Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ହଜି ଯାଉଥିବା ମାଟି
ହଜି ଯାଉଥିବା ମାଟି
★★★★★

© Ajaya Mahala

Drama Others

4 Minutes   14.9K    17


Content Ranking

ହଜି ଯାଉଥିବା ମାଟି

ସପ୍ତାହଟେ ଗୁଜରାଟରେ ଛୁଟି କାଟି ପିଲାଙ୍କ ସହ ଫେରୁଥିଲି ।
ଗାଡି ଅହମଦାବାଦ ଷ୍ଟେସନ ଛାଡିଲା ପରେ ଗୋଟିଏ ପ୍ରକାର ଶାନ୍ତି ଥିଲା । ସହଯାତ୍ରୀ ମାନେ ଅଧିକାଂଶ ଗୁଜୁରାଟି । ଗାନ୍ଧୀ ଦେଶର ଲୋକେ, ଯେତିକି ସଭ୍ୟ, ଗାନ୍ଧିଜୀଙ୍କ ପରି ସେତିକି ଶାନ୍ତିପ୍ରିୟ । ଯାହା ବି କଥାବାର୍ତ୍ତା ହେଉଥାନ୍ତି ଚାପା ଗଳାରେ, ଯେମିତି କାହାରିକୁ କର୍ଣ୍ଣକଟୁ ହେବନି । ଟ୍ରେନ ବି ଚାଲିଛି ସେମିତି ସାବଲୀଳ ଢଙ୍ଗରେ, ଗତିରେ ବିଲକୁଲ ଉଗ୍ରତାର ଚିହ୍ନ ନାହିଁ । ଏମିତି ଶାନ୍ତି ପୁରୀ ପର୍ଯ୍ୟନ୍ତ ଯାତ୍ରାରେ ଲାଗି ରହିଥାନ୍ତା !

ମାତ୍ର ଆସିଗଲା ସୁରତ ଷ୍ଟେସନ । ପ୍ଲାଟଫର୍ମ ଭିତରକୁ ଗାଡି ଧୀରେ ଧୀରେ ପ୍ରବେଶ କରୁଥିଲା ।
ସେଠି ଥିଲା ଅସମ୍ଭବ କୋଳାହଳ ! ଏକାଧିକ ଲାଉଡ଼ ସ୍ପିକର ଯେମିତି ଏକ ସମୟରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି । ଲାଉଡ଼ସ୍ପିକର ଧ୍ୱନିକୁ ବଳି ଜନଗହଳିର ହୋ ହଲ୍ଲା । ପ୍ଲାଟଫର୍ମରେ ଗୋଡ ରଖିବାକୁ ଜାଗା ନାହିଁ । ଟ୍ରେନ ରୋକି ଯିିବା ମାତ୍ରେ ଲୋକମାନେ ଘେରିଗଲେ ଡବା ଗୁଡିକୁ । ମୁଁ ଭାବୁଥାଏ, ଏତେ ଲୋକଙ୍କ ପାଇଁ ଜାଗା କାହିଁ ଟ୍ରେନ ରେ । ମୋର ଚକିତ ଭାବ ଦେଖି ମୋ ପାଖରେ ଥିବା ଗୁଜୁରାତୀ ସହଯାତ୍ରୀ ଜଣକ ଧୀରେ ଧୀରେ କାନରେ ହିନ୍ଦୀରେ କହିଲେ,
"ବିଚଳିତ ହୁଅନ୍ତୁ ନାହିଁ, ୟେ ସମସ୍ତେ ଟ୍ରେନରେ ଚଢିବେ ନାହିଁ । ଏମାନେ ସବୁ ଓଡ଼ିଆ ।"

ସହଯାତ୍ରୀ ଜାଣି ନ ଥିଲେ ଯେ ମୁଁ ବି ଜଣେ ଓଡ଼ିଆ ବୋଲି।
ମୁଁ ତାଙ୍କର ବିଶ୍ୱାସ ଭାଙ୍ଗିବା ଉଚିତ ଭାବିଲି ନାହିଁ।
ମୁହଁରେ ଅଧିକ ଜିଜ୍ଞାସାର ଚିହ୍ନ ଫୁଟାଇ ମୁଁ ପଚାରିଲି , "କିପରି?"
ସ୍ମିତ ହସି ସେ ଜବାବ ଦେଲେ ,
" ଆପଣ ନିଜେ ଦେଖିବେ । ଏମାନେ ସବୁ ସାଥି, ସମ୍ପର୍କୀୟ ଆଦିଙ୍କୁ ବିଦାୟ ଦେବାକୁ ଆସିଛନ୍ତି। କେତେ ଆତ୍ମୀୟତା ଏମାନଙ୍କ ଭିତରେ ! ଜଣେ ଜଣେ ଲୋକକୁ ବିଦାୟ ଦେବା ପାଇଁ ସାତ-ଆଠ ଜଣ ଲେଖାଏଁ ସାଙ୍ଗ-ସମ୍ବନ୍ଧୀ ଆସିଛନ୍ତି।"

ଭଦ୍ରବ୍ୟକ୍ତି ଜଣଙ୍କ ଯାହା କହିଥିଲେ ତାହା ସତ ହେଲା । ପ୍ଲାଟଫର୍ମରେ ରୁଣ୍ଡ ହୋଇଥିବା ଲୋକେ କେବଳ ଦେଖାଣାହାରୀ ଥିଲେ । ଟ୍ରେନ ଗଡିବା ମାତ୍ରେ ସେମାନଙ୍କ ଭିଡ ଅପସରି ଗଲା । ଅଣଓଡିଆ ଯାତ୍ରୀ ମାନଙ୍କ ମୁହଁରୁ ଯାହା ଲକ୍ଷ୍ୟ ହେଉଥିଲା, ସେମାନେ ବେଶ ଆମୋଦିତ ହେଉଥିଲେ ଓଡ଼ିଆ ଯାତ୍ରୀମାନଙ୍କ ବିଦାୟ ପର୍ବର ଦୃଶ୍ୟରେ !

ସେ ଯାହା ହେଉ, ତଥାପି କିଛି କମ ଯାତ୍ରୀ ଚଢି ନ ଥିଲେ ଆମେ ବସିଥିବା ଡବାଟିରେ । ଟାଣି ଓଟାରି ବହୁତ ଘରକରଣା ଜିନିଷ କୋଚ ଭିତରକୁ ଧରି ଆସିଛନ୍ତି ।

ସୁରତ ଫେରନ୍ତା ଓଡ଼ିଆ ଶ୍ରମିକ ଏମାନେ ।
ଉଠାଇ ଆଣିଛନ୍ତି କେତେ ଜାତି ଜିନିଷ - ଦସ୍ତାର ବଡ ବଡ ଟ୍ରଙ୍କ, ପ୍ଲାଷ୍ଟିକ ଫର୍ନିଚର ଆଉ ନୂଆ ଲୁଗା ।
ଓଜନ ହିସାବରେ ମିଳେ କୁଆଡେ ଲୁଗା, ସୁରତରେ ।
ସମସ୍ତେ ଅଳ୍ପ ବୟସିଆ କିଶୋର ଆଉ ନବ ଯୁବକ । ବୟସ ହିସାବରେ ଦେଖିଲେ ମୋ ବୟସର ଅଧା ପାଖାପାଖି ସେମାନଙ୍କ ବୟସ । ସେମାନଙ୍କ ସହ କି ଝଗଡା କରିବ ? ଦୁଇ ଦିନ ଆଗକୁ ରଜ । ଘରେ ପହଞ୍ଚିବାକୁ ସମସ୍ତେ ଉଦବିଗ୍ନ । ଆଉ ଟିକେଟ ମିଳୁନି ଜମା ହେଲେ !

ଅନଧିକୃତ ରୂପରେ ଚଢି ଆସିଛନ୍ତି ରିଜର୍ଭେସନ ଡବା ଭିତରକୁ। ମୁଁ ଜାଣିଶୁଣି ଜାଗା ଦେଇଦେଲି ଦୁଇଜଣଙ୍କୁ । ସକାରାତ୍ମକ ସଂକେତ ମିଳିଲାପରେ ସେମାନେ ଖୁନ୍ଦି ଦେଲେ ଆଣିଥିବା ଜିନିଷ ଏଣେ ତେଣେ ।
ମୋ ବଡ଼ ପୁଅ ଟିକିଏ ବିବ୍ରତ ହୋଇପଡ଼ିଥିଲା ଏ ଶୃଙ୍ଖଳହୀନତାରେ । ସାନପୁଅ ଧୀରେ କରି ମୋ କାନରେ କହିଲା
" ପାପା, ଏମାନେ ତୁମ ଓଡିଆ ଭାଷାରେ କଥା ହେଉଛନ୍ତି ନା ? "

ମୁଁ ତା ଆଡକୁ ଅନାଇ ମୁଣ୍ଡ ଟୁଙ୍ଗାରି ଦେଲି ।

ରାତିର ଅନ୍ଧାରରେ ଟ୍ରେନ ଦୋହଲିବାକୁ ଆରମ୍ଭ କରି ଦେଇଛି । ପିଲା ଦୁଇଟି ଉପର ବର୍ଥରେ ଶୋଇଯାଇଛନ୍ତି । ଦେଖୁଥିଲି ସାନପୁଅର ମୋଟା ସ୍କୁଲବ୍ୟାଗଟିକୁ । ତା ଭିତରେ ଅସମ୍ପୂର୍ଣ୍ଣ ହୋମୱାର୍କ । ଭାବୁଥିଲି ସେମାନଙ୍କୁ ରଜ ବିଷୟରେ ବୁଝାଇଥାନ୍ତି ଆଜି । ଆଉ କେତେ ପ୍ରବଳ, ପ୍ରବାସରୁ ଫେରୁଥିବା, ଏଇ ଓଡ଼ିଆ ଭାଇମାନଙ୍କ ମନର ଅଫୁରନ୍ତ ଖୁସି । ମାତ୍ର ବଡପୁଅର ମଧ୍ୟପ୍ରଦେଶରେ ଜନ୍ମ ତ ସାନ ପୁଅର ଛତିଶଗଡ଼ରେ । ଜନ୍ମଭୂମି କଣ - ତାହା ବି ଠିକ ରୂପେ ଘର କରିନି ସେମାନଙ୍କ ମନରେ । କ'ଣ ବୁଝାଇଥାନ୍ତି ସେମାନଙ୍କୁ ! ସେମାନେ ଶୋଇଗଲେ ବି  ା  ଆମକୁ ରାତି ଚାରିଟାରେ ଭୁସାବଳ ଷ୍ଟେସନରେ ଓହ୍ଲାଇବାକୁ ପଡିବ ।

ବାଥରୁମ ଯିବାପାଇଁ ଚପଲ ଖୋଜିଲି ।
ଜଣେ କିଏ ମୋ ପଟିଏ ଲେଦର ଚପଲ ଉପରେ ତାଙ୍କ ଟିଣ ବାକ୍ସ ରଖି ଦେଇଛନ୍ତି । ଅନୁକମ୍ପା ଦେଖାଇବାର ଏହି ଫଳ !

କମ୍ପାର୍ଟମେଣ୍ଟଗୁଡିକୁ ପାର ହୋଇ ଗଲାବେଳେ ମୁଁ ଶୋଇଥିବା ଯାତ୍ରୀମାନଙ୍କୁ ମୁହଁ ବୁଲାଇ ଦେଖୁଥିଲି ।
ଅଧିକାଂଶ ଯାତ୍ରୀ ଓଡ଼ିଆ । କେତେକ ତଳେ ବେଡ଼ସିଟ ବିଛାଇ ଶୋଇ ଯାଇଛନ୍ତି ।କେତେକ ଶୋଇ ନାହାଁନ୍ତି । ପ୍ରବାସରୁ ଫେରିବାର ଖୁସି ଉପରେ ଚଢ଼ି ଯାଇଛି ଆସୁଥିବା ରଜର ଖୁସି । ଆଖିକୁ ନିଦ ଆସିବ କିପରି ?

ଶୋଇବାକୁ ମୁଁ ମୋ ବର୍ଥକୁ ଫେରିଲି । ପଡି ରହି ଭାବୁଥିଲି ବିତିଲା ଦିନ କଥା । ତିରିଶ ବର୍ଷ ହେଲା ରଜ କଣ ଜାଣିନି । ଗାଁକୁ ଯିବା ତ ହୋଇଛି କିନ୍ତୁ ରଜ ସମୟରେ ନୁହେଁ । ଆଖି ଆଗରେ ନାଚି ଯାଉଥିଲା ଦେଖା ଓଡ଼ିଶାର ରଜ ବଜାର । କିଣା ବିକା ସବୁ ଆଡେ । କଳାମନ୍ଦିର, ରାଜହଂସ, ରାଜରତନ ଆଦି ଦୋକାନାମାନଙ୍କର ମନଲୋଭା ବିଜ୍ଞାପନରେ ଭରା ଖବରକାଗଜ । ଓ.ଏମ.ପି. ଛକ ଦେଇ ଘରକୁ ଫେରିବାବେଳେ ବସରେ ଛାତି ପିଟାପିଟି ଭିଡ । ବସ୍ ଉପରକୁ ଚଢା ଯାଉଥିବା ପାଚିଲା ଆମ୍ବଝୁଡ଼ି ସବୁ । ମନ କହୁଥିଲା ଏମିତି ଭାବି ଭାବି ଟ୍ରେନରେ ଦୋହଲି ଦୋହଲି ଚାଲୁଥିବି । ଅନ୍ଧାରୀ ଲମ୍ବା ସୁଡ଼ଙ୍ଗ ଭିତରେ । କଳାଘୁମର ରାତ୍ରିରେ । ମଝିରେ ମଝିରେ ବିଳାପ ସଂଗୀତ ଗାଇ ଉଠୁଥିବା ଟ୍ରେନର ହର୍ଣ୍ଣ ସହ - ମା'ର ଜଠର ଭିତରକୁ ।

କେତେବେଳେ ଶୋଇପଡିଛି ଜାଣିନି ।

ଆଟେଡାଣ୍ତ ଉଠାଇ କହିଗଲା, "ସାହେବ, ଭୁସାବଳ ଆସୁଛି"। ପିଲାମାନେ ମୋର ଉଠିଗଲେ ଓ ଜୋତା ମୋଜା ପିନ୍ଧି ପ୍ରସ୍ତୁତ ହୋଇଗଲେ । ସ୍ଥିର ହେଲା ମୁଁ ଉଠାଇବି ଦୁଇଟି ବଡ ସୁଟକେଶ, ବଡପୁଅ ତା ବ୍ୟାଗ ଆଉ ସାନପୁଅ ତା ସ୍କୁଲ ବସ୍ତାନୀ । ଦ୍ୱାର ପାଖକୁ ଟାଣିନେଲୁ ସବୁ ଲଗେଜ୍ । ଘଡିରେ ରାତି ସାଢ଼େ ଚାରିଟା ବାଜିଥିଲା । ଟ୍ରେନ ଗୋଟିଏ ମିନିଟରେ ରୋକିବ । ମୋ ନିଜ ଜନ୍ମଭୂମି ଆଡକୁ ଚାଲିଯିବ କିଛି ସମୟ ରହି । ଥରେ ଆଖି ବୁଲାଇ ଆଣିଲି ଓଡିଆ ଯାତ୍ରୀ ମାନଙ୍କ ଉପରେ । ସମସ୍ତେ ଶୋଇ ପଡ଼ିଥିଲେ ।

ଆଖି ବୁଲାଇ ଆଣିଲି ମୋ ନିଜ ଛୁଆମାନଙ୍କ ଉପରେ ବି।

ଆମେ ତିନି ଜଣ ଓହ୍ଲାଇଗଲୁ ଶେଷ ଗ୍ରୀଷ୍ମର ପାହାନ୍ତିଆ ଆକାଶ ତଳେ, ଅହମଦାବାଦ-ପୁରୀ ଏକ୍ସପ୍ରେସରୁ ।

ସଂସ୍କଋୁତି ଜନ୍ମଭୂମି ଜୀବନ ବାଧ୍ୟବାଧକତା

Rate the content


Originality
Flow
Language
Cover design

Comments

Post

Some text some message..