Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Thriller

2.5  

Binaya Bhusan Panigrahi

Thriller

ବର୍ଷାତି

ବର୍ଷାତି

8 mins
469


ଗତକାଲି ର କିଛି ବଳକା କାମ ସାରୁସାରୁ ଟିକେ ଡେରି ହେଇଗଲା। ଟାଉନବସ୍ ଠିକ ସାଢ଼େପାଞ୍ଚଟା ରେ ଚାଲିଯାଏ। ତା'ପରେ ଅବଶ୍ୟ ଆଉଗୋଟେ ବସ ଥାଏ ହେଲେ,ସେଇଟି ସେତେ ନିୟମିତ ନୁହେଁ।ସନ୍ଧ୍ୟା ପରେ କାଁ ଭାଁ ଅଟୋରିକ୍ସା ଯା'ଆସ କରନ୍ତି କିନ୍ତୁ ପାଗ ଖରାପ ରହିଲେ ଅଟୋ ଚଳାଚଳ ପ୍ରାୟ ବନ୍ଦ ରହେ। ଆଜି ଘରୁ ବାହାରିଲା ବେଳକୁ କାର ଷ୍ଟାର୍ଟ ନ ନେବାରୁ ଡକ୍ଟର ଦାଶ ଙ୍କ କାରରେ ହସ୍ପିଟାଲ ଆସିଥିଲେ ଏସ ସି ବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ ପ୍ରଫେସର ଡ଼ଃ. ବିକାଶ ଚୌଧୁରୀ। ଡ଼ଃ. ଦାଶ କ୍ଲାସ ସରିବା ପରେ ୱାର୍ଡ ଭିଜିଟ ସାରି ପାଞ୍ଚଟା ସୁଦ୍ଧା ଫେରିଯାନ୍ତି ଚୌଦ୍ୱାର ରେ ଥିବା ନିଜ ପ୍ରାଇଭେଟ ନର୍ସିଂହୋମ କୁ। ମହାନଦୀ ବ୍ୟାରେଜ ପାରହେଲା ପରେ ଜଗତପୁର ଗୋଲେଇ ଆଡକୁ ଅତି ବେଶିରେ ତିନିଶହ ମିଟର ଗଲେ ନିମପୁର କ୍ଲବ ସାଇଡ଼ରେ ଚୌଧୁରୀ ବାବୁଙ୍କ ବାସଭବନ। ପାଦରେ ଚାଲିଚାଲି ଘରକୁ ଯିବାପାଇଁ ମାନସିକ ପ୍ରସ୍ତୁତି ନେଇ ଅଫିସରୁ ବାହାରିଲା ବେଳକୁ ଟୋପେଟୋପେ ବର୍ଷା ପଡିବା ଆରମ୍ଭ ହେଇ ଯାଇଥିଲା। ଚୌଧୁରୀ ବାବୁ ଚନ୍ଦା ମୁଣ୍ଡ ଉପରୁ ହାତ ବୁଲେଇ ଆଣି ଉପରକୁ ଅନେଇଲେ। ଆକାଶ ମେଘାଚ୍ଛନ୍ନ ଥିଲା।ଉତ୍ତର-ପୂର୍ବ କୋଣରେ ପ୍ରବଳ ବିଜୁଳି ମାରୁଥିଲା। କିଛି ଝଡିପୋକ ଉଡିବା ଆରମ୍ଭ କରିଦେଇଥିଲେ। ପ୍ରବଳ ବର୍ଷା ହେବାର ସମସ୍ତ ପ୍ରାକ ସୂଚନା ମିଳୁଥିଲା। ବର୍ଷା ବଢିବା ଆଗରୁ ଘରେ ପହଞ୍ଚି ଯିବା ଦରକାର, ପାଦର ଗତି ବଢ଼େଇଲେ ଚୌଧୁରୀ ବାବୁ।

ଅଧାଅଧି ବାଟ ଆସି ଯୋବ୍ରା ଛକରେ ପହଁଚିଲା ବେଳକୁ କିଛି ମାତ୍ରାରେ କ୍ଲାନ୍ତ ଅନୁଭବ କରି ରାସ୍ତାକଡ଼ରେ ବନ୍ଦ ଥିବା ଗୋଟିଏ ଦୋକାନଘରର ବାରଣ୍ଡା ଉପରକୁ ଉଠିଯାଇ ଇଟା-ସିମେଣ୍ଟ ତିଆରି ପିଣ୍ଡି ଉପରେ ବସିପଡି ଦୀର୍ଘ ନିଶ୍ୱାସଟିଏ ନେଲେ। ବର୍ଷା ଆଗ ଅପେକ୍ଷା ସାମାନ୍ୟ ବଢିଥିଲା। "ନା, ଆଉ ଚାଲିକରି ଯିବା ସମ୍ଭବ ନୁହେଁ, ପୁରା ଭିଜିଯିବି। କିଛି ସମୟ ଅପେକ୍ଷା କରିଗଲେ ଭଲ ହେବ। ଅଦିନ ବର୍ଷା, କିଛି ସମୟ ହେଇ ଛାଡିଯିବ ନିଶ୍ଚୟ।" ମନକୁ ମନ କହି ଆଶ୍ୱସ୍ତ ହେଲେ ଚୌଧୁରୀ ବାବୁ।

ସନ୍ଧ୍ୟା ହେଇ ସାରିଥିଲା। ପାଖାପାଖି ଶହେଗଜ ଦୂରରେ ଥିବା ବତୀଖୁଣ୍ଟର ଦପଦପ ହେଇ ଜଳୁଥିବା ବଲ୍ବ ର ଝାପ୍ସା ଆଲୁଅ ଦୋକାନ ସାମ୍ନାର ଅନ୍ଧକାରକୁ କିଛିମାତ୍ରାରେ ପ୍ରତିହତ କରୁଥିଲା। ସହରର ଏଇ ରୁଟ ରେ ଅଳ୍ପ କେତୋଟି ଟାଉନ ବସ ଯା'ଆସ କରନ୍ତି । ସେଇସବୁ ବସ ମାନଙ୍କର ଯାତାୟାତ ସମୟ ବାବଦରେ ଅବଗତ ନ ଥିଲେ ବି ପରବର୍ତ୍ତୀ କିଛି ସମୟ ଭିତରେ ବସଟିଏ ମିଳିଯିବ ବୋଲି ଚୌଧୁରୀ ବାବୁଙ୍କର ଦୃଢ଼ ବିଶ୍ୱାସ ଥିଲା।

ପାଞ୍ଚ-ସାତ ମିନିଟ ପରେ ଦ୍ରୁତଗତିରେ ଆସୁଥିବା ମୋଟର ବାଇକଟିଏ ସେଇ ଦୋକାନ ସାମ୍ନାରେ ଅଟକିଲା। ବର୍ଷାତି ପରିହିତ ଚେହେରାଟିଏ ବାଇକର ଷ୍ଟାଣ୍ଡ ମାରି ଦୋକାନ ବାରଣ୍ଡା ଉପରକୁ ଉଠୁଉଠୁ ପ୍ରଶ୍ନ କଲା,"କିଏ? ଅନ୍ଧାରରେ ଏଠି କଣ କରୁଛନ୍ତି?"

କହିବା ସଙ୍ଗେ ସଙ୍ଗେ ପକେଟରୁ ମୋବାଇଲ ବାହାର କରି ଟର୍ଚ୍ଚ ଲାଇଟ ଅନ କରି ଚୌଧୁରୀ ବାବୁଙ୍କ ମୁହଁ ଉପରେ ପକେଇ ସାରିବା ପରେ କହିଲା,"ସାର ନମସ୍କାର। ଅନ୍ଧାରରେ ଜାଣିପାରିଲିନାହିଁ ବୋଲି ପଚାରି ଦେଲି,ପ୍ଲିଜ ଡୋଣ୍ଟ ମାଇଣ୍ଡ ସାର।"

"ବର୍ଷା ଯୋଗୁଁ ଏଠି ଅଟକି ଯାଇଛି,ବସକୁ ଅପେକ୍ଷା କରୁଛି। ହେଲେ.....,କ୍ଷମା କରିବେ,ଆପଣଙ୍କୁ ଜାଣିପାରୁନି ଆଜ୍ଞା। ଅନ୍ଧାରରେ...."

ଚୌଧୁରୀ ବାବୁଙ୍କୁ କଥା ସାରିବାକୁ ନଦେଇ ବ୍ୟକ୍ତି ଜଣଙ୍କ ସିଗାରେଟ ରେ ଅଗ୍ନି ସଂଯୋଗ କରିବା ପାଇଁ ଜଳାଇଥିବା ଲାଇଟର କୁ ନିଜ ମୁହଁ ପାଖକୁ ନେଇ ଚୌଧୁରୀ ବାବୁଙ୍କ ଆଡକୁ ଚାହିଁ ସିଗାରେଟ ରେ ଅଗ୍ନି ସଂଯୋଗ କଲେ। ପୁଳାଏ ଧୂଆଁ ଭିତରକୁ ନେଇ ବାହାର କରୁକରୁ କହିଲେ," ନାହିଁ ସାର,ଆପଣ ମୋତେ ଜାଣିନାହାନ୍ତି ହେଲେ ମୁଁ ଆପଣଙ୍କୁ ପ୍ରାୟ ପନ୍ଦର ବର୍ଷ ତଳୁ ଜାଣେ ,ଆପଣ ଯେଉଁ ସମୟରେ ବ୍ରହ୍ମପୁର ମେଡ଼ିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଥିଲେ ସେଇ ସମୟରୁ। "

ଆବଶ୍ୟକତା ନଥାଇ ବି କାହିଁକି କେଜାଣି ,ଚୌଧୁରୀ ବାବୁ ପନ୍ଦର ବର୍ଷ ପଛକୁ ଫେରି ବ୍ରହ୍ମପୁର ସହରର ପରିଚିତ ସମସ୍ତ ଗଳିକନ୍ଦି ଭିତରେ ଯୁବକ ଜଣଙ୍କୁ ଖୋଜିବାର ଯତପରୋନାସ୍ତି ପ୍ରୟାସ କରୁଥିଲେ, ପାଇପାରୁ ନଥିଲେ କେଉଁଠି କିନ୍ତୁ।

ବର୍ଷା ବଢିବା ସହ ପବନର ଗତି ମଧ୍ୟ କ୍ରମଶଃ ବଢିବାକୁ ଲାଗିଲା। ବର୍ଷା ଛିଟାରେ ଚୌଧୁରୀ ବାବୁଙ୍କ ଶରୀରର ନିମ୍ନଭାଗ ଭିଜିଯିବା ହେତୁ ଥଣ୍ଡାରେ ଶରୀର ସାମାନ୍ୟ ଥରି ଉଠିଲା। ଜାକିଜୁକି ହେଇ ଆଉଟିକେ କାନ୍ଥ ଆଡକୁ ଘୁଞ୍ଚିଯିବା ବେଳକୁ ଯୁବକ ଜଣକ ପରିଧାନ କରିଥିବା ବର୍ଷାତି ବାହାର କରି ତାଙ୍କ ଆଡକୁ ବଢ଼ାଇ ଦେଉଦେଉ କହିଲା," ଇଫ ୟୁ ଡୋଣ୍ଟ ମାଇଣ୍ଡ,ୟୁ କାନ ଟେକ ଦିସ ଟୁ କିପ ୟୁଅରସେଲ୍ଫ କୋମ୍ଫୋଟେବଲ ସାର। ଓଦା ହେବାରେ ମୋତେ କିଛି ପ୍ରବ୍ଲେମ ନାହିଁ।" ,ସ୍ୱରରେ କେମିତି ଏକ ଭିନ୍ନ ଧରଣର ଆପଣାପଣ ଭରିରହିଥିଲା ଯାହା ଖୁବ ସହଜରେ ଆଦୌ ସମୟ ନ ନେଇ ଚୌଧୁରୀ ବାବୁଙ୍କ ମନ ଭିତରେ ବର୍ଷାତିଟିକୁ ଗ୍ରହଣ କରିବା ନକରିବାର ଦ୍ଵନ୍ଦ ର ସମାଧାନ କରିଦେଲା। ସେ ବର୍ଷାତି ପିନ୍ଧିବା ଭିତରେ ଯୁବକ ଜଣକ ଆଉଗୋଟେ ସିଗାରେଟ ବାହାର କରି ମୁହଁରେ ଗୁଞ୍ଜି ଲାଇଟର ଜାଳି ମୁହଁ ପାଖକୁ ନେଲାବେଳେ ଚୌଧୁରୀ ବାବୁ ଯୁବକଙ୍କ ମୁଖମଣ୍ଡଳ ଉପରେ ଖୁବ ଭଲକରି ଥରେ ଦୃଷ୍ଟି ପହଁରାଇ ଆଣିଲେ। ଏବେ ତାଙ୍କୁ ଲାଗିଲା ଚେହେରାଟିକୁ ସେ ଆଗରୁ କେବେ କେଉଁଠି ଦେଖିଛନ୍ତି ,ସ୍ପଷ୍ଟ ମନେ ପଡୁ ନଥିଲା। ନିବିଷ୍ଟ ଚିତ୍ତରେ ସେ ବିଷୟରେ ଭାବୁଥିଲା ବେଳେ ନୀରବତା ଭଙ୍ଗ କରି ଯୁବକ କହିଲେ, "ହାଓଏଭର ସାର, ଆଏ ଆମ ଫିଲିଙ୍ଗ ସୋ ଫାଇନ ଆଣ୍ଡ ରିଲାକ୍ସଡ଼ ନାଓଁ। ଦୀର୍ଘ ପନ୍ଦର ବର୍ଷଧରି ବୋହିଚାଲିଥିବା ଗୋଟେ ବୋଝ ଆଜି ମୁଣ୍ଡରୁ ଓହ୍ଲେଇ ଗଲା। "

ଆଶ୍ୱସ୍ତି ଭରା ଖୁବ ଦୀର୍ଘ ଦୀର୍ଘଶ୍ଵାସଟିଏ ଛାଡି ଯୁବକ ଜଣକ ପୁଣି କହିଲେ," ବର୍ଷା ଛାଡିବା ପରି ମନେ ହେଉନି,ଲାସ୍ଟ ସିଟିବସ ଆସିବା ସମୟ ହେଇଗଲାଣି,ଅଳ୍ପ ସମୟ ଭିତରେ ଆସିଯିବ। ନ ଆସିଲେ ବି ବ୍ୟସ୍ତ ହେବାର କିଛି କାରଣ ନାହିଁ।

ଆପଣଙ୍କ ବର୍ଷାତି ଟି ଖୁବ ଭଲ, ଭିତରକୁ ଆଦୌ ପାଣି ପଶିବ ନାହିଁ। ମୁଁ ଏଥର ଆସୁଛି ସାର।"

ଚୌଧୁରୀ ବାବୁ ପଦେ ଆଉକିଛି କହିବା ଆଗରୁ ଯୁବକ ଜଣକ ବାଇକରେ ଷ୍ଟାର୍ଟ ମାରି ପଛକୁ ଫେରେଇ ଯେଉଁ ଆଡୁ ଆସିଥିଲେ ସେଇ ଆଡକୁ ଦ୍ରୁତ ଗତିରେ ଯାଇ ମୁହୂର୍ତ୍ତକ ଭିତରେ ଦୃଷ୍ଟି ପରିସର ବାହାର ଅନ୍ଧାର ଭିତରେ ମିଶିଗଲେ।

ସେଇ ଅଳ୍ପ ସମୟ ଭିତରେ ଯାହାକିଛି ଘଟିଗଲା ତାହା ଚୌଧୁରୀ ବାବୁଙ୍କୁ କେମିତି ଗୋଟେ ଗୋଲକଧନ୍ଦା ଭିତରେ ଛନ୍ଦି ପକାଉ ଥିଲା। ଅନତି ଦୂରରୁ ସିଟିବସ ର ହର୍ଣ୍ଣ ଭାବିବାକୁ ସମୟ ଦେଲାନି। ଅଦୂରରୁ ଅନ୍ଧାରରେ ସିଆର କାଟି ଯୋଡ଼ାଏ ଲାଇଟ କ୍ରମଶଃ ନିକଟବର୍ତ୍ତୀ ହେଉଥିଲା। ଯାହାହେଉ, ସିଟିବସ ଆସିଗଲା। ରାସ୍ତାର ଅପର ପାର୍ଶ୍ୱକୁ ଯାଇ ବସକୁ ଅଟକିବା ପାଇଁ ହାତ ମାରିଲେ ଚୌଧୁରୀ ବାବୁ। ବସ ରହିବା ମାତ୍ରେ ତରବରରେ ଉପରକୁ ଉଠିଯାଇ ସାମ୍ନାରେ ଥିବା ଖାଲି ସିଟ ରେ ବସିପଡି କେଇ ମୁହୂର୍ତ୍ତ ତଳର ଅନୁଭୂତି ର ସେଇ ଯୁବକ ଜଣଙ୍କର କଥାରେ ବୁଝି ପାରିନଥିବା ବାକ୍ୟ କୁ ରୋମନ୍ଥନ କରିବା ଭିତରେ ବସ ତାଙ୍କ ଷ୍ଟପେଜ ରେ ପହଞ୍ଚି ଯାଇଥିଲା। କଣ୍ଡକ୍ଟର ହାତକୁ ପାଞ୍ଚ ଟଙ୍କିଆ କଏନଟିଏ ବଢ଼େଇ ଦେଇ ଓହ୍ଲେଇ ପଡି କ୍ଷିପ୍ର ଗତିରେ ଘର ଆଡ଼କୁ ଚାଲିବା ଆରମ୍ଭ କରିଦେଲେ। ବସ ଷ୍ଟପେଜ ଠାରୁ ଘର ଅତିବେଶିରେ ଶହେ ମିଟର ଦୂର।

ଗେଟ ଖୋଲି ଡୋର ପାଖରେ ପହଞ୍ଚି କଲିଂବେଲ ସୁଇଚ ପ୍ରେସ କରିବା ପୂର୍ବରୁ ଦ୍ୱାର ଖୋଲିଗଲା। ପତ୍ନୀ ସୌମ୍ୟା ତାଙ୍କ ଆସିବାକୁ ଚାହିଁ ବସିଥିଲେ ନିଶ୍ଚୟ।

ଘର ଭିତରେ ପଶୁପଶୁ ସୌମ୍ୟା କହିଲେ "ଭଲ ହେଲା,ତମ ସହ ସେ ପିଲାର ଦେଖା ହେଇଗଲା।"

"କୋଉ ପିଲା ! ସେ କଣ ଏଠିକି ବି ଆସିଥିଲା !!" ଚମକି ଉଠିଲା ପରି ପ୍ରଶ୍ନ କଲେ ଚୌଧୁରୀ ବାବୁ।

"ହଁ, ସେ ତ ପାଞ୍ଚଟା ପର୍ଯ୍ୟନ୍ତ ଏଇଠି ଥିଲା । ବର୍ଷା ଆରମ୍ଭ ହେଲାପରେ ତମକୁ ଫୋନ କଲାବେଳକୁ ଫୋନ ଡେଡ଼ ଥିଲା। ତାପରେ ସେ ପିଲା ତମକୁ ଫୋନ କରିସାରି କହିଲା କି ତମେ କୋଉ ଦୋକାନ ପାଖରେ ଅଟକି ରହିଛ। ବହୁତ ବ୍ୟସ୍ତ ଥିଲା, ତମକୁ ବାଟରେ ଦେଖାକରି କଥାହେଇ ଚାଲିଯିବ କହି ବାଇକ ନେଇ ଚାଲିଗଲା। ବେଶ ଭଦ୍ର ଆଉ ସୁଧାର ପିଲାଟିଏ। ତମକୁ ଦେବାପାଇଁ କହି ଏହି ଲଫାଫା ଟି ରଖିଯାଇଛି।"-କହିସାରି ଟି'ପୟ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରି ଚାହା କରିବା ପାଇଁ କିଚେନ କୁ ଚାଲିଗଲେ ସୌମ୍ୟା ।

ଚୌଧୁରୀ ବାବୁ କିଛି ବୁଝି ପାରୁ ନଥିଲେ। ସୋଫା ଉପରେ ବସିପଡି ଟି'ପୟ ଉପରେ ପେପରୱଟ ତଳେ ଥିବା ଲଫାଫା ଟି ଖୋଲି ପଢିବା ଆରମ୍ଭ କରିବା ମାତ୍ରେ ସର୍ବାଙ୍ଗ ଝାଳେଇ ଉଠିଲା, ସମଗ୍ର ମୁଖମଣ୍ଡଳରେ ସ୍ବେଦ କଣିକା ସ୍ପଷ୍ଟ ହେଇ ଉଠିଲେ।

ଚିଠିରେ ଲେଖାଥିଲା,

" ସାର, ଆପଣଙ୍କର ମନେ ଥାଇପାରେ ,ଆଜକୁ ଠିକ ପନ୍ଦର ବର୍ଷ ତଳେ ଆପଣ ବ୍ରହ୍ମପୁର ର ଏମ କେ ସି ଜି ମେଡିକାଲ କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ଥିଲାବେଳେ ଠିକ ଆଜିପରି ଗୋଟେ ବର୍ଷଣ ମୁଖର ରାତିରେ ପାଖାପାଖି ନଅଟା ବେଳେ ଆପଣ ରାତ୍ରଭୋଜନ ପାଇଁ ଡାଇନିଂ ଟେବୁଲ ଉପରେ ବସିବାକୁ ଗଲାବେଳେ କଲିଂବେଲ ବାଜିଲା। ଆପଣ ଡୋର ଖୋଲି ବାହାରକୁ ଆସି ପଚାରିଲେ 'କିଏ, କଣ ହେଲା?' ବର୍ଷା ପାଣିରେ ଓଦା ସରସର ହେଇଥିବା ଜଣେ ବୃଦ୍ଧା କାନ୍ଦିକାନ୍ଦି ଆପଣଙ୍କ ଗୋଡ଼ଧରି ପାଦତଳେ ଗଡ଼ିଯାଇ କହିଲା'ବାବୁ,ମୋ ପୁଅକୁ ବଞ୍ଚେଇ ଦିଅ। ଆପଣ ତାକୁ ତଳୁ ଉଠେଇ ସେଠି ପଡିଥିବା କାଠ ଚେୟାର ଉପରେ ବସେଇ ଘର ଭିତରକୁ ଗଲେ ଓ ଟାୱେଲ ଗୋଟେ ଆଣି ଦେହମୁଣ୍ଡ ପୋଛିବାକୁ କହି ଶୁଖିଲା ଲୁଗାଖଣ୍ଡେ ଆଣିବା ପାଇଁ ମାଡାମ ଙ୍କୁ କହି ପୁଅର କଣ ହେଇଛି ବୋଲି ପଚାରିବା ପରେ ବୃଦ୍ଧା ଜଣକ କହିଲେ , 'ବାବୁ, ମଟର ସାଇକଲ ଉପରେ ଟ୍ରକ ଚାଲିଗଲା, ଡାକ୍ତରଖାନା ବାରଣ୍ଡାରେ ରକ୍ତ ଜୁଡୁବୁଡୁ ହେଇ ପଡିଛି ମୋ ପୁଅ,ତାକୁ ବଞ୍ଚେଇ ଦିଅନ୍ତୁ।' ତାପରେ ଆପଣ କାଳବିଲମ୍ଵ ନକରି ବର୍ଷାତି ଖଣ୍ଡକ ପିନ୍ଧି ପକେଇ ମେଡ଼ିକାଲ ଆଡ଼କୁ ଧାଇଁଲେ । ଆପଣଙ୍କ ପଛେପଛେ ବୃଦ୍ଧା ଜଣଙ୍କ ବର୍ଷାରେ ଭିଜି ପଡିଉଠି ଧାଇଁଥାନ୍ତି। ହଠାତ ଆପଣ ଅଟକିଗଲେ। ନିଜ ଦେହରୁ ବର୍ଷାତି ବାହାର କରି ବୃଦ୍ଧାଙ୍କୁ ପିନ୍ଧେଇ ଦେଇ ନିଜେ ଓଦା ହେଇ ମେଡ଼ିକାଲ ବାରଣ୍ଡାରେ ପହଁଚିଲେ ଯେଉଁଠି ଯୁବକ ଜଣକ ପଡି ରହି ମୃତ୍ୟୁ ସହ ସଂଘର୍ଷ କରୁଥିଲା। ସହର ଭିତରେ ପ୍ରତିଦିନ ଏମିତି କେତେକେତେ ଆକ୍ସିଡେଣ୍ଟ ହୁଏ। ତେଣୁ ମେଡ଼ିକାଲ ର କୌଣସି ଡକ୍ଟର କିମ୍ବା ଅନ୍ୟ କୌଣସି ଷ୍ଟାଫ କେହି ଜଣେ ବି ତା ଆଡକୁ ସାମାନ୍ୟ ଗୁରୁତ୍ତ୍ୱ ଦେଉ ନଥିଲେ, ଏମିତି କି ଚାହୁଁ ନଥିଲେ ମଧ୍ୟ। ମୁହୂର୍ତ୍ତେ ବିଳମ୍ବ ନ କରି ନର୍ସ ଓ ଆଟେଣ୍ଡାଣ୍ଟ ମାନଙ୍କୁ ଡାକି ଅପେରସନ ଥିଏଟର କୁ ନେଇ ଯୁବକଟିର ପ୍ରାଣ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିବା ସତ୍ତ୍ୱେ ବି ନିରାଶ ହେଲେ । କାରଣ , ଏକାଧିକ ଅଙ୍ଗରେ ଭେନ କଟିଯାଇଥିବା ହେତୁ ଶରୀରର ସବୁଯାକ ରକ୍ତ ନିଷ୍କାସିତ ହେଇଯାଇଥିଲା। ରୋଗୀକୁ ମୃତ ଘୋଷଣା କରି ,ଭେଣ୍ଟିଲେଟର ଅଲଗା କରି ମୁହଁ ଉପରକୁ ଧଳା ଚଦର ପକାଇଦେଇ ଆପଣ ମୃତ ଯୁବକ ର ଖୋଲାଥିବା ଆଖିକୁ ବନ୍ଦ କରିଦେଇ ଗଭୀର ଦୀର୍ଘଶ୍ଵାସଟିଏ ଛାଡିଲେ ସତେ ଯେପରି ଆପଣଙ୍କ ଆଖିସାମ୍ନାରେ ଜୀବନରେ ପ୍ରଥମ ଥର ପାଇଁ ଅତି ଆପଣାର କେହିଜଣେ ଚାଲିଗଲା।ଅଳ୍ପ ସମୟ ଆଗରୁ ଶରୀର ଛାଡିଥିବା ଆତ୍ମା ମୋର ଓ.ଟି. ଭିତରେ ଥାଇ ମୋ ମା'ର ନିଶ୍ଚଳ ଆଖିର ସମ୍ପୂର୍ଣ୍ଣ ସ୍ଥିର ଡୋଳା ରେ ଆପଣଙ୍କର ଏକ ମହନୀୟ ଚିତ୍ରକୁ ଦେଖୁଥିଲା। ସହର ରେ ଜନ୍ମ ହେଇ ସହର ଭିତରେ ବଡ଼ ହେବା ଭିତରେ ଅନେକ ଡକ୍ଟର ଦେଖିଥିଲି,କିନ୍ତୁ ସେତିକିବେଳେ ମୋର ଅନୁଭବ ହେଲା ଯେମିତି ମୁଁ ପ୍ରଥମ ଥର ଜଣେ ଡକ୍ଟର ଙ୍କୁ ଦେଖୁଥିଲି। ମାତ୍ର, କୃତଜ୍ଞତା ଜଣାଇ ପାରୁ ନଥିଲି। ପଛକୁ ବୁଲି ଚାହିଁଲେ ସ୍ଥାଣୁ ପାଲଟି ଯାଇଥିବା ବୃଦ୍ଧାଙ୍କ ଆଡକୁ ଓ ନିଜର ମା କୁ ବୁଝାଇଲା ପରି ତାଙ୍କୁ ବୁଝାସୁଝା କରି,ଆଶ୍ୱାସନା ଦେଇ ଆମ୍ବୁଲାନ୍ସ ଯୋଗାଡ଼ କରି ଯୁବକ ଜଣଙ୍କର ଶବକୁ ନେଇ ବୃଦ୍ଧାଙ୍କୁ ତାଙ୍କ ଘରକୁ ଯିବାର ବନ୍ଦୋବସ୍ତ କରିସାରି ଶବ ଦାହ ସଂସ୍କାର ପାଇଁ ବୃଦ୍ଧାଙ୍କୁ ପିନ୍ଧେଇ ଦେଇଥିବା ବର୍ଷାତିର ଗହିରିଆ ପକେଟରେ ଦୁଇଶହ ଟଙ୍କା ରଖିଦେଇଥିଲେ।

ସେଇ ଯୁବକ ଥିଲି ମୁଁ ଓ ସେଇ ବୃଦ୍ଧା ମୋର ଥିଲେ ମାଆ । ଦୁନିଆ ଭିତରେ ମା କୁ ଛାଡି ମୋର ନିଜର ବୋଲି ଆଉ କେହି ନଥିଲେ। ସେ ମୋର ଆତ୍ମା ଥିଲା,ମୁଁ ଥିଲି ତା'ର ଶରୀର। ତେଣୁ, ମୃତ୍ୟୁ ପରେ ଦୀର୍ଘ ଦଶବର୍ଷ ପର୍ଯ୍ୟନ୍ତ ମା ମୋ'ର ଜୀବିତ ଥାଇ ମଧ୍ୟ ମୃତପ୍ରାୟ ଦିନ ଗଣୁଥିଲା ଆଉ, ମୁଁ ମରିସାରି ମଧ୍ୟ ଦୁନିଆ ଛାଡି ପାରୁ ନଥିଲି। ଏବେକୁ ଠିକ ପାଞ୍ଚବର୍ଷ ତଳେ ଆଜିପରି ଏକ ବର୍ଷଣ ମୁଖର ରାତିରେ ମୋ ମା ଶେଷନିଶ୍ୱାସ ତ୍ୟାଗ କରିବା ବେଳେ ମୁଁ ତା ପାଖରେ ଥାଇ ସୁଦ୍ଧା ତା'ପାଇଁ କିଛି କରିପାରୁ ନଥିଲି। ଏମିତିକି ପାଖରେ ଥିବା ଗ୍ଲାସରୁ ପାଣି ଟୋପେ ନେଇ ତା ମୁହଁରେ ଦେଇପାରୁ ନଥିଲି। ସେ ତା'ଦେହ ଛାଡି ବାହାରି ଆସିବା ମାତ୍ରେ ମୋତେ ଦେଖି ଅସମ୍ଭବ ଖୁସି ହେଇଗଲା। ମାପୁଅ ଦୁହେଁ ସାଙ୍ଗ ହେଇ ଆରପାରିକୁ ବାହାରିଲା ବେଳକୁ ଆଖି ପଡିଗଲା ସାମ୍ନା କାନ୍ଥରେ ଓହଳୁଥିବା ଆପଣ ମୋ ମା'କୁ ପିନ୍ଧେଇ ଦେଇଥିବା ସେଇ ବର୍ଷାତି। ଆମ ପାଖରେ ଦିର୍ଘଦିନ ଧରି ରହିଆସିଥିବା ଆପଣଙ୍କ ପରି ଜଣେ ଭଲ ଲୋକଙ୍କର ଶେଷ ସ୍ମୃତିଟିକୁ ଆପଣଙ୍କୁ ନ ଫେରାଇ ଚାଲି ଯିବାକୁ ବିବେକ ବାଧା ଦେଲା।ସେଇଟି କୁ ପିନ୍ଧିନେଇ ସିଧା ଚାଲିଲି ବ୍ରହ୍ମପୁର ମେଡ଼ିକାଲ କୁ। ଆପଣଙ୍କ ଦେଖା ପାଇଲି ନାହିଁ,ଖୁବ ବ୍ୟସ୍ତ ଲାଗିଲା । ସେଇଦିନଠୁଁ ଦୀର୍ଘ ପାଞ୍ଚବର୍ଷ ଧରି ପ୍ରତିଦିନ ଯାଏ ଆଉ ଆପଣଙ୍କୁ ନପାଇ ଫେରେ। ଭାଗ୍ୟକୁ ଗତକାଲି ମେଡ଼ିକାଲ ରେ ଜଣେ ଡକ୍ଟର ଫୋନରେ ଆପଣଙ୍କ ସହ କିଛି କଥା ହେଉଥିବାର ଶୁଣିଲି। କଥାବାର୍ତ୍ତାରୁ ବୁଝିଲି ,ସେ ହେଉଛନ୍ତି ଆପଣଙ୍କର ପୁଅ ଡକ୍ଟର ସୌମ୍ୟରଂଜନ ଏବଂ ଆପଣ କଟକ ମେଡ଼ିକାଲ କଲେଜର ଡ଼ିନ ଅଛନ୍ତି। ତାଙ୍କ କଥାରୁ ଏକଥା ମଧ୍ୟ ଜାଣିଲି ଯେ ଆପଣ ନିମପୁର ରେ ଘର କରି ରହୁଛନ୍ତି। ଏସବୁ ଜାଣିବା ପରେ ମୁଁ ସିଧା ଆସି ପହଂଚିଲି ଆପଣଙ୍କ ଘରେ। ତା,ପରର ସବୁକଥା ଆପଣ ଜାଣନ୍ତି, ତେଣୁ ଲେଖିବାର ଆବଶ୍ୟକତା ନାହିଁ।

ଆଜି ଆପଣଙ୍କୁ ଆପଣଙ୍କର ବର୍ଷାତି ଫେରାଇ ଦେଲାପରେ ଅପରିପ୍ରକାଶ୍ୟ ଆନନ୍ଦ ଅନୁଭବ କରୁଛି। ମୋତେ ଲାଗୁଛି ସତେ ଯେମିତି ଜୀବନ କାଳରେ ଦେଖିଥିବା ସବୁଠାରୁ ହୃଦୟବାନ ଡକ୍ଟରଙ୍କୁ ବହୁବର୍ଷରୁ ଦେଇ ନଥିବା ପାଉଣା କିଛି ମାତ୍ରାରେ ପରିଶୋଧ କରିପାରିଲି।

ହଁ, ପକେଟରେ ଥିବା ଦୁଇଶହ ଟଙ୍କା ମଧ୍ୟ ଆପଣଙ୍କର।

ବିଦାୟ ଡକ୍ଟର।"

ଯୁବକର ମୁହଁ ସ୍ପଷ୍ଟ ଦିଶିଯାଉଥିଲା। ଚିଠିଟିକୁ ପଢ଼ିସାରି ଭାଙ୍ଗି ବାଁ ପକେଟରେ ପୁରେଇ ଦେଲେ ଡ଼ଃ. ଚୌଧୁରୀ ଯେମିତି ସେଦିନ ମୃତ୍ୟୁ ପରେ ଯୁବକଟିର ଆଖିକୁ ବନ୍ଦ କରିଦେଇ ମୁହଁ ଉପରକୁ ଚାଦର ଟାଣି ଦେଇଥିଲେ। ଆଖି ସାମ୍ନାରେ ସୌମ୍ୟା ଚାହା ଆଣି ଟି ପୟ ଉପରେ ରଖିବା ପରେ ଚା କପ ଉଠେଇ ନେଉନେଉ ବର୍ଷାତି ପକେଟରୁ ମୋଡି ମକଚି ହେଇ ରହିଥିବା ଦୁଇଶହ ଟଙ୍କା ବାହାର କରି ସୌମ୍ୟାଙ୍କ ହାତକୁ ବଢ଼େଇ ଦେଇ କହିଲେ," କାଲି ସକାଳେ ମନ୍ଦିର ଗଲେ ଏଇ ଟଙ୍କାରେ ଟିକେ ଭୋଗ ଲଗେଇ ଦେବତ।"

=====©=====

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ-୭୫୬୧୩୧

୯୯୩୭୫୪୮୪୩୧

୯୪୩୮୬୭୦୧୨୦

--------------------

ପ୍ଲଟ ନଂ ୩୪୨,ସେକ୍ଟର-୫,ନୀଳାଦ୍ରି ବିହାର

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର


Rate this content
Log in

Similar oriya story from Thriller