Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Inspirational

3  

Lopamudra Mishra

Inspirational

କଣ୍ଢେଇ

କଣ୍ଢେଇ

8 mins
508


ଲୋପାମୁଦ୍ରା ମିଶ୍ର

ଅଭୟ ଓ ପ୍ରିୟଙ୍କା ଉଭୟ ପେସାରେ ଡାକ୍ତର ଡାକ୍ତରାଣୀ । ଅଭୟଙ୍କର ଅର୍ଥୋପେଡିକ ବିଭାଗକୁ ପ୍ରିୟଙ୍କା ଗାଏନୋକୋଲୋଜିଷ୍ଟ । ଦୁହେଁ ନିଜ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତରହନ୍ତି ଯେ ଦିନରେ ଅଧଘଣ୍ଟାଏ ଵି ସାଙ୍ଗରେ ବସି କଥା ହେବାକୁ କାହା ପାଖରେ ସମୟ ନଥାଏ ।

ବିବାହର ଚାରିବର୍ଷ ପରେ ପ୍ରିୟଙ୍କା ଗର୍ଭବତୀ ହେଲେ । ପ୍ରିୟଙ୍କା ପ୍ରେଗନାନ୍ସିର ସାତମାସ ରୁ ମାଟରନିଟି ଲିଭ ରେରହିଲେ । ଘରେ ମାଆ ଓ ଶାଶୂ ଉଭୟ ଅସୁସ୍ଥ । କେହି ଦାୟିତ୍ୱ ତୁଲେଇବାକୁ ସମର୍ଥ ନୁହଁନ୍ତି । ବହୁ ଖୋଜା ଖୋଜି କଲା ପରେ ପ୍ରିୟଙ୍କା ଙ୍କ ବଡଭଉଣୀ ତାଙ୍କ ଘରେ କାମ କରୁଥିବା ଜଣେ ସ୍ତ୍ରୀଲୋକ(ଗୌରୀ)ର ଦଶ ବାର ବର୍ଷରକୁନି ଝିଅଟିକୁ ଠିକ କଲେ ପ୍ରିୟଙ୍କାଙ୍କ ପାଖକୁ ଭୁବନେଶ୍ୱର ପଠେଇବା ପାଇଁ ।

କଣ୍ଢେଇକୁ ପ୍ରିୟଙ୍କା ଙ୍କ ପ୍ରୀତିନାନୀ ଆଣି ଛାଡ଼ି ଦେଇଗଲେ । ଶ୍ୟାମଳରଙ୍ଗର ପାତଳୀ ଝିଅ ଟିଏ । ଲମ୍ବା ଲମ୍ବା ବାଳ ଆଉ ବଡ ବଡ ଆଖି । ଖୁବ ଶାନ୍ତ ଆଉ ନିରୀହ । ଏଡ଼େ ବକଟେ ଝିଅକୁ ଦେଖି ଅଭୟ ଓ ପ୍ରିୟଙ୍କା ରାଜି ହେଉନଥିଲେରଖିବାକୁ । କି ସାହାଯ୍ୟ କରିବ ଏ ଛୁଆଟା ? ନିଜେ ତ ପିଲାଲୋକ ସେ ପୁଣି ଗୋଟେ ଛୋଟପିଲାର ଦାୟିତ୍ୱ ନେବ କିପରି ? ପୁଣି ଯଦି ତା ମାଆକୁ ମନେ ପକେଇ କାନ୍ଦିବ ତ କିଏ ବୁଝେଇବ ତାକୁ?

କଣ୍ଢେଇ କିନ୍ତୁ ନିଜେ ମୁହଁ ଖୋଲି କହିଲା ସେ ସବୁ ସମ୍ଭାଳି ନେବ । ଟିକି ଝିଅଟା କାମରେ ଵି କରି ଦେଖାଇଲା । ସକାଳୁ ସଞ୍ଜ ଯାଏଁ ଦୌଡ଼ା ଦୌଡି କରି ସବୁ କାମ ଠିକ ଠିକ କରେ ।

ଦିଦିଙ୍କୁ କେତେବେଳେ କଣ ଦରକାର ଆଣି ପହଞ୍ଚାଇ ଦିଏ । କାମଵାଲୀ ଟେ ଆସି ଝାଡୁ ପୋଛା ଓ ବାସନ ମାଜିଦେଇ ଯାଉଥିଲା । କଣ୍ଢେଇର ପାରିବା ପଣିଆ ଦେଖି ପ୍ରିୟଙ୍କା ତାକୁ ଵି ମନା କରିଦେଲେ ।

ଠିକ ସମୟରେ ପ୍ରିୟଙ୍କା ଙ୍କ ଶିଶୁ ପୁତ୍ର ଭୂମିଷ୍ଠ ହେଲା । ଗୁଲୁଗୁଲିଆକୁନି କଣ୍ଢେଇ ଟିଏ । ଆଖି ମିଟି ମିଟି କରି ନୂଆକରି ଆସିଥିବା ଦୁନିଆଁକୁ ଦେଖୁଥିଲା । କଣ୍ଢେଇ ଖୁବ ଉତ୍ସାହ ରେ ଦିଦିଙ୍କ କାମରେ ଲାଗିଗଲା ।

ଅଭୟ ଓ ପ୍ରିୟଙ୍କାଙ୍କ ଗେଲ୍ହାପୁଅ ରିକି ଧୀରେ ଧୀରେ ବଡ ହେଲା । ରିକି ପାଇଁ ଆୟା ମଧ୍ୟରଖିବାକୁ ପଡ଼ିଲାନାହିଁ । ପ୍ରିୟଙ୍କାଙ୍କ ମାଟରନିଟି ଲିଭ ସରିଲାବେଳକୁ ଅଭୟଙ୍କ ସାନ ଭଉଣୀ ଆସିରହିଲେ ଆଉକୁନି ଝିଅ କଣ୍ଢେଇ ଘରଯାକର ସମସ୍ତ କାର୍ଯ୍ୟ ନିଜକୁନିକୁନି ହାତରେ ନିଖୁଣ ଭାବେ ତୁଲେଇଲା ।

କଣ୍ଢେଇର କେବେ କୌଣସି ଦାବୀ କି ଅଭିଯୋଗ ନଥାଏ । ପ୍ରିୟଙ୍କା ଖୁବ ଖୁସୀ ହୁଅନ୍ତି ତାଙ୍କୁ ଏମିତି ଗୋଟେ ବିଶ୍ଵସ୍ତକୁନି ମେଡ୍ ମିଳିଯାଇଥିବାରୁ । କଣ୍ଢେଇ ଶୀତରାତି ରେ ଥରି ଥରି ବାସନଗୁଡ଼ା ମାଜି ସାରି ଶୋଇବାକୁ ଗଲାବେଳେ ରିକି ଆଡକୁ ଟିକେ ଅନେଇ ଦିଏ । କି ଆରାମ ରେ ସେ ଉଷୁମ ଆଉ ନରମ ବିଛଣା ରେ ତା ମାଆକୁ ଆଉଜି ଶୋଇପଡିଛି ! କଣ୍ଢେଇର ମନେ ପଡ଼ିଯାଏ ଛାଡ଼ିଆସିଥିବା ତା ବୋଉର ଉଷୁମ କୋଳଟା କଥା । ମୁହଁ ରେ ଦୁଇହାତକୁ ଚାପିଧରି କାନ୍ଦିପକାଏ । ତାପରେ ସେଇ ରୋଷେଇ ଘରକୁ ପୁଣି ଫେରିଆସି ଚଟାଣ ରେ ସପ ଖଣ୍ଡକ ପାରିଦିଏ ଓ ପୁରୁଣା ପତଳା କମ୍ବଳ ଟେ ଗୋଡ଼ ରୁ ମୁଣ୍ଡଯାଏଁ ଢାଙ୍କି ହୋଇପଡି ଶୋଇବାକୁ ଚେଷ୍ଟା କରେ ।

ରିକି ବଡ ହେଉଥିଲା ଆଉ କଣ୍ଢେଇ ଵି । ରିକିର ଚାରିପଟେ ଅଜସ୍ର ଖେଳଣା । କଣ୍ଢେଇ ତାର ସେହିକୁନି ଜୀବନକାଳ ଭିତରେ ନିଜ ହାତ ପାହାନ୍ତା ରେ ଏତେରକମର ଖେଳନା କେବେ ଦେଖିନଥିଲା । କେହି ଯେବେ ଘରେ ନଥାନ୍ତି ଆଉ ସେ ରିକିକୁ ଖେଳାଉଥାଏ, ସେତିକିବେଳେ ସେ ନିଜେ ଵି ଟିକେ ରିକିର କଣ୍ଢେଇ ସବୁ ଧରି ଖେଳେ । କେହି ଆସିଗଲେ ଖେଳ ବନ୍ଦ କରି ରିକିକୁ ଖେଳାଉଥିବାର ଅଭିନୟ କରେ ।

ରିକିର ଭାଗ୍ୟକୁ କଣ୍ଢେଇ ଇର୍ଷା କରେ ।କୁନି ଛୁଆଟାକୁ ଖୁଆଇବା ପାଇଁ କେତେ ଯେ ପ୍ରୟାସ ନକରନ୍ତି ମାଲିକ ମାଲିକାଣୀ ! ରିକିର କିନ୍ତୁ କୌଣସି ଖାଦ୍ୟରେ ଆଗ୍ରହ ନଥାଏ । କଣ୍ଢେଇ ମନେ ମନେ ଭାବେ, "ମତେ କେହି ଏମିତି ଖୋସାମତ କରି ଖୁଆନ୍ତାନି ! " ସକାଳୁ ସମସ୍ତେ ଜଳଖିଆ କରି ନିଜ ନିଜ କାମ ରେ ବାହାରିଗଲା ପରେ କଣ୍ଢେଇ ବଳକା ଖାଦ୍ୟରେ ହିଁ ନିଜ ଭାଗ୍ୟକୁ ସାଉଁଟି ପକାଏ ।

ରିକିର କିଛି ଗୋଟେ ନୂଆ ଖେଳନା ଆସିଲେ କଣ୍ଢେଇର ଆଖି ଚିକମିକ କରିଉଠେ । ସେ ଖୁବ ଉତ୍ସାହରେ ନୂଆ ଖେଳନାକୁ ଧରି ରିକିକୁ ଖେଳାଏ । ରିକି ସେଇଟି କଚାଡି ଭାଙ୍ଗିବାକୁ ଚେଷ୍ଟା କଲେ ଧୀରେ ତା ହାତରୁ ନେଇଆସି ଟୟ ବକ୍ସ ରେ ସାଇତି ଦିଏ ।

ରିକିର ଜନ୍ମଦିନ ରେ ତା ମାମୁଁ ଅଷ୍ଟ୍ରେଲିଆ ରୁ ତା ପାଇଁ ଗୋଟେ ଡ୍ୟାନ୍ସିଙ୍ଗ ଡଲ ଆଣିଆସିଥିଲେ । କଣ୍ଢେଇ ଟି ଖୁବ ଆକର୍ଷଣୀୟ ହୋଇଥିଲା । ରିମୋଟର ସୁଇଚ ଦ୍ୱାରା ପରିଚାଳିତ କଣ୍ଢେଇ ଟି ମିଉଜିକର ତାଳେ ତାଳେ ନାଚେ ଓ ଚାଲେ । କଣ୍ଢେଇକୁ ସେଇଟି ଅପୂର୍ଵ ଓ ଅଦ୍ଭୁତ ଚିଜ ପରି ଲାଗୁଥିଲା । ସେ ଚାହୁଁଥିଲା ରିକି ସେଇଟାରେ ଖେଳିବାକୁ ଜିଦ୍ଦି କରୁ ଆଉ କଣ୍ଢେଇ ନିଜର ସବୁ କାମ ଛାଡ଼ି ନାଚୁଥିବା ଡଲ ଧରି ରିକିକୁ ଖେଳାଉ । ହେଲେ ସେମିତି ହେଉନଥିଲା । ରିକି ଥରେ ଦୁଇଥର ଖେଳିଲା ପରେ ଆଉ ସେ ଖେଳନାଟା ପ୍ରତି ଆକୃଷ୍ଟ ହେଉନଥିଲା । ପ୍ରିୟଙ୍କା ଏବେ ସେ ଅଷ୍ଟ୍ରେଲିଆନ ଡଲକୁ ନେଇ କାନ୍ଥ ଆଲମିରା ରେରଖି କାଚ କବାଟ ବନ୍ଦ କରିଦେଇଥିଲେ । କଣ୍ଢେଇର ମନ ବହୁତ ଦୁଃଖ ହେଲା । ସେ ଆଲମିରା ତଳେ ଠିଆ ହୋଇ ଖାଲି କଣ୍ଢେଇଟିକୁ ଲୋଭିଲା ଆଖିରେ ଚାହିଁରହୁଥିଲା ।

ପ୍ରିୟଙ୍କା ନିଜର ଜଣେ ସହକର୍ମୀ ଙ୍କ ପରାମର୍ଶ କ୍ରମେ ଅଭୟଙ୍କୁ କହି ଘରେ ସି.ସି.କ୍ୟାମେରା ଲଗାଇଲେ । ଏବେ ପ୍ରତିଦିନ ହସ୍ପିଟାଲ ରୁ ଫେରି ସେ ପୁରାଦିନର ଫୁଟେଜ ଲାପଟପ ରେ ଦେଖନ୍ତି । କଣ୍ଢେଇ କୋଉଦିନ କି କାମ କଲା ରିକିର ଯତ୍ନ ଠିକ ସେ ନେଉଛି କି ନାହିଁ ସବୁକିଛି ସେ ଚେକ କରନ୍ତି ଆଉ କଣ୍ଢେଇକୁ ତାର ପ୍ରତିଦିନର ଭୁଲ ପାଇଁ ତାଗିଦ କରନ୍ତି । ଦିନେ ହସ୍ପିଟାଲରୁ ଫେରି ପ୍ରିୟଙ୍କା ସେହିଦିନର ଫୁଟେଜ ଦେଖି ଜାଣିଲେ କଣ୍ଢେଇ ସେହି କାଚ ଆଲମିରା ଖୋଲି ଅଷ୍ଟ୍ରେଲିଆନ ଡଲ ଟାକୁ ବାହାରକରି ଖେଳୁଛି ଆଉ ପୁଣି କିଛି ସମୟ ପରେରଖିବାକୁ ଯାଉ ଯାଉ ତଳେ ପକେଇ ଦେଉଛି । ତଳୁ ପୁଣି ଉଠେଇ ଭାଙ୍ଗିଯାଇଥିବା ଟୁକୁଡାକୁ ଲଖେଇ ଦେଇ ଆଲମିରା ରେ ସିଧା କରି ଥୋଇଦେଉଛି ।

ସେତକ ଦେଖି ପ୍ରିୟଙ୍କାଙ୍କ ରାଗ ପଞ୍ଚମକୁ ଉଠିଗଲା । ସେ ଲାପଟପ ବନ୍ଦ କରି ରିକିର ରୁମକୁ ଦୌଡ଼ିଲେ । କଣ୍ଢେଇ ରିକିକୁ ଝୁଲାରେ ବସେଇ ଝୁଲାଉଥିଲା, ସେଇଠୁ ତା ଚୁଟିକୁ ଟାଣି ଟାଣି ବେଡରୁମକୁ ନେଇଆସିଲେ । ଲାପଟପ ରେ ପଜ କରିରଖିଥିବା ଭିଡ଼ିଓ ଟା ଆଉଥରେ କଣ୍ଢେଇକୁ ଦେଖେଇଲେ । କଣ୍ଢେଇ ଖାଲି କାନ୍ଦୁଥାଏ । ଅପରାଧୀଟିଏ ପରି ମୁହଁ ତଳକୁ କରି ଠିଆ ହୋଇଥାଏ । ପ୍ରିୟଙ୍କା ଭୀଷଣ କଡ଼ା କଥା କହି ଆହୁରି ଦୁଇ ଚାରି ଚାପୁଡ଼ା ତା ଗାଲ ରେ ବସେଇଦେଲେ । ଇତିମଧ୍ୟରେ ଅଭୟ ଆସି ସବୁ କଥା ଜାଣି ସାରିଲେଣି । ପ୍ରିୟଙ୍କା ରାଗରେ ଆଖି ଲାଲ କରି ଅଭୟଙ୍କୁ କହୁଥାନ୍ତି, "ଏଥିପାଇଁ ଏ ଛୋଟଲୋକ ଗୁଡ଼ାଙ୍କୁ ମୁଁ ଘରେ ପଶେଇବାକୁ ଚାହୁଁନଥିଲି । ବରଂ ଛୁଆକୁ କ୍ରେଚ ରେ ଛାଡ଼ି ହସ୍ପିଟାଲ ଯିବା ଆହୁରି ନିରାପଦ । ଘରେ ଏମିତି ଚୋରରହିଲେ କିଏ ଶାନ୍ତି ରେ ବାହାରେ କାମ କରିପାରିବ? "

--ଆରେ ତୁମେ ଏତେ ରାଗୁଛ କାହିଁକି? ପିଲାଲୋକ କଣ ଟେ ଭୁଲ କରିଦେଇଛି । ଛାଡ଼ ଆଉ ଏତେ ରାଗନି ।

--ଆଜି ଏଇ ଭୁଲଟା କଲା । କାଲି ଆହୁରି କଣ ଅଧିକା କରିବ । ମୋ ଭାଈ କେଡେ ଶ୍ରଦ୍ଧା ରେ ସେଇଟି ଅଷ୍ଟ୍ରେଲିଆ ରୁ ଆଣିଥିଲେ । ଏ ବଦମାସ ଝିଅ ଭାଙ୍ଗି ଚୁନା କରିଦେଲା । ଇଚ୍ଛା ହେଉଛି ମାରିକି ଇୟା ମୁହଁ ଛେଚରା କରିଦେବାକୁ ।

କଣ୍ଢେଇ ମୂର୍ତୀ ଟେ ପରି ଠିଆ ହୋଇ ଲୁହ ଗଡେଇ ଚାଲିଛି । ନିର୍ଜୀଵ କଣ୍ଢେଇଟେ ପାଇଁ ଜିଅନ୍ତା କଣ୍ଢେଇକୁ କେତେ ମାଡ ଗାଳି ଖାଇବାକୁ ନପଡୁଛି ! ସେ ଠିଆ ହୋଇ ଭାବୁଛି କେମିତି ଥରେରଜ ରେ ତା ବୋଉର ଅତି ଆପଣାର ଏକମାତ୍ର ସୌଖିନ ଚିଜ ସେହି କାଚର ଚୁଡ଼ି ବାକ୍ସଟାକୁ ପଟା ଉପରୁ ତଳକୁ ଖସେଇ ପକେଇ ଭାଙ୍ଗି ଦେଇଥିଲା ଆଉ ବୋଉ ଆସି ବହୁତ ଗାଳି କଲା ପରେ ପୁଣି ତା ଆଖିରୁ ଲୁହ ପୋଛି ତାକୁକୁଣ୍ଢେଇ କି ଗେଲ୍ହା କରି କହିଥିଲା, " ଆଉ ମତେ ନପଚାରି ପଟା ଉପରକୁ ହାତ ବଢ଼େଇବୁନି । ହେଲା । ଥାଉ ଆଉ କାନ୍ଦେନା ମୋ ସୁନା ଝିଅ" । କଣ୍ଢେଇ ଵି କାନ୍ଦି କାନ୍ଦି କହିଥିଲା, " ମୁଁ ତୋ ବାକ୍ସଟା ଭାଙ୍ଗିଦେଲି । ତୁ ଏବେ ଚୁଡ଼ି କୋଉଥିରେରଖିବୁ"? ବୋଉ ଧୀରେ ଧୀରେ କହିଥିଲା, "ଭଲ ହେଲା ସେଇଟା ଭାଙ୍ଗିଦେଲୁ । ଚୁଡ଼ି ମୋର ଆଉ ହେବ କଣ? "

ଅଭୟଙ୍କ ଡାକ ରେ କଣ୍ଢେଇ ଭାବନା ରାଜ୍ୟ ରୁ ଫେରି ଆସିଲା । କାନ୍ଦୁରା ସ୍ୱରରେ କହିଲା, "ଆଜ୍ଞା ବାବୁ !"

--ତୁ ଏବେ ଯାଆ ରିକି ପାଖକୁ ।

--ଆଜ୍ଞା ବାବୁ ।

କଣ୍ଢେଇ ଏବେ କ୍ୟାମେରାକୁ ଡରି ଖୁବ ସାବଧାନରହେ । ଭୋକ ଲାଗିଲେ ପେଟକୁ ମୁଠେଇ ନଳ ଖୋଲି ପାଣି ପିଇଯାଏ କିନ୍ତୁ ମାଲିକ ମାଲିକାଣୀଙ୍କୁ ନପଚାରି ବାସି ଭାତ କି ରୁଟି ଖଣ୍ଡେ ଵି ଖାଏନାହିଁ । ପ୍ରିୟଙ୍କାଙ୍କର ଵି ଏବେ କଣ୍ଢେଇ ଉପରେ କଡ଼ା ନଜର । ଝିଅଟା ଉପରୁ ଏକଦମ ବିଶ୍ୱାସ ଉଠିଗଲା । ଯେତେଦିନ ଯାଏଁ ସେ କ୍ୟାମେରା ଟା ଲାଗିନଥିଲା ସବୁ ଠିକ ଠାକ ଥିଲା । କିନ୍ତୁ ଏବେ ମାଲିକାଣୀ ଙ୍କ ଭରଷା ଭାଙ୍ଗିଯିବା ସହ କଣ୍ଢେଇର ଭୟ ଵି ବହୁତ ବେଶୀ ବଢିଯାଇଛି ।

ପ୍ରିୟଙ୍କା ଓ ଅଭୟ ଅନେକ ଦିନ ହେଲାକୁଆଡେ ଆଉଟିଙ୍ଗ ରେ ଯାଇନାହାଁନ୍ତି । ସେମାନେ ଯୋଜନା କଲେରବିବାର ଦିନ ପୁରୀ ଯିବେ । ସକାଳୁ ଯାଇ ବୁଲା ବୁଲି କରି ରାତି ସୁଦ୍ଧା ଫେରିଆସିବେ । ସାଙ୍ଗରେ କଣ୍ଢେଇ ଗଲେ ରିକିକୁ ସମ୍ଭାଳିବ ।

କଣ୍ଢେଇ ଶନିବାର ରାତିରୁ ଖୁବ ଉତ୍ସାହର ସହ ତା ଛୋଟ ଟିଣ ବାକ୍ସ ଟା ଭିତରୁ ତାର ଏକମାତ୍ର ଭଲ ଫ୍ରକ ଟା ବାହାର କଲା । ହଳଦୀରଙ୍ଗରେ ନାଲିରଙ୍ଗର ବଡ ବଡ ଫୁଲ ପକା ଫ୍ରକ ଟା ତା ବୋଉ ବହୁ କଷ୍ଟ ରେ ତାପାଇଁରଜ ରେ କିଣିଦେଇଥିଲା ।କୁଆଡେ ଯିବାକୁ ବାହାରିଲେ ସେ ସେଇଟିକୁ ପିନ୍ଧି ବାହାରେ ।

ରବିବାର ସକାଳୁ ସବୁ କାମ ବଡ ଆଗ୍ରହ ରେ କରୁଥାଏ କଣ୍ଢେଇ । ନିର୍ଦ୍ଧିଷ୍ଟ ସମୟରେ ସେମାନେ ଭୁବନେଶ୍ୱର ରୁ ପୁରୀକୁ ଯାତ୍ରା ଆରମ୍ଭ କଲେ । ଠିକ ସମୟରେ ପୁରୀ ରେ ପହଞ୍ଚିଲେ । ବାର ତେର ବର୍ଷର ଝିଅଟିକୁନି ରିକିକୁ କାଖେଇ ମାଲିକ ମାଲିକାଣୀ ଙ୍କ ପଛରେ ଚାଲିଥାଏ । ପ୍ରିୟଙ୍କା ମଝିରେ ମଝିରେ ତାକୁ ତାଗିଦ କରୁଥାନ୍ତି ।

ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ପ୍ରଥମ କରି କଣ୍ଢେଇ ଦେଖୁଥାଏ । ଇଚ୍ଛା ହେଉଥାଏ ତାର ଲହରୀ ସହ ଟିକେ ଖେଳନ୍ତା ଆଉ ବାଲିଘର ତିଆରି କରି ଶାମୁକା ରେ ସଜାନ୍ତା । ତାହାରି ବୟସର ଅନ୍ୟ ପିଲାଙ୍କୁ ମଉଜ ମସ୍ତି କରୁଥିବାର ଦେଖି ମନ ଭିତରେ ତାର ଆଉ ଏକ ଲହରୀ ଉଠି ପୁଣି ଭାଙ୍ଗିଯାଉଥାଏ ।

ହଠାତ ଆକାଶ ରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ପ୍ରିୟଙ୍କା, ଅଭୟ ସମୁଦ୍ରର ଲହରୀ ଭାଙ୍ଗିବାରେ ବ୍ୟସ୍ତ । ବେଳାଭୂମି ଉପରେ ରିକିକୁ ଧରି ଏକାଗ୍ର ଚିତ୍ତ ରେ ସମୁଦ୍ର ପାଣିକୁ ଚାହିଁରହିଛି କଣ୍ଢେଇ । ବରକୋଳିଆ ଠୋପା ଆକାଶ ରୁ ଖସି ପଡିଲା । ଚାହୁଁ ଚାହୁଁ ମୁଷଳ ଧାରାର ବର୍ଷଣ ଆରମ୍ଭ ହୋଇଗଲା । ପାଣି ଭିତରୁ ଉଠି ଆସି କୂଳ ଆଡ଼କୁ ଧାଇଁଲେ ପ୍ରିୟଙ୍କା ଓ ଅଭୟ । ଯେଉଁଠି ରିକିକୁ କଣ୍ଢେଇ ପାଖେ ଛାଡ଼ିଯାଇଥିଲେ ସେଠି ସେମାନେ ଦୁହେଁ ନାହାଁନ୍ତି । ପାଗଳ ପରି ଖୋଜି ଚାଲିଲେ ଦୁହେଁ ପିଲାଦିଓଟିଙ୍କୁ । ପ୍ରିୟଙ୍କା ଙ୍କ ମନକୁ ପାପ ଛୁଁ ଥାଏ । କିଛି ଦିନ ହେଲା କଣ୍ଢେଇର ହାବ ଭାବ ଠିକ ନାହିଁ । ହୁଏତ କୈଶୋରର ଆଗମନ ରେ ତା ଭିତରେ ପରିବର୍ତ୍ତନ ଘଟୁଥାଇ ପାରେ । ସେ ଆଉ ଅସହିଷ୍ଣୁ ହୋଇ ରିକିକୁ କୋଉଠି ଛାଡ଼ିଦେଇ ପଳେଇ ଯାଇନି ତ?

ବର୍ଷା ମାଡ ରେ ସମୁଦ୍ର ଆହୁରି ଭୟଙ୍କର ଦିଶୁଛି । ସମସ୍ତେ ସୁରକ୍ଷିତ ସ୍ଥାନ ଟି ମାନ ଖୋଜିନେଇ ବେଳାଭୂମି ଶୂନ୍ୟ କରିସାରିଲେଣି କେବଳ ରିକିର ମାମା ଆଉ ପାପା ଭୀଷଣ ବର୍ଷା ମାଡ ରେ ଓଦା ଜଡ଼ସଡ଼ ହୋଇ ତାଙ୍କ ନୟନ ପିତୁଳାକୁ ଖୋଜି ଖୋଜି ପ୍ରତ୍ୟେକ ଦୋକାନର ଜରି ପାଲ ଟେକି ଦେଖୁଛନ୍ତି ।

ପ୍ରାୟ ଦଶ ପନ୍ଦର ମିନିଟ ଏମିତି ଖୋଜିବା ଭିତରେ ଦୂରରୁ ଗୋଟେ ଟ୍ରଲି ତଳୁ ହଳଦୀ ଓ ନାଲିରଙ୍ଗର କପଡା ଉଡ଼ୁଥିବାର ଅଭୟ ଦେଖିଲେ । ସେତେବେଳକୁ ପ୍ରିୟଙ୍କାଙ୍କର ପ୍ରାଣ ଚାଲିଯିବା ଉପରେ । ଧର୍ଯ୍ୟହରା ହୋଇ ସେଆଡକୁ ଦୁହେଁ ଦୌଡିଲେ । ଲାଗୁଛି କଣ୍ଢେଇ ରିକିକୁ ଛାଡ଼ି ଏକା ସେଇଠି ମୁଣ୍ଡ ଗୁଞ୍ଜିଛି ।

ପାଖକୁ ଯାଇ ଦେଖିଲେ ଟ୍ରଲି ତଳେ ନିଜ ପିନ୍ଧା ଫ୍ରକକୁ ଖୋଲି ରିକି ଉପରେ ଘୋଡେଇ ଦେଇ କଣ୍ଢେଇ ତାକୁ ଜାବୁଡି ଧରି ବର୍ଷା ମାଡରୁରକ୍ଷା କରୁଛି । ଝିଅଟିର ଫୁଙ୍ଗୁଳା ଦେହ ସମୁଦ୍ର ବାଲିସହ ମିଶିଯାଇଛି । ପାଣି ଓ ବାଲିରେ ଲଟପଟ ହେଇକୁନି ଝିଅଟି ଥରୁଛି । ଦାନ୍ତ ରେ ଦାନ୍ତ ପିଟିହେଉଛି । କିନ୍ତୁ ରିକି ସେହିପରି ଏକଦମ ଶୁଖିଲା । ଉପରୁ କିମ୍ବା କଡ଼ରୁ ଟୋପେ ଵି ବର୍ଷା ପାଣି ତାକୁ ଛୁଇଁ ନାହିଁ ।

ସେହି କେଇମିନିଟ ଭିତରେ ବର୍ଷା ଵି ବନ୍ଦ ହେଇଗଲା । ରିକିକୁ ସୁରକ୍ଷିତ ଦେଖି ତା ପାପା ମାମାଙ୍କ ଜୀବନ ଫେରିଆସିଲା । କଣ୍ଢେଇ କିନ୍ତୁ ଆଉ ତଳୁ ଉଠୁନି । ପିନ୍ଧା ଫ୍ରକ ଟା ରିକିର ଦେହ ରେ ଗୁଡ଼ା ହେଇଛି । ସେ ସେହିପରି ତଳେ ମୋଡି ହେଇ ପଡିଛି । ପ୍ରିୟଙ୍କା ଗାଡି ପାଖରେକୁ ଯାଇ ଟାୱେଲ ଆଣି କଣ୍ଢେଇ ଦେହରେ ଘୋଡେଇ ଦେଲେ । ଲାଗୁଥିଲା ସେହି ଅଦିନ ବର୍ଷା ଟା ତାଙ୍କ ମନରୁ ସବୁ ଯାକ ଅହଂକାର, କ୍ରୋଧ ଓ ଅବିଶ୍ୱାସକୁ ଧୋଇ ସଫା କରିଦେଇଛି ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର


Rate this content
Log in

Similar oriya story from Inspirational