Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Tragedy

4.6  

Arabinda Rath

Tragedy

ମଣିଷ ବାଘ

ମଣିଷ ବାଘ

12 mins
634



ଲେଖକ-ଅରବିନ୍ଦ ରଥ


ସେଦିନ ସକାଳୁ ପବି ଚା ଦୋକାନରେ ଗହଳି ଜମି ଆସୁଥିଲା । କାହାର ବିନା ଚିନି ଚାହା ତ କାହାର ପୁରା ମିଠା, କିଏ କହୁଛି ନାଲି ଦରକାର, ତ କାହାର ପୁରା କଡା ମାର୍କା । କିଛି ବିରକ୍ତି ଭାବ ପ୍ରକାଶ ନ କରି ସେ ଗ୍ରାହକଙ୍କ ବରାଦ ପୂରଣ କରିଚାଲିଥିଲା । ସେ ଛକରେ ପବି ଚାହାର ଆଦର ବେଶି । ବିକ୍ରି ଯେମିତି ଲାଭ ବି ସେମିତି । ମଧୁର ବ୍ୟବହାର ଓ ଚାହାର ଗୁଣବତ୍ତା ପାଇଁ ପବି ଚାହା ଦୋକାନ ଢେର ନାମ କମେଇ ସାରିଥିଲା

କୁଟୁମ୍ବ ପୋଷିବାର ଏକମାତ୍ର ସାହାରା ଥିଲା ଚାହା ଦୋକାନ l ଘରେ ସ୍ତ୍ରୀ ଓ କଲେଜ ପଢୁଆ ଝିଅ । ଝିଅ କଲେଜ ଯିବା ପରେ ସ୍ତ୍ରୀ ଘରେ କାମ ଧାମ ସାରି ଅପେକ୍ଷା କରେ ବାପ ଝିଅଙ୍କ ଫେରିବା ବାଟକୁ । ଘର ବୋଇଲେ ଦୁଇ ବଖରିଆ ଖପରିଲି ଘର। ଭଗବାନଙ୍କ ଦୟାରୁ ମୁଣ୍ଡ ଗୁଞ୍ଜି ବାକୁ ଜାଗା ଟିକେ ଅଛି, ସେତିକି ଯଥେଷ୍ଟ। ଯୋଗ କୁ ଘର ପାଖରେ ତାକୁ ଜାଗା ଖଣ୍ଡିଏ ମିଳି ଯାଇଥିଲା ଦୋକାନ କରିବା ପାଇଁ। ଡାକେ ବାଟରେ ଦୋକାନ ଥିଲା, ତେଣୁ ଘର ଉପରେ ନଜର ରଖିବାକୁ ମଧ୍ଯ ସୁବିଧା ହେଉଥିଲା।

ସେଦିନ ସକାଳେ ପବି ଚା ଦୋକାନରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ସହରରେ କୁଆଡ଼େ ବାଘ ମାତିଛନ୍ତି, ଜଙ୍ଗଲ ବାଘ ନୁହଁ ମଣିଷ ବାଘl ସେମାନଙ୍କର ରକ୍ତ ଲୋଡ଼ା ନାହିଁ; ଦରକାର ମଣିଷ ଦେହ । ପବି କିଛି ବୁଝି ନ ପାରି ସମସ୍ତଙ୍କ ମୁହଁକୁ ବଲବଲକରି ଅନେଇ ରହିଲା। ଜଣେ ଟୋକା କହିଲା " ପବି ଭାଇ ତୁମ ପାଖରେ ଏ ମଣିଷ ବାଘ ମାନଙ୍କ ବିଷୟ ରେ କିଛି ଖବର ଅଛି କି ନାହିଁ କହୁନ ଯେ! – - ଏମିତି ବୋକା ପରି କାହିଁକି ଚାହିଁଛ ?

-- ନାଇଁ ରେ ପୁଅ କଣ ହୋଇଛି କି ? କାଇଁ ମୁଁ ଏ ବିଷୟରେ କିଛି ଜାଣିନି ତ।

ଟୋକା ଟା କହିଲା " ଆରେ ଆଜିକାଲିକା ଧନୀ ଘରର ଯୁବକମାନେ ପରା ପାଲଟିଛନ୍ତି ମଣିଷ ବାଘl ପାଖରେ ଅଛି ଅପର୍ଯ୍ୟାପ୍ତ ପଇସା ଓ ସମୟ। ସେମାନଙ୍କର ପାଠ ପଢିବା ଦରକାର ନାହିଁ ,ବାପା ମାନେ ଏତେ ପଇସା ରଖିଛନ୍ତି ଯେ ସାତ ପୁରୁଷ ଖାଇଲେ ବି ସରିବନି । ନା କିଛି କାମ ଅଛି, ନା କିଛି ଚିନ୍ତା । କଥା ରେ ଅଛି କାମ ବା ଚିନ୍ତା ନ ଥିଲେ ମଣିଷ ନାନା ଅନୀତି କାର୍ଯ୍ଯରେ ମାତେ। ଏ ଯୁବକ ମାନେ ସେହି ଶ୍ରେଣୀର।

ପବି ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। ବଡ଼ ସଙ୍କୋଚ ରେ ପଚାରିଲା " କଣ କରନ୍ତି ଏ ମଣିଷ ବାଘ ମାନେ" ? ଆମ ଗାଁଆ ନାଚପାର୍ଟିରେ ଯେମିତି ବାଘ ବେଶ ଧରି ନାଚନ୍ତି, ଏମାନେ ସେପରି କିଛି କରନ୍ତି କି?

ଯୁବକଟା ପବି ର ନିରିହ ଉତ୍ତରରେ ନିଜ ହସ ସମ୍ଭାଳି ନ ପାରି କହିଲା-- ବୁଝିଲ ପବି ଭାଇ, ତୁମେ ଆଉ ହବନି, ଏତେ ବୋକା ହେଲେ ଏ ଦଗାବାଜ୍ ଦୁନିଆରେ ଚଳି ପାରିବ ତ!! ତୁମେ ମୋ କଥା ବୁଝି ପାରିବ କି ନାହିଁ ଜାଣିନି ତଥାପି କହୁଛି ଶୁଣ ; ଏବେ ଆମ ମାଆ ଭଉଣୀମାନେ ଆଉ ନିରାପଦ ନୁହନ୍ତି । ଘର,ବାହାର, ବଜାର, ସିନେମା ହଲ୍ ସବୁ ଯାଗାରେ ଏ ବାଘ ମାନେ ବ୍ୟାପି ଗଲେଣି। ଯେତେବେଳେ ଯାହାକୁ ପାଇଲେ ଅସମ୍ମାନ କରୁଛନ୍ତି, ଯେଉଁ ଝିଅ ଭଲ ଲାଗିଲା ତାକୁ ଉଠେଇ ନେଉଛନ୍ତି। ଏଇ କିଛି ଦିନ ଭିତରେ କେତେ ଝିଅଙ୍କ ଇଜ୍ଜତ ଗଲାଣି ତାର ହିସାବ ନାହିଁ। ପ୍ରଥମେ ଝିଅ ମାନେ ନିଖୋଜ ହେଉଛନ୍ତି ଓ କିଛି ଦିନ ପରେ ସେମାନଙ୍କ ମୃତ ଶରୀର ମିଳୁଛି ପୋଖରି,ଜଙ୍ଗଲ ବା ନଳା ଭିତରୁ । ତିନିଦିନ ତଳେ ବାହାଘର ବେଦିରୁ ମଙ୍ଗୁଳୁ ସାହୁର ଝିଅ କୁ ଉଠାଇ ନେଲେ, ଦୁଇ ଦିନ ପରେ ଜଙ୍ଗଲ ଭିତରେ ତା ମୃତ ଶରୀର ଝୁଲୁଥିଲା ଗୋଟେ ପୁରୁଣା ବରଗଛରେ। ସେତିକି ନୁହଁ, ସହରତଳ ବସ୍ତିର ଝିଅ ବୋହୂଙ୍କ ଭିତରୁ କେତେ ଜଣଙ୍କ ସମାନ ଅବସ୍ଥା ହୋଇଛି ଏଇ କିଛି ମାସ ଭିତରେ। କିଏ କଣ ବା କରିବ; ପୋଲିସ କୋର୍ଟ ସବୁ ତାଙ୍କ ହାତରେ, ପାଖରେ ପଇସାର ଅଭାବ ନାହିଁ । ଯିଏ ମୁହଁ ଖୋଲିଲା ପଇସା ପକେଇ ଚୁପ୍ କରିବାରେ ଏମାନେ ସିଦ୍ଧହସ୍ତ । ଏମାନେ କେବେ କାହା ଉପରେ କି ପ୍ରକାର ଅତ୍ଯାଚାର କରିବେ ସେ କଥା ଭଗବାନ ବି କହି ପାରିବେନି।

ଏସବୁ କଥା ଶୁଣି ପବି ମନରେ ପାପ ଛୁଇଁଲା । ଯାହାହେଲେ ବି, ଘରେ ଅଛି ବଢିଲା ଝିଅ। ଝିଅର ସୁରକ୍ଷା ତା ପାଇଁ ସବୁଠାରୁ ବଡ଼ କଥା । କଲେଜ୍ ଯିବା ଦିନରୁ ପବି ଝିଅ କୁ ଯଥେଷ୍ଟ ସଚେତନ କରାଇଥିଲା । ଅଜଣା ଯୁବକଙ୍କ ସହ ନ ମିଶିବା ଓ କାହାସହ ବୁଲାବୁଲି ନ କରି କେବଳ ପାଠରେ ମନ ଦେବା ପାଇଁ ସେ ଝିଅ କୁ ବରାବର ତାଗିଦ୍ କରୁଥିଲା। କିନ୍ତୁ ଆଜିକାଲି ଦୁନିଆ ରେ ନିଜେ ଯେତେ ଭଲ ହେଲେ କଣ ହେବ, ଦୁନିଆ ଟା ତ ଖରାପ।

ସେଦିନ ଘରକୁ ଫେରି ପବି ଦେଖିଲା ଯେ ଝିଅ କାନ୍ଦୁଛି । ବଡ଼ ବ୍ୟସ୍ତ ହୋଇ ସବୁ କଥା ବୁଝିବାରୁ ଜାଣିଲା ଯେ, ଝିଅର ସାଙ୍ଗକୁ କଲେଜରୁ ସମସ୍ତଙ୍କ ସାମନା ରେ କିଛି ଯୁବକ ଜବରଦସ୍ତି ହରଣଚାଳ କରିନେଇଛନ୍ତି । ସାରା କଲେଜର ପିଲା ଓ କର୍ମଚାରୀ ସେଠାରେ ଥିଲେ, ମାତ୍ର କେହି ଜଣେ ବି ପ୍ରତିବାଦ କଲେନି। ଝିଅର ବାପା ଥାନାରେ ଏତଲା ଦେଲା ପରେ ବି କେହି ଗୁହାରି ଶୁଣିଲେନି। ପବି ମନେ ମନେ କହିଲା-- ଓଃ, ତା ମାନେ ସେ ମଣିଷବାଘ ମାତି ଥିବା ଖବର ଟା ମିଛ ନୁହଁ।

ପବି ର ମନ ଭିତରଟା ମନ୍ଥି ହୋଇଗଲା। ଚାରିଆଡ ଅନ୍ଧାର ଦିଶିଲା। ଆଜି ଯଦି କଲେଜର ଗୋଟେ ଝିଅକୁ ନେଇ ଗଲେ, କାଲି ସକାଳେ ଆଉ ଜଣକୁ ନେବେ। ତାଙ୍କୁ ଦମନ କରିବାକୁ କେହି ନାହିଁ। ପବି ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା। ଥାନାବାବୁ ତା ଦୋକାନକୁ ଚାହା ପିଇବାକୁ ଆସନ୍ତି। ଭାବିଲା ଥାନାକୁ ଯାଇ ଥରେ ଦେଖା କରିଦେବ। ଥାନା ବାବୁ ତ ସଦାବେଳେ ତା ଦୋକାନରୁ ଚାହା ମଗେଇ ପିଅନ୍ତି, ଅବଶ୍ଯ ପଇସା ଆଜି ଯାଏ କେବେ ଦେଇ ନାହାଁନ୍ତି। ପବିକୁ ଏ ଜିନିଷ ନୂଆ ଲାଗେନି, କାରଣ ପୋଲିସ ମାନେ ନିଅନ୍ତି, କେବେ ଦେବାର କେହି ଦେଖି ନାହାନ୍ତି। ତା ମନରେ ଗର୍ବ ଥାଏ ଯେ ପୋଲିସବାବୁ ତା ପାଖରୁ ଚା ପିଉଛନ୍ତି। ତାହା କେତେ ବଡ ସମ୍ମାନର କଥା। ତେଣୁ ତାଙ୍କୁ ଚାହା କପ୍ ବଢାଇଦେଇ ଏ ଘଟଣା ବିଷୟରେ କହିଦେଲେ ସେ କିଛି ଖରାପ ଭାବିବେ ନାହିଁ।

ଅନେକ ପ୍ରଶ୍ନ ଓ ଆଶଙ୍କାରେ ତା ମନ ଅସ୍ତବ୍ଯସ୍ତ ହୋଇ ଉଠିଲା ଓ ସେ ଥକ୍କା ହୋଇ ଶେଯରେ ଗଡି ପଡିଲା । କିଛି ସମୟ ପରେ ଦେଖିଲା ଏକ ଅଦ୍ଭୁତ ସ୍ବପ୍ନ- - ତିନି ଜଣ ଯୁବକ ତା ଝିଅ ପଛରେ ଦୌଡୁଛନ୍ତି, ସମସ୍ତଙ୍କ ହାତରେ ଧାରୁଆ ଛୁରୀ ଚକଚକ କରୁଛି। ସେମାନଙ୍କ ମୁହଁରେ ଉକୁଟି ଉଠୁଛି ପୈଶାଚିକତା ଓ ଅଟ୍ଟହାସ୍ଯ କରି ସେମାନେ ଝିଅ କୁ ଧରିବାକୁ ହାତ ଲମ୍ବାଉଛନ୍ତି । ଝିଅ ର ପିନ୍ଧା ବସନ ଠାଏ ଠାଏ ଚିରି ଯାଇଛି ଓ ମୁଣ୍ଡର କେଶ ସବୁ ଅସ୍ତବ୍ଯସ୍ତ ହୋଇଯାଇଛି। ସେ ବିକଳ ହୋଇ କାନ୍ଦୁଛି ଓ ସମସ୍ତଙ୍କୁ ଗୁହାରି କରୁଛି ତାକୁ ବଞ୍ଚେଇବା ପାଇଁ। ସେ ଜାଗାରେ ବହୁତ ଲୋକ ଛିଡା ହୋଇଛନ୍ତି, ମାତ୍ର କେହି ଜଣେ ବି ଆଗେଇ ଆସୁନାହାନ୍ତି ସାହାଯ୍ଯ କରିବାକୁ, କେବଳ ନିଜ ଭିତରେ ଫିସଫିସ କଥା ହୋଇ ସେମାନେ ପ୍ରତିବାଦ କରିବା ପରି ଲାଗୁଛନ୍ତି। ସ୍ବପ୍ନରେ ସେ ନିଜକୁ ଆବିଷ୍କାର କଲା ବଡ ଦୟନୀୟ ଅବସ୍ଥା ରେ। ତା ହାତ ଗୋଡ ବେଡିରେ ବନ୍ଧା ଯାଇଛି ଓ ପାଟି ରେ ଏକ କନା ବିଣ୍ଡା ଦେଇ ବାନ୍ଧି ଦିଆ ଯାଇଛି। ସେ କେବଳ ଗଁ ଗଁ କରି ଚିତ୍କାର କରିବାର ପ୍ରାୟାସ କରିଚାଲିଛି। ଆଖି ରୁ ତା ବୋହି ଚାଲିଛି ଲୁହ ର ଝରଣା। ନିଜ ସାମନା ରେ ଝିଅର ଏ ଅବସ୍ଥା ଦେଖି ମଧ୍ଯ ସେ ନିରୁପାୟ ଓ ଅସହାୟ। ଠିକ ସେତିକି ବେଳେ ଗଗନ ପବନ ପ୍ରକମ୍ପିତ କରି ଦେଲା ବାଘର ହେଣ୍ଟାଳ ଧ୍ବନି। ସେହି ତିନି ଜଣ ଦୁର୍ବୁତ୍ତଙ୍କ ପଛରେ ଏକ ପ୍ରକାଣ୍ଡ ବଳଶାଳୀ ଶରୀର ବିଶିଷ୍ଟ ବାଘ, ଲାଞ୍ଜ ହଲାଇ ଶିକାର କରିବା ଭଙ୍ଗୀରେ ଧିର ମନ୍ଥର ଗତିରେ ଅଗ୍ରସର ହେଉଥିଲା। ତା ଆଖିରେ ଥିଲା କ୍ରୋଧ ଓ ପ୍ରତିଶୋଧର ବହ୍ନି। ଭୀଷଣ ଗର୍ଜନ କରି ବାଘ ଲମ୍ଫ ପ୍ରଦାନ କରୁଛି ସେଇ ଯୁବକ ମାନଙ୍କ ଉପରକୁ ଓ ତଣ୍ଟି କଣା କରି ପିଇ ଯାଉଛି ସେମାନଙ୍କର ରକ୍ତ। ଝିଅ ବଞ୍ଚି ଯାଉଛି ସେମାନଙ୍କ କବଳରୁ। ବାଘଟି ପବି ପାଖକୁ ଆସି ଖୋଲି ଦେଉଛି ତା ବନ୍ଧନ ଓ ସେ ବାଘକୁ କୁଣ୍ଢାଇ ଧରୁଛି; ସତେକି ବାଘ ଟି ତାର ଅତି ପରିଚିତ।

ଚମକି ଉଠିଲା ପବି। ଏ ଅଜବ ସ୍ବପ୍ନ ଦେଖି ତା ଶରୀର ଘର୍ମାକ୍ତ ହୋଇ ଉଠିଥିଲା ଓ ତଣ୍ଟି ଶୁଖିଗଲା ପରି ଲାଗୁଥିଲା। ଝିଅର ଖଟ ପାଖକୁ ଯାଇ ଦେଖିଲା, ସେ ଶୋଇଛି ଗଭୀର ନିଦ୍ରା ରେ। ଆଶ୍ବସ୍ତ ହେଲା ସେ, କିନ୍ତୁ କାହିଁକି ଏପରି ସ୍ବପ୍ନ ଦେଖିଲା ସେ କାରଣ ଖୋଜି ପାଇଲା ନାହିଁ।

ତା ପର ଦିନ ସେ ଦୋକାନ ରେ ବସି ଦେଖିଲା ଝିଅ କଲେଜରୁ ଚାଲିଚାଲି ଫେରୁଥିଲା। ଝିଅ କୁ ପାଖକୁ ଡାକି ସେ ହାତକୁ ଏକ ବିସ୍କୁଟ୍ ବଢାଇଦେଇ ଘରକୁ ଯିବାକୁ କହିଲା। ସେତିକି ବେଳେ ତା ନଜର ପଡିଲା ତିନି ଜଣ ଯୁବକଙ୍କ ଉପରେ। ସେମାନେ ଏକ ମୋଟର ସାଇକେଲରେ ଧିରମନ୍ଥର ଗତିରେ ଝିଅର ପିଛା କରୁଥିଲେ। ଅନ୍ଯ କେହି ଲୋକ ଏ ବିଷୟ ଜାଣି ପାରିଥିବେ କି ନାହିଁ ପବି ଜାଣି ନ ଥିଲା, କିନ୍ତୁ ଏକ ବଢିଲା ଝିଅର ବାପା ହିସାବ ରେ ସେ ଯୁବକ ମାନଙ୍କର ଅସଲ ଉଦ୍ଦେଶ୍ଯ ଠଉରାଇ ପାରୁଥିଲା। ଝିଅ ସେ ବିଷୟରେ କିଛି ବି ଆଭାସ ପାଇ ନ ଥିଲା । ଝିଅ ଘର ଭିତରକୁ ଯିବା ପର୍ଯ୍ଯନ୍ତ ସେ ଯୁବକ ମାନେ ପିଛା କରୁଥିଲେ ଓ ପବିର ଘରକୁ ନଜର କରିବା ପରେ ସେ ଜାଗାରୁ ଚୁପଚାପ ପଳାଇଲେ। ତା ମନରେ ବାରମ୍ବାର ଆସି ଯାଉଥିଲା ଗତରାତି ରେ ଦେଖିଥିବା ସେ ଅଜବ ସ୍ବପ୍ନର ଦୃଶ୍ଯାବଳୀ। ହାତ ମୁଠା କରି ଭାବିଲା ତାକୁ କିଛି କରିବାକୁ ହେବ,ନୋହିଲେ ବହୁତ ଡେରି ହୋଇଯିବ। ସାଙ୍ଗେସାଙ୍ଗେ ଦୋକାନ ବନ୍ଦ କରି ସେ ଥାନା କୁ ଗଲା। ଥାନା ବାବୁଙ୍କୁ ଜୁହାର ପକାଇ ନିଜ ପରିଚୟ ଦେଇ ସବୁ ଘଟଣା କହିଲା। କିନ୍ତୁ ଥାନାବାବୁ ଅବିଚଳିତ ରହି ନିଜ କାମରେ ଲାଗିଲେ। ପବି ଉଚ୍ଚ ସ୍ବରରେ କହିଲା-- ଆଜ୍ଞା ସହରରେ ମଣିଷ ବାଘ ମାତିଛନ୍ତି ଓ ଝିଅବୋହୁଙ୍କ ମାନ ଇଜ୍ଜତ ଲୁଟିବାରେ ଲାଗିଛନ୍ତି। ଆପଣ କିଛି ନ କଲେ ସେମାନେ ମୋ ଝିଅ କୁ ଉଠାଇନେବେ। କାନ୍ଧରେ ପକାଇଥିବା ମଳିଛିଆ ଗାମୁଛାରେ ଆଖି ପୋଛି ସେ ପୋଲିସ୍ ବାବୁଙ୍କ ଉତ୍ତର କୁ ଚାହିଁ ରହିଲା।

ଥାନାବାବୁଙ୍କୁ ପବିର ଉଚ୍ଚ ସ୍ବର ଭଲ ଲାଗିଲାନି କି କଣ, ସେ ବଡ ପାଟି କରି ପବି କୁ ବାହାରକୁ ଚାଲିଯିବାକୁ କହିଲେ। ଏହା ମଧ୍ଯ କହିଲେ ଯେ, ଯଦି ତା ଝିଅ କୁ କେବେ କେହି ଉଠାଇ ନେବ ତେବେ ଆସି ଆପତ୍ତି କରିବାପାଇଁ। ଆଉ ଜଣେ ଥାନା ବାବୁ ଥଟ୍ଟା କରି କହିଲା-- ଆରେ ମଣିଷବାଘ ମାତିଛି ଯଦି ତୁ ଫରେଷ୍ଟ ଅଫିସ କୁ ଯାଆ। ଥାନା କୁ ଆସି କାହିଁକି ମୁଣ୍ଡ ଖରାପ କରୁଛୁ। ସେ ବାବୁର ଟାହିଟାପରା ଭରା କଥାରେ ବାକି ସବୁ ହସି ଉଠିଲେ ଓ ପବିର ଅଭିଯୋଗ, କଟାକ୍ଷଭରା ହସର ଫୁଆରା ଭିତରେ କେଉଁ ଆଡେ ହଜିଗଲା।

ସେ ହତବାକ୍ ହୋଇ ଠିଆ ହୋଇଗଲା। ବିଶ୍ବାସ ହେଲାନି ଯେ, ଯେଉଁ ମାନେ ଲୋକଙ୍କ ସୁରକ୍ଷା ପାଇଁ ଅଛନ୍ତି ସେମାନଙ୍କର ଏପରି ବ୍ଯବହାର। ଛିଃ.....କଣ ହେବ ଏ ଦେଶର ଅବସ୍ଥା। ବ୍ଯଥିତ ମନରେ ପୁଣି ଦୋକାନ ଖୋଲି ବସିଲା।

ଜଣେ ଯୁବକ ଗ୍ରାହକର ଡାକରେ ସେ ପ୍ରକୃତିସ୍ଥ ହୋଇ ଦେଖିଲା ବେଳକୁ ଆଶ୍ଚର୍ଯ୍ଯ ହୋଇଗଲା। ତା ଝିଅ କୁ ପିଛା କରୁଥିବା ଯୁବକ ମାନଙ୍କ ମଧ୍ଯରୁ ଜଣେ ତା ଦୋକାନ ରେ ଗ୍ରାହକ ସାଜି ଛିଡା ହୋଇଛି। ବାକି ଦୁଇ ଜଣ ମୋଟର ସାଇକେଲ ରେ ବସି ତା ଘର ଆଡକୁ ଚାହିଁ କିଛିି ଆଲୋଚନା କରିବାରେ ବ୍ଯସ୍ତ ଥିଲେ। ମନ ର ଭାବ କୁ ମନରେ ରଖି ପବି ଅତି ସହଜ ଭାବରେ ପଚାରିଲା

--- ବାବୁ, ତୁମେ ମାନେ କଣ ଏଇ ସହର ର। କାଇଁ ଆଗରୁ ତୁମକୁ କେବେ ଦେଖିନି।

ଯୁବକ ତାଚ୍ଛଲ୍ଯଭରା ସ୍ବର ରେ କହିଲା -- ଆମେ ଏ ସହର ର ନୁହଁ, ଏ ସହର ହେଲା ଆମର। ମୋ ବାପା ଜଣେ ମନ୍ତ୍ରୀ। ବାକି ଦୁଇ ଜଣ ସାଙ୍ଗଙ୍କ ବାପା ମାନେ କୋଟିପତି ବ୍ଯବସାୟୀ। ତୋ ମୁଣ୍ଡ କେତେ ଯେ ତୁ ଏ ସବୁ ଜାଣିବୁ। ଚୁପଚାପ ଚାହା ଓ ସିଗାରେଟ୍ ଦେ । ତୋ ଭାଗ୍ଯ ଟାଣ୍ , ଆମେ ତୋ ଦେକାନରୁ ଚାହା ପିଉଛୁ; ନ ହେଲେ ଆମେ କୁଳୁକୁଞ୍ଚା ବି ପଞ୍ଚତାରକା ହୋଟେଲରେ କରୁ। ଆଜି ଜାଣିଲୁ, ଏ ଯାଗାରେ ଗୋଟେ ଛନଛନିଆ ହରିଣି ରହୁଛି। ଖାସ୍ ତାହାରି ପାଇଁ ଆସିଛୁ ଆମେ। ହରିଣି ଦେଖିଲୁ ଓ ତା ଘର ବି ଦେଖିଲୁ, ଏବେ ଶିକାର କରିବାରେ ମଜା ଆସିଯିବ। ତୁ ଜାଣି ନଥିବୁ ହରିଣି ମାଂସ କେତେ ମିଠା, ତୋତେ କହି ଲାଭ କଣ। ଯୁବକଟା ଆଉ କିଛି କହିଥାଆନ୍ତା କି କଣ, ବାକି ଦୁଇଜଣ ତାକୁ ଚୁପ୍ ରହିବାକୁ ଇସାରା ଦେଲେ।

ପବି ପାଦ ତଳୁ ଭୁଇଁ ଖସି ଗଲା ପରି ଲାଗିଲା। ତା ସାମନା ରେ ଥିଲେ ସେହି ମଣିଷ ବାଘ ମାନେ । ସେମାନେ ଆସିଥିଲେ ତା ଅଲିଅଳି ଝିଅର ଶିକାର କରିବା ପାଇଁ। ସ୍ବପ୍ନ ରେ ସେ ଦୃ ଶ୍ଯ ସବୁ ପୁଣି ଥରେ ଦିଶିବାକୁ ଲାଗିଲା । ତାକୁ ଚାରି ଆଡ ଅନ୍ଧାର ଦିଶିଲା ସେ ମୁଣ୍ଡରେ ହାତ ଦେଇ ବସି ପଡିଲା । କାହାକୁ କଣ ବା କହିବ, କିଏ ସାହାଯ୍ଯ କରିବ ତାକୁ। ପୋଲିସ୍ ପାଖକୁ ଗଲେ,ସେମାନେ କହୁଛନ୍ତି ଘଟଣା ଘଟିବା ପରେ ଖବର ଦେବା ପାଇଁ। ତେବେ ସେ କଣ ଅପେକ୍ଷା କରି ରହିବ ନିଜ ଝିଅ ଉପରେ ଅତ୍ଯାଚାର ହେବା ପର୍ଯ୍ଯନ୍ତ, ନା ନିଜେ କିଛି ଉପାୟ କରିବ? କେତେବେଳୁ ସେ ଯୁବକ ମାନେ ଚାହା ପିଇ ପଇସା ନ ଦେଇ ଚାଲିଗଲେ ସେଆଡକୁ ନିଘା ନାହିଁ। ମନରେ ଖାଲି ଗୋଟିଏ ଚିନ୍ତା, କେମିତି ସଂହାର କରିବ ଏ ମଣିଷ ବାଘ ଗୁଡାକୁ।

ଦୁଇ ଦିନ ଚାଲିଗଲା। ସେଦିନ ଝିଅ ଘରକୁ ଫେରି ତା ମାଆ କୁ ଭିଡି ଧରି ଜୋର ରେ କାନ୍ଦିବାକୁ ଲାଗିଲା। ପଚାରିବାରୁ ଜଣାଗଲା ଯେ କଲେଜ୍ ରୁ ନିଖୋଜ ହୋଇ ଯାଇଥିବା ଝିଅଟିର କ୍ଷତବିକ୍ଷତ ଫୁଙ୍ଗୁଳା ମୃତ ଶରୀର ପାଖ ଜଙ୍ଗଲରୁ ମିଳିଛି। ପବି ଲକ୍ଷ୍ଯ କଲା ତା ଝିଅ ଡର ରେ ଥରୁଛି। ସେ ପାଖରେ ବସି ବୁଝାଇବାକୁ ଲାଗିଲା। କିଛି ସମୟ ପରେ ଝିଅ ସାଷ୍ଟାମ ହେଲା ପରେ କହିଲା-- ବାପା ତିନି ଜଣ ଯୁବକ ସଦାବେଳେ ମୋ ପିଛା କରୁଛନ୍ତି ଓ ଅଭଦ୍ର କଥା କହୁଛନ୍ତି। ଆଜି ଘରକୁ ଫେରିଲା ବେଳେ ସେମାନେ ମୋ ପଛରେ ଗୋଡାଉଥିଲେ। ବହୁତ୍ ଡର ଲାଗୁଛି ବାପା, ତୁମେ କିଛି କର, ନହେଲେ ସେମାନେ......

– – ତୁ ଜମାରୁ ଡରନି ମୋ ମାଆ। କାଲି ଠାରୁ ତୁ ପଦାକୁ ବାହାରିବୁନି। କିଛି ଦିନ ପାଇଁ କଲେଜ୍ ବନ୍ଦ କରି ଦେ। ଏ ସମସ୍ଯା ର ସମାଧାନ ମୁଁ କରିବି। ମୋ ଉପରେ ବିଶ୍ବାସ ରଖ୍। ଏ କଥାରେ ଝିଅ ର କାନ୍ଦ ସିନା ବନ୍ଦ ହୋଇଗଲା, କିନ୍ତୁ ପବି ମନରେ ପ୍ରତିହିଂସା ଦାଉଦାଉ ହୋଇ ଜଳିବାକୁ ଲାଗିଲା। ସେ ଯୁବକ ମାନଙ୍କର ଧୃଷ୍ଟତା ଦେଖି ଯେ ଯେତିକି ଆଶ୍ଚର୍ଯ୍ଯ ହେଉଥିଲା, ତା ଅପେକ୍ଷା ଅଧିକ ବିଚଳିତ ହୋଇ ଉଠୁଥିଲା।

ଏ ଘଟଣା ର ପରଦିନ ପବି ବଜାର କୁ ଯିବା ଅବସରରେ ପୁଣି ସେ ଯୁବକ ମାନେ ଆସି ଘର ସାମନା ରେ ତା ଝିଅର ନାମ ଡାକି ନାନା ଆପତ୍ତିଜନକ କଥା କହିଲେ। ସାଇଭାଇ ପାଖରେ ଥିଲେ, ମାତ୍ର ନୀରବଦ୍ରଷ୍ଟା ହୋଇ ଦେଖୁଥିଲେ। ଘରକୁ ଫେରିବା ପରେ ପବି ସବୁ କଥା ଶୁଣି ପୁଣି ଥାନା କୁ ଗଲା। କିନ୍ତୁ ଥାନାବାବୁ ତାକୁ ଧକ୍କା ଦେଇ ସେଠାରୁ ବିଦା କରିଦେଲେ। ତାର କେବଳ ଏତିକି ଭୁଲ୍ ଥିଲା ଯେ ସେ, ମନ୍ତ୍ରୀଙ୍କ ପୁଅର ନେତୃତ୍ବରେ ଏସବୁ କାମ ହେଉଛି ବୋଲି କହିଦେଲା। ସେଠାରୁ ନିରାଶ ହୋଇ ଫେରିବା ପରେ ପବି ଗାଁଆ ପାଖ ପୋଖରି ପାଖରେ କିଛି ସମୟ ବସି ଭାବିବାକୁ ଲାଗିଲା।

ସେ ଦେଖିଲା ଗୋଟିଏ ବେଙ୍ଗ ଜିଭ ଲମ୍ବାଇ ଗୋଟିକ ପରେ ଗୋଟିଏ କଙ୍କି ଙ୍କୁ ଖାଇ ଚାଲିଛି। ଠିକ୍ ସେତିକି ବେଳେ ପଦ୍ମପତ୍ର ତଳେ ନିଜକୁ ଲୁଚାଇ ରଖିଥିବା ଏକ ଧଣ୍ଡ ସାପର ଅଚାନକ ଆବିର୍ଭାବ ହେଲା । ନିମିଷକରେ ସେ ବେଙ୍ଗକୁ ପାଟିରେ ଧରି ପାଣି ଭିତରେ ପଶିଗଲା। କଙ୍କି,ବେଙ୍ଗ ଓ ସାପ ମଧ୍ଯରେ ଚାଲିଥିବା ଖାଦ୍ଯ ଓ ଖାଦକର ଏ ଖେଳ ତାକୁ ବେଶ୍ ରୋଚକ ମନେ ହେଲା। ତା ମନରେ କିଛି ଭାବାନ୍ତର ହେଲା ଓ ସେ ମୁଣ୍ଡରେ ପଗଡି କୁ ଜୋର କରି ବାନ୍ଧି ବଜାର ଆଡକୁ ଲମ୍ବା ପାହୁଣ୍ଡ ପକାଇ ଚାଲିବାରେ ଲାଗିଲା।

ସେଦିନ ସଂନ୍ଧ୍ଯାବେଳେ ପୁଣି ସେ ଯୁବକ ମାନେ ଏକ କାର୍ ରେ ଆସିଲେ ଓ ପବି ଦୋକାନ ରୁ ଚାହା ପିଇ ସିଗାରେେଟ୍ ଟାଣିଲେ। ସେମାନଙ୍କ କଥାର କିୟଦଂଶ ପବି କାନ ରେ ପଡିଲା।

- - ଆଜି ରାତିରେ କାମ ତମାମ୍ କରିବାକୁ ହେବ। ଆମକୁ ଏ ଯାଗାର ଲୋକ ମାନେ ବହୁତ ଥର ଦେଖିଲେଣି। ଝିଅ ଟା ଆମ ବିଷୟରେ କାହାକୁ କହିଦେଲେ ଅସୁବିଧାରେ ପଡିଯିବା।

- - ହଁ ସାଙ୍ଗ ସତ କହୁଛୁ। ସେ କଲେଜ୍ ଝିଅର ଶବ ମିଳିବା ପରେ ବାପା ମୋତେ ତାଗିଦ୍ କରିି କହିଛନ୍ତି, ଏ ସବୁ ମାମଲା ରେ ନ ପଡିବା ପାଇଁ। ଆଗକୁ ନିର୍ବାଚନ ଅଛି। ନୋହିଲେ ବିରୋଧୀ ଗୋଷ୍ଠୀ ଲୋକେ ଅବସ୍ଥା ନୟାନ୍ତ କରିଦେବେ।

- - ତୁମେ ମାନେ ଏତେ ଡରିଲେ ହେବନି ସାଙ୍ଗ। ଆଜିର ଶିକାର ପରେ ଆମେ କିଛିି ଦିନ ପାଇଁ ବାହାର ରାଜ୍ଯକୁ ଚାଲିଯିବା। ମାମଲା ଥଣ୍ଡା ପଡିଲେ ଫେରିବା। ଏତେ କାଣ୍ଡ କରି ସାରିଲେଣି, କିଏ ଆମର କଣ କରିପାରିଛି। ଯେମିତି କହିଛି ସେମିତି କରିବା। ଆଜି ରାତିି ବାର ଟା ରେ ଖେଳ ଆରମ୍ଭ ହେବ। ମୋ ଫାର୍ମ ହାଉସରେ ସବୁ ବ୍ଯବସ୍ଥା କରି ସାରିଛି।

କିଛି ନ ଶୁଣିଲାପରି ପବି ତଳକୁ ମୁଣ୍ଡ ପୋତି ଚାହା ଛାଣିବାରେ ଲାଗିଥାଏ। ଜଣେ ଯୁବକ ଶହେ ଟଙ୍କିଆ ନୋଟ୍ ଟେ ଫିଙ୍ଗି ଦେଇ କହିଲା-- ନେଃ, ତୋ ବାକିଆ ପଇସା ବି ରଖିନବୁ। ଆଜି ଗୋଟେ ଖୁସିର ଦିନ, ତୁ ବି ମନ ଖୁସି କର।

ଗାଡିଟି ଧୂଆଁ ଉଡାଇ ଚାଲିଗଲା। ପବି ଦୋକାନ ବନ୍ଦ କରି ଘରକୁ ଆସିଲା। ଝିଅ ଓ ସ୍ତ୍ରୀ ଙ୍କୁ ଦେହ ଭଲ ଲାଗୁନି ବୋଲି କହି ଚଞ୍ଚଳ ବିଛଣା ଧରିଲା। କିନ୍ତୁ ସେ ଶୋଇ ପାରିଲାନି ତା ମନ କୁ ବାରମ୍ବାର ସେ ଦେଖିଥିବା ସ୍ବପ୍ନ ଓ ସେ ଯୁବକ ମାନଙ୍କର କଥା ଆସୁଥିଲା।

ରାତି ପାଖାପାଖିି ବାର ଟା ବେଳକୁ ପବି ଘର ପାଖରୁ କିଛି ଦୂରରେ ଏକ ଗାଡି ଛିଡା ହେବାର ଶବ୍ଦ ଶୁଭିଲା। ସେତେବେଳକୁ ସମଗ୍ର ଅଞ୍ଚଳ ତନ୍ଦ୍ରାଭିଭୂତ ହୋଇ ସାରିଥାଏ। ରାତିର ନିର୍ଜନ ପ୍ରହରରେ କେବଳ କିଛି କୁକୁରଙ୍କ ଭୁକିବାର ଶବ୍ଦ ଯାହା ଶୁଭୁଥାଏ। ସେତିକି ବେଳେ ସେମାନଙ୍କ ଭିତରୁ ଜଣେ ଯୁବକ ଚିତ୍କାର କରି ଉଠିଲା “ବାଘ” ”ବାଘ”। କିଛି ସମୟ ମଧ୍ଯରେ ଯୁବକ ର ବିକଟ ଚିତ୍କାର ର ପରିସମାପ୍ତି ଘଟିଲା ଗଁ ଗଁ ଶବ୍ଦରେ। ବାକି ଦୁଇ ଜଣ ଯୁବକ ପବି ଘରର ନିକଟତର ହୋଇ ସାରିଥିଲେ। ହଠାତ୍ ଆଉ ଜଣେ ଯୁବକ ଉଭାନ୍ ହୋଇଗଲା। ସେ ପାଟି ଖୋଲିବାର ମଧ୍ଯ ଅବକାଶ ପାଇଲାନି, କେବଳ ଯାହା ଶୁଭଥିଲା ଛିନ୍ନ ଗଳାରୁ ଝରି ଆସୁଥିବା ରକ୍ତର ପିଚପିଚ ଶବ୍ଦ। ତିନି ଜଣଙ୍କ ମଧ୍ଯରୁ କେବଳ ଜଣେ ଯୁବକ ବଞ୍ଚିଥିଲା ଓ ଭୟରେ ତା ହାତ ପାଦ ପଥର ପାଲଟି ଯାଇଥିଲା। ନିଜ ସମ୍ମୁଖରେ ଦୁଇଜଣ ଘନିଷ୍ଠ ବନ୍ଧୁଙ୍କର ଅସ୍ବାଭିବିକ ମୃ ତ୍ଯୁ ଦେଖି ସେ ଅଚେତ୍ ପ୍ରାୟ ହୋଇ ଯାଉଥିଲା। ଅଚାନକ୍ ସେ ଅନୁଭବ କଲା ତା ମୁହଁରେ ଏକ ଶକ୍ତ ପଞ୍ଝାରେ ଆଞ୍ଚୁଡିବାର କଷ୍ଟ। କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମୁହଁରୁ ତା ସ୍ବତଃସ୍ଫୁର୍ତ୍ତ ଭାବରେ “ ବାଘ ” ବୋଲି ବାହାରି ପଡିଲା। କିନ୍ତୁ ଏ ଶବ୍ଦ ଉଚ୍ଚାରିତ ହେବା ସହିତ ସେ ମଧ୍ଯ ଭୂଇଁ ଉପରେ ମୁହଁ ମାଡି ପଡିଗଲା। ଛିନ୍ନ ଗଳାରୁ ବୋହୁଥିବା ରକ୍ତ ମାଟି ରଙ୍ଗକୁ ଲୋହିତବର୍ଣ୍ଣ କରିସାରିଥିଲା।

ପବିର ଘର ପାଖରେ ପାଟି ତୁଣ୍ଡ ଶୁଣି ପଡୋଶୀ ହରିଆ ବାହାରକୁ ଆସି ଝାପସା ଆଲୁଅ ରେ ଦେଖିଲା ତିନି ଜଣ ଯୁବକଙ୍କ ଭୂଲୁଣ୍ଠିତ ଶରୀର ଓ ଏକ ବାଘ ପରି ଦୃଶ୍ଯ ହେଉଥିବା ଚତୁଷ୍ପଦ। ପଲକ ପକାଇବା ପୂର୍ବରୁ ସେ ଜନ୍ତୁ ଟି କେଉଁଆଡେ ଉଭାନ୍ ହୋଇଗଲା। ବାଘ ଆସିଲା ବୋଲି ଚିତ୍କାର କରି ହରିଆ ସମସ୍ତଙ୍କୁ ଉଠାଇବାରେ ଲାଗିଲା। ଅଳ୍ପ ସମୟ ଭିତରେ ସେ ଅଞ୍ଚଳର ଲୋକେ ଘଟଣା ସ୍ଥାନରେ ପହଞ୍ଚି ପାଟିତୁଣ୍ଡ ଆରମ୍ଭ କରିଦେଲେ। ଆଖି ମଳିମଳି ପବି ଘରୁ ବାହାରି ହରିଆ କୁ ଘଟଣା କଣ ବୋଲି ପଚାରିଲା।

ହରିଆ ଉତ୍ତେଜନା ର ଚରମସୀମା ରେ ପହଞ୍ଚି ଥରଥର କଣ୍ଠରେ କହିଲା-- ପବି ଭାଇ, ତୋ ଭାଗ୍ଯ ଭଲ। ମୋ ଆଖି ଆଗରେ ଗୋଟେ ମହାବଳ ବାଘ ତିନିଜଣ ଯୁବକଙ୍କ ତଣ୍ଟି କଣା କରି ରକ୍ତ ଚଁ ଚଁ କରି ପିଇଗଲା। ମୁଁ ପଥର ମାରି ତାକୁ ଘଉଡାଇବାକୁ ଚେଷ୍ଟାକଲି। ମାତ୍ର ସେ ହେଣ୍ଟାଳ ଛାଡି ମୋ ଆଡକୁ ଝପଟି ଆସିଲା। ମୁଁ କି ଛାଡିବା ଲୋକ! ! ଟାଙ୍ଗିଆ ଧରି ତା ଉପରକୁ ମାଡି ଗଲି। ବାଘ ଟା ଭୟରେ ଲାଙ୍ଗୁଡ ଜାକି ଦଉଡି ପଳାଇଗଲା। ଜମା ହୋଇଥିବା ଲୋକେ ହରିଆ କୁ ପ୍ରଶଂସା ରେ ପୋତି ପକାଇଲେ। ପୋଲିସ୍ ଖବର ପାଇ ଆସି ପହଞ୍ଚି ଲୋକଙ୍କୁ ପଚରା ଉଚୁରା କଲା। ଘଟଣାର ଏକ ମାତ୍ର ପ୍ରତ୍ଯକ୍ଷଦର୍ଶୀ ହରିଆ ଘଟଣା କୁ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲା ଯେ, ଶୁଣିବା ଲୋକ ମନରେ ହରିଆ ର ବୀରତ୍ବ ପାଇଁ ସମ୍ମାନ ଆପଣାଛାଏଁ ଚାଲି ଆସୁଥିଲା। ତିନିଟି ଯୁବକଙ୍କ ଶବ ଦେଖିଲେ ଯେ କେହି ବି ମତ ଦେଇଥାନ୍ତା ଯେ ସେମାନେ ବାଘ ଦ୍ବାରା ହତ ହେଲେ। ବଡବଡିଆ ଲୋକଙ୍କ ପୁଅ ବୋଲି ସେମାନଙ୍କ ଶବ ବ୍ଯବଚ୍ଛେଦ ମଧ୍ଯ ହେଲାନାହିଁ। ସବୁ ଯାଗାରେ ଖବର ପ୍ରଚାରିତ ହୋଇଗଲା ସହରରେ ସତସତିକା ବାଘ ମାତିଛି। ବାଘ ପାଟିରେ ମଣିଷ ରକ୍ତ ଲାଗିଛି ଯେତେବେଳେ ସେ ଆହୁରି ଶିକାର କରିବ, କେତେ ଲୋକଙ୍କ ତଣ୍ଟି କଣା କରି ରକ୍ତ ପିଇଯିବ ତା'ର ହିସାବ ନାହିଁ।

ଘଟଣା ପରଦିନ ପବି ପୁଣି ସେ ପୋଖରି ପାଖକୁ ଗଲା। କିଛି କାଠ ଯୋଗାଡ କରି ଗୋଟିଏ ବ୍ଯାଗ୍ ରୁ କିଛି ପୋଷାକ କାଢି ଜାଳିବାରେ ଲାଗିଲା। କେତୋଟି ଧାରୁଆ କଣ୍ଟା ଜାତୀୟ ବସ୍ତୁ ପାଣିରେ ଫିଙ୍ଗି, ପୋଖରି ରେ ବୁଡ ପକାଇ ବାହାରକୁ ଆସିଲା।

ସେଦିନ ସକାଳେ ଚାହା ଦୋକାନ ରେ ମଣିଷବାଘଙ୍କ ବିଷୟରେ ଚର୍ଚ୍ଚା ନ ଥିଲା; ଚର୍ଚ୍ଚା ଥିଲା ସତସତିକା ବାଘ ବିଷୟରେ। ପବି ମୁରୁକି ହସା ଦେଇ କହିଲା-- ସତସତିକା ବାଘ ଥାଉ ଥାଉ ଯଦି ମଣିଷ ମାନେ ବାଘ ପାଲଟିବେ ତେବେ ଅବସ୍ଥା ଏଇଆ ହେବା ଛଡା ଅନ୍ଯ ଗତି ନାହିଁ।

ପବି ର ଅନ୍ତରାତ୍ମାରେ ହସୁଥିଲା ସେହି ବାଘ, ଯିଏ ସେଦିନ ନିଶାର୍ଦ୍ଧ ରଜନୀରେ ତିନି ତିନି ଟି ଦୁରାତ୍ମାଙ୍କର ଶିକାର କରିଥିଲା। ଏ ଘଟଣା ପରଠାରୁ ମଣିଷବାଘ ମାନେ ସହରରେ ଅନ୍ଯ କିଛି ଘଟଣା ଘଟାଇଥିବାର ଖବର ଅନ୍ତତଃ ମୋ ପାଖରେ ନାହିଁ।

--- ସମାପ୍ତ---













**********ସମାପ୍ତ**********




Rate this content
Log in

Similar oriya story from Tragedy