Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Others

3  

Anil Kumar Parhi

Others

ଦର୍ପଣ - ୪

ଦର୍ପଣ - ୪

6 mins
7.2K


ଦେଇଥିବା କଥା ଅନୁସାରେ ବନ୍ଧୁ ଠିକ ଶନିବାରିଆ ସଂଧ୍ୟା ସାତଟା ବେଳେ ପହଁଚିଲେ। ବେଶ୍ ଚଇନି ଚିକ୍କଣ ହୋଇଥାନ୍ତି। ଚୁଡିଦାର ପଞ୍ଜାବୀ ପରିଧାନ। କାନ୍ଧରେ ପକେଇଥାନ୍ତି ଶାନ୍ତି ନିକେତନ ବ୍ୟାଗ୍। ମୁଁ ପଚାରିଲି –“କିହୋ ବାହା ହବାପାଇଁ ଯାଉଛ ନା କ’ଣ! ସେ ହସିଲେ ଏବଂ କହିଲେ - ସ୍ଥାନଂ ପ୍ରଧାନମ୍ ନା ଚ ବଳଂ ପ୍ରଧାନମ୍। ଯେଉଁ ସ୍ଥାନକୁ ଯିବ ସେହି ଅନୁସାରେ ଭେକ ଗ୍ରହଣ କରିବ ନା!”

ମୁଁ ହାପ ପ୍ୟାଣ୍ଟ ଖଣ୍ଡେ ପିନ୍ଧି ଟହଲ ମାରୁଥିଲି। ଘରେ ଏକୁଟିଆ। ସ୍ତ୍ରୀ ଛୁଆପିଲା ବାହାରେ। ପଚାରିଲି – “ଚା ଟିକେ ବସେଇ ଦେବି! ମୁଣ୍ଡଟା ଟିଣଟିଣ୍ ହୋଇ ବିନ୍ଧୁଛି!” ବନ୍ଧୁ ଭାରି ବିରକ୍ତ ହେଲେ। କହିଲେ – “ଏଇଟା ତମର ନଯିବାର ପେଖନା। ବୁଝିଲ ବିଳରେ ପଶିପଶି ତମେ ବିଳୁଆ ମୂଷା ପାଲଟି ଗଲଣି। କୂପମଣ୍ଡୁକ!”

ମୁଁ ହସିଲି। ସାରା ସାହିତ୍ୟ ଜଗତରେ ଏହି ବନ୍ଧୁ ସାହିତ୍ୟିକ ଜଣକ ମୋ ପ୍ରତି ହେଉଥିବା ଅନ୍ୟାୟର ଏକାକୀ ଲଢେଇ ଜାରି ରଖିଛନ୍ତି! ନହେଲେ ମୋର କ’ଣ ହେଲା କାହାର କ’ଣ ଯାଏ!

ବନ୍ଧୁ କହିଲେ – “ତମକୁ ସାତଟା ସୁଦ୍ଧା ରେଡି ହେବାକୁ କହିଥିଲି ନା! କଲେଜରୁ ତ ଫେରିଲଣି ଚାରିଟା ବେଳୁ। କରୁଥିଲ କ’ଣ!” ମୋ ପାଟିରୁ ସତ ବାହାରିଗଲା – “ଭାଇ, କାଲି ରାତିରେ ଏଣ୍ଡ ଟିଭିରୁ ଭାବିଜୀ ଘର ପର୍ ହୈ ଦେଖିନଥିଲି। ଆଜି ରି ଟେଲିକାଷ୍ଟ ଦେଖୁଦେଖୁ ଶୋଇପଡିଛି!” ବନ୍ଧୁ ଆହୁରି ବିରକ୍ତ ହେଲେ – “ଶଃ। ଦୁନିଆ କୋଉଠି ଯାଇ କୋଉଠି ପହଞ୍ଚିଲାଣି! ତମେ ଶୀଘ୍ର ବାହାର। ଯେଉଁଠିକୁ ଯିବା ସେଠି ଚା,ଫା ସବୁ ଜିନିଷର ଆୟୋଜନ ଅଛି।“

ମୁଁ ଦାଢି କାଟିବାକୁ ବେସିନ୍ ଆଗରେ ଠିଆହେଲି। ବନ୍ଧୁ କହିଲେ, ଥାଉ। ଦାଢି ଅକଟା ଚାଲ। ପର୍ସନାଲିଟି ବଢିବ। ରଫ୍ ଆଣ୍ଡ ଟଫ୍ ଦିଶିବ। ମୁଁ ମୋ ପାକଲା ଦାଢି ଭର୍ତ୍ତି ମୁହଁକୁ ବେସିନ ମିରର୍ ରେ ଦେଖି ନିଜର କଦାକାର ତାକୁ ଘୃଣା କରିବସିଲି। ହେଃ, ଯିଏ ଭାବିବ ବୁଢାଟା! ତେବେ, ବନ୍ଧୁଙ୍କ ନିର୍ଦ୍ଦେଶ। ମୋର ଏ ଭାବାନ୍ତରକୁ ବୁଝିପାରି ବନ୍ଧୁ ବୁଝେଇଲେ - ଅମୀର ଖାଁ, ଧୋନୀ, ଅକ୍ଷୟ କୁମାରଙ୍କୁ ଦେଖିନ କେମିତି ଆଜିକାଲି ସାଲୁବାଲୁ ପାକଲା ଦାଢି କରି ସଭାସମିତିକୁ ଆସୁଛନ୍ତି। ନିଶକାଟି, ଦାଢିକାଟି ତମେ କ’ଣ ତମକୁ ଇମାଚ୍ୟୁର ପ୍ରମାଣିତ କରିବାକୁ ଚାହଁ। ଜାଣିନ, ଆଜିକାଲି ବୟସଫୟସ କିଛି ନାହିଁ। ସମସ୍ତେ କେବଳ ଆଭିଜାତ୍ୟ ଆଉ ମ୍ୟାଚୁରିଟି ପଛରେ ଗୋଡେଇଛନ୍ତି। ତମର ତ ଆଭିଜାତ୍ୟ ନାହିଁ, ଅନ୍ତତଃ ମ୍ୟାଚୁରିଟି ରହୁ।

ବନ୍ଧୁଙ୍କ ନିର୍ଦ୍ଦେଶ ଅକାଟ୍ୟ। ଗଲା ଦୁଇବର୍ଷ ଧରି ଏ ମିଶନରେ ମୋତେ ସାମିଲ କରିବା ପାଇଁ ସେ ଲାଗିଛନ୍ତି। ଦିନେ ତ ଅମୀର ଖାଁଙ୍କ ଉଦାହରଣ ଦେଇ ମୁଁ ତାଙ୍କୁ କହିଥିଲି - ଯେମିତି ଅମୀର ଖାଁ କୌଣସି ପୁରସ୍କାର ଉତ୍ସବକୁ ଯାଆନ୍ତିନି, ମୁଁ ବି ଯାଏନି। ବନ୍ଧୁ ଉତକ୍ଷିପ୍ତ ହୋଇଥିଲେ - ତା ମାନେ ତମେ ଆଉ ଅମୀର ଖାଁ ସମାନ ଷ୍ଟେଟସ୍ ର। ପ୍ରିୟ ମାଷ୍ଟ୍ରେ, କଳାପଟାର ଶବ୍ଦ ଆଉ ସାହିତ୍ୟର ଶବ୍ଦ ଅଲଗା। ବନ୍ଧୁ ମୋତେ ଚିଡେଇବା ପାଇଁ ପ୍ରାୟତଃ ଏହି ମାଷ୍ଟ୍ରେ ଶବ୍ଦ ବ୍ୟବହାର କରିଥାନ୍ତି।

ଗଲା କେଇମାସ ଭିତରେ ଆଦୌ ସାହିତ୍ୟ ସମ୍ମିଳନୀ ଆଉ ପୁସ୍ତକମେଳାକୁ ଯାଉନଥିବା ମୁଁ ଏବେଏବେ କିଛିକିଛି ସଭାସମିତି ଆଟେଣ୍ଡ କଲିଣି। ଧାଡିରେ ଥାଳି ଧରି ଠିଆହେଲିଣି।

କାଜୁଆଲ୍ ରେ ବାହାର। ମୁଁ ଡ୍ରେସକୁ ଇନ୍ କରୁଥିବାର ଦେଖି ସେ କହିଲେ। ମୁଁ ଶେଷ ଥର ପାଇଁ ନିବେଦନ କଲି – “ଭାଇ, ଆଜି ନଯାଇ ଆଉ କୋଉଦିନ ଗଲେ ହବନି। ମୁଣ୍ଡଟା ପଛପଟୁ ଖାଞ୍ଚିକି ଧରିଛି।“

ସେ ମୁହଁକୁ କିଛି ସମୟ ଗମ୍ଭୀର ହୋଇ ଚାହିଁଲେ। କହିଲେ – “ବସିଥା, ବସିଥା। ସେପଟେ ସେ ନେତା ମିଶ୍ର ତମ ନାମରେ ଅପପ୍ରଚାର କରି ଗଲା ବର୍ଷ ପୁରସ୍କାରଟିକୁ ଅନ୍ୟ ଜଣକୁ ଦିଆ କରେଇ ଦେଲା। ଏବେ ଲାଗିଛି ସରକାରୀ ସଂସ୍ଥା ଦ୍ବାରା ଆଉ ଜଣକ ସମ୍ପୂର୍ଣ୍ଣ ସାହିତ୍ୟ ଗ୍ରନ୍ଥାବଳୀ ବାହାରୁ। ଏଥର ପୁରସ୍କାର ପାଇଁ ବି ନାମ ରେଡି।“

ମୁଁ ପ୍ରତିବାଦ କଲି - ମୁଁ ତ ମିଶ୍ରକୁ କିଛି କହିନି। ସେ ମୋର ଜଣେ ଭଲ ବନ୍ଧୁ ବୋଲି ମୁଁ ଭାବେ।

ବନ୍ଧୁ ନା ଗୁଲ୍ଲା ଆଳୁ! ଫେସବୁକରେ ତମେ ଯାହା ନାଇଁ ତା ଲେଖୁଛ। ସେମାନେ ମିଡିଆରେ ଅଛନ୍ତି। କେତେଥର ତାକୁ ଫୋନ କରିଛ! କେତେଟା ନିବନ୍ଧ ତା କବିତା ଉପରେ ଲେଖିଛ। ଦେଖ, ତମ ପାଖାପାଖି ବୟସର ହେଇବି ସେ ଆଜି ଟିଭି, ଖବରକାଗଜରେ ଛାଇ ହୋଇଯାଇଛି। ତା ପାଖରେ ମାନ ଅଛି, ମର୍ଯ୍ୟାଦା ଅଛି। ତମ ପାଖରେ ଅଛି କ’ଣ? ମୋ ପାଟିରୁ ବାହାରି ଆସୁଥିଲା - ମୋ ପାଖରେ ମା ଅଛି। ଭାଗ୍ୟ ଭଲ ସେ ଡାଇଲଗଟାକୁ ମୁଁ ଢୁକି ଦେଲି।

ତମେ ପରା କହୁଛ ପୁରସ୍କାର ବଣ୍ଟା ସରିଲାଣି, ଆଉ ଯିବା କାହିଁକି! ତମେ ଜାଣିନା ପୁରସ୍କାର ବିଷୟରେ ତ୍ରିପାଠୀ ଭାଇନା କହୁଥିଲେ। ପ୍ରଥମେ ସାହିତ୍ୟିକମାନଙ୍କ ଲିଷ୍ଟ ଯିବ ଓଡିଶାର ପ୍ରତି ଜିଲ୍ଲାର ପ୍ରତିନିଧିମାନଙ୍କ ପାଖକୁ। ସେଠୁ ବଛା ହୋଇଥିବା ନାମ ଯିବ ତିରିଶଜଣ ବରିଷ୍ଠ ସାହିତ୍ୟିକମାନଙ୍କ ପାଖକୁ। ସେଠୁ କାଟଛାଟ ନାମ ପହଞ୍ଚିବ ପନ୍ଦରଜଣିଆ ସଦସ୍ୟଙ୍କ ପାଖରେ। ତାପରେ ଦଶଜଣ, ପାଞ୍ଚଜଣ, ତିନିଜଣିଆ ସଦସ୍ୟ ହୋଇ ଦୁଇଟି ନାମ ପାଖରେ ରୁକୁଣାରଥ ଅଟକି ଯିବ! ସଂପାଦକ, ସଭାପତି ଶେଷ ନିର୍ଣ୍ଣୟ ନେବେ। ଏତେ ଘାଟରେ ମୋ ପାଣି ଉଠିବନାହିଁ। ମୋତେ ଚିହ୍ନିଛି କିଏ, ଜାଣିଛି କିଏ!

ବନ୍ଧୁ ତ୍ରିପାଠୀ ଭାଇନାଙ୍କ ବିରୁଦ୍ଧରେ ଅପ ଶବ୍ଦ ଉଦଗାରୀ ଆଣୁଥିଲେ। ସଂକ୍ଷିପ୍ତରେ ପଚାରିଲେ – “ଯିବ ନା ନାହିଁ!”

ମୁଁ କବାଟରେ ତାଲା ଦେଲି। କାର୍ ଷ୍ଟାର୍ଟ କରିବାକୁ ଯାଉଛି ବନ୍ଧୁ ଗର୍ଜିଉଠିଲେ – “ଓହୋ, ତମରି ଯା ଏକା କାର୍ ଅଛି! ଶଳା କାର୍ ଡ୍ୟାସ୍ ଚଢିଲେଣି! ବସ ମୋ ବାଇକ ପଛରେ।“ ମୁଁ ଗୋଟାଏ ସମ୍ମୋହିତ ମାଙ୍କଡ ପରି ତାଙ୍କ ପଛରେ ବସିପଡିଲି।

କୁଆଡେ ଯାଉଛୁ ଆମେ? କୁଆଡେ! ଆହା, ବଢିଆ ଜିଲାପି ଛଣା ହେଉଛି। ଡାଇବେଟିସ ଯୋଗୁଁ କେଉଁ ମିଠା ଖାଇହେଉଛି ଯେ! ହେଇ, ଗରମ ଘୁଘୁନି। ଏଇ ଜାଗାରେ ଭଲ ମିଳେ! ନା, ଗାଡି ଅଟକୁନି। ମଝିରେ କେବଳ ବନ୍ଧୁ ଦୁଇଚାରିଟି ସତର୍କବାଣୀ ଶୁଣେଇଥିଲେ -

1. ତମେ ଯେତେ ଭୁଲ ଦେଖିଲେ, ଶୁଣିଲେ ପ୍ରତିବାଦ କରିବନାହିଁ।

2. ସମ୍ମାନ ଖୋଜିବ ନାହିଁ। ସାନ ବଡ ସମସ୍ତଙ୍କୁ ହାତ ଯୋଡିବ, ବିଶେଷତଃ ନାରୀମାନଙ୍କୁ।

3. ଇଚ୍ଛା ଥାଉ ନଥାଉ କେବଳ ସେମାନଙ୍କ ପ୍ରଶଂସା କରିବ।

4. କମ୍ କହିବ ବା ଆଦୌ ନକହିପାର। କିନ୍ତୁ ଶୁଣିବ।

ବନ୍ଧୁଙ୍କର ଏ ଚରମବାଣୀ ଶୁଣିଲା ବେଳକୁ ମୋତେ ଅଣନିଶ୍ଵାସୀ ଲାଗିଲାଣି। ଇଚ୍ଛା ହେଉଥିଲା ଖପ୍ କରି ଗାଡିରୁ ଡେଇଁ ପଡିବି!

ଆମେ ମୁଖ୍ୟ ରାସ୍ତାରୁ ଗୋଟିଏ ଗଳି ରାସ୍ତାକୁ ଉଠି ସାରିଥିଲୁ। ଅନ୍ଧାରିଆ ଜାଗାଟା। ମୂତଗନ୍ଧ ଆଉ ଚା’ ବାସ୍ନା ମିଶିକି ଆସୁଥିଲା। ପଲିଥିନରେ ଆଉ ଚାଞ୍ଚଡାରେ ତିଆରି ଗୋଟେ ଘର ପାଖରେ ବନ୍ଧୁ ବାଇକ୍ ର ଷ୍ଟାର୍ଟ ବନ୍ଦ କଲେ। ଓହ୍ଲାଅ, କହିଲେ ସେ। ଏଇଠି! ମୁଁ ଅର୍ଦ୍ଧଚକିତ ହେଉହେଉ ପଚାରିଲି। ଆଉ କ’ଣ ଫାଇଭଷ୍ଟାର ହୋଟେଲରେ! ଶାଣିତ ବ୍ୟଙ୍ଗରେ ବନ୍ଧୁ ଉତ୍ତର ଦେଲେ।

ମୋତେ ଜୋର୍ ରେ ପରିସ୍ରା ଲାଗୁଥିଲା। ବନ୍ଧୁ ବିରକ୍ତିରେ ମୋତେ ଗୋଟେ ଗୁମୁଟି ପଛକୁ ନେଇଗଲେ।

କପେ ଚା’ ପିଇଲେ ହୁଅନ୍ତାନି! ମୁଁ ଧୀରେ କହିଲି।

ବନ୍ଧୁ ମୋ ହାତ ଧରି ଘୋଷାରି ନେଇଗଲେ।

ଭିତରେ ଜଳୁଥିଲା ଗୋଟେ ଚାଳିଶ ପାଓ୍ବାରବାଲା ଲୋ ଭୋଲଟେଜ ରୋଗାକ୍ରାନ୍ତ ବଲବ। ଗୋଟେ ଭାତ ଖିଆ ପ୍ଲାଷ୍ଟିକ ଟେବୁଲ ପଡିଥିଲା ଓ ଆଉ କେତୋଟି ପ୍ଲାଷ୍ଟିକ ଚେୟାର୍। ବନ୍ଧୁ ମୋତେ ଚିମୁଟି ଦେଲେ। ମୁଁ ଚେନ୍ ବାଣ ଫୁଟିଲା ପରି ସାନବଡ ସମସ୍ତଙ୍କୁ ନମସ୍କାର କରିଦେଇଗଲି।

ଭିତରଟା ମୋତେ ଡକାୟତ କବଳିତ ପରିତ୍ୟକ୍ତ ଗ୍ୟାରେଜ ପରି ଲାଗୁଥିଲା। ଲାଗୁଥିଲା ଯେମିତି ସମସ୍ତେ କଳା ପୋଷାକ ପିନ୍ଧି, କପାଳରେ ଲମ୍ବା ସିନ୍ଦୂରଗାର ଟାଣି ବନ୍ଧୁକ ଧରି ବସିଛନ୍ତି! ଏଠି ସେଠି ଯେମିତି ଟାୟାର୍ ଗଦା ହୋଇଛି ବା ରଶିରେ ବନ୍ଧାହୋଇ ଝୁଲୁଛି।

ପ୍ରାୟ ସବୁ ଚେୟାର ଅଧିକୃତ ହୋଇସାରିଥିଲା। ସାହିତ୍ୟର ପ୍ରାୟ ବିଶିଷ୍ଟ, ବରେଣ୍ୟ ଓ ଅତି ବରେଣ୍ୟ ମାନେ ସେଠି ଠୁଳ ହୋଇଥିଲେ। ଏଇମାନଙ୍କ ଭିତରୁ ଆମ କଲେଜ ଆନୁଆଲ ଫଙ୍କସନ୍ ରେ ଗେଷ୍ଟ କରିବା ପାଇଁ କେତେଜଣଙ୍କୁ ନିବେଦନ କରି ଅପମାନିତ ହୋଇ ଫେରିଛି!

ଜଣେ ମଧ୍ୟବୟସ ଅତିକ୍ରାନ୍ତ ସାହିତ୍ୟିକ ବସିଥିଲେ ମଝା ମଝିରେ। ବନ୍ଧୁ ଓ ମୁଁ ଦୁଇଜଣ ଗୋଟାଏ ବେଞ୍ଚର ଶେଷ ଆଡକୁ ଆଡଜଷ୍ଟ କରି ବସିଗଲୁ।

ଭାଇ! କାଲି ରାତି ନଅଟାରେ ଟ୍ରାଫିକ୍ ଛକ ପାଖରେ ପଣ୍ଡା ଆଉ ତା ଦଳ ଠିଆ ହୋଇ ଆମ ବିଷୟରେ ଗପୁଥିଲେ, କହିଲା ହାଡୁଆ ଏବଂ କମେଡିଆନ ପରି ଚେହେରା ରଖିଥିବା ଟୋକା।

ତମେ କେତେ ଜଣ ଥିଲ? ପଚାରିଲେ ମହାମହିମ।

ସାତଜଣ! ଟୋକା ଉତ୍ତର ଦେଲା।

ତଥାପି ଫେରିଆସିଲ। କହିଲା ଗବବର୍।

ମୋତେ ଢୁଳ ଲାଗିଥିଲା। ମୁଁ ଟିକେ ସ୍ବପ୍ନେଇଗଲି।

କ୍ୟା ସୋଚକେ ଲୌଟ୍ ଆୟେ! ସର୍ଦ୍ଦାର ଖୁସ୍ ହୋଗା, ଇନାମ ଦେଗା!

ଠକ୍, ଠକ୍, ଠକ୍ - ଗବ୍ବର ଜୋତାର ଆବାଜ୍।

ବନ୍ଧୁ ମୋତେ କେଞ୍ଚିଦେଲେ।

ଆଜି ଆମ ଗହଣରେ ଅଛନ୍ତି ତିନିଜଣ ବିଶିଷ୍ଟ କବି। ଆସନ୍ତୁ ପ୍ରଥମେ ସେମାନଙ୍କ କବିତା ଶୁଣିବା, କହିଲେ ମହାମହିମ। ବୋଧେ ମୋ ଢୁଳେଇବା ଭିତରେ ଗବ୍ବର ଚ୍ୟାପ୍ଟରଟା ସରିଯାଇଥିଲା। କେହି ଜଣେ ମୋ ହାତକୁ ଚା’ ଭର୍ତ୍ତି ପ୍ଲାଷ୍ଟିକ କପଟେ ବଢେଇଲା।

କବିତା ପଢା ଚାଲିଛି। ଚର୍ଚ୍ଚା ଚାଲିଛି। ଗାଁ ଗହଳିରୁ ଭାଗବତ ଟୁଙ୍ଗୀ ବୁଡିଗଲାଣି, ଏବେ ସହରରେ ନୂଆ କଳେବରର ଏ ଟୁଙ୍ଗୀସବୁ। ଏଇଠି ନିର୍ଣ୍ଣୟ କରାଯାଏ କିଏ କୋଉ ପୁରସ୍କାର ପାଇବ, କିଏ କୋଉ ସେମିନାର ଯିବ, କାହାର ବହି ଛପାଯିବ। ସାହିତ୍ୟ ଏଇଠି ଗୋଟେ ଚା’ କପର ଧୂଆଁରେ ଅବୟବହୀନ ହୋଇ ଫୁସ୍ ହୋଇଯାଏ!

ପ୍ରତିନିଧି ଆସିଛନ୍ତି ଓଡିଶାର ଦୂରଦୂରାନ୍ତ, ଉପାନ୍ତ ଅଞ୍ଚଳରୁ। ଏ ସହରରେ ଏବେ ଦୂରଦୂରାନ୍ତ ଅଞ୍ଚଳର କବ୍ଜା।

ମୁଁ ବିଚାରୁଥିଲି, ଏମାନେ ଏଠି ଯେ ଡେରା ପକେଇଛନ୍ତି, ଏମାନଙ୍କୁ ଖାଇବାକୁ ଦେଉଛି କିଏ, ରାତିରେ ରହୁଛନ୍ତି କେଉଁଠି!

କବିତା ପଠନ ସରିଗଲା। କେଇଜଣ ନାରୀ ସାହିତ୍ୟିକ ଶୁଣିଥିବା କବିତାରୁ ଦେହ ବିଦେହର ବ୍ୟାଖ୍ୟା କରି ଦେହକୁ ସର୍ବୋପରି ସ୍ଥାନ ଦେଲେ। ସେମାନଙ୍କ ବରେଣ୍ୟମାନଙ୍କ ସହିତ କର ମର୍ଦ୍ଦନ ଏକ ନୂଆ ରୀତି ଯୁଗର ସଂସ୍ଥାପନାର ଆରମ୍ଭ ଥିଲା।

ଭାଇ! ମହାମହିମଙ୍କ ଉଦ୍ଦେଶ୍ୟରେ କହିଲେ ବନ୍ଧୁ।

କ’ଣ କୁହ! ମହାମହିମ କହିଲେ।

ୟା’ଙ୍କୁ ନେଇ ଆସିଥିଲି। ମୋ ଆଡକୁ ଆଙ୍ଗୁଳି ଦେଖେଇ ବନ୍ଧୁ କହିଲେ।

ଓହୋ! ଘୁଷ୍ ପଣ୍ଡିତ ତ ଏଠାକୁ ଆସିବା କଥା ନୁହେଁ। ସେ କହିଲେ। ହାସ୍ୟରୋଳ ସୃଷ୍ଟି ହେଲା।

ଛାଡନ୍ତୁ ମ ଭାଇ। ଯୋ ବିତ୍ ଗୟା ସୋ ବିତ ଗୟା। କହିଲେ ବନ୍ଧୁ।

କିଛି ସମୟ ଗଭୀର ନୀରବତା।

ମୋତେ ଶୁଭୁଥିଲା ଗବବରର ଜୋତାର ଆବାଜ - ଠକ୍, ଠକ୍, ଠକ୍!

କିତନେ ଗୋଲି ହେ ରେ କାଲିଆ!

ଛେ ସର୍ଦ୍ଦାର!

ଔର ତୁମ ଲୋଗ!

ଚାର୍ !

ଛାଡିଦେବି! ଭୁଲିଯିବି। ୟେ %#&%# କ’ଣ କହିବି ଯା।

ଭାଇ ପାଞ୍ଚବର୍ଷ ହେଲା ପୁରସ୍କାରରୁ ନାମ କଟୁଛି। କହିଲେ ବନ୍ଧୁ।

ପାଞ୍ଚ କ’ଣ, ଏମିତି ପଚାଶ କଟିବ।%#&%#।

ଛାଡନ୍ତୁ ପୁରୁଣା କଥା। ବନ୍ଧୁ ବହୁ ବିନମ୍ର ହେଉଥିଲେ।

ମୋ ସୁତୁଲି ବାଣର ସୁତୁଲିରେ କିଏ ନିଆଁ ଲଗେଇ ସାରିଥିଲା।

ମୁଁ ଅମିତାଭ ବଚ୍ଚନରେ ପରିଣତ ହୋଇଯାଉଥିଲି। ମୁଦ୍ରାଟିକୁ ଯୁଆଡୁ ପକାଇଲେ, ଯେତେଥର ପକେଇଲେ ହେଡ୍ ହିଁ ଆସୁଥିଲା।

ମୋର ହେଡ ବ୍ୟତୀତ ଟେଲ୍ ହିଁ ନଥିଲା।

ଦେଖିବା। କହିଲେ ଜଣେ ବରେଣ୍ୟ। ୟାଙ୍କ ଲେଖାରେ ଆଦୌ କ୍ବାଲିଟି ନାହିଁ। ଫାଲ୍ତୁ ଲେଖା। ଆଉ ତମେ ଯେଉଁ କହୁଛ ୟାଙ୍କ ନାମ ଫାଇନାଲରୁ କଟୁଛି ସେଇଟା ମିଛ! ପ୍ରିଲିମନାରୀ ଲେଭେଲରେ ବି ୟାଙ୍କ ନାମ ଆସୁନି!

ନିଆଁ ବମ୍ ଆଡକୁ ଆଗେଇ ଆସୁଥିଲା। ହ୍ବିସ୍କ ବୋତଲ ଖୋଲା ସରିଥିଲା। କାଚ ଗ୍ଲାସର ଟୁଣଟାଣ ମୋତେ ଅଶ୍ଳୀଳ ଲାଗୁଥିଲା।

ସାହିତ୍ୟ ଗାନ୍ଧର୍ବ ଶାସ୍ତ୍ର। ଏଥିରେ ଟିକେ ନହେଲେ ହବନି। ଯିଏ ଶ %#%# କହିବ %#%#।

ବନ୍ଧୁ ଠିକ୍ ମୋର ଢୋକରି ଫୁଟିବା ସମୟରେ ମୋତେ ଟାଣିଟାଣି ବାହାରକୁ ନେଇ ଆସିଲେ।

ବାହାରେ ଥିଲା ସ୍ତବ୍ଧ ଅନ୍ଧକାର!

ଦିଗହୀନ ଭ୍ରାନ୍ତି।

ବାହାରେ ଠିଆ ହୋଇଥିଲେ ଯୁଦ୍ଧ କରୁଥିବା ଜଣେ ଲେଖକ। ବୋଧେ ପହଞ୍ଚିବାରେ ବିଳମ୍ବ ହୋଇଯାଇଛି। ଆରେ ସାଥିରେ କିଏ! ମୁଁ ତାଙ୍କୁ ଥରେଅଧେ ଦେଖିଛି। ସାହିତ୍ୟିକ ବନ୍ଧୁଙ୍କ ଅନିନ୍ଦ୍ୟ ସୁନ୍ଦରୀ ପତ୍ନୀ! ଇଏ ତ ସାହିତ୍ୟର ଧାର ଧାରନ୍ତି ନାହିଁ! ଇଏ କାହିଁକି ଆସିଛନ୍ତି ଯେ!

ସେତେବେଳକୁ ମୋତେ ପୁଣିଥରେ ଜୋରରେ ପରିସ୍ରା ଲାଗିଲା। ବନ୍ଧୁଙ୍କ ବିନା ସାହାଯ୍ୟରେ ଏଥର ମୁଁ ଗୁମୁଟି ପଛକୁ ପଳେଇଲି।

... ................. ଶେଷ ..................

ଘଟଣା, ଚରିତ୍ର ସବୁ କାଳ୍ପନିକ। କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କ ସହିତ ଏହାର କିଛି ସମ୍ପର୍କ ନାହିଁ।


Rate this content
Log in