Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାତୃଶକ୍ତି
ମାତୃଶକ୍ତି
★★★★★

© Sagarika Mohanty

Inspirational

6 Minutes   7.2K    13


Content Ranking

ଆଜି ରବିବାର , ସମୟ ଭୋର ଚାରିଟା । ସମୟର ଘୋର ଅଭାବ ଯୋଗୁଁ ଏଯାଏ "ମାଆ" ବିଷୟରେ କିଛି ଲେଖି ପାରିନି । ମାଆ ବିଷୟରେ କେହି ଲେଖିବାକୁ କହିଲେ , ମୁଁ ସବୁ ଦିନ ମୋ ନିଜ ମାଆ ବିଷୟରେ ଲେଖିଦିଏ । ସେଇଟା ତ ସତରେ ଖୁବ ଭଲ କଥା । କିନ୍ତୁ ଆଜି ମୁଁ ନିଜ ବିଷୟରେ କିଛି ଲେଖିବାକୁ ଚାହୁଁଛି । କାରଣ ମୁଁ ବି ତ ମାଆଟିଏ । ଆଧୁନିକ ଯୁଗର ହୁଏ ପଛେ । ମୋ ଭିତରେ ବି ମାତୃତ୍ୱ ଯେ ଅନ୍ୟ ସମସ୍ତ ମାଆମାନଙ୍କ ପରି ଅତୁଳନୀୟ ଏକଥା ପ୍ରକୃତରେ କହିବାକୁ ମୁଁ ଚାହେଁ ନାହିଁ । କାରଣ ସବୁ ମାଆ ମାନଙ୍କ ଭଳି ମୁଁ ମୋ ପୁଅର ପାଠ ପଢାକୁ ନେଇ କେବେ ହେଲେ ତତ୍ପର ନଥିଲି । ସେଥିପାଇଁ ଘରେ ସମସ୍ତଙ୍କର ଆକ୍ରୋଶର ଶିକାର ହେଇ ଆସୁଥିଲି । ଆଜିକାଲି ପ୍ରାୟ ସବୁ ପିଲା ମାନେ ସ୍କୁଲ ପରୀକ୍ଷାରେ ଶହେ ରୁ ଶହେ ନମ୍ବର ରଖନ୍ତି , ଅତି କମରେ ନବେ ପ୍ରତିଶତ ନମ୍ବର ନ ଆଣି ପାରିଲେ ମାଆ ମାନଙ୍କର ସାଙ୍ଗ ସାଥୀ ମାନଙ୍କ ଆଗରେ ମୁଣ୍ଡ ତଳକୁ ନଇଁ ପଡ଼େ । ଛୋଟ ଛୋଟ ପିଲା ମାନେ ମଧ୍ୟ ନିଜ ମାଆ ମାନଙ୍କୁ ବିଜୟୀ କରେଇବାର ପ୍ରତିଶ୍ରୁତିର ମୁକୁଟ ପିନ୍ଧେଇ ଯୁଦ୍ଧ କ୍ଷେତ୍ରକୁ ମାନେ ସ୍କୁଲକୁ ବାହାରି ଯାଆନ୍ତି । ସେଥିରେ ମାଆ ମାନଙ୍କର ଭୂମିକା ଖୁବ ଅଧିକ ଥାଏ। ଦିନର ବଳକା ସମୟ ମାନଙ୍କରେ ସେମାନେ ବୁଝି ନିଅନ୍ତି ନିଜ ସାଙ୍ଗସାଥି , ସାହିପଡ଼ିଶାଙ୍କ ପିଲା ମାନଙ୍କର ଗତ ପରୀକ୍ଷାର ନମ୍ବର । ତା ପରେ ଆଲୋଚନା , ପର୍ଯ୍ୟବେକ୍ଷଣ , ସମାଲୋଚନାରେ କିଛି ସମୟ ବିତି ଗଲା ପରେ ଆରମ୍ଭ ହୁଏ ଯୁଦ୍ଧର ଦ୍ଵିତୀୟ ଅଧ୍ୟାୟ । ପିଲାଟି ସ୍କୁଲରୁ ଫେରିବା ବେଳକୁ ତା ପାଇଁ ଆଉ ଗୋଟେ ଯୁଦ୍ଧର ମୈଦାନ ତିଆରି ସାରିଥାଏ ।

ମୁଁ ଥିଲି ଏସବୁରୁ ବହୁତ ଦୂରରେ । ଅଧିକାଂଶ ସମୟ ନିଜ ପୁଅ ସାଙ୍ଗରେ କଥା ହେବାରେ ସମୟ ବିତଉଥିଲି । ତା ସାଙ୍ଗରେ ଖେଳି ବୁଲି ସମୟ କାଟି ଦେଉଥିଲି । ଆମେ ସାଙ୍ଗ ହେଇ ସିନେମା ଦେଖୁଥିଲୁ । କିଛି ତା ପସନ୍ଦର ଇଂରାଜୀ ସିନେମା ଓ କିଛି ମୋ ପସନ୍ଦର ହିନ୍ଦୀ ସିନେମା । ପାଠ ମଧ୍ୟ ପଢୁଥିଲା କିନ୍ତୁ ଅଧିକା ସମୟ ଆମର ମାନବଵାଦ , ବାସ୍ତଵବାଦ କଥାବାର୍ତ୍ତାରେ ଯାଉଥିଲା । ମୁଁ ତାକୁ ଆଜିକାଲି ପାଠ ପଢ଼ାକୁ ନେଇ ଚାଲିଥିବା ପ୍ରତିଯୋଗିତା ମନୋଭାବରୁ ଦୁରେଇ ରଖିଥିଲି । ମୁଁ ମଧ୍ୟ ସେସବୁ ଆଲୋଚନା , ସାଙ୍ଗସାଥୀଙ୍କ ଠାରୁ ଦୂରରେ ରହୁଥିଲି । ସ୍କୁଲରେ ତା ଶିକ୍ଷୟିତ୍ରୀ ଏତେ ଥଣ୍ଡା ମିଜ଼ାଜ଼ର ଜଣେ ମାଆକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । କହୁଥିଲେ , " ଜୀବନରେ ପ୍ରଥମ ଥର , ସିଲାବସ ଭିତରେ ବାନ୍ଧି ହେଇ ବଞ୍ଚୁନଥିବା ମା’ ଟିଏ ଦେଖିଲି । ଆପଣଙ୍କୁ ଡର ଲାଗେନି ! ସବୁଆଡେ ପ୍ରତିଯୋଗିତାର ପରିବେଶ । ପିଲାଟାକୁ ଟିକେ ସିରିଅସ କରାନ୍ତୁ । କିନ୍ତୁ ପାଠରେ ସାଧାରଣ ନମ୍ବର ରଖୁଥିବା ଆପଣଙ୍କ ପୁଅ ଖୁବ ପରୋପକାରୀ , ମିଷ୍ଟଭାଷୀ ଏବଂ ଭଦ୍ର । " ମୁଁ ମନେମନେ ହସିଦେଲି । ନିଜେ ତ ଏତେ ଗୁଡା ନମ୍ବର ଦେଇଦେଲେ , ପୁଣି ମୋ ପୁଅ ସାଧାରଣ ଛାତ୍ର ହେଲା କେମିତି !

ମୋ ସ୍ୱାମୀ ସବୁବେଳେ ମୋତେ ଆକ୍ଷେପ କରି କହୁଥିଲେ , " ପିଲାଟାକୁ ତୁମେ ନଷ୍ଟ କରିଦେଲ । ଆଜିକାଲି ପଞ୍ଚାନବେ ପ୍ରତିଶତ ନମ୍ବର ନ ରଖିଲେ କୋଉ କଲେଜରେ ସ୍ଥାନ ମିଳିବନି ।" କିନ୍ତୁ ମୁଁ କୋଉ କଥାକୁ କାନକୁ ନିଏନି । ଓଲଟା ତାଙ୍କୁ ଅନୁରୋଧ କରେ ଏସବୁ ବିଷୟରେ ପୁଅର ଉପସ୍ଥିତିରେ କେବେ ହେଲେ ଆଲୋଚନା ନ କରିବାକୁ । ମୋର ଦୃଢ ବିଶ୍ଵାସ , ମୋ ପୁଅ ନିଶ୍ଚୟ ଦିନେ ଭଲ ମଣିଷ ହେବ । ମୁଁ ତାକୁ ନମ୍ବର କିମ୍ବା ଗ୍ରେଡର ପରିଧି ଭିତରେ ବାନ୍ଧି ରଖିବାକୁ ଚାହେଁନା ।"

ସେ ନବମ ଶ୍ରେଣୀରେ ପଢିଲା ବେଳକୁ , ଏମିତି କୋଉ ବିଷୟ ନଥିଲା ଯାହା ବିଷୟରେ ଆମେ କଥା ହେଉ ନଥିଲୁ । ସତେ ଯେମିତି ଆମେ ଗୋଟେ ଶ୍ରେଣୀର ଦୁଇଟି ସହପାଠୀ । ତା ମନକୁ ଯାହା ଆସୁଥିଲା , ମୋତେ ପଚାରୁଥିଲା । ଆଉ ମୁଁ ଖୁବ ଧୈର୍ଯ୍ୟର ସହ ତାର ସବୁ ପ୍ରଶ୍ନର ଉତ୍ତର ଦେଉଥିଲି । ସେ ଭାବୁଥିଲା ତା ମାଆ ବୋଧେ ଖୁବ ଜ୍ଞାନୀ । ଯେ କୌଣସି ପ୍ରଶ୍ନର ଉତ୍ତର ତା ପାଖରେ ଉପଲବ୍ଧ । ନିଜ ସାଙ୍ଗସାଥୀଙ୍କ ପାଖରେ ମୋତେ ନେଇ ଗର୍ବ କରିବା ଆରମ୍ଭ କରିଦେଇଥିଲା । ସିଲାବସ୍ ପ୍ରତିଯୋଗିତା ବାହାରେ ଆମେ ନିଜର ଗୋଟେ ଛୋଟ ଦୁନିଆ ତିଆରି କରିଦେଇଥିଲୁ ।

କିନ୍ତୁ ନଈ କୂଳେ ଘର କରି କୁମ୍ଭୀର ସାଥିରେ ବାଦ କଲେ କେମିତି ଚଳିବ ! ସେ ଦିନ ବି ଆସିଲା ଯୋଉ ଦିନ ମୋର ପ୍ରକୃତ ପରୀକ୍ଷାର ବେଳ ଆସିଲା ।

ନବମ ଶ୍ରେଣୀ ଅଧା ହେଲା ବେଳକୁ ପୁଅ ମୋର ଗଣିତଠାରୁ ଦୁରେଇ ଦୁରେଇ ରହିଲା । ବୋଧେ ବୁଝିବାରେ କୋଉଠି ଅସୁବିଧା ରହୁଥିଲା । ମୋର ତ ସ୍କୁଲରେ ଅଙ୍କ ଜମା ଭଲ ହେଉ ନଥିଲା । ଯଦିଓ ଅନ୍ୟ ବିଷୟରେ ଖୁବ ଭଲ ଥିଲି କିନ୍ତୁ ଅଙ୍କରେ ପାସ ନମ୍ବର ରଖିବାକୁ ମୁଁ ଖୁବ ସଂଘର୍ଷ କରିଥିଲି । ତେଣୁ ମୁଁ କୌଣସି ସାହାଯ୍ୟ କରିବା ପରିସ୍ଥିତିରେ ନଥିଲି । ଜଣେ ଟିଉସନ୍ ସାରଙ୍କ ପାଖକୁ ପଠେଇଲି । କିଛି ଦିନ ପରେ ସାର ଜଣକ ମୋତେ ଡାକି କହିଲେ , ଆପଣଙ୍କ ପୁଅ ଦେଇ ଅଙ୍କ ହେବ ନାହିଁ , ତେଣୁ ମୋତେ କ୍ଷମା କରନ୍ତୁ । " ସିଏ ବୋର୍ଡ଼ ପରୀକ୍ଷାରେ ପାସ କରିବା ଖୁବ କଷ୍ଟ ହେଇ ପଡିବ । ଭବିଷ୍ୟତରେ ତାକୁ ବିଜ୍ଞାନ ପଢିବାକୁ ଭୁଲରେ ମଧ୍ୟ କହିବେ ନାହିଁ ।"

ଏକଥା ଶୁଣି ମୋତେ ଟିକେ ଚିନ୍ତା ଲାଗିଲା । ବିଜ୍ଞାନ ତାର ସବୁଠାରୁ ପ୍ରିୟ ବିଷୟ । ଭବିଷ୍ୟତରେ ବିଜ୍ଞାନ ନେଇ ଉଚ୍ଚ ଶିକ୍ଷା ଲାଭ କରିବାର ସ୍ଵପ୍ନ ସେ ପିଲା ବେଳରୁ ଦେଖିଚି ।କଣ କରିବି କିଛି ଭାବି ପାରୁନଥାଏ । ବର୍ଷ ଅଧାରୁ ନୂଆ ଟିଉସନ୍ ସାର କୋଉଠୁ ପାଇବି । ସିଏ ବି ଯଦି ପଢେଇବାକୁ ମନା କରିଦେବେ ତେବେ କଣ କରିବି ।ଏଣେ ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । କ୍ଳାସ୍ ଟେଷ୍ଟ ଆରମ୍ଭ ହେଇ ଯାଇଥାଏ । ପ୍ରତ୍ୟେକ ଦିନ ଗୋଟେ ବିଷୟରେ ପରୀକ୍ଷା ହେଉଥାଏ । ଯିଏ ଭଲ ନମ୍ଵର ନ ଆଣି ପାରେ , ତାକୁ ସେଇ ବିଷୟରୁ ଅଧିକ ତିରିଶଟା ଅଙ୍କ କରିବାକୁ ଦିଆ ଯାଏ ତଥା ପରଦିନ ପାଇଁ ଆଉ ଗୋଟ ନୂଆ ବିଷୟର ଅଭ୍ୟାସ କରିବାକୁ ପଡେ ।

ଚାରି ଦିନ ହେଲାଣି , ସବୁ ଦିନ ଖରାପ ନମ୍ବର ରଖି ପୁଅ ସ୍କୁଲରୁ ଫେରେ । ତା ଆଖିରେ ଲୁହ , ମୁହଁରେ ବିଷାଦର ଚିହ୍ନ ଦେଖି ମୁଁ ଦୁଃଖରେ ମ୍ରିୟମାଣ ହେଇ ପଡୁଥାଏ । କିନ୍ତୁ ଉପାୟ ଶୂନ୍ୟ ହେଇ ତା ମୁହଁକୁ ଚାହିଁ ରହେ । ତିରିଶଟା ଅଙ୍କ କଷି ପୁଣି ନୂଆ ଗୋଟେ ବିଷୟ ପାଇଁ ଅଭ୍ୟାସ କରିବା ତା ପାଇଁ କାଠିକର ପାଠ ହେଇଯାଉଥାଏ । ଅନ୍ୟ ବିଷୟ ପଢିବାକୁ ତାକୁ ବେଳ ହେଉନଥାଏ ।

ଦିନେ ରାତିରେ ଅଙ୍କ କରି କରି ଥକି ଯାଇଥାଏ । ମୁଁ ତାକୁ ଖାଇବାକୁ ଡାକିଲି । ଧଡପଡ ହେଇ ଉଠି ପଡି କହିଲା , " ମାମା , ମୋତେ ରକ୍ଷା କର । ଆଉ ଦଣ୍ଡ , ଅପମାନ ପାଇବାକୁ ମୋର ଧୈର୍ଯ୍ୟ ନାହିଁ , ତୁମେ ହିଁ ମୋତେ ଏଥିରୁ ବଞ୍ଚେଇ ପାରିବ , ମୋତେ ପ୍ଲିଜ ବଞ୍ଚା।"

ମୋର ତା କଥା ଶୁଣି ରାତି ସାରା ନିଦ ହେଲା ନାହିଁ । ସେମିତି ତା ମୁଣ୍ଡ ପାଖରେ ବସି ତା ମୁହଁକୁ ଚାହିଁ ରହିଥାଏ । ଏତେ ହସଖୁସିଆ ମୁହଁଟା ଲଜ୍ଜା ଅପମାନ ପାଇ ପୁରା ପୁରି ଶୁଖି ଯାଇଥାଏ । ରାତି ଠିକ ଚାରିଟାରେ ଉଠି ତା ଅଙ୍କ ବହି ଆଣି ବସିଲି । କୋଉଠୁ କିଛି ମୁଣ୍ଡରେ ପଶିଲାନି । କଣ କରିବି ଭାବୁଥାଏ । କଣ ମନ ହେଲା କେଜାଣି , ଆଖି ବନ୍ଦ କରି , ହାତ ଯୋଡ଼ି ଠାକୁରଙ୍କୁ ସ୍ମରଣ କରି କହିଲି , " ହେ ପ୍ରଭୁ , ଶକ୍ତି ଦିଅ । ମୋ ପୁଅର ମୋ ପ୍ରତି ଥିବା ବିଶ୍ୱାସକୁ କମଜୋର ହେବାକୁ ଦିଅନି । ଆଜି ଯଦି ସିଏ ହାରିଯିବ , ତେବେ ମୋର ମାତୃତ୍ୱ ହାରିଯିବ , ଦୟା କର ପ୍ରଭୁ ।"

କିଛି ସମୟ ପରେ ଆଖି ଖୋଲିଲି ।ଯୋଉ ବିଷୟଟା ସେଦିନ ପରୀକ୍ଷା ହେବାର ଥାଏ , ସେ ବିଷୟ ଟି କୁ

ଆଉଥରେ ପଢ଼ିଲି । ଏଥର ମୁଁ ସବୁ ବୁଝି ପାରିଲି । ଖୁବ ଖୁସି ଲାଗୁଥାଏ । ପୁଅକୁ ନିଦରୁ ଉଠେଇ , ସେ ବିଷୟଟିକୁ ଭଲରେ ବୁଝେଇଲି । ତା ପରେ ବୁଝେଇ ସୁଝେଇ ତାକୁ ସ୍କୁଲ ପଠେଇଲି । ସେଦିନ ସେ ଖୁବ ଭଲ ନମ୍ବର ନେଇ ବହୁତ ଖୁସିରେ ଘରକୁ ଫେରିଲା । ତା ପରେ ଧୀରେ ଧୀରେ ଗୋଟେ ଗୋଟେ ବିଷୟକୁ ନିଜେ ପଢି , ତାକୁ ବୁଝେଇଲି । ଆଶ୍ଚର୍ଯ୍ୟର କଥା , ମୁଁ ଏମିତି ଭାବରେ ସବୁ ଅଙ୍କ ବୁଝି ପାରୁଥାଏ , ସତେକି ମୁଁ ଗୋଟେ ପକ୍କା ଗଣିତଜ୍ଞ । ସେଦିନ ଠାରୁ ମୁଁ ହିଁ ତାକୁ ପାଠ ପଢେଇଲି । ଅଙ୍କ ପ୍ରତି ଥିବା ଡର ତାର ଭାଙ୍ଗିଲା , ମୋ ପ୍ରତି ତା ମନରେ ଥିବା ବିଶ୍ୱାସ ଆହୁରି ଦୃଢ଼ ହେଲା । ଅନ୍ୟ ସବୁ ବିଷୟରେ ତ ସେ ଆଗରୁ ଭଲ ଥିଲା । ତେଣୁ ଦଶମ ପରୀକ୍ଷାରେ ଖୁବ ଭଲ ନମ୍ବର ରଖି ପାସ କଲା ।

ପରୀକ୍ଷା ଫଳ ବାହାରିବା ଦିନ ମୁଁ ଭାବୁଥିଲି , " ସାଧାରଣ ଝିଅଟିଏ ଯେତେବେଳେ ମାଆ ପାଲଟେ , ସାକ୍ଷାତ ଭଗବାନ ତା ଦେହରେ ବାସ କରନ୍ତି ।ମାଆ ଟିଏ ଚାହିଁଲେ କଣ ନ କରିପାରେ । " ମୁଁ ଗୋଟେ ଛୋଟ ସହରର ସରକାରୀ ସ୍କୁଲର ଛାତ୍ରୀ ଥିଲି । ଯେମିତି ସେମିତି ଅଙ୍କରେ ପାସ କରିଥିଲି ବୋଲି ଅଙ୍କ ପ୍ରତି ମୋର କେବେ କୌଣସି ଆଗ୍ରହ ନଥିଲା । ଦଶମ ଶ୍ରେଣୀ ପରଠାରୁ ଅଙ୍କ ବହି ସାଥିରେ ମୋର କୌଣସି ସମ୍ପର୍କ ନଥିଲା । କିନ୍ତୁ ନିଜ ପୁଅର ହାରି ଯିବାଟା ମଞ୍ଜୁର ନଥିଲା ବୋଲି ଏତେ ବର୍ଷ ପରେ, ଆଜିର ନବମ / ଦଶମ ଶ୍ରେଣୀର ଅଙ୍କ କଷି ଦେଲି , ଯାହାକୁ ବୁଝିବା ପାଇଁ ଦେଶ ସାରା ଆଜି କୋଚିଂ , ଟିଉସନ୍ କ୍ଳାସ୍ ଭର୍ତ୍ତି ହେଇ ଗଲାଣି !

ପୁଅ ମୋତେ ଚୁପ ଚାପ ଥିବା ଦେଖି କହିଲା , " ମମ୍ମା , ଏବେ ତ ମୋତେ ଅଙ୍କ ଆସୁଛି । ତମେ ଯଦି ଅନୁମତି ଦେବ , ମୁଁ ବିଜ୍ଞାନ ପଢିବାକୁ ଚାହେଁ ।" ମୁଁ ତା ମୁଣ୍ଡରେ ହାତ ରଖି କହିଲି , "ତୋତେ ଅଙ୍କ ନ ଆସିଥିଲେ ବି ତୁ ଯାହା ଚାହିଁଥାନ୍ତୁ ମୁଁ ପଢିବାକୁ ଅନୁମତି ଦେଇଥାନ୍ତି । ଗୋଟେ ବିଷୟ କିମ୍ବା କୌଣସି ଏକ ଗ୍ରେଡ୍ , ତୋତେ ତୋ ସ୍ଵପ୍ନ ଠାରୁ କେବେ ହେଲେ ଦୁରେଇ ରଖି ପାରିବ ନାହିଁ । ଏବେ ଡେଣା ଖୋଲି ଉଡି ଯା ଧନ । ସାରା ଆକାଶଟା ଏବେ ତୋର ।"

ମାଆ ପୁଅ ଆକାଶ

Rate the content


Originality
Flow
Language
Cover design

Comments

Post

Some text some message..