Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jyotiranjan Sahu

Romance Tragedy

2.5  

Jyotiranjan Sahu

Romance Tragedy

ପ୍ରୟାସ ପ୍ରେମ ପାଇଁ

ପ୍ରୟାସ ପ୍ରେମ ପାଇଁ

8 mins
441



କାହିଁକି କେଜାଣି ମୋତେ ଲାଗେ ମୁଁ ଯେପରି ଆଜି ବି ଅଜ୍ଞ ପ୍ରେମର ପ୍ରକୃତ ସଂଜ୍ଞାଟା ବୁଝିବାକୁ । ତେଣୁ ଆଜି ବି ମୁଁ ଖୋଜିବୁଲୁଛି ଏହାର ପ୍ରକୃତ ସଂଜ୍ଞାଟିକୁ ପାଇବାପାଇଁ । ଆଉ ପ୍ରତ୍ୟେକ ଥର ମୋତେ ମିଳିଯାଉଛି ସଂଜ୍ଞାରେ କିଛିଟା ନୂତନତ୍ବ । କିଛି ଲୋକଙ୍କ ପାଇଁ ପ୍ରେମ ସଂଜ୍ଞାଟା ଶାରୀରିକ ଆକର୍ଷଣରୁ ଆରମ୍ଭ ହୋଇ ବିବାହ ରେ ବୋଧେ ଶେଷ ହୋଇଯାଏ । ଏଇ ଯେମିତି ମୋର ଏଇ ଲଭ୍ ଷ୍ଟୋରୀ ୦୪ ର ଦୁଇ ଚରିତ୍ର ରାଜ୍ ଆଉ ମାନି ।


      ରାଜ୍ ଆଉ ମାନି ଏ ଦୁହିଁଙ୍କ ପ୍ରେମ ପ୍ଲସ ଟୁ ରୁ ଆରମ୍ଭ ହୋଇଯାଇଥିଲା । ପ୍ରେମ ତାଙ୍କର ମାଡିଚାଲିଥିଲା ଆଗକୁ ଆଗକୁ କୌଣସି ବାଧା ବନ୍ଧନକୁ ନମାନି । ଦୁହେଁ ଯେପରି ପରସ୍ପରର ପ୍ରେମରେ ହୋଇପଡିଥିଲେ ଅନ୍ଧ । ପରିବାରର ବାରଣ ସତ୍ତ୍ବେ ଦୁହେଁ ଦୁହିଁଙ୍କୁ ପାଇବାକୁ ଯେପରି ହୋଇଉଠିଥିଲେ ବ୍ୟଗ୍ର । ଅତିଷ୍ଟ ହୋଇ ଯେତେବେଳେ ଘର ଲୋକ ମାନିର ଅନ୍ୟତ୍ର ବିବାହ କରିବାକୁ ମନସ୍ଥ କଲେ ସେତେବେଳେ ମାନି ଏହାର ଘୋର ପ୍ରତିବାଦ କଲା । ମାନି ରାଜ୍ କୁ କହିଲା ଘର ଲୋକଙ୍କର ଇଚ୍ଛା କଣ । ଆଉ ତାହା ଶୁଣି ରାଜ୍ ମାନି କୁ କହିଲା " ମାନି ! ମୁଁ ତୁମବିନା ବନ୍ଚିପାରିବି ନାହିଁ । ମୁଁ ତୁମକୁ ବହୁତ ଭଲ ପାଏ । ଚାଲ ମୁଁ ତୁମକୁ ନେଇଯିବି ଭୁବନେଶ୍ବର । ସେହିଠାରେ ଆମେ ଗଢିତୋଳିବା ଆମର ସ୍ବପ୍ନ ର ସଂସାର "। ଏହା ଶୁଣି ମାନି କହିଲା " ମୁଁ ବି ତୁମକୁ ବହୁତ ଭଲପାଏ ରାଜ୍ । କିନ୍ତୁ ମୁଁ ସାହସ କରି ପାରୁନି "। ଏ କଥା ଶୁଣି ରାଜ୍ ଭିଡିଗଲା ମାନି ପାଖକୁ । କରିନେଲା ନିଜ ବାହୁ ବନ୍ଧନରେ ଆବଦ୍ଧ । ଆଉ ଦୁଇ ପ୍ରେମ ପକ୍ଷୀ ଲଂଘିଗଲେ ମର୍ଯ୍ୟାଦା ର ଲକ୍ଷ୍ମଣ ରେଖା । ପୁଣି ରେଜେଷ୍ଟ୍ରି ମ୍ୟାରେଜ କଲେ ଦୁହେଁ ସମସ୍ତଙ୍କର ଅଜ୍ଞାତରେ । ଘର ଲୋକ ଜାଣିଲାପରେ କୌଣସି ପ୍ରକାରେ ଅନିଚ୍ଛାକୃତ ବିବାହ ସର୍ବସମ୍ମତି ରେ ଆୟୋଜିତ ହେଲା । ରାଜ୍ ଇଞିନିୟରିଂ କରି ଗୋଟିଏ ଭଲ ଜାଗା ରେ ଚାକିରୀ କରିଥିଲା । ବିବାହ ପରେ ମାନି କୁ ନେଇ ସେ ଚାଲିଗଲା ତାର କର୍ମ କ୍ଷେତ୍ରକୁ ।


            ଏହା ଭିତରେ ବିତିଯାଇଛି ୧୨ ବର୍ଷ । ମାନି ବର୍ତ୍ତମାନ ଦୁଇ ସନ୍ତାନ ର ଜନନୀ । ଖୁବ୍ ଆରାମ ରେ ଅଛନ୍ତି ଦମ୍ପତ୍ତିଟି । କୌଣସି ଥିରେ କିଛି ହେଲେ ଅଭାବ ନାହିଁ ଦୁହିଁଙ୍କର । ଏ ପର୍ଯ୍ୟନ୍ତ କାହାଣୀ ରେ ସବୁ ଠିକ୍ ଠାକ ଥିଲା । କିନ୍ତୁ କାହାଣୀର ଦିଗ ଟା ହଠାତ୍ ବଦଳିଗଲା ଆଜି ଯେତେବେଳେ ମାନି ରାଜ୍ ର ମୋବାଇଲ ରେ ପୁଅ ପାଇଁ ଷ୍ଟଡି ମେଟେରିୟାଲ ସର୍ଚ୍ଚ କରୁକରୁ ଦେଖିନେଲା ଆଉ ଜଣେ ଅଜଣା ଯୁବତୀ ସହ ରାଜ୍ରନଙ୍କର କିଛି ଫୋଟ । ମନ ରେ ତାର ସୃଷ୍ଟିହେଲା ସନ୍ଦେହ ଆଉ ଭିନ୍ନ କିଛି ଆଶଙ୍କା ଯେଉଁଟା ଏଭଳି କ୍ଷେତ୍ର ରେ ସମସ୍ତ ସ୍ତ୍ରୀ ଙ୍କ ମନରେ ଆସିବାଟା ଅସ୍ବାଭାବିକ ନୁହେଁ । ମନର ଦ୍ବନ୍ଦକୁ ମାନି ପ୍ରକାଶ କଲା ରାଜ୍ ଙ୍କ ନିକଟରେ । ପ୍ରଶ୍ନ କଲା ଜାଣିବାକୁ ସେ ନାରୀ ସହ ଥିବା ସମ୍ପର୍କ ବିଷୟରେ । ସବୁ ଶୁଣି ସେଦିନ ରାଜ୍ ଥିଲା ନିରବ । ସତେ ଯେପରି ରାଜ୍ ର ନିରବତା ଟା ହିଁ ଥିଲା ମାନି ର ଉତ୍ତର । ବାରମ୍ବାର ମାନିର କାହିଁକି ର ଉତ୍ତରରେ ରାଜ୍ ବିରକ୍ତ ହୋଇଯାଇ ଏତିକି ମାତ୍ର କହିଲେ " ତୁମେ କେବେ ନିଜକୁ ଦେଖିଛ ! ତେଣୁ ଖାଲି ଏତିକି ଜାଣ ସେ ଝିଅ ମୋତେ ଭଲପାଏ ଆଉ... ମୁଁ ବି ତାକୁ... "। ଆଶଙ୍କା ସତ ହେବା ଜାଣି ଭାଙ୍ଗିପଡିଲା ମାନି । ଇଚ୍ଛା ହେଲା ଆତ୍ମହତ୍ୟା କରିଦେବ । କିନ୍ତୁ ଯେତେବେଳେ ଗଲା ଆତ୍ମହତ୍ୟା କରିବାକୁ ଆଖି ଆଗରେ ନାଚିଗଲା ଦୁଇ ବାଳୁତ ନିଷ୍ପାପ ପିଲାଙ୍କ ମୁହଁ । ଦଉଡିଯାଇ ବାଥ୍ ରୁମ୍ ଭିତରେ ନିଜକୁ ବନ୍ଦ କରିଦେଲା ମାନି । ମନଭରି ଖୁବ୍ କାନ୍ଦିଲା । ହଠାତ୍ ନଜର ପଡିଗଲା ବାଥରୁମ୍ ର ମିରର୍ ଉପରେ । କଣ ହେଲାକେଜାଣି ପାଗଳିନୀ ପରି ଅନାବୃତ୍ତ କରିପକାଇଲା ସଂମ୍ପୂର୍ଣ୍ଣ ଶରୀର । ଜାଣିବାକୁ ଚେଷ୍ଟାକଲା ରାଜ୍ ର ତା ପ୍ରତି ବିମୂଖତାର କାରଣକୁ । ଲକ୍ଷ୍ୟକଲା ତାର ଅସ୍ତମିତ ହୋଇଆସୁଥିବା ଯୌବନ ସହିତ ଲିଭିଲିଭି ଆସୁଥିବା ଉଷ୍ମତାକୁ । ବିରହର ଯନ୍ତ୍ରଣାରେ ପାଗଳିନୀ ମନ ତାର ଭାବିଲା ବୋଧେ ପ୍ରେମର ମାନେ କେବଳ ଏଇ ଶରୀର ଆଉ ତାର ସୌନ୍ଦର୍ଯ୍ୟ । ମନେମନେ ଚିନ୍ତା କଲା ଯେମିତି ହେଉ ଧରିରଖିବ ତାର ସୌନ୍ଦର୍ଯ୍ୟ ତାର ଯୌବନ କୁ ଯାହାପାଇଁ ରାଜ୍ ଦିନେ ହୋଇଉଠିଥିଲା ପାଗଳ । ସେଥିପାଇଁ ସିଏ ନିରବରେ ଆରମ୍ଭ କରିଦେଲା ପ୍ରୟାସ ।


          ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରି ପଡିଲା ମାନି । ଇଚ୍ଛା ହେଉଛି ତାର ଆଜି ଏତେ ବାଟ ଚାଲିବ ଯେ ଶରୀରର ସମସ୍ତ ମେଦକୁ ସ୍ବେଦ କରି ବାହାରକରିଦେବ । କିନ୍ତୁ ଜଣାନଥିଲା ଭାବନା ଆଉ ବାସ୍ତବତା ଭିତରର ଫରକ୍ ଟା । ଟିକିଏ ବାଟ ଚାଲି ଥକିପଡିଲା ଆଉ ପାର୍କର ଜଗିଂ ଟ୍ରାକ ରେ ଲଥ୍ ହୋଇବସିପଡିଲା ସିଏ । ଦେହରୁ ଗମ୍ଗମ୍ ବହିଚାଲିଥିଲା ଝାଳ । ଏତିକିବେଳେ କେହିଜଣେ ତାକୁ କହିଲେ " ଆଲୋ ମା ! ଆଜି ନୂଆ କି ଆଗରୁ ତ କାହିଁ କେବେ ଦେଖିନାହିଁ । ହଉ ଥକିଯାଇଛୁ ଯଦି ମୋ ହାତ ଧରି ଉଠିପଡ "? ମୁଣ୍ଡ ଉଠାଇ ଉପରକୁ ଚାହିଁଲା ମାନି । ଦେଖିଲା ଗୋରା ତକତକ ବୁଢୀଟିଏ । ବୟସ ସତୁରୀ ଉପରେ ହେବ ।ଚିନ୍ତାକଲା ମାନି 'ଇଏ କଣ ମୋତେ ଉଠାଇବ ପାରିବ' ! ବୁଢୀ ଲୋକଟି ମାନିକୁ କହିଲା " କଣ ହେଲା କଣ ଭାବୁଛ "? ମାନି ହସିହସି କହିଲା " ନା ମାଉସୀ । ତୁମ କଥା ଶୁଣି ହସ ଲାଗିଲା । ମୁଁ ନିଜେନିଜେ ଉଠିପାରିବି "। ବୁଢୀ ଲୋକଟି କହିଲା " ମା ତୁ ହସିଲେନା ବହୁତ ସୁନ୍ଦର ଦିଶୁଛୁ "। ବହୁତ ଦିନପରେ କାହାରି ମୁହଁରୁ ମାନି ନିଜର ପ୍ରଶଂସା ଟା ଶୁଣିଲା । ଏହାପରେ ସେ ବୁଢୀ ମାଉସୀ ସହ ମାନି ଚାଲିଲା କିଛି ବାଟ । ଏହିପରି ବିତିଗଲା କିଛିଦିନ । ସେ ବୁଢୀସହ ଆତ୍ମୀୟତା ହୋଇଯାଇଥିଲା ମାନିର । 


     ଦିନେ ମର୍ଣ୍ଣିଂ ୱାକ କରୁକରୁ ମାନି ମଜାରେ ମଜାରେ ବୁଢୀ ମାଉସୀ କୁ ପଚାରିଦେଲା " ମାଉସୀ ତୁମେ ଏ ବୟସରେ କଣ ପାଇଁ ଏତେ କଷ୍ଟ କରୁଛ କହିଲ । କଣ ଆହୁରି ସୁନ୍ଦର ଦିଶିବା ପାଇଁ "। ଏ କଥା ରେ ଆଖିଟା ଛଳଛଳ ହୋଇଉଠିଲା ବୁଢୀ ମାଉସୀର । ତଥାପି ହସିଦେଇ କହିଲା " ମା ରେ ମୁଁ ତ ତୋଠାରୁ ବେଶି ସୁନ୍ଦର । ତୋ ସ୍ବାମୀକୁ ପଚାରିବୁତ କିଏ ବେଶି ସୁନ୍ଦର "? ଏ ପ୍ରଶ୍ନ ରେ କିନ୍ତୁ ବିଚଳିତ ହୋଇଉଠିଲା ମାନି । ଅଭିମାନ ଭରା ହସଟେ ହସିଦେଇ କହିଲା " ମୋର ସ୍ବାମୀ ! ଜାଣିଛ ମାଉସୀ ସିଏ ମୋର ହୋଇ ବି ମୋର ନୁହେଁ । ଆଚ୍ଛା କହିପାରିବ ମାଉସୀ କିଏ ସବୁଠାରୁ ଅଧିକ ବର୍ବର ? ସେଇ ବ୍ୟାଧ ଯିଏ ଜାଣେ ନାହିଁ ମମତା ଆଉ ହତ୍ୟା କରେ ନିରୀହ ପକ୍ଷୀଟିକୁ ନା ସିଏ ଯିଏ ଖାଦ୍ୟ ଆଉ ଆଶ୍ରା ଦେଇ ଭରସା ଜିତିଥିବା ପକ୍ଷୀ ଟିର ବିଶ୍ବାସରେ ବିଷ ମିଶାଇ କିଛି ଅର୍ଥ ଲୋଭରେ ତାକୁ ଟେକିଦିଏ ବ୍ୟାଧ ହାତକୁ "? ମାନି ର ଏଭଳି ଗମ୍ଭୀର ପ୍ରଶ୍ନରେ ନୀରବି ଗଲା ବୁଢୀ ମାଉସୀ । କହିଲା 'ମୋତେ ଖୋଲିକି କହୁନୁ କଣ ହୋଇଛି '? ମାନି ଦୁଃଖ ଭରା କଣ୍ଠରେ କହିଲା " ମାଉସୀ ଯାହାର ହାତ ଧରି ମୁଁ ମୋ ପରିବାର ଆଉ ଏ ଦୁନିଆଁ ସହ ଲଢିଗଲି ସେ ଆଜି କହୁଛନ୍ତି ମୋ ହାତ ଛାଡିଦିଅ । କଣ କରିବି ମୁଁ ? କାହାକୁ ବିଶ୍ବାସ କରିବି ? ଏ ଦୁନିଆଁ କୁ ନା ପ୍ରେମକୁ । ଯିଏ ଦିନେ ମୋ ବିନା ବଞ୍ଚି ପାରିବେନି ବୋଲି କହୁଥିଲେ ସେ ଯେ ଆଜିମୋ ପ୍ରେମର ହତ୍ୟାକାରୀ ସାଜିଯିବେ ସେ କଥା ମୁଁ ସ୍ବପ୍ନ ରେ ସୁଦ୍ଧା ଭାବିନଥିଲି । ସ୍ବପ୍ନର ସଂସାର ଗଢୁଗଢୁ ମୋତେ କେତେବେଳେ ନର୍କର ଦ୍ବାର ରେ ପହଞ୍ଚାଇ ଦେଲେ ମୁଁ ଜାଣିପାରିଲିନି ମାଉସୀ " । ଏହାପରେ ମାନି ନିଜ ମନ ର ସବୁଯାକ ଦୁଃଖ କଷ୍ଟ କୁ ସେ ମାଉସୀଙ୍କ ପାଖରେ ବିନା ଦ୍ବିଧା ରେ ପ୍ରକାଶ କରିଦେଲା । ସବୁ ଶୁଣି ଚୁପ୍ ରହିଲେ ବୁଢୀ ମାଉସୀ । 


     ତା ପରଦିନ ସକାଳୁ ମାନି ୱାକ ଯିବାପାଇଁ ରେଡି ହେବାବେଳକୁ ହଠାତ୍ ଘରର କଲିଂ ବେଲ ଟି ବାଜିଉଠିଲା । ମାନି ଦୁଆର ଖୋଲି ଦେଖିଲା ବୁଢୀ ମାଉସୀ ୱାକ ପାଇଁ ରେଡିହୋଇ ତାଂକ ଆଗରେ ହାଜର୍ । ମାଉସୀ କହିଲେ " ଆଲୋ ମା ! ମୁଁ କାଲି ତୋତେ କହିବାକୁ ଭୁଲିଯାଇଛି । ଆଜି ତୋ ମଉସା ଆଉ ମୋର ୫୦ତମ ମ୍ୟାରେଜ ଏନିଭର୍ସରୀ । ସେଇଥିପାଇଁ ଆଗରୁ କହିବାକୁ ଚାଲିଆସିଲି "। ଏତିକିବେଳେ "କିଏ ଆସିଛି ମାନି "?ବୋଲି ପଚାରି ପଚାରି ଦୁଆର ପାଖକୁ ଆସିଲା ରାଜ୍ । ରାଜ କୁ ଦେଖି ବୁଢୀମାଉସୀ କହିଲେ " ଆରେ ପୁଅ ! ମୁଁ ମାନି ର ମର୍ଣ୍ଣିଂ ୱାକ ମାଉସୀ । ସେଇଠୁ ତାର ମୋର ସମ୍ପର୍କର ଆରମ୍ଭ । ଆଜି ତୁମ ମଉସା ଆଉ ମୋର ୫୦ତମ ବିବାହ ବାର୍ଷିକି । ଦୁଇ ଜଣଯାକ ସଂଧ୍ୟା ବେଳେ ଆମଘରେ ପହଞ୍ଚିବ ନିଶ୍ଚୟ । ପହଞ୍ଚିବ ନା ପୁଅ "? " ହଁ ହଁ ଆମେ ନିଶ୍ଚୟ ପହଞ୍ଚିବୁ ଆପଣଙ୍କ ଘରେ " କହି ଭିତରକୁ ଚାଳିଗଲା ରାଜ୍ । ଆଉ ଏହାପରେ ମାଉସୀ ଆଉ ମାନି ବାହାରିଗଲେ ମର୍ଣ୍ଣିଂ ୱାର୍କରେ ।


    ସକାଳ ଯାଇ ସଂଧ୍ୟା ହେଲା । ଆଗପଛ ହୋଇ ପହଞ୍ଚିଲେ ମାନି ଆଉ ରାଜ୍ ବୁଢୀ ମାଉସୀ ଘରେ । ମାଉସୀ ଉଭୟଙ୍କୁ ଭିତରକୁ ଡାକିନେଲେ । ଭିତରେ ପଶୁପଶୁ ରାଜ୍ କହିଲା " କଣ ମାଉସୀ ଘର ଟା ଖାଁ ଖାଁ ଲାଗୁଛି । କେହିନାହାନ୍ତି କି ? କେଉଁଆଡେ ଯାଇଛନ୍ତି ସମସ୍ତେ "? ବୁଢୀ ମାଉସୀ ରାଜ ର୍ ମୁହଁ କୁ ଚାହିଁ କହିଲା" କିଏ ଥାଆନ୍ତା କି । ମୁଁ ତ ଅଛି "? ରାଜ୍ କହିଲା " ମୋ କହିବା ମାନେ ହେଲା ଆପଣଙ୍କ ପୁଅ ଝିଅ ନାତି ନାତୁଣୀ କେହି ହେଲେ ମ୍ୟାରେଜ ଏନିଭର୍ସରୀରେ ଦେଖାଯାଉନାହାନ୍ତିତ ସେଇଥିପାଇଁ ପଚାରିଦେଲି "। ଏହା ଶୁଣି ବୁଢୀମାଉସୀ ଦୀର୍ଘ ନିଶ୍ବାସଟେ ଛାଡି କହିଲେ " କି ନାତି କି ନାତୁଣୀ ? ମୋର କେହି ପୁଅ ଝିଅ ଥିଲେ ସିନା "! " ମାନେ "! ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ରାଜ୍ । ବୁଢୀ ମାଉସୀ ନୀରବ ରେ ରାଜ୍ ର ହାତ ଧରି ନେଇ ପହଞ୍ଚିଲେ ଭିନ୍ନ ଏକ ରୁମ୍ ରେ । ଯେଉଁଠାରେ ଗୋଟିଏ ଏୟର ବେଡ ଉପରେ ପଡିଥିଲେ ବୁଢା ମଉସା । ବୟସ ଅଶୀ ପାଖାପାଖି ହେବ । ନିସ୍ତେଜ ମୁଖମଣ୍ଡଳ ସାଙ୍ଗକୁ ବାର୍ଧକ୍ୟ ଜର୍ଜରିତ ଶରୀର । ଝାଡା ପରିସ୍ରା କରିବା ପାଇଁ ଶରୀର ରେ ଖଞାଯାଇଛି ପାଇପ୍ । ଲାଗୁଥିଲା ଗୋଟିଏ ଜୀବନ୍ତ ଶବ ଆଉ ତାଙ୍କ ଭିତରେ କିଛି ବି ଫରକ ନଥିଲା । ସେହି ବୃଦ୍ଧ ଜଣଙ୍କ ଆଡକୁ ଅଂଗୁଳି ନିର୍ଦ୍ଧେଶ କରି ବୁଢୀ ମାଉସୀ ରାଜ୍ କୁ କହିଲେ " ପଚାରୁଥିଲ ପରା ମୋ ପୁଅ ଝିଅ କେତେ ? ଆଜି ମୋର ପୁରା ଦୁନିଆ ଟା ହିଁ ଦେଖିନିଅ । ଏହି ତୁମ ବୁଢ଼ା ମଉସା ହିଁ ମୋର ସଂସାର । ତୁମେ ଜାଣିଛ ବାପା! ମୁଁ ଗୋଟିଏ ବାନ୍ଝ । ମୋର ପୁଅ ଝିଅ କେହି ନାହାନ୍ତି । ଆଉ ମୁଁ ବାନ୍ଝ ବୋଲି ଜାଣି ବି ତୁମ ମଉସା ମୋତେ ପତ୍ନୀ ରୂପେ ସ୍ବୀକାର କରିଛନ୍ତି " । ଏହା ଶୁଣି ରାଜ୍ କହିଲେ "କଣ କହୁଛନ୍ତି ଆପଣ ! ମୋତେ କିଛି ବୁଝାପଡୁନାହିଁ ଆପଣଙ୍କ କଥା"। ଟିକିଏ ସମୟ ଚୁପ୍ ରହି ବୁଢୀମାଉସୀ କହିଲେ " ଆରେ ପୁଅ ! ଯେଉଁ ଅତୀତରୁ ମୁଁ ବାହାରିବାକୁ ଚାହୁଁଛି ତୁ ପୁଣି ମୋତେ ସେହି ଅତୀତ କୁ ନେଇଯାଉଛୁ । ହେଉ ଶୁଣ ! ମୋ ଗର୍ଭ ପିଲା ଧରି ରଖିବା ପାଇଁ ସକ୍ଷମ ନଥିଲା। କହିବାକୁ ଗଲେ ମୁଁ ମା ହେବାପାଇଁ ଥିଲି ଅକ୍ଷମ । କେହି ମୋତେ ବିବାହ କରିବାକୁ ରାଜି ହେଉନଥିଲେ। କିନ୍ତୁ ତୁମ ମଉସା ମୋତେ ସ୍ବଇଚ୍ଛା ରେ ବିବାହ କରିଥିଲେ । ବୋଧହୁଏ ଭଗବାନ ମୋ ସୁଖ ଦେଖି ସହି ପାରିଲେନି । ସେଥିପାଇଁ ବିବାହ ର କିଛି ଦିନ ପରେ ଦିନେ ହଠାତ୍ ମୋ ପାଇଁ ଜାମୁ ତୋଳୁ ତୋଳୁ ଗଛ ଉପରୁ ଖସି ପଡ଼ିଲେ ତୁମ ମଉସା । ଜୀବନଟା ସିନା ରହିଗଲା ହେଲେ ସେ ସାରା ଜୀବନ ପାଇଁ ପଙ୍ଗୁ ପାଲଟି ଗଲେ । ପେଟ ତଳକୁ ତାଙ୍କର ପୁରା ଶରୀରଟା ହୋଇ ପଡିଲା ଅଚଳ । ଆଜି କୁ ପଚାଶ ବର୍ଷ ଧରି ସେ ଏହିପରି ଏଠାରେ ପଡିରହିଛନ୍ତି । ୟାଙ୍କୁ ଚାହିଁ ଚାହିଁ ମୁଁ କାଟିଦେଲିଣି ଜୀବନର ବାସ୍ତରୀ ଟି ବସନ୍ତ । ଜାଣ ପୁଅ ଆଜି ବି କାହିଁକି ସକାଳ ସଂଧ୍ୟା ମୁଁ ୱ।କ କରୁଛି! ଖାଲି ତାଙ୍କ ପାଇଁ । ମୁଁ ବି ଯଦି ଅଚଳ ଅସୁସ୍ଥ ହୋଇ ପଡିବି ୟାଙ୍କ କଥା ବୁଝିବ କିଏ? ତେଣୁ ୟାଙ୍କ ପାଇଁ ଏ ଦେହ ଟାକୁ ସର୍ବଦା ଚଳଚଞ୍ଚଳ ଆଉ ସୁସ୍ଥ ରଖିବାକୁ ପ୍ରୟାସ କରୁଛି । ଆଉ ଶେଷ ପର୍ଯ୍ଯନ୍ତ ମୋର ଏଇ ସଂସାର ଟିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିଚାଲିଥିବି । ଏହି ଥିରେ ମୋର ଖୁସି । " । ଏହା ଭିତରେ ବୁଢ଼ୀ ମାଉସୀର ପେଜୁଆ ପେଜୁଆ ଆଖି ଯୋଡ଼ିକ ଲୁହରେ ଭିଜି ସାରିଥିଲା । ବୋଧହୁଏ ରାଜ୍ ବି ସେତେବେଳକୁ ବୁଝି ସାରିଥିଲା ଜୀବନର ଅନେକ ସମୀକରଣଭିତରେ ପ୍ରେମର ସଂଜ୍ଞାଟା । ବୁଝି ସାରିଥିଲା ପ୍ରେମ କେବେ ସ୍ୱାର୍ଥ ପର ହୋଇ ପାରେନା । କିଛି ସମୟ ପରେ ବୁଢ଼ୀ ମାଉସୀ ଟିକିଏ ହସିଦେଇ କହିଲା" ଜାଣିଛୁ ପୁଅ! ମା ଟା ମୋର ବହୁତ ଭଲ । ସକାଳ ସଂଧ୍ୟା କେତେ ଝାଳ ବୁହାଉଛି ! ଖାଲି ତୋ ମନ ଆଉ ତା ପ୍ରେମକୁ ଜିଣିବାର ପ୍ରୟାସରେ " । ଏତିକି ବେଳେ କଲିଙ୍ଗ ବେଲ୍ ଟା ବାଜିଉଠିଲା । କଥା ହେଉ ହେଉ ଡ୍ରଇଂ ରୁମକୁ ଚାଲିଆସିଥିବା ବୁଢ଼ୀ ମାଉସୀ ରାଜ୍ ଆଉ ମାନି କୁ କହିଲା " ହେଇ ତୁମ ବୁଢ଼ା ମଉସା ଡାକିଲେଣି । ଟିକିଏ ବସି ଥାଅ ତୁମେ ଦୁଇଜଣ । ମୁଁ ଟିକିଏ ତାଙ୍କ କଥା ବୁଝି ଦେଇ ଆସୁଛି "। ଏହା କହି ତର ତର ହୋଇ ବୁଢ଼ୀ ମାଉସୀ ଚାଲିଗଲା ଭିତର ରୁମକୁ ଆଉ ଏପଟେ ରାଜ୍ ଓ ମାନି ପରସ୍ପର କୁ ଚାହିଁ ରହିଥାନ୍ତି ଲୋତକ ଭରା ନୟନରେ । 


Rate this content
Log in

Similar oriya story from Romance