Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶିକାରୀ ଏବଂ କପୋତ ପକ୍ଷୀ
ଶିକାରୀ ଏବଂ କପୋତ ପକ୍ଷୀ
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.6K    7


Content Ranking

ଦିନେ ଗୋଟିଏ ଶିକାରୀ ପକ୍ଷୀ ଶିକାର କରିବା ପାଇଁ ଘଂଚ ଜଙ୍ଗଲ ମଧ୍ୟକୁ ଆସିଲା । ଶିକାରୀଟିର କେହି ଆତ୍ମୀୟ ସ୍ୱଜନ ନଥାନ୍ତି । ତା’ର ରୁକ୍ଷ ବ୍ୟବହାର ପାଇଁ ସେ କାହାରି ପ୍ରିୟ ଭାଜନ ହୋଇପାରୁନଥାଏ । ଶିକାରୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ କପୋତ ପକ୍ଷୀକୁ ଧରି ବନ୍ଦୀ କଲା । ହଠାତ୍ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚତୁର୍ଦ୍ଧିଗରୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବିଜୁଳିର ଆଲୋକ ବନଭୂମିକୁ ଆଲୋକିତ କରିଦେଲା । ଘଡଘଡିର ବୁକୁଫଟା ଶବ୍ଦ ଶିକାରୀର ମନରେ ଭୟ ସଂଚାର କଲା । କିଛି ସମୟପରେ ମୂଷଳ ଧାରାରେ ବର୍ଷା ହେଲା । ଶିକାରୀଟି ଘରକୁ ଫେରି ନପାରି ଏକ ଗଛ ମୂଳକୁ ଆଶ୍ରୟ ନେବାକୁ ଧାଇଁଗଲା । ଗଛ ମୂଳରେ ପହଁଚି କହିଲା, “ଏହି ଗଛରେ କିଏ ରହୁଛନ୍ତି କି”? ଯଦି ରହୁଛନ୍ତି ମୋତେ ଦୟାକରି ସାହାଯ୍ୟ କରନ୍ତୁ । ମୁଁ ପୂରା ବର୍ଷାରେ ଭିଜି ଯାଇଛି । ମୋତେ ମଧ୍ୟ ପ୍ରବଳ ଭୋକ ଲାଗୁଛି ।

ସେହି ଗଛରେ ଏକ କପୋତ ଦଂପତି କେଉଁ କାଳରୁ ବାସ କରିଆସୁଥିଲେ । ସେହି ଦିନ ଅପରାହ୍ନରେ ଶିକାରୀ କପୋତ ଦଂପତିଙ୍କ ମଧ୍ୟରୁ ଜଣକୁ ଧରି ବନ୍ଦୀ କରିଥିଲା । ତେଣୁ ମା’ କପୋତଟି ବସାକୁ ଫେରି ନଥାଏ । ପୁରୁଷ କପୋତଟି ତା’ର ଫେରିବାର ବିଳମ୍ବ ହେତୁ ବ୍ୟସ୍ତ ହେଉଥାଏ । ବର୍ଷା, ପବନ ମଧ୍ୟ କମିନଥାଏ । ସେ ଶିକାରୀଟିର କଥା ଶୁଣି କହିଲା, “ମୋର ପତ୍ନୀ ଏ ପର୍ଯ୍ୟନ୍ତ ବସାକୁ ଫେରି ନାହିଁ । ତା’ର ଅନୁପସ୍ଥିତିରେ ମୋର ଘର ଶୂନ୍ୟ ହୋଇଗଲା ପରି ଲାଗୁଛି । ବନ୍ଦୀ ହୋଇଥିବା କପୋତ ତା’ର ସ୍ୱାମୀର କଥା ଶୁଣି ମନେ ମନେ ଗର୍ବ ଅନୁଭବ କରୁଥାଏ । ସେ ସ୍ୱାମୀର କଥାଶୁଣି କହିଲା, “ଯେଉଁ ସ୍ତ୍ରୀ ଉପରେ ତା’ର ସ୍ୱାମୀ ସନ୍ତୁଷ୍ଟ ନୁହେଁ ସେହି ସ୍ତ୍ରୀ ଉପଯୁକ୍ତ ସ୍ତ୍ରୀ ପଦବାଚ୍ୟ ନୁହେଁ । ଯେଉଁ ସ୍ତ୍ରୀ ସର୍ବଦା ସ୍ୱାମୀକୁ ସନ୍ତୁଷ୍ଟ କରାଇ ପାରିଥାଏ, ସେ ଭଗବାନଙ୍କ ଆଣୀର୍ବାଦ ଲାଭ କରେ । ଏହା କହି କପୋତୀଟି ତା’ର ସ୍ୱାମୀକୁ କହିଲା, “ମୁଁ ତୁମ ନିକଟରେ ଅଛି ସତ କିନ୍ତୁ ମୁଁ ମୁକ୍ତ ନୁହେଁ । ଏହି ଶିକାରୀଟି ମୋତେ ପଞ୍ଜୁରୀ ମଧ୍ୟରେ ବନ୍ଦୀ କରି ରଖିଛି । ତୁମେ କିନ୍ତୁ ତାକୁ ଘୃଣା ନକରି ଆଶ୍ରୟ ପ୍ରଦାନ କର । କାରଣ, ଶତ୍ରୁ ହେଲେ ମଧ୍ୟ ସେ ତୁମ ନିକଟରେ ଶରଣ ପଶିଛି । ଶରଣାଗତକୁ ସହାୟ ହେଲେ ଭଗବାନ ତୁମକୁ ସହାୟ ହେବେ” । କପୋତୀଟି ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଲା, ‘ସ୍ୱାମୀ’! ମୋର ପୂର୍ବଜନ୍ମର କର୍ମଫଳ ହେତୁ ମୁଁ ବୋଧହୁଏ ଆଜି ଏହି ଅବସ୍ଥା ଭୋଗ କରୁଛି । ଶାସ୍ତ୍ରରେ କୁହାଯାଇଛି, ଦାରିଦ୍ର୍ୟ, ରୋଗ ବ୍ୟାଧି, ବନ୍ଦୀ ଏବଂ ଦୁଃଖ କଷ୍ଟ ପାଇବା ଆଦି ପୂର୍ବଜନ୍ମର କର୍ମଫଳ ହେତୁ ଉପଲବ୍ଧ ହୋଇଥାଏ । ତେଣୁ ମୋ କର୍ମ ନିକଟରେ ମୋତେ ଛାଡିଦିଅ । ଶିକାରୀଟିକୁ ଘୃଣା ନକରି ତା’ର ଯଥାବିଧି ଚର୍ଚ୍ଚା କର ।

ଯେତେବେଳେ କପୋତଟି ନିଜ ସ୍ତ୍ରୀର ଏପରି କଥା ଶୁଣିଲା ତା’ର ମନରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା । ସେ ସଂଗେ ସଂଗେ ଶିକାରୀକୁ ସ୍ୱାଗତ ଜଣାଇବାକୁ ଯାଇ ମିଠା ସ୍ୱରରେ କହିଲା, ‘ଭାଇ ତୁମେ ଏହି ସ୍ଥାନକୁ ନିଜ ଘର ବୋଲି ମନେ କରି ଏଠାରେ ରୁହ । ଆଦୌ ବ୍ୟତିବ୍ୟସ୍ତ ହୁଅନାହିଁ’ । ଶିକାରୀ କପୋତର କଥା ଶୁଣି କହିଲା, ‘ହେ କପୋତ’! ମୁଁ ପ୍ରବଳ ଶୀତରେ ଥରୁଛି । ଏଥିରୁ କିପରି ରକ୍ଷା ପାଇବି ତୁମେ ତାହାର ବ୍ୟବସ୍ଥା କର । ଶିକାରୀର କଥା ଶୁଣି କପୋତ ସଂଗେ ସଂଗେ କିଛି ଦୂର ଉଡିଗଲା । କିଛି ସମୟ ପରେ ଅଙ୍ଗାର ସଂଗ୍ରହ କରି ଶିକାରୀପାଇଁ ନିଆଁ କଲା । ଏହି ନିଆଁରେ ଶିକାରୀ ଦେହ ହାତ ସେକି ହୋଇ ଶୀତ ଦାଉରୁ ରକ୍ଷା ପାଇଲା ।

ପରୋପକାରୀ କପୋତଟି ଅତିଥିଙ୍କୁ କ’ଣ ଖାଇବାକୁ ଦେବ ସେ କଥା ମନେ ମନେ ଚିନ୍ତା କରୁଥାଏ । ଅତିଥିଙ୍କୁ ବିନା ଭୋଜନରେ ବିଦାୟ ଦେଲେ ଭଗବାନ ଅସନ୍ତୁଷ୍ଟ ହେବେ । ନିଜେ ତ’ ଠିକ୍ ସମୟରେ ଖାଇବାକୁ ପାଉନାହିଁ । ଅତିଥିଙ୍କୁ କ’ଣ ଆଣି ଖାଇବାକୁ ଦେବ ଏହି ଚିନ୍ତାରେ କପୋତଟି ମନେ ମନେ ଦୁଃଖ କରୁଥାଏ । ଶେଷରେ କପୋତଟି ମନସ୍ଥ କଲା ଜଳୁଥିବା ଅଗ୍ନିରେ ନିଜ ଦେହକୁ ପୋଡି ଦେଇ ଅତିଥି ଶିକାରୀର କ୍ଷୁଧା ନିବାରଣ କରିବ । ଚିନ୍ତା କରିଥିବା କଥା ଶିକାରୀ ନିକଟରେ ପ୍ରକାଶ କରି ସଂଗେ ସଂଗେ ଜଳନ୍ତା ଅଗ୍ନିକୁ ଡେଇଁ ପଡିଲା । କପୋତର ଏତାଦୃଶ ବ୍ୟବହାର ଶିକାରୀର ବଜ୍ରପରି କଠିନ ହୃଦୟକୁ ମୁହୂର୍ତକରେ ତରଳାଇ ଦେଲା । ଶିକାରୀଟି କହିଲା, “ପାପୀ ଲୋକ ହିଁ ସବୁ ସମୟରେ ନିଜର କ୍ଷତି କିରିଥାଏ । କାରଣ ନିଜର କୃତକର୍ମଫଳ କେବଳ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ । ମୋର କର୍ମପାଇଁ ନର୍କଗତି ଛଡା ଅନ୍ୟ ଗତି ନାହିଁ । ଏହି ପରୋପକାରୀ କପୋତଟି ମୋ ନିକଟରେ ଏକ ଆଦର୍ଶ ଛାଡି ଦେଇ ଯାଇଛି । ଆଜିଠାରୁ ମୁଁ ମୋର ପାପ କର୍ମକୁ ତ୍ୟାଗ କରି ଏକ ସାଧୁ ସନ୍ଥ ପରି ସର୍ବଦା ପୁଣ୍ୟ ଅର୍ଜନରେ ଧ୍ୟାନ ଦେବି ।”

ଏହା କହି ଶିକାରୀ ସଂଗେ ସଂଗେ କପୋତୀକୁ ଛାଡି ଦେଲା । ପଞ୍ଜୁରୀ, ଅଠାକାଠି, ଜାଲ ଇତ୍ୟାଦିକୁ ଫୋପାଡି ଦେଇ ସନ୍ନ୍ୟାସୀ ହେବାପାଇଁ ଜଙ୍ଗଲକୁ ଚାଲିଗଲା । କପୋତୀଟି ଶିକାରୀ କବଳରୁ ରକ୍ଷା ପାଇଲା ସିନା କପୋତର ମୃତ୍ୟୁରେ ଦୁଃଖରେ ମ୍ରିୟମାଣ ହୋଇପଡିଲା । ସେ କାନ୍ଦି କାନ୍ଦି କହିଲା, “ହେ ଭଗବାନ” ମୋତେ କାହିଁକି ତୁମେ ଏହି ଦଣ୍ଡ ଦେଲ? ମୁଁ ମୋ ସ୍ୱାମୀଙ୍କ ବିନା କଦାପି ବଂଚିପାରିବି ନାହିଁ । ବିଧବା ହୋଇ ବଂଚିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି କହି ଯେଉଁ ନିଆଁରେ କପୋତ ପୋଡି ହୋଇଥିଲା, ସେହି ନିଆଁରେ କପୋତୀଟି ପୋଡି ହୋଇ ମୃତ୍ୟୁବରଣ କଲା । କପୋତ କପୋତୀ ଦିବ୍ୟ ଦେହ ଧାରଣ କରି ସ୍ୱର୍ଗକୁ ଯାତ୍ରା କଲେ ।

ଶିକାରୀଟି ତ’ ଜଙ୍ଗଲରେ ସନ୍ନ୍ୟାସୀ ପରି ଜୀବନ ବିତାଉଥାଏ । ଦିନେ ସେ ତା’ର ସମ୍ମୁଖରେ ଅଗ୍ନି ଜଳୁଥିବାର ଦେଖି ସେ ସେହି ଅଗ୍ନି ମଧ୍ୟକୁ ଚାଲି ଚାଲି ଯାଇ ପ୍ରବେଶ କଲା ଏବଂ ସେହି ଅଗ୍ନୀରେ ପୋଡିହୋଇ ଶିକାରୀ ମଧ୍ୟ ମୃତ୍ୟୁ ବରଣ କଲା । କାହାଣୀଟି ଅବତାରଣା କରିସାରି କୁରାକ୍ଷ କହିଲେ, “ଦେଖିଲ ତ! କପୋତଟି କିପରି ତା’ର ଅତିଥି ଶତ୍ରୁକୁ ମଧ୍ୟ ସ୍ୱାଗତ କରିଥିଲା । ଯିଏ କି ତା’ ନିକଟକୁ ସାହାଯ୍ୟ ପାଇଁ ଆସିଥିଲା । ସେହି ଶତ୍ରୁର କ୍ଷୁଧା ମେଂଟାଇବା ପାଇଁ ନିଜର ମାଂସ ମଧ୍ୟ ଭକ୍ଷଣ କରିବାକୁ ଦେଇଥିଲା । କୁରାକ୍ଷଙ୍କ ମତାମତ ଶୁଣିସାରିବାପରେ ଅରିମର୍ଦ୍ଧନ ଦୀପ୍ତାକ୍ଷଙ୍କ ନିକଟରେ ପହଁଚିଲେ । ସମସ୍ତ ଘଟଣା ବର୍ଣ୍ଣନା କରିବା ପରେ ଏ ସଂପର୍କରେ ତାଙ୍କର ମତାମତ ପୋଷଣ କରିବାକୁ କହିଲେ । ଦୀପ୍ତାକ୍ଷ ସଂଗେ ସଂଗେ କହିଲେ, ‘କୁଆ ମନ୍ତ୍ରୀକୁ ହତ୍ୟା କରିବା ଉଚିତ୍ ନୁହେଁ । କାରଣ ସେ ହିଁ ଆମକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିପାରିବ । ଦରକାର ପଡିଲେ ସେ ଆମକୁ ଶତ୍ରୁ ସମ୍ବନ୍ଧରେ ନାନାଦି ସୂଚନାପ୍ରଦାନ କରିପାରିବ । ଏହି ସଂପର୍କରେ ମୁଁ ଆପଣଙ୍କୁ ଏକ କାହାଣୀ କହୁଛି ଶୁଣନ୍ତୁ । ଏହା କହି ଦୀପ୍ତାକ୍ଷ କାହାଣୀ କହିବା ଆରମ୍ଭ କଲେ ।

ଶିକାରୀ ସ୍ତ୍ରୀ କପୋତୀ

Rate the content


Originality
Flow
Language
Cover design

Comments

Post

Some text some message..