ଜହ୍ନମାମୁଁ -153
ଜହ୍ନମାମୁଁ -153
ଦସ୍ୟୁ ରାଜକୁମାର 2
“ଧର ଧର । ସେ ଗୁପ୍ତଚରକୁ ଧରି ନିଅ!” ଏଭଳି ଚିତ୍କାର କରି ସେନାଧ୍ୟକ୍ଷ ତା’ ପଛେ ପଛେ ଦୌଡିଲା । ଦୁଇ ତିନିଜଣ ସୈନ୍ୟ ଚମକି ଉଠି ବସନ୍ତକୁ ଅନୁସରଣ କଲେ । ଘୋଡାଶାଳକୁ ଯାଇ ଘୋଡାଟିଏ ଆଣିବା ନିମନ୍ତେ ସମୟ ନଥିଲା । ବିନା ଘୋଡାରେ ବସନ୍ତ ସହିତ ଦୌଡି ତାକୁ ଧରିବା ଏତେ ସହଜ ନଥିଲା । କିନ୍ତୁ ସେହି ସେନାଧ୍ୟକ୍ଷ ଜଣକ ବୀରସିଂହର ସୈନ୍ୟଦଳ ଭିତରେ ସବୁଠାରୁ ଭଲ ଦୌଡିବାବାଲା ଥିଲା । ସେ ତା’ ପ୍ରାଣପଣେ ଦୌଡିଲା । ବସନ୍ତ ଓ ତା’ ଭିତରେ ଥିବା ବ୍ୟବଧାନ କ୍ରମେ କମି ଆସିଲା ।
ଠିକ୍ ସେତିକିବେଳେ ବିପରୀତ ଦିଗରୁ ଜଣେ ବ୍ୟକ୍ତି ଗୋଟିଏ ଘୋଡା ଚଢି ଆସୁଥାନ୍ତି । ତାଙ୍କ ଆଡେ ଲକ୍ଷ୍ୟ କରି ସେନାଧ୍ୟକ୍ଷ ପାଟି କରି କହିଲା “ଧର, ଧର, ସେ ପଳାତକ ଗୋଟାଏ ଗୁପ୍ତଚର । ତାକୁ ଶୀଘ୍ର ଧର । ପୁରସ୍କାର ପାଇବ ।” ସେନାଧ୍ୟକ୍ଷ ଧରି ନେଇଥାଏ ଯେ ସେ ଅଶ୍ୱାରୋହୀ ଜଣକ ସୁମେଧ ରାଜ୍ୟର କୌଣସି ସମ୍ଭ୍ରାନ୍ତ ପ୍ରଜା ।
କିନ୍ତ ଅଶ୍ୱାରୋହୀ ବସନ୍ତ ପାଖକୁ ଲାଗି ଆସି କହିଲେ, “ଶୀଘ୍ର ନଈ ସେପାରିକୁ ଚାଲିଯାଅ ।” ତା’ପରେ ସେ ସେନାଧ୍ୟକ୍ଷ ପାଖକୁ ଆସି ତା’କୁ ଚାବୁକରେ ପିଟିଦେଲେ । ଫଳରେ ସେ ସେନାଧ୍ୟକ୍ଷ ତଳେ ପଡିଗଲା । ଅନ୍ୟ ଦୁଇ ସୈନ୍ୟ ଆସି ସେନାଧ୍ୟକ୍ଷକୁ ଉଠାଇ ବସାଇବାରେ ମନ ଦେଲେ । ଅଶ୍ୱାରୋହୀ ଘୋଡା ବୁଲାଇ ଚାଲିଗଲେ । ଗୋଟିଏ ଲମ୍ପରେ ଘୋଡା ନନ୍ଦିନୀ ନଈ ପାରି ହୋଇ ଅନ୍ୟ କୂଳରେ ଯାଇ ପହଁଚିଗଲା । ସେତେବେଳକୁ ବସନ୍ତ ସନ୍ତରଣ କରି ସେ କୂଳ ପାଖରେ ପହଁଚିଥାଏ । ଅଶ୍ୱାରୋହୀ ହାତ ବଢାଇ ତାକୁ ଉପରକୁ ଉଠାଇ ଆଣିଲେ ।
ସେତେବେଳକୁ ଅଶ୍ୱାରୋହୀଙ୍କ ମୁହଁରୁ ତ ଆବରଣ ଖସି ପଡିଥାଏ । ବସନ୍ତ କୂଳକୁ ଉଠି ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଣାମ କଲା ଓ କହିଲା, “ମହାରାଜ! ବିପଦ ବେଳେ ଯେଉଁ ରହସ୍ୟମୟ ବ୍ୟକ୍ତି ଜଣକ ବାରମ୍ବାର ଆମକୁ ରକ୍ଷା କରନ୍ତି, ସିଏ ଯେ ଆପଣ ବୋଲି ମୋର କେତେଦିନରୁ ଧାରଣା ହେଲାଣି । ଆଜି ମୋର ସୌଭାଗ୍ୟ, ଖାଲି ଯେ ଆପଣଙ୍କ ଯୋଗୁଁ ମୁଁ ଶତ୍ରୁ କବଳରୁ ଖସି ଆସିଲି, ତାହା ନୁହେଁ, ବରଂ ମୁଁ ମଧ୍ୟ ଆପଣଙ୍କୁ ଚିହ୍ନିଲି ।”
ସେ ରାଜା ଶାନ୍ତିଦେବଙ୍କୁ ପୁଣି ପ୍ରଣାମ କଲା ।
ରାଜା ଶାନ୍ତିଦେବ କହିଲେ “ବସନ୍ତ! ସୁମେଧ ରାଜ୍ୟର ନିର୍ଯ୍ୟାତିତ ପ୍ରଜାକୂଳଙ୍କ ପାଇଁ ତମେ କେତେ ଯେ ତ୍ୟାଗ ଓ କଷ୍ଟ କରୁଛ, ତାହା ମୁଁ ଜାଣେ । ତେଣୁ ତମ ପାଖରେ ଚିହ୍ନା ଦେବାକୁ ମୁଁ ଆଦୌ କୁଣ୍ଠିତ ନୁହେଁ । କିନ୍ତୁ ମୁଁ ଜୀବିତ, ଏକଥା ତମେ ପ୍ରଚାର କରିବ ନାହିଁ ।”
ବସନ୍ତ ପଚାରିଲା “ମହାରାଜ, ତାହା କଲେ କ୍ଷତି କ’ଣ?”
“ମୁଁ ବଂଚିଛି ବୋଲି ଜାଣିଲେ ପ୍ରଜାମାନେ ଅସ୍ଥିର ଓ ଉତ୍ତେଜିତ ହେବେ । ଦ୍ୱିତୀୟରେ ବୀରସିଂହ ମୋତେ ଖୋଜି ବାହାର କରିବା ନିମନ୍ତେ ଘରେ ଘରେ ଅନୁସନ୍ଧାନ ଆରମ୍ଭ କରିଦେବ । ସୈନ୍ୟମାନେ ମଧ୍ୟ ଆହୁରି ପ୍ରବଳ ଅତ୍ୟାଚାର କରିବେ ।”
ବସନ୍ତ ଆକୁଳ କଣ୍ଠରେ କହିଲା “ମହାରାଜ! ପ୍ରଜା ସାଧାରଣ ନ ଜାଣନ୍ତୁ, କିନ୍ତୁ ଯେଉଁ କେତେଜଣ ଦେଶପ୍ରେମୀ ଯୁବକ ନିଜ ଜୀବନକୁ ପାଣି ଛଡାଇ ଅତ୍ୟାଚାରୀ ବୀରସିଂହ ବିରୁଦ୍ଧରେ ଲଢେଇ କରିବାକୁ ପ୍ରସ୍ତୁତ, ସେମାନେ ଅନ୍ତତଃ ଆପଣ ଅଛନ୍ତି ବୋଲି ଜାଣିବା ଉଚିତ୍ ନୁହେଁ କି? ଏତକ ଜାଣିଲେ ସେମାନେ କେଡେ ଉତ୍ସାହ ଅନୁଭବ କରିବେ! ଆପଣଙ୍କ ପାଇଁ ଲଢେଇ କରିବାଠୁଁ ବଳି ଗୌରବମୟ କଥା ଆଉ ପୁଣି କ’ଣ ବା ଥାଇପାରେ? ଆପଣ ଦୟାକରି ବିଦ୍ରୋହୀମାନଙ୍କ ଆଗରେ ଦେଖା ଦେବାକୁ ସମ୍ମତ ହୁଅନ୍ତୁ । ଆପଣହିଁ ହେବେ ଆମ ଉତ୍ସାହର ଉତ୍ସ । ଆପଣହିଁ ହେବେ ଆମ ପ୍ରେରଣା ।