Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kara Bijay

Romance Tragedy Inspirational

1.4  

Kara Bijay

Romance Tragedy Inspirational

ଛଦ୍ମବେଶ

ଛଦ୍ମବେଶ

10 mins
7.6K


                        ଛଦ୍ମବେଶ
                                 କେ.ବିଜୟ 
 

ସେହି ଲୋକଟିକୁ ମୁଁ ପ୍ରାୟ ପରିବା ବଜାରରେ  ପ୍ରତିଦିନ ଦେଖେ । ବେଳେବେଳେ ଆତ୍ମସଂଳାପ କରୁଥାଏ । ମନକୁ ମନ ହସୁଥାଏ । ବାହାରକୁ ହସିବାପରି ନ'ଲାଗିଲେ ମଧ୍ୟ ତା' ମୁଖମଣ୍ଡଳର ପ୍ରସନ୍ନତା ହିଁ ତା' ଅନ୍ତରର ଉଲ୍ଲସିତ ଭାବକୁ ବିଜ୍ଞାପିତ କରୁଥାଏ । ଏକ ସଂତୃପ୍ତି ଭରା ବିଜ୍ଞପ୍ତି ତା' ମୁଖମଣ୍ଡଳକୁ ଆଲୋକିତ କରି ରଖିଥାଏ ।

 
"ଲୋକେ ତାକୁ ପାଗଳ ବାବା କହନ୍ତି ।" ମୁଁ ପରିବା ବ୍ୟାଗ୍ ଧରି ଠିଆ ହୋଇ ଅପଲକ ଦୃଷ୍ଟିରେ ତାକୁ ଚାହିଁଥିବା ଦେଖି ପରିବା ଦୋକାନୀ ମୋତେ କହିଲା । ତା'ର ବାହ୍ୟଟା ଯାହା ଯେକୌଣସି ଲୋକ ତାକୁ ପାଗଳ କହିବା ସ୍ୱାଭାବିକ୍ । ବର୍ଦ୍ଧିତ ନିଶ ଦାଢୀ , ଅବିନ୍ୟସ୍ତ କେଶ , ନିଃଷ୍ପ୍ରଭ ଦୁଇଟି ଆଖି ଆଉ ତା'ର ଆତ୍ମସଂଳାପ ହେଉ କିମ୍ବା ପ୍ରଳାପ ହେଉ ଏସବୁ ଦେଖିଲେ ପ୍ରତ୍ୟେକଙ୍କ ମନରେ ସେ ଜଣେ ପାଗଳ ବୋଲି ହିଁ ସ୍ଵତଃ ଧାରଣା ଜନ୍ମିବ ।
 
ମୁଁ ଏହି କିଛିଦିନ ହେଲା ଏ ସହରକୁ ଟ୍ରାନ୍ସଫର୍ ହୋଇ ଆସିଛି । ମୋ ଘରପାଖ ବଜାର ହୋଇଥିବାରୁ ମୁଁ ଏଠାରୁ ନିୟମିତ ପରିବା ନିଏ । ପରିବା କିଣିବା ସମୟରେ ସେହି ଲୋକଟିକୁ ପ୍ରାୟ ଲକ୍ଷ୍ୟ କରେ ସେ କେମିତି ଏକ ଭିନ୍ନ ଦୃଷ୍ଟିରେ ମୋତେ ଚାହିଁ ରହି ଓଠରେ ତୀର୍ଯ୍ୟକ୍ ହସଟିଏ ଫୁଟାଇ ପ୍ରତ୍ୟୁତ୍ତର ଆଶାରେ ମୋ ମୁଁହକୁ ଚାହିଁରହେ । 
 
ମୁଁ କିନ୍ତୁ ପ୍ରତ୍ୟୁତ୍ତର ଦେବା ପରିବର୍ତ୍ତେ ମୁହଁ ଘୁରାଇ ନିଏ । ତଥାପି ସେହି ଲୋକଟି ପ୍ରତି କାହିଁକି କେଜାଣି ଏକ ଅହେତୁକ ଆକର୍ଷଣ ଜାଗିଉଠେ ।
 
ତା ସଂପର୍କରେ ଜାଣିବା ପାଇଁ ମୁଁ କ୍ରମଶଃ ଉତ୍କଣ୍ଠିତ ହୋଇଉଠିଥିଲି । 
 
ମୁଁ ସେହି ପରିବା ଦୋକାନୀକୁ ପ୍ରଶ୍ନ କଲି , " ଆଚ୍ଛା କହିଲ ସେ କଣ ପୂର୍ବରୁ ଏମିତି  ପାଗଳ ଥିଲା ?"
 
ମୋ କଣ୍ଠ ସ୍ଵରରେ ଏକ ଅହେତୁକ ଉତ୍କଣ୍ଠା ଭାବ ସ୍ପଷ୍ଟ ବାରି ହେଉଥିଲା । 
 
"ନାଃ, ସେ ପୂର୍ବରୁ ଠିକ୍ ଥିଲା , ମୋ ନିକଟରୁ ନିୟମିତ ପରିବା ନେଉଥିଲା । ଲୋକଟା ବୋଧେ ଅଧ୍ୟାପକ ଥିଲା । ତା'ର ଛୁଆପିଲା ବି ଅଛନ୍ତି । ଲୋକଟି ନିହାତି ଭଦ୍ର । ଏଇ କେତେବର୍ଷ ହେଲା ଏମିତି ପାଗଳଙ୍କ ପରି ବେଶଭୂଷା ହୋଇ ଦାଢୀନିଶ ବଢ଼ାଇ ବୁଲୁଛି । କିନ୍ତୁ କାହାର କିଛି କ୍ଷତି କରେନି । କେହି ଚିହ୍ନା ଲୋକ ହାବୁଡ଼େ ପଡ଼ିଲେ ତା'ଠାରୁ ଟଙ୍କେ ଦୁଇଟଙ୍କା ମାଗିନେଇ ଚଳେଇ ନିଏ । ବେଳେବେଳେ କଞ୍ଚା ଗାଜର ଟମାଟ ବି ଖାଇନିଏ । ତା' ସଙ୍ଗେ କଥାହେଲେ ଆପଣ ମୋଟେ ପାଗଳ ବୋଲି ବାରିପାରିବେ ନାହିଁ । ନିହାତି ମାର୍ଜ୍ଜିତ ଭଦ୍ରତା ପୂର୍ଣ୍ଣ ବ୍ୟବହାର । " 
 
"ହୁଁ !" 
 
ମୁଁ ପରିବା କିଣି ଫେରି ଆସୁ ଆସୁ ପୁଣିଥରେ ସେହି ପାଗଳ ଉପରେ  ଦୃଷ୍ଟି ବୁଲାଇ ଆଣିଲି । ସେ ମୋତେ ହିଁ ଲକ୍ଷ୍ୟ କରୁଥିଲା । ମୁଁ ତାକୁ ଚାହିଁବା ଦେଖି ତା'ର ମଳିନ ଦାନ୍ତ ଉକୁଟାଇ ହସିଲା । ମୋର କାହିଁକି ଯେ ମନେହେଲା ଲୋକଟା ମୋର ପୂର୍ବ ପରିଚିତ କେହି । ତା'ର ସେହି ହସିବା ଭଙ୍ଗୀଟା ଯେପରି ମୋର ଅତି ଅନ୍ତରଙ୍ଗ । ନିଜକୁ ନିଜେ ପ୍ରଶ୍ନକଲି, "ତେବେ, ଏହି ପାଗଳ ମୋର ପୂର୍ବ ପରିଚିତ କେହି ?"
 
ମୁଁ ତାକୁ ଚିହ୍ନବାପାଇଁ ଚେଷ୍ଟା କଲି । ମୋ ବିସ୍ମୃତି ଭିତରେ ଏଣେତେଣେ ପଡି ରହିଥିବା ଅତୀତର ପରିଚିତ ମୁହଁଗୁଡିକୁ ସାଉଁଟି ଆଣି, ତହିଁରୁ ଏହି ପରିଚିତ ମନେ ହେଉଥିବା ଅପରିଚିତ ମୁହଁଟିକୁ ବାରିବା ପାଇଁ ଚେଷ୍ଟା କଲି । କିନ୍ତୁ  କିଛି ମନେପଡିଲା ନାହିଁ । ବୋଧହୁଏ ବହୁଦିନର ବ୍ୟବଧାନ ହେତୁ ମୋ ସ୍ମୃତିରୁ ଅନେକ ଗୁଡିଏ ଘଟଣା ବିସ୍ତୃତ ହୋଇଯାଇଥିଲା । ତା'ର ସେହି ଅର୍ଦ୍ଧପକ୍ଵ ଦାଢୀ ନିଶ ଆଢ଼ୁଆଳରେ ନିଃଷ୍ପ୍ରଭ ଦୀପ୍ତିହୀନ ମୁଁହଟାକୁ ଯେତେ ଚେଷ୍ଟା କଲେ ବି ଚିହ୍ନି ପାରିଲି ନାହିଁ । 
"ଧେତ୍ ।" ଅନାବଶ୍ୟକ ! ଅଯଥା ଆଗ୍ରହ ।
 
ଦୀର୍ଘ କୋଡ଼ିଏ ବର୍ଷ ପୂର୍ବରୁ ବ୍ରହ୍ମପୁର ଛାଡିଥିଲି । ସେ ସମୟରେ ହୁଏତ ଲୋକଟିକୁ କେଉଁଠି ଦେଖିଥିବି । ମନେ ରଖିବା ଭଳି ଘନିଷ୍ଠତା ହୁଏତ ନଥିଲା । ମନେପଡିବ କାହିଁକିଯେ ?
 
ଆଉ ତା' କଥାକୁ ନେଇ ଏତେଟା  ମୁଣ୍ଡ ଖେଳେଇ ଫାଇଦା କଣ ? ଅଯଥାରେ ମସ୍ତିଷ୍କ ଭାରାକ୍ରାନ୍ତ କରି ବି ଲାଭନାହିଁ ।
 
ତା' ମୁହଁରେ କିନ୍ତୁ ହସଟି ଲାଖି ରହିଥିଲା । ସେମିତି ହସୁ ହସୁ ମୋ ଆଡକୁ ମାଡ଼ି ଆସିଲା । ମୁଁ ତର୍ ତର୍ ହୋଇ ସେଠାରୁ ଖସିଯିବା ପାଇଁ ଉଦ୍ୟତ ହେଲି । କିନ୍ତୁ ସେ ଏକ ରକମ୍ କୁଦି ଆସି ମୋ ସମୁଖରେ ଛିଡା ହେଇଯାଇ ହଠାତ୍ ପାଟିକରି ଉଠିଲା , "ଆରେ ପରିଚ୍ଛା ! ତୁ ? " 
 
ତା'ର ସେହି କଣ୍ଠ ସ୍ୱର ଶୁଣି ମୋ ଚେତନାରେ ସ୍ମୃତିଟିଏ ତଡିତ୍ ପରି ସଞ୍ଚରିଗଲା । ମୁଁ ତା' ମୁହଁଟିକୁ ତନ୍ନ ତନ୍ନ କରି ପରୀକ୍ଷା କରିନେଲି । ଆରେ ଏତ ସେହି ସୁବ୍ରତ ! ଜିନିଅସ୍ ସୁବ୍ରତ ମହାପାତ୍ର ! ମୋର ଆଶ୍ଚର୍ଯ୍ୟର ସୀମା ରହିଲାନି । 
 
ପାଠପଢା ସମୟରେ ତା'ଭଳି ମେଧାବୀ , ତୀକ୍ଷଣ ବୁଦ୍ଧି ସମ୍ପୂର୍ଣ୍ଣ ପିଲା ଖୁବ୍ କ୍ୱଚିତ୍ ଥିଲେ । ଖୁବ୍ ଖାମଖିଆଲି । ଅତି ବେଶୀ ଗପେ । ଉଚ୍ଚାଭିଳାଷୀ ବି ଥିଲା । ଆଇ.ଏ.ଏସ୍ ତା'ର ଲକ୍ଷ୍ୟ ଥିଲା । 
 
ଆମ ଦିହିଁଙ୍କ ମଧ୍ୟରେ ଘନିଷ୍ଠତା ଥିଲା । ଶ୍ରେଣୀରେ ମୁଁ ହିଁ ତା'ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲି, ପ୍ରତ୍ୟେକ କ୍ଷେତ୍ରରେ । କିନ୍ତୁ ଦିହିଁକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିଲେବି ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ନଥିଲା । 
 
କିନ୍ତୁ ଶୁଭ୍ରାକୁ ନେଇ ଆମ ଦିହିଁକ ମଧ୍ୟରେ ଏକ ତୀବ୍ର ପ୍ରତିଦ୍ୱନ୍ଦିତା ସୃଷ୍ଟି ହେଇଯାଇଥିଲା । 
 
ଶୁଭ୍ରା ଆମ ସହପାଠିନୀ ଥିଲା । ତା'ସଙ୍ଗେ ମୋର ଘନିଷ୍ଠତା ଥିଲା । ତା'ପ୍ରତି ଏକ ନିବିଡ ଭଲପାଇବାର ଭାବ ମୋ ଅନ୍ତରରରେ ପ୍ରଚ୍ଛନ୍ନ ଭାବରେ  ରହିଥିଲା , ଯଦିଓ ମୁଁ ଜାଣି ପାରିଥିଲି ସେ ବି ମୋତେ ଭଲପାଏ , କିନ୍ତୁ ମୁ କେବେ ମୋ ଅନ୍ତରର ଭାବକୁ ପ୍ରକାଶ କରିପାରି ନଥିଲି । ମୁଁ କୌଣସି ଝିଅଙ୍କ ସଙ୍ଗେ ସହଜ ହୋଇପାରୁ ନଥିଲି , ଏହାହିଁ ମୋ ଚରିତ୍ରର ମୁଖ୍ୟ ଦୁର୍ବଳତା ଥିଲା । ମୋର ଏହି ଭଲପାଇବାକୁ କେବଳ ଅନ୍ତର ମଧ୍ୟରେ ହିଁ ସୀମିତ ରଖିଥିଲି । ସୁବ୍ରତ କୁ ଏକଥା ଅଞ୍ୟାତ ନଥିଲା । 
 
ହଠାତ୍ ଦିନେ ମୋତେ ଚକିତ କରି ସୁବ୍ରତ କହିଲା , "ଆରେ ପରିଚ୍ଛା ! ତୁ ଶୁଭ୍ରାକୁ ଭଲପାଉ ଏହା ମୁଁ ବେଶ୍ ଜାଣେ । କିନ୍ତୁ ମୋର କାହିଁକି ଯେ ହଠାତ୍ ମନେହେଲା ଶୁଭ୍ରାକୁ ହାସଲ୍ ନକଲେ ମୋ ଜୀବନ ବ୍ୟର୍ଥ ହେଇଯିବ । ଆଉ ତୁ ଯାହା ମନେକଲେ ବି ମୁଁ ଶୁଭ୍ରାକୁ ଯେମିତି ହେଲେ ହାସଲ୍ କରିବି । ସୁବ୍ରତର କଣ୍ଠରେ ଦୃଢତାର ଈସ୍ତାହାର । ତା'ର ଏଭଳି ଦୃଢ ସଙ୍କଳ୍ପ ଦେଖି ମୁଁ ସ୍ଥାଣୁ ଓ ସ୍ତବ୍ଧ ହେଇଯାଇଥିଲି । ମୁଁ ଏକ ନିର୍ବାକ୍ ନିଃସହାୟ ଦୃଷ୍ଟିରେ ତାକୁ କେବଳ ଚାହିଁ ରହିଥିଲି । ମୁଁ ବେଶ୍ ଜାଣିଥିଲି ସେ ଯାହା କହେ ତାହା କରି ଦେଖାଏ । ଏହାହିଁ ତା' ଚରିତ୍ରର ବିଶେଷତ୍ୱ ।
 
ସୁବ୍ରତ ସ୍ୱରରେ ପ୍ରତିଦ୍ୱନ୍ଦିତାର ଆହ୍ୱାନ । ମୁଁ ଭିତରେ ଭିତରେ ତା' ଆହ୍ୱାନକୁ ଗ୍ରହଣ କରି ନେଇଥିଲି । କିନ୍ତୁ ବାହ୍ୟକୁ ପ୍ରକାଶ କରିନଥିଲି । ଯେହେତୁ ତା' ଭଳି ମୋର ଦୃଢ ଆତ୍ମପ୍ରତ୍ୟୟ ମୋର ନଥିଲା । ଶେଷରେ ଯାହା ହେବାକଥା ତାହାହିଁ ହେଲା । ମୁଁ ହାରିଗଲି । କିନ୍ତୁ ହାରିଯିବାର ଗ୍ଳାନିରେ ଭାଙ୍ଗି ପଡିନଥିଲି । ତାହାହିଁ ମୋର ନିୟତି ଭାବି ମୋ ପରାଜୟକୁ ଗ୍ରହଣ କରି ନେଇଥିଲି ।
 
ସୁବ୍ରତ ଓ ମୁଁ ଏକାସଙ୍ଗେ ଅଧ୍ୟାପନା ଆରମ୍ଭ କରିଥିଲୁ । ମୋର ଗଙ୍ଗାଧର ମେହେର କଲେଜରେ ପୋଷ୍ଟିଙ୍ଗ ହେଇଥିଲା, ଆଉ ସୁବ୍ରତ ବ୍ରହ୍ମପୁରରେ ପାଇଥିଲା । ଶୁଣିବାକୁ ପାଇଥିଲି ସେ ଶୁଭ୍ରାକୁ ବିବାହ କରି ସୁଖର ନୀଡଟିଏ ରଚନା କରିଥିଲା । ମୁଁ ଧିରେ ଧିରେ ଶୁଭ୍ରାକୁ ନିଜ ସ୍ମୃତିରୁ ବାହାର କରି ବିସ୍ମୃତିର ଅଳିଆ ଗଦା ଭିତରେ ନିକ୍ଷେପ କରି ଦେଇଥିଲି ।
 
ଆଜି ଏତେ ବର୍ଷ ପରେ ହଠାତ୍ ସୁବ୍ରତକୁ ଏପରି ଦୟନୀୟ ପରିସ୍ଥିତିରେ ଦେଖିବାକୁ ପାଇ ବିବ୍ରତ ହୋଇଉଠିଲି ଅନ୍ୟ କେହି ହୋଇଥିଲେ ଏତେଟା ବିବ୍ରତ ବୋଧ କରିନଥାନ୍ତି । ତା'ଭଳି ଜଣେ ଆତ୍ମପ୍ରତ୍ୟୟ ଭରା ବ୍ୟକ୍ତି ଯେ ଏଭଳି ଅଦୃଶ୍ୟ ନିୟତିର ନିର୍ମମତା ଭିତରେ ନିଃସହାୟ ହୋଇ ଯାଇପାରେ,ଏହା ମୋର କଳ୍ପନାତୀତ ଥିଲା । 
 
ମୁହୂର୍ତ୍ତକ ମଧ୍ୟରେ ହଜିଲା ଅତୀତର ସ୍ମୃତି ଗୁଡିକ ମୋ ମାନସରେ ଗୋଟିଏ ଝଲକରେ ଉଦ୍ଭାସୀତ ହୋଇ ମିଳେଇଗଲା । କିଛି ସମୟ ପାଇଁ ମୁ ନିଜକୁ ଭୁଲି ଯାଇଥିଲି  ।
 
ମୋତେ ଏପରି ତଟସ୍ଥ ହୋଇ ଚାହିଁ ରହିବା ଦେଖି ସେ ମୋ କାନ୍ଧରେ ସ୍ପର୍ଶ ଦେଇ ପଚାରିଲା " ଆରେ ତୁ କଣ ଏମିତି କାଠ ପିତୁଳା ଭଳି ରହିଗଲୁ ? ଚିହ୍ନିପାରୁନାହୁଁ ? 
 
ମୁଁ ନିର୍ବାକ୍ ହୋଇ ଯାଇଥିଲି । ତା'ର ଏଭଳି ରୂପ ଦେଖି ତାକୁ କିଭଳି କୁଶଳ ଜିଜ୍ଞାସା କରିବି ଭାବି ପାରୁନଥିଲି । ମୋ ମୁହଁରୁ ସ୍ୱତଃସ୍ଫୁର୍ତ୍ତ ଭାବେ ବାହାରି ଆସିଲା, "ସୁବ୍ରତ ତୁ !?"
 
ହଁ ହଁ ମୁଁ ସେହି ସୁବ୍ରତ । ଆଜି ମୁଁ ଆଜାଦ୍ । ଏ ପୃଥିବୀ ମୋର ବାସଗୃହ । ଏହି ଖୋଲା ଆକାଶ ମୋ ଘରର ଛାତ । " ହସୁଥିଲା ସୁବ୍ରତ । ସତେ ଯେମିତି ତା' ମନରେ କ୍ଷୋଭ ନାହିଁ କିମ୍ବା ଦୁଃଖ ନାହିଁ । ନିହାତି ସରଳ ଅମାୟିକ ହସ । କିଛି ସମୟ ନିରବ ରହି ପୁଣି କହିଲା , ଚାଲ୍ ଆଜି ଦିହେଁ ମିଶି ଚାହା ପିଇବା । ବହୁତ ବର୍ଷ ପରେ ଦେଖା ହେଲା । ତୋ ଠାରୁ କପେ ଚାହା ପିଇ ନିଏ ।" 
 
ମୋ ହାତ ଧରି ଏକ ରକମ୍ ଟାଣି ନେଇଗଲା ସୁବ୍ରତ ।
 
ସେହି ପରିବା ବାଲା ଆଉ କେତେକଙ୍କ ବିସ୍ମିତ ଦୃଷ୍ଟି ମୋ ଦେହରେ ବୋଳି ହେଇଗଲା । ନିର୍ବିକାର ନିର୍ଲିପ୍ତ ଭାବରେ ଚାହା ଦୋକାନ ପାଖକୁ ଯାଇ , ଦୁଇ କପ୍ ଚାହା ବରାଦ କଲି । 
 
ସଂଧ୍ୟା ଯାଇ ତମସା ଆସନ୍ନ ପ୍ରାୟ । ଷ୍ଟ୍ରୀଟ୍ ଲଇଟର ଆଲୋକର ପ୍ଳାବନ ଅନ୍ଧକାରକୁ କିଛି ପରିମାଣରେ ଦୂରେଇ ନେବାକୁ ସକ୍ଷମ ହେଉଥିଲା । ମେଘ ମୁକ୍ତ ଆକାଶରେ ପୂର୍ଣମୀର ହସନ୍ତା ଜହ୍ନ । ଶୀତଳ ତରଳ ଜ୍ୟୋତ୍ସ୍ନା ସାଙ୍ଗକୁ ଶିତୁଆ ପବନ । ମୁ ବି ନିହାତି କପେ ଗରମ୍ ଚାହା ଆବଶ୍ୟକ କରୁଥିଲି ।
 
ଦିହେଁ ନିରବରେ ଚାହା ପିଉଥିଲୁ । 
 
ମନରେ ମୋର ଅସଂଖ୍ୟ ପ୍ରଶ୍ନ । ଅନନ୍ତ ଉତ୍କଣ୍ଠା ।
 
ତେବେ ସୁବ୍ରତ କଣ ସତରେ ପାଗଳ ହେଇଯାଇଛି ? କିନ୍ତୁ ତା' ବ୍ୟବହାରରେ କୌଣସି ଅସ୍ଵାଭାବିକତା ଲକ୍ଷ୍ୟ କରି ହେଉନି ତ !
 
ଏ ପର୍ଯ୍ୟନ୍ତ ତାକୁ ପଦେ ବି କଥା କହିନି । ମନରେ ଏକ ଅଜ୍ଞାତ ଦ୍ୱନ୍ଦ୍ୱ। ସତରେ ସେ ଯଦି ପାଗଳ ହୋଇ ଯାଇଥାଏ ! ତେବେ ମୁଁ ଯଦି କିଛି କହେ , ତେବେ କିଛି ଫାଇଦା ହିଁ ହେବନି । ମୋର ପ୍ରତ୍ୟେକ ପ୍ରଶ୍ନର ଅସଂଲଗ୍ନ ଉତ୍ତର ହିଁ ପାଇବି । ଯଦି ସେ ପାଗଳ ହୋଇନଥାଏ କେବଳ ପାଗଳର ଅଭିନୟ କରୁଥାଏ ତେବେ ସେ ମୋତେ ଭୁଲ ବୁଝିବା ସ୍ଵାଭାବିକ ।
 
ମୁଁ ବେଶୀ ସମୟ ନିରବ ରହି ପାରିଲି ନାହିଁ ।
 
ଚାହା ପିଉ ପିଉ ମୁଁ ତାକୁ ପ୍ରଶ୍ନକଲି , " ତୋ ଖବର କଣ କହ ସୁବ୍ରତ , ଏପରି ବେଶ ଧାରଣ କରିଛୁ କାହିଁକି ? 
 
ମନଖୋଲା ହସଟିଏ ହସିଲା ସୁବ୍ରତ ।
 
ହସିଦେଇ କହିଲା , ଜଣେ ସର୍ବତ୍ୟାଗୀର ବେଶ କଣ ଏଭଳି ହେବା ଉଚିତ୍ ନୁହେଁ ? "
 
" ସର୍ବତ୍ୟାଗୀ !" ମୋ ଭିତରେ ଏକ ବିସ୍ମୟ ଭାବ ଖେଳିଗଲା ।
 
"ଶୁଭ୍ରା ଆଉ ତୋ ଛୁଆପିଲା ....!"
 
ସ୍ମିତ ହସଟିଏ ହସିଦେଇ ସେ କହିଲା , " ଶୁଭ୍ରା ତା ଦୁନିଆକୁ ନେଇ ଚାଲିଛି ଆଉ ମୁଁ ମୋ ଦୁନିଆକୁ ନେଇ ଚାଲିଛି । ଆମେ ଦିହେଁ ଦୁଇଟି ଭିନ୍ନ ଭିନ୍ନ ସରଳ ରେଖା ଦେଇ ଗତି କରୁଛୁ । ସେ ଚାକିରୀ କରୁଛି , ଛୁଆପିଲାଙ୍କୁ ଚଳେଇ ନେଉଛି । ମୁଁ ମୁକ୍ତାକାଶାର ବିହଙ୍ଗ । ନା ସଂସାର ଚିନ୍ତା ଅଛି , ନା ଘର ଚିନ୍ତା ଅଛି । ଏକ୍ଷଣି ମୁଁ ଅପନି ମର୍ଜିକା ବାଦସାହା । ଯାହା ପାଏ ତାହା ଖାଇନିଏ । ଯେଉଁଠି ଆଶ୍ରୟ ପାଏ ସେଇଠି ଶୋଇଯାଏ । ବଞ୍ଚିବା ପାଇଁ ଆହାର ଆବଶ୍ୟକ , ପାଇଯାଉଛି । ଶୋଇବା ପାଇଁ ଆଶ୍ରୟ ଆବଶ୍ୟକ ତାହା ବି ପାଇଯାଉଛି । ବାସ୍ ଆଉ କଣ ଦରକାର ? "
 
"ଆଉ ତୋ ଚାକିରୀ ?" ମୋ ମୁହଁରେ ବିସ୍ମୟ ଭାବ ।
 
" ତାର ଆଉ ଆବଶ୍ୟକ କଣ ?"
 
ଶୁଭ୍ରା ପରି ସୁନ୍ଦରୀ ସ୍ତ୍ରୀ । ସମାଜରେ ନିଜର ସ୍ଥିତି । କେଉଁ ଚିଜର ଅଭାବ ରହିଥିଲା ଯେ ସୁବ୍ରତ ପରି ଜଣେ ଜିନିଅସ୍ ସଂସାରରୁ ସନ୍ନ୍ୟାସ  ନେଇଗଲା ? ନିଜ ମୂଲ୍ୟବାନ ଜୀବନକୁ ତିଳ ତିଳ କରି ନଷ୍ଟ କରିଦେଲା । ବିଚାରି ଶୁଭ୍ରା ... ! କେଉଁ ଅଧିକାରରେ ସୁବ୍ରତ ତା' ଜୀବନକୁ ନଷ୍ଟ କରିଦେଲା ? 
 
ମୁଁ ମୋ ଜୀବନର ଅପରାହ୍ନରେ ଉପନୀତ ହେଲିଣି । ମୋ ଛୁଆପିଲା ବଡ ହେଲେଣି । ତଥାପି , ହଠାତ୍ ଆଜି ମୋ ହୃଦୟର  କୌଣସି ଏକ ନିଭୃତ କୋଣରେ ଶୁଭ୍ରା ପାଇଁ ଶୂନ୍ୟ ସ୍ଥାନଟିଏ ସୃଷ୍ଟି ହେଇଗଲା । ଦରଦୀ ମନଟା ସଜଳ ହେଇଗଲା । ଛାତିତଳେ ସମବେଦନାର ନଈଟିଏ ନିଃଶବ୍ଦରେ ବହିଗଲା । ମୁଁ ନିଜ ମନୋଭାବକୁ ଚପାଇ ରଖିପାରିଲି ନାହିଁ । ଅସହିଷ୍ଣୁ ଭରା ସ୍ୱରରେ କହିଲି , " ଏସବୁ କିନ୍ତୁ ତୁ ଠିକ୍ କରିନାହୁଁ । ଶୁଭ୍ରାପ୍ରତି ରୀତିମତ୍ ଅନ୍ୟାୟ କରିଛୁ ।"
 
ମୋ କଥା ଶୁଣି ସୁବ୍ରତ ଏକା ଢୋକରେ ସମ୍ପୂର୍ଣ ଗ୍ଲାସ୍ ଭରା ଚାହା ପିଇନେଇ ହୋ ହୋ ହୋଇ ହସିଉଠିଲା । ମୁଁ କେମିତି ଅସ୍ଵସ୍ତି ଅନୁଭବ କଲି । ନିଜ ଚତୁର୍ଦ୍ଦିଗକୁ ନୀରିକ୍ଷଣ କଲି । ନାଃ....। କାହାରି ଦୃଷ୍ଟି ମୋ ଆଡକୁ ଆକର୍ଷିତ ହୋଇନାହିଁ । ଯିିଏ ଯାହା କାମରେ ବ୍ୟସ୍ତ । 
 
ହସ ଥମେଇ , ଚାହା ଗ୍ଲାସ୍ ଟେବୁଲ୍ ଉପରେ ଥୋଇଦେଇ , ସୁବ୍ରତ କହିଲା , " ଦେଖିଲୁ ! ତୁ ଆଜିଯାଏଁ ଶୁଭ୍ରାକୁ ଭୁଲିପାରିନାହୁଁ । ତା' ପ୍ରତି ଅବିଚାର ତୁ ସହ୍ୟ କରିପାରୁନାହୁଁ । ଆଉ ଠିକ୍ ଶୁଭ୍ରା ବି ତୋତେ ଭୁଲିପାରି ନାହିଁ । ତାରି ଭିତରେ ସବୁବେଳେ ଏକ ଶୂନ୍ୟତାବୋଧ ମୁଁ ଲକ୍ଷ୍ୟ କରିପାରିଥିଲି । ମୁଁ ତା' ଶରୀରକୁ ହିଁ ପାଇଥିଲି । କିନ୍ତୁ ତା'ମନ ଓ ହୃଦୟ ସମ୍ପୂର୍ଣ୍ଣ ରୂପେ ତୋରି ନିକଟରେ ସମର୍ପିତ ହୋଇଯାଇଥିଲା । ଅନେକ ଘନିଷ୍ଠ ମୁହୂର୍ତ୍ତରେ ମୁଁ ଏହା ଉପଲବ୍ଧି କରିପାରିଛି । ତା' ସଙ୍ଗେ ଘନିଷ୍ଠ ହେଲାବେଳେ ମୋତେ ଲାଗେ ଯେପରି ମୁଁ କୌଣସି କୌଣସ ଏକ ଅବାଞ୍ଛିତ ନାରୀର ଦେହକୁ ଉପଭୋଗ କରୁଛି । ସତେଯେମିତି ସେ ମୋ ଶରୀର ପ୍ରତି ଉଦାସୀନ ଥିଲା । ମୋ ଦେହର ସ୍ପର୍ଶ ତା' ଦେହ ମନରେ ରୋମାଞ୍ଚ ଭରିବାରେ ଅକ୍ଷମ ଥିଲା । ସତେ ଯେମିତି ମୁଁ ଏକ ନିର୍ଜୀବ ଶରୀରକୁ ନେଇ ସମ୍ଭୋଗ କରୁଥିଲି । ତାର ଉଦାସୀନତା ଓ ମୋ ପ୍ରତି ନିଃସ୍ପୃହତା ,ଏସବୁ କଣ ମୋ ପ୍ରତି ଉପେକ୍ଷା ନୁହଁ ? ଆଉ ତୋ ପ୍ରତି ତା'  ଅନ୍ତରର ପ୍ରେମର ପରିଭାଷା ନୁହେଁ ? ତୋତେ ନେଇ ସେ ଦେଖିଥିବା ସ୍ଵପ୍ନ ଗୁଡିକ ସମାଧୀସ୍ଥ ହୋଇଯାଇଥିବା ହେତୁ ସେ ଖୁବ୍ ଗୋଟାଏ ଶକ୍ତ ଆଘାତ ପାଇଥିଲା । ସଦାବେଳେ ସେ ଅନ୍ୟମନସ୍କ ରହୁଥିଲା । ସତେ ଯେମିତି ସେ ଅନେକ୍ କିଛି ହରେଇ ଦେଇଥିଲା। ଏହା ମୋ ପକ୍ଷେ କ୍ରମଶଃ ଅସହ୍ୟ ହୋଇଉଠିଲା । ତୋ କାପୁରୁଷତା ପାଇଁ ମୁଁ ବାଜି ମାରିନେଇଥିଲି । କିନ୍ତୁ ମୁଁ ଜିତି ଯାଇ ବି ହାରିଯାଇଥିଲି । ଆଉ ତୁ ହାରିଯାଇ ବି ଜିତି ଯାଇଥିଲୁ । ତୁ ତୋ ପ୍ରେମକୁ ନିଜ ହୃଦୟରେ ବାନ୍ଧି ରଖିଥିଲୁ । କେବେ ବୟାନ୍ କରି ପାରିନଥିଲୁ। କଣ ପାଇଲୁ ତୁ ଦୁଇ ଦୁଇଟା ଜୀବନକୁ ନର୍କକୁ ଠେଲିଦେଇ ? ତୋ ପ୍ରେମକୁ ତୋଠାରୁ ଛିନ୍ନ କରିନେଇ ମୁଁ କେବେ ବି ସୁଖୀ ହୋଇ ପାରିନଥିଲିରେ । ମୁଁ ଯାହା ଚାହେଁ ତାହା କରିପାରେ , ଏଭଳି ଏକ ଅହଂଭାବ ମୋ ମନ ଭିତରେ ସେତେବେଳେ ଦୃଢ ହୋଇ ରହିଥିଲା । କିନ୍ତୁ ମୋ ମନର ଦୃଢତା ଭାଙ୍ଗି ଯାଇଥିଲା , ଯେତେବେଳେ ମୋର ଦୃଢ ଅନୁଭବ ହେଲା ଭଲ ପାଇବା ହୃଦୟର ଏକ ସ୍ଵତଃସ୍ଫୁର୍ତ୍ତ ଅଭିବ୍ୟକ୍ତି । କାହାଠାରୁ ପ୍ରେମକୁ ଜୋର୍ କରି ପାଇ ହୁଏନି । ମୋର ମୋହ ଭଙ୍ଗ ହୋଇ ଯାଇଥିଲା । ମନର ଅହଂକାର ଚୂର୍ଣ୍ଣ ବିଚୁର୍ଣ୍ଣ ହୋଇ ଯାଇଥିଲା । ମୋର ବେଶ୍ ହୃଦବୋଧ ହୋଇଥିଲା ମୋହ, ଅହଂକାର ଓ ସ୍ଵାର୍ଥ ମଣିଷକୁ ଦୁଃଖୀ କରିଦିଏ । ଏହାରି ଭିତରେ ଶାନ୍ତିର ସତ୍ତା ଖୋଜୁ ଖୋଜୁ ଥଳ କୁଳ ନ ପାଇ ଥକିଯାଏ । ଜୀବନର ସଜ୍ଞା ନ ଜାଣି ଏହାରି ଭିତରେ ଜୀବନକୁ ଖୋଜେ । କିନ୍ତୁ ପାଏ କଣ ? ଦୁଃଖ ଓ ଯନ୍ତ୍ରଣା ! ମୁଁ ମୋ ଜୀବନର ସତ୍ୟକୁ ଅନ୍ଵେଷଣ କରି ପାଇପାରିଛି । ଏଭଳି ଜୀବନରେ ସନ୍ତୃପ୍ତି ରହିଛି , ଶାନ୍ତି ଅଛି । ମନରେ ପାଇ ହରେଇବାର ଅବଶୋଶ ନାହିଁ କିମ୍ବା ଗ୍ଳାନି ନାହିଁ । "
 
ସୁବ୍ରତ ନୀରବ ହେଲା ।
 
ମୁଁ ସୁବ୍ରତର କଥା ଗୁଡିକ ସ୍ତବ୍ଧ ହୋଇ ଶୁଣୁଥିଲି । ତା' କଥା ଗୁଡିକ ଏକ ପାଗଳର ପ୍ରଳାପ ପରି ଶୁଣା ଯାଉନଥିଲା ବରଂ ଜଣେ ବିଜ୍ଞ ବ୍ୟକ୍ତିର ସଂଳାପ ପରି ଶୁଣା ଯାଉଥିଲା । ସତେ ଯେପରି ସେ ଦାର୍ଶନିକଟିଏ ପାଲଟି ଯାଇଥିଲା । ମୋର ନିଜ ପ୍ରତି ନିଜ ମନରେ ଘୃଣା ସୃଷ୍ଟି ହେଇଯାଉଥିଲା । ମୋର କାପୁରୁଷତା ପାଇଁ ଗୋଟିଏ ପରିବାର ଧ୍ଵଂସାଭିମୁଖୀ ହୋଇ ଯାଇଥିଲା । ମୋତେ ଲାଗୁଥିଲା ମୁଁ ଯେମିତି ପାଗଳ ହେଇଯିବି ।
 
ମୁଁ ବହୁତ୍ କଷ୍ଟରେ ନିଜ ଆବେଗକୁ ନିୟନ୍ତ୍ରୀତ କରି ପ୍ରଶ୍ନ କଲି , " ତେବେ ତୁ ପାଗଳ ନୁହଁ ? "
 
ମୋ ପ୍ରଶ୍ନ ଶୁଣି ସେ ମୁଁହ ଉପରକୁ କରି ଆକାଶକୁ ଚାହିଁ ଅଟ୍ଟହାସ୍ୟ କରି ଉଠିଲା । ନିଅନ୍ ଲାଇଟ୍ ର ସୁନେଲି ଆଲୋକରେ  ତା'ର ଅର୍ଦ୍ଧପକ୍ୱ ଦାଢୀ ମେଞ୍ଚାଏ ସୁନେଲି ଜରି ପରି ଚିକ୍ ଚିକ୍ କରିଉଠିଲା । ହସ ବନ୍ଦ କରି କହିଲା , " ଲୋକେ ଅନ୍ତତଃ ପାଗଳ ହିଁ ଭାବି ନିଅନ୍ତୁ । ଏହାହିଁ ମୁଁ ଚାହେଁ । କାରଣ ଜଣେ ପାଗଳର ପ୍ରତ୍ୟାଶା ନଥାଏ  , କାମନା ନଥାଏ ଏବଂ ଅହଙ୍କାର ନଥାଏ । ଏ ଗୁଡିକ ମଣିଷ ଜୀବନରେ ଦୁଃଖ ଓ ନୈରାଶ୍ୟ  ଭରି ଦିଅନ୍ତି । "
 
ସୁବ୍ରତ ହୁଏତ ଆହୁରି କଣ କହିବାକୁ ଯାଉଥିଲା । କିନ୍ତୁ ମୁଁ ଆଉ ଶୁଣିବା ପାଇଁ ସେଠାରେ ନଥିଲି । ଘରକୁ ଫେରୁ ଫେରୁ ଭାବୁଥାଏ , ଯଦି ସୁବ୍ରତର କଥା ଗୁଡିକୁ ଆଉ କିଛି ସମୟ ଯାଏଁ ଶୁଣିଥାନ୍ତି , ହୁଏତ ମୁଁ ବି ତା' ଭଳି ପାଗଳର ଛଦ୍ମବେଶ ଧାରଣ କରିଥାନ୍ତି , କାରଣ ମୁଁ ବି ଶୁଭ୍ରାକୁ ଏଯାଏଁ ଭୁଲିପାରି ନାହିଁ ।


Rate this content
Log in

More oriya story from Kara Bijay

Similar oriya story from Romance