Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sulagna Mohanty

Inspirational

2.1  

Sulagna Mohanty

Inspirational

ଉର୍ମିଳା

ଉର୍ମିଳା

3 mins
7.3K


ବଡବଜାର ଉପରେ ଥିବା ବଡଘରଟି ଆଜି ଖାଲି ଉଠୁଥିଲା ପଡୁଥିଲା। ଲାଗୁଥିଲା ଯେମିତି ଆଜି ଘରେ ବଡ କିଛି ଉତ୍ସବ ଗୋଟିଏ। ହଁ, ଉତ୍ସବ ନୁହେଁ ଆଉ କଣ ଯେ?? ଆମେରିକାରୁ ଆଜି ଘରର ବଡ଼ପୁଅବୋହୂ ଆସି ପହଞ୍ଚିଥିଲେ। ସାତ ସମୁଦ୍ର ତେର ନଈ ପାର ହେଇ ଆସିବା କଣ ପିଲାଖେଳ ହେଇଛି?? ତେଣୁ ଦୁଇ ବର୍ଷରେ ଥରେ ବଡ କଷ୍ଟରେ ପୁଅ ଲିପୁ ଆଉ ବୋହୁ ଭୂମିଜା ନିଜ ପୁଅକୁ ଧରି ଓଡିଶା ଆସନ୍ତି। ଦୁଇବର୍ଷରେ ଥରେ ପଛେ ଆସନ୍ତୁ ହେଲେ ଆସିଲା ବେଳକୁ ସମସ୍ତଙ୍କ ପାଇଁ ବ୍ୟାଗ ଆଉ ସୁଟକେଶ ଭର୍ତ୍ତି ଉପହାର ଆଣିବା ପାଇଁ ଭୁଲନ୍ତିନାହିଁ। ନୂଆଲୁଗା,ଜୋତା,ପର୍ସ,ମୋବାଇଲ, ଟାବଲେଟ, ଏମିତି ବହୁତ କିଛି।

ଲିପୁ ଆଉ ଭୂମିଜା ଘରକୁ ଆସିଲେ ସେଇ ପନ୍ଦରଦିନ ପନ୍ଦରଘଣ୍ଟା ଭଳି ପାର୍ ହେଇଯାଏ। ଦିନଗୁଡା ପୁରା ରଜ ଆଉ ରାତିଗୁଡା ଯେମିତି ଦୀପାବଳି ହେଇଯାଏ। ବାପା ମା' ଲିପୁ ଲିପୁ ଆଉ ଭୂମି ଭୂମି କହି ପାଣି ପିଅନ୍ତିନି। କେହି ଭୂମିକୁ ଖଟରୁ ତଳକୁ ଓହ୍ଲାଇବାକୁ ବି ଦିଅନ୍ତି ନାହିଁ। ସାଇପଡିଶା ଆଉ ଦୁରଦୁରାନ୍ତରୁ ବନ୍ଧୁବାନ୍ଧବ ସବୁ ଦେଖା କରିବାକୁ ଆସନ୍ତି ତାଙ୍କୁ। ଗପସପ, ଖୁସିମଜା, ତାସଖେଳ, ଚା' ଖଟି ସବୁ ଚାଲେ। ଆଉ ସମସ୍ତଙ୍କୁ ମନପ୍ରାଣ ଦେଇ ଚର୍ଚ୍ଚା କରିବାରେ ଜମା ବି ଉଣା କରେନାହିଁ ସାନବୋହୁ ଉର୍ମିଳା।

ସେଦିନ ସନ୍ଧ୍ୟାରେ କୁଣିଆ ମାନଙ୍କୁ ଆଉ ବଡଯା' ଭୂମିଅପାଙ୍କୁ ଚା' ଦେଲାବେଳକୁ ସେ କହିଲେ, "ଆଲୋ ଉର୍ମି, ସବୁବେଳେ କଣ ସେଇ ରୋଷେଇଘରେ ପଶିଛୁ?? ଆସୁନୁ ଟିକେ ଗପିବା"। ହେଲେ ରୋଷେଇଘରେ ଗୋଟିଏ କାମ ନସରୁଣୁ ନୂଆ କାମଟିଏ ଜଗିଥାଏ ଉର୍ମିକୁ। କେତେବେଳେ ବା' ସେ ଗପିବ?? ହସି ଦେଇ କହିଲା, ଏଇନେ ଆସୁଛି ଅପା।" ହସିଦେଇ ରୋଷେଇଘରେ ପଶିଗଲା। ତା' ପଛେ ପଛେ ପଶି ଆସିଲେ ଶାଶୂ। କହିଲେ,"ଆଲୋ ପରଟାଗୁଡା କରିପକା ଜଲଦି। ସେମାନେ ଆମେରିକାରେ ରାତିରେ ଶୀଘ୍ର ଖାଇଦିଅନ୍ତି। ଜଲଦି ଜଲଦି ତୁ କାମ ସାରେ। ମୁଁ ଆଉ ବାପା ବି ଆଜି ଖାଇଦବୁ ତାଙ୍କ ସାଥିରେ। ଭୂମିଜା ଖରାପ ଭାବିବ ନହେଲେ।"

ଧୀରେ ଧୀରେ ଘରୁ କୁଣିଆ ସବୁ ଚାଲିଗଲେ ଶୀଘ୍ର ଶୀଘ୍ର ପରଟା ବନେଇ ତାକୁ ଚିଲି ପନୀର, କୋବି ଭଜା ଆଉ ସୁଜିଖିରି ସାଙ୍ଗରେ ସମସ୍ତଙ୍କ ପାଇଁ ବାଢ଼ିଲା ଉର୍ମି। ସବୁ ଖାଇବସିଲା ବେଳକୁ ଭୂମିଅପା ଡାକିଲେ, "ଆଲୋ ଉର୍ମି, ତୁ ବି ଆସୁନୁ। ମିଶିକି ଖାଇବା।" ଉର୍ମି କିଛି କହିବା ପୂର୍ବରୁ ଶାଶୂ କହିଲେ, "ଆରେ ସିଏ ବସିଲେ ପୁଣି କାହାକୁ କଣ ଦରକାର ହେଲେ କିଏ ଦେବ?? ତୁମେ ସବୁ ଖାଇବା ଆରମ୍ଭ କର। ସମସ୍ତଙ୍କୁ ଦେଇ ସାରିଲା ପରେ ସେ ବସିପଡିବ।"

ସମସ୍ତେ ବସି ଖାଇବା ଆରମ୍ଭ କଲେ। ଉର୍ମି ସେଇଠି ପାଖରେ ଠିଆ ହେଇରହିଲା। ଡାଇନିଂ ହଲର ବଡ ଟିଭିରେ ଷ୍ଟାରପ୍ଲସରେ ରାମାୟଣ ଚାଲିଥାଏ। ଲିପୁଭାଇ କହିଲେ, "ଆରେ ଏଇଟା କଣ ଫେର୍ ନୂଆ ରାମାୟଣଟିଏ?? କାହିଁକି ଏମାନେ ଏତେଥର ରାମାୟଣର ରିମେକ୍ କରୁଛନ୍ତି??" ଶଶୁର କହିଲେ,"ଆରେ ଲିପୁ, ରାମାୟଣ ପୁରୁଣା ହେଇପାରେ। ହେଲେ ରାମାୟଣର ଚରିତ୍ରସବୁ ଆମ ଭିତରେ ସବୁଦିନ ପାଇଁ ବଞ୍ଚି ରହିଛନ୍ତି।"

 ଶାଶୁ ସେତେବେଳେ କହିଉଠିଲେ, "ଆଲୋ ଉର୍ମି, ସେଠି ଠିଆହେଇ ଟିଭିଟାକୁ ଅନେଇଛୁ କଣ ବା'?? ଭୂମିର ପନୀର ସରିଲାଣି, ତାକୁ ଟିକେ ପନୀର ଦେଉନୁ??" ଉର୍ମି ଦଉଡିକି ରୋଷେଇଘରକୁ ପଶିଗଲା ପନୀର ଆଣିବା ପାଇଁ। ପନୀର ଆଣି ଯା'ଙ୍କୁ ଦଉଛି ଦେଢଶୁର ଖାଇସାରି ନିଜ ଥାଳି ଧରି ଉଠିଗଲେ। ଆମେରିକାରେ ନିଜ ଥାଳି ସବୁ ନିଜେ ଉଠାନ୍ତି। ଶାଶୂ ଚିହିଁକି ଉଠିଲେ ସେ କଥା ଦେଖି, "ଆରେ ତୁ କଣ ଅଇଁଠା ଥାଳି ଉଠଉଛୁ ମ?? ଉଠି ଯା। ଉର୍ମି ଉଠେଇବନି କି?? ଉର୍ମି, ଲିପୁର ବାସନଟା ଉଠେଇନେଲୁ।" ଉର୍ମି ଦଉଡି ଆସି ବାସନଟା ଉଠେଇନେଲା। ଏମିତି ଉର୍ମିର ଦଉଡା ଧାପୁଡ଼ାରେ ସମସ୍ତଙ୍କ ଖାଇବା ସରିଗଲା।

ହାତଧୋଇ ସବୁ ନିଜ ନିଜ ରୁମକୁ ଯିବାକୁ ବାହାରିଲେ। ସ୍ୱାମୀ ବି ବଡଭାଇଙ୍କ ସାଙ୍ଗେ ଦୁଖସୁଖ ହବାକୁ ତାଙ୍କ ପଛେ ପଛେ ଚାଲିଗଲେ। ଉର୍ମି ନିଜ ପାଇଁ ରୋଷେଇଘରେ ଖାଇବା ବାଢୁଥିଲା। ସେଇଠି ଶାଶୁ୍ ଭୂମିଅପା ଉଦ୍ଦେଶ୍ୟରେ କହୁଥିବା କଥା ତା' କାନରେ ବାଜୁଥିଲା, "ବହୁତ ଥକି ପଡିଥିବୁ ଭୂମି ତୁ। ଯାଇକି ଶୋଇପଡେ ଟିକିଏ।" ହେଲେ ଉର୍ମି କଥା କାହାରି ମନେ ନଥିଲା। ହେଲେ ଏ ତ' ଆଜିର କଥା ନୁହେଁ!!! ଏ ତ' ବହୁତ ପୁରୁଣା କାହାଣୀ!!! ଯୁଗଯୁଗ ଧରି ସ୍ଵାମୀ ସାଙ୍ଗେ ଘରଛାଡି ଦୂରକୁ ଚାଲି ଯାଇଥିବା ସୀତା ତ' ସମସ୍ତଙ୍କର ମଉଡମଣି, ଆଉ ସବୁ ଦିନ ପାଇଁ ଶାଶୁ ଶଶୁରଙ୍କ ପାଖେ ରହି ତାଙ୍କ କଥା ବୁଝିଥିବା ଉର୍ମିଳାର ନାଁ ଆଜି କାହାରି ମନେ ନାହିଁ!!!

ସୁଲଗ୍ନା ମହାନ୍ତି


Rate this content
Log in

Similar oriya story from Inspirational