Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଃଶବ୍ଦ ସହରର ଇଛାଟିଏ
ନିଃଶବ୍ଦ ସହରର ଇଛାଟିଏ
★★★★★

© SIPRA NAMTA

Romance Tragedy

16 Minutes   14.4K    15


Content Ranking

ପି ଜି ର ଶେଷ ବର୍ଷ ସରିଯିବା ଉପରେ ।ତା'ପରେ ଘରକୁ ଫେରିଯିବ ଲଗ୍ନା ।ଶୁଭଲଗ୍ନା ଦାସ ।ମାଇକ୍ରୋବାୟୋଲୋଜିର ଛାତ୍ରୀ ।ବହୁ ବାଧା ଏଡାଇ ସେ ଉଚ୍ଚ ଶିକ୍ଷା ପାଇଁ ଆସିଥିଲା ଦୁଇ ବର୍ଷ ତଳେ ।ଆଉ ଦୁଇମାସ ପରେ ଫାଇନାଲ ପରୀକ୍ଷା ।ସେ କିନ୍ତୁ ଚାକିରୀ କରିବ ବୋଲି ନିଷ୍ପତ୍ତି ନେଇଛି ।ଦେଖା ଯାଉ କେତେ ଦୂର ଆଗେଇ ପାରୁଛି ସେ ।ସବୁ ପିଲା କ୍ଲାସ ରୁ ଯାଇସାରିଲେଣି ,ସେକଥା ଲକ୍ଷ୍ୟ କରି ସେ ମଧ୍ୟ ବ୍ୟାଗ ସଜାଡିଲା ।ହଠାତ ୟୁସୁଫ ର ଡାକ ରେ ସେ ଫେରି ଚାହିଁଲା ।

--କଣ ହେଲା ?ଡାକିଲ ଯେ !ଅବୁଝା ଆଖିରେ ପ୍ରଶ୍ନ କଲା

ଲଗ୍ନା ।

---ଲଗ୍ନା ମୋତେ ତମ ହେଲ୍ପ ଦରକାର ଥିଲା ।କରିବ ?

--କଣ ହେଲ୍ପ କୁହ ଯଦି ମୋ ସାମର୍ଥ୍ୟ ଭିତରେ ଥିବ ମୁଁ କରିବି ।

ୟୁସୁଫ ତା ହାତ ଧରି ନେଇ କହିଲା ,"-ଥାଂକ୍ଶ ଲଗ୍ନା ,ମୁଁ ଜାଣିଥିଲି ତମେ କେବେ ମନା କରିବନି ।"

ହାତ ଛଡାଇ ନେଇ ଲଗ୍ନା କହିଲା --ଆରେ ,କୁହ ତ ,ତୁମ ପ୍ରୋବ୍ଲେମ କଣ ।ମୋର ଡେରି ହେଉଛି ।

----ଓଃ ,ସୋ ସରି ଲଗ୍ନା ,ମୋତେ ଟିକେ ଗତ ସପ୍ତା ର ୟେଥେସି ମ୍ୟାମଙ୍କର କ୍ଲାସ କପି ଓ ରିଭିଜନ ଦେଇପାରିବ ?

ଲଗ୍ନା ମନେ ମନେ ଚମକି ପଡିଲା ।

----କିନ୍ତୁ ତାଙ୍କର ରିଭିଜନ ତ ମୋ ପାଖେ କିଛି ନାହିଁ ।କାରଣ ତାଙ୍କ କ୍ଲାସ ମୁଁ ଭଲ କରି ନେଇପାରେନି ସେତେବେଳେ କିଛି ନା କିଛି ଲାବ କାମ ପଡିଯାଏ ।ସରି , ୟୁସୁଫ ,ତମକୁ ନିରାଶ କରୁଥିବାରୁ ମୁଁ ସତ ରେ ଦୁଃଖିତ ।ତମେ ଆଉ କାହାକୁ

ପଚାର । ମୁଁ ଆସେ ....ତେବେ ..

କହି ଲଗ୍ନା କ୍ଷିପ୍ର ଗତିରେ ବଡ ବଡ ପାଦ ପକାଇଲା ।

ୟୁସୁଫ କେମିତି ଜାଣିଲା ୟେଥେସି ମାଡମଙ୍କ କଥା ।ସେ ଯେ ତାକୁ ମନା କରିଥିଲେ କାହାକୁ କିଛି ନ କହିବା ପାଇଁ ।ନା --ବରଂ ୟୁସୁଫ ତାକୁ ଖରାପ ଭାବୁ କିନ୍ତୁ ସେ କଥା ସେ କାହାକୁ କିଛି କହିବନି ।ଭାବୁ ଭାବୁ ଅନ୍ୟମନସ୍କ ହୋଇ ଧକ୍କା ହେଲା ପ୍ରଫେସର ଡ଼.ମୃଣାଳ ଙ୍କ ସହିତ । ତଳେ ପଡୁ ପଡୁ ପ୍ରଫେସର ତାକୁ ଧରିନେଲେ । -"ଓଃ ସରି ଡିଅର ,ବି କେଆରଫୁଲ .

--"ସରି ,ଭେରୀ ସରି ସାର ।ଥ୍ୟଙ୍କ ୟୁ ।" ଲଗ୍ନା ନିଜକୁ ସମ୍ଭାଳି ନେଇ କହିଲା ।

--ଆର ୟୁ ଓ କେ ?

--ୟା ,ୟା ଆଇ ଏମ ଓ କେ ସାର ।

ପ୍ରଫେସର ଚାଲିଗଲା ପରେ ଏକ ଦୀର୍ଘଶ୍ଵାସ ଛାଡିଲା ଲଗ୍ନା ।

ନିଜ ମୁଣ୍ଡରେ ଧୀରେ ବାଡେଇମନକୁ ମନ କହୁଥାଏ ସେ "ଓଃ ଆଜି କଣ ହେଉଛି କେଜାଣି ।।ଲେଡିଜ ମେସର ନିଜ ରୁମରେ ପହଞ୍ଚି ପ୍ରଥମେ ବିଛଣାରେ ଚିତ ହୋଇ ପଡିଗଲା ।ତା ପରେ ଫୋନ କଲା ,-ଟିକ.... ଟିକ..... ଟିକ....ଶବ୍ଦ ରେ ଚିଡିଯାଇ "ହେଃ ଆଜି ଦିନଟା ଆଦୌ ଭଲ ନୁହେଁ ,ଫୋନ କଲ ବି ଲାଗୁନି "।କହି ଵିରକ୍ତରେ ଫୋନକୁ ରଖିଦେଲା ।ରୁମ ମେଟର କ୍ଲାସ ବୋଧ ହୁଏ ସରିନି ।ଥାଉ ଭଲ ହୋଇଛି ନୋହେଲେ ବକର ବକର ହୋଇ ମୁଣ୍ଡ ଟା ଖାଇ ଦେଇଥାନ୍ତା ।

ଶେଲୀ ଚାଟାର୍ଜୀ ,ଝିଅ ନୁହଁ ତ ଝଡ଼ଟିଏ ଯେମିତି ।କେତେ ଯେ ବୟ ଫ୍ରେଣ୍ଡ ତା'ର .ଓଃ ବାପରେ .....ପଢିବାକୁ ଆସିଛି ନା କଣ କରିବାକୁ ଆସିଛି କେଜାଣି ??କିନ୍ତୁ ମାର୍କ ତ ଭଲ ରଖେ ।ପଚାରିଲେ କହେ --"ଓଃ... ଡାର୍ଲିଂଗ ଦିଜ ଆର ଟାଇମ ପାସ ,ରିଲାକ୍ସ ୟାର ,....ସିରଫ ଉତନା ସୋଚ ଜିତନା ଚାହିୟେ ,ବସ .....ଦିଲ ପେ ଲଗାନେ ସେ ଦୁଃଖ ହି ଦୁଃଖ ।ଫୁର୍ତ୍ତି କର ଲୋ ଥୋଡା ।ମାଇଣ୍ଡ ଅପନେ ଆପ ପଢାଇ କରଲେଗା ।। ହି.... ହି . ..ହି ....ମଲ୍ଲୀ କଢ଼ ପରି ଶୁଭ୍ର ଦାନ୍ତ ଦେଖାଇ ହସି ଉଠେ ଆଉ ସାମ୍ପୁ କରା ଲମ୍ବା କେଶ ଗୁଛ କୁ ତା'ଆଡ଼କୁ ଛାଟି ଦେଇ ଆଖି ନଚେଇ କହେ "ତୁମି ବାଙ୍ଗଲା ବୁଝ ତ ?" ଲଗ୍ନା ଓଠ ରେ ସ୍ମିତ ହସ ରଖି କହେ "ଟୁକୁ ଟୁକୁ "।

--"ଠିକ୍ ଆଛେ ,ଆମି ଓ ତୋମାର ଭାଷା ବୁଝତେ ପାରି ।"

ସେଇ ଦିନ ଠାରୁ ଶେଲୀ ବଙ୍ଗଳା ରେ ଅଜସ୍ର ଗପେ ଆଉ ସେ ଓଡିଆ ରେ ।

ଓଃ କେତେ ଲେଟ କରୁଛି ଯେ ,ଆସିବାକୁ ଏଣେ ପେଟରେ ଘଟଣା ଗୁଡିକ ବାନ୍ତି କରିବାକୁ ଖାଲି ଗୋଳାଇ ହେଉଛନ୍ତି ।କୋଉଠି ଗପୁଥିବ କାହା ସାଙ୍ଗ ରେ ।ଵିରକ୍ତ ରେ ଲଗ୍ନା ଆଉଥରେ ଫୋନ ଲଗାଇଲା ।

--ହ୍ୟାଲୋ ,ଦିଦି ......,,।

ଲଗ୍ନା ତା ବଡ ଭଉଣୀ କୁ ଆଜିକାର ସବୁକଥା କହି ସାରିଲା ପରେ ଗୋଟେ ସ୍ୱସ୍ତି ର ନିଃଶ୍ୱାସ ନେଲା ।

ବଡ ଭଉଣୀ ଏମିତି ବହୁତ ପାଠ ପଢିବା ପରେ ବର ଖୋଜିବାକୁ କଷ୍ଟ ହେଲା ତାଙ୍କ ଘରେ ।ଦିଦି ସେତେବେଳକୁ ଗୋଟେ ସାଇଣ୍ଟିଫିକ ରିସର୍ଚ୍ଚ ଟିମରେ ଯୋଗ ଦେଇସାରିଥାଏ ।

ବାହାଘର ପାଇଁ କ୍ୟାରିଅର ଛାଡିବାକୁ ସେ ମୋଟେ ପ୍ରସ୍ତୁତ ନ ଥିଲା ।ତେଣୁ ନିଜ ଟିମ ର ଜଣେ ବିଦେଶୀୟ ଙ୍କ ସହିତ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲା ପରେ ଲଗ୍ନା ର ଉଚ୍ଚ ଶିକ୍ଷା ପାଇଁ କଟକଣା ଜାରୀ କରାଗଲା ।ନା ସେ ବେଶୀ ପାଠ ପଢିବ ନାହିଁ ।ଦରକାର ନାହିଁ ସେ ଚାକିରୀ ବାକିରୀ ।ଘରେ ସେତେବେଳେ ଯେଉଁ ତାଣ୍ଡବ ଚାଲିଥିଲା ସେ କଥା ମନେ ପଡିଲେ ଲଗ୍ନା ର ରୋମ ଟାଙ୍କୁରି ଉଠେ ।କେତେ କାନ୍ଦିଛି ।ଆଖିଆ ଅପିଆ ରହିଛି ଏମ ଏସ ସି କରିବା ପାଇଁ ।ଶେଷରେ ମାମୁଁ ବୁଝାଇବାରୁ ଘରେ ରାଜି ହେଲେ କଲକତା ରେ ପଢେଇବା ପାଇଁ ।ଏଠି ମାମୁଁ ପୁଅ ରହୁଥିବାରୁ ଲଗ୍ନା ପାଇଁ ସବୁ ପ୍ରକାର ସାହାଯ୍ୟ କରିହେବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ଶେଷରେ ଲଗ୍ନା ଏଠାକୁ ପଢିବାକୁ ଆସିଲା ।ମାମୁଁ ପୁଅ ସୌରଭ ଭାଇ ର ସାଙ୍ଗ ର ସାନ ଭାଇ ତୁଷାର ଏଇ ମାଡମ ୟେଥେସୀ ଙ୍କ ସହିତ ପରିଚୟ କରାଇଥିଲେ ।ଏମିତି ରେ ବି ସେ ମଝିରେ ମଝିରେ ଆସନ୍ତି ତା ପାଖକୁ ।

ଏତେ କଣ୍ଡିସନ ମଧ୍ୟ ଦେଇ ଆସିଥିବା ସୁଯୋଗକୁ କେମିତି ସହଜରେ ଅନ୍ୟକୁ ଦାନ ଦେଇପାରିବ ସେ ?ହଁ ,ମ ନୋହେଲେ ଟିକେ ଖରାପ ଭାବିବ ତ ଭାବୁ ...।ଚିନ୍ତା କଲା ବେଳକୁ ୟୁସୁଫର ସରଳ ନିରୀହ ମୁହଁଟା ତା ଆଖି ଆଗରେ ଭାସିଗଲା । କାହିଁକି ସେ ତା କଥା ଭାବୁଛି ?

--କି ,ଡାର୍ଲିଂଗ ..ଅତ ଚିନ୍ତା କେନ ? କିଛୁ ହୋଏଛି ମନେ ହୋଏ ??

ସେନାନାୟିକା ପରି ବୀର ଦର୍ପରେ ରୁମ ଭିତରକୁ ପଶିଆସି ଶେଲୀ କହିଲା ।

ଲଗ୍ନା ପାଖରୁ ସବୁ ଶୁଣି ବୋହେ ହସିଲା ।" ଓଃ ୟୁ ସିଲି ଗାର୍ଲ । ଆରେ ଏଇଟା ଶିକାରୀର ଜାଲ ବୁଝିଲ ।ସେ ଆଗେ ଦାନା ଦବ ଗଛ ମୂଳରେ ।ପକ୍ଷୀ ତାକୁ ଦେଖି ଖାଇବାକୁ ଆସିବା ମାତ୍ରେ ସେଇ ଜାଲରେ ପ୍ରଥମେ ଛନ୍ଦି ହୋଇ ପଡିବ ।ବାସ ତା'ପରେ କାମ ଖତମ ।ହା ହା ହା ହା।

ତୁମେ ସେସବୁ କିଛି ଭାବନି । ଲେଟ ଇଟ ।ବି ଇଜି ଏଣ୍ଡ କୁଲ "।

ପ୍ରକୃତରେ ଶେଲୀ ଏତେ ପ୍ରାକ୍ଟିକାଲ କେମିତି ?ବୋଧହୁଏ ତା'ର ହାର୍ଟ ବୋଲି କିଛି ନାହିଁ ।ମୋବାଇଲରେ ଭାଇବ୍ରେସନ ....

ତୁଷାରର କଲ ।ରିସିଭ କଲା ଲଗ୍ନା ।ତୁଷାରକୁ ବଡ କମ୍ପାନୀରେ ଗୋଟେ ଜବ ଅଫର ଆସିଛି ।ଭାରି ମେଧାବୀ ସେ ।କ୍ୟାମ୍ପସରେ ସିଲେକ୍ସନ ହୋଇଛି ।କିଛି କ୍ଲୋଜ ଫ୍ରେଣ୍ଡ ଙ୍କୁ ଡାକିଛି । ସିଙ୍ଗାପୁର ର କମ୍ପାନୀ ।ତେଣୁ ହୁଏତ ସେ ଚାଲିଯାଇପାରେ ସେଠାକୁ ,ପୁଣି କେବେ ଦେଖା ହେବ କିଏ ଜାଣେ ?ଏଇୟା ଭାବୁଥିଲା ଲଗ୍ନା ।ତୁଷାର ସହିତ ପ୍ରଥମ ଦେଖାର ଦୃଶ୍ୟ ମନେ ପଡିଲେ ବହୁତ ହସ ମାଡ଼େ ତାକୁ ।

ସୌରଭ ଭାଇ ଆଉ ତାଙ୍କ ସାଙ୍ଗ , ମାନେ ସେମାନେ ବୟସ ରେ ଖୁବ୍ ବଡ ଥିଲେ ।ତାଙ୍କ ସାନ ଭାଇ ତୁଷାର ବୋଧ ହୁଏ ତିନି ଚାରିବର୍ଷ ବଡ ହେବ ଲଗ୍ନା ପାଖରୁ ସେ ହିସାବ କରେ ।ମଝିରେ ମଝିରେ ତୁଷାର ଦେଖା କରେ ଲଗ୍ନା ସହିତ ।କେତେବେଳେ ସୌରଭ ଭାଇ ଘର କୁ ଗଲେ ତୁଷାର ଛୁଟି ଆସେ ସେଠାକୁ ।ପଢା ପଢି କଥା ଆଲୋଚନା ଭିତରେ କେତେବେଳେ ତୁଷାର ର ଆଖି ଦୁଇଟି ସ୍ଥିର ରହିଯାଏ ଲଗ୍ନା ଉପରେ ଥରେ ଥରେ ଲଗ୍ନା ଅନୁଭବ କରେ ।ଆହୁରି ମଧ୍ୟ ତାକୁ ଲାଗେ ସେ ଯେମିତି କିଛି କହିବାକୁ ଚାହୁଁଛି ତାକୁ ।ହେଲେ ଭାବନା ସେମିତି ରହିଯାଏ ସମୟ ର ଆହ୍ବାନ ରେ ।ଫେରିଆସିବାକୁ ପଡେ ଯେ ଯାହା ର ବାଟ ରେ । ଦୁଇବର୍ଷ ନ ପୁରୁଣୁ ଲାଗେ ଯେମିତି ବର୍ଷ ବର୍ଷ ଧରି ସେ ଏ ସହର ରେ ରହିଆସିଛି । ପ୍ରତି ଟି ସାକ୍ଷାତ ପରେ ରାତିରେ ଶାନ୍ତି ରେ ଶୋଇପାରେନି ସେ ।ତୁଷାର ର କଥା କୁହା ଆଖି ଓ ଓଠ ତାକୁ ଶୋଇବାକୁ ଦିଏ ନାହିଁ ।କିନ୍ତୁ କିଛି କହିପାରେନି ସେ ।କେତେବେଳେ ଭାରି ମଧୁର ଲାଗେ ତ କେତେବେଳେ ଦ୍ଵନ୍ଦ ଉପୁଜାଏ ।ତଥାପି ଭଲ ଲାଗେ ତାକୁ ତୁଷାର ସହିତ ମିଶିବାକୁ ।

* * * * *

ନିକୋ ପାର୍କ ରେ ବନ୍ଧୁ ମିଳନ ର ଆସର ଟା ଜମିଯାଇଥିଲା ।ତୁଷାରର କିଛି ଝିଅ ସାଙ୍ଗ ମଧ୍ୟ ଆସିଥିଲେ । ସ୍ନାକସ ଓ ମୃଦୁ ପାନୀୟ ପରେ ସମସ୍ତେ ନିଜ ନିଜର କ୍ୟାରିଅର ପ୍ଲାନିଂ ରେ ମଜ୍ଜି ଯାଇଥିବା ବେଳେ ସେଇଭିତରେ ଟିକେ ଫାଙ୍କ ପାଇ ତୁଷାର ଲଗ୍ନା କୁ କଡେଇ ଡାକିନେଲା ଆରପଟ କୁ ।

--ତୁମକୁ କିଛି ଲାଗୁନି ?

ତୁଷାର ଲଗ୍ନାର ହାତ ଧରି କହିଲା ।ଲଗ୍ନାର ହାତକୁ ଜାବୁଡି ଧରିଛି ତୁଷାର ,ସେ କଣ କହିବ ?ଝାଳେଇ ଯାଉଛି ଗୋଟାପଣେ ସେ ।ତୁଷାର ହାତର କଠିନ ସ୍ପର୍ଶରେ ତା 'ର କୋମଳ ହାତରେ ଏକ ଅଦ୍ଭୁତ ଶିର ଶିର ଭାଵ ।ସେ ଶିର ଶିର କମ୍ପନ ଝଟକା ମାରିଲା ହୃଦୟର କେଉଁ କୋଣରେ ।ମୁହଁରେ ଲଜ୍ଜାର ଗୋଲାପୀ ରଙ୍ଗ ଯେମିତି କିଏ ନେସି ଦେଇଗଲା ।ଓଃ ଏଇ କଥା ପାଇଁ ସେ ତା ହେଲେ ଡାକିଛି ,ଏତେବେଳେ ଯାଇ ବୁଝିଲା ଲଗ୍ନା ।

---କଣ ଟିକେ ଖୋଲି କି କୁହ

ଆଖି ତଳକୁ ପୋତି ଧୀର କଣ୍ଠରେ କହିଲା ଲଗ୍ନା ।

--ଲଗ୍ନା , . .କଣ୍ଠରେ ଆତୁରତା ଭରି କହିଲା ତୁଷାର

ସତ , ....ସତରେ କହିଲ ତମକୁ କେବେ ବି କିଛି ଅନୁଭବ ହୋଇନି ?

ତୁଷାର ଆଖିରେ ସାଗରର ଗଭୀରତା ,ଆଉ ଟିକେ ପାପୁଲିରେ ଚାପ ଦେଲା ସେ ।

ଲଗ୍ନା ଅନୁଭବ କରୁଛି ,ତୁଷାରର ହାତ କ୍ରମଶଃ ଉଷ୍ଣ ଲାଗୁଛି ।ଆତୁରତା ବଢି ଯାଉଛି ତା'ର ...ଲଗ୍ନା ଠାରୁ ଉତ୍ତର

ପାଇବାକୁ ।

ତୁଷାରର ପ୍ରଶ୍ନ ଲଗ୍ନାକୁ ବିଚଳିତ କରୁଥିଲା ,ଅସ୍ଥିର କରୁଥିଲା ।କୁମାରୀ ଜୀବନର ପ୍ରଥମ ପୁରୁଷର ସ୍ପର୍ଶ ରେ ସେ ଝାଉଁଳି ପଡୁଥିଲା ।ସେପଟେ ଶେଲୀର କଥା ମନେ ପଡୁଥିଲା । ଏସବୁ ଶିକାରୀର ଜାଲ ।ତୁଷାର ବି କଣ ଶିକାରୀ ??

ନା ସମସ୍ତେ କଣ ସମାନ ।କେବେ ନୁହେଁ ।ତୁଷାର ସହିତ ଏତେ ଦିନର ସଂସ୍ପର୍ଶରେ ଆସିବା ଭିତରେ ସେ କେବେ ବି କୌଣସି ପ୍ରକାର ଅଶାଳୀନ ଈଶାରା କିମ୍ବା ମନ୍ତବ୍ୟ ଦେବା ଲକ୍ଷ୍ୟ କରିନି ।ବରଂ ଆଖିରେ ସବୁବେଳେ ନମନୀୟତା ଲକ୍ଷ୍ୟ କରିଛି ।ସୁଯୋଗ ହିଁ ମିଳେନା ମନର ଭାଵ ପ୍ରକାଶ ପାଇଁ ।

---କୁହ ,ଲଗ୍ନା .....ଏଇ ଯାହା କହିବାର ସୁଯୋଗଟା ମିଳିଛି ।

---ତୁମ ସହିତ ଆଉ ଯେମିତି ଦେଖା ହେବନି ସେମିତି କହୁଛ ଯେ ,....

ଏଥର ଆଖି ଉପରକୁ ଟେକିଲା ଲଗ୍ନା ।ସେ ଆଖିରେ ଏକ ଅନୁନୟ ଥିଲା ,ତୁଷାରକୁ ତା ପାଖରୁ କୁଆଡେ ନ ଛାଡିବାର ଭାଵ ।କାରୁଣ୍ୟ ଛଳ ଛଳ ନେତ୍ର ର ଅନୁରୋଧ କୁ ତୁଷାର ବୁଝୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିବଶ ଥିଲା ସେ ।ଏଇତ ମାତ୍ର ଆରମ୍ଭ କରିବାକୁ ଯାଉଛି ପ୍ରେମ ୠତୁ ରେ ବଗିଚାର ପ୍ରିତୀ କଢି ଟି ପାଖୁଡା ମେଲିବାକୁ ।ତୁଷାର ର ଇଛା ହେଉଥିଲା ,ସବୁ ପରିସ୍ଥିତି କୁ ଏଡେଇ ଦେଇ ,କଟାସିଆ ଆଖି ର ଚାହାଣୀ କୁ ଭ୍ରୁକ୍ଷେପ ନ କରି ,ଲଗ୍ନା କୁ ଗାଢ ଆଲିଙ୍ଗନ ରେ ବାନ୍ଧି ରଖନ୍ତା

ଆଉ ଚକ ଚକ କରୁଥିବା ମୁହଁ ର ମସୃଣ ଗାଲ ରେ ସ୍ନେହର ଚୁମ୍ବନ ଟିଏ ଆଙ୍କିଦିଅନ୍ତା ।

---କଣ ଏମିତି ଚାହିଁ ରହିଲ ଯେ !

----ଉଁ ...ହଁ ...ନାଇଁ କିଛି ନୁହେଁ ...ମୁଁ ଆର ସପ୍ତାହ ରେ ସିଙ୍ଗାପୁର ଚାଲିଯିବି ଲଗ୍ନା ।ତୁମେ ମୋତେ ମନେ ପକେଇବ ?

ମୋତେ କଲ କରିବ ତ ?

----ଯିବା ପୂର୍ବରୁ ଥରୁଟିଏ ଦେଖା କରିବନି ?

---ସମୟ ପାଇବା ପାଇଁ ଚେଷ୍ଟା କରିବି । ସେ କଥା ନୁହେଁ ଯେ ତୁମ ର ଆଗକୁ ପରୀକ୍ଷା ଅଛି ନା ! ଡିଷ୍ଟର୍ବ ହେବ ।

ସେପଟୁ ସବୁ ବିଦାୟ ନେବାର ମୁହୂର୍ତ୍ତ କୁ ଆସିଗଲେଣି ଜାଣି ଦୁହେଁ ସେ ଦିଗକୁ ଆଗେଇଗଲେ ।

* * * * * * *

----ନା .....ନା ...ତୁମେ ଧରିପାରିବନି ,ଏଇ ଦେଖ ମୁଁ କେମିତି ସେ ଉଞ୍ଚା ଉଞ୍ଚା ଗଛ ଡାଳକୁ ଛୁଇଁଦେବି । ମୁଁ ତୁମକୁ ଟେକି ଦେଲେ ତୁମେ ସେ ଗଛଡାଳ ଧରିଦେଵ ।

ତୁଷାର ଲଗ୍ନା ର କଟୀ ବେଷ୍ଟନ କରି ତାକୁ ଟେକିଦେଲା ଉପରକୁ ଗଛ ଡାଳ ଛୁଇଁବା ପର୍ଯ୍ୟନ୍ତ ।କିନ୍ତୁ ଆମ୍ବ ଟିକୁ ତୋଳିବାକୁ ଉଦ୍ୟତ ହୁଅନ୍ତେ ଦୁହେଁ ଯାକ ତଳେ ପଡିଲେ ।

ତୁଷାର ର ଛାତି ଉପରେ ଲଗ୍ନା ।ଆଃ ..ଛୋଟିଆ ଚିତ୍କାର ଟିଏ ବାହାରି ଆସିଲା ଲଗ୍ନା ପାଟିରୁ ।ସେ ତୁଷାର ଉପରେ ଗୋଟାପଣେ ଲଦି ହୋଇ ପଡ଼ିଥିଲା ।ତୁଷାର ବାହୁ ବେଷ୍ଟନୀ ରେ ସେ ଚିପି ହୋଇ ଯାଉଥିଲା ବେଳେ ତା ମୁହଁରେ ତୁଷାର ର ମୁହଁ ଘଷି ହୋଇଯାଉଥିଲା ।କିଛିସମୟ ପାଇଁ ନିର୍ବାକ ସ୍ଥିତି ରେ ରହିବା ପରେ ଲଗ୍ନା ର ଓଠ ରେ ମୃଦୁ ଉଷ୍ଣ ସ୍ପର୍ଶ ଟିଏ

ଲାଗିଲା ।ଶରୀର ରେ ଶତଦଳ ପଦ୍ମ ର ପାଖୁଡା ମେଲିଗଲା କି ଆଉ !!ଅପୂର୍ବ ଶିହରଣ ରେ ତନୁମନ ପୁଲକିତ ହୋଇଉଠିଲା ।

ଆଃ ....ଏଇ ସ୍ପର୍ଶ ସବୁବେଳେ ଏଇମିତି ଲାଗି ରହନ୍ତା ଅବା !!

କାନମୂଳ ଝାଇଁ ମାରିଯାଉଛି ।ତଳେ ପଡିବାର କଷ୍ଟ ଠାରୁ ଏ ସୁଖ ବଳି ଯାଉଛି ।ଲଗ୍ନା ର ହାତ ଆପେ ଆପେ ଚାଲିଯାଉଛି ତୁଷାର କୁ ଜାବୁଡି ଧରିବାକୁ । ପ୍ରେମସିକ୍ତ ହୋଇଯାଉଛି ଦୁଇଟି ମନ ।ସେ ପ୍ରେମାଲିଙ୍ଗନ ଆଉ କେତେ ସମୟ ସ୍ନାୟୁ ରେ କମ୍ପନ୍ନ ତୋଳିଥାନ୍ତା କେଜାଣି ମୋବାଇଲ ର ବାରମ୍ବାର ଡାକ ରେ ଲଗ୍ନାର ହାତ ଚାଲି ଗଲା ----"ହ୍ୟାଲୋ "....ବିରକ୍ତି ତଥା.ତନ୍ଦ୍ରା ଜଡିତ କଣ୍ଠ ଲଗ୍ନାର ।ତୁଷାରର ବାହୁରେ ଆବଦ୍ଧ ଥାଇ ସେ ଆଉ କାହାର ଉପସ୍ଥିତିକୁ ସହ୍ୟ କରିପାରୁନଥିଲା ଯେମିତି ।

-----ଲ ଗ୍ନା ,ଲଗ୍ନା , ଏତେ ରାତିରେ ତମକୁ ଡିଷ୍ଟର୍ବ କରୁଛି ।

ତମେ ଶୋଇ ଥିବ ଭାବି କରୁ ନ ଥିଲି ।କିନ୍ତୁ ଆଦୌ ନିଦ ହେଉ ନ ଥିବାରୁ ଆଉ ରହିପାରିଲିନି ।ତମେ ଶୋଇପଡିଥିଲ ନା ?

ହଠାତ କିଛି ବୁଝିପାରିଲାନି ଲଗ୍ନା ।ତା ପରେ ଧଡାସ କି ନା ଉଠିଵସି ଚାରିଆଡକୁ ଚାହିଁ ଦେଖିଲା ।ତା'ର ସ୍ମରଣ ହେଲା ଯେ

ଉଦ୍ଦାମ ଯୌବନର ମାଦକତାର ଗପ ଗପି ଗପି ଶେଲୀ ତା ବେଡରେ ତା ପାଖରେ ଶୋଇଯାଇଥିଲା ।ଆଉ ସେ ବି ତାକୁ ନିଦରେ ତୁଷାରକୁ କୁଣ୍ଢାଇ ଧରିଛି ବୋଲି ଭାବି ସ୍ବପ୍ନ ଦେଖୁଥିଲା ପ୍ରେମର । ଇସ........ କି କଥା !!!!

----ନା ,ପୂରା ଶୋଇନଥିଲି ।

----ଅନଲାଇନ ଚାଟ କୁ ଆସ ,ଫୋନରେ କଥା ହେଲେ ଅନ୍ୟ ମାନେ ଡିଷ୍ଟର୍ବ ହେବେ । କହିଲା ତୁଷାର ।

ସ୍ବପ୍ନ ଦେଖିଥିବା ଘଟଣାକୁ ବର୍ଣ୍ଣନା କରି ଲେଖିଗଲା ଲଗ୍ନା ।

---ମୁଁ ତମକୁ ଭାବି ଭାବି ମୋ ଆଖିରେ ନିଦ ହଜିଯାଇଛି ।ଏଠି ଥିଲେ ଗୋଟେ ଆଶା ରହୁଥିଲା ତମକୁ ଦେଖିହେବ ,ଦେଖିବାର ସ୍କୋପ ଥିଲା ।କିନ୍ତୁ ଏବେ ପରିସ୍ଥିତି ଭିନ୍ନ ହେବାରୁ ମୋତେ ଆଦୌ ଭଲ ଲାଗୁନି ।କିନ୍ତୁ ଚାକିରୀ ତ କରିବା ପାଇଁ ହେବ ନା । ସେ ଟା ନିହାତି ଦରକାର ।କଣ କରିବି ??ମୁଁ ଚାକିରୀ ନ କଲେ ତମକୁ କେମିତି ପାଇବି ?? ତମ ବାପା ମାଆ ଗୋଟେ ବେକାର ପିଲା ସହିତ କାହିଁକି ତାଙ୍କ ଝିଅକୁ ମ୍ୟାରେଜ ଦେବେ ?

----ମାନେ ,ତମେ ଏତେ କଥା ଭାବିସାରିଛ ?କିନ୍ତୁ ମୋତେ ତ କାହିଁ କେବେ ୟା ର କିଛି ସୂଚନା ଦେଇନ ।

-----ପ୍ରେମ ଏକ ନିଃଶବ୍ଦ ସହର ଆଉ ତା 'ର ନୀରବତା ର ଭାଷା ଓ ସ୍ୱର କୁ ପଢିବା କୁ ଗୋଟେ ହୃଦୟ ଦରକାର । ତମ ହୃଦୟକୁ ପଢିବା ପରେ ହିଁ ତ ଏ ବିଶ୍ୱାସ ମୋର ଆସିଛି ।

ତଥାପି ତମର ସମ୍ମତି ମୋର ଆବଶ୍ୟକ । କଣ ମୋ ଉପରେ ବିଶ୍ୱାସ ଅଛି ତ ?

----ସେଇଟା କଣ ପଚାରିବା ନିହାତି ଦରକାର ?

ମୁଁ ଭାବି ବି ନ ଥିଲି ଯେ ତୁମେ ଜେନେଟିକର ଷ୍ଟୁଡେଣ୍ଟ ହୋଇ ଏତେ ରୋମାଣ୍ଟିକ ହୋଇଥିବ ।ସବୁ କଥା ମୁହଁରେ କହିହୁଏ ନାହିଁ ।ସେଇ ନୀରବତାର ସ୍ୱର ଯଦି ତୁମେ ଶୁଣିସାରିଛ ମୋର ଆଉ କିଛି କହିବାର ନାହିଁ ।

ଲଭ ର କିଛି ସିଂବଲ ପରସ୍ପରଙ୍କୁ ଆଦାନପ୍ରଦାନ କରି ଯୋଗାଯୋଗ ବିଛିନ୍ନ କଲେ ଦୁହେଁ ।

ଆଲର୍ମର ଶବ୍ଦରେ ରାତ୍ରୀର ଅନ୍ଧକାର ତା'ର ଖୋଳପା ଛାଡିବାକୁ ବସିଲାଣି ବୋଲି ଜାଣିଲା ଲଗ୍ନା ।ସକାଳ ହେବାକୁ ତଥାପି ଆଉରି ଘଣ୍ଟାଏ ବାକି ଅଛି । ଟିକେ ଶୋଇବାକୁ ଚେଷ୍ଟା କଲା ଲଗ୍ନା ।ଶେଲୀ କେତେ ନିର୍ବିକାର ହୋଇ ଶୋଇଛି ।

ଆପ ଟୁ ଡେଟ ସବୁବେଳେ ।ପୋଷାକ ପତ୍ରରେ ସବୁବେଳେ ଆଧୁନିକତା ର ସ୍ପର୍ଶ ।ଯେତେ ନୂଆ ନୂଆ ଡିଜାଇନ ସବୁ ତା ପାଖରେ ମିଳିବ ।କେତେଥର ତା ସହ ସପିଙ୍ଗ ମଲକୁ ଯାଇଛି ,କେତେ ଯେ ଫ୍ରେଣ୍ଡ ଓଃ ,ଭାବିପାରେନି ସେ ଆଉ ସମ୍ବୋଧନ ....ଏତେ ଫ୍ରି ହୋଇ ସେମାନେ କଥା ହୁଅନ୍ତି ସେମିତି କଥା କହିବାକୁ ତାକୁ ଯୁଗଟିଏ ଲାଗିଯିବ ବୋଲି ଭାବେ ।ସେ କହେ ,ଏଗୁଡା ପୁଅ ଙ୍କୁ ବୋକା ବନାଇ ମଜ୍ଜା ଦେଖିବାର ଗୋଟେ ନିଶା ।କି ଅଦ୍ଭୁତ ଶେଲୀ ।!!ଝିଅ ଟେ ହୋଇ ଏମିତି ଚିନ୍ତାଧାରା ତାକୁ ବିବ୍ରତ କରେନି ବରଂ ଖୁସି

ଦିଏ ।ସେ କଣ କେବେ ବି କାହାକୁ ଭଲପାଇ ପାରିବନି ବୋଲି ପଚାରିଲେ ,ମନ ଦୁଃଖ କରି କହେ ତା ମାଆ ବାପା ଙ୍କୁ ବହୁତ ଭଲ ପାଉଥିଲେ ।କିନ୍ତୁ ବାପା କେମିତି ସବୁବେଳେ ମାଆ ପାଖରୁ ଦୁରେଇ ରହନ୍ତି କାରଣ ମାଆ ଟିକେ କମ ପାଠ ପଢିଥିଲେ ଓ ଏତେ ଆଧୁନିକା ନ ଥିଲେ ।ତା ପରେ ଶେଲୀ ର ଜନ୍ମ ପରେ ଆଉ ଟିକେ ଦୂରତା ବଢି ଯାଇଥିଲା ।ସେଥିପାଇଁ ବାପାଙ୍କ ଜୀବନରେ ଆଉ ଜଣେ ନାରୀ ଙ୍କ ର ପ୍ରବେଶ ହୋଇଥିଲା ।ଶେଲୀର ଭାଇ ଗୋଟେ ଅଛି ବୋଲି ସେଇଦିନ ଲଗ୍ନା ଜାଣିଥିଲା ତାହା ପୁଣି ବିମାତାର ପୁଅ ।ତେଣୁ ଏ ପୁରୁଷ ସମାଜକୁ ଖୁବ୍ ବେଶୀ ଘୃଣା କରେ ସେ ।କାରଣ ଏମାନେ ସବୁବେଳେ ସୁବିଧାବାଦୀ ଓ ସ୍ୱାର୍ଥପର ।ଭଲପାଇବାର ଅନ୍ତରାଳ ରେ ସେମାନଙ୍କ କଷ୍ଟ ଦେଖିଲେ ତାକୁ ଖୁସି ଲାଗେ ।

ଲଗ୍ନା ନିଜ ପରିସ୍ଥିତିକୁ ନେଇ ତୁଳନା କରେ ।ଶେଲୀର ଜୀବନ ଓ ତା ଜୀବନରେ ଫରକ ଏତିକି ଯେ ତା ବାପାଙ୍କର ଅନ୍ୟ ସ୍ତ୍ରୀ ନାହାନ୍ତି କିନ୍ତୁ ଝିଅ ଦୁଇଟା ବୋଲି ମାଆ ଙ୍କୁ ସେ ସେତେ ଭଲ ପାଆନ୍ତି ନାହିଁ ।ମାଆ ଙ୍କ ଠାରୁ ଶୁଣିଛି ଯେ ଡାକ୍ତର ମନାକରିବାରୁ ତୃତୀୟ ସନ୍ତାନ ପାଇଁ ଆଉ ମନ ଦେଇ ନ ଥିଲେ ସେ ।କିନ୍ତୁ ପୁଅ ଟିଏ ନାହିଁ ବୋଲି ସବୁବେଳେ ମାଆଙ୍କ ପ୍ରତି ତାଙ୍କର ଭର୍ତ୍ସନା ନିଜେ ଶୁଣିଛି ।ଆଉ ଅଧିକ ଜାଣିବା ର ଆବଶ୍ୟକତା କେବେ ପଡିନି ।

ତୁଷାର କଣ ସେମିତି ହୋଇଯିବ ? ଭବିଷ୍ୟତରେ ।

ମୋବାଇଲ ଅନ କଲା ଲଗ୍ନା ମେସେଜ ବକ୍ସ ରେ ଟାଇପ କଲା ---ତୁଷାର ,ତୁମେ କେବେ ସ୍ୱାର୍ଥପର ହୋଇ ମୋତେ ଛାଡ଼ିଦେବନି ତ !!!

ତୁମେ ମୋତେ ବିବାହ କରିବା ପରେ ଯଦି ମୋ ଗର୍ଭ ରୁ ପୁତ୍ର ସନ୍ତାନ ଟିଏ ଜନ୍ମ ନ ହୁଏ ତେବେ ତୁମେ ଅନ୍ୟ ପତ୍ନୀ ଗ୍ରହଣ କରି ନେବନି ତ !!!

ମୋବାଇଲ ବନ୍ଦ କଲା ସେ ।ନିତ୍ୟକର୍ମ ସାରି କଲେଜ ଯିବା ପାଇଁ ରେଡି ହେବାକୁ ଲାଗିଲା ।

କଲେଜରେ ଆଜି ଶୋକ ର ଛାୟା ।ବୋଟନୀର ଏବେ ଏବେ ରିଟାୟର୍ଡ କରିଥିବା ପ୍ରୋଫେସରଙ୍କର ମୃତ୍ୟୁ ରେ କ୍ଲାସ ସସପେଣ୍ଡ ହୋଇଗଲା ।ଦୁଇଟା ପିରିୟଡ଼ ଥିଲା ସେ ବି ଗଲା ।ଏମିତି ରେ ବି ଶନିବାର ଦିନ ବେଶୀ କ୍ଲାସ ନ ଥାଏ ।ଆସନ୍ତା କାଲି ରବିବାର । ସୌରଭ ଭାଇ ଡାକିଥିଲେ ଘର ଆଡ଼େ ଯିବା ପାଇଁ । ଆଜି ଥକ୍କା ଲାଗୁଛି ଥାଉ ,କାଲି ଯିବି ।ମନେ ମନେ ଭାବି କ୍ଲାସ ରୁ ବାହାରି କଲେଜ କ୍ୟାମ୍ପସ ଭିତରେ ଚାଲୁଛି ।

----ଲଗ୍ନା ,ରୁହ ତ ।

ପଛକୁ ଫେରି ଦେଖେ ,ୟୁସୁଫ ।

କେମିତି ତାକୁ ଏଭଏଡ଼ କରିବ ଭାବୁଛି ,ମୋବାଇଲ ରିଙ୍ଗ ହେବା ରୁ ଦେଖିଲା ତୁଷାରର କଲ ।ରିସିଭ କରି କଥା ହେଉ ହେଉ ୟୁସୁଫ ଆସି ପହଂଚିଗଲା ତା ପାଖରେ ।

---ହଁ ,ମୁଁ ଏବେ ସଙ୍ଗେ ସଙ୍ଗେ ପହଞ୍ଚୁଛି ।

""ସରି ୟୁସୁଫ ମୋତେ ଏବେ ଭାଇଙ୍କ ଘରକୁ ଯିବାକୁ ହେବ ।ଅର୍ଜେଂଟ କଲ ଥିଲା ।ମୁଁ ଏବେ ଆସୁଛି ।""କହି ଲଗ୍ନା ସେଠୁ ଚାଲିଆସିଲା ।

--କଣ ହୋଇଛି ଲଗ୍ନା ,ତମେ ଏତେ ଟେନ୍ସଡ଼ ଲାଗୁଛ ।ଆଉ ଏ ୟୁସୁଫ କିଏ ?ଏମିତି ୟାଡୁସାଡୁ କଥା ହେଉଛ ପୁଣି ସକାଳେ କଣ ସବୁ କଥା ମେସେଜ କରିଥିଲ ।କଣ ଭାବୁଛ ତମେ କହିଲ ?

ଆମେ ଵବିଜ୍ଞାନ ର ଛାତ୍ର ଛାତ୍ରୀ । ଏମିତି ବାଜେ କଥା ତମ ମୁଣ୍ଡ କୁ ପଶୁଛି କେମିତି ? ଯେତେ ସବୁ ଅବାନ୍ତର କଥା । କୋଉଠୁ ଆସୁଛି ଏ ଉଦ୍ଭଟ ଚିନ୍ତା ଧାରା । ହଉ ଆସିଲେ ମୁଁ ବୁଝେଇଦେବି । କେତେବେଳେ ଆସିବ କୁହ ମୁଁ ଅପେକ୍ଷା କରିଥିବି ସୁପର ମଲରେ ,କିଛି ମାର୍କେଟିଙ୍ଗ କରିଵାର ଅଛି ।ଆସିବ ତ ??

ଆଉ ବର୍ତ୍ତିବାର କୌଣସି ଯୁ ନାହିଁ ।ଅଗତ୍ୟା ସମ୍ମତି ଦେଇ ରୁମକୁ ଫେରିଲା । କିନ୍ତୁ ଏବେ ଶେଲୀର ସାହାଯ୍ୟ ନେବାକୁ

ପଡିବ କାରଣ ମଲକୁ ତ କେବେ ଏକୁଟିଆ ଯାଇନି । ଯେବେ ବି ଯାଇଛି ତା ସହିତ ଯାଇଛି ।କିନ୍ତୁ ଅଛି କୋଉଠି ସେ ?

ଫୋନ ବି ତ ଲାଗୁନି ।ହେ ଭଗବାନ !ଏବେ କରିବ କଣ କହି ଚିନ୍ତା ରେ ପଡିଲା ଲଗ୍ନା ।

ସାହସ କରି ଏକୁଟିଆ ବାହାରିଲା ଅଟୋ ରେ ।ଦୁଇ ତିନି କି. ମି

ରାସ୍ତା ଯାଇଛି କି ନାହିଁ ଆଗରେ ରାସ୍ତା ବନ୍ଦ ,ପ୍ରବଳ

ହଟ୍ଟଗୋଳ । ଅଟୋ ଵାଲା ଓଲ୍ହାଇଲା ଚାରିଆଡେ ବୁଲି ଚାହିଁଲା ,ଗୋଟେ ସର୍ଟ କଟ ଗଳି ଦେଇ ଚାଲିଯିବାକୁ ବସିଥିଲା

କିନ୍ତୁ ଠିକ୍ ଷ୍ଟିଅରିଂ ମୋଡିଲା ବେଳକୁ ତା ଅଟୋ ର ସାମ୍ନା କାଚ ଉପରେ ଗୋଟେ ଲମ୍ବା ବାଡି ଆସି ପଡିଲା ।ଝଣ ଝଣ କରି କାଚ ଝଡିପଡିଲା ଫାଳକରୁ ।ଲଗ୍ନା ଓ ଅଟୋ ଵାଲା ଚମକି ପଡିଲେ ।ଦୁଇଜଣ ଜୁଙ୍ଘା ଜୁଙ୍ଘା ଟୋକା ଆସିଗଲେ

--ଏଇ ଏଠୁ କେହି କୁଆଡେ ଯାଇ ପାରିବନି ।ଥରେ ପଶିଛ ମାନେ ସବୁ ଅଟକିବ । ଶଳେ ଗାଡି ଚଳେଇବା ଦେଖଉଛନ୍ତି !!

ଅଟୋବାଲା ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ ।ଅଗତ୍ୟା ଲଗ୍ନାକୁ ସେ ଗଳି ରାସ୍ତା ଦେଇ ଆରପଟ ମେନ ରୋଡ ଧରିବାକୁ ପରାମର୍ଶ ଦେଲା ।ଏମାନେ ଗୁଣ୍ଡା ଲୋକ ।

ମୁହଁକୁ ଲାଗିଲେ ବିପଦ ।ପୋଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କଣ ଗୋଟେ ଛୋଟ ଦୁର୍ଘଟଣାଟିଏ ହୋଇଛି ଆଗରେ ।ଅଣ ହିନ୍ଦୁ ପରି ଲାଗୁଥିଲେ ସେମାନେ ।

ଲଗ୍ନା କୁ ବହୁତ ଭୟ ଲାଗୁଥିଲା ।ଏକା ଆସିବନି ବୋଲି ଭାବୁଥିଲା ,ଆସି କି ଏବେ ହରଡ଼ ଘଣା ରେ ।ଧେତ ....।

କାନ୍ଦ କାନ୍ଦ ହୋଇଯାଉଥାଏ ଲଗ୍ନା ।ସେ ଅଟୋରୁ ଓଲ୍ହାଇ

ଗଲା ।ଠିକ୍ ଆଗେଇଯାଉଥାଏ, ହଠାତ ତା'ର ପୁଣି ଦେଖା ହୋଇଗଲା ୟୁସୁଫ ସହିତ ।ୟୁସୁଫର ଅବିଶ୍ୱାସ କରିବାର କିଛି ନ ଥିଲା ସେଠାରେ ଲଗ୍ନାର ଉପସ୍ଥିତି କୁ ଦେଖି କାରଣ କଲେଜ ରେ କହିଥିବା କଥା ତା'ର ମନେ ରହିଥିଲା । ସେ ଅଞ୍ଚଳରେ ଜଣାଶୁଣା ତା'ର ।କାରଣ କିଛି ସମ୍ପର୍କୀୟ ସେଠାରେ ରହନ୍ତି । ରାସ୍ତା ଟି ଗୋଟେ ଲିଙ୍କ ରୋଡ ହୋଇଥିବାରୁ ସେ ରାସ୍ତା ରେ ବଡ ବଡ ଯାନବାହାନ ର ବିଶେଷ ଚଳପ୍ରଚଳ ନ ଥାଏ ।ଏଇସବୁ ଛୋଟ ଛୋଟ ମୋଟର ଗାଡି ସର୍ଟକଟ ଦେଇ ଚାଲିଯାଆନ୍ତି ।ସେମିତି କିଏ ଜଣେ କାହାକୁ ଆଘାତ ଦେଇଦେଇଛି ତେଣୁ ତାକୁ ଅଟକ ରଖି କ୍ଷତି ପୂରଣ ଦେବାକୁ ବାଧ୍ୟ କରାଯାଉଛି ।ଆଉ ଅନ୍ୟ ଗାଡି ମାନଙ୍କୁ ଅଟକାଇ ଭିଡ ବୃଦ୍ଧି କରାଯାଇଛି ,ପୋଲିସର ଶୀଘ୍ର ଉପସ୍ଥିତି ହେବା ପାଇଁ ।

ବଡ ଅଜବ କଥା !!ସବୁ କଥା ସଂକ୍ଷିପ୍ତରେ ବୁଝି ଗଲା ଲଗ୍ନା ।ୟୁସୁଫ, ଅଟୋଚାଳକକୁ ସେ ଗଳି ରାସ୍ତା ଦେଇ ଲଗ୍ନାକୁ ନେଇ ବହାରିଯିବା ପାଇଁ କହିଲା ।

--ହେଲେ ତୁମେ ?ତୁମକୁ ସେମାନେ ଛାଡିବେନି ।ଏଠି ତ ପରିସ୍ଥିତି ଭୟଙ୍କର ।

---ସେକଥା ଚିନ୍ତା କରନା ।ମୋର କିଛି କ୍ଷତି ହେବନି ।ତୁମେ ଶୀଘ୍ର ଯାଅ ।

---ଆସନ୍ତୁ ମାଡାମ ,ଶୀଘ୍ର ।ସୁଯୋଗଟି ହାତମୁଠା ରୁ ଛାଡିବା ଉଚିତ ନୁହେଁ ।ଆସନ୍ତୁ ।

ଅଟୋ ଚାଳକର ଡାକରେ ଲଗ୍ନା ଆସି ବସିପଡିଲା ।

ସେ ୟୁସୁଫର ଆଖିରେ ସ୍ପଷ୍ଟ ଦେଖିପାରୁଥିଲା ନିବିଡ ଭଲପାଇବାର ଛବି ।ତାକୁ ଲାଗୁଥିଲା ,ୟୁସୁଫକୁ ସାହାଯ୍ୟ କରି ନ ଥିବାରୁ ହୁଏ ତ ସେ ତା ପ୍ରତି ପ୍ରତିହିଂସା ପରାୟଣ ହୋଇ କିଛି କ୍ଷତି ଘଟାଇ ପାରେ ।କିନ୍ତୁ ସେ ତାକୁ ସାହାଯ୍ୟ କରି ତା'ର ଭାବନା ଭୁଲ ପ୍ରମାଣିତ କରିଦେଲା ।ସମସ୍ତେ ସମାନ ନୁହନ୍ତି ।ତମେ ଯାହାକୁ ଭଲ ପାଇବ ସେ ଯେ ତମକୁ ସେଇ ଅନୁପାତ ରେ ଭଲ ପାଇବ ସେକଥା ନୁହେଁ ।ଏମିତି ବି ହୃଦୟ ଅଛି ,ଯାହା କୁ ଜଣେ ଭଲ ନପାଇଲେ ବି ସେ ତାକୁ ଭଲ ପାଉଥାଏ । ୟୁସୁଫ ସେମିତି .....। ""କିନ୍ତୁ ୟୁସୁଫ ତମକୁ ମୁଁ କେମିତି ଭଲ ପାଇ ପାରିବି ?ତୁମେ ଯେ ବିଧର୍ମୀ । ପୁଣି ତୁଷାର ଯେ ମୋ ଜୀବନରେ ପ୍ରବେଶ କରିସାରିଛନ୍ତି ।ମୁଁ ତମକୁ କେବଳ ସହାନୁଭୂତି ହିଁ ଦେଖାଇ ପାରିବି ୟୁସୁଫ ତା'ବ୍ୟତିରେକେ ଆଉ ଅଧିକ କିଛି କରିପାରିବିନି ।ମୋତେ ତୁମେ କ୍ଷମା କର ""ସ୍ୱଗୋତୋକ୍ତି ବାଧା ପାଇଲା ମଲ ପାଖରେ ପହଞ୍ଚି ଯିବାରୁ । ତୁଷାର କିନ୍ତୁ ପ୍ରତୀକ୍ଷିତ ସ୍ଥାନରେ ନ ଥିଲା ।ଦୀର୍ଘ ସମୟ ଏକୁଟିଆ ଅପେକ୍ଷା କରି କରି ଅପ୍ରତିଭ ହୋଇ ଯାଉଥାଏ ସେ ।ଅନେକଙ୍କ ଆଖିରେ ପ୍ରଶ୍ନବାଚୀ ସୃଷ୍ଟି କରୁଥାଏ ତା'ର ପ୍ରତୀକ୍ଷା ।ସେତେବେଳକୁ ଆଖିରୁ ଲୁହ ବାହାରି ଆସୁଥାଏ ଲଗ୍ନା ର ।

'''କାହିଁକି ଏମିତି ହୀନସ୍ତା କରୁଛି ତୁଷାର ।ଆସିବାକୁ କହି ଆସିଲା ନାହିଁ କଣ ପାଇଁ ? ଫୋନ ବି ସ୍ୱିଚ ଅଫ ସୋ କରୁଛି । କିଛି ଲୋଫୋର ପିଲାଙ୍କ ଅଶ୍ଳୀଳ କମେଣ୍ଟ ବି ଖାଇସାରିଲାଣି ।

ନା ଆଉ ଅପେକ୍ଷା କରିହେବନି । ଏମିତି ରେ ବି ରାତି ରେ ଭଲ

ନିଦ ହୋଇନି ଆଉ ଦିନସାରା ଏଠି ଅଯଥା ଟେନ୍ସନ ଘରେ ଜାଣିଲେ କଣ ଯେ ହେବ ? ଭୟ ଲାଗୁଥାଏ ଲଗ୍ନା କୁ ।ସେ ବାହାରିଲା ।ଥକ୍କା ମନ ନେଇ ଗୋଟେ ଗୋଟେ ପାଦ ପକାଇ

ଆଗେଇ ଆସୁଥାଏ ମେନ ରୋଡ ପାଖକୁ । ଜଣେ ଖୁବ୍ ଗୋଟାଏ ଜୋର ରେ ଅଶ୍ଳୀଳ ଗୀତ ପଦେ ଶୁଣାଇ ଦେଇ ଚାଲିଗଲା । କିଛି ଦୂରତ୍ୱ ମଧ୍ୟରେ ହଠାତ ମାର ପିଟ ର ଶବ୍ଦ ରେ ଘୁରି ଚାହିଁଲା ଲଗ୍ନା । ତା ଅଲକ୍ଷ୍ୟରେ ଅନେକ କିଛି ଘଟଣା ଘଟିଯାଇଥାଏ ।ଅଶ୍ଳୀଳ ଗୀତ ଗାଇ ଚାଲିଯାଉଥିବା ପିଲାଟିକୁ

ୟୁସୁଫ ଧରି ପକାଇ ଶକ୍ତ କରି ଦି ଟା ବିଧା ଦେଇଥିଲା ଓ ପ୍ରତି ବଦଳରେ ତା ପାଖରୁ ମଧ୍ୟ ମାଡ଼ ଖାଇଥିଲା ।ପରେ ପରେ ୟୁସୁଫ ର ଅତର୍ଛିଆ ମାଡ ରେ ଦଉଡି ପଳାଇ ଯାଇଥିଲା ।

ମଲ ର ସିକ୍ୟୁରିଟି ହୁଇସିଲ ଫୁଙ୍କୁ ଫୁଙ୍କୁ କାମ ସରିଯାଇଥିଲା ।

ୟୁସୁଫ ତା'ସାଙ୍ଗ ରେ ଆଣିଥିବା କକା ଝିଅ ଭଉଣୀ ନାଜନିନ କୁ ନେଇ ଆସିଥାଏ ବୋଲି ଲଗ୍ନା ଜାଣିଲା ।ବାଧ୍ୟ ହୋଇ ମିଛ କହିଲା ଲଗ୍ନା ,"ଭାଇ ମୋତେ ଡ୍ରେସ କିଣିଦେବେ କହି ଏଠାକୁ ଡାକିଥିଲେ "।

ୟୁସୁଫ ଲଗ୍ନା ପାଇଁ ଗୋଟେ ଅଟୋ ର ବ୍ୟବସ୍ଥା କରିଦେଇ ଭଉଣୀ କୁ ନେଇ ଚାଲିଗଲା ।

ଲଗ୍ନା ଅଟୋ ରେ ବସିବାକୁ ଯାଉଥାଏ ତୁଷାର ଅସ୍ତବ୍ୟସ୍ତ ହୋଇ ଆସି ପହଁଚିଲା ।

-- ଆରେ,ଲଗ୍ନା ତମେ ଏବେ ଆସିଛ ତ ?

ଫେରି ଚାହିଁଲା ଲଗ୍ନା ।

---ନା ,ମୁଁ ଏବେ ଫେରିଯିବି ।ତମେ ଦେଇଥିବା ଟାଇମ ରେ ପହଞ୍ଚି ,ପ୍ରତୀକ୍ଷା କରି କରି ମୋ ଆଖି କ୍ଳାନ୍ତ ହୋଇଗଲାଣି ।

ଏବେ ଆଉ ରହିବାକୁ ଇଛା ହେଉନି । ୟା ଭିତରେ ଅନେକ ଘଟଣା ଘଟିଯାଇଛି । ଯାହା କହିବାର ଅଛି ଶୀଘ୍ର କହି ଦିଅ ।

---ନା ,ଥାଉ ଆଜି ,ତୁମେ ଫେରିଯାଅ ଥକିଯାଇଛ । ପରେ

କେତେବେଳେ ଥରେ ଦେଖା କରିବ ।ଅନେକ କାମ ରେ ରହିଯାଇଥିଲି ।ଆସିପାରିଲିନି ଠିକ୍ ସମୟରେ ।ତେଣୁ ଖରାପ ଭାବିଥିବ ।ହେଲେ ବି ମଲ ରେ ଟାଇମପାସ ହେବାର ବହୁତ ବ୍ୟବସ୍ଥା ଅଛି ।ବିଲକୁଲ ଵୋର ଲାଗି ନ ଥିବ ।

କିଛି ନ କହି ଲଗ୍ନା ଅଟୋ ରେ ବସିପଡିଲା ।

ରାସ୍ତା ସାରା ତାକୁ ୟୁସୁଫ ର ସରଳ ନିରୀହ ମୁଖମଣ୍ଡଳ ରେ ତେରେଛା ଚାହାଣୀ ମନେ ପଡୁଥିଲା ।ଲଗ୍ନା ଯାହାକୁ ଚାହେଁ

ସେ କିନ୍ତୁ ତା'ର ସାମାନ୍ୟତମ ଖବର ବୁଝିବାକୁ ଚେଷ୍ଟା ହିଁ କଲାନି ।କିନ୍ତୁ ପ୍ରତ୍ୟେକଥର ୟୁସୁଫ ହିଁ ତା ପାଖରେ ଥିଲା ।ଅଥଚ ସେ ୟୁସୁଫ କୁ କେବେ ମନ ଦେଇପାରିବନି । ତାକୁ ପ୍ରେମ କରିବା ମନା ।କାରଣ ସେ ହିନ୍ଦୁ ଘର ର ଝିଅ ।ପିତା ମାତା ଙ୍କର ବାଧ୍ୟ ସନ୍ତାନ । ସେ କାହାର ଅବାଧ୍ୟ ହୋଇ ପାରିବନି ।କେବଳ ନିଜ ଭିତର ର ନିଃଶବ୍ଦ ସହର ରେ ନୀରବ ଭାଷା କୁ ଉପଲବ୍ଧି କରିପାରିବ ।

* * * * * * *

ଆଜି ତାଙ୍କର ବିବାହ ବାର୍ଷିକୀ ।ତୁଷାର ସହିତ ୟା ମଧ୍ୟରେ ଲଗ୍ନା ର ବିବାହ ହୋଇଯାଇଛି ଦୁଇ ପରିବାର ର ସମ୍ମତି ରେ ।

ତୁଷାର ବିଦେଶୀ ସଂସ୍ଥା ତ୍ୟାଗ କରି ସ୍ବଦେଶ ରେ ଚାକିରୀ କରିଛି ଏବଂ ଲଗ୍ନା ମେଡିକାଲ ଅଫିସର ରୂପେ ସରକାରୀ ଚାକିରୀ ପାଇ ଯାଇଛି ।ଜୀବନ କେବେ ଭାଵ ର ଜୁଆର ରେ ଆଉ କେବେ ଭଟ୍ଟା ଦେଇ ଆଗେଇଛି ସତ କିନ୍ତୁ ଲଗ୍ନା ସେଇ ନିଃଶବ୍ଦ ଭାଷା ର ସ୍ୱର ଟିକୁ କେବେ ପାଶୋରି ପାରି ନାହିଁ ।

ସେଇ ତୀର୍ଜକ ଚାହାଣୀ ଆଉ ସେଇ ନିରୀହ ଛଳ ଛଳ ମୁହଁ ।

ସତେ ଯେମିତି ଆଜିରେ ବି କହୁଛି ,"ମୋତେ ଭୁଲିଯିବନି ....

ଏତେ ଟିକେ ଜାଗା ଦେଇ ପାରିବନି ......."।

ହୃଦୟ ରେ କୋହ ଉଠେ ।ଇଛା ହୁଏ କାନ୍ଦିବାକୁ ।କିନ୍ତୁ ପ୍ରଚଣ୍ଡ ଭୟ ,କିଏ ଦେଖିବ ...ପଚାରିବ ......ଅନେକ ଲୋକ ଅନେକ ପ୍ରକାର କଥା କହିବେ ।ତା ପିଠି ରେ ଅସତୀ ର ,ପରକୀୟା ପ୍ରୀତି ର ମୋହର ଲାଗିଯିବ ।ବଞ୍ଚି ପାରିବ ତ ,ଏ ସୁଖ ,ସ୍ୱାଚ୍ଛନ୍ଦ୍ୟ ,ସମ୍ମାନ କୁ ବଳିଦେଇ ,ନିଜର ପରିଚୟ ବଦଳାଇ ଚତୁର୍ଦିଗ ରୁ ଘୃଣା ସାଉଁଟି ବଞ୍ଚିବା କମ ସାହସ ର କଥା ନୁହଁ ।ନା ସେସବୁ ସେ ପାରିନାହିଁ କି ଭବିଷ୍ୟତରେ ମଧ୍ୟ

ପାରିବନି ।ସେଇ ନିଃଶବ୍ଦ ଇଲାକା ର ରାଜା ସେ ।ସେଇଠି କେବଳ ଗୋଟିଏ ଭାଷା ଚାଲେ ,ସେ ହେଉଛି ନୀରବ ସ୍ୱର ..

ସେଇଟା କେବଳ ସେ ଜାଣେ ,ବୁଝେ ଭାଵ ର ଆଦାନ ପ୍ରଦାନ କରେ ।ସବୁ ନୀରବ ରେ କିଛି ସମୟ ପାଇଁ ,ତୁଷାର ନିକଟରେ ନିଜକୁ ସମର୍ପଣ କରିବା ପୂର୍ବରୁ ।......।

* * * * * * *

ସିପ୍ରା ନାମତା ( ନମ୍ରତା )

ବାରିପଦା

ମୟୁରଭଞ୍ଜ

8249850168

ମାଇକ୍ରୋବାୟୋଲୋଜି ପ୍ରଫେସର ନିଃଶବ୍ଦ

Rate the content


Originality
Flow
Language
Cover design

Comments

Post

Some text some message..