Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Inspirational Others

5.0  

ପ୍ରଶାନ୍ତ କୁମାର ବେହେରା

Inspirational Others

ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

5 mins
420


ଏଇ ଦିନ ୧୧ ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍ ରେ ବସିପଡିଲା ।

ମୁଁ ପଚାରିଲି, " କଣ ଆଉ ସବୁ ଭଲ ତ ? "

ଉତ୍ତରରେ ସେ କହିଲା, " ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।"

ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାନ୍ତି । ଶୀତ ଦିନ ହେତୁ ତାକୁ ଚାହା ଦେବା ଠିକ୍ ହେବ ବୋଲି ଚିନ୍ତା କରି ମୋ ସ୍ତ୍ରୀକୁ ଦୁଇ କପ୍ ଚାହା କରିବାକୁ କହିଲି । ଏମିତିରେ ସ୍ତ୍ରୀ ନିୟମ କରିଥାଏ ସକାଳ ବେଳା କପେ ଓ ସଂଧାରେ କପେ - ଏଇ ମାତ୍ର ଦୁଇ କପ୍ ଚାହା ଦିନକୁ ମୋତେ ମିଳେ । କିନ୍ତୁ ଯଦି କିଏ ଅତିଥି ଆସିଗଲେ ତାହେଲେ ଡାଳୁଅ ପାଇଁ ଯେମିତି କନସିରି ପାଣି ପାଇଯାଏ ସେମିତି ମୋତେ ମଧ୍ୟ ମୋ କୋଟା ବାହାରୁ ଚାହା ମିଳିଥାଏ ।

କିଛି ଲୋକ ସେ ଲୋକଟିକୁ ଅଧା ପାଗଳ କାଇଁଚ କୁହନ୍ତି ମୁଁ ଏ ଯାଏ ମଧ୍ୟ କିଛି ସେମିତି ବଳିଷ୍ଠ କାରଣ ଖୋଜି ପାଇନି । ଅଧା ପାଗଳ କଥା ମନକୁ ଆସିବା ମାତ୍ରେ ମୋ ମନ ଭିତରେ ସବୁବେଳେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ତାଙ୍କ ମୁଁହ ନାଚି ଉଠେ । ୧୯୮୯ ମସିହାର କଥା । ମୁଁ ସେତେବେଳେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥାଏ । କଲେକର ଗୋଟେ ଫଙ୍କସନକୁ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଅରୁଣ ପଣ୍ତା ନିମନ୍ତ୍ରିତ ହୋଇ ଆସିଥାନ୍ତି । ସେ ତାଙ୍କ ଭାଷଣରେ ଅଧା ପାଗଳ ଆଉ ଫୁଲ୍ ପାଗଳ ବିଷୟରେ ଗୋଟେ ଗପ କହିଥିଲେ । ଗପ କହିବା ଅପେକ୍ଷା ଗୁଲି ପେଲିଥିଲେ ବୋଲି କହିବା ଠିକ୍ ହେବ । କିନ୍ତୁ ସେଇ ଗୁଲି ଗପରେ ଆମେ ସବୁ ଶ୍ରୋତା ହସି ହସି ବେଦମ୍ ହୋଇଥିଲୁ ସେଦିନ ସେଇ ସଭାରେ ।

ସେ ଗୁଲି ଗପଟି ଥିଲା ଏମିତି :-

ଗୋଟେ ପ୍ରାଇମେରୀ ସ୍କୁଲ୍ କୁ ନିରିକ୍ଷଣ କରିବା ପାଇଁ ସ୍କୁଲ ଇନ୍ସପେକ୍ଟର ପରଦିନ ଆସିବା ପାଇଁ ସ୍ଥିର ହୋଇଥାଏ । ସ୍କୁଲର ସବୁ ସାର୍ ଓ ମାଡାମ୍ ମାନେ ପୁରା ବିଚଳିତ ହେଉଥାନ୍ତି । କାହା ଚାକିରି ଯିବ କି କଣ ହେବ ଏମିତି ଭୟ ସମସ୍ତଙ୍କୁ ଘାରୁଥାଏ । ସ୍କୁଲର ହେଡ୍ ସାର୍ ସବୁ ଶ୍ରେଣୀର ଭଲ ପିଲା ମାନଙ୍କୁ ଡାକି ବୁଝାଉଥନ୍ତି । ଯାହା ପ୍ରଶ୍ନ ଇନ୍ସପେକ୍ଟର କରିବେ ସେମାନେ ହାତ ଟିକି ସଠିକ୍ ଉତ୍ତର ଯେମିତି ଦେବେ । ମେଧାବୀ ପିଲା ମାନେ ହେଡ୍ ସାର୍ ଙ୍କ କଥାରେ ମୁଣ୍ତ ହଲାଇ ହଁ ମାରୁଥାନ୍ତି ।

ପରଦିନ ଠିକ୍ ସକାଳ ୧୧ ଟାରେ ଇନ୍ସପେକ୍ଟର ସ୍କୁଲରେ ପହଞ୍ଚିଗଲେ । ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଲେସନ୍ ପ୍ଲାନ୍ ସବୁ ଦେଖିସାରି ପଞ୍ଚମ ଶ୍ରେଣୀକୁ ଇନସ୍ପେକସନରେ ଯିବାକୁ ସ୍ଥିର କଲେ । ତାଙ୍କ ସହ ସ୍କୁଲର ହେଡ୍ ସାର୍ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଧ୍ୟ ସେ କ୍ଲାସ ରୁମ୍ ଅଭିମୁଖେ ଚାଲିଲେ । ସେଠି ପହଞ୍ଚି ଇନ୍ସପେକ୍ଟର ମହାଶୟ ସମସ୍ତ ପିଲା ମାନଙ୍କ ଉପରେ ଆଖି ବୁଲାଇ ଆଣିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୁରା ଶଙ୍କାଗ୍ରସ୍ତ ଅବସ୍ଥାରେ ଥାଆନ୍ତି । ପିଲା ମାନେ ମଧ୍ଯ ତାଙ୍କ ସାର୍ ଓ ମାଡାମ୍ ମାନଙ୍କ ଅବସ୍ଥା ଦେଖି ପୁରା ଡରି ମରି ଥାଆନ୍ତି । ସ୍କୁଲ ପରିବେଶ ସାରା କେମିତି ଏକ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ସମସ୍ତେ ପୁରା ଚୁପ୍ ଚାପ୍ ହୋଇ ଥାଆନ୍ତି । ଏତେ ନୀରବତା ବିରାଜମାନ କରୁଥାଏ ଯାହାକୁ କଥାରେ କୁହନ୍ତି ଛୁଞ୍ଚି ପଡିଲେ ବି ଶବ୍ଦ ହେବ ।

ଏମିତି ଏକ ସମୟରେ ଇନ୍ସପେକ୍ଟର ହଠାତ୍ ପ୍ରଶ୍ନ ପଚାରିଲେ , " ଆଛା ପିଲାଏ କହିଲ ଦେଖି ? ଯଦି ବଜାରରେ ଆଳୁ କିଲୋ ୧୦ ଟଙ୍କା ତାହେଲେ ମୋ ବୟସ କେତେ ? "

ଏମିତି ପ୍ରଶ୍ନ ଶୁଣି ହେଡ୍ ସାର୍ ଙ୍କ ମୁଣ୍ତ ପୁରା ଗୋଳମାଳ ଧରିଗଲା । ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆବାକାବା ହୋଇ ପରଷ୍ପର ମୁହଁକୁ ଚାହାଁଚହିଁ ହେଉଥାନ୍ତି । ଏମିତିକା ପ୍ରଶ୍ନର ଉତ୍ତର ତାଙ୍କୁ ତ ମାଲୁମ୍ ନାହିଁ ପିଲାମାନେ କଣ ବା ଉତ୍ତର ଦେବେ ? ସେ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ମାନେ ବଡ ବିକଳ ହୋଇ ତାଙ୍କ ହେଡ୍ ସାରଙ୍କ ମୁହଁକୁ ଅନେଇଥାନ୍ତି ।

ହଠାତ୍ ଦେଖାଗଲା ପୁରା ଶ୍ରେଣୀର ପଛ ଲାଇନ୍ ରେ ବସିଥାବା ଟୁନା ହାତ ଟେକିଦେଲା । ଟୁନା ହଉଛି ସ୍କୁଲର ସବୁଠୁ ବାଳୁଙ୍ଗା ଟୋକା । ପାଠ ପଢା କଥା ଛାଡ ଶାଠରେ ମଧ୍ୟ ଶୁନ୍ । ଟୁନା ହାତ ଟେକିବା ମାତ୍ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରା ପ୍ରମାଦ ଗଣିବା ଆରମ୍ଭ କରିଦେଲେ । ଯେଉଁ ପ୍ରଶ୍ନର ଉତ୍ତର ସେମାନଙ୍କୁ ଜଣା ନାହିଁ ଏ ବାଳୁଙ୍ଗା ଟୁନା କଣ କହିବ କେଜାଣି ?

ଇନ୍ସପେକ୍ଟର ଟୁନା ହାତ ଟେକିବା ଦେଖି କହିଲେ," ଯାହା ହେଉ ଏତେ ପିଲାଙ୍କ ଭିତରେ ଗୋଟେ ଭଲ ପିଲା ଅଛି । କହିଲୁ ବାପା କଣ ଉତ୍ତର ? "

ଟୁନା ଗୋଟେ ବେପରୁଆ ଠାଣିରେ ଠିଆ ହେଲା । ହେଡ୍ ସାରଙ୍କର ସେତେବେଳକୁ ବିନା ଗରମ ପାଗରେ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥାଏ ।

ଟୁନା ଠିଆ ହୋଇ ବଡ ପାଟି କରି କହିଲା, " କହିବି ତାହେଲେ ? "

ଇନ୍ସପେକ୍ଟର ବଡ ବ୍ୟଗ୍ର ହୋଇ କହିଲେ, " ହଁ କୁହ ତୁମେ । ଆଦୌ ଡରନି । "

ଟପୁନା ହେଡ୍ ସାରଙ୍କ ଆଡକୁ ଇଙ୍ଗିତ କରି କହିଲା, " ନାଇଁ ଥାଉ କହିବିନି । ଆପଣ ଚାଲିଗଲା ପରେ ଏ ସାର୍ ମୋତେ ଧୁମ୍ ପିଟିବେ । "

ସେତେବେଳେ ସ୍କୁଲ ମାନଙ୍କରେ ଆଜିକାଲି ପରି ଦଣ୍ତମୁକ୍ତ ଅଞ୍ଚଳ ନଥିଲା । ପିଲା ମାନେ ପାଠ ନ ପଢିଲେ କିମ୍ୱା ଦୁଷ୍ଟାମି କଲେ ଶିକ୍ଷକ ମାନେ ଦଣ୍ତ ଦେଉଥିଲେ ।

ଟୁନା କଥାରେ ଇନ୍ସପେକ୍ଟର ତାକୁ ପୁରା ଆଶ୍ୱାସନା ଦେଇ କହିଲେ , " ମୁଁ ପରା କହୁଛି , ତୁମେ କୁହ , କେହି ତୁମକୁ ମାରିବେନି ।"

ଟୁନା ତଥାପି ଡରି ମରି ହେଡ୍ ସାରଙ୍କ ଆଡକୁ ଟିକେ ଶେଷଥର ପାଇଁ ଅନାଇଲା ତା ପରେ କହିଲା, " ବଜାରର ଯଦି ଆଳୁ କିଲୋ ୧୦ ଟଙ୍କା ତାହେଲେ ଆପଣଙ୍କୁ ଏବେ ନିଶ୍ଚେ ୪୦ ବର୍ଷ ।"

ସ୍କୁଲ ଇନ୍ସପେକ୍ଟର ଟୁନାର ଉତ୍ତରରେ ପୁରା ଖୁସି ହୋଇଗଲେ । ସେ ଟୁନାକୁ ସଙ୍ଗେ ସଙ୍ଗେ ପକେଟରୁ ୧୦ ଟଙ୍କା ବାହାର କରି ପୁରଷ୍କାର ଦେବା ସହ ହେଡ୍ ସାରଙ୍କୁ ପ୍ରଶଂସାରେ ପୋତି ପକାଉଥାନ୍ତି ।

ସେ କହିଲେ, " ଯେତେ ସ୍କୁଲ ଯାଇଛି , ସବୁଠି ଏ ପ୍ରଶ୍ନ ପଚାରିଛି । କିନ୍ତୁ କେହି ଏ ଯାଏ ସଠିକ୍ ଉତ୍ତର ଦେଇ ପାରି ନଥିଲେ । ଆପଣମାନେ ଠିକ୍ ପାଠ ପଢାଇଥିବାରୁ ଆଜି ସଠିକ୍ ଉତ୍ତର ମୁଁ ପାଇଗଲି । ଉପରକୁ ବହୁତ ଭଲ ରିପୋର୍ଟ ଆପଣ ମାନଙ୍କ ବିଷରେ ଦେବି ।"

ଇନ୍ସପେକ୍ଟରଙ୍କ ସବୁତକ ପ୍ରଶଂସା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦେହରେ ଛୁଞ୍ଚି ଫୁଟିଲା ପରି ଲାଗୁଥାଏ । ବହୁତ ଖୁସି ହୋଇ ଇନ୍ସପେକ୍ଟର ସେଦିନ ସ୍କୁଲରୁ ବିଦାୟ ନେଲେ ।

ଇନ୍ସପେକ୍ଟର ସ୍କୁଲରୁ ଯିବା ପରେ ସମସ୍ତେ ଏକାଠି ହୋଇ ପୁଣି ସେଇ ପଞ୍ଚମ ଶ୍ରେଣୀକୁ ଗଲେ । ଟୁନା ଭିତରେ ଭୟ କରୁଥାଏ । ସେ ସମସ୍ତଙ୍କୁ ପୁଣି ଏକାଠି ହୋଇ ଆସିବାର ଦେଖି ଜଣିଗଲା ମାଡ ବସିବାର ବେଳ ଏବେ ଅତି ନିକଟରେ । ହେଡ ସାର୍ ତାକୁ କହିଲେ ଠିଆ ହେବାକୁ । ସେ ଚୁପ୍ କରି ସୁନା ପିଲାଟେ ପରି ଠିଆ ହୋଇଗଲା ।

ହେଡ୍ ସାର୍ ତାକୁ ବୁଝାଇ କହିଲେ," ନାଇଁ ମାରିବି ନାହିଁ, କିନ୍ତୁ ସେ ପ୍ରଶ୍ନର ଉତ୍ତର କେମିତି ଦେଲୁ ସତ କହିଲୁ ବାପା ? "

ଟୁନା ଡରି ଡରି କହିଲା, " ସାର୍ ଆମ ଗାଁରେ ଗୋଟେ ଅଧା ପାଗଳ ଅଛି । ତାକୁ ୨୦ ବର୍ଷ । ଏ ଯେଉଁ ସାର୍ ଆସିଥିଲେ ସେ ହେଉଛନ୍ତି ଫୁଲ୍ ପାଗଳ , ତେଣୁ ତାଙ୍କୁ ନିଶ୍ଚେ ୪୦ ବର୍ଷ ହୋଇଥିବ ବୋଲି ଜାଣିଦେଲି । ( କ୍ରମଶଃ )

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Inspirational