Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍କୁଟିପେପ୍
ସ୍କୁଟିପେପ୍
★★★★★

© Amiya Bej

Inspirational

8 Minutes   14.3K    27


Content Ranking

 - ସମସ୍ତଙ୍କୁ ସବୁ ଜିନିଷ ଦର୍କାର । କିନ୍ତୁ ସବୁ ଦର୍କାରୀ ଚିଜ ସମସ୍ତିଙ୍କୁ ମିଳେନି ।

- ହ୍ୱଆଇ ମାମା ?

- କାରଣ ମୋ'ର ଗଣ୍ଡାଏ ଛ'ଟା ଛୁଆ ନାହିଁ। ତୁ ଆରମ୍ଭ ତୁ ଶେଷ ।

- ସେଠୁ ? ମେଞ୍ଚାଏ ଥିଲେ ଯେମିତି ସମସ୍ତଙ୍କୁ ଫ୍ରିଡମ୍ ଦେଇଥାନ୍ତ ?

- ହଁ! ପିଞ୍ଜରା ଖୋଲି ଦେଇଥାନ୍ତି। ଗୋଟାଏ ବୋଲି , କୋଲପ ମାରି ରଖିବାକୁ ପଡୁଛି ।

- ହାଓ ସେଲଫିସ୍ ମାମା ? ମୋତେଛାଡି , ମୋ'ର ସବୁଯାକ ଫ୍ରେଣ୍ଡସ୍ ମାନଙ୍କର ଅଛି ।

- ଥାଉ । ତୋ'ର ତ ଯିବାଆସିବାରେ କିଛି ପ୍ରୋବ୍ଲେମ୍ ହେଉନି ନା ? ଦର୍କାର ପୁଣି କ'ଣ ?

- ୟୁ କ୍ୟାଣ୍ଟ୍ ଅଣ୍ଡରଷ୍ଟାଣ୍ଡ୍ ।

- କାଇଁ ? ମୁଁ ପାଠ ପଢିନି ନା ତୋ'ବୟସ ଡେଇଁ ଆସିନି ?

- ସେସବୁ ପୁରୁଣା ସମୟ ଗୁଡାର ଏଗ୍ଜାମ୍ପୁଲ୍ ମୋତେ ସବୁବେଳେ ଦିଅନି ମାମା ।

- ମା ପାଇଁ ଝିଅର ସବୁସମୟ ଏକାପରି ।

- ଓଃ ! ମାମା ?

- ସଟଅପ୍ 'ରିପୁ' !!!

ଏବର ପିଲାଏ , ନିଜ ଆବଶ୍ୟକତାକୁ ଅଧିକାର ମନେକରନ୍ତି । ସେଥିପାଇଁ ଅଝଟ,ଅନୁରୋଧ ନୁହେଁ , ଅଭିଭାବକଙ୍କୁ ବାଧ୍ୟ କରାଇ ଇଚ୍ଛାତକ ପୂରଣ କରାଇନେଉଥାନ୍ତି !!!

'ସରିତା' ର ଏଥିପାଇଁ ବ୍ୟସ୍ତ ହେବାର ନଥିଲା ।

★★★

ସମୁଦାୟ ବାର କିଲୋମିଟର ହେବ କଲେଜ୍ । ଆଗ, ଘରୁ ଛକଯାଏଁ ଦୁଇକୋଶ ପାଦରେ ଅତିକ୍ରମ କଲାପରେ ପଡିବ ବସଷ୍ଟପ୍ । ଏଇସମୟରେ ସହର ଆଡକୁ , ଏପଟୁ ମାତ୍ର ଗୋଟାଏ ମିନିବସ୍ । 'ସରିତା'ର ଛକ ଆସୁଆସୁ ଭରି ସାରିଥିବେ ନାନା କିସମର ଲୋକ । ତା'ପରି ଥୋକାଏ କଲେଜ ପିଲା , ଆଖପାଖର ସ୍କୁଲ୍ ମାଷ୍ଟ୍ରମାନେ , ଜିଲ୍ଲା ମହକୁମା ଆଡକୁ ପଞ୍ଝାଏ ରୋଗୀ, ବେପାରୀ,ଆସାମୀ ଆଉ ସରଳିଆ ମଣିଷସବୁ । ତଥାପି ପ୍ରତି ଛକରେ ସେ ପେଟୁଆ କଣ୍ଡକ୍ଟର ଚିଲ୍ଲାଉଥିବ -

- ଚଢଚଢ ! ଭିତରେ ଖାଲି ।

ତା' ଅଲଣା କଥାକୁ ବିଶ୍ବାସ କରିନୁହଁ , ଅନନୌପାୟ ହୋଇ ମଣିଷ ଭର୍ତ୍ତି ହେଉଥିବେ । ବଗୁଲିଆ ମେଞ୍ଚେ ଉପରକୁ ଚଢିଗଲେ , ପେଟୁଆ କଣ୍ଡକ୍ଟର କହିବ -

- ଭାଇ ନିଜନିଜର ରିସ୍କରେ । ହେଲା ?

ଗାଡିର ଇଞ୍ଜିନ୍ ଏବେ ଗଡୁନଥିବ ତ , ପୁରୀରଥ ବେଳାର , ପହଣ୍ଡି କରିବାରେ ଲାଗିବ ।

ମଣିଷ କାହାକୁ ଛାଡେକି ? ସେ ଯନ୍ତ୍ର ହେଉ ଅବା ଈଶ୍ୱର ! ସମସ୍ତିଙ୍କୁ ନିୟନ୍ତ୍ରଣାଧୀନ କରିବାର ପ୍ରୟାସରେ ସବୁବେଳେ ରହିଥାଏ !!!

'ସରିତା' ନିଜକୁ ବଞ୍ଚାଇ ଗାଡିରେ ଚଢେ । ଦେହ ଚମଡାକୁ ଟାଣୁଆ ନକଲେ , ପ୍ରତ୍ୟେକ ଭିଡ , ନାରୀକୁ ଏକ କୁତ୍ସିତ ଅନୁଭବ ନିଶ୍ଚୟ ଦିଏ । ସିଙ୍କୁଡିସାଙ୍କୁଡି ଝିଅମାନଙ୍କ ମେଳି ପାଖରେ ଲଗାଲଗି ଯେତେ ଛିଡାହେଲେବି , ସେ ପେଟୁଆ କଣ୍ଡକ୍ଟର , ହାତକାନ୍ଧ ଭିଡି ଝିଙ୍କିନିଏ ଭିତରକୁ । ଠୁସାଠୁସି କରି ଯେତେ ଭରିବ , ସେତେ ଟଙ୍କାଟା । ଆଗ ଛକ ମାନଙ୍କରେ ଅପେକ୍ଷାରେ ଥିବେ ଆଉ ପୁଳାଏ । କିଛି ଭେଦଭାବ , ଛୁଆଁଛୁତି , ନାରୀପୁରୁଷର ବାଛବିଚାର ନାହିଁ । ଦଶ ହାତିଆ ବସ୍ ଟା ଭିତରେ ଘଟିବ ମହାମିଳନ । ଠେଲାପେଲା , ଘଣ୍ଟାଚକୁଟା ଭିତରେ ବାହାରିଯିବ ପିଣ୍ଡରୁ ପ୍ରାଣ । ବାମ୍ଫଗରମରେ ଦେହଯାକର ମାଉଁସ ସିଝି ଏକାକାର । ନିଜ ଝାଳ ସବୁ ପର ଦେହକୁ ଓଦା କରିପକାଉଥିବ । ଦୃଶ ହେଉପଡୁଥିବ ଠାଏଠାଏ ଦେହ ଗଢଣ । ସରମରେ ପୋଡିଯାଉଥିବ ମାନତକ । ଅଧାଘଣ୍ଟା ର ବାଟ , ଯୁଗଟାଏ ପରି ପ୍ରତୀତ ହେଉଥିବ 'ସରିତା'କୁ । କାହାକୁ ଟିକେ ବାଗେଇ ଛିଡା ହେବାକୁ କହିଲେ , ଓଲଟା ଘୋଷା ପ୍ରଶ୍ନଟିଏ -

- ଏଡେ ଭିଡରେ , ଚଢିଲ କିଆଁ ??

ଏଇପରି ପ୍ରଶ୍ନସବୁରେ , ଦୁନିଆଯାକ ନହୂଲୀ ଝିଅ କେବଳ ଚୁପ୍ ରୁହନ୍ତି ।

ପରସ୍ପର , ପରସ୍ପରଙ୍କୁ ଅନାଅନି ହୋଇ କଷ୍ଟ ବାଣ୍ଟନ୍ତି। କିଛି କହିବା କରିବାର ନଥାଏ ।

ସବୁ 'ସରିତା'ଙ୍କ ନିତିଦିନିଆ କାହାଣୀ ଏକାପରି । ଅଧାଘଣ୍ଟାର କଷ୍ଟ ନେଇ , ଦିନଯାକ ବାନ୍ତିବାନ୍ତି ର ଅଈ ଆସୁଥିବ !!

ଏଇ ଖୁନ୍ଦାଖୁନ୍ଦି ଭିଡ ଭିତରେ , ଯେ' ଯେଦିନ ଯା'ପାଖରେ ଛିଡା , ସେ' ସେଦିନ ତାରି ଶିକାର !

ସବୁ ଭଲମଣିଷଙ୍କ ଭିତରେ , ଗୋଟାଏ ଶିକାରୀ ପ୍ରବଣତା ଦବିରହିଥାଏ । ଆଢୁଆଳରେ ଘଟିଯାଉଥିବା ଅପରାଧକୁ , ସୁମଣିଷଟେ ସୁଯୋଗ ମନେକରିନିଏ । ପାପନୁହେଁ !!! ବରଂ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ବି ଦେଇଦିଏ !!!

ନାରୀଟିଏ ଜୀବନଯାକରେ , କେତେଯେ ଅନୁଭବ ସାଇତି ନଥାଏ ସତେ ? ବେଳଅବେଳରେ ନିଜେ ନିଜକୁନେଇ ସନ୍ତୁଳି ହେବାଛଡା ଚାରା ବି ଆଉ କ'ଣଯେ'??

★★★

ଏଇବର୍ଷ ହିଁ ବଦଳିହେବାର ଥିଲା 'ବିଭାଶ୍'ଙ୍କର ! ଠିକ୍ 'ରିପୁନା'ର ମ୍ୟାଟ୍ରିକ ବର୍ଷ ?? ନାନାପ୍ରକାର ଚେଷ୍ଟା ପରେବି ବଦଳି ଅଟକିଲାନି । ଯିବାକୁ ହେବ ନୟାଗଡ । ସବୁଠାରୁ ବଡ ଅଡୁଆ ହେଲା ଝିଅର ସ୍କୁଲ , ଟ୍ୟୁସନ୍ ସବୁ । ପିଲାଟିବେଳୁ ପାପାଙ୍କ ଉପରେ ନିର୍ଭର ହୋଇ , ଚାଲିଥିଲା ଠିକ୍ ଠାକ୍ । ପରୀକ୍ଷା ବର୍ଷଟାରେ ଠାକୁରଙ୍କର ଏଇ ଦଣ୍ଡ ଦେବାର ଥିଲା ??

ବଢିଲା ଝିଅଟାକୁ କେଉ ଅଟୋରିକ୍ସା ଆଦିରେ ଏକୁଟିଆ ଏତେଦିନ ଛାଡିହେବ ଯେ ? ଏବର ସମୟ ତ ଯାହା । ସବୁଦିନ ତ 'ସରିତା' ଝିଅସାଙ୍ଗରେ ଯାଇପାରିବନି । ମହା ଏକ ସମସ୍ୟା ଆସି ପହଞ୍ଚିଗଲା ହସଖୁସିର ପରିବାର ଉପରେ ।

- ସ୍କୁଟି !

- ହ୍ୱଆର୍ଟ ? ଛୋଟବେଳେ ଶିଖୁଥିଲା ସମୟରେ ତୁମେ ହାତଛାଡିଦେଲ ବୋଲି ସାଇକେଲରୁ ପଡିଗଲା ଯେ' , ସେଇଦିନୁ ଶିଖା ବନ୍ଦ । ରୁଷି , ମୁହଁ ଫୁଲାଇ କେତେ ହନ୍ତସନ୍ତ ନକରିଛି ଆମକୁ ସେ ? ଏବେ କଣନା ସ୍କୁଟି ?

- ଏବେ କଣ ଆଉ ଛୋଟହୋଇ ଅଛି ?

- ସେ ମିଶ୍ରଘରର ବଡଝିଅଟା ବଡ ନଥିଲା କି ? ଟ୍ରକ୍ ତଳେ ଏମିତି ଚାପିହେଇଗଲାଯେ' ଚିହ୍ନଟ କରିବା କଷ୍ଟ ହୋଇଗଲା । ମୋର ଗୋଟାଏ । ଥାଉ ସେ ସୁଆଗ । ଏମିତି ବି ଆଜିକାଲିଆ ପିଲାଏ ଗାଡିଖଣ୍ଡେ ପାଇଲେ କେଉ ଥାନଅଥାନ କୁ ମାଡିଯାଉଛନ୍ତି ତା'ର ହିସାବନାହିଁ। ଏଇ ସ୍କୁଟି ମୋବାଇଲ ତ ଆଜିକା ଝିଅଙ୍କ କାଳ । ବୁଝିବ କିଏ , ବୁଝାଇବ କିଏ ?

- ତାହେଲେ ??? କ'ଣ ' ସୁଦୁ'କୁ କହିବି ?

- ସେ କ'ଣ ଆଉ ଶୁଣିବେ ତୁମକଥା ?

'ସୁଦେଶ୍' ସାନ 'ବିଭାଶ୍'ଙ୍କଠୁ । ' ସରିତା'ର ସାନଦିଅର । ଏଇପାଖରେ ରହି ପାଠପଢି , ଚାକିରୀ କଲା । ତା' ପ୍ରେମବିବାହକୁ ନେଇ , ଦୁଇଭାଇଙ୍କ ଭିତରେ ମନଫଟା ହେବାରୁ , ଅଲଗା ଘର ନେଇ ସସ୍ତ୍ରୀକ ରହୁଛି ସେକ୍ଟର ସାତେ ରେ । ବହୁଦିନ ହେଲାଣି ଯୋଗାଯୋଗ ନାହିଁ । ଭଗବାନ ଗଧପାଦ ଧରିଲାପରି , 'ସୁଦେଶ୍'ଙ୍କୁ ଡାକିଲେ 'ବିଭାଶ୍' !

- ବଦଳିଟା ଅବେଳରେ ହେଇଗଲା । ଝିଅର ପଢା ଡିଷ୍ଟର୍ବ । ଏମାନେ ଏଠି ଏକୁଟିଆ । ଭଲମନ୍ଦ ସହ , ଝିଅର ଯିବାଆସିବା ତୋତେ ଲାଗିଲା ।

- ତୁମେ ଚିନ୍ତା କରନି ଯମା ।

★★★

ଲୋକଟା ତା'ପଛରେ ଛିଡାହୋଇଇନଥିଲା ତ , ଏକରକମ ଲାଉ ହୋଇଯାଇଥିଲା । ତାରି ବୋଝ ସମ୍ଭାଳି ନପାରି , 'ସରିତା' ଝୁଙ୍କି ପଡିଲା ସିଟ୍ ରେ ବସିଥିବା ମଣିଷଟି ଉପରେ । ଦୁର୍ଭାଗ୍ୟକୁ ସେ ବି ପୁରୁଷ ଥିଲା । ଝର୍କା କଡ ସିଟ୍ ରେ ଅବଶ୍ୟ ସ୍ତ୍ରୀଟିଏ , ଏସବୁ ଦେଖି ଅପ୍ରସ୍ତୁତ ହୋଇ କେବଳ ନିଜ ଶାଢୀ ସମ୍ଭାଳୁଥିଲା । ଦୁହେଁଯାକ ଦମ୍ପତି ଥିଲେ । 'ସରିତା' ଏଥିପାଇଁ ଜାଣିଗଲା ଯେ , ପୁରୁଷ ଟି ବୋଧେ ସିଟ୍ ଛାଡିଦେବାକୁ ମାନସିକ ପ୍ରସ୍ତୁତ ହେଉଥିବା ବେଳେ , ସ୍ତ୍ରୀ ଲୋକଟା ତା' ହାତକୁ ଚାପିଧରି , ଗାରଡେଇ ଚାହିଁ ନେଲା । ଏବେ ବସିଥିବା ପୁରୁଷଟି ବି 'ସରିତା'ର ଦେହ ସହ ସହଜବୋଧ କରିନେଲା ।

ଏଣେ ପଛପଟ ଲୋକଟି କ୍ରମଶଃ ନିୟନ୍ତ୍ରଣ ହରାଇବାରେ ଲାଗୁଥିଲା ।

ପୁରୁଷ ଏଇପରି । ଛାଡିହୋଇ ରହିଲେ , ନାରୀକୁ ଅନେକ ଭାଗରେ ବିଭକ୍ତ କରାଏ । ବଡସାନ ,ସୁନ୍ଦର ଅସୁନ୍ଦର , ଗୋରୀକାଳି , ସଫାମଇଳା , ଉଚ୍ଚନୀଚ୍ଚ , ଏମିତି କେତେକଣ !!

ଲାଗିହୋଇଗଲେ , ସବୁନାରୀ ଏକାପରି !!! ଦୃଷ୍ଟିଭଙ୍ଗୀ ବଦଳିଯାଏ ତତକ୍ଷଣାତ୍ । କେବଳ ଭୋଗିନେବାର ବସ୍ତୁଟିଏ !!! ଦୁନିଆଯାକର ନାରୀ , ଏଇ ମହକ ସହ ସୁପରିଚିତ । କିଛି ଏଥିରେ ନିଜକୁ ତରଳାଇ ନିଅନ୍ତି , ଆଉକିଛି ଜମାଟ ବାନ୍ଧି ଅବସ୍ଥାକୁ ସମ୍ଭାଳିନିଅନ୍ତି !!!

ପେଟୁଆ କଣ୍ଡକ୍ଟର ତାକୁ ଭିଡିନେଇ ଏଇ ଜାଗାରେ ଥୋଇ ଦେଇଥିଲା । ସାଙ୍ଗ ମାନେ ବସ୍ ଯାକ ଛିନଛତ୍ର ହୋଇ ଯେନତେନ ପ୍ରାଣ ବଞ୍ଚାଇ , ଘରେ ପହଞ୍ଚିବା ଲକ୍ଷ୍ୟରେ ଥିଲେ । ତାପରି ସମସ୍ତେ କିଛି ନା କିଛି ଭିଡ ଭିତରେ ଭୋଗୁଥିବାଟା ଥୟ । ଛୁଟି ସମୟ ଥିବାରୁ , ସହନଶୀଳତା ଟା ସମସ୍ତଙ୍କ ପାଖରେ ଅଧିକ ଥିଲା ।

ଚାରିପାଖେ ପୁରୁଷଙ୍କ ନିଃଶ୍ବାସ , ମଝିଟାରେ ଶ୍ୱାସରୋଧ କରି ଲଟକିଛି 'ସରିତା' ! ଏପରି ଏକ ବଳୟ ଭିତରେ , ସୁସ୍ଥ ନାରୀଟିଏ , ଅସୁସ୍ଥ ହେବାକୁ କେତେ ସମୟ ନେଇପାରେ ?? 'ସରିତା' ହାତରେ କିନ୍ତୁ ମାତ୍ର ଅଧାଘଣ୍ଟା !

ପର ର ଯନ୍ତ୍ରଣା , ଆଉକାହାର ଆନନ୍ଦ ! ଗାଡିର ଅଚାନକ ବ୍ରେକକଷାରେ , ଲୋକଟି ହାତଥୋଇଦେଲା ଆଣି ଛାତିତଳେ !!!

ନିଜକୁ ସମ୍ଭାଳିବାକୁ , ନା ଅସମ୍ଭାଳତା ପାଇଁ , ସାରା ପୃଥିବୀରେ ହାତଥାପିବାକୁ ପୁରୁଷଟେ ଜାଗାଟିଏ ଖୋଜିପାଇନଥାଏ !!!!

ଅପମାନ ପାଇଁ ନୁହେଁ , ସମ୍ମାନ ବଞ୍ଚାଇବାକୁ ଯାଇ 'ସରିତା' ନିଜ ଓଢଣୀରେ ଘୋଡାଇ ପକାଇଲା ହାତଟିକୁ ! ଏବେ ବାକିତକ ବାଟ ଗରଳ ପିଇବାକୁ ହେବ । ପାଟିଖୋଲିଲେ , ପାଠ ବନ୍ଦ । ତା'ର କଲେଜ ଯିବା, ପରିବାର ପାଇଁ ସମ୍ମାନ ନୁହେଁ , ବରଂ ସମସ୍ୟା ଥିଲା । ଅଧିକା ପଢିଲେ , ଅଧିକା ଯୌତୁକ !

ଝିଅଟିଏ ଅସହାୟ ବୋଲି , ବୁଦ୍ଧିମାନ ମାନେ ଠଉରାଇ ନିଅନ୍ତି ଚଟାପଟ୍ । ଏଇଟା ଗୋଟେ ବୈଚିତ୍ର !! ଲୋକଟା ପଛପଟୁ କେମିତିଗୋଟେ ସଁ ସଁ ହେଉଥିଲା । କମ୍ପୁଥିଲା ଗୋଟାପଣେ ! 'ସରିତା'କୁ ଲାଗିଲା , ଲୋକଟା ଥରଥର ଅଣାୟତ୍ତ ହାତରେ , ଯେମିତି ତା' ତଣ୍ଟି ଚିପିବାରେ ଲାଗିଛି !!

ଧପାଏ ଲୁହବୁନ୍ଦା ଆଖିରୁ ବାହାରି , ବସିଥିବା ପୁରୁଷଟିର ବେକତଳ ଭିଜାଇ ଦେଲାରୁ , ଝିଅଟିର ଉଷୁମ ଝାଳଭାବି ପୋଛିପକାଇଲା ସେ । ବାରମ୍ବାର ଦୀର୍ଘଶ୍ୱାସ ଛାଡୁଥିବା ତା' ସ୍ତ୍ରୀ ଟି ଝର୍କା ସେପଟକୁ ମୁହଁ ବୁଲାଇନେଲା ।

'ସରିତା'ର ଛକ ପହଞ୍ଚିବାକୁ ସମୟ ଯେତେ କମିଆସୁଥିଲା , ଲୋକଟାର ଅସୁସ୍ଥତାର ପରିମାଣ ସେତେ ବଢିଚାଲିଥିଲା । ନହୂଲୀ ଝିଅଟେର ଅବା ଧୈର୍ଯ୍ୟ କେତେ ??? ଚେତାଶୂନ୍ୟ ହେବାଆଗରୁ , ପେଟୁଆ କଣ୍ଡକ୍ଟର ଚିଲ୍ଲେଇଲା -

- ମାଳତୀପୁର , ମାଳତୀପୁର ...

★★★

ପିତାମାତା ଙ୍କର ଏକତ୍ର ସହବସ୍ଥାନ , ଜଣେ ସନ୍ତାନ ପାଇଁ ଅପରିହାର୍ଯ୍ୟ ଥାଏ । କିଛି ବାପାଙ୍କ ପାଖରେ , କିଛି ମା'ଠାରେ ଭିନ୍ନ ଭିନ୍ନ ଅଳି ଥାଏ । ଅଭିଭାବକ ଏକତ୍ର ହୋଇ , ପିଲାର ପଥ ସୁଗମ କରିଥାନ୍ତି । ଏଇ ପାରିବାପଣ କୁ ନେଇ ପରିବାର । ଏଥିରେ କିଛି ବ୍ୟତିକ୍ରମ ହେଲେ , ପିଲାଟି ଏକୁଟିଆ ବୋଧକରେ । ଜିଦଖୋର୍ ହୋଇଯାଏ ।

'ସରିତା' ଆଜିକାଲି 'ରିପୁନା'ଠାରେ ଢେର୍ ଅନ୍ୟମନସ୍କତା ଲକ୍ଷ୍ୟ କରେ ।

- ବାବାଙ୍କୁ ମିସ୍ କରୁଛୁ ନା ଝିଅ ।

- ହଁଅଁ । ବହୁତ୍ ।

- ବଦଳି ହୋଇ ଏଠାକୁ ଆସିବାର ଚେଷ୍ଟାରେ ଅଛନ୍ତି ବାବା। ତୋ' ପରୀକ୍ଷା ସରୁ , ଆମେ ନୟାଗଡ ବୁଲିଯିବା ।

- ମାମା !

- ହଁ ଝିଅ ?

- ସ୍କୁଟି ?

- ପୁଣି ? ଅସୁବିଧା ତ କିଛିନାହିଁ । ଦାଦା ନେବାଆଣିବା କରୁଛନ୍ତି । ଆଉପୁଣି କଣ ? କଲେଜ୍ କୁ ଯା' ଆଗ ।

- ନାଇଁ ମାମା । ପ୍ଲିଜ୍ ଅଣ୍ଡରଷ୍ଟାଣ୍ଡ୍ ।

- ନୋ' ନେଭର୍ ।

ନିଜ ଡରକୁଳି କୁନୁମୁନି ଝିଅଟିର ଏସବୁ ଦୁଷ୍ଟାମୀ , ନା ଅଯଥା ଜିଦ୍ ? ନା ଆଉକିଛି ?????????

★★★

ନିଜ ଗାଁ ନାଁ ଶୁଣି , କୋହଲୁହ ନେଇ , ବସରୁ ଓହ୍ଲାଇ ପଡିଲା 'ସରିତା' ! ବାନ୍ତି ମେଞ୍ଚାଏ କରିପକାନ୍ତାକି ସାଙ୍ଗେସାଙ୍ଗେ । ସତେଯେମିତି , ଦେହର ଅଙ୍ଗ ଗୁଡା ନିଜନିଜର ଜାଗାରେ ଆଉ ନାହାନ୍ତି ! ମନେପଡିଲା ବ୍ୟାଗ୍ ରେ ପାଣିଅଛି । ଢୋକାଏ ପିଇଛି କି ନାହିଁ , ପଛ ଗେଟ୍ ରୁ ବାପା ଓହ୍ଲାଉଛନ୍ତି ।

ବାପା!! ଏଇ ବସ୍ ରେ ???

ସକାଳେ ମା' କହୁଥିଲା , କଚେରୀ କାମରେ ବାପାଯିବେ ସହର । ତେବେ ଯାଇ ଫେରିଛନ୍ତି ନିଶ୍ଚୟ । କିନ୍ତୁ ଏଇ ବସ୍ ରେ ? କେଉଠି ଥିଲେ ବାପା ଭିଡ ଭିତରେ ? ପଛ ଆଡକୁ ? ଆଖିରେ ପଡିନି ତ କିଛି ? ନା ନିରୁପାୟ ହୋଇପଡିଥିଲେ ବାପା ??

ନିଜ ନିଜର ଅସହାୟତା ପାଇଁ , କ'ଣ ବାପାମାନେ ପ୍ରକୃତରେ ଅଣଦେଖା କରିପକାନ୍ତି ପିଲାଙ୍କ ସୁରକ୍ଷା ??? ଟାଣିହୋଇ ବାପାଙ୍କ ପାଖକୁ ଚାଲିଗଲା 'ସରିତା' ! ହାତରୁ ବ୍ୟାଗ୍ ଟା ନେଇଆସି ତାଙ୍କ ସହ ଘରମୁହାଁ ହେଲା ଏଥର ।

- ନିଧି ଭାଇନା କି ? ଜୁହାର୍ । କୁଆଡେ ଯାଇଥିଲ ?

- ଆରେ 'ପ୍ରଭାତ' ! କଚେରୀ କାମରେ ଯାଇଥିଲି । କେତେଦିନ ଛୁଟିନେଇ ଆସିଛୁ ଗାଁ କୁ ?

- ଭାଈ ହପ୍ତାଏ । ୟେ' କିଏ ? ଝିଅ କି ?

- ହଁଅଁ । ବଡ । ଏଇ ହରିପୁର କଲେଜରେ ଆଏ ପଢୁଛି । ଏଇ ବସ୍ ରେ ତ ଫେରୁଥିଲା । ଭିଡରେ ଛୁଆଏ ଭାରି ହଇରାଣ ହେଉଛନ୍ତି ।

- ଓଃ! ଏତେ ବଡ ହେଇଗଲାଣି ନା ? ଚିହ୍ନି ହେଉନି ଯମା ।

- ତୁ କେଉ ଗାଁରେ ରହିଲୁ ଯେ' ଚିହ୍ନିବୁ ? ବର୍ଷେ ଛ'ମାସକୁ ତ ଯା'ଆସ ।

- କ'ଣ କରିବା ଭାଈ ! ଚାକିରୀ ବାକିରୀ କଥା ।

- ମା' ଯାଆ , ପ୍ରଭାକାକାକୁ ମୁଣ୍ଡିଆ ମାରେଏ ।

ବାପାଙ୍କ ମୁହଁକୁ ଆଁଆଁ କରି ଚାହିଁଲା 'ସରିତା' ! ପୁଣି ଯାଇ, ଅଣ୍ଟା ଝୁକାଇ ଲୋକଟାର ଦୁଇପାଦ ଛୁଇଁଲା । ଏଥର ଲୋକଟା ତା' ମୁଣ୍ଡକୁ ଆଉଁସି ଆଶିର୍ବାଦ ବି କଲା !!! ହାତ କିନ୍ତୁ ଗୋଟାଏ ଥିଲା । ବସ୍ ଭିତରେ ଛାତି ଉପରେ , ଏବେ ବାପାଙ୍କ ସାମ୍ନାରେ ମୁଣ୍ଡ ଉପରେ !!!!

କୌଣସିଏକ ବାହାନାରେ ବି ମଣିଷ ମନରେ ଛୁଇଁବାର ଆସକ୍ତିଟାଏ ଥାଏ । ସେ ମୁଣ୍ଡ ହେଉକି ପିଠି !!

ପାଟିରୁ ବାହାରିଲା " ଆୟୁଷ୍ମତୀ ଭବଃ "

★★★

ଘରେ ପହଞ୍ଚୁ ପହଞ୍ଚୁ 'ସରିତା' ମା'କୁ କହିଲା -

- କଲେଜ୍ ପାଇଁ ସାଇକେଲଟେ ଦର୍କାର ।

- ଏତେବାଟ ?

- ହଁ ପାରିବି ମୁଁ । ଆଉରି ଅନେକେ ଯାଉଛନ୍ତି ।

ବାପା ଚିଡିଉଠି କହିଲେ -

- ହଠାତ୍ କି ଦି'ହଜାରେ କେଉଠୁଁ ଆଣିବି ଏବେ ?

କ'ଣ ବୁଝିଲା କେଜାଣି , ଅପାଠୋଈ ମା' , ନିଜ କାନଫୁଲ ହଳକ କାଢି ବାପାଙ୍କୁ ଦେଇ କହିଲା -

- ମୋ' ଝିଅପେଇଁ ସାଇକେଲଟେ ଆସିବ ମାନେ ଆସିବ !!!!

ବାପା , ମା'ର ଆଖିଦେଖି କେମିତି ଗୋଟେ ଚୁପ୍ ହୋଇଗଲେ ବି ।

( ପରେପରେ ଗୋଟେ ଲେଡିବାର୍ଡ ସାଇକେଲ ଆସିବା , 'ସରିତା' ସେଇଥିରେ ବିଏ ଯାକେ ପାଠପଢିବା , 'ବିଭାଶ୍' ଙ୍କ ପରି ଏକ ସୁପୁରୁଷଙ୍କୁ ବାହାହେବା ଆଦିସବୁ ଢେର୍ ପୁରୁଣା କଥା ହୋଇ ସାରିଥିଲା । )

★★★

- ହ୍ୟାଲୋ ! କେବେ ଆସିବ ?

- ଏଇ ସଟରଡେ କୁ । ଦିଦିନ ଛୁଟି ଅଛି ।

- ଶୁଣ ! ଏଥରକ ଆସିଲେ , ଝିଅ ପାଇଁ 'ସ୍କୁଟି' କିଣାହେବ । ରେଡି ହେଇ ଆସିବ ।

- ହ୍ୱଆର୍ଟ ? ତୁମେ ପା' କହୁଥିଲ , ସେ ଚଲେଇ ପାରିବନି ? ଗୋଟେ ବୋଲି ଝିଅ ? ବିଗିଡିଯିବ ..

- ଚୁପ୍ କର । ନିଜ ପିଲାଙ୍କୁ ବିଶ୍ୱାସ କରିବା ସବୁ ମାବାପାଙ୍କ ଧର୍ମ ନୁହେଁ , ଏକ ଜରୁରୀ ଆବଶ୍ୟକତା । ସବୁବେଳେ ବାପାମାନେ ନୁହେଁ , ମା' ମାନେ ବି ପିଲାଙ୍କ ପାଇଁ ଦୃଢ ନିଷ୍ପତ୍ତି ଟେ' ନେଇପାରନ୍ତି । ବୁଝିଲ ?

- ମୁଁ କେଉକଥାରେ ମନା କରେକି ??????

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ସ୍କୁଟିପେପ୍ ପିଞ୍ଜରା ଆବଶ୍ୟକତା

Rate the content


Originality
Flow
Language
Cover design

Comments

Post

Some text some message..