Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଲଟେରୀ
ଲଟେରୀ
★★★★★

© Dr Subas Chandra Rout

Others

15 Minutes   385    35


Content Ranking

ପାଞ୍ଚ ବର୍ଷର ଝିଅ ରାଣୀ ଟିଭି ଆଡ଼କୁ ଆଙ୍ଗୁଠି ଦେଖେଇ ତା ମାଆକୁ ପ୍ରଶ୍ନ କଲା, “ମାଆ, ସେ କିଏ, ଆଉ ସେ ଘରଟା ଏତେ ବଡ଼ ଦିଶୁଛି କେମିତି ?”

“ମା, ସିଏ ଇଂଲଣ୍ଡର ରାଣୀ, କୁଇନ ଇଲିଜାବେଥ; ଆଉ ରାଜା ରାଣୀଙ୍କ ଘରକୁ ଉଆସ କହନ୍ତି, ଘର ନୁହେଁ ।”

--“ମାଆ, ମୁଁ ବି ତ ରାଣୀ, ଆମର କାହିଁକି ଏମିତି ଘର ନାହିଁ” । ଅଳ୍ପ ବୟସର କୋମଳ ମତି ସରଳ ଝିଅ ତା ମାଆକୁ ଗେଲ୍ହେଇ ହୋଇ ପ୍ରଶ୍ନ କଲା । 

କୋଳକୁ ଆଉଜେଇ ନେଇ ମାଆ କହିଲେ, “ଆମର ଘର ତ ଛୋଟ ନୁହେଁ କିନ୍ତୁ ତାଙ୍କ ଭଳି ବଡ଼ ନୁହେଁ । ଆମରି ଏହି ଘରକୁ ଆମେ ଆହୁରି ବଡ଼ କରିତୋଳିବା । ଯଦି ତୋର ଏହି ବାପା ମାଆ ଆହୁରି ବଡ଼ ଘର କରି ନପାରିଲେ, ତାହେଲେ ତୁ ବଡ଼ ହେଲେ ତୋତେ ଗୋଟିଏ ରାଜକୁମାର ସାଥିରେ ବାହା କରିଦେବୁ । ତୁ ଯାଇ ସେଇ ରାଜକୁମାରଙ୍କ ଉଆସରେ ଆନନ୍ଦରେ ରହିବୁ । ରାଜ କୁମାର ବଡ଼ ହେଲାପରେ ରାଜା ହେବେ ଓ ତୁ ତାଙ୍କ ସ୍ତ୍ରୀ ହୋଇ ରାଣୀ ହେବୁ । ରାଜାଙ୍କ ସ୍ତ୍ରୀକୁ ସମସ୍ତେ ରାଣୀ କହନ୍ତି । ସେତେବେଳେ ତୁ ପ୍ରକୃତରେ ରାଣୀ ହୋଇ ଆମକୁ ସବୁ ଭୁଲି ଯିବୁ ।”

     ଆଉ ୧୯ ବର୍ଷ ପରେ ରାଣୀ ଆଜି ବଡ଼ ହୋଇଯାଇଛି ସତ, କିନ୍ତୁ ରାଣୀ ହେବା ବଦଳରେ ଚାକରାଣୀ ହୋଇଯାଇଛି; ସେଇଠି, ସେଇ ଘରେ, ଯେଉଁ ଘରେ ସେ ଅସୁମାରି ସ୍ଵପ୍ନ ଦେଖୁଥିଲା । ସେଇ ମାଆ କୋଳର ସ୍ଵପ୍ନ ଦେଖାର ଛଅ ମାସ ପରେ ଭଗବାନ ମାଆକୁ ତାଙ୍କ ସ୍ଵର୍ଗ ଘରକୁ ଡାକିନେଲେ । ବଡ଼ ଗାଡ଼ି, ଉଆସ, ଚାକର ବାକର ଆଦି ସ୍ଵପ୍ନ ସବୁ ଉଭେଇ ଗଲେ ଯେଉଁ ଦିନ ତାର ମାଆ ପରଲୋକକୁ ଚାଲିଯିବାର ବର୍ଷେ ପରେ ବାପା ଆଉ ଗୋଟେ ମାଆକୁ ନେଇଆସିଲେ । ସବୁ ଆଶା, ଭରସା, ସାଙ୍ଗ, ସାଥି ଆତ୍ମୀୟମାନେ ସ୍ଵପ୍ନ ମିଳେଇ ଗଲା ଭଳି ଧୀରେ ଧୀରେ ଉଭେଇ ଗଲେ ।

      ମାଆ ମରିବାର ବର୍ଷେ ପରେ ଦିନେ ବାପା ରାଣୀକୁ ଡାକି କୋଳରେ ବସେଇ କହିଥିଲେ, “ମା, ମୁଁ ଭାବୁଛି ତୋ ପାଇଁ ଗୋଟିଏ ନୂଆ ମା ଆଣିବି । ସେ ତୋର ଯତ୍ନ ନେବ । ମୁଁ ତ କାମକୁ ଯାଉଛି । ତୋ କଥା କିଏ ବୁଝିବ ? କିଏ ତୋତେ ଖାଇବାକୁ ଦେବ, ଗେଲ୍ହା କରିବ ? ତୋ ପାଠ ପଢ଼ାପଢ଼ି କଥା କିଏ ବୁଝିବ ?” ସରଳମତି ରାଣୀ କଅଣ ଜାଣିଥିଲା, ଯିଏ ଆସିବ ସେ ମାଆ ନୁହେଁ ନୂଆମା ହୋଇ ଆସିବ। ସଂସାରରେ ଏହିଭଳି ନୂଆମାଙ୍କୁ ବିମାତା କୁହାଯାଏ । ମା ଓ ନୂଆମା ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବାକୁ ସେ ଅକ୍ଷମ ଥିଲା । ଏ ଦୁନିଆରେ କ୍ଵଚିତ କୌଣସି ବିମାତା ମାଆର କର୍ତ୍ତବ୍ୟ କରନ୍ତି ।   

     ନୂଆମା ଆସିବା ପରେ ତା’କୁ ଆଉ ଗୋଟିଏ ବଖରାରେ ଶୋଇବାକୁ ଦିଆଗଲା । କିଛି ମାସ ପର୍ଯ୍ୟନ୍ତ ବିଶେଷ କିଛି ଅସୁବିଧା ହେଲାନି କିନ୍ତୁ ଯେଉଁ ଦିନଠାରୁ ରାଣୀର ଗୋଟିଏ ନୂଆ ଭଉଣୀ ‘ମାନି’ ନୂଆମା କୋଳକୁ ଆସିଲା, ସେଇ ଦିନଠାରୁ ତାର ଜୀବନରେ କେବଳ ଝଡ଼ ବତାସହିଁ ବୋହିବାକୁ ଲାଗିଲା । ସମୟ ଗଡ଼ିଚାଲିଲା । ପ୍ରତି ଦିନ କିଛି ନା କିଛି ବାହାନାରେ ନୂଆମା ତାକୁ ଗାଳି ଦିଅନ୍ତି । ସାନ ଭଉଣୀ ମାନି ଛୋଟ ଥିଲାବେଳେ ବହୁତ ଗେଲ କରୁଥିଲା । ଟିକିଏ ବଡ଼ ହୋଇଗଲା ପରେ ନୂଆମା ତାକୁ ଶିଖେଇଲେ, “ତୁ ସେ ରାଣୀ ସାଥିରେ କାହିଁକି ମିଶୁଛୁ, ସମୟ ନଷ୍ଟ କରୁଛୁ । ପଢ଼ା ପଢ଼ି କର । ତା ସାଥିରେ ମିଶିଲେ ତୋର ସବୁ ନେଇଯିବ । ବଡ଼ ଭଉଣୀ ସେ । ତୋ ବାପା ତାକୁ ବହୁତ ଭଲ ପାଉଛନ୍ତି । ସବୁ ଧନ ସମ୍ପତ୍ତି ତାକୁ ଦେଇଦେବେ; ହୁସିଆର ହୋଇ ଚଳ ।” ସବୁ ଦିନ ରାଣୀ ବିରୁଦ୍ଧରେ କହି କହି ଏମିତି ପରିସ୍ଥିତି ସୃଷ୍ଟି କରିଦେଲେ ଯେ ମାନି ତାଠାରୁ ଦୂରେଇ ଗଲା ।

      ମାନି ଭଲ ଭଲ ପୋଷାକ ପିନ୍ଧେ । ପ୍ରତି ମାସରେ ନୂଆ ଫ୍ରକ, ନୂଆ ଶାଳୱାର, କାମିଜ ଓ ପାଇଜାମା ଇତ୍ୟାଦି ତା ପାଇଁ କିଣାଯାଏ । ରାଣୀ ନିମନ୍ତେ ପିନ୍ଧା ପୋଷାକ ପୁରୁଣା ହୋଇ ଚିରିଲା ପରେ ନୂଆ ପୋଷାକ କିଣାଯାଏ । ମାନି ନୂଆ ପୋଷାକ ପିନ୍ଧି ଘୁରି ବୁଲିଲା ବେଳେ ରାଣୀ ସତୃଷ୍ଣ ନୟନରେ ଭଉଣୀଆଡ଼କୁ ଅନେଇଥାଏ । ଜନ୍ମ ଦିନ, କୁଆଁର ପୁନେଇ, ରଜ, ପ୍ରଥମାଷ୍ଟମୀ ଆଦି କୌଣସି ଦିନରେ ରାଣୀ ନୂଆ ପୋଷାକ ପିନ୍ଧେନି, ତା’ପାଇଁ କନା କିଣା ହୁଏନି ବା ସିଲେଇ କରାଯାଏନି । ତାକୁ ଖେଳିବାକୁ ଛଡ଼ାଯାଏନି । କେହି ରକ୍ତ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଘରକୁ ଆସିଲେ ତାକୁ ତାଙ୍କ ସାମନାକୁ ଯିବାକୁ ରାଣୀକୁ ଲାଜ ଲାଗେ । ଭାବନାରେ ଡୁବିଯାଏ; ଭାବେ, କେମିତି ଯିବି ଏଇ ପୋଷାକ ପିନ୍ଧି ! ଦୀର୍ଘଶ୍ଵାସ ପକାଏ । କିଏ ଜାଣେ ଏ ଦୀର୍ଘଶ୍ଵାସ କାହା ଉପରେ ପଡ଼ୁଥିବ ।

     ମା ଚାଲିଯିବାର ଛଅ ବର୍ଷ ପରେ ଜେଜେ ଏ ପୃଥିବୀରୁ ବିଦାୟ ନେଇଗଲେ । ସେ ଦିନ ରାଣୀ ଓ ତାର ବାପା ଅଧୀର ହୋଇ କାନ୍ଦିବାକୁ ଲାଗିଲେ । ରାଣୀକୁ ଜେଜେ ବହୁତ ଭଲ ପାଉଥିଲେ । ଯେତେବେଳେ ଯାହା ମାଗେ, ଜେଜେ ସାଙ୍ଗେ ସଙ୍ଗେ ମଗେଇ ଦିଅନ୍ତି , କେବେ ନାହିଁ କରନ୍ତି ନାହିଁ । କେବେ ଗାଳି ଦିଅନ୍ତି ନାହିଁ । ପିଲା ବୟସରେ ସବୁ ଦିନ ସନ୍ଧ୍ୟାରେ ଜେଜେଙ୍କ କାନ୍ଧ ଉପରେ ସବାର ହୋଇ ରାଣୀ ବାହାରକୁ ବୁଲିଯାଏ । ଜେଜେ ହିଁ ଏ ଘରର ସର୍ବେ ସର୍ବା ଥିଲେ । ଘରର ସଉଦାପତ୍ର, ବ୍ୟାଙ୍କ କାରବାର ଆଦି ସବୁ କଥା ଜେଜେ ବୁଝୁଥିଲେ ଓ ସକଳ କଥାରେ ତାଙ୍କ ଉପଦେଶ ନିଆଯାଉଥିଲା । ନୂଆମା ସବୁବେଳେ ବାପାଙ୍କୁ କହନ୍ତି, “ତୁମେ ଘରର ସବୁ କଥା ବୁଝ ଏଣିକି, ବାପାଙ୍କର ବୟସ ହେଲାଣି, କେତେ ବୁଝିବେ ।” ବାପା କହନ୍ତି, “ତାଙ୍କ ଆଗରେ ମୁଁ ଛୁଆ, ଆଉ ମୁଁ ସେଇ ଅଧିକାର ନେଇଗଲେ ସେ ନିଜକୁ ବୃଦ୍ଧ ଅନୁଭବ କରିବେ ଓ ଭାଙ୍ଗି ପଡ଼ିବେ । ସେଇଟା ମୁଁ ସହି ପାରିବିନି ।”

ଜେଜେ ଚାଲିଗଲା ପରେ ଦିନ ରାତି କାମ ଆଉ କାମ – ଆରାମ ଓ ବିଶ୍ରାମ ଆଦି ଶବ୍ଦମାନ ସେ ଭୁଲିଯାଇଥିଲା । ଖାଲି କାମ କରୁଥିଲେ ତ ଗୋଟେ କଥା ଥିଲା, କାମରେ ତୃଟି ଥାଉ ବା ନଥାଉ, ଖାଲି ଗାଳି ଆଉ ଗାଳି । ରାତି ନପାହୁଣୁ ସାବତ ମାଆର ଚିତ୍କାର । ପୋଡ଼ାମୁହିଁ, ଉଠ୍, ବାସି ଅଇଁଠା ବାସନ କେତେବେଳେ ମାଜିବୁ, ଘର ଝାଡ଼ୁ କେତେବେଳେ ହେବ, ଘର ପୋଛା କେତେବେଳେ କରିବୁ । ଏ ସବୁ ସରିଲେ ମୁଁ ଗାଧୋଇ ଯିବି ଓ ପୂଜା କରିବି । ଶୀଘ୍ର କାମ ସାରି ଚା ଜଳଖିଆ ତିଆରି କର । ଯେତେବେଳେ ଦେଖ, ଖାଲି ଶୋଇଛି । କି ଝିଅ ମୋ ମୁଣ୍ଡ ଉପରେ ଲଦି ଦେଇ ସଉତୁଣୀ ବିଦାୟ ନେଲା କେଜାଣି ! ମାଆ ଖାଇ ଅଲକ୍ଷଣୀ କଉଠିକାର, ଏକୁ ହେଲେ ସାଥିରେ ନେଇ ଯାଇଆଆନ୍ତା । ରାଣୀ ଆଖିରେ ସକାଳୁ ଲୁହ ଝରିଯାଏ, ଲୁହ ତ ନୁହେଁ, ଧାରା ଶ୍ରାବଣର ବର୍ଷା । ହେଲେ କେବେ ଜବାବ ଦେଇନାହିଁ ।

     ଦିନେ ଦିନେ ବାପା ବିରକ୍ତ ହୁଅନ୍ତି, ନୂଆମାକୁ ଗାଳି ଦେଇ କହନ୍ତି, “ବିନି, ରାଣୀ କଅଣ ତୁମ ଝିଅ ନୁହେଁ । ତାକୁ ଟିକିଏ ବି ସ୍ନେହ ଦେଉନ ।” ଏମିତି ବହୁତ ଥର ଅଭିଯୋଗ ଶୁଣି ଶୁଣି ଦିନେ ବିନି ସିଧା ବାପାଙ୍କୁ ମୁହଁ ଉପରେ କହିଲା, “ମୋତେ ଏଇ ଝିଅ ପାଇଁ ଗାଳି ଦେଲେ ବା ମୋ ସାଥିରେ ଝଗଡ଼ା କଲେ ମୋ ଝିଅଙ୍କୁ ନେଇ ସିଧା ମୋ ବାପ ଘରକୁ ଚାଲିଯିବି । ତୁମେ ତୁମ ଗେଲ୍ହୀ ଝିଅକୁ ନେଇ ଏକୁଟିଆ ରହ ।” ସେହି ଦିନଠାରୁ ବାପା ନିରବ ହୋଇଗଲେ । ଧୀରେ ଧୀରେ ରାଣୀର ସ୍କୁଲ ଯିବା ବନ୍ଦ କରିଦିଆଗଲା । ଚାକରମାନଙ୍କୁ ମଧ୍ୟ ଧୀରେ ଧୀରେ ବିଦାୟ କରିଦିଆଗଲା ।

           ବାପା ଦିନେ ରାଣୀକୁ ପାର୍କକୁ ବୁଲେଇ ନେଇଥିଲେ । ଗୋଟିଏ ବେଞ୍ଚ ଉପରେ ଦୁହେଁ ବସିଲେ । ବାପା ଝିଅର ହାତ ଧରି କହିଲେ, “ଝିଅ ତୁ ମୋତେ କ୍ଷମା କରିଦେ । ତୋ କଷ୍ଟ ମୁଁ ଆଉ ଦେଖିପାରୁନି । ମୁଁ ତୋ ନୂଆମାକୁ ଆଣିଲା ବେଳେ ଭାବିଥିଲି, ସବୁ ବିମାତା କଅଣ ଏକା ହେବେ ! କେହି ତ ବ୍ୟତିକ୍ରମ ହୋଇଥିବେ । କିନ୍ତୁ ମୋର ଓ ତୋର ଦୁର୍ଭାଗ୍ୟ । ଆଜି ତୋ ମାଆ ମୋର ବହୁତ ମନେ ପଡ଼ୁଛି” । ରାଣୀ ବାପାଙ୍କୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା ଓ ବାପାଙ୍କ ଆଖିରୁ ଲୁହ ବୋହିଯାଉଥିଲା । 

     ରାଣୀ ତା ବାପାର ଦୁଃଖ ଦେଖିପାରିଲାନି । ତାର ନରମ ହାତରେ ତାଙ୍କର ଲୁହ ପୋଛିବାକୁ ଲାଗିଲା । ବାପାଙ୍କର କୋହ ଉପରେ କୋହ ଉଠୁଥାଏ । କହିବାକୁ ଲାଗିଲେ, “ତୋର ଲୁହ ଦେଖିବିନି ବୋଲି ଯାହାକୁ ଆଣିଲି, ସେଇ ତୋର ଦୁଃଖର କାରଣ ହେଲା । ଏହା ମୋ ଜୀବନର ଚରମ ଦୁର୍ଭାଗ୍ୟ ଓ ଭାଗ୍ୟର ବିଡ଼ମ୍ବନା ।”

“ବାପା, କାନ୍ଦନି । ତୁମ କାନ୍ଦ ମୁଁ ସହି ପାରିବିନି । ମୋ ଦୁଃଖର ଗରଳକୁ ଅମୃତ ଭାବି ପିଇଯିବି, ହେଲେ ତୁମ କଷ୍ଟ

ଦେଖିପାରିବିନି ।”

“ତୋ ନୂଆମାକୁ ମୁଁ କିଛି କହିପାରୁନି; କାରଣ ମୁଁ ଯଦି କିଛି କହେ, ମୁଁ ନଥିଲାବେଳେ ତୋ ଉପରେ ଅଧିକ ଅତ୍ୟାଚାର କରିବ । ଏହା ମୁଁ ଜାଣେ ଓ ଆଉ ମଧ୍ୟ ଜାଣେ, ତୁ ମୋତେ ଏହି ଅତ୍ୟାଚାର କଥା କେବେହେଲେ କହିବୁନି । ମା, ଧୈର୍ଯ୍ୟ ଧର । ପ୍ରତ୍ୟେକ ନିଦାଘ ପରେ ମେଘଡମ୍ବରୁ ବାଜେ ଓ ଆକାଶରୁ ଅମୃତ ଝରିଆସି ଏ ଧରିତ୍ରୀକୁ ଶସ୍ୟ ଶ୍ୟାମଳା କରିଦିଏ । ମହାପୁରୁଷମାନେ କହିଛନ୍ତି, ମଣିଷ ଜୀବନ ବି ଠିକ ଏହାରି ସଦୃଶ । ସ୍ନେହ ଓ ଶ୍ରଦ୍ଧାହିଁ ବଞ୍ଚିରହିବାକୁ ଓ ପ୍ରତ୍ୟେକ ଆଘାତକୁ ପ୍ରତିହତ କରିବାକୁ ଶକ୍ତି ଦିଏ ।”

     ଏହି ଘଟଣା ପରେ ରାଣୀର ରାତି ଓ ଦିନ ମଧ୍ୟରେ କିଛି ପାର୍ଥକ୍ୟ ରହିଲାନି । ଦିନରେ ଘର ପାଇଁ ଓ ରାତିରେ ନିଜ ପାଇଁ କଠୋର ପରଶ୍ରମ କରିବାକୁ ଲାଗିଲା, ଏକ ତପସ୍ୟାଠାରୁ ଅଧିକ । ରାତିରେ ତା ରୁମ ଭିତରେ ସେ କଅଣ କରୁଥିଲା, ବାପାଙ୍କ ବ୍ୟତୀତ କେହି ଜାଣୁନଥିଲେ । ବର୍ଷକୁ ଦୁଇ ତିନି ଥର ବାପ ଝିଅ ସାତ ଆଠ ଦିନ ପାଇଁ ବୁଲି ଯାଉଛୁ କହି କୁଆଡେ ଚାଲିଯାଆନ୍ତି, ତାଙ୍କ ବ୍ୟତୀତ କେହି ଜାଣିପାରନ୍ତିନି ।  

     କିଛି ଦିନ ପୂର୍ବରୁ ଜଣେ ମଧ୍ୟସ୍ଥ ରାଣୀ ପାଇଁ ଏକ ପ୍ରସ୍ତାବ ଆଣିଥିଲେ । ଡ୍ରଇଁ ରୁମରେ ବାପାଙ୍କ ସାଥିରେ କଥାବାର୍ତ୍ତା ଚାଲିଥିଲା । ବିବାହ ପ୍ରସ୍ତାବ ଆସିଛି ଶୁଣି ନୂଆମା ଭିତରକୁ ପଶିଗଲେ । ନିଜକୁ ଚିହ୍ନେଇ ଦେଇ କହିଲେ, “ ମୁଁ ଏ ବାବୁଙ୍କ ପତ୍ନୀ । ଆପଣ କାହାପାଇଁ ପ୍ରସ୍ତାବ ଆଣିଛନ୍ତି, ପୁଅ ଓ ପୁଅର ବାପା କଅଣ କରନ୍ତି ?

“ଆଜ୍ଞା, ଆପଣଙ୍କ ବଡ଼ ଝିଅ ପାଇଁ ପ୍ରସ୍ତାବ ଆଣିଛି, ଆଇ.ଜି. ଶଙ୍କର ରଥଙ୍କ ଏକମାତ୍ର ପୁଅ ସଂବିତଙ୍କ ସହିତ ।”

ବଡ଼ ଝିଅ ପାଇଁ କଅଣ ପ୍ରସ୍ତାବ ଆଣିଛନ୍ତି, ମୋ ଝିଅ ନିମନ୍ତେ ଏ ପ୍ରସ୍ତାବ ଦିଅନ୍ତୁ । ବଡ଼ ଝିଅ ତ କଲେଜ ମାଡ଼ିନି, ତାକୁ କିଏ ବାହା ହେବ? ସେଇଟା ଅମଙ୍ଗଳି, ମାଆକୁ ଖାଇଛି । ମୋର ତ ଡରି ଡରି ଦିନ ଯାଉଛି, ବାପାକୁ ଖାଇଲେ ମୁଁ ବିଧବା ହୋଇଯିବି । ବର ଘରକୁ ଖବର ଦିଅନ୍ତୁ, ଯଦି ବିବାହ କରିବେ ତାହେଲେ ମୋ ଝିଅ ସହିତ କରନ୍ତୁ, ନହେଲେ ନାହିଁ ।” ଅପ୍ରସ୍ତୁତ ହୋଇଗଲେ ରାଣୀର ବାପା ନଗେନ ମିଶ୍ର । ହାତ ଦେଖେଇ, ଇଙ୍ଗିତ କରି କିଛି କହିବାକୁ ଯେତେ ମନା କଲେ ମଧ୍ୟ ନୂଆମା ଉପରେ ତାର କୌଣସି ପ୍ରଭାବ ପଡ଼ିଲାନି ।

     ଏତିକି ବେଳେ ରାଣୀ ଗୋଟିଏ ଟ୍ରେରେ ଚା ଜଳଖିଆ ଧରି ସେ ରୁମକୁ ଆସିଲା । ମଧ୍ୟସ୍ଥି ପଚାରିଲେ, “ଏ ଝିଅଟି

କିଏ ।” ଚଟାପଟ ନୂଆମା କହିପକେଇଲେ, “ସେ ଆମ ଚାକରାଣୀ ।” ଥମ କରି ରହିଗଲା ରାଣୀ, କିଛି ସମୟ ନିମନ୍ତେ ସ୍ଥାଣୁ ହୋଇଗଲା ଯେମିତି । ଟିପଏ ଉପରେ ଟ୍ରେ ଥୋଇ ଦେଇ ରାଣୀ ଦୌଡ଼ି ଦୌଡ଼ି ସେହି ରୁମରୁ ଅନ୍ତର୍ଦ୍ଧାନ ହୋଇଗଲା । ନଗେନ ବାବୁ କଟମଟ କରି ଅନେଇଲେ ମଧ୍ୟ ନୂଆମା ଉପରେ କୌଣସି ପ୍ରଭାବ ପଡ଼ିଲାନି ଓ ରାଣୀ ପଛେ ପଛେ ନୂଆମା ମଧ୍ୟ ତାଙ୍କ ରୁମକୁ ଚାଲିଗଲେ ।   

     ବହୁତ ଆଶା, ବିଶ୍ଵାସ ଓ ଧୈର୍ଯ୍ୟ ସହିତ ଏ ପର୍ଯ୍ୟନ୍ତ ନଗେନ ବାବୁ ଏ ସଂସାର ଚଳେଇ ଆଣିଥିଲେ । ହଠାତ ଗୋଟିଏ ନିର୍ଣ୍ଣୟ ନେଇଗଲେ । ମଧ୍ୟସ୍ଥିଙ୍କୁ କହିଲେ, “ଯିଏ ବାହା ହେବ, ଆପଣ ତାଙ୍କୁ ଆଣନ୍ତୁ ଓ ମୋର ବଡ଼ ଝିଅକୁ ଦେଖାନ୍ତୁ, ତା’ପରେ ତାଙ୍କ ପସନ୍ଦ ହେଲେ ଓ ମତାମତ ଜାଣିଲା ପରେ ମୁଁ ନିର୍ଣ୍ଣୟ ନେଇ କହିବି ।” ମଧ୍ୟସ୍ଥିକୁ ଗଲା ପୂର୍ବରୁ କହିଲେ, “ଯିଏ ଚା ଧରି ଆସିଥିଲା, ସେ ମୋର ବଡ଼ ଝିଅ ରାଣୀ ଓ ଯିଏ ଚାଲିଗଲେ ସେ ତାର ସାବତ ମାଆ । ମୋ ଝିଅ ବହୁତ ଭଲ ପାଠ ପଢ଼େ ।” ମଧ୍ୟସ୍ଥି ଟିପ୍ପଣୀ ଦେଲେ, “ସାବତ ମା ଏମିତି ବ୍ୟବହାର କରୁଛି !”

           ନଗେନ ବାବୁ ଶୀଘ୍ର ଶୀଘ୍ର ବଡ଼ ଝିଅ ରୁମକୁ ଚାଲିଗଲେ । ରାଣୀ ତକିଆ ଉପରେ ମୁହଁ ମାଡ଼ି କାନ୍ଦୁଥାଏ । ବାପାଙ୍କୁ ଦେଖି କଇଁ କଇଁ ହୋଇ ଧକେଇ ଧକେଇ କହିଲା, “ବାପା ମୁଁ ଆଉ ବଞ୍ଚିପାରିବିନି । ଚାକରାଣୀ ଭଳି ଖଟୁଥିଲି ସତ, କିନ୍ତୁ ତୁମ ପାଇଁ କାମ କରୁଥିଲି; ମୋ ବାପା ପାଇଁ, ଆଉ କାହା ପାଇଁ ନୁହେଁ । ତୁମ ଝିଅ ହୋଇ ଏ ଅପମାନ ଆଉ ମୁଁ ସହି ପାରିବିନି ।” ଝିଅର ପିଠି ଓ ମୁଣ୍ଡକୁ ଆଉଁସି ଦେଇ ବାପା କହିଲେ, “ମା, ମୁଁ ଏବେ ବି ବଞ୍ଚିଛି । ତୋ ଦୁଃଖ ହେଉଛି ମୋ ଦୁଃଖ । ଏମିତ କିଛି କରନି ଯାହାଦ୍ଵାରା ମୁଁ ଭାଙ୍ଗିପଡ଼ିବି ଓ ବଞ୍ଚିପାରିବିନି । ଆଜି ତୋତେ କଥା ଦେଉଛି, ଅଳ୍ପ ଦିନ ମଧ୍ୟରେ ତୋର ଦୁଃଖ ଦୂର କରିବି, ଏହା ମୋର ତ୍ରିବାର ସତ୍ୟ ।” ବାପା କୋଳରେ ମୁଣ୍ଡ ରଖି ଆହୁରି ଜୋରରେ ରାଣୀ କାନ୍ଦିବାକୁ ଲାଗିଲା । ରାଣୀ ଭାବିବାକୁ ଲାଗିଲା, ‘ବାପାଙ୍କ ହାତରେ କଅଣ ଅଛି ଯେ ମୋର ଦୁଃଖ ଦୂର କରିବେ ! ହେ ପ୍ରଭୁ ମୋତେ ରକ୍ଷା କର !’ 

     ସେତେବଳକୁ ରାଣୀକୁ ୨୪ ବର୍ଷ ଓ ସାନ ଭଉଣୀ ମାନୀକୁ ୧୭ ବର୍ଷ । ଛାତି ଭିତରେ ଗୋଟାଏ କିଛି ଜିନିଷ ଓଜନିଆ ହୋଇଗଲା ଭଳି ଲାଗିଳା ରାଣୀକୁ । ସବୁ ଘରକାମ କରୁଛି, କିନ୍ତୁ ମଣିଷ ଭଳି ନୁହେଁ, ଗୋଟିଏ ଯନ୍ତ୍ର ଭଳି ବା ରୋବୋଟ ଭଳି । ନିର୍ଲିପ୍ତ, ନା ଖୁସି ନା ଦୁଃଖୀ । ନୂଆମା ମଧ୍ୟସ୍ଥିକୁ କହିଥିବା କଥା ତା କାନରେ ପଡ଼ିଥିଲା । ରାଣୀ ଭାବୁଥାଏ, ‘ଏ ଜନ୍ମରେ ବୋଧେ ମୋର ବାହାଘର ହେବନି’ । ଏଇଠି ଖଟି ଖଟି ବୁଢ଼ୀ ହୋଇଯିବି । ନିଜକୁ କହିଲା, “ଯାହା ହେଲେ ବି ସେ ମୋର ଭଉଣୀ । ହଉ, ମୋର ଭଉଣୀଟା ବାହାହୋଇଯାଉ । ମୋର ଈର୍ଷା କରିବା ଉଚିତ ନୁହେଁ । ସବୁ କଥା ପାଇଁ ଗୋଟେ ସମୟ ଥାଏ । ତାର ସମୟ ଆସିଲା, ସେ ବାହା ହେବ । ମୋ ଭାଗ୍ୟରେ ନାହିଁ, ମନ ଦୁଃଖ କଲେ କିଛି ହେବନି ।” କଥାରେ ଅଛି, ଯାହାର ମାଆ ନାହିଁ ତାହାର ସାହା ନାହିଁ । ଏହି କଥା ଭାବୁ ଭାବୁ ମାଆର ଆକୃତି ଆଖି ଆଗରେ ନାଚିଗଲା । ତାକୁ ଲାଗିଲା ଯେମିତି ମାଆ କହୁଛି, “ମା ମୋର, ମନ ଖରାପ କରନି । ମୁଁ ସବୁବେଳେ ତୋ ପାଖରେ ଅଛି ।” ତାକୁ ମନେହେଲା ଯେମିତି କିଏ ତା ପିଠି ଆଉଁସି ଦେଉଛି ।

     ସେଦିନ ରବିବାର ସକାଳ ପ୍ରାୟ ୮ଟା ହୋଇଥିଲା । ବାପା ରାଣୀକୁ ଗୋଟିଏ ନିରୋଳା ସ୍ଥାନକୁ ଡାକିନେଇ କହିଲେ, “ଜଣେ ବାବୁ ୨/୩ ଘଣ୍ଟା ପରେ କନ୍ୟା ଦେଖିବାକୁ, ମାନେ ତୋତେ ଦେଖିବାକୁ ଆସୁଛନ୍ତି । ପ୍ରସ୍ତୁତ ହୋଇ ରହିଥିବୁ ।” ପ୍ରାୟ ଦିନ ୧୧ଟା ସମୟରେ ମଧ୍ୟସ୍ଥି ନଗେନ ବାବୁଙ୍କୁ ଖବର ଦେଲେ, ପନ୍ଦର ମିନିଟ ପରେ ସେ କିଛି ଲୋକଙ୍କୁ ଧରି କନ୍ୟା ଦେଖିବାକୁ ଆସିବେ । ନଗେନ ବାବୁ ତରତର ହୋଇ ରାଣୀକୁ ଡାକି ଏଇ ଖବର ଦେଇ କହିଲେ, “ମା, ସେ ଭଦ୍ର ଲୋକ ଆସିଲେ ଗୋଟିଏ ଶାଢ଼ୀ ପିନ୍ଧି କିଛି ମିଠା ଓ ଚା ଧରି ଆସିବୁ । ଏ ସବୁ ତୋର ମାଆ ବଞ୍ଚିଥିଲେ ତୋତେ ଶିଖେଇଥାନ୍ତା ।”

     କିଛି ସମୟ ପରେ ଆଗନ୍ତୁକମାନେ ପହଞ୍ଚିଗଲେ । ନଗେନ ବାବୁ ତାଙ୍କୁ ଆଦର ସତ୍କାର କରି ଡାକିନେଇ ଡ୍ରଇଂ ରୁମରେ ବସେଇଲେ । ମଧ୍ୟସ୍ଥି ଗୋଟି ଗୋଟି କରି ଚିହ୍ନେଇ ଦେବାକୁ କହିଲେ, “ଇଏ ନଗେନ ମିଶ୍ର, ଅବସରପ୍ରାପ୍ତ ଚିଫ ଇଞ୍ଜିନିୟର ଯାହାଙ୍କ ବଡ଼ ଝିଅ ସହିତ ସଂବିତଙ୍କର ପ୍ରସ୍ତାବ ପଡ଼ିଛି । ଆଉ ଏ ବାବୁ ଶଙ୍କର ରଥ, ପୋଲିସ ଆଇ.ଜି. ଅଛନ୍ତି, ତାଙ୍କ ପତ୍ନୀ ଓ ଇଞ୍ଜିନିୟର ପୁତ୍ର ସଂବିତ ଯିଏ କନ୍ୟା ଦେଖିବାକୁ ଆସିଛନ୍ତି । ପରସ୍ପରକୁ ନମସ୍କାର ପ୍ରତିନମସ୍କାର କରିବା ପରେ ନଗେନ ବାବୁ କହିଲେ, ରାଣୀ ମୋର ବଡ଼ ଝିଅ, ବହୁତ ଭଲ ଝିଅ ଓ ଭଲ ଛାତ୍ରୀ । ଅର୍ଥନୀତିରେ ବି.କମ କରି ଟପର ହୋଇଛି । ବ୍ୟାଙ୍କ ପି.ଓ. ପରୀକ୍ଷା ପାଇଁ ଦରଖାସ୍ତ ଦେଇଛି ଏ ବର୍ଷ । ସେତିକି ନୁହେଁ, ସେ ମୋ ପତ୍ନୀଙ୍କ ବିୟୋଗ ପରେ ମୋର ଘର ସମ୍ଭାଳିଛି । ଘରର ସକଳ କାମ, ରନ୍ଧାବଢ଼ା ଆଦି ସବୁ କାମ କରେ । ଶଙ୍କର ବାବୁ ପ୍ରଶ୍ନ କଲେ, “ମଧ୍ୟସ୍ଥି କହୁଥିଲା, ଆପଣଙ୍କ ଝିଅ କିଛି ପଢ଼ିନି । ମୁଁ ତ ବିଶ୍ଵାସ କଲିନି । ଏତେ ବଡ଼ ଅଫିସର, ତାଙ୍କ ଝିଅକୁ କିଛି ପଢ଼େଇନଥିବେ କେମିତି !”

“ମୁଁ ସେ କଥା ପରେ କହିବି, ଆଗେ ଝିଅକୁ ନେଇ ଆସୁଛି । ଆପଣ ଯଦି ତାକୁ ଦେଖି ପସନ୍ଦ କରିବେ, ତେବେ ଅନ୍ୟାନ୍ୟ ବ୍ୟକ୍ତିଗତ କଥାବାର୍ତ୍ତା ହେବା”, କହି ନଗେନ ବାବୁ ଭିତରକୁ ଚାଲିଗଲେ ।

     ଅଳ୍ପ ସମୟ ପରେ ନଗେନ ବାବୁଙ୍କ ସହିତ ରାଣୀ ଗୋଟିଏ ଟ୍ରେରେ ଚା ଜଳଖିଆ ଧରି ଆସିଲା । ଆଗନ୍ତୁକମାନଙ୍କୁ ମୁଣ୍ଡ ନୁଏଁଇ ପ୍ରଣାମ କଲା । ଶଙ୍କର ବାବୁ ତାକୁ ବସିବାକୁ କହିଲେ । ରାଣୀ ବାପାଙ୍କ ଦିଗକୁ ଅନେଇଲା ଓ ସେ ମଧ୍ୟ ବସିବାକୁ ଇଙ୍ଗିତ ଦେଲେ । ସୁନ୍ଦର ଗୋଟିଏ ନୀଳ ଶାଢ଼ୀ ପିନ୍ଧି ରାଣୀ ବସିଥିଲା, କୌଣସି ଲିପଷ୍ଟିକ ନାହିଁ, ଓଜନିଆ ଗହଣା ନାହିଁ କି ମୁହଁରେ ପାଉଡର ପ୍ରଲେପ ନାହିଁ । ଦୁଇ ହାତରେ ଚାରି ଚାରି ପଟ ସାଦା ପାଣି ଚୁଡ଼ି, ଦୁଇ କାନରେ ଦୁଇଟି ରିଙ୍ଗ ଥିଲା । ସେଇ ସାଦାସିଧା ପୋଷାକରେ ସେ ଅପୂର୍ବ ଦିଶୁଥିଲା । ଗୋରା ଦେହକୁ ଶାଢୀ ବହୁତ ମାନୁଥିଲା ।

     ରାଣୀକୁ ଦେଖି ଶଙ୍କର ବାବୁ ଓ ସଂବିତଙ୍କ ମୁହଁ ପ୍ରସନ୍ନ ଦେଖାଗଲା । କହିଲେ, “ଝିଅ, ଗୋଟେ ପ୍ରଶ୍ନ ତୁମକୁ

ପଚାରିବି ?”

“ଆଜ୍ଞା, ପଚାରନ୍ତୁ, ଉତ୍ତର ଜାଣିଥିଲେ କହିବି ।” 

“କୁହ ଝିଅ, ବିବାହ ପରେ ଗୋଟିଏ ଝିଅର ନୂଆ ପରିବାର ପ୍ରତି କର୍ତ୍ତବ୍ୟ କଅଣ ହେବା ଉଚିତ ବୋଲି ତୁମେ ଭାବୁଛ ।” 

“ମୋ ମତରେ ଝିଅ ବୋହୁ ହେଲା ପରେ ଘରର ସମସ୍ତଙ୍କୁ ଏକାଠି କରି ରଖିବାକୁ ପ୍ରଚେଷ୍ଟା କରିବା ଉଚିତ, କେବଳ ନିଜ ସ୍ଵାମୀକୁ ନେଇ ସଂସାର କରିବାକୁ ନୁହେଁ । ସ୍ଵାମୀ ସେଇ ପରିବାରର ମଣିଷ, ଯେଉଁ ପରିବାର ତାଙ୍କୁ ମଣିଷ କରିବା ନିମନ୍ତେ ବହୁତ ରକ୍ତ ନିଗାଡ଼ି ଝାଳ କରି ବୁହେଇ ଦେଇଥିବେ ।”

     ଏହା ଶୁଣି ଶଙ୍କର ବାବୁଙ୍କ ମୁହଁ ଉଜ୍ଜ୍ଵଳ ହୋଇଗଲା । “ମୁଁ ଏଇ ସଙ୍ଗେ ସଙ୍ଗେ ଏଇ ୨/୩ ମିନିଟ ଭିତରେ ଆସୁଛି” କହି ସଂବିତ ଓ ତା ମାଆକୁ ନେଇ ରୁମ ବାହାର ବାରଣ୍ଡାକୁ ଚାଲିଗଲେ । ପାଞ୍ଚ ମିନିଟ ପରେ ଫେରିଆସି କହିଲେ, “ହଉ ଯାଅ ଝିଅ, ତୁମକୁ ବୋହୁ କରିବାକୁ ଆମ ସମସ୍ତଙ୍କର ଏକାନ୍ତ ଇଚ୍ଛା । ତୁମର ଯଦି କିଛି ନିଜସ୍ଵ ଇଚ୍ଛା ବା ଅନିଚ୍ଛା ଅଛି, ତାହେଲେ ମୋତେ ଫୋନ କରି ବା ଇ-ମେଲ କରି ଜଣେଇଦେବ । ମୁଁ କିଛି ଖରାପ ଭାବିବିନି । ଏଇ କାଗଜରେ ମୋର ଫୋନ ନମ୍ବର ଓ ଇ-ମେଲ ଠିକଣା ଅଛି ।”

“ଆଜ୍ଞା, ବାପା ହିଁ ମୋର ସବୁକିଛି । ସେ ଯେଉଁଠି କହିବେ ମୁଁ ସେଠିକି ଯିବାକୁ ପ୍ରସ୍ତୁତ ଅଛି ।” ଏତିକି ଶୁଣି ଶଙ୍କର ବାବୁ ଯିବାନିମନ୍ତେ ଉଠିଲେ । ନଗେନ ବାବୁ କହିଲେ, “ଆଜ୍ଞା, ଟିକିଏ ବସନ୍ତୁ । ଏଇ ଶୁଭ ବେଳାରେ ପାଟି ମିଠା ନକରି କେମିତି ଯିବେ ?”

“ନାଇଁ ଆଜ୍ଞା, ଦୁଇ ପଟରୁ ପୁରା ଫାଇନାଲ ହେଲେ ମିଠା ଖାଇବି, ଧନ୍ୟବାଦ ।   

     ନଗେନ ବାବୁ ବାଟେଇ ଦେବାକୁ ଗଲାବେଳେ ଗୋଟିଏ କାଗଜ ଶଙ୍କର ବାବୁଙ୍କୁ ଧରେଇ ଦେଇ କହିଲେ, ଏଇଟି ରାଣୀର ବିଶ୍ଵବିଦ୍ୟାଳୟର ଡିଗ୍ରୀ ସାର୍ଟିଫିକେଟର ଜେରକ୍ସ କପି, ଦେଖିନେବେ । ସାବତ ମାଆକୁ ଲୁଚେଇ ରାତିରେ ପାଠ ପଢ଼େ, ସେ ମୋଟେ ଏହାର ଟେର ପାଆନ୍ତି ନାହିଁ । ବାଟରେ ଶଙ୍କର ବାବୁ ପଚାରିଲେ, “ଆପଣ ଦ୍ଵିତୀୟ ବିବାହ କରିଛନ୍ତି ନା ?”

“ଆଜ୍ଞା, ଠିକ ଶୁଣିଛନ୍ତି । ସେ ଓ ସାନ ଝିଅ ବାହାରକୁ ଯାଇଛନ୍ତି କୌଣସି କାମରେ । ଆପଣ ବାହାଘର ସମ୍ମତି ଦେଲେ ମୁଁ ତାଙ୍କୁ ପରେ ଜଣେଇବି ଓ ନିର୍ବନ୍ଧ କରିବା । ଆଉ କୌଣସି ବିଷୟରେ କିଛି କହିବାକୁ ଥିଲେ ମୋତେ ଜଣେଇବେ । ନମସ୍କାର ।”

“ସମ୍ମତି ତ ଦେଲି, ଆଉ କଅଣ ଦେବି ? ଏଇଟା ମୋ ତରଫରୁ ଫାଇନାଲ । ଆପଣ ଯଦି ରାଜି ଓ ଯଦି ଆଉ କୌଣସି ପ୍ରସ୍ତାବ ଆପଣଙ୍କ ପାଖକୁ ନଆସିଥାଏ ତେବେ ମୋତେ କହିଲେ ଶୁଭ ଦିନ ଦେଖି ମୁଁ ଆସି ଝିଅକୁ ସମ୍ମତି ମୁଦି ପିନ୍ଧେଇବି”, କହି କାରରେ ବସି ଶଙ୍କର ବାବୁ ଚାଲିଗଲେ । 

     ଘଣ୍ଟାଏ ପରେ ବିନି ଓ ମାନି ଫେରିଲେ । ନଗେନ ବାବୁଙ୍କ ହସ ହସ ମୁହଁ ଦେଖି ବିନି ଅନେଇଲେ । ଟିକିଏ ତରାଟି କରି ଚାହିଁଲେ । ମନକୁ ମନ ନଗେନ ବାବୁ ହସୁଥାଆନ୍ତି, ମୁଖମଣ୍ଡଳ ପ୍ରସନ୍ନ ଦେଖାଯାଉଥାଏ । ବଡ଼ ସନ୍ଦେହ ହେଲା ବିନିଙ୍କର । ଘଟଣା କଅଣ, କିଛି ବୁଝିପାରିଲେନି । ସବୁବେଳେ ତ ଇଏ ଦୁଇ ହଜାର ଟଙ୍କିଆ ନୋଟ ଥାକ ହଜେଇଲା ଭଳି ମୁହଁ କରିଥାଆନ୍ତି, ଆଜି କଅଣ ହେଇଛି !

“କଅଣ ହେଇଛି ତୁମର ଆଜି ? ହସ ଲଡ଼ୁ ଖାଇଛ ନା କଅଣ ? ବିନିଙ୍କ ମୁହଁ ଚିନ୍ତାଗ୍ରସ୍ତ ଦେଖାଗଲା ।

“ହାଃ ହାଃ ହାଃ, ହୋ, ହୋ, ହଁ ମୁଁ ଆଜି ସତରେ ହସ ଲଡ଼ୁ ଖାଇଛି ।”

ଆରେ ତୁମେ ପାଗଳ ହୋଇଗଲଣି ନା କଅଣ ? କଅଣ ହେଇଛି କହିଲ ? ଡାକ୍ତର ଡାକିବି ?

ବହୁତ ବର୍ଷ ହେଲା ମୋର ଅବସାଦ ବା ଡିପ୍ରେସନ ରୋଗ ଥିଲା, ଆଉ ସେ ରୋଗ ଆଜି ପରବର୍ତ୍ତିତ ହୋଇ ଇଉଫୋରିଆରେ ପରିଣତ ହୋଇଛି । ଇଉଫୋରିଆ ମାନେ କଅଣ ଜାଣିଛ, ମାନେ ଅତି ପ୍ରସନ୍ନତା, ହା, ହା, ହା ।

“କଅଣ ହେଇଛି କୁହ ?” ଯୋର ଦେଇ ବିନି ପ୍ରଶ୍ନ କଲେ । 

     “ଆଜି ଦୁଇ ଦୁଇଟି ଭଲ ଖବର ମୋ ପାଇଁ ଆସିଛି । ପ୍ରଥମ, ରାଣୀର ବିବାହ ଶଙ୍କର ବାବୁଙ୍କ ପୁଅ ସହିତ ଠିକ

ହୋଇଗଲା । ତୁମେ ଯିବାପରେ ଅକସ୍ମାତ ଆସି ସେ ପହଞ୍ଚିଲେ । ଝିଅକୁ ଦେଖି ପସନ୍ଦ ଆସିଗଲା ଓ ବିବାହ ଫାଇନାଲ କରି ଚାଲିଗଲେ ।”

“କଅଣ ହେଲା, ବିବାହ ଫାଇନାଲ ହେଇଗଲା ମୋ ଅନୁପସ୍ଥିତିରେ ! ଦେଖିବା କେମିତି ବାହାଘର କରିବ । ମୋ ଝିଅକୁ ବାହାଦେବି ସେଠି ବୋଲି ସେଦିନୁ ଭାବିରଖିଛି । କଅଣ ନା ରାଣୀର ବାହାଘର ହେବ ! ଆରେ ! ଗୋଟେ ପାଲା ଲାଗିଛି ଏ ଘରେ ବାପ ଝିଅଙ୍କର । ତୁମେ ଏଡ଼େ ପେଞ୍ଚୁଆ ! ଆଉ ସେ ମଉନମୁହିଁ, ତାକୁ ଦେଖିନେବି । ବେଶି ଗୋଳମାଳ କଲେ, ସତରେ ମୁଁ ବାପଘରକୁ ସବୁଦିନ ପାଇଁ ପଳେଇବି । ମୋତେ ଚିହ୍ନିନ । ରାଗରେ ବିନିଙ୍କ ମୁହଁ ଲାଲ ଦିଶୁଥାଏ । ଗୋଟା ପଣେ ଥରୁଥାଆନ୍ତି ।”

     “ବିନି, ତୁମେ ସବୁଦିନ ପାଇଁ ବାପଘର ବା ତୁମ ଇଚ୍ଛା ଅନୁସାରେ ଯେ କୌଣସି ଘରକୁ ଯାଇପାର ।” ଅବାକ ହୋଇ ଆଁ କରି ଅନେଇଲେ, ବିନି । ଏମିତ ଉତ୍ତର ଶୁଣିବାରେ ସେ ଅଭ୍ୟସ୍ତ ନଥିଲେ ବା କେବେ ଶୁଣିନଥିଲେ ।

     “ଆଉ ଗୋଟେ କଥା, ଆଜି ମୋ ବାପାଙ୍କର ଓକିଲ ଆସିଥିଲେ ଓ ବାପାଙ୍କର ଉଇଲ କପି ଦେଇଗଲେ । ତାଙ୍କର ସମ୍ପତ୍ତି ମଧ୍ୟରେ ଗ୍ରାମର ଘର, ଅଧିକାଂଶ ଜାଗା, ସବୁ ଜମିବାଡ଼ି, ଆମେ ବାସକରୁଥିବା ଏ ଘର, ଜାଗା ଓ ବ୍ୟାଙ୍କ ବାଲାନ୍‌ସ ଆଦି ଯାହା କିଛି ଅଛି, ସେ ସମସ୍ତ ଧନ ସମ୍ପତ୍ତି ରାଣୀ ନାମରେ ଉଇଲ କରିଦେଇଯାଇଛନ୍ତି । ଏ ସମସ୍ତ ସମ୍ପତ୍ତି ତାଙ୍କର ସ୍ଵଅର୍ଜ୍ଜିତ ସମ୍ପତ୍ତି । ଅଳ୍ପ କିଛି ପୈତୃକ ଜାଗା ଓ ଘର ଡିହ କେବଳ ମୋ ନାମରେ ଅଛି । ସେ ବଞ୍ଚିଥିବା ଯାଏ ମୁଁ ମୋ ନାମରେ କୌଣସି ଅଲଗା ବ୍ୟାଙ୍କ ଏକାଉଣ୍ଟ ରଖି ନଥିଲି । ସେ ସବୁ ଚଳଉଥିଲେ । ରାଣୀ ପ୍ରତି ତୁମର ବ୍ୟବହାର ଦେଖି ଦେଖି ସେ ନିଜ ପ୍ରିୟ ନାତୁଣୀର ଭବିଷ୍ୟତ ବିଷୟରେ ସନ୍ଦିହାନ ହୋଇ ଏଇ ପଦକ୍ଷେପ ବୋଧହୁଏ ନେଇଥିଲେ । 

     ବାପାଙ୍କ ସ୍ଵର୍ଗାରୋହଣ ପରେ ତୁମେ ମୋ ଦରମାକୁ ଫୁର୍ତ୍ତି କରି ଉଡ଼େଇଦେଲ । ସାଙ୍ଗମାନଙ୍କ ସଙ୍ଗେ କିଟି ପାର୍ଟି, ସାଙ୍ଗମାନଙ୍କ ସାଥିରେ ଭାରତ ତଥା ବିଦେଶ ଭ୍ରମଣ ଓ ପିକନିକ ଆଦିରେ ବ୍ୟସ୍ତ ରହିଲ । ପ୍ରତି ମାସରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଶାଢୀ କିଣିଲ । ବର୍ତ୍ତମାନ କେବଳ ମୋ ନିଜ ପେନସନ ଛଡ଼ା ମୋ ପାଖରେ ନିଜର କିଛି ନାହିଁ । ମୋ ବ୍ୟାଙ୍କ ପାସ ବୁକରେ କେତେ ଟଙ୍କା ଅଛି, ତୁମେ ଜାଣିଥିବ । କାରଣ ତୁମେ ତାକୁ ବ୍ୟବହାର କରୁଛ । ତୁମେ ଯେଉଁ ଘରେ ଏବେ ଠିଆ ହୋଇଛ, ତାହା ସେଇ ରାଣୀର, ଯାହାକୁ ଆଜିଯାଏ ଧୁତ୍‌କାରୁଥିଲ । ହା ହା ହା, ସେ ଚାହିଁଲେ ଏଇ ମୁହୂର୍ତ୍ତରେ ତୁମକୁ ଗଳା ଧକ୍କା ଦେଇ ବାହାର କରିଦେବ, ନହେଲେ ପୋଲିସ ଡାକି ତୁମ ଅତ୍ୟାଚାର ନିମନ୍ତେ ଏଫଆଇଆର ଦେବ । କଅଣ ଚାହୁଁଛ କହ ? ସେଠି ବାହାଘର ହେବ ନା ତୁମେ ଏ ଘର ଛାଡ଼ି ଚାଲିଯିବ ?” ତୁମେ ତା ଉପରେ ଯେତିକି ଅତ୍ୟାଚାର କରିଛ, ସେହି ସବୁ ବିଚାରକୁ ନେଲେ ତୁମେ ଦଣ୍ଡ ପାଇବାକୁ ଯୋଗ୍ୟ । ମୋ ସାନ ଝିଅକୁ ମୁଁ ପାଖରେ ରଖିବି । ତୁମକୁ ମୁଁ ବଡ଼ଝିଅର ଲାଳନ ପାଳନ ନିମନ୍ତେ ଆଣିଥିଲି କିନ୍ତୁ ତୁମେ ସ୍ଵାର୍ଥପର ହେଲ ଓ ତାକୁ ଦି ଆଖିରେ ଦେଖିଲନି । 

     ବିନିଙ୍କର ମୁହଁ ଭୟାତୁର ଓ ଭାବନାଶୂନ୍ୟ ହୋଇ ଶେତା ପଡ଼ିଗଲା । ହଠାତ କେମିତି କେଜାଣି ତାଙ୍କର ଦୁଇ ଆଣ୍ଠୁ ଦେହର ଓଜନ ସମ୍ଭାଳିବାକୁ ଅକ୍ଷମ ହୋଇଗଲେ ଓ ସେ ଲଥ କରି ତଳେ ବସି ପଡ଼ିଲେ । ତାଙ୍କୁ ଲାଗିଲା, ଯେମିତି ଆକାଶରେ ସେ ଉଡ଼ୁଥିଲେ ଓ ହଠାତ କେହିଜଣେ ତାଙ୍କୁ ଚାବୁକ ମାରି ତଳକୁ ପେଲିଦେଲା ଓ ସେ ଧରିତ୍ରୀ ଉପରେ କଚିହୋଇ ପଡ଼ିଗଲେ । ତାଙ୍କ ଦେହ ଥରିବାକୁ ଲାଗିଲା, ଆଖି ଆଗରେ ଚାରି ଦିଗରୁ ଅନ୍ଧାର ମାଡ଼ିଆସିଲା । ସେ ଅନ୍ଧାର ମଧ୍ୟରେ ଏକ ଦିବ୍ୟ ଜ୍ୟୋତି ଦେଖାଗଲା ଓ ତା ମଧ୍ୟରେ ଏକ ଦଶଭୁଜା ଦୂର୍ଗା ମୂର୍ତ୍ତି ଅସ୍ତ୍ରଶସ୍ତ୍ର ସହିତ ତାଙ୍କ ଆଡ଼କୁ ମାଡ଼ିଆସିଲା ଭଳି ଦେଖାଗଲା ଯାହାଙ୍କର ମୁହଁ ଠିକ ରାଣୀ ଭଳି ଦେଖାଯାଉଥିଲା ।” 

           ବିନିଙ୍କୁ ଲାଗିଲା ଯେମିତି ନିଜର ଚେତା ହଜିଯାଉଛି । ସେଇ ଅବସ୍ଥାରେ ସେ ଶୁଣିପାରିଲେ ରାଣୀର କୋମଳ ମିଠା କଣ୍ଠ ସ୍ଵର । ରାଣୀ ପାଟିକରି କହୁଥିଲା, “ଇଏ କଅଣ ହୋଇଗଲା ମୋ ମାଆର ! ବାପା, ଧର ମାଆଙ୍କୁ ଡାକ୍ତରଖାନା ନେଇଯିବା । ମା, ତୁମେ ଉଠ । ଏ ଘରଦ୍ଵାର ସବୁ ତୁମର । ମୋର କୌଣସି ଆସକ୍ତି ନାହିଁ ମାଆ । ମୁଁ କିଛି ନେବିନି ମାଆ । ତୁମେ ଯେମିତି ମାଲିକାଣୀ ହୋଇ ଥିଲ, ସେମିତି ରହିବ । ଉଠ ମାଆ, ଜମି ବାଡ଼ି, ଘର ଦ୍ଵାର, ଗହଣା ଗାଣ୍ଠି ଆଦି ସବୁ ତୁମର । ଏ ସବୁ ତୁମର । ମୁଁ କିଛି ନେବିନି । ତୁମେ ଖାଲି ମୋ ବାପାଙ୍କର ହେପାଜତ କରିବ । ତାଙ୍କ ମନରେ କିଛି କଷ୍ଟ ଦେବନି । ତାଙ୍କର କିଛି କଷ୍ଟ ହେଲେ ମୁଁ ମରିଯିବି ।”

           ବିନି ସେଇ ଅର୍ଦ୍ଧ ଚେତନ ଅବସ୍ଥାରେ ଭାବୁଥିଲେ, ଇଏ କଅଣ ସେଇ ରାଣୀ, ଯାହାକୁ ଆଜୀବନ ଦୁଃଖ ଓ ଯନ୍ତ୍ରଣା ବ୍ୟତୀତ ମୁଁ କିଛି ଦେଇନି । ଏତେ ଭଲ ଝିଅ ପ୍ରତି ମୁଁ କି ଖରାପ ବ୍ୟବହାର କରିଥିଲି ! କେବେବି ନିଜର ଝିଅ ଭଳି ସ୍ନେହ ଓ ସମ୍ମାନ ଦେଇନି । ପଶ୍ଚାତ୍ତାପର ଅଗ୍ନିରେ ସାରା ଦେହ ଜଳିବାକୁ ଲାଗିଲା । ଇଚ୍ଛା ହେଲା ମୁଣ୍ଡ ପିଟି କାନ୍ଦିବାକୁ । ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥିଲା । ଦୁଇ ହାତ ଯୋଡ଼ିହୋଇଗଲା । ସ୍ଵାମୀ ଓ ରାଣୀଙ୍କୁ ଅନେଇ ବହୁତ କଷ୍ଟରେ ଧିମା ସ୍ଵରରେ କହିଲେ, “ତୁମେ ଦୁହେଁ ମୋତେ କ୍ଷମା କରିଦିଅ, ଯଦିଓ ମୁଁ ଏହାର ଯୋଗ୍ୟ ନୁହେଁ ।” 

ବାପ ଘର ଝିଅ ଝଗଡ଼ା ମାଆ ରାଣୀ ଚାକରାଣୀ

Rate the content


Originality
Flow
Language
Cover design

Comments

Post

Some text some message..