Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ସବୁଠାରୁ ବଡ

ସବୁଠାରୁ ବଡ

4 mins
598



ଗଳିର ଶେଷ ମୁଣ୍ଡରେ ଗୋଟିଏ ଭଙ୍ଗାଘର । ସେଇ ଘରର କାନ୍ଥରେ ବୁଢୀଆଣିମାନଙ୍କର ବସା । ସେହିଠାରେ ଗୋଟିଏ ଝିଟିପିଟି ମଧ୍ୟ ରହିଥାଏ । ତାର ଖାଦ୍ୟ ହେଲା ଛୋଟଛୋଟ ପୋକ, ମଶା, ମାଛି ଓ କୀଟପତଙ୍ଗ । ଦୀର୍ଘଦିନ ଧରି ଏହି ଏକା ପ୍ରକାର ଖାଦ୍ୟ ଖାଇ ତାକୁ ଚିଟା ଲାଗିଲାଣି । ସେ କିଛି ନୂଆ ଖାଦ୍ୟ ଖାଇବାକୁ ଚାହେଁ । ସେ ମନେ ମନେ ଚିନ୍ତା କରୁଥାଏ - ଖାଦ୍ୟ ହିଁ ଜୀବନ । ତେଣୁ ଜୀବନକାଳ ଭିତରେ ତାକୁ ବିଭିନ୍ନ ଖାଦ୍ୟ ଖାଇବା ଦରକାର ।

ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାର ସ୍ୱପ୍ନରେ ଝିଟିପିଟି ନିଜର ବାସସ୍ଥାନ ବଦଳାଇଲା । ପାଖରେ ଗୋଟିଏ ଘର ଥାଏ । ସେ ସେଠାକୁ ଗଲା । କିନ୍ତୁ ସେ ସେଠାରେ କିଛି ଗଣଗଣିଆ ମାଛି ବ୍ୟତୀତ ଅନ୍ୟ କିଛି ଦେଖିବାକୁ ପାଇଲା ନାହିଁ । ସେ ସେହି ଘରର ବାରିକୁ ଗଲା । ସେଠାରେ ଗୋଟିଏ ବଡ ପତଙ୍ଗ ଉଡୁଛି । ସେଇଟି ତାର ନଜରରେ ପଡିଲା ।

ଓହୋ ! କି ସୁନ୍ଦର ଏ ପତଙ୍ଗଟି ହୋଇଛି । ଏହାର ମାଂସ ନିଶ୍ଚୟ ସ୍ୱାଦୁ ହୋଇଥିବ । ଏହା ହେଲା ଝିଟିପିଟିର ମନର ଭାବନା । ଫଳରେ ତା ପାଟିରୁ ଲାଳ ବୋହିବାକୁ ଲାଗିଲା । ତାକୁ କେମିତି ଧରିବ, ତାହା ହିଁ ତା’ର ଚିନ୍ତା । ତାକୁ ଆଶ୍ଚର୍ଯ୍ୟ କରି ପତଙ୍ଗଟି ତଳକୁ ଓହ୍ଲାଇ ଆସି କାନ୍ଥରେ ବସିଲା । ସେଇଟି ଗୋଟିଏ ଅସରପା ।

ଝିଟିପିଟି ଆଗରୁ ଏତେ ବଡ ପତଙ୍ଗ ଦେଖିନଥିଲା । ପ୍ରଥମେ ପ୍ରଥମେ ସେ ଅସରପା ପାଖକୁ ଯିବାକୁ କୁଣ୍ଠିତ । କାରଣ ତା’ର ଡେଣାଗୁଡିକ ଲମ୍ବା ଓ ଚଳଚଞ୍ଚଳ । ପ୍ରଥମେ ପ୍ରଥମେ ତା’ ମନରେ ଟିକିଏ ଭୟ ସଂଚାର କଲା । କିନ୍ତୁ ତାକୁ ଖାଇବାର ଲୋଭ ତା’ ମନର ଭୟକୁ ଦୂରେଇ ଦେଲା ।

କୌଣସି ସୂଚନା ନଦେଇ ସେ ଘୁଷୁଡି ଘୁଷୁଡି ଅସରପା ପାଖକୁ ଆସିଲା । ପାଟି ମେଲା । ଅସରପାକୁ ତା’ର ଦୁଇ ମାଢି ମଝିରେ ଧରି ପକାଇଲା । ଆକ୍ରମିତ ଅସରପା ନିଜର ଜୀବନ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କଲା । କିନ୍ତୁ ଝିଟିପିଟି ତା’ର ପାଟିକୁ କୋହଳ କଲାନାହିଁ । ବରଂ ସେ ଅସରପାକୁ ଟକ୍ କରି ଗିଳିଦେଲା । ଜିଭକୁ ପାଟି ଚାରିପଟେ ବୁଲାଇ ସେ କହିଲା - “ଭାରି ସୁଆଦିଆ । ଯାହାହେଉ ମୁଁ ଶ୍ରେଷ୍ଠ । ବିଚାରାଟି ମୋରି ଆକାରର । କିନ୍ତୁ ମୁଁ ତାକୁ ଗିଳିଦେଲି ।”

ଏହି କୃତକାର୍ଯ୍ୟରେ ତା’ର ସାହସ ବଢିଗଲା । ସବୁବେଳେ ତା’ର ଅସରପା ଉପରେ ଲକ୍ଷ୍ୟ । ଆଉ ଛୋଟଛୋଟ ପତଙ୍ଗକୁ ଖାଇଲା ନାହିଁ । ତାଙ୍କ ପ୍ରତି ଆଉ ତା’ର ଆଗ୍ରହ ନ ଥାଏ । ଦିନେ ସେ ଗୋଟିଏ କଙ୍କଡା ବିଛା ଦେଖିଲା । ଏହା ସେ ଗିଳିଥିବା ଅସରପା ଠାରୁ ଛୋଟ । ଆନନ୍ଦରେ ସେ ଚିତ୍କାର କଲା - “ଚାଖିବା ପାଇଁ ମତେ ଗୋଟିଏ ପୁଣି ନୂଆ ଜିନିଷ ମିଳିଗଲା ।” ସେ ପାଟି ମେଲା କରି କଙ୍କଡାବିଛାକୁ ଆକ୍ରମଣ କଲା । ସେ କଙ୍କଡାବିଛାର ଦେହର ମଝିକୁ ପାଟିରେ ଚାପି ଧରିଥାଏ । ଫଳରେ କଙ୍କଡାବିଛାଟି ରାଗରେ ତା’ର ଲମ୍ବା ଲାଞ୍ଜକୁ ବଙ୍କେଇ ଝିଟିପିଟିର ପଛପଟୁ ଦଂଶନ କଲା । ଝିଟିପିଟି ଜୀବନ ବିକଳରେ ପଛେଇ ପଛେଇ ସେଠାରୁ ପଳେଇ ଆସିଲା । ଏପରିକି ମୁକ୍ତି ପାଇବାପାଇଁ ତାକୁ କିଛି ସମୟ ଲାଗିଲା । ତା’ର ଅଜାଣତରେ କିଛି ସମୟ ପାଇଁ ସେ ବେହୋସ ବି ହୋଇଗଲା । ବିଛାଟି ପରାକ୍ରମୀ, କ୍ଷମତାସମ୍ପନ୍ନ । ତା’ ଠାରୁ ବଡ । ଏହା ସେ ଭାବିଲା ବେଳେ ସେ ଦେଖିଲା ଗୋଟିଏ କୁକୁଡା କଙ୍କଡାବିଛାଟିକୁ ତା’ର ପଛପଟୁ ଧରିନେଲା । ତା’ପରେ ତା’କୁ ଗିଳିଦେଲା । ଏହା ହେଲା ତା’ର ମତ ପରିବର୍ତ୍ତନର କାରଣ । ତା’ପରେ ପରେ ତା’ର ସେଇ କଙ୍କଡାବିଛାଟି ପ୍ରତି ଦୟା ହେଲା । ସେ କୁକୁଡାକୁ କହିଲା - “ନିଶ୍ଚିତ ଭାବରେ ତମେ ହେଉଛ ସବୁଠାରୁ ବଡ ।” ସେହି ଦିନଠାରୁ କୁକୁଡା ପ୍ରତି ଝିଟିପିଟିର ଭୟ ଓ ସମ୍ମାନ ବହୁତ ।

ଏହା ଭିତରେ କିଛିଦିନ ବିତିଗଲା । ଦିନେ ସକାଳୁ ଝିଟିପିଟି ଶୁଣିଲା - କୁକୁଡା ଖୁବ୍ ଜୋରରେ ଚିତ୍କାର କରୁଛି । ଚିତ୍କାରର ସ୍ୱର ଭାସି ଆସୁଥିବା ଦିଗକୁ ସେ ମାଡିଗଲା । ସେ ଦେଖିଲା ସେଇ ଘରର ମାଲିକାଣୀ କୁକୁଡାର ବେକକୁ କାଟି ତାଙ୍କ ଅତିଥିଙ୍କ ପାଇଁ ମାଂସ କରୁଛନ୍ତି । ଏହା ଦେଖି ଭୟରେ ସେ ଶିହରୀ ଉଠିଲା । ଏବେ ତା’ ମନରେ କୁକୁଡାଟି ଅତି ତୁଚ୍ଛ । ତାହାହେଲେ ସବୁଠାରୁ ବଡ କିଏ ? ଝିଟିପିଟିର ମନରେ ଦ୍ୱନ୍ଦ୍ୱ । କଙ୍କଡାବିଛାକୁ ଗିଳିଥିବା କୁକୁଡାଠାରୁ, କୁକୁଡାକୁ ମାରିଥିବା ସ୍ତ୍ରୀଲୋକ ନିଶ୍ଚୟ ବଡ । ଏହି ଚିନ୍ତାଧାରା ତା’ ମନରେ ଜମାଟ ବାନ୍ଧିଦେଲା ।

ଏହା ଭିତରେ ଦୁଇ ଦିନ ଚାଲିଗଲାଣି । ସ୍ତ୍ରୀଲୋକ ଏବଂ ତାଙ୍କ ସ୍ୱାମୀଙ୍କ ଭିତରେ ଝଗଡା ଲାଗିଗଲା । ସେମାନେ ଖୁବ୍ ଖରାପ ଭାଷାରେ ଗାଳିଗୁଲଜ କରୁଥାନ୍ତି । ଝିଟିପିଟି ଠିଆ ହୋଇ ଏସବୁ ଦେଖୁଥାଏ । ତା’କୁ ଜଣାନାହିଁ ତା’କୁ କେତେବେଳେ ନିଦ ଲାଗିଯାଇଛି । ହଠାତ୍ ଲୋକଟିର ଚିତ୍କାରରେ ତା’ର ନିଦ ଭାଙ୍ଗିଗଲା । ପଡୋଶୀମାନେ ତାଙ୍କ ଘରକୁ ଜବରଦସ୍ତି ପଶିଆସିଲେ ।

ଝିଟିପିଟି ମଧ୍ୟ ବାରିପଟୁ ଧାଇଁ ଆସିଲା । ଧାରେଧୀରେ ସେଇ ଘର ଭିତରକୁ ଆସିଲା । ସେତେବେଳକୁ ସେଠାରେ ଅନେକ ଲୋକ ଠୁଳ ହୋଇଥାନ୍ତି । ସ୍ତ୍ରୀଲୋକମାନେ ତାଙ୍କର ଛାତିକୁ ଦୁଇ ହାତରେ ବାଡେଇ ବାଡେଇ ବଡ ପାଟିରେ କାନ୍ଦୁଥାନ୍ତି । ପୁରୁଷମାନେ ମଧ୍ୟ କିଂକର୍ତ୍ତବ୍ୟବିମୂଢ ହୋଇ ଠିଆ ହୋଇଥାନ୍ତି । ଚାରିଆଡେ ଦୁଃଖ ଛାଇଯାଇଥାଏ । ଝିଟିପିଟି ଦେଖିଲା - ଯେଉଁ ଲୋକଟିକୁ ସେ ସବୁଠାରୁ ବଡ ବୋଲି ଭାବୁଥିଲା, ସେ ଘରେ ଗୋଟିଏ ଦଉଡିରେ ଝୁଲୁଛି ।

ସବୁଲୋକ କଥା ହେଉଥିବାର ଦେଖି ଝିଟିପିଟି ନିଜକୁ ନିଜେ କହିଲା - “ନିଶ୍ଚିନ୍ତ ଭାବରେ ସବୁ ଜିନିଷଠାରୁ ଏଇ ଦଉଡିଟି ଶ୍ରେଷ୍ଠ । ଏହା କେବଳ ଗୋଟିଏ ସ୍ତ୍ରୀ ଲୋକକୁ ମାରିନାହିଁ, ଏହା ଅନେକ ସ୍ତ୍ରୀଲୋକଙ୍କୁ ମଧ୍ୟ ବାନ୍ଧି ମାରିପାରିବ । ଏଇ ଦଉଡିଠାରୁ ଆଉ କିଏ ବଳିଷ୍ଠ ହେବ ? ଏଇ ଦଉଡି ଯେତେବେଳେ ଚାହିଁବ, ସେ ମତେ ମଧ୍ୟ ତା ଦେହରେ ବାନ୍ଧି ଦେବ । ତେଣୁ ମୁଁ ସବୁ ବେଳେ ଏହି ଦଉଡିଠାରୁ ଦୂରରେ ରହିବି ।”

ତେଣୁ ସେଠାରୁ ସେ ଖସି ଆସିଲା । ସେହିଦିନଠାରୁ ସେ ଯେତେବେଳେ ଗୋଟିଏ ଦଉଡିକୁ ଦେଖେ, ସେ ଲୁଚିଯାଏ । ସେଇଦିନୁ ଝିଟିପିଟି ମାନେ ଦଉଡି ଦେଖିଲେ ସେଠାରୁ ସେମାନେ ପଳେଇ ଯାଆନ୍ତି ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Children