Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jagatabandhu Mohapatra

Inspirational

5.0  

Dr Jagatabandhu Mohapatra

Inspirational

ଡାହାଣୀ

ଡାହାଣୀ

5 mins
7.6K



· ଡାଃ ଜଗତବଂଧୁ ମହାପାତ୍ର

ଡାହାଣୀ ! ଡାହାଣୀ ! ଡାହାଣୀ !


ଏଇ ଶବ୍ଦ ଶୁଣି ଶୁଣି ମତେ ବଡ ବିରକ୍ତ ଲାଗିଲାଣି, ଦିପୁ I ତୁ ମତେ ସେ ଡାହାଣୀ କଥା ବାରମ୍ବାର କହନି I ଡାହାଣୀ, ଚିରୁଗୁଣୀ, ଭୂତ, ପ୍ରେତ, ଏସବୁ ମଣିଷମାନଙ୍କର ମନଗଢା କଥା I ଏସବୁରେ ତୁ ବିଶ୍ଵାସ କରେନି, ଏ କଥା କହିଲି, ମୋର ୧୦ ବର୍ଷର ପୁତୁରା ଦିପୁକୁ I ସେ କିନ୍ତୁ ମୋ କଥା ମାନିବାକୁ ପ୍ରସ୍ତୁତ ନଥିଲା I ସେ କହୁଥିଲା, ତମେ ଜାଣିନ କାକା, ସେଇ ଡାହାଣୀ ଯୋଗୁ ଆମ ଗାଁର କେତେ ପିଲାଙ୍କର ରୋଗ ହେଉଅଛି I ମୁଁ କହିଲି, ଏସବୁ ଫାଲତୁ କଥା I ତୁ ଏସବୁରେ ମୁଣ୍ଡ ପୁରାନି I


ଏହି କଥାବାର୍ତ୍ତା ଭିତରେ ମୋ ଭାଉଜ ଆସି ମୋ ରୁମରେ ପହଞ୍ଚି ଯାଇଥାନ୍ତି I ସେ କହିଲେ, ବିଜୁ, ତମେ ସିନା ଦିପୁ ପିଲା ବୋଲି ତା’ କଥାକୁ ହେୟ ମନେ କରୁଛ I ଗାଁ ଯାକ ଲୋକ କ’ଣ ମିଛ କହୁଛନ୍ତି I ପ୍ରକୃତରେ ସେ ଗୋଟେ ଡାହାଣୀ I କାଲି ଗାଁ ସଭା ବସୁଛି, ତା’ର ବିଚାର ହବ I ମତେ ଲାଗୁଛି, ଏଥର ସେ ନିଶ୍ଚୟ ଏ ଗାଁରୁ ତଡା ଖାଇବ I


ସୁଦୂର କୋରାପୁଟରେ ମୁଁ ଅଧ୍ୟାପକ ଚାକିରୀ କରୁଥାଏ I ସେ ବର୍ଷ ଖରାଦିନ ଛୁଟିରେ ମୁଁ ଗାଁକୁ ଆସିଥାଏ I ପୁତୁରା ଦିପୁ ଓ ଭାଉଜଙ୍କ ଠାରୁ ଏକଥା ଶୁଣି ମୋ ମନରେ କୌତୁହଳ ବଢିଯାଇଥାଏ I ପ୍ରକୃତରେ ଘଟଣାଟି କ’ଣ ବୁଝିବା ପାଇଁ ମୁଁ ଯାଇ ସେଦିନ ଗାଁ ସଭା ହେଉଥିବା ସ୍ଥାନରୁ ଅଳ୍ପ ଦୂରରେ ବସି ଘଟଣାକୁ ଅନୁଧ୍ୟାନ କରୁଥିଲି I ଗାଁର ବଡ ପଣ୍ଡାମାନେ ସେ ଡାହାଣୀ ଚରିତ୍ରଟିକୁ ସଭାସ୍ଥଳକୁ ଡାକିଲେ I ଢିମା ଢିମା ଆଖି କରିଥିବା ଓ ଏକ ବିରାଟ ପେଟ କାଢିଥିବା ମହିଳା ସଭାସ୍ଥଳକୁ ଆସିଲା I ତା’ର ରୂପ କେମିତି ଗୋଟେ ଅଜବ ପ୍ରକାରର ଥିଲା I ତାକୁ ଯିଏ ଦେଖିବ, ସେ ନିଶ୍ଚୟ ମନରେ ଭୟ କରିବ I


ତୁ ତୋ ସ୍ଵାମୀକୁ ଖାଇଛୁ I ତୋ ପିଲାକୁ ବି ଖାଇଛୁ I ତୋ ଦୃଷ୍ଟି ଯୋଉ ପିଲା ଉପରେ ପଡୁଛି, ତାଙ୍କର ଦେହ ଖରାପ ହେଉଛି, ତେଣୁ ତୁ ଗୋଟେ ଡାହାଣୀ I ତୁ ଆମ ଗାଁରେ ରହିଲେ, ଏ ଗାଁର ଅମଙ୍ଗଳ ହବ I ଆମ ସମସ୍ତଙ୍କର ଅମଙ୍ଗଳ ହେବ- ଏକଥା କହୁଥାନ୍ତି, ଗାଁର ବଡ ବଡ ଲୋକମାନେ I ତା’ ପରେ କୋଉମାନଙ୍କର କେବେ କାହାର ଦେହ ଖରାପ ହୋଇଥିଲା, ତା’ର ଲମ୍ବା ଅଭିଯୋଗ ଫର୍ଦ୍ଦ ତା’ ନାଁରେ ଲୋକମାନେ କହିଚାଲିଥିଲେ I


ମହିଳାଟି କିଛି ବି କହୁନଥିଲା I ଖାଲି ସମସ୍ତଙ୍କୁ ବଡ ବଡ ଆଖି କରି ଅନଉଥାଏ I ଆମ ଗାଁର ନାମକରା ଗୁଣିଆ ଖାଡେଙ୍ଗା ଝୁଣା ଧୂଆଁ ଦେଇ ନିମ୍ବ ଛାଞ୍ଚୁଣୀରେ ଆଗ ୧୦ ପାହାର ସେ ମହିଳା ପିଠିରେ ଥୋଇ କହିଲା, ଏ ଡାହାଣୀ ବଡ ମାରାତ୍ମକ ; ଆ’କୁ କୀଳକ ଦେବାକୁ ପଡିବ I


ସମସ୍ତେ ରାଜି ହେଲେ, ତାକୁ କୀଳକ ଦେବାକୁ I କୀଳକ ଦେବାକୁ ଲୁହା କଣ୍ଟା ଆଣି ତା’ ଦେହରେ ପିଟିବାକୁ ଗଲାବେଳେ ମୁଁ ବାଧ୍ୟ ହୋଇ ମୋ ବସିବା ଯାଗାରୁ ଉଠି ସଭା ହେଉଥିବା ଯାଗାକୁ ଗଲି I


ସଭାସ୍ଥଳକୁ ଯାଇ ସମସ୍ତଙ୍କୁ ବୁଝେଇ କହିଲି, ଏସବୁ ଆପଣଙ୍କ ଅନ୍ଧ ବିଶ୍ଵାସ I ଗୋଟେ ମଣିଷଟେ ଡାହାଣୀ କିପରି ହେବ ? ଆପଣମାନଙ୍କ ପିଲାର ଦେହ ଖରାପ ହବାର ଅନ୍ୟ କିଛି କାରଣ ଥାଇପାରେ I ଆପଣମାନେ ମତେ କିଛି ଦିନ ସମୟ ଦିଅନ୍ତୁ I ପିଲାମାନଙ୍କର କାହିଁକି ଦେହ ଖରାପ ହଉଚି, ତାହା ମୁଁ ଡାକ୍ତରଙ୍କୁ କହି ପରୀକ୍ଷା କରେଇବି I

ତା’ ଛଡା ତା’ ସ୍ଵାମୀ ଓ ତା’ ପିଲାକୁ ତ ସିଏ ତା’ ହାତରେ ମାରିଦେଇନଥିବ I ତା’ର ଦୁର୍ଭାଗ୍ୟ ତା’ ସ୍ଵାମୀ ଓ ପିଲା ତାକୁ ଛାଡି ଚାଲିଗଲେ I ଏଥିରେ ତା’ର ବା ଦୋଷ କ’ଣ ?


ବହୁତ ବୁଝାଇଲା ପରେ ଯାହା ହଉ ସମସ୍ତେ ମୋ କଥାରେ ରାଜି ହେଲେ I କିନ୍ତୁ ୭ ଦିନ ସମୟ ମୋତେ ଦିଆଗଲା I ତା’ ଭିତରେ ଡାକ୍ତରଙ୍କୁ ଦେଖାଇ ମୋତେ ମୋ କଥାକୁ ପ୍ରମାଣ କରିବାକୁ ପଡିବ I ଯଦି ନ କରି ପାରିଲି, ତା’ ହେଲେ ମୋତେ ଜୋରିମାନା ମଧ୍ୟ ଦେବାକୁ ପଡିବ ବୋଲି ଗାଁ ସଭାରେ ନିଷ୍ପତ୍ତି ନିଆଗଲା I ମୁଁ ରାଜି ହେଲି I ଗୁଣିଆ ଖାଡେଙ୍ଗା ଆଉ ତା’ର ଦୁଇଜଣ ଚେଲା ମୋ ଉପରେ ରାଗିକି ପୁରା ଲାଲ ପଡିଯାଇଥିଲେ I


ମୁଁ ସେଦିନ ସଭାରୁ ଘରକୁ ଫେରିଲା ବେଳକୁ ରାତି ଦଶଟା I ଘରେ ଖାଇବାକୁ ବସିବାବେଳେ ବୋଉ ଆଉ ଭାଉଜଙ୍କର ଅନେକ କଥା ଶୁଣିବାକୁ ପଡିଲା I ତୁ କ’ଣ ପାଇଁ ସେ ଡାହାଣୀକୁ ପୁଣି ଗାଁରେ ରଖେଇଲୁ I ଆମ ପିଲାଙ୍କର ଯଦି ଦେହ ଖରାପ ହେବ ? କ’ଣ ହେବ ? ମୁଁ ହସି ହସି କହିଲି, ଏସବୁ ଭ୍ରାନ୍ତ ଧାରଣା I କାହାର କିଛି ହେବ ନାହିଁ I


ଏତିକିବେଳେ ବଡ ଭାଇ ଘରକୁ ଆସି କହିଲେ, ବିଜୁ ତୁ ଆଜି ଗୋଟେ ଭଲ କାମ କରିଛୁ I ମୋତେ ଭାରି ଖୁସି ଲାଗୁଛି I ଭାଇଙ୍କ ମୁହଁରୁ ଏ କଥା ଶୁଣି ମୋତେ ବି ବହୁତ ଖୁସି ଲାଗିଲା I ମୋର ଜଣେ ସାଙ୍ଗ ଯେ କି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଛି, ତାକୁ ମୁଁ ଫୋନ କରି ସବୁ କଥା ଜଣେଇଲି I ସେ ଛୁଟି ନେଇ ଆମ ଗାଁକୁ ଆସିବ ବୋଲି କହିଲା I


ତାକୁ ନେଇ ଦୁଇ ଦିନ ପରେ ମୁଁ ସେହି ମହିଳାଙ୍କ ଘରେ ଯାଇ ପହଞ୍ଚିଲି I ତା’ ସଙ୍ଗେ କଥା ହେଲି I ସେ ମାନସିକ ଭାବରେ ବହୁତ ଦୁର୍ବଳ ହୋଇଯାଇଥିଲା I ନିଜ ଦେହରେ ସତରେ କ’ଣ ଡାହାଣୀ ଅଛି, ବୋଲି ସେ ମୋତେ ବାରମ୍ବାର ପଚାରିଚାଲୁଥିଲା I


ସେ ତଳ ସାହିର ଛାଟିଆ ଜେନାର ଝିଅ ରାଧି I ଆମ ଗାଁର ପାଖ ଗାଁ ଭାଡିପୁଟରେ ତା’ର ବାହାଘର ହୋଇଥିଲା I ତା’ ସ୍ଵାମୀ ଦିନ ମଜୁରିଆ ଥିଲା I ଯାହା ରୋଜଗାର କରେ, ସାଙ୍ଗ ସାଥିଙ୍କ ମେଳରେ ପଡି ମଦ ପିଇଦିଏ I ତାକୁ ମଝିରେ ମଝିରେ ମାରପିଟ ବି କରେ I


ଯେତେବେଳେ ରାଧିର ଝିଅ ହେଲା, ତା’ ସ୍ଵାମୀର ଅତ୍ୟାଚାର ଅଧିକ ବଢିଯାଇଥିଲା I ତା’ ଶାଶୁଘରେ ରାଧି ଝିଅ ଜନ୍ମ କରିଥିବାରୁ କେହି ବି ତା’ ଉପରେ ଖୁସି ନ ଥିଲେ I ଅତ୍ୟଧିକ ମଦ ପିଇ ଦିନେ ରାଧିର ସ୍ଵାମୀ ମରିଗଲା I ଶାଶୁଘର ଲୋକେ ତାକୁ ଅଲକ୍ଷଣୀ କହି ଅତ୍ୟାଚାରର ପରିମାଣ ବି ବଢାଇଦେଇଥିଲେ I


ରାଧିର କହିବା ଅନୁସାରେ ତା’ ଶାଶୁ ତାଙ୍କରି ଗାଁର ଜଣେ ଗୁଣିଆ ସହ ସାମିଲ ହୋଇ ରାଧିର ଝିଅକୁ ବଳି ଦେଇଛି, ତା’ ଘରର ଉନ୍ନତି ହେବ ବୋଲି I ଆଉ ମିଛରେ ତା’ ନାତୁଣୀ କୁଆଡେ ଗଲା ବୋଲି କହି ଏହି ଡାହାଣୀ ତାକୁ ଜିଅନ୍ତା ଗିଳି ଦେଇଛି, ବୋଲି ସମସ୍ତଙ୍କୁ କହିଲା I ସେଥିପାଇଁ ତା’ ପେଟ ବଡ ହୋଇଛି I


ବାଧ୍ୟ ହୋଇ ରାଧି ପ୍ରାଣ ବିକଳରେ ତା’ ଶାଶୁ ଘରୁ ରାତି ଅଧରେ ପଳେଇଆସିଲା, ତା’ ବାପ ଘରକୁ I ରାଧି ପିଲାଟି ଦିନରୁ ମା’ ଛେଉଣ୍ଡ I ବାପା ଛାଟିଆ ପାଖରେ ରାଧି ରହୁଥିଲା I ଆଉ ଯୋଉଦିନ ଛାଟିଆ ଉପରେ ବଡ ନଡିଆ ଗଛ ପଡି ସେ ମରିଗଲା, ଲୋକେ କହିଲେ, ସେ ତା’ ବାପାକୁ ବି ଖାଇଦେଲା I ସେଥିପାଇଁ ତା’ ପେଟ ବଡ ହୋଇଛି I


ସବୁ କଥା ଶୁଣି ସାରିବା ପରେ ମୋ ଡାକ୍ତର ବନ୍ଧୁଙ୍କୁ ପଚାରିଲି, ଇୟେ କି ରୋଗ I ସେ ମୋତେ ଅତି ସରଳରେ ବୁଝେଇଦେଲା, ତା’ର ଜଳୋଦରୀ ରୋଗ ହୋଇଛି I ସେଥିପାଇଁ ତା’ ପେଟ ବଡ ହୋଇଛି I ଦେହରେ ରକ୍ତ ନାହିଁ I ବହୁତ ଦୁର୍ବଳ ହୋଇ ଯାଇଛି, ସେ I ତାର ଅବସ୍ଥା ଭଲ ନାହିଁ, ତାକୁ ଡାକ୍ତରଖାନାକୁ ନେବାକୁ ପଡିବ I


ମୋ ଡାକ୍ତର ବନ୍ଧୁ ଆଉ ମୁଁ ରାଧିକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଗଲୁ I ସେଠାରେ ତା’ର ଚିକିତ୍ସା ଆରମ୍ଭ ହେଲା I ପୁଣି ମୋ ଡାକ୍ତର ବନ୍ଧୁଙ୍କୁ ପଚାରିଲି, ଆଚ୍ଛା ଆମ ଗାଁର ପିଲାମାନଙ୍କର ଦେହ କ’ଣ ପାଇଁ ଖରାପ ହେଉଛି I ତୁ ସେ କଥାର କାରଣ ଆଉ ତା’ର ସମାଧାନ ବାହାର କରିଦେ I


ଆମେ ଦୁଇ ଦିନ ପରେ ଗାଁକୁ ଫେରିଲୁ I ଗାଁରେ ସମସ୍ତଙ୍କୁ ରାଧି ବିଷୟରେ କହିଲୁ I ତା’ ପରେ ସବୁ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଜାଣିବାକୁ ପାଇଲୁ ଯେ, ଆମ ଗାଁରେ ଲୋକମାନେ ନଈ ଆଉ ପୋଖରୀ ପାଣି ପିଉଛନ୍ତି, ତା’ ଛଡା ଗାଁର ପରିମଳ ଠିକ୍ ନ ଥିବାରୁ ମଶା ଆଉ ମାଛିମାନଙ୍କ ଦ୍ଵାରା ସଂକ୍ରମିତ ହୋଇ ବାରମ୍ବାର ଜ୍ଵର ଓ ଝାଡା ହେଉଛି I ଏହି କାରଣରୁ କେତେ ପିଲାଙ୍କର ଜୀବନ ବି ଚାଲିଯାଇଛି I


ଗାଁରେ ସଭା ବସି ଏହି ସବୁ କାରଣର ପ୍ରତିକାର ପାଇଁ ନିର୍ଣ୍ଣୟ ନିଆଗଲା I ଗାଁରେ ସାମୁହିକ ଭାବରେ ସଫେଇ କାମ ଆରମ୍ଭ ହେଲା I ନଳକୂପ ପାଇଁ ଦରଖାସ୍ତ ବ୍ଲକ ଅଫିସରେ ଦିଆଗଲା I ଆଉ ମୋ ଡାକ୍ତର ବନ୍ଧୁଙ୍କ ପରାମର୍ଶରେ ସମସ୍ତେ ତାଙ୍କ ଛୋଟ ଛୁଆଙ୍କୁ ଫୁଟା ପାଣି ଦେବେ ବୋଲି ନିଷ୍ପତ୍ତି ନେଲେ I ତା’ ପରେ ମୁଁ ଓ ମୋ ଡାକ୍ତର ବନ୍ଧୁ ନିଜ ନିଜ କର୍ମସ୍ଥଳକୁ ଚାଲିଗଲୁ I


ସେଇ ବର୍ଷ ଦଶହରା ଛୁଟିରେ ମୁଁ ଗାଁକୁ ଯାଇଥାଏ, ଗାଁ ମୁଣ୍ଡରେ ଦେଖିଲି, ରାଧି ବଢିଆ ଶାଢୀ ପିନ୍ଧି କୁଆଡେ ଗୋଟେ ଯାଉଥିଲା I ମୋତେ ଦେଖି ପାଦ ଛୁଇଁ ପ୍ରଣାମ କଲା I ଆଉ କହିଲା, ମୁଁ ଆମ ଗାଁର ଆଶା ଦିଦି ହୋଇଛି I ଏତିକିବେଳେ ଆମ ଗାଁ ମୁଖ୍ୟ ଶମ୍ଭୁ କାକା ଆସି କହିଲେ, ବିଜୁ ତୋ ଯୋଗୁଁ ରାଧିଟା ଡାହାଣୀରୁ ମଣିଷ ହୋଇଯାଇଛି, ଆଉ ଆମେମାନେ ଗୋଟେ ବିରାଟ ପାପରୁ ତରି ଯାଇଛୁ I ଏ ସବୁ କଥା ଶୁଣିକି ମୋ ମନଟା ଆତ୍ମତୃପ୍ତିରେ ପୁରି ଉଠୁଥିଲା I ଆଉ ମୁଁ ମୋ ଅତି ପ୍ରିୟର ପୁତୁରା ଦିପୁ ପାଖକୁ ଯିବାକୁ ଉଦ୍ୟତ ହେଉଥିଲି, କାରଣ ତା’ ମନରେ ଥିବା ଡାହାଣୀର ପରଦାଟାକୁ ଭଲ ଭାବରେ ହଟେଇଦବା ପାଇଁ I






ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮




Rate this content
Log in

Similar oriya story from Inspirational