୁ ପ୍ରତିଦିନ ରୁଟିନ ପରି ଦୁହିଁଙ୍କର ଦେଖା ହୁଏ | କଥା ବାର୍ତ୍ତା ହୁଅନ୍ତି | ଦୁହେଁ ଦୁହିଁଙ୍କୁ ନିବିଡ ଭାବରେ ଭଲପାଇ ବସି ଥିଲେ | ଏ ଭିତରେ ଯେ ବର୍ଷଟିଏ ଚାଲିଯାଇଛି ତାର ଠିକଣା ବୋଧ ହୁଏ ନଥିଲା ସେମାନଙ୍କୁ | ପ୍ରତି ଏକସ୍କରଶନ , ଷ୍ଟଡି ଟୁର ଆଦିରେ ସାଥୀ ହୋଇ ଯାନ୍ତି | ପରୀକ୍ଷା ବେଳକୁ ସବୁଦିନ ପ୍ରତ୍ୟେକ ସିଟିଙ୍ଗ ସାରିଲେ ଦୁହେଁ ନିଜ ନିଜର ପେପର ଉପରେ ଆଲୋଚନା କରନ୍ତି | ଏମିତି ଏମିତି ପରୀକ୍ଷା ପରେ ପରୀକ୍ଷା ହୋଇ ଚାଲିଲା | ଅନିରୁଦ୍ଧ ଖୁବ ଭଲ ନମ୍ବର ରଖି ପାସ କଲେ | ଅନୁ ମଧ୍ୟ କିଛି କମ ଭଲ କରିନଥିଲା |

         କିନ୍ତୁ ଅନୁରାଧାକୁ ସେ ଦିନଟି ଖୁବ ଦୁଃଖ ଲାଗିଥିଲା , ଯେଉଁ ଦିନ ଅନିରୁଦ୍ଧଙ୍କର ଗୋଟେ ସର୍ଭିସ ପାଇଁ କଲ ଲେଟର ଆସି ଯାଇଥିଲା | ଆଉ ସେଇଟାକୁ ସେ ତାକୁ ଦେଖାଇ ଥିଲେ | ଅନୁରାଧା ତା’ର ମୁଣ୍ଡକୁ ଅନିରୁଦ୍ଧଙ୍କ ଛାତିରେ ଗୁଞ୍ଜି କାନ୍ଦିଥିଲା , ଆଉ କାନ୍ଦୁ କାନ୍ଦୁ କହୁଥିଲା -

“କେବେ ଯାଉଛ ?”

“ ଏଇ ଦୁଇଦିନ ଭିତରେ |”

“ଗଲେ ଚିଠି ଖଣ୍ଡେ ଖଣ୍ଡେ ଦେଉଥିବ |”

“କାହିଁକି ? ମୁଁ କଣ ତୁମକୁ ଦେଖା କରିବାକୁ ଆସିପାରିବି ନାହିଁ ?”

କୋହ ସମ୍ଭାଳି ପାରିଲାନି ଅନୁରାଧା | ଆଖିରୁ ଅମାନିଆଁ ହୋଇ ଲୁହ ଗୁଡାକ ବହିଯାଉଥିଲେ | ଅନିରୁଦ୍ଧ ତା’ ମୁଣ୍ଡକୁ ଆଉଁସି ଦେଉଁ ଦେଉଁ ବୁଝାଉ ଥିଲେ –

“ଛି ! ଏମିତି କାନ୍ଦିଲେ ହେବ ? ମୁଁ କଣ ତୁମକୁ ସବୁଦିନ ପାଇଁ ଛାଡିକି ଯାଉଛି ନାଁ କଣ?”

“ମୋତେ କେତେ ଖରାପ ଲାଗିବ , ଜାଣିଛ ?”

“ହୁଁ ! ଜାଣିଛି | ମୋତେ ଯେତିକି ଲାଗିବ ସେତିକି |”     


Rate this content
Log in

Similar oriya story from Abstract