Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ଭାଗର ରାତି
ମୋ ଭାଗର ରାତି
★★★★★

© Rajabala Tripathy

Inspirational

4 Minutes   277    22


Content Ranking

କୌଣସି ସ୍ଥାନ ଅସୁରକ୍ଷିତ ତେଣୁ ଆମେ ଡ଼ରୁ ନା ଆମେ ଡ଼ରୁ ବୋଲି କୌଣସି ସ୍ଥାନ ଅସୁରକ୍ଷିତ ହେଇଯାଏ। କୋଚିଂ କ୍ଲାସରୁ ଘରକୁ ଫେରିବା ବାଟରେ ଠିକ ସେହି ନିରୋଳା ଗଳିରେ ପହଂଚୁ ପହଂଚୁ ସବୁଦିନ ଏଇ ଏକା ପ୍ରଶ୍ନ ଉଙ୍କି ମାରେ ରୀନା ମନରେ। ଯେମିତିକି ବେଙ୍ଗଟିଏ ପରି ଏଇ ଗଳି ମୁଣ୍ଡରେ ଛପି ବସିଥାଏ ପ୍ରଶ୍ନଟି ରୀନା ଅପେକ୍ଷାରେ । ଦେଖିଦେଲେ ଖପ କିନା କାବୁ କରେ ତା ମନକୁ। କିନ୍ତୁ ଏ ଯାଏଁ ଏ ପ୍ରଶ୍ନର ଉତ୍ତର ମିଳିନି ତାକୁ।ତାକୁ ଲାଗେ ଏଇଟା ଯେମିତି ସବୁଠୁ କଷ୍ଟ ପ୍ରଶ୍ନ ତାର 20 ବର୍ଷ ଜୀବନର ।

ଧେତ ଆଜିବି ଲେଟ ହେଇଗଲା। 5 ଟାରୁ 7 ଟା। ତାର କୋଚିଂ ସମୟ। କଲେଜ ପରେ ଏ ସମୟଟା ହିଁ ସୁବିଧା ହୁଏ ତା ପାଇଁ। administrative officer ହେବାକୁ ଇଛା ତାକୁ ନେଇ ଆସିଛି ଏଇ ଛୋଟ ସହରଟିକୁ। ଦୂର ଏକ ଗାଁ ସ୍କୁଲରେ ବାପା ଶିକ୍ଷକ। ଦଶମ ଶ୍ରେଣୀ ଯାଏଁ ତ ଚଳିଗଲା କିନ୍ତୁ ଅଧିକ ପଢିବା ପାଇଁ ,ତାର ପିଲାଦିନର ସ୍ବପ୍ନ ପୂରଣ କରିବା ପାଇଁ ବାଧ୍ୟ ହୋଇ ତାକୁ ଛାଡିବାକୁ ପଡିଥିଲା ବାପାଙ୍କୁ ଏକୁଟିଆ। ଏଇଠି ସେ ଆଉ ମାଆ। ବହୁତ କଷ୍ଟରେ କୋଚିଂ ସେଣ୍ଟରଠୁ 500 ମିଟର ଦୂରରେ ଭଡା ଘରଟିଏ ମିଳିଛି। କଲେଜ ଆଉ କୋଚିଂ କ୍ଲାସ ଚାଲି ଚାଲି ଯିବା ଆସିବା କରେ ସେ। କଲେଜ କଥା ତ ଚଳି ଯାଏ କିନ୍ତୁ କୋଚିଂ କ୍ଲାସରୁ ଫେରିବା ବେଳକୁ କେବେ କେବେ ରାତି 7.30 ରୁ 8ଟା ହେଇଯାଏ । ସେ ନିଚ୍ଛାଟିଆ ଗଳିରେ ଫେରିବା ତା ପାଇଁ ଗୋଟେ ମରଣ ଯନ୍ତା ହେଇଯାଏ ଯେମିତି। ସବୁଦିନ ଭାବେ ଡ଼ରିବନି ବୋଲି, କିନ୍ତୁ ସେଇ ଗଳିରେ ପହଁଚିଲେ ଯେସାକୁ ତେସା।

ଭାବୁ ଭାବୁ କେତେବେଳେ ଯେ ଗଳି ମୁଣ୍ଡରେ ପହଂଚି ଯାଇଥିଲା ରିନା। ପୁଣି ଥରେ ମାଡି ବସିଲା ସେଇ ପୁରୁଣା ଡର। ଦୁଇ ହାତକୁ ଛାତିରେ ଛନ୍ଦି ସନ୍ତର୍ପଣରେ ଚାଲିବାକୁ ଲାଗିଲା ସେ। ତାକୁ ଲାଗିଲା ତା ପଛରେ କେହି ଜଣେ ଚାଲିଛି।ପଛକୁ ଟିକେ କଣେଇ କରି ଦେଖିଲା ତା ପାଦର ତାଳ ସହ ତାଳ ଦେଇ ଚାଲିଛି ପୁଅଟିଏ। ଡରରେ ଜୋରରେ ଛାତି ଧଡ଼ଧଡ ହେଲା ତାର। ଗରମ ହେଇଗଲା କାନ ମୁଣ୍ଡା। ଯଦି ସେ ମୋତେ ପଛରୁ ଭିଡ଼ି ନିଏ, ତେବେ ? ଯଦି ହାତ ଧରି ଟାଣି ନିଏ ତେବେ? ଯଦି ନିଶା ସୁଙ୍ଗେଇ ଉଠେଇନିଏ ତେବେ? ଅଜସ୍ର ଯଦିମାନେ ଦଂଶନ କରି ଚାଲିଲେ ତାକୁ। ଧାଇଁ ପଳେଇବ କି। ପାଦର ଗତି ତୀବ୍ର କଲା ରୀନା। ପଛରୁ ଶୁଣିଲା ସମାନ ପାଦ ଶବ୍ଦ । ଆହୁରି ଜୋର ପାଦ ପକେଇ ଧାଇଁ ପଳେଇବାକୁ ଭିତରୁ ଏକ ଭୀଷଣ ଇଛା ହେଉଥାଏ। ଧାଇଁବା ପାଇଁ ପାଦ ଉଠେଇବା ପୂର୍ବରୁ କ୍ଷଣେ ରହିଗଲା ରିନା। ହେଲେ ସେ ଧାଇଁବ କାହିଁକି। ସେ ଡ଼ରୁଛି କାହିଁକି। ସେ ବେଶ ସ୍ୱାଭାବିକ ଭାବେ ଚାଲି ପାରୁନି କାହିଁକି। "କୁକୁର ଗୋଡେଇଲେ ଜମା ଧାଇଁବୁନି। ସେ ବେଶୀ ପଛରେ ଗୋଡେଇବ। ଧର୍ଯ୍ୟର ସହ ଛିଡା ହେଇ ତାକୁ ସାମ୍ନା କଲେ, ସେ ନିଜେ ଡରି ପଳେଇବ। ମନେରଖ ମାଆ, ଯେତେ ଡରିବୁ ଡର ସେତେ ଡ଼ରେଇବେ। ଡରକୁ ଡରିକି ପଳେଇଲେ ନୁହେଁ ତା ସହ ଆଖି ମିଳେଇ ହିଁ ଦୂର କରି ହୁଏ। ଡର ସହ ଆଖି ମିଳେଇବା ପାଇଁ ଦର୍କାର ଏକ ଶକ୍ତ ଆତ୍ମବିଶ୍ୱାସ।"ମନେ ପଡିଗଲା ପିଲା ବେଳେ କୁକୁରକୁ ଦେଖି ଡରି ଧାଇଁବାକୁ ଉଦ୍ୟମ କରିଥିବା ବେଳେ ତା ହାତ ଧରି ଅଟକେଇ ବୁଝେଇ ଦେଇଥିଲେ ବାପା। ଆରେ ହଁ ତ।ସେ କୁକୁର ହେଉ ବା ମଣିଷ କି ଆଉ କଣ କେବଳ ଭୟର ହିଁ ଗୋଟେ ଗୋଟେ ରୂପ। ସେ କାହିଁକି ଡ଼ରୁଛି ଜଣେ ମଣିଷକୁ। ସେ ବି ତ ଜଣେ ମଣିଷ। ଜଙ୍ଗଲରେ ସିଂହୀ ଏକା ଯିବା ପାଇଁ ଡରେ କି ।କଣ ବାଘକୁ ଡରି ବାଘୁଣୀ ରାତିରେ ଏକୁଟିଆ ବାହାରକୁ ବାହାରିବାକୁ ଭୟ କି। ତାହେଲେ ସେ ଆଉ ଏକ ମଣିଷକୁ ଡ଼ରୁଛି କାହିଁକି। ହଁ ହେଇପାରେ ସେ ପୁଅଟିଏ। ଏ ଡର ଆପେ ଆପେ ତା ଭିତରକୁ ଆସୁଛି ନାଁ ଏହା ଏକ ଯୁଗ ଯୁଗର ପ୍ରାୟୋଜିତ ଭୟ । ସେ ଝିଅଟିଏ ତେଣୁ ଭୟ କରିବା ଉଚିତ, ତା ଭିତରର ଡର ଏହି ଭାବନାର ପରିପ୍ରକାଶ ନୁହେଁ ତ।କଣ କିଛି ଭୟ ତା ଉପରେ ଜାଣି ଶୁଣି ଯୁଗ ଯୁଗରୁ ଲଦା ଯାଇନି ତ।ଏହି ସବୁ ଭାବନା ସହ ସେ ପାଇଗଲା ଅନେକ ଦିନ ଧରି ତାକୁ ଅସ୍ତବ୍ୟସ୍ତ କରୁଥିବା ପ୍ରଶ୍ନଟିର ଉତ୍ତର। ପରସ୍ତେ ଝାଳ ହୋଇ ବହିଗଲା ତା ମନର ସବୁ ତକ ଡର, କାନ ମୁଣ୍ଡାର ତାତି, ଥମିଗଲା ଛାତିର ଧଡ଼ ଧଡ଼, ନିଶ୍ୱାସର ଖର ଗତି। ଛଟ କିନା ପଛକୁ ବୁଲିପଡ଼ିଲା ରୀନା। ଥମିଗଲା ପୁଅଟିର ପାଦ। " ମୋ ପଛରେ ଆସୁଛ କାହିଁକି? ସବୁତକ ଶକ୍ତି ସଂଗ୍ରହ କରି ଆଖିରେ ଆଖି ମିଶେଇ ଚିଲେଇଲା ଭଳି କହିଲା ରୀନା। " ନାଇଁ.. ମୁଁ..." ଥ ମ ହେଇ ପଛକୁ ହଟିଗଲା ପୁଅଟି। " "ମୋତେ ବି ଗଳିରେ ଏକା ଯିବାକୁ ଡର ଲାଗେ ତ।ସେ ପାଇଁ.." ଡରି ଡରି କହିଲା ପୁଅଟି। "ଆଛା"ଆଗକୁ ବୁଲି ପଡିଲା ରୀନା। ଫିକ କିନା ହସି ଦେଲା। ବେଶ ସହଜତାର ସହ ଗୀତଟିଏ ଗୁଣ ଗୁଣେଇ ଆଗକୁ ବଢ଼ିଲା। ରାସ୍ତାରେ ପଡିଥିବା ପଥରଟିକୁ ପାଦରେ ଗଡେଇ ଦେଲା, ରୀନାର ଗଭୀର ଆତ୍ମ ବିଶ୍ୱାସର ଚାଲିକୁ ସମ୍ମାନ ଜଣେଇ ଦୂରକୁ ଗଡି ଗଲା ପଥରଟି। ମୁଣ୍ଡ ଟେକି ଆକାଶକୁ ଚାହିଁଲା ରୀନା। ତାର ଆଜିର ବିଜୟର ସାକ୍ଷୀ ଆକାଶ, ତାରା ମେଳରେ ହସି ହସି ମିଟ ମିଟ କରୁଥିଲା। ତାକୁ ଲାଗିଲା ତା ଛାତି ଭିତରେ ବି ଏକ ବିଶାଳ ଆକାଶ। ସେ ନିରୋଳା ଗଳିରେ ନିଜ ବିଜୟକୁ ଉପଭୋଗ କରୁ କରୁ ଏକ ଲମ୍ବା ନିଶ୍ୱାସରେ ରାତିର ବାସ୍ନାକୁ ନିଜ ଭିତରକୁ ଟାଣି ନେଇ ଦ୍ରୁତ ପାଦରେ ଘରମୁହାଁ ହେଲା ରୀନା । ନିରବତାକୁ ଚିରି ଶୁଣା ଯାଉଥିଲା ଗୋଟେ ପାଦ ଶବ୍ଦ। ସେ ଶବ୍ଦ ଉଚ୍ଚ ସ୍ୱରରେ କହି ଉଠୁଥିଲା, ଶୁଣ ଡ଼ରିବାର ଦିନ ସରିଲା। ଏ ରାତି କେବଳ ତୁମର ନୁହେଁ ଏଥିରେ ବି ମୋର ସମାନ ଅଧିକାର। ଏ ରାତିବି ମୋର।

ଅସୁରକ୍ଷିତ ସମୟ କୋଚିଂ କ୍ଲାସ

Rate the content


Originality
Flow
Language
Cover design

Comments

Post

Some text some message..