ହସ.........
ହସ.........
ହସ
ରଶ୍ମି ଦାଶ
ଦୁଃଖୀ ଲୋକଟି କଣ ହସି ପାରେନା,ନା ହସୁଥିବା ଲୋକଟି ପାଖରେ ଦୁନିଆ ଜାକର ଖୁସି ଉପଲବ୍ଧ ଥାଏ ? ଏଇ ହସଟା ନା କେତେବେଳେ ଯେ କାହାପାଖରେ ପହଂଚିଯାଇ ପୁଣି ଖସି ପଳେଇଯାଏ ତାହା କହିହୁଏନା ।ସୁଖ ଖୋଜିବାରେ ବ୍ୟସ୍ତ ଲୋକଟି ହସ ହଜେଇ ଦେଇଥିବାବେଳେ, ସୁଖ କଣ ଜାଣି ନଥିବା ଲୋକଟି ପାଖରେ, ବୋଧେ ଥାଏ ହସ । ଯେମିତି ହସୁ ଥିଲା ସେଇ ଝିଅଟି । ମୁଁ ଗାଡିଟା ରଖୁ ରଖୁ ହସି ହସି ଧାଇଁ ଆସିଥିଲା ମୋ ପାଖକୁ । ସ୍ୱାଧୀନତା ଦିବସ ପାଇଁ ରଙ୍ଗ ବେରଙ୍ଗ ପୋଷାକରେ ସଜେଇ ହେଇଥିବା ପିଲାଙ୍କ ପରି ତା ଦେହରେ ନଥିଲା ଦାମୀ ପୋଷାକ, ଗୋଟେ ଅପରିଷ୍କାର ଗଂଜି ଓ ପ୍ୟାଣ୍ଟ ସହ, ଗୋଟିଏ ହାତରେ କିଛି ଛୋଟ ଛୋଟ ପତାକା,ଆର ହାତରେ ଦୁଇଟି ଟଙ୍କାକିଆ ମୁଦ୍ରା,ହସି ହସି ମତେ ଗୋଟେ ସାଲୁଟ ମାରି ପତାକାଗୁଡିକୁ ଦେଖେଇ କହିଥିଲା - - ବାବୁ ଗୋଟେ ପତାକା ନିଅ, ସମସ୍ତେ ଆଜି ଗାଡ଼ିରେ ନେଇ ଗାଡ଼ିରେ ଆଜି ଲଗାଉଛନ୍ତି, ତମ ଗାଡ଼ିରେ ଲାଗିନି - ସବୁତକ ଦେଇଦେ, କେତେ ପଇସା କହ ? ପିଲାଟିର ଖୁସି ଦେଖି ମୁଁ କହିଲି - ନାଇଁ ଆଜ୍ଞା ଏଗୁଡାଙ୍କୁ ଦୟା ଦେଖାନ୍ତୁନି , କୋଉଠୁ ଚୋରି କରି ଏଗୁଡା ଆଣିଛି, ତାଙ୍କୁ ଦୟା ଦେଖେଇଲେ ଆହୁରି ଚୋରି କରିବେ ।ପାଖରେ ଠିଆ ହେଇଥିବା ଲୋକଟି ମନ୍ତବ୍ୟ ରଖିଲେ । - ନାଇଁ ବାବୁ ମୁଁ ଚୋରି କରିନି, ମୋ ମା କିଣି କରି ଆଣିଛି । - ରାତିରେ ୨୦/୩୦ ଟଙ୍କା ନେଇ ଇଆ ତା ପାଖରେ ଶୋଇ ବର୍ଷକୁ ଗୋଟେ ଲେଖା ଛୁଆ ଜନ୍ମ କରି , କାହାକୁ ଭିକାରି ତ, କାହାକୁ ଚୋରି ଶିଖେଇ ଇଆ ମା ପରି କେତେ ଏଠି ବେପାର ଚଳେଇଛନ୍ତି, ଜମା ଏଙ୍କୁ ଦୟା ଦେଖାନ୍ତୁନି ।ଆଉ ଜଣେ ଲୋକର ଏ ଉପଦେଶ ଥିଲା ମୋ ପାଇଁ । - ନାଇଁ ସାର ଦି ଟଙ୍କା ଅଛି, ଆଉ ଦି ଟଙ୍କା ହେଇଥିଲେ ବରା ଦିଟା ଖାଇଥାନ୍ତି । ଡରି ଡରି ଉତ୍ତର ଦେଲା ପିଲାଟି । ବୁଝି ପାରିଲି ନାହିଁ ସେଇ ଅଚିହ୍ନା ଲୋକ ଦୁଇ ଜଣଙ୍କର ଏତେ ଅସୂୟା କାହିଁକି,ସେମାନେ ନିଜେ ତ ହସି ପାରୁନାହାନ୍ତି ଅନ୍ୟର ହସକୁ କେତେ ସହଜରେ ଛଡେଇ ନେଇ ଯାଉଛନ୍ତି ? ପିଲାଟିକୁ ୧୦ ଟଙ୍କା ବଢ଼େଇ ୧୦ଟି ପତାକା ମାଗିଲି । ତାକୁ କିନ୍ତୁ ଦୁଇରୁ ଆଉ ଉପରକୁ ଗଣି ଆସି ନଥିଲା ।ଗୋଟେ ଟଙ୍କା ଦେଖେଇ କହିଲା ଏମିତି ଗୋଟେରେ ଗୋଟେ ପତାକା ।ତାକୁ ଯେତେ ବୁଝେଇଲେବି ସେ ଦୁଇ ରୁ ତିନି କୁ ବଢି ପାରିଲା ନାହିଁ ।ମନେ ପଡ଼ିଲା ମୋ ପକେଟରେ ଦୁଇଟି ଟଙ୍କା କିଆ ଥିବ,ପିଲାଟି ପାଖରୁ ଦୁଇଟି ପତାକା ଆଣି ପକେଟରେ ହାତ ପୁରେଇଲି,ପିଲାଟି ହଠାତ ମୋଠୁ ପଇସା ନ ନେଇ ଧାଇଁ ପଳେଇଲା ।ପାଖରେ ଥିବା ଲୋକ ଦୁଇଟି କହିପକେଇଲେ ଦେଖିଲେ ଆଜ୍ଞା କହୁଥିଲୁନା ଏଗୁଡା ଚୋର,ଦେଖିଲେ ତ ପୋଲିସ ଦେଖି କେମିତି ଧାଇଁ ପଳେଇଲା । ହୋମଗାର୍ଡଟି ତା ପଛେ ପଛେ ଯାଉ ଯାଉ କହୁଥିଲା, ସରକାର ଏଇ ପ୍ଲାଷ୍ଟିକ ପତାକା ଗୁଡ ବନ୍ଦ କରିଥିବାବେଳେ ଏଗୁଡା କଣ ମାନୁଛନ୍ତି । ପିଲାଟି ଭିତ ଭିତରେ ହଜିସରିଥିଲା, ମୋ ହାତରେ କିନ୍ତୁ ପତାକା ଦୁଇଟିକୁ ସେମିତି ଦେଖୁଥିଲା ହୋମଗାର୍ଡଟି । ଦୂରରୁ ଭାସି ଆସୁ ଥିଲା ସ୍ୱାଧୀନତା ଦିବସ ଉପଲକ୍ଷେ ମନ୍ତ୍ରୀଙ୍କର ଭାଷଣ ,ପିଲା ଜନ୍ମ ଠାରୁ ମରିବା ପର୍ଯ୍ୟନ୍ତ ସରକାର ଦେଉଥିବା ସୁବିଧାର ଲମ୍ବା ବିବରଣୀ । ମୁଁ କିନ୍ତୁ ଭାବୁଥିଲି ବରା ଖାଇବା ପାଇଁ ପିଲାଟିର ହସ ଟା ରହିଗଲା ମୋ ହାତରେ,ଆଉ ଭିଡରେ ହଜି ଗଲା ସେଇ ହାସକୁରା ମୁହଁଟା