Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଶ୍ୱାସ
ବିଶ୍ୱାସ
★★★★★

© Prasanta kumar Hota

Others Romance

6 Minutes   558    25


Content Ranking

ବ ଇଣ୍ଡା ଷ୍ଟେସନ ପାଖରେ ସୀମା ଠିଆ ହୋଇଥାଏ। ଆଠମଲ୍ଲିକ ଯିବା ପାଇଁ ଅପେକ୍ଷା କରିଥାଏ। କୌଣସି ବସରେ ଯାଗା ଟିକେ ନାହିଁ ବସିବା ପାଇଁ। ଅଟୋ ଗୁଡାକ ସାଢେ ତିନି ଶହରୁ କମ୍ କରୁ ନଥାନ୍ତି। ଏଭଳି ପରିସ୍ଥିତିରେ କଣ କରିବ ବୋଲି ଭାବୁଥାଏ। ମନେ ମନେ ଭାବୁଥାଏ କେହି ପରିଚିତ ଲୋକ ମିଳି ଯାଆନ୍ତେ କି! ଆଠମଲ୍ଲିକ ପର୍ଯ୍ୟନ୍ତ ଲିଫ୍ଟ ମିଳି ଯାଆନ୍ତା। ପୁଣି ଭାବେ ସେ ନିଜ ଆଡୁ କହିବ କେମିତି।

ସୀମା ଚାଲି ଚାଲି କେତେବେଳୁ ବସଷ୍ଟାଣ୍ଡ ପାଖରେ ପହଞ୍ଚି ସାରିଲାଣି। ସେଠି ବି ବସ ଭିତରେ ପଶିବା ପାଇଁ ଅସମ୍ଭବ ଠେଲାପେଲା। ମହିଳା ପୁରୁଷ ସମସ୍ତେ ଏକା ସାଙ୍ଗରେ ପଶୁଛନ୍ତି। ଶୃଙ୍ଖଳା ଜ୍ଞାନ କାହାର ବି ନାହିଁ। ମହିଳା ପ୍ରତି କାହାର ଅନୁକମ୍ପା ବି ନାହିଁ। ସୀମା ଚେଷ୍ଟା କରି କଣ୍ଡକ୍ଟରଙ୍କୁ ସିଟ୍ ଗୋଟିଏ ପାଇଁ ଅନୁନୟ କଲା। କଣ୍ଡକ୍ଟର କହିଲା -ମାଡାମ୍ ଅଟୋରେ ପଳେଇ ଆସନ୍ତୁ। ଏ ଭିଡରେ ଆପଣ ପଶି ପାରିବେନି।

ସୀମା କିଛି ନକହି ଚୁପ୍ ରହିଲା। ନିଜର ସାମର୍ଥ୍ୟ ପାଇଁ କହି ପାରୁ ନଥାଏ ଓ ଅସାମର୍ଥ୍ୟ ପାଇଁ ନିଜକୁ ନିନ୍ଦା କରୁଥାଏ। ଟଙ୍କା ପାଖରେ ଥିଲେ ତାର କଣ କାହାକୁ ଅପେକ୍ଷା କରିବାକୁ ପଡିଥାନ୍ତା। ବାପାଙ୍କର ରୋଜଗାର ନାହିଁ। ସାହାଯ୍ୟ କରିବାକୁ ଭାଇ ନାହିଁ। ସେ କେମିତି କାହାଠାରୁ କଣ ଆଶା କରିବ। ଏଥରକ ଠେଲାପେଲା ହେଇ ବସରେ ପଶିବ ବୋଲି ସ୍ଥିର କଲା। ଲୋକ ଟିକିଏ ଦେହରେ ଘସି ହେବେ ସମ୍ଭାଳି ନେବ। ସେଥିପାଇଁ ନିଜ ଶରୀରକୁ ବି ପ୍ରସ୍ତୁତ କରିନେଲା। ପରବର୍ତ୍ତୀ ବସ୍ ଆସିବାକୁ ଆହୁରି ଅଧଘଣ୍ଟା ସମୟ ବାକି ଥାଏ। ପାଖ ଦୋକାନ ବେଞ୍ଚ ଉପରେ ବସିପଡିଲା। ପାଖରେ ବସିଥିବା ସୌମ୍ୟ ଯୁବକ ଜଣକ ଟିକିଏ ଘୁଞ୍ଚି ଆସିଲେ। ସୀମା ଯୁବକ ପାଖରେ ଏତେ ଲଜ୍ଜା ସଙ୍କୋଚ ଦେଖି ଆଶ୍ଚର୍ଯ୍ୟ ହେଲା। ମନରେ ସାମାନ୍ୟ ବିଶ୍ୱାସ ଆସିଯାଆନ୍ତେ ପଚାରିଲା - ଆପଣ ମୋତେ ଟିକେ ସାହାଯ୍ୟ କରି ପାରିବେ?

ଯୁବକ ଆଗ୍ରହରେ ପଚାରିଲେ -କଣ କହୁ ନାହାନ୍ତି?

ସୀମା କହିଲା - ବସରେ ଏତେ ଭିଡ ଯେ ମୁଁ ଉଠି ପାରୁନି। ଆଠମଲ୍ଲିକ ଯିବି ବୋଲି ଦେଢ ଘଣ୍ଟା ଧରି ଅପେକ୍ଷା କଲିଣି। ଆପଣ ଟିକିଏ ସାହାଯ୍ୟ କଲେ ସିଟ ଗୋଟିଏ ପାଇ ଯାଆନ୍ତି।

ଯୁବକ ପଚାରିଲେ -ଆପଣଙ୍କ ଘର କଣ ଆଠମଲ୍ଲିକ!

ହଁ, ଆପଣ ବି କଣ ଆଠମଲ୍ଲିକ ଯିବେ ?

ଯୁବକ କିଛି କହିଲେ ନାହିଁ। ତାପରେ କହିଲେ ହଁ ମୁଁ ଆଠମଲ୍ଲିକ ଯାଉଛି।

ଆପଣ ଯଦି ମୋ ସହିତ ଯିବେ ଆସନ୍ତୁ। ମୁଁ ଅଟୋ ରିଜର୍ଭ କରି ଯାଉଛି।

ସୀମା ଯିବାକୁ ଚାହୁଁ ଥିଲେ ବି ସଙ୍କୋଚ କରି ପଚାରିଲା - ଆପଣଙ୍କ ଘର କଣ ଆଠମଲ୍ଲିକ।

ଯୁବକ କହିଲେ -ନା ନୁହେଁ। ଆପଣ ଯଦି ସଙ୍କୋଚ କରୁଛନ୍ତି କିଛି ନାହିଁ ଆପଣ ବସରେ ଆସନ୍ତୁ। ମୁଁ ଏକୁଟିଆ ଚାଲି ଯାଉଛି।

ସୀମା କହିଲା - ନା ନା ସେମିତି କିଛି ନୁହେଁ। ଆପଣଙ୍କ ପରିଚୟ ଜାଣିବାକୁ ଚାହୁଁଥିଲି। ସେଥିପାଇଁ ଏମିତି କହିଦେଲି।

ଯୁବକ ହସି ପକେଇ କହିଲେ -ଓଃ ଏଇ କଥା। ମୋ ନାଁ ବିଜୟ। ମୁଁ ଏଠି ଆସିଷ୍ଟାଣ୍ଟ ଇଂଜିନିୟର ହିସାବରେ ଜଏନ୍ କରିବାକୁ ଆସିଛି।

ସରି ସାର୍ -ମୁଁ ଜାଣି ପାରିଲିନି। ସୀମା କହିଲା।

ଅଟୋ ଆସି ଯାଇଥିଲା। ବିଜୟ ବସିବାକୁ କହି ଆରମ୍ଭ କଲେ -ତମର ସରି କହିବା କଣ ଦରକାର। ତମେ ତ ମୋତେ ଚିହ୍ନିନ। ତମେ ଜାଣିବ କେମିତି।

ଅଟୋ ଚାଲିଥାଏ। ବାଟରେ ଠାକୁରଗଡ଼ ଆସିବାରୁ ବିଜୟ କହିଲେ ଆଗରୁ କଲେଜ ସମୟରେ ମୁଁ ଏଠିକି ଅନେକ ଥର ଆସିଛି। ମୋତେ ଏ ଘାଟି ଯାଗାଟା ଖୁବ୍ ଭଲ ଲାଗେ। ତମର ତ ଏଇଟା ନିଜ ଯାଗା। ତମେ ତ ସବୁ ଜାଣିଥିବ।

ସୀମା ଅଳ୍ପ ଲାଜରେ କହିଲା ନା ମୁଁ କିଛି ଜାଣିନି। ମୁଁ ଏସବୁ ଯାଗା ଏତେ ବୁଲାବୁଲି କରିନି। ଆମ ଘରେ ବି କେହି ନାହାନ୍ତି ଯିଏ ଆମକୁ ଏ ଜଙ୍ଗଲ ଯାଗା ବୁଲାଇ ଆଣିବ।

ବିଜୟ ସୀମା ଆଡେ ଦେଖି କହିଲା ମୋତେ ଆଉ ଭଗବାନ ସେଥିପାଇଁ ପଠେଇ ଦେଲେ କି! ଚାଲ ତମକୁ ଆଜି ମୁଁ ବୁଲେଇ ଆଣିବି।

ସୀମା ମନାକଲା -କହିଲା ନାଇ ଥାଉ ମୋର ଡେରି ହେଇଯିବ।

ବିଜୟ କହିଲେ ମୋତେ କଣ ଡରୁଛ କି।

ସୀମା ଲାଜେଇ ଯାଇ ତୁରନ୍ତ ନାହିଁ କଲା।

ସୁଯୋଗ ପାଇ ବିଜୟ ବାଧ୍ୟ କଲେ-କହିଲେ ହୋଉ ଠିକ୍ ଅଛି। ପାଖରେ ଗୋଟିଏ ଭଲ ଯାଗା ଅଛି। ସେଇଟା ଆସ ବୁଲି ଦେଇ ଆସିବା ମନା କରିବାର ଇଛା ଥିଲେ ବି ଅବଦମିତ ଆଗ୍ରହ ଯେମିତି ହଁ କରିବାକୁ ବାଧ୍ୟ କଲା।

ସୀମାର ହଁ ଶୁଣି ବିଜୟ ଅଟୋକୁ ସେଠାରେ ସେମାନେ ଆସିବା ପର୍ଯ୍ୟନ୍ତ ଟିକେ ରହିବା ପାଇଁ କହିଲା। ଉଭୟ ଓହ୍ଲାଇ ଭିତରକୁ ଚାଲିବାକୁ ଲାଗିଲେ। ଚାଲିଲା ବେଳେ ବିଜୟ ସୀମାର ହାତକୁ ନିଜ ହାତ ମୁଠା ଭିତରକୁ ନେଇ ଆସୁଥାଏ। ସୀମା ମନା କରି ପାରୁନଥିଲା। ସ୍ପର୍ଶ ସୁଖ ଓ ସୁନେଲି ସ୍ଵପ୍ନ ତାକୁ ଚୁପ୍ ରହିବା ପାଇଁ ବାଧ୍ୟ କରୁଥିଲା।

ସେମାନେ ଜଙ୍ଗଲ ଭିତରେ ଗୋଟିଏ ଟୁଙ୍ଗି ଘର ଭିତରେ ପହଞ୍ଚି ଗଲେ। ବିଜୟ କହିଲେ ଗଲା ବର୍ଷ ମୁଁ ଏଠି କଣ୍ଟ୍ରାକ୍ଟର କାମ କଲାବେଳେ ତିଆରି କରି ଦେଇଥିଲି। ଉଭୟ ପିଣ୍ଡା ଉପରେ ବସି ପଡି ଚାରି ପଟର ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ।

ବିଜୟ ସୀମାର ସୌନ୍ଦର୍ଯ୍ୟକୁ ପାଖରୁ ଲୋଭାତୁର ଦୃଷ୍ଟିରେ ଦେଖୁଥାଏ। ପାଖକୁ ଆସିବା ଓ ଅତି ନିକଟତର ହୋଇ ବସିବାର ସୁଖକୁ ସେ ଉପଭୋଗ କରୁଥାଏ। ଉତ୍ସୃଙ୍ଖଳ ଯୌବନ ଯେତେବେଳେ ବନ୍ୟାର ରୂପ ଧାରଣ କରେ ତାର ଆଉ କୌଣସି ନିର୍ଦ୍ଦିଷ୍ଟ ପରିସୀମା ନଥାଏ। ଯେ କୌଣସି ଦିଗକୁ ଯେଉଁ ମୂହୁର୍ତ୍ତରେ ବି ସେ ଯାଇପାରେ। ବିଜୟ ମନେ ମନେ ଭାବିଲା ଯେଉଁ ଝିଅ ଏକାନ୍ତରେ ତା ସହିତ ଏତେ ବାଟ ଆସି ପାରୁଛି ତାର ଶରୀର ସ୍ପର୍ଶରେ କଣ ଲଜ୍ଜା ଆସିବ। ଭାବିଲା କ୍ଷଣି ସୀମାକୁ ପଛରୁ ନିଜ ବାହୁରେ ଆବଦ୍ଧ କରି ସେଲଫି ଉଠାଇବା ପାଇଁ କହିଲା। ଏପରି ଏକ ପରିସ୍ଥିତି ସୀମା ଆଦୌ କଳ୍ପନା କରି ନଥିଲା। ଆତଙ୍କିତ ହୋଇ କହିଲା ଆମେ ଘରକୁ ଯିବା। ବିଜୟ କିନ୍ତୁ ବାହୁର ବନ୍ଧନକୁ ଫିଟାଉ ନଥାଏ। ବିଜୟ କହିଲା ସେଲଫି ନେବାରେ ଯଦି ଆପତ୍ତି ଅଛି ଆମେ ଉଠାଇବା ନାହିଁ। କିନ୍ତୁ ଚୁମ୍ବନ ତ ଦେଇ ହେବ କହି ବିଜୟ ସୀମାର ଗାଲରେ ଗଭୀର ଚୁମ୍ବନ ଆଙ୍କି ଦେଲା। ସୀମା ନିଜକୁ ଛଡାଇବା ପାଇଁ ବ୍ୟସ୍ତ ହେଲେ ବି ଛଡାଇ ପାରୁ ନଥାଏ। କାକୁସ୍ଥ ହୋଇ କହିଲା ମୋତେ ଛାଡି ଦିଅ। ବିଜୟ କିନ୍ତୁ ପୂର୍ବ ପରି ପଛରୁ ବାହୁବଦ୍ଧ କରି ଧରିଥାଏ। ଆଲିଙ୍ଗନର ସୁଖ ଏତେ ନିକଟରୁ ପାଇ ଛାଡିବାର ଇଛା ଆସୁନଥାଏ। ବିଜୟ ସୀମାକୁ କାନ୍ଦିବାର ଦେଖି ଲୁହ ପୋଛି ଦେଲା ଓ ପୁଣି ଚୁମ୍ବନ ଦେଇ କହିଲା-ତମେ ମୋତେ ବହୁତ ଭଲ ଲାଗୁଛ। ମୁଁ ତୁମକୁ ବିବାହ କରିବି। କାନ୍ଦୁଛ କଣ ପାଇଁ। ସୀମାର ସାଂସାରିକ ମୋହ ଓ ଧିରେ ଧିରେ ବଢୁଥିବା ଦୈହିକ ଶିହରଣ ତାକୁ ଅବଶ କରି ପକାଉଥାଏ। ପ୍ରତିରୋଧ କରିବାର ଶକ୍ତି ଆସି ମଧ୍ୟ ଅଟକି ଯାଉଥାଏ। ଅବସ୍ଥାକୁ ବୁଝିପାରି ବିଜୟ କହିଲେ ମୁଁ ଏଠୁ ସିଧା ତୁମ ଘରକୁ ଯିବି ଓ ବିବାହ ପ୍ରସ୍ତାବ ଦେବି।

ବିଜୟଙ୍କ କଥାରେ ସୀମାର ବିଶ୍ୱାସ ବଢିବାକୁ ଲାଗିଲା। ବିଶ୍ଵାସ ଯେତିକି ବଢୁଥାଏ ଶରୀରର ପ୍ରତିରୋଧ କରିବା ଶକ୍ତି ମଧ୍ୟ ସେତିକି କମି କମି ଆସୁଥାଏ। ପରିସ୍ଥିତିର ସମ୍ପୂର୍ଣ୍ଣ ସୁଯୋଗ ନେଉଥାଏ ବିଜୟ। ଯେତେବେଳେ ନାରୀର ନିଜସ୍ଵ ଇଛା ବିଶ୍ଵାସରେ ବାନ୍ଧି ହୋଇଯାଏ ସେତେବେଳେ ତାର ଦେହ ମନ ସବୁ ସମର୍ପିତ ହୋଇଯାଏ। ସେଥିପାଇଁ ତ ନାରୀ ଏତେ ଲଜ୍ଜାଶୀଳା ହୋଇ ମଧ୍ୟ ପରଘରେ ପରପୁରୁଷ ପାଖରେ ସାରା ଜୀବନ ନିଃସଙ୍କୋଚରେ କାଟି ଦିଏ। ଶୃଙ୍ଗାର ରସର ପାନରେ ଯଦି କଳଙ୍କ ଲାଗି ହୁଏ ତାକୁ ବିବାହର ନାମ ଦେଇ ସମାଜରେ ସମ୍ମାନିତ କରା ହୋଇଯାଏ । ସେଇ କଳଙ୍କକୁ ବି ସମାଜ ଜୟଧ୍ଵନି କରିବାରେ ହେଳା କରେ ନାହିଁ। ଆଗରୁ ରାଜା ରାଜୁଡା ମାନେ କରୁଥିଲେ ଏବେ ଶକ୍ତିଶାଳୀ ଲୋକ କରୁଛନ୍ତି। ବିଶ୍ଵାସ ଯିଏ ଜିତି ପାରେ ସିଏ ଦୋଷମୁକ୍ତ ହେଇଯାଏ ଅନ୍ୟଥା କୋର୍ଟ କଚେରୀର ଆଶ୍ରୟ ନେଇ କଳଙ୍କ ଧୋଇବାର ଚେଷ୍ଟା କରାଯାଏ। ପଇସା ଓ ପ୍ରାଚୁର୍ଯ୍ୟ ପାଖରେ ଯେତେବେଳେ ବିଶ୍ଵାସ ବୋହିବା ଆରମ୍ଭ କରେ ସେତେବେଳେ ନାରୀ ତାର ଦେହ କଣ ଆହୁରି ଅନେକ କିଛି ବି ଦେଇପାରେ।

ବିଜୟ ନାରୀ ଚରିତ୍ରର ମାନସିକତାକୁ ବୁଝିଲା ପରି ସମ୍ପୂର୍ଣ୍ଣ ବିଶ୍ୱାସ ଆଣିବାକୁ ଲାଗିଲା ଓ ସୀମାର ସର୍ବାଙ୍ଗରେ ଖେଳିବାକୁ ଲାଗିଲା। ଲଜ୍ଜା ତାର ଆବରଣ ପୁରାପୁରି ଖୋଲିବା ପୂର୍ବରୁ ସୀମା ହାତ ଛଡାଇ କହିଲା -ଆମେ ଆଉଥରେ ଆସିବା। ବିଜୟ ଆଗତର ଅନିଶ୍ଚିତତାରେ ନିଶ୍ଚିତ ହୋଇ ନପାରି ଶେଷଥର ପାଇଁ ଆଲିଙ୍ଗନାବଦ୍ଧ କଲା ଓ ଶେଷ ଚୁମ୍ବନ ଆଙ୍କି ଦେଲା। ସୀମା ଆସନ୍ତା ସୌଭାଗ୍ୟକୁ ଆଶା କରି ଗ୍ରହଣ କରି ନେଲା।

ଉଭୟ ଅଟୋରେ ଆଠମଲ୍ଲିକ ପହଞ୍ଚିଲେ। ଉଭୟଙ୍କ ଆଖି ଓ ମୁହଁ ଅନେକ କଥା କହୁଥିଲା। ଅଟୋରୁ ଯେତେବେଳେ ବିଜୟ ଓହ୍ଲାଇଲେ ସୀମା ଘର ପର୍ଯ୍ୟନ୍ତ ଯିବା ପାଇଁ କହିଲା। ବିଜୟ କହିଲେ ମୁଁ ଏଠି ଓହ୍ଲାଇ ଯାଉଛି। ତମେ ଅଟୋରେ ଘରକୁ ପଳାଅ। ଅଟୋବାଲାକୁ ଭଡା ମୁଁ ଦେଇ ଦେଇଛି।

ସୀମା ଅଭିମାନରେ କହିଲା -ନା ମୁଁ ଅଟୋରେ ଏକୁଟିଆ ଯିବିନି। ତମେ ମୋ ସାଙ୍ଗରେ ଘରକୁ ଆସ। ସବୁ କଥା ଘରେ କହି ସାରିଲା ପରେ ଯିବ। ଯଦି ବିବାହ କରିବ ଏତିକି ସାମାନ୍ୟ କଷ୍ଟ କଣ ନେଇ ପାରିବ ନାହିଁ?

ବିଜୟ କୃତ୍ରିମ ହସ ହସି କହିଲା-ନା ନେଇ ପାରିବି ନାହିଁ। ଯୋଉ ବିଶ୍ଵାସରେ ତମେ ତମର ଏକାନ୍ତକୁ ମୋ ସହିତ ମିଶିବାକୁ ଦେଲ ସେହି ବିଶ୍ଵାସ ରଖିବାକୁ ପଡିବ।

ସୀମାର ମୁହଁ ମଳିନ ପଡି ଆସିଲା। ଆଶା ଚୁରମାର୍ ହେଲା ପରି ଲାଗିଲା। ନିଜକୁ ମନେକଲା ସେ କେଡ଼େ ମୂର୍ଖ। ଭଙ୍ଗା ମନକୁ ନେଇ ଅଟୋରୁ ଓହ୍ଲାଇ ପଡିଲା। ଟିକିଏ ସାହାସ ସଞ୍ଚୟ କରି କହିଲା - ତମେ ଏମିତି ଫାଲତୁ ହେଇଯିବ ବୋଲି ମୁଁ କେବେ ଆଶା କରି ନଥିଲି।

ବିଜୟ କହିଲେ -ଆଶା କରିବା ବି ଉଚିତ ନୁହେଁ। ତମେ ଯାହା ବି କଲ ତମର ବିଶ୍ଵାସ ପାଇଁ କଲ। ମୁଁ ଯାହା ବି କଲି ବିଶ୍ଵାସ ଦେଇ ପାରିବାରୁ କଲି। ନଚେତ ତମେ ତ ଏମିତି ସମସ୍ତଙ୍କ ସାଙ୍ଗରେ ବି ହେଇ ପାରନ୍ତ।

ସୀମା ପାଖରେ କହିବା ପାଇଁ କିଛି ଭାଷା ନଥିଲା। ସେ କେତେବଡ ଭୁଲ୍ କି ଠିକ୍ କଲା ମନେ ମନେ ଭାବୁଥିଲା। ବିଶ୍ଵାସର ବଳ କେତେ ହେଇପାରେ କଳନା କରୁଥିଲା। ବିଶ୍ଵାସ ପାଇଁ ମଣିଷ କଣ ବି କରିପାରେ ଭାବୁଥିଲା। ନିଜ ଭୁଲ୍ କୁ ନିଜେ ବୁଝିବାକୁ ଚେଷ୍ଟା କରୁଥିଲା। କେତେ ବଡ ମୂର୍ଖ ସେ ନିଜକୁ କହି ହେଲା। ବ୍ୟଙ୍ଗ ଓ ପରିତାପରେ କ୍ଷୀଣ ହସର ଧାରାଟିଏ ଓଠ ଫାଙ୍କରେ ବହିଗଲା। ସେ ହସ ଲିଭିବା ପୂର୍ବରୁ ବିଜୟଙ୍କୁ କଡାକଡି ଦୁଇ ପଦ ଶୁଣାଇ ଯିବ ବୋଲି ତାଙ୍କ ଆଡକୁ ମୁଖୋଦ୍ୟତ କଲା। ବିଜୟ କିନ୍ତୁ ପରିସ୍ଥିତିର ଗମ୍ଭୀରତାକୁ ଦେଖି ସେଠି ଆଉ ନଥିଲେ।

ପ୍ରଶାନ୍ତ କୁମାର ହୋତା

ସୀମା ସାମର୍ଥ୍ୟ ବିଜୟ

Rate the content


Originality
Flow
Language
Cover design

Comments

Post

Some text some message..