ଆଖି ଥାଇବି ଅନ୍ଧ
ଆଖି ଥାଇବି ଅନ୍ଧ
ଶ୍ରୀମତୀ ସୁଜାତା ସିହ୍ନା
ଦିନେ ବାଦଶାହ ଆକବର ବୀରବଲଙ୍କୁ ପଚାରିଲେ ବୀରବଲ, କହିଲ ଦେଖି ଆମ ନଗରରେ କେତେ ଜଣ ଅନ୍ଧ ଅଛନ୍ତି ? ଏହା ଶୁଣି ବୀରବଲ କହିଲେ- ଜାହାଁପନା ଗଣିକରି ତ ଠିକ୍ ଠିକ୍ କହି ପାରିବି ନାହିଁ ହେଲେ ମୁଁ ନିଶ୍ଚିନ୍ତ ଭାବରେ କହି ପାରିବି ଯେ ଅନ୍ଧଙ୍କ ସଂଖ୍ୟା ଆଖିଥିବା ଲୋକଙ୍କ ଠାରୁ ଅଧିକ l
ବାଦଶାହ ବୀରବଲଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ବୀରବଲ ! ଏହା ଯଦି ପ୍ରକୃତରେ ସତ ହୋଇଥାଏ ତା’ ହେଲେ ତୁମେ ଅନ୍ଧମାନଙ୍କର ସଂଖ୍ୟା ଗଣି କରି ମତେ ଏକ ସୂଚନା ଦିଅ l ବୀରବଲ ବାଦଶାହଙ୍କ କଥାରେ ସମ୍ମତି ଜଣାଇ ଏକ ସପ୍ତାହ ସମୟ ମାଗିଲେ l ଏ ଦୁନିଆ ଏକ ଅଦ୍ଭୁତ୍ତ ଘର l ଯାହାର ଧାନ ଅଛି ସେ କହୁଛି ମୋର କିଛି ନାହିଁ l ଯାହାର ନାହିଁ ସେ ମଧ୍ୟ କହୁଛି ମୋର କିଛି ନାହିଁ l ମିଛ କହି ମଧ୍ୟ କହୁଛି ମୁଁ ଯାହା କହୁଛି ସବୁ ସତ l ଆଖି ଥାଇ ମଧ୍ୟ ଅନ୍ଧ ସଦୃଶ କଥା କହେ l ସବୁ ଜାଣି ମଧ୍ୟ ଅଜଣାର ବ୍ୟବହାର ଦେଖାଏ l
ବୀରବଲ ପାଞ୍ଚଦିନ ଘରେ ଶୋଇ ରହି ଆରାମ କଲେ l ଛଅଦିନ ସେ ବଜାରରେ ଏକ ଜୋତା ଦୋକାନରେ ବସି ଜୋତା ତିଆରି କଲେ l ବୀରବଲଙ୍କୁ ଜୋଟା ତିଆରି କରୁଥିବାର ଦେଖି ଯେଉଁ ବ୍ୟକ୍ତି ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରେ- ବୀରବଲ ! ତୁମେ ଏ କ’ଣ କରୁଛ ? ବୀରବଲ ତାଙ୍କୁ ଗର୍ବର ସହ କୁହେ ‘ ମୁଁ ଜୋତା ତିଆରି କରୁଛି l ତା ପରେ ସେ ପଚାରୁଥିବା ଲୋକର ନାମ ବୁଝି କରି ଗୋଟିଏ ତାଲିକାରେ ତା’ର ନାମ ଲେଖି ରଖେ l ସେହିଦିନ ସନ୍ଧ୍ୟା ସମୟରେ ବାଦଶାହ ସେହି ବଜାର ଦେଇ ଯାଉଥିଲେ l ସେ ମଧ୍ୟ ବୀରବଲଙ୍କୁ ପଚାରିଲେ- ବୀରବଲ ତୁମେ ଏ କ’ଣ କରୁଛ ? ହଜୁର ! ଜୋତା ତିଆରି କରୁଛି ବୋଲି ବୀରବଲ ଉତ୍ତର ଦେଲେ ଏବଂ ବାଦଶାହଙ୍କ ନାମ ମଧ୍ୟ ସେହି ତାଲିକାରେ ଲେଖି ରଖିଲେ l
ଏହି ପ୍ରକାରରେ ନଗରର ସବୁ ଲୋକ ବୀରବଲଙ୍କୁ ଏକା ପ୍ରଶ୍ନ ପଚାରୁଥିଲେ ଏବଂ ବୀରବଲ ସେମାନଙ୍କ ନାମ ପଚାରି କ୍ରମାନ୍ଵୟରେ ଲେଖି ଦେଉଥିଲେ l ଏହି ପ୍ରକାରରେ ତାଙ୍କ ପାଖରେ ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଗଲା l ତା’ପର ଦିନ ବୀରବଲ ଯାଇ ଦରବାରରେ ହାଜିର ହୋଇ ଅନ୍ଧମାନଙ୍କର ନାମ ଲେଖା ହୋଇଥିବା ସୂଚନାଟିକୁ ବାଦଶାହଙ୍କୁ ଦେଲେ l ବାଦଶାହ ସେହି ତାଲିକାରେ ଯେତେବେଳେ ନିଜ ନାମ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – ବୀରବଲ ! ଏଥିରେ ତ ମୋର ନାମ ଅଛି ? କିନ୍ତୁ ମୁଁ ତ ଅନ୍ଧ ନୁହେଁ ?
ଏହା ଶୁଣି ବୀରବଲ କହିଲେ- ହଜୁର ! ଏ ସୂଚନା ସେହିମାନଙ୍କର ଯେଉଁମାନେ ମତେ ବଜାରରେ ଜୋତା ତିଆରି କରୁଥିବା ଦେଖିକରି ମଧ୍ୟ ପଚାରୁଥିଲେ କି ମୁଁ ଏ କ’ଣ କରୁଛି ବୋଲି l ହଜୁର ଆପଣ ମଧ୍ୟ ଏହି ପ୍ରଶ୍ନ କରିଥିଲେ l ଏଥର ଆପଣ ଭାବନ୍ତୁ ଲୋକ ଅନ୍ଧ ହେଲେ କି ନାହିଁ l
ବିରବଲଙ୍କ ଉତ୍ତର ଶୁଣି ବାଦଶାହ ଆକବର ଅନୁଭବ କଲେ ପ୍ରକୃତରେ ଦେଖୁଥିବା ଜିନିଷକୁ ଆମେ କିପରି ଅଣନଜର କରିଥାଉ l ସେ ବୀରବଲଙ୍କ ବୁଦ୍ଧିକୁ ପ୍ରଶଂସା କଲେ l