Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଟିକିମାର ଭାଗ୍ଯ

ଟିକିମାର ଭାଗ୍ଯ

3 mins
718


ଟିକିମାର ଭାଗ୍ୟ

ସିମେଣ୍ଟ,ଲୁହାରଡ ଦେଇ ପଡିଥିବା ଛାତଘର ର ନାଁ ପୁଣି କୁଟୀର? ହସିଉଠିଲେ ଏକାଥରକେ ଟିକି,ଟୁନା ଓ ତା ମାଆ।

ଟିକି ଠୋଠୋ ହସିହସି ପଚାରିଲା ବାପା,`ଆପଣଙ୍କୁ ଲୋକମାନେ ପାଗଳ ଭାବିବେନି ତ? କୋଠାଘର ତିଆରିକରି କୁଟୀର ଲେଖିବାର ତାପ୍ତର୍ଯ୍ୟ କଣ?'

ଚିରାଚରିତ ଭଙ୍ଗୀରେ ମୋହନବାବୁ ବୁଝାଉଥିଲେ,ମାଆ ରେ!

ଏ ବିଶାଳ ସଂସାରରେ ଯେଉଁ ବାସ ଖଣ୍ଡିଏ ମୁଁ ତିଆରି କରିଲି,ତାହା ସେହି ପ୍ରଭୂଙ୍କର ହିଁ ଇଛ୍ଛା । ତେଣୁ ତାଙ୍କର ଏ ବିଶାଳତା ରେ ମୁଁ ନଗଣ୍ୟ ଓ କ୍ଷୁଦ୍ର। ତା ଛଡା ନିଜକୁ ଟିକିଏ ଛୋଟ ମନେକଲେ,ଗର୍ବ ଅହଂକାର ଛୁଏଁନି। ' ଟିକି ବାପାଙ୍କ ମୁହଁକୁ ବଲବଲକରି ଚାହିଁରହିଥିଲା।

ରାତିରେ ଟିକି ମାଆ ଫୁଲିଫୁଲି କାନ୍ଦିବାକୁ ଲାଗିଲେ। 'ଟଙ୍କା ଉପାର୍ଜନ କଲ ତୁମେ। ଘର ତିଆରି କଲ ତୁମେ। ନାଁ କଣ ପାଇଁ ମୋର ଦେବ ଯେ ? ମୋହନ ବାବୁ ଟିକି ମାଆ କୁ ପାଖକୁ ଭିଡିନେଇ କହିଲେ,ହୁଣ୍ଡି କୋଉଠିକାର? ଖାଲି କାଠ, ପଥର,ଟଙ୍କା, ପଇସା କୁ ନେଇ କଣ ମୁଁ ଘରକରି ପାରିଥାନ୍ତି?

ଟିକି,ଟୁନା,ତୋତେ ଓ ମୋତେ ନେଇ ଏ ଯେଉଁ ଛୋଟ ପରିବାର,ତାର କେନ୍ଦ୍ରବିନ୍ଦୁ ତ ତୁମେ ନିଜେ। ତୁମର ସ୍ନେହ,ପ୍ରେମ ଓ ଅନୁରାଗରେ ଆମେ ସମସ୍ତେ ଛନ୍ଦାଛନ୍ଦି। ତେଣୁ ଏ ଘରଟି ବାସ୍ତବିକ ତୁମର ହିଁ ଦାନ। ଟିକିମା କୁ ଆଉ କିଛି କହିବାକୁ ନଦେଇ ଏକପ୍ରକାର ନିଜର ଛାତିରେ ଚାପି ଧରିଥିଲେ,ମୋହନବାବୁ।

x x x x

ମୋହନ ବାବୁଂକ ଯିବାର ପଂଦର ବର୍ଷ ବିତିଗଲାଣି।ନିଜ କାନକୁ ବି ବିଶ୍ବାସ ହୁଏନି। ଟିକି ଓ ଟୁନାର ବାହାଘର ପରେପରେ ବାଟକାଟିଥିଲେ,ସେ। ଆଜିକିନ୍ତୁ କାହିଁକି କେଜାଣି ବହୁତ ମନେପଡୁଛନ୍ତି,ସେ। ଟୁନାର ପୁଅ ଟୁକୁଲୁ ଟିକେ ଦେଖିବାକୁ ତାଙ୍କପରି। ଆଜି ସ୍କୁଲ୍ ରୁ ଫେରିବା ବାଟରେ ଧୂପ ପ୍ୟାକେଟ୍ ଟିଏ କିଣି ଆଣି ଲୁଚାଇକରି ତାଙ୍କୁ ଦେଇଛି।

କହଛି,ଜେଜେମା ! ମୋ ପାଇଁ ତୋ ଆଣ୍ଠୁଆ ଗୋପାଳଙ୍କ ପାଖରେ ବାସନା ଧୂପଦେଇ ଡାକିବୁ।ମୋର ପରୀକ୍ଷାରେ ଭଲହେବ। ନିଜକୁ ସମ୍ଭାଳି ନପାରି ଟିକିମା ଲୁଗାକାନିରେ ମୁହଁ ଛୁପାଇ କାନ୍ଦିବାକୁ ଲାଗିଲେ। " ତୋ ଜେଜେ ବାପାବି ଠିକ୍ ଏମିତି ମୋ ହାତକୁ ଧୂପଖୋଳଟିଏ ବଢାଇଦେଇ କହୁଥିଲେ,ତାଙ୍କପାଇଁ ସେ ଆଣ୍ଠୁଆ ଗୋପାଳ ପାଖରେ ପ୍ରାର୍ଥନା କରିବାକୁ।" ତାଙ୍କର ବି ଠିକ୍ ତୋପରି ବିଶ୍ବାସ ଥିଲା ଯେ ମୁଁ ଯଦି ଧୂପଟିଏ ଦେଇ,ଆଣ୍ଠୁଆ ଗୋପାଳ କାନରେ ମନକଥା କହିଦେବି,ତାହା ସଫଳ ହେବ ବୋଲି। ବେଳେ ବେଳେ ତ କହନ୍ତି,ଟିକିମା ! ତୋ କଥାପରା ସେ ଶୁଣେ ? ମୋ ପାଇଁ ଟିକେ କହ? ଅଝଟିଆ ପିଲାଏ କହିଲା ପରି ସେ କହିଥାନ୍ତି।

x x x x x

ବଳ ବୟସ ହଟିଲେ,ନିଜ ଲୋକବି ଅଣହେଳା କରିବାକୁ ପଛାନ୍ତିନାହିଁ। ଯଦି ଦେହପା ଭଲ ଅଛିତ ରକ୍ଷା,ନୋହିଲେ ଅବସ୍ଥା ଅସମ୍ଭାଳ । କିଛିଦିନ ହେବ ଟିକିମାର ଦେହ ଭଲରହୁନି।ତା ଛଡା ଏ ବର୍ଷ ଥଣ୍ଡାବି ପ୍ରବଳ ପଡିଛି। ବହୁପୁରୁଣା କସ୍ତା ଚାଦର ଖଣ୍ଡଟି ଆଉ ଶୀତ ରଖୁନି। ଟୁନା ଖଣ୍ଡେ କମ୍ବଳ ଦେଇଥିଲାଯେ ସେ ପଚରା ହୋଇଗଲାଣି। ରାତି ଅଧରେ ଖେଁ ଖେଁ କାଶ ହେଉଛି।

ବୋହୁର ଜିଦ୍ , ବେକାରଟାରେ ୧୨x୧୫ଫୁଟ୍ ର ରୁମ୍ ଟି ଗୋଟେ ବୁଢୀଲୋକ ତୁଛାରେ ଆବୋରି ବସିଛି। ଆଟାଚ୍ ଲାଟିନ୍ କମ୍ ବାଥ୍ ରୁମ୍ ଟେ ଯୋଡିଦେଲେ,ମାସକୁ ପାଂଚହଜାର ଭଡା ମିଳିଯିବ।

x x x x

ଟୁକୁଲୁ ଏଥର ହଷ୍ଟେଲ୍ ରୁ ଫେରି ଆଶ୍ଚର୍ଯ୍ୟ ହୋଇଗଲା। ଜେଜେମା ରୁମ୍ ରେ ନୂଆ ଫେମିଲିଟିଏ ଭଡାରେ ରହିସାରିଥିଲେ। ହେଲେ ଜେଜେମା?

ଘର ସାରା ଏକପ୍ରକାର ଅଣ୍ଡାଳି ପକାଉଥିଲା ସେ ! ଶେଷରେ

ସେ ଠାକୁରଘରେ ଜେଜେମାକୁ ପାଇ ଆଶ୍ବସ୍ତ ହେଲା ଓ ଧୂପକାଠି ପକେଟ୍ ଟିଏ ତା ହାତକୁ ବଢାଇ ଦେଇ,ଓଳଗି ହେଲା। ଏ କଣ,ଜେଜେମା? ତୋ ଦେହରେ ଜ୍ବର ଖଇଫୁଟୁଛି? ତୋ ଦେହ ଭଲନାହିଁ। ତୋତେ ଡାକ୍ତର ପାଖକୁ ଯିବା ଦରକାର। ଉଠିପଡି ଧାଇଁଯିବାକୁ ଉଦ୍ୟତ ହେବାବେଳକୁ ଟୁକୁଲୁର ଆଙ୍ଗୁଳିକୁ ଭିଡିଧରିଲା ଟିକିମା। "ଆରେ,ବସ୍ ! ମୋ କଥା ଏତେ ଚିନ୍ତା କରନା ! ବୁଢୀ ହେଲିଣି।ଆଉ ଗାତକୁ ଦିହାତ ବାଟ। ତୁ ଛୁଆଟା। ମୋପାଖରେ ଦି ଘଡି ବସ୍। ମୋର ସବୁ ଭଲ ହୋଇଯିବ।

----ଜେଜେମା,ତୁ ରାତିରେ ଶୋଉଛୁ କୋଉଠି?

ଏଇଠି। ମୋ ଆଣ୍ଠୁଆ ଗୋପାଳ ପାଖରେ।

-----ଏଠି ତ ବହୁତ ଥଣ୍ଡା ! ମାର୍ବଲ୍ ଘର ।

ହଁ ରେ, ମୋ ଆଣ୍ଠୁଆ ବି ଭାରି ଅଝଟିଆ।ରାତି ଅଧରେ କହିବ,ମୋତେ ଝୁଲା ! ଖେଳା !

ତାରି ଲୀଳାରେ ତ ମୋତେ ରାତିବି ଅଣ୍ଟୁନି ରେ।

ବିଶ୍ବାସ କି ଜିନିଷ ସିନା ଦେଖାଇ ହୁଏନି,ହେଲେ ମୁଁ ତାକୁ ପୁରା ବିଶ୍ବାସ କରେ। ତୋ ଜେଜେବାପା ଯିବା ପରଠାରୁ ସେ ପରା ମୋତେ ପାଦେପାଦେ ଜଗିଅଛି। ନୋହିଲେ ଏ ହାଡ କେଇଖଣ୍ଡ ଓ ଧୁଡୁଧୁଡୁ ଚମର ବା କି ଶକ୍ତି ଏ ଜୀବନକୁ ବାନ୍ଧି ରଖିଛି,ଏତେଦିନ ହେଲା।

x x x x

ଟୁକୁଲୁ ର ଜିଦ୍ , ତା ସାଙ୍ଗଘରେ କାର୍ପେଟ୍ ପଡିଛି,ସୁନ୍ଦର ଲାଗୁଛି। ତେଣୁ ତାଙ୍କଘରେ ବି ପଡିବ। ମାମାକୁ ସାଥିରେ ନେଇ ଥ୍ରୀଡି ପ୍ରୀଣ୍ଟ୍ ର ଡିଜାଇନ୍ ପସନ୍ଦ କରିଆସିଛି,ସେ। ଆସନ୍ତାକାଲି ପୁରା ଫ୍ଲୋରିଂ କଭର୍ ହୋଇଯିବ।

ରାତି ଅଧରେ ଜେଜେମା ର ଖେଁ ଖେଁ କାଶରେ ନିଦ ଭାଙ୍ଗିଗଲା ତାର। ସେ ଧାଇଁଗଲା ଠାକୁରଘରକୁ। ଏକଣ? ଜେଜେମା ଶୀତରେ ଥୁରୁଥୁରୁ ହୋଇ ଆଣ୍ଠୁଆ ଗୋପାଳକୁ ଝୁଲାଉଛି ଆଉ ଗୁଣୁ ଗୁଣୁ ହୋଇ ଗାଉଛି, କୋଇଲି ଲୋ କେଶବ ଯେ ମଥୁରାକୁ ଗଲା .........

କାହା ବୋଲେ ଗଲା ପୁତ୍ର ବାହୁଡି ନୋହିଲା ........

ଟୁକୁଲୁ କୁ ବସିବା ର ଇଙ୍ଗିତ ଦେଇ ଟିକିମା ତା ହାତକୁ ବଢାଇ ଦେଲା,ଆଣ୍ଠୁଆର ଝୁଲଣ ଡୋରକୁ। ଜେଜେମାର ଶିରାଳ ହାତକୁ ଜାବୁଡି ଧରି ଟୁକୁଲୁ ଝୁଲଣ ରଶିକୁ ଟାଣି ଚାଲିଥିଲା ବେଳେ,ଜେଜେମା ର ମୁଣ୍ଡ ତା କୋଳରେ ରହିସାରିଥିଲା। ଗୋଟିଏ ହାତରେ ସେ ଜେଜେମାର ପକ୍ବ କେଶରାଶିକୁ ସାଉଁଳି ଦେଉଥିବା ବେଳେ,ଜେଜେମା ତାର ଅସଂଖ୍ୟ ବିନିଦ୍ର ରାତ୍ରୀର ନିଦ୍ରାକୁ ଟୁକୁଲୁର କୋଳରେ ସାରିଦେବାର ପ୍ରସ୍ତୁତି ରେ ବୋଧେ ମଗ୍ନ ହୋଇଯାଇଥିଲା।

ହଠାତ୍ ଟୁକୁଲୁ ଅନୁଭବ କଲା, ତା ଜେଜେମା ର ହାତ ଓ ମୁଣ୍ଡ ସବୁ ବରଫ ହେବାକୁ ଲାଗିଲେଣି,ଯେମିତି। ସେ ଚିତ୍କାର କରିଉଠିଲା,' ଜେଜେ ମା .........'

ତା ଦୁଇ ପାପୁଲି ରେ ସେ ତା ଜେଜେମା ର ମୁହଁକୁ ଉପରକୁ ତୋଳିଧରିବାକୁ ଚେଷ୍ଟାକରି ବି ପାରୁ ନଥିଲା ।

x x x x x

ପରେ ପରେ ଲୋକେ କଥା ହେଉଥିଲେ,

ହାଏରେ! ଟିକିମା ର କି ଭାଗ୍ୟ !

ଇଂବିଜୟ କୁମାର ସେନାପତି

୮୮୯୫୫୦୦୯୯୨


Rate this content
Log in

Similar oriya story from Tragedy