Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ashok kumar Sethi

Others

3  

Ashok kumar Sethi

Others

ଗାଈର ଆତ୍ମକାହାଣୀ

ଗାଈର ଆତ୍ମକାହାଣୀ

4 mins
14.5K


ମୁଁ ଗୋଟିଏ ଗାଈ । ମୋ ନାଁ ଗୁରୁବାରୀ । ହଁ, ନାଁରେ ବା କଣ ଅଛି ଯେ ! ମୁଁ ଗୁରୁବାରେ ଜନ୍ମ ହୋଇଥିଲି ବୋଲି କିମ୍ବା ଅନ୍ୟ ମାନଙ୍କ ଠାରୁ ପୃଥକ ଭାବେ ସହଜରେ ବାରି ହୋଇ ପାରିବି ବୋଲି ମୋ ଖାଉନ୍ଦ ମୋ’ ନାଁ ଗୁରୁବାରୀ ରଖିଛି । ଯଦିଓ ମୋ ମାଆ କେବେ ମତେ ବଉଳା ଡାକିବାର ମୁଁ ଶୁଣିନି...

ମୁଁ ନିତି ଦିନ ଜଙ୍ଗଲକୁ ନୁହେଁ ; କଂକ୍ରିଟ୍ ଜଙ୍ଗଲରେ ଏ ଗଳି ସେ ଗଳି ବୁଲେ । ଚରିବାକୁ ଦୁବ ଘାସଟିଏ ଏବେ ସାତ ସପନ । ଜରି,କାଗଜ ଯେଉଁଠୁ ଯାହା ଯେମିତି ମିଳେ ଉଦରସ୍ଥ କରିବା କଥା । କଦବା କେମିତି ବାହାଘର କି ଜନ୍ମ ଦିନର ବଳକା ଭୋଜି ଭାଗ୍ୟରେ ଥିଲେ । ଜଙ୍ଗଲରେ ବାଘ କି କେନ୍ଦୁଆ ଡର ଥିଲେ ସୁଦ୍ଧା ଘାସ ଦି କଳ ତ ମିଳୁଥିଲା ! ଏ କଂକ୍ରିଟ୍ ଜଙ୍ଗଲରେ ଏ ଦୁଇ ଗୋଡିଆ ବାଘ ମାନେ ସେ ବାଘ ଠୁ କାହିଁ କେତେ ଭୟଙ୍କର … !! ମୁଁ ରହୁଥିବା ଗୁହାଳ ଅବସ୍ଥା କଥା ନ କହିବା ଭଲ । ଖୋଲା ମେଳା ବାଉଁଶ ବତାର ତାଟିଟିଏ ନାଁକୁ ଖାଲି । ତୋରାଣି ହାଣ୍ଡି ସେମିତି ପୂର୍ବବତ୍ ଥୁଆ ହେଇଛି ।ଝୋଲା ମାରିବାକୁ ବି ପାଣି ଟୋପେ ରଖିବାକୁ ଖାଉନ୍ଦ ଉଚିତ ମଣେନି । ଶୁଖିଲା ଶୁଖିଲା ସେମିତି ଚାକୁଳେଇବାକୁ ପଡେ । ତୋରାଣି ମନ୍ଦେ ବା ଖାଉନ୍ଦ ଆଣିବ କେଉଁଠି ? ବିରିୟାନୀ ଚାଓମିନିର ଯୁଗ । କୁଣ୍ଡା ଚୋକଡ ର ବାସ୍ନା ଦୂର ଦୂର ଯାଏଁ ନିଷ୍ଫଳ ଆକଳନ ।

ଏମିତି ଦିନକର ଘଟଣା । ମୁଁ ଭୁଲ ବଶତଃ ଆଗ ଦୁଆରି ପନ୍ଦାରି ଘର ଶାଗ ପାଟାଳିରେ ମୋର ଖୋଜଟେ ପଡିଛି କି ନାହିଁ , ହାଁ..ହାଁ ..ରଡି କରି ହାତରେ ପାଞ୍ଚହାତିଆ ଠେଙ୍ଗଣି ଧରି ଗୋଡ଼ାଇ ଆସିଲା । ସେ ଆସି ଖାଉନ୍ଦ ପାଖେ ଫେରାଦ କରିଛି । ଏମିତ ଓଲେଇ ଗାଈକୁ ସମ୍ଭାଳି ପାରୁନୁ ଯଦି କାଞ୍ଜିହାଉଦାରେ ଛାଡି ଦଉନୁ ! ବୋଧ ହୁଏ ଖାଉନ୍ଦର ସ୍ୱାଭିମାନକୁ ଖୁବ ଲାଗିଛି ନା କଣ ..!! ମାଛି ଅନ୍ଧାର ମୁହଁ ସଂଜରେ ମୁଁ ଗୁହାଳକୁ ଫେରୁଥାଏ । ଖାଉନ୍ଦ ମୋ' ଫେରିବା ବାଟକୁ ଅନେଇ ରହିଛି | ଗୁହାଳ ମୁହଁରୁ ଭାରି ଆଦର ରେ ମୋ ବେକରେ ପଘାଟା ପକେଇ ଦାଣ୍ଡ ଦୁଆର ଖୁଣ୍ଟରେ ବାନ୍ଧି ମୋ ପିଠିରେ ଦୁଲ ଦୁଲ କରି ନିର୍ଘାତିଆ ପାହାର ପାଞ୍ଚଣରେ କଷି ଯାଉଥାଏ । ମୋ ଆଖିରୁ ଲୁହ ଟୋପେ ବାହାରିବାକୁ ଦେଲିନି । ମୋ କଅଁଳା ଛୁଆଟି ତଟସ୍ଥ ହୋଇ ଗୁହାଳ ଭିତରୁ ଆବାକାବା ହୋଇ ଚାହିଁ ରହିଥାଏ । ତା ଛଳ ଛଳ ଆଖି ମୋତେ ଯେତେ ଆଘାତ ଦେଲା ଏ ନିର୍ଦୟ ଖାଉନ୍ଦର ମାଡ଼ ତା’ ଆଗେ କିଛି ନୁହଁ । ଖାଉନ୍ଦ ତାଗିତ କରିଦେଇ ଗଲା : ମୁଁ ତତେ ଏତେ କରି ଖାଇବାକୁ ଦଉଛି ତୋ ଗାଡ଼ ପୁରିଲାନି ଯେ ୟା ତା ବାଡ଼ିରେ ପଶୁଛୁ ? ପରୋକ୍ଷରେ ଆଗ ଦୁଆରଇ ପନ୍ଦାରିଆକୁ କଣ ଇଙ୍ଗିତ କରୁଥାଏ ଏ ସବୁ ମୁଁ ବୁଝି ପରୁଥାଏ । ସେ ଦିନଠୁ ଓଲେଇ ବୋଲି ଉପାଧିଟିଏ ଯୋଡି ହୋଇ ଗଲା ମୋ ନାଁ ସହିତ ।

ରାଗରେ ବଡ଼ ଡାଙ୍ଗିଆଟିଏ ଝୁଲେଇଦେଲା ମୋ ବେକରେ । ଢଣ ଢଣ ହୋଇ ଏ ଗୋଡ଼ ସେ ଗୋଡ଼ ହୋଇ ବାଜୁଥାଏ । ଦୌଡ଼ିବା ଦୂର କଥା ସହଜେ ଚାଲିବା ଭାରି କାଠିକର । ମୋ କଅଁଳିଆ ବାଛୁରୀ ପ୍ରତି ତା ଜମା ନିଘା ନାହିଁ । ମୁଁ ପୋଖତି ହେବାର ପାଞ୍ଚ ଦିନଠୁ ସେ କ୍ଷୀର ଦୁହିଁବା ଆରମ୍ଭ କରି ଦେଇଥାଏ ।ମୋ କଅଁଳା ଛୁଆଟା ବେଳୁ ବେଳ ଦୁର୍ବଳ ହେବାକୁ ଲାଗୁଥିଲା ବେଳେ ଖାଉନ୍ଦର ଛୁଆମାନେ ମୋ କ୍ଷୀର ପିଇ ହୃଷ୍ଟପୃଷ୍ଟ | ନିକମା ଖାଉନ୍ଦ ମତେ ନହେଲା ନାହିଁ ମୋ ଛୁଆକୁ ଦି ମୁଠା ଘାସ କି ତୋରାଣି ମୁନ୍ଦେ ତ ଦେଇ ପାରନ୍ତା .. ! ଏମିତି କି ମୋ ଠାରୁ ଦୁରେଇ ବାନ୍ଧି ରଖେ କାଳେ ସେ ସୁବୁ କ୍ଷୀର ପିଇ ଦେବ ! ଯଦିଓ ମୁକ୍ତ ଭାବରେ ଛାଡି ଦିଏ କିଛି ମୁହୂର୍ତ୍ତ କ୍ଷୀର ଦୁଇଁବା ର ଅବ୍ୟବହିତ ପୂର୍ବରୁ । ପୁଣି ଟାଣି ନିଏ ଦୁଇ ଚାରି ଢ଼ୋକ ସେ ପିଇ ଥିବ କି ନାହିଁ ..! ମୋ ଛାତି ଭିତରଟା କୋହରେ ରୁନ୍ଧି ହୋଇଯାଉଥିଲେ ସୁଦ୍ଧା ମୁଁ ନାଚାର । ତା ପରେ ସେ ବଳାବଳି ଦୁଇଁ ଚାଲେ ଶେଷ କ୍ଷୀର ବୁନ୍ଦାକ ନ ବାହାରିବା ଯାଏଁ ।

କେଜାଣି କଣ ହୋଇଛି ମୋର ? କାଇଁ ମୋର ସେମିତି ରୋଗ ଫୋଗ ଥିଲା ଭଳି ଲାଗୁନି ..! ତେବେ ଏ ଇଂଜେକସନ କଣ ପାଇଁ ? ସେ ଇଂଜେକସନ ଯେତେ ଥର ଫୁଟିଛି ମୋ'ଠି ଦେହ ମୁଣ୍ଡ କେମତି ଝାଇଁ ମାରିଦେଉଥାଏ । ସେ ଇଂଜେକସନ ଦେବା ଉତ୍ତାରୁ କୁଆଡେ ଦୁଇ ଲିଟର ଜାଗାରେ ଚାରି କି ପାଞ୍ଚ ଲିଟର କ୍ଷୀର ଦେବାର କ୍ଷମତା ବଢି ଯାଏ ..!!

ଦି ଚାରି ଥର ଗଫୁର ମିଆଁ ଏଇ ବାଟ ଦେଇ ଯିବାର ମୁଁ ଦେଖିଲିଣି । ତା ଆଖି ସବୁ ଥର ମୋ ଉପରେ ହିଁ କିଛି ସମୟ ପାଇଁ ନିବଦ୍ଧ ରହେ । ସବୁବେଳ କଣ ପାଇଁ କେଜାଣି ସୁଯୋଗଟିଏ ଉଣ୍ଡୁଥାଏ ଯେମିତି ।

ଢେର ଦିନ ହେବ ଆଉ ଗାଈଗୋଠ ଆଉ ଫିଟୁନି । ଗାଈ ଗୋଠ ଫିଟିଲେ ବା କଣ ହେବ ଯେ ; କୋଠି ଚରିବୁ ?? ବହୁ ଦିନ ତଳେ ମା ସହ ଗୋଠରେ ଯାଉଥିଲି । ବୁଦା ବୁଦା ପାହାଡ଼ ତଳେ ଛନଛନିଆ ଘାସ, ହରାଭରା ଲତା । ନାନା ଜାତିର ଗଛ ବୁଦା । ଏବେ ସେ ଜଙ୍ଗଲ ଖାଁ ଖାଁ ନିରୋଳା ଟାଙ୍ଗରା ମୁଣ୍ଡିଆଟିଏ । ପାହାଡ଼ ଉପର ଚେଞ୍ଚେରି ପଥର ଉପରେ କରଡାପତରି ହେଣ୍ଟାଳୁ ଥିବାର ଶୁଣିଛି । ମା ମତେ ଖାଲି କହୁଥାଏ ," ଡର କଣ ଯେ ମୁଁ ତୋ ପାଖେ ପାଖେ ଅଛି ନା..!! ସେ ସେମିତି ହଣ୍ଟାଳୁଥାଉ କିଛି କରି ପାରିବନି ” । ମା ଆରପାରିକୁ ଚାଲି ଯିବା ପରେ ମୁଁ ଖୁବ୍ ଏକୁଟିଆ ହୋଇଗଲି, ବହୁତ ଦିନ ଯାଏଁ ଝୂରିହେଲି । ତା ହମ୍ବାରଡି ଏବେ ବି ମୋ ମନରେ ଗୁଞରିତ । ଗାଁ ମୁଣ୍ଡ ଖୋଲା ପଡିଆରେ ତାକୁ ଫିଙ୍ଗି ଆସିଲେ ଖାଉନ୍ଦ ଆଉ ତାର କିଛି ବନ୍ଧୁ । ତା ଚାରିପାଖେ ଭଣ ଭଣ ଶାଗୁଣା ମାନଙ୍କ ଭିଡ଼ । ଝୁଣି ବିଦାରି ଖାଉଥିବାର ଦୃଶ୍ୟ ମୋ ଆଖି ଆଗେ ନାଚି ଉଠୁଛି । ଶୀତେଇ ଉଠୁଛି ସେ ଲୋମ ହର୍ଷଣ ଦୃଶ୍ୟ ମନେ ପଡିଗଲେ |

ମୁଁ ଶୁଣିଥିଲି ମଣିଷ ମନେ ମରିଗଲା ପରେ ଡାଆଣୀ କି ପିଶାଚ ହୋଇ ବୁଲନ୍ତି । ମୋ ମା ବି ଡାଆଣୀ କି ପିଶାଚ ହେଇଯାଇଥିବ ନିଶ୍ଚୟ...! ମା ତୁ କୋଠି ଅଛୁ ଥରେ ଦେଖା ଦିଅନ୍ତୁନି ? ତଥାପି ସେମିତ ଏକ ମୁହୂର୍ତ୍ତକୁ ଚାହିଁ ରହିଥିବି ମୁଁ ..

ମୁଁ ଏବେ ଉତ୍ତର ବୟସ ରେ ଉପନିତା । ମୁହଁ ସଂଜରେ ଗୁହାଳକୁ ଫେରୁଥିବାବେଳେ ନାଳରେ ଗୋଡ଼ ପସିଯିବାରୁ ଆଗ ଡାହାଣ ଗୋଡ଼ଟି ଭାଙ୍ଗିଗଲା । ମୁଁ ଏବେ ନିଶ୍ଚଳ ପ୍ରାୟ । ଯଦିଓ ମୋ ଗୋଡରେ ବାଉଁଶ ବତାଦେଇ ଭିଡା ଯାଇଛି । ସେମିତି ଗୋଟିଏ ଜାଗାରେ ପଡି ରହିଛି ସେଦିନଠୁ । ବୋଧହୁଏ ଆଉ ଉଠି ପାରିବନି ଏ ଜୀବନରେ ..! ଖାଉନ୍ଦ ପାଇଁ ମୁଁ ଏବେ ଅଲୋଡା ବୋଝଟିଏ କେବଳ । କଂସେଇଖାନାର ବିମର୍ଷ ଦୃଶ୍ୟ ମତେ ଜଳ ଜଳ ଦେଖା ଗଲାଣି । ଗଫୁର ମିଆଁର ଇପ୍ସିତ ଲାଳସାଟି ପୂରଣ ହେବାକୁ ଯାଉଛି ନିଶ୍ଚୟ ।

ଖାଉନ୍ଦ ଗଫୁର ମିଆଁ ହାତରେ ସଅଁପି ଦେବାକୁ ନିଷ୍ପତି ନେଇଛି ...

©ଅଶୋକପବି


Rate this content
Log in