Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶିମିଳି ଗଛ
ଶିମିଳି ଗଛ
★★★★★

© Titi Sarangi

Inspirational

2 Minutes   7.1K    10


Content Ranking

 ତରତର ହେଇ ମାଆର ବଡି ପରା ହାତଟାକୁ ଦେଖୁଥିଲା ପୁଅ  l କେଡେ ଚଞ୍ଚଳ ସବୁ କାମ କରି ପକାଏ ମାଆ !ଆଠଦିନ ଛୁଟୀରୁ ଦି ଦିନ ଗଲାଣି  l ଆସିଲା ଦିନୁ ମାଆ ଲାଗିଛି କାମରେ  l ଏତିକି ଦିନରେ ଯାହା ଯେତିକି ହେଇ ପାରିବ ମାଆ କରି ପକଉଛି  l ଦିଟା ବୋହୂ ମାଆର  l କିନ୍ତୁ ଚାକିରିଆ ଯୋଗୁ ବାହାରେ ରହନ୍ତି  l କେବଳ ଛୁଟୀ ପଡିଲେ ଆସନ୍ତି  l ମାଆର ସେଥିପାଇଁ ମନଦୁଃଖ ନାଇଁ  l କହେ ,"ଆଜିକାଲି ସମସ୍ତେ ଶିକ୍ଷିତ  l ପାଠପଢି ନିଜ ଗୋଡରେ ଛିଡା ହବାକୁ ସମସ୍ତଙ୍କର ଇଚ୍ଛା  l ସେମାନେ ନିଜ କ୍ଷେତ୍ରରେ ପ୍ରତିଷ୍ଠା ପାଆନ୍ତୁ  l "

ମାଆ ପାଖକୁ ଯାଇ ବଟା ବିରିରେ ହାତ ଲଟପଟ କରି ଖେଳିବାକୁ ପୁଅର ଭାରି ଇଚ୍ଛା ହଉଥିଲା ଯେମିତି ପିଲାବେଳେ କରେ  l ହେଲେ ମାଆ କ'ଣ ଆଉ ସେମିତି ଗାଳି ଦବ ?ମାଆ କେମିତି ଜାଣିବ ଯେ ପୁଅ ଏବେ ମାଆର ସେଇ ଗାଳିକୁ ଝୁରିହୁଏ ବୋଲି ! ସାଙ୍ଗର ଫୋନ୍ ଆସିଲା ଆଉ ପୁଅ ପଳେଇଲା  l ଦି ପହରେ ଖାଇବା ଥାଳିରେ ପୁଅ ଦେଖିଲା ସତେକି ତା ପିଲା ଦିନଟା ଅଜାଡି ହେଇ ପଡିଛି  l ବଡିଚୁରା,ଶାଗଚେକା ,ପାଗପାଣି ,ଚୁନା ମାଛ ଭଜା  l ମାଆ ଭଲ କି ଜାଣିଛି ଚାକିରିଆ ଜୀବନରେ ଖାଇବାଟା ପୁରା ଯନ୍ତ୍ରବତ୍  l ସିଠିମିଠି ଖୋଜିଲେ କୋଉ ମିଳେ !ହେଲେ ତା ପୁଅର ଏଭଳି ଖାଇବା ମାଆ କେବେ ବି ଭୁଲେନି  l ଯେତେବେଳେ ଛୁଟୀରେ ଆସିଲେ କରେ  l ବୋହୂମାନଙ୍କୁ ପୁଅମାନଙ୍କର ପସନ୍ଦର ଖାଇବା ବତାଏ  l

ସନ୍ଧ୍ୟାରେ ମାଆକୁ ମନ୍ଦିର ନେଇ କି ଯିବାକୁ ପୁଅ ଭାବେ  l ହେଲେ ମାଆକୁ ତର କାଇଁ ?ବଡ ନାତି ଧରିକି ବସିଛି ଜେଜେମା' ସାଥୀରେ ପାଠ ପଢିବ  l

"ଜେଜେମାଆ ,ମୋତେ ସେ ଅବୋଲକରା କାହାଣୀ କହି ଦେ  l ଭାରି ଇଣ୍ଟରେଷ୍ଟିଙ୍ଗ୍  l କଥା ମାନୁ ଥିବ ମାନୁ ଥିବ  l ହେଲେ ତା ମନକୁ ନପାଇଲେ ଅମାନିଆ ହବ  l "

ଅସମବୟସୀ ଦୁଇ ବନ୍ଧୁଙ୍କ ହସରେ ଘର ଫାଟି ପଡୁଥାଏ  l ମାଆର ହସହସ ମୁହଁ ଦେଖି ପୁଅ ଖୁସି ହେଇଯାଏ  l ତଥାପି କୁଆଡେ ଟିକେ ବୁଲି ବାହାରନ୍ତା ହେଲେ !ଛୁଟୀ ତ ସରିଯିବ  l

"ମାଆ ଆଜି ସନ୍ଧ୍ୟାରେ କୁଆଡେ ବୁଲିଯିବା କହ  l "

"ନାଁରେ ,ତମେ ଯୁଆଡେ ଯାଉଛ ଯାଅ  l ମୋର କେତେକାମ  l ତୋ ଯିବା ଦିନ ପାଖେଇଲାଣି  l ଗଜାଟିକେ ,ଠେକୁଆଟିକେ କଲେ ନବୁ  l ତୋ ପୁଅ କେତେ ଭଲପାଉଛି  l "

"ଆମେ ସେଠି ୱିକ୍ ଏଣ୍ତ୍ ରେ ବୁଲି ଯାଉ  l ତୁ ଯିବୁ ବୋଲି କହୁଥିଲି ନା  l "

"ନା ରେ  l ତମେ କେହି ନଥିଲେ ସମୟ ଦେଖି ମୁଁବି

ବୁଲିଯାଏ  l ଏବେ ତମେ ସବୁ ଆସିଛ  l ତମ ସାଥୀରେ ତମ ପିଲା ଦିନଟା ଫେରି ଆସିଛି ଭଳି ଲାଗୁଛି  l "

"ଚାଲୁନୁ ,ଆମ ପାଖକୁ ତେବେ  l ଏଠି କାଇଁ ଅଛୁ ?"

ମାଆ ଅଗଣା ଆରପଟ ସେ ଶିମିଳି ଗଛକୁ ଦେଖାଏ  l "ଦେଖୁଛୁ ସେ ଗଛକୁ  l ସେମିତି ଏକା ଛିଡା ହେଇଛି  l ବର୍ଷା ,ଖରା ସବୁ ଆସୁଛି  l ସେ ଅଧୈର୍ଯ୍ୟ ହଉନି  l ଏବେ ଦେଖିଲୁ  l ବସନ୍ତର ମହୋତ୍ସବ ଚାଲିଛି  l ଗଛଟି ଭରପୂର ଉପଭୋଗ କରୁଛି ଏ ମେଳାକୁ  l ମେଲି ଦେଇଛି ନିଜକୁ ସାଧ୍ୟମତେ  l ଟିକେ ବି କଞ୍ଜୁସି କରୁନି  l ଫୁଲ ,ଡାଳ,ମହୁ ଯାହାର ଯାହା ଦର୍କାର ନଉଛନ୍ତି ପକ୍ଷୀମାନେ  l ବସନ୍ତ ସରିଗଲେ ସେମାନେ ପଳେଇବେ  l ହେଲେ ଗଛ ଏଥିପାଇଁ କେବେ ମନଦୁଃଖ କରିବା ମୁଁ ଦେଖିନି  l ସେମିତି ମୁଁ ଏକା ନାହିଁ  l ମୋ ସାଥୀରେ ଅଛି ତମ ପିଲାଦିନ  l ସେଇ ପକ୍ଷୀମାନଙ୍କ ଭଳି ନିଜ ଘର ଖୋଜି ତମେ ଆସୁଛ  l ତମ ବସା ମୋ ଦେହରୁ ତିଆରି ପରା !!"

ପୁଅ ଆଉ କିଛି କହି ପାରେନି  l ଶିମିଳି ଗଛର ସ୍ଥିରତା ମାଆଠି ଦେଖିବାକୁ ପାଏ  l ପୁଅ ବି ଶିଖେ "ପଥର ପରି ହେଲେ

କରିବୁ ଘର ,ପତର ପରି ହେଲେ ହସିବେ ନର  l " ଏଇ କଥାଟି କେଡେ ତାତ୍ପର୍ଯ୍ୟପୂର୍ଣ୍ଣ ସତେ !!

ବଡି ଶିକ୍ଷିତ ପୁଅ

Rate the content


Originality
Flow
Language
Cover design

Comments

Post

Some text some message..