Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspanjali das

Abstract

2  

puspanjali das

Abstract

ସ୍ଥିତି

ସ୍ଥିତି

6 mins
488


ସୁରମା ସେଦିନ ସାନ ଭଉଣୀ ପ୍ରତିମା ସାଙ୍ଗରେ ଟ୍ରେନ ରେ ରାଉରକେଲା ରୁ ଫେରୁଥିଲା। ଗୋଟିଏ ସପ୍ତାହ ତା' ଘରେ ରହିଲେ ମଧ୍ୟ ଯେମିତି କୋଉ କାଳ ରୁ ବାକି ରହିଯାଇଥିବା କଥାତକ ସରୁନଥିଲା ଯଦିଓ ଜାଣିଥିଲା,ପ୍ରତିମା ର ଦେହ ରେ ରାତି ଅନିଦ୍ରା ଚଳିବନି ,ତାକୁ ରେଷ୍ଟ ଦରକାର ,କିନ୍ତୁ କଥାର ଡୋର ଟା କେମିତି ଲମ୍ବି ଯାଉଥିଲା ଜାଣିପାରୁନଥିଲା

            ପ୍ରତିମା ର ପୁଅ ଗିରିଶ ଟା ତା'ପୁଅ ସୌଭାଗ୍ୟ ଠାରୁ ସାନ ହେଲେ ବି ଏକା ବର୍ଷକେ ବାହା ହୋଇଥିଲେ। କେଡେ ସୁନ୍ଦର ଗୋରା ତକ୍ ତକ୍ ବୋହୁଟିଏ କରିଛି ପ୍ରତିମା,କେତେ ଭାଗ୍ୟବତୀ ବୋଲି ଭାବି ଭାବି କଥା ଗୁଡାକ ସବୁ ସେଇଆଡକୁ ଚା ଲି ଯାଉଥିଲା। ସୁନ୍ଦର ସାଙ୍ଗକୁ ସବୁ କାମ ରେ ଧୁରନ୍ଧର, ପ୍ରତିମା କୁ କିଛି କରେଇ ଦଉନି। ଦୁଇଟା ବର୍ଷ ରେ ପୁରା ଘର ର ଦାୟିତ୍ୱ ସବୁ ନେଇଯାଇଛି। ଖାଲି ଯାହା କିଛି ନ ପଚାରିକି କରିଦଉଛି,ସେ କଥାଟି ଭାବିଲେ , ସୁରମା ର ମନ ଟିକେ ଉଣା ହୋଇ ଯାଉଥିଲା। ବେଳେ ବେଳେ ଏମିତି ଭାବନା ବି ତା'ମନ କୁ ପସି ଆସିଥିଲା ଯେ ପ୍ରତିମା କୁ ତା'ରି ଘରେ କାହା ଘରୁ ଆସିଲା ଭଳି ଆ ଚଳିବାକୁ ପଡୁଥିଲା।, ହେଲେ ପ୍ରତିମା କୁ ଖୁସି ଦେଖି ଓ ଘରେ ସମସ୍ତଙ୍କୁ ଖୁସି ଦେଖି,ଏତେ ଶିଘ୍ର ସବୁ ଜଞ୍ଜାଳ ରୁ ମୁକ୍ତି ତା'କୁ ମିଳିଯାଇଛି ଭାବି ସେସବୁକୁ ଭୁଲି ଯାଇ ଖୁସି ହେଇଯାଉଥିଲା। ମନରେ କିନ୍ତୁ ବାରମ୍ବାର ଅନିଚ୍ଛା ସତ୍ତ୍ୱେ ନିଜ ବୋହୂର ଛବି ଟା ଚାଲିଆସୁଥିଲା। ରଙ୍ଗ ଟିକେ କମ୍ ହୋଇଛି ବୋଲି ମନ ଉଣା କରିନଥାନ୍ତା, ଯଦି ପ୍ରତିମା ର ବୋହୁ ଭଳି ସବୁ ସମ୍ଭାଳି ନେଇଥା୍ନ୍ତା ଦୁଇବର୍ଷ ହେଲାଣି, ତା'ର ଯୋଉ ଅବସ୍ଥା ଥିଲା,ସେଇ ଅବସ୍ଥା, ସବୁ ତାକୁଇ କରିବାକୁ ପଡ଼ୁଛି। ଅବଶ୍ୟ ତା'କଥା କିଛି ଭାଙ୍ଗେନି ତା'ବୋହୁ ନିନୁ, ହେଲେ,ସବୁ କଥାରେ ପଛଘୁଞ୍ଚା " ବୋଉ ,ତୁମେ କର,ମୁଁ ଦେଖିବି,ଶିଖିବି,ସବୁ ଯୋଗାଡ କରିକି ଦେଉଛି।" ଏତକ ଶୁଣି ବିରକ୍ତି ରେ ସୁରମା ମନେ ମନେ ଭାବେ–ଘରେ କଣ କିଛି ଶିଖିନି? ହେଲେ ଅଶାନ୍ତି ନ ହଉ ଭାବି ଜିଭ ତା'ର ଲେଉଟେନି କିଛି କହିବାକୁ।

     ପୁଅ କୁ ଟିଫିନ କରିବା ଠୁ ଆରମ୍ଭ କରି ପରିବା କଣ ଆସିବ,କଣ ରନ୍ଧା ହବ ,ସବୁ ବୁଝେ ସୁରମା। ମନେ ମନେ ଭାବେ,ଗୋଟିଏ ବୋଲି ପୁଅ,ସିଏ ବି ଵୋହୁ ସାଙ୍ଗରେ ତାଳ ଦେଉଛି। ଟଙ୍କା ତକ ତାକୁଇ ଧରେଇ ଦେଇ,ଦୁଇଜଣ ଯାକ ଫୁଲା ଫାଙ୍କିଆ ହେଇ ବୁଲୁଛନ୍ତି ଯେତେଦିନ କରିପାରିବ,ଚଳେଇଦେଵ,ନ ପାରିଲେ ଦେଖାଯିବ,ଭାବିକି ଚୁପ ରହେ। ସୁମନ୍ତ ବି ସବୁ ଦେଖିକି ,ନ ଦେଖିଲା ଭଳିଆ ରହିଯାଆନ୍ତି, ସେକଥା କିଛି ଉଠେଇଲେ, କିଛି ନା କିଛି ଆଳ ଦେଖାଇ କଥାଟାକୁ ଆଡେଇ ଦିଅନ୍ତି

     କଟକ ରେ ପହଞ୍ଚୁ ପହଞ୍ଚୁ ଭୋର ହୋଇଯାଇଥିଲା,ପ୍ରତିମା କୁ ହଲାଇ ଉଠାଇଦେଇ ଦୁଇ ଭଉଣୀ ଟ୍ୟାକ୍ସି କରି ଘରମୁହାଁ ହୋଇଯାଇଥିଲେ । ପୁଣି ସୁରମା ର କଥା ଲମ୍ବିଯାଇଥିଲା ତା'ରି ବୋହୁ ଉପରକୁ–କହି ଚାଲିଲା,ଚାଲେ,ଆଜି ମୋ ଘରେ ଦେଖିବୁ,ଏତେବଡ ପଞ୍ଚୁକ ଟାରେ ଚଉରା ସେମିତି ପଡିଥିବ,ମୁରୁଜ ତ ନିନୁ ପକାଏନି, ଦୁଇ ବର୍ଷ ହେଲା ବାହାଘର ହେଲାଣି,ଥରେ ବି ପକେଇନି। ସବୁ ମୁଁ କରେ,ଠାକୁର ପୂଜା ପାଇଁ ସବୁ ସଜାଡ଼ି ଦିଏ,ହେଲେ ମୁରୁଜ କି ଚିତା ପକା କଥା କହିଲେ,କହିବ,ଆପଣ କରନ୍ତୁ ,ମୁଁ ଦେଖୁଛି,ଶିଖୁଛି। ଆସେନି ବୋଲି ଜମାରୁ କହେନି,ମୁଁ ଶୁଣିକି  କିଛି କହେନି,ସବୁ ବର୍ଷ ଭଳି ପକେଇଦିଏ। ଏତକ ଶୁଣି ଏଥର ପ୍ରତିମା କହିପକାଇଲା –ଅପା, ତୁ ବୁଢ଼ୀ ଙ୍କ ଭଳିଆ କ'ଣ କଥା କହୁଛୁ? ତୋ ବୋହୁ କୁ ଝିଅ ଭଳିଆ ଭାବେ ,ତୋ ମନରୁ ଅଶାନ୍ତି ଚାଲିଯିବ। ତୋ କଥା ତ ତୋ ବୋହୁ ସବୁ ମାନୁଛି,ସବୁ ତତେ ପଚାରିକି କରୁଛି,ଖାଲି ତୋ ଦାୟିତ୍ୱ କିଛି ନେଇନି। ତା'ଛଡା ତୁ ତ ଏତେ ବୁଢ଼ୀ ହେଇନୁ ଯେ ସିଏ ସବୁ ଏବେଠୁ ବୁଝିବ ପ୍ରତିମା ର କଥା କୁ କାଟିକି ସୁରମା କହିପକାଇଲା–ମୁଁ କାହିଁକି ବୁଢ଼ୀ ହେବିବା? ବୁଢ଼ୀ ହଉ ମୋ ଶତ୍ରୁ। ତା'ପରେ ଦୁଇ ଭଉଣୀ ଙ୍କ ର ହସ ରେ ଟ୍ୟାକ୍ସି ଟା କମ୍ପି ଉଠିଥିଲା।

           ଟ୍ୟାକ୍ସି ରୁ ଓହ୍ଲାଇ ଗେଟ୍ ଖୋଲୁ ଖୋଲୁ ସୁରମା ର ଆଗ ଆଖି ଚାଲିଯାଇଥିଲା ତା'ଚଉରା ପାଖକୁ। ଆଶ୍ଚର୍ଯ୍ୟ ହୋଇ ଟିକେ ଅଟକି ଯାଇଥିଲା,ଭଲ କରି ଆଖି ମଳି ମଳି ସୁନ୍ଦର ମୁରୁଜ କୁ ଆଖିପୁରାଇ ଟିକେ ଦେଖିଲା,ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା, ପରେ ଅବଶ୍ୟ ସହଜ ହୋଇ ଭାବି ଦେଇଥିଲା ଯେ,ତା'ଝିଅ ଶ୍ରୀ ବୋଧହୁଏ ତାକୁ ସରପ୍ରାଇଜ ଦେବା ପାଇଁ ଚାଲି ଆସିଛି, ଶ୍ରୀ ମଧ୍ୟ ଏତେ ସୁନ୍ଦର ମୁରୁଜ ପକାଏନି ଭାବି ଭାବି ଘର ଭିତରକୁ ପ୍ରତିମା ସାଙ୍ଗରେ ପସିଆସିଥିଲା। ପ୍ରତିମା କିଛି କହିବା ପୂର୍ବରୁ ସୁରମା କହିଉଠିଥିଲା–ଚାଲେ,ସେଇ ଶ୍ରୀ ଟା ଆସିଛି ବୋଧେ,ଫୋନ ରେ ତ କିଛି କହୁନ ଥିଲା! ପ୍ରତିମା କିନ୍ତୁ ଯାଉ ଯାଉ ବୁଲି ବୁଲି ସେଇ ମୁରୁଜ କୁ ଦେଖିଚାଲିଥିଲା।

                ଘର ଭିତରେ ପସୁ ପସୁ ନିନୁ ହାତରେ ଟ୍ରେ ଟି ଧରି, ଦୁଇଟି ଗ୍ଲାସ ପାଣି ଓ ଜଗ ରେ ଗରମ ପାଣି ଧରି ଚାଲି ଆ ସିଥିଲା, ସୁରମା ସକାଳୁ ଉଷୁମ ପାଣି ପିଅନ୍ତି ବୋଲି। ସୁରମା ପାଣି ପିଇସାରି ପ୍ରତିମା କୁ ଚା ପିଇବା କୁ ପଚାରୁ ପଚାରୁ ଚାରିକପ୍ ଚା ଧରି ନିନୁ ଚାଲିଆସିଥିଲା। ଶଶୁର ଙ୍କ ହାତକୁ ଗୋଟେ କପ୍ ପ୍ରଥମେ ବଢ଼ାଇ ଦେଉ ଦେଉ ସୁରମା ଙ୍କର ସୁଗାର ଫ୍ରି ଚା'ଟା ବାମ ପଟେ ରଖିଛି ବୋଲି କହିଦେଇଥିଲା। ଚା କପ୍ ଟା ଉଠାଉ ଉଠାଉ ସୁରମା ଶ୍ରୀ କୁ ଖୋଜିବସିଲେ। କୁଆଡେ ଗଲା ଶ୍ରୀ ,ଆମକୁ ସରପ୍ରାଇଜ ଦେବାକୁ ଚାଲିଆସିଛି, ମୁଁ ଜାଣିପାରିଛି ଯେ,ଏତକ କହି ସୁମନ୍ତ ଙ୍କ ମୁହଁକୁ ଚାହିଁବାରୁ ,ତାଙ୍କର ଆଶ୍ଚର୍ଯ୍ୟ ବୋଳା ମୁହଁଟା କେମିତି ଅଡ଼ୁଆ ଲାଗିଥିଲା ତାକୁ।

   ତୁମେ କ'ଣ ସ୍ବପ୍ନ ଦେଖୁଛ? ଦିନ ସାତଟା ବାଜିବାକୁ ବସିଲାଣି,ନିଦ ଛାଡିନି ତମର ନା କ'ଣ? ସୁମନ୍ତ ଙ୍କର ଏଇକେତେପଦ କଥା ଶୁଣି ଆହୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସୁରମା। ଆଉ କିଛି କହିବା ପୂର୍ବରୁ ଚା କପ୍ ଟି ମୁହଁ ପାଖକୁ ନଉ ନଉ ପ୍ରତିମା ପଚାରିଦେଇଥିଲା–ଭାଇ,ଶ୍ରୀ ଆସିନି କି? ଶ୍ରୀ କୁଆଡୁ ଆସିବ? ତା'ଘରେ ତ ପ୍ରତି ବର୍ଷ ପରି କୁଣିଆ ଭର୍ତ୍ତି। ହଠାତ ତାକୁ କାହିଁକି ଦୁଇ ଭଉଣୀ ଯାକ ଖୋଜିପକାଉଛ? ହଁ,ସେକଥା ଅଲଗା ଯେ,ତୁ ଆସିଛୁ ଜାଣିଲେ, ଦେଖାକରିବାକୁ କିଛି ସମୟ ପାଇଁ ଆସି ପାରେ ଏତକ ସୁମନ୍ତ ଙ୍କ ମୁହଁରୁ ଶୁଣି ପ୍ରତିମା ର ଆଖି ସୁରମା ର ମୁହଁ ଉପରକୁ ଚାଲିଯାଇଥିଲା, ଆଉ ସୁରମା ର ଆଶ୍ଚର୍ଯ୍ୟ ଚକିତ ଆଖି ଦୁଇଟା ଯେମିତି କିଛି କହିବାକୁ ଯାଇ ଶବ୍ଦ ଖୋଜି ପାଉ ନଥିଲା!

    କିଛି ସମୟ ପରେ ନୀରବତା କୁ ଭାଙ୍ଗି,ସୁରମା ପଚାରିଦେଇଥିଲା –ଆରେ, ତା'ହେଲେ ଚଉରା ପାଖରେ ସେ ମୁରୁଜ କିଏ ପକେଇଛି? ସେତିକି ବେଳେ ଘର ଭିତରକୁ ହସି ହସି ପସିଆସିଥିଲା ସୌଭାଗ୍ୟ, ଆଉ ସୁରମା ପାଖରେ ବସୁ ବସୁ କହିପକାଇଲା–କିଏ ଆଉ ପକେଇବ? ଆମ ଘରେ କେତେଜଣ ସ୍ତ୍ରୀ ଲୋକ ଅଛନ୍ତି କହିଲୁ? ତୋ ବୋହୁ ରାତି ରୁ ଉଠି ତୋ କାମ ସବୁ କରିଦେଇଛି। ଠିକ କରି ହେଇଛି କି ନାହିଁ ଖାଲି ଟିକେ ଦେଖି ଦେ। ସୁରମା ନିଜ କାନ କୁ ବିଶ୍ୱାସ କରିପାରୁଥିଲା,ଯେତେବେଳେ ସୁମନ୍ତ ଙ୍କ ମୁହଁକୁ ଚାହିଁଦେଇଥିଲା,ସେଠି ସନ୍ତୋଷ ର ଛାପ ଦେଖିପାରିଥିଲା,ହେଲେ ମନ ଭିତରେ ତା'ର ଅନେକ ପ୍ରଶ୍ନ ଯେମିତି ଆଉଟୁ ପାଉଟୁ ହୋଇଯାଉଥିଲା–ଯଦି ନିନୁ ଏଡ଼େ ସୁନ୍ଦର ମୁରୁଜ ପକାଇ ଜାଣିଛି,ତା'ହେଲେ କାହିଁକି ଦୁଇବର୍ଷ ହେଲା ଥରେ ବି ପକାଉନଥିଲା ସବୁ ତାକୁ କରିବା କୁ କହି,ଶିଖୁଛି ବୋଲି କହି ଆଡେଇ ଦେଉଥିଲା ଅଳସୁଆ ତ ଜମାରୁ ନୁହେଁ,ଯେ ସେକଥା ବି ସିଏ ଭାବିଦେଵ ତା'ହେଲେ...କ'ଣ ତା' ମନରେ ଥିଲା? ଭାବୁ ଭାବୁ ଚା'ପର୍ବ ସରି ଯାଇଥିଲା।

          ନିତ୍ୟକର୍ମ ଶେଷ କରି ସୁରମା ଜଳଖିଆ କରିବା ପୂର୍ବରୁ ସୁମନ୍ତ ଙ୍କୁ ଟିକେ ନିରୋଳା ରେ ପଚାରିଦେଇଥିଲା–ମୋ ପୁଅ ର ଟିଫିନ୍ କିଏ କରୁଥିଲା ନା ବାହାରୁ ମଗା ହଉଥିଲା, ଆଉ ତମର ଡାଇବେଟିସ ଖାଦ୍ୟ ବି ଠିକ ଠାକ୍ ଚାଲୁଥିଲା ନା ନାହିଁ? ଏଥର ସୁମନ୍ତ ଟିକେ ଜୋରରେ ହସିପକାଇଥିଲେ,ଆଉ ସୁରମା ଙ୍କର କାନ୍ଧ ଥାପୁଡ଼େଇ ଦେଇ କହିଉଠିଥିଲେ–ଆରେ, ତୁମ ବୋହୁ ସବୁ ସମ୍ଭାଳି ନେଇଥିଲା। ତୁମ ପୁଅ ଆଉ ମୋର କୋଉଥିରେ ବି ଟିକେ କିଛି ଅସୁବିଧା ହୋଇନି। ହେଇ ଦେଖୁନ, ଏଇ ସାତ ଦିନ ଭିତରେ ଆମେ ବାପ ପୁଅ ଦୁଇ କିଲୋ ଲେଖାଏଁ ବଢି ଗଲୁଣି। ତୁମ ଠାରୁ ଆହୁରି ସୁନ୍ଦର ରାନ୍ଧୁଛି,ଆଉ ତା'ମୁରୁଜ ପକା ତ ଦେଖିଲଣି, ଏଥର କୁହ ମୋ ପୁଅ ର ପସନ୍ଦ କେମିତିକା? ସୁରମା ଏ ସବୁକୁ ଏତେ ସହଜ ରେ ନେଇ ପାରୁନଥିଲା, ସେଥିପାଇଁ ସକାଳ ର ଖାଇବା ସମୟ ରେ ,ସମସ୍ତଙ୍କ ଆଗରେ ସୌଭାଗ୍ୟ କୁ ପଚାରିଦେଇଥିଲା–ଆରେ, ତୋର କ'ଣ ସତରେ କିଛି ଅସୁବିଧା ହେଉନଥିଲା ମୁଁ ନଥିବା ବେଳେ? ନିନୁ ଯଦି ସବୁ କରିପାରିଲା ଏଇ ସାତ ଦିନ ଭିତରେ, ତା'ହେଲେ ଗଲା ଦୁଇବର୍ଷ ହେଲା କାହିଁକି କିଛି କରୁନଥିଲା? ସବୁଥିରେ ମୋର ହେଲ୍ପର୍ ଭଳିଆ ରହୁଥିଲା! ତୁ କ'ଣ ତାକୁ ମନାକରିଥିଲୁ?

         ସୁରମା ଙ୍କର ଏମିତିଆ ପ୍ରଶ୍ନ ସମସ୍ତ ଙ୍କ ଆଗରେ ଶୁଣି ସୌଭାଗ୍ୟ ହଠାତ ସାମାନ୍ୟ ଅପ୍ରସ୍ତୁତ ହୋଇଯାଇଥିଲା,କିଛି କହିବା ଆଗରୁ ସୁମନ୍ତ କହିଉଠିଥିଲେ–ତମେ ,ଟିକେ ଶାନ୍ତିରେ ଖାଇଦିଅ, ଆମେ ସମସ୍ତେ ବି ଖାଇଦେଉ,ମୁଁ କହିବି। ଯଦିଓ ଏତେ ଉତ୍କଣ୍ଠା ରେ ସୁରମା ର ଖାଇବାକୁ ଟିକେ ବି ଇଛା ନ ଥିଲା,ତଥାପି,ସମସ୍ତଙ୍କ ପାଇଁ ତର ତର ହୋଇ ଅଳ୍ପ ସମୟ ରେ ଖାଇ ଦେଇଥିଲା। ସମସ୍ତଙ୍କର ଖାଇବା ପ୍ରାୟ ସରି ଆସୁ ଆସୁ ସୁମନ୍ତ ଆରମ୍ଭ କରିଥିଲେ–ଦେଖ,ଟିକେ ଧୈର୍ଯ୍ୟ ଧରି ଶୁଣିବ,ଆଉ ବୁଝିବା କୁ ଚେଷ୍ଟା କରିବ,ପ୍ରତିମା ବି ଅଛି,ଭଲ ହେଲା,ତୁମକୁ ଆଉ ଟିକେ ଭଲ କରି ବୁଝାଇ ଦେବ। ତୁମ ପୁଅ ତ ବହୁତ ବର୍ଷ ଆଗରୁ ନିନୁ କୁ ଜାଣିଥିଲା, ତୁମ ବିଷୟରେ ସବୁ ଟିକିନିଖି କରି କହିଥିଲା,ତମ ପସନ୍ଦ,ନା ପସନ୍ଦ ସବୁ। ତା'ବାହାଘର ଠିକ ହେବା ପରେ ଥରେ ତୁମେ ପ୍ରତିମା ସାଙ୍ଗରେ ଫୋନ ରେ କଥା ହେଉଥିଲାବେଳେ ସିଏ ଶୁଣିଥିଲା, ତୁମେ କହୁଥିଲ ଯେ-ଓଡ଼ିଆ ଘରେ ଯୋଉ ପ୍ରଥା ଅଛି,ବର ହାତରେ ଚାଉଳ ଆଞ୍ଜୁଳି ଘରୁ ବାହାରିଲା ବେଳେ ମା ଦେଲା ବେଳେ ,ମା କାନ୍ଦେ,ତାର କାରଣ,ତା'ର ପୁଅ ଉପରୁ ସେଇଦିନ ସବୁ ଅଧିକାର ସରିଯାଏ,ମା ହାତରୁ ସ୍ତ୍ରୀ ହାତକୁ ସବୁ ଦାଇତ୍ୱ ଓ ଅଧିକାର ଚାଲିଯାଏ। କେତେ କଷ୍ଟ ଭାବିଲୁ,ସେଇଟା ସିନା ଖାଲି କଥା କୁ ଥିଲା,ଆଜିକାଲି ତ ସତରେ ସେଇଆ ହଉଛି, ଆଉ କ'ଣ ପୁଅ ମା ର ହୋଇ ରହୁଛି? ଘର ଟା ପରା ବୋହୁ ଟା ର ହେଇଯାଉଛି,ଯିଏ ପାଖରେ ରହିଲା,ତାର ରାଜୁତି,ଆଉ ଯିଏ ବାହାରକୁ ଗଲା, ତା ' କଥା ତ ଛାଡ଼ ସାମାନ୍ୟ ରହିଯାଇ ସୁମନ୍ତ କହି ଚା ଲିଲେ,ସେଇ କଥା ଟି ତୁମ ପୁଅ ନିନୁ କୁ କହିଥିଲା,ଆଉ ଦୁହେଁ ବାହାଘର ପରେ ସ୍ଥିର କରିଥିଲେ ଯେ ,ଯେମିତି ଆଗରୁ ସବୁ ତୁମେ ଦାୟିତ୍ୱ ନେଇ କରୁଥିଲ,ସେମିତି କରିବ। ସିଏ କେବଳ ତୁମକୁ ସାହାଯ୍ୟ ତା ' ପାରୁପର୍ଯ୍ୟନ୍ତ କରିଚାଲିବ। ଆଉ ଦୁହେଁ ତୁମକୁ ଖୁସି କରିବା କୁ ଯାଇ ଏମିତି କରିଚାଲିଥିଲେ,ତୁମେ ତ ଦିନେ ହେଲେ କିଛି ମୁହଁ ଖୋଲି କହିନଥିଲ ତାକୁ ଦାୟିତ୍ଵ ନେବାକୁ ତୁମେ ନ ଥିବା ବେଳେ ମୁଁ ବହୁତ କଷ୍ଟରେ ତୁମ ଅଶାନ୍ତି କୁ ଜଣା ଇ ସୌଭାଗ୍ୟ ପାଖରୁ ଏଇ ଦୁଇଦିନ ତଳେ କଥା ବାହାର କରିଲି,ଯେତେବେଳେ ଦେଖିଲି ନିନୁ ତୁମର ସବୁ ଦାୟିତ୍ୱ ସୁନ୍ଦର ଭାବରେ କରିଚାଲିଥିଲା।

              ଡାଇନିଂ ହଲ ରେ ପୁରାପୁରି ନିସ୍ତବ୍ଧତା ଛାଇ ଯାଇଥିଲା,ସମସ୍ତେ ଯେମିତି ଶବ୍ଦ ଖୋଜୁଥିଲେ କଥା ଆରମ୍ଭ କରିବାକୁ। କିଛି ସମୟ ପରେ ନିସ୍ତବ୍ଧତା କୁ ଭାଙ୍ଗି ପ୍ରତିମା ହସି ହସି କହିଉଠିଥିଲା–ଆରେ ନିନୁ,ତୋ'ଶାଶୁ କୁ ସବୁ ଦାୟିତ୍ୱ ରୁ ଏଥର ମୁକ୍ତି ଦେ। ସବୁତ କେଡେ ସୁନ୍ଦର କରିପାରୁଛୁ। ପ୍ରତିମା କଥାରେ ତାଳ ଦେଇ ସୁରମା କହିପକାଇଥିଲା–ହଁ ଲୋ ନିନୁ,ସବୁ ଦାୟିତ୍ୱ ଏଥର ତୋର,ମୁଁ ମୋ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବି। ଆତ୍ମସନ୍ତୋଷ ର ହସଟିଏ ଯେମିତି ସମସ୍ତ ଙ୍କ ମୁହଁରେ ଖେଳି ଯାଇଥିଲା,ଆଉ ସୁରମା ଭାବୁଥିଲା–ରଙ୍ଗ ଟିକିଏ ଉଣା ହେଲେ କ'ଣ ହେବ,ତା'ବୋହୁ ଭଳି କେହି ନାହିଁ       


Rate this content
Log in

Similar oriya story from Abstract