Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Tragedy Drama

4.3  

Bibhu Samanta

Tragedy Drama

ନୀଳ ପରିଧି

ନୀଳ ପରିଧି

3 mins
539



                 

 ।।୧।।

ସକାଳେ କ୍ଷୀର ଦୁହିଁବା ବେଳେ ପହଞ୍ଚିଲେ ବିନି । ଗୋପି ପଚାରିଲା ,"କ'ଣ ନୂଆଉ ଆଜି ସକାଳୁ ଆମ ଘରକୁ ବାଟ ଭୂଲି ଚାଲିଆସିଲ କି? ତୁମକୁ ପା ଆମ ଏଇ ଗୋବର ଗୁହାଳ ଗନ୍ଧରେ ବାନ୍ତି ମାଡ଼େ ! ବିନି କହିଲେ , "ନାଇଁ ମ ! କଥା କଣ କି, ଆଜି ଜନ୍ମାଷ୍ଟମୀ ତ, କ୍ଷୀର ଆଉ ଲବଣି ଟିକେ ପାଇଁ ଆସିଥିଲି। ହେଇ ରଖ ଏ ପଚାଶ ଟଙ୍କା। ଆଉ ଟିକେ ପରେ ଆସି ମୁଁ ନେଇ ଯିବି"। ଦୂରରୁ ଥାକରେ ନୋଟ୍ ଟେ ଥୋଇ ଦେଇ ଚାଲିଗଲେ ସେ। ଗୋପି ଦେଖିଲା ପଚାଶ ଟଙ୍କା କିଛି ମନ୍ଦ ନୁହେଁ। ଏମିତି ହୁଅନ୍ତାନି ସବୁଦିନ, ତା ଅଭାବୀ ସଂସାର ଟା ଟିକେ ବାଟକୁ ଆସି ଯାଆନ୍ତା। ଏତିକି କହି କଞ୍ଚା କ୍ଷୀର ଟିକେ ଅଲଗା ରଖି, ବାକି କ୍ଷୀରକୁ ଚୁଲିରେ ବସେଇ ସେ ଗଲା ଗାଧୋଇବାକୁ। 

କୁନି ଗୋପାଳଙ୍କୁ ଟିପେ ଚନ୍ଦନ ଲଗେଇ ମନକଥା କହିଲା। "କେତେ ଦିନ ଆଉ ଅଭାବ ଅନାଟନ ଭିତରେ ରଖିବୁ ମୋତେ। କଣ ତୋ ଇଛା? " ଏଇ ସମୟରେ ଗେଟ ଖୋଲିବା ଶବ୍ଦ ହେଲା। ବିନି ନୂଆଉ ବୋଧେ। ସେ ତରତର ହେଇ ମୁଣ୍ଡିଆ ମାରି ଗଲା ବେଳକୁ, ତା' ପୁଅ ଲବଣି ହାଣ୍ଡି ଆଣି ଲବଣି ଖାଉଛି। ନୂଆଉଙ୍କ ପାଇଁ ରଖିଥିବା କଞ୍ଚା କ୍ଷୀର ବେଲା ଟା ଢଳିଯାଇ ଚଟାଣ ଭେଦି ଯାଇଚି। ଗୋପି ଦେଖୁଥିଲା କାନ୍ଥରେ ଥିବା ଗୋପାଳଙ୍କ ଫୋଟୋରେ ଛିଟିକି ପଡିଥିବା ବିନ୍ଦୁ ବିନ୍ଦୁ କ୍ଷୀର । ଆଉ ବିନି ଦେଖୁଥିଲେ ଅତି ଆନନ୍ଦରେ ଲବଣି 

ଖାଉଥିବା ତିନି ବର୍ଷର କାହ୍ନା କୁ ।


।।୨।।

ମନ୍ଦିରରେ ସେଦିନ ରାତି ଅଧ ଯାଏ ଚାଲିଥିଲା ଭାଗବତ ପଢା ଓ ନାମ ସଂକୀର୍ତ୍ତନ। ଅଗଣାରେ ଝୁଲୁଥିଲା ସୁନ୍ଦର ଝୁଲଣାଟେ ତା ଭିତରେ ଚାନ୍ଦିର ଗୋପାଳ ମୂର୍ତ୍ତି। ଆଲୋକ ମାଳାରେ ଝଲସି ଉଠୁଥିଲା ପୁରା ଅଞ୍ଚଳ। ମାଇକରେ ଶୁଭୁଥିଲା ଏକ ଭାବପୂର୍ଣ୍ଣ ଭଜନ। ଅନେକ ଗହଳି ଚହଳି। ଭୋଜିଭାତର ଆୟୋଜନ।

ମନ୍ଦିର ସିଢି ଉପରକୁ ଉଠିଯାଇ ଚିତ୍କାର କଲା ମମତା ପାଗେଳି, "ବନ୍ଦ କର ଏ ସବୁ। ଭାରି କଷ୍ଟରେ ତାକୁ ଶୁଆଇଛି ଏବେ। ତା ନିଦ ଭାଙ୍ଗିଲେ ଆଉ ଶୋଇବନି ଜମା। ମତେ ବି ଶୋଇ ଦେବନି। ଦିନେ ହେଲେ ତ କାହିଁ ଦୁଆର ମାଡ଼ନି । ଆଜି ଏତେ ସରାଗ କାହିଁ ବୋହି ପଡୁଛି ବା। ଯାଅ, ଶୋଇବ ଯାଅ।" ଏତିକି କହି ଧାଇଁଗଲା ରାସ୍ତାକଡ଼ ଗଛରେ ଝୁଲୁଥିବା ଶାଢ଼ୀର ଝୁଲଣା ପାଖକୁ। କୋଳେଇ ନେଲା ମାଟି ଜଗନ୍ନାଥ ମୂର୍ତ୍ତି ଟିଏକୁ।ଛାତିରେ ଲଗେଇ କହିଲା, "ଉଠି ପଡ଼ିଲୁ ଧନ। ମୁଁ ଜାଣେ ପରା ,ଟିକେ ଛାଡିକି ଗଲେ ଉଠି ପଡ଼ିବୁ। ଏ ନିଆଁଲଗା ଗୁଡା ମୋ ପୁଅକୁ ଟିକେ ଶୁଆଇ ଦେବେନି। ଶୋଇ ପଡ଼ ଧନ,ମୋ ଛଡା ତୋର ଆଉ କିଏ ଅଛି କହିଲୁ ??


।।୩।।

ସ୍କୁଲରୁ ଫେରିଲା ଅଭି। ହାତରେ କପ୍ ଓ ସାର୍ଟିଫିକେଟ୍ ଧରି। ଆସି ଜେଜେମାଙ୍କୁ କୁଣ୍ଢେଇ ଧରି କହିଲା, "ଦେଖ! ଆଜି ମୁଁ ଆମ ସ୍କୁଲରେ ସବୁଠୁ ସୁନ୍ଦର କୃଷ୍ଣବେଶ ପାଇଁ ପ୍ରାଇଜ ପାଇଛି। ବବି ଅପା ସଜ କରିଦେଇଛି ମୋତେ।" ଜେଜେମା ଦେଖିଲେ,ଆରେ, ସତେ ତ! ପାଟ ପିତାମ୍ବରୀ ସାଙ୍ଗକୁ ମୟୁର ଚନ୍ଦ୍ରିକାରେ, ଲାଲ ଓଠ ପାଖେ ବଂଶୀ ଧରିଲେ, ଟିଭିରେ ଥିବା କୃଷ୍ଣ ପରି ଦିଶୁଛି। ତା ମଥାରେ ଚୁମାଟେ ଦେଇ, ଜେଜେମା କହିଲେ, ଠାକୁରେ ତୋତେ କୋଟି ପରମାୟୁ ଦିଅନ୍ତୁ। 

ଏତିକି ବେଳେ ସାବତ ମା, ରୋଜି ଆସି ପହଞ୍ଚିଲେ। ଆରେ! ଅଭି ତୁ ଆସିଗଲୁଣି। ହଉ, ଯା ଜାମା ବଦଳି ଦେଖିବୁ ଆମ ଗାଈ ବାଛୁରି ଗୁଡା କାହିଁ ଆସି ନାହାନ୍ତି। ଭୋକରେ ପେଟ ପୋଡିଯାଉଥିଲା ତାର।ସନ୍ଧ୍ୟା ବେଳେ ଗୋପାଳଙ୍କ ପାଖେ ରାଶି ଲଡୁ , ପେଡା, ଫଳମୂଳ ଭୋଗ ଲାଗୁଥିଲା। ଜେଜେମା ପଢୁଥିଲେ ଭାଗବତର ଗୋପ ଲୀଳା। ଆଉ ଅଭି ବଉଳା ଗାଈ ଆଉ ଚାନ୍ଦ ବାଛୁରିଙ୍କ ସାଙ୍ଗେ କଥା ହୋଇ ଖୁଆଇ ଦଉଥିଲା କୁଣ୍ଡା ବାସି ତୋରାଣି ,ଚୁନି ଚକୋଡ ।


।।୪।।

ସବୁଦିନ ପରି ସ୍କୁଲରୁ ଫେରୁଥିଲେ ସୁଧା ଆଉ ସଞ୍ଜୁ। ହାତ ଧରାଧରି ହୋଇ। ପାଞ୍ଚ ବର୍ଷର ସଞ୍ଜୁ ଆଇସକ୍ରିମଟେ ଧରି ଗପି ଚାଲିଥାଏ କେମିତି କୃଷ୍ଣ ଟେକା ମାରି ଗୋପାଳୁଣୀଙ୍କ ଦହି ହାଣ୍ଡି ଭାଙ୍ଗି ଦେଉଥିଲେ। ଆଉ ମା ସୁଧା ବିମୁଗ୍ଧ ହୋଇ ଶୁଣୁଥାନ୍ତି।

ହଠାତ୍, ଦି ଜଣ ବାଇକରେ ଆସି ଝାମ୍ପି ନେଇଗଲେ ସୁଧାଙ୍କ ବେକରୁ ସୁନା ଚେନ୍ କୁ। ଅପ୍ରସ୍ତୁତ ସୁଧା ପଡ଼ୁ ପଡ଼ୁ ରହିଗଲେ। ସଞ୍ଜୁ ଏ ସବୁ ଦେଖି,ରାସ୍ତା କଡରୁ ଗୋଟେ ପଥର ଉଠେଇ ମାରିଲା ସେମାନଙ୍କ ଉଦ୍ଦେଶ୍ୟରେ। ପଥର ଟି ବାଜିଲା ଯାଇ ସମ୍ନାରୁ ଆସୁଥିବା କାର କାଚରେ। ଗାଡିଟି ସେଇଠି ରହିଗଲା।ଦୁଇ ପଟୁ ସବୁ ଗାଡି ଅଟକି ରହିଲା।ରାସ୍ତା ଜାମ୍ ହେଇଗଲା ସେ ପାଇଁ। ବେଶ୍ ଗହଳି ଥିଲା। ଆଉ ପୁଣି ସ୍କୁଲ ଛୁଟି ବେଳ। ଏମିତିରେ ସେ ବାଇକ ଲୁଟେରା ଦି ଜଣ ବି ଜାମ ରେ ଅଟକିଗଲେ। ସୁଧା ଚିତ୍କାର କଲେ, "ଚୋର " ବୋଲି। ଲୋକ ମାନେ ସେମାନଙ୍କୁ ଧରି ବହୁତ ପିଟିଲେ ଆଉ ପୋଲିସରେ ଦେଲେ।ଘଟଣା ଜାଣିଲା ପରେ,ସଞ୍ଜୁକୁ ସମସ୍ତେ ପ୍ରଶଂସା କରୁଥାନ୍ତି । ସଞ୍ଜୁ କହିଲା, "ମା, ଚାଲ ଯିବା, ଆମର କିଛି ହେବନି ଆମ ସାଙ୍ଗେ ଆମ କାହ୍ନା ପରା ଅଛି।"


"କୃଷ୍ଣାର୍ପଣମସ୍ତୁ"



Rate this content
Log in

Similar oriya story from Tragedy