Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Others

2  

Lopamudra Mishra

Others

ରାଜଯୋଟକ

ରାଜଯୋଟକ

4 mins
1.8K


*ରାଜ ଯୋଟକ*

ଲୋପାମୁଦ୍ରା ମିଶ୍ର

21.9.2018

--ବୋଉ ତୁ ଯେଉଁ ଝିଅ ଟା ବିଷୟରେ କହୁଥିଲୁ, ତା ନାଁ ମୁଁ ଫେସବୁକ ରେ ସର୍ଚ୍ଚ କରି ଫ୍ରେଣ୍ଡ ରିକ୍ୟୁଏସ୍ଟ ପଠେଇଥିଲି l ସେ ଗ୍ରହଣ କଲା l ବ୍ୟାଙ୍କ ରେ ଚାକିରୀ କରୁଛି l ଖୁବ ଭଲ ଲାଗିଲା ତା ସହ କଥା ହୋଇ l ମୁଁ ରାଜି ଅଛି l ସେ ମଧ୍ୟ l

--ତୁ କେମିତି ଜାଣିଲୁ ସେ ରାଜି ଅଛି ? ସେ କଣ ତତେ ନିଜେ କହିଲା ? ଦିପୁ !ତୁ ବେଶୀ କଥା ହୋନା ତା ସହ ବୁଝିଲୁ, ବାପା ତୋ ଜାତକ ମିଶେଇ ନାହାଁନ୍ତି ଏଯାଏଁ l ସେ ଇଞ୍ଜିନିୟର ଶ୍ୟାମବଂଧୁ ଆଚାର୍ଯ୍ୟ ଙ୍କୁ ତୁମ ଦୁହିଁଙ୍କ ଜାତକ ଦେଇଛନ୍ତି l ମିଶିଯାଉ ଆଗ l

--ଇଞ୍ଜିନିୟର ଶ୍ୟାମବନ୍ଧୁ ପୁଣି କିଏ?

--ସେ ଜଣେ ବଡ ଜ୍ୟୋତିଷ l

--ହା ହା... ତାହେଲେ ସେ ଇଞ୍ଜିନିୟର କେମିତି ହେଲା?

--ହେ ତୁ ଜାଣିନୁ l ସେ ଇଞ୍ଜିନିୟର ବି ଆଉ ଜ୍ୟୋତିଷ ବି l ବହୁତ ଦଖଲ ତାଙ୍କର l

--ବୋଉ ମୁଁ ଏସବୁ ବେକାର କଥା ରେ ବିଶ୍ୱାସ କରେନା l ମୋତେ 'ରୁଚି ' ବହୁତ ପସନ୍ଦ l ସେ ବି ମୋତେ ପସନ୍ଦ କରିଛି l ମୁଁ ବାହାହେଲେ ତାକୁ ହିଁ ବାହା ହେବି l ସେ ଜାତକ ମିଶୁ କି ନମିଶୁ l ତୁ ବାପାଙ୍କୁ କହିଦେବୁ l

ଦିପୁ ଖାଇସାରି ଅଫିସ ପଳେଇଲା l ଦିପୁବୋଉ ବଡ ଅଡୁଆ ରେ ପଡିଗଲେ l "ଇଏ କି ଜମାନା ହେଲା ନାଁ ଟା ଖାଲି ଜାଣୁ ଜାଣୁ ଫେସବୁକ ରେ କଥା ହୋଇ ବାହାହେବାକୁ ମନସ୍ଥ ବି ହେଇଯାଉଛନ୍ତି !! ଆମ ବେଳେ ଏମିତି ବ୍ୟବସ୍ଥା ଥିଲେ.. "l ଦିପୁବୋଉ ଭାବନା ରେ ପୂର୍ଣ୍ଣଛେଦ ଟାଣିଦେଲେ l

ସନ୍ଧ୍ୟା ରେ ଦିପୁ ଘରକୁ ଫେରିବା ଆଗରୁ ଦିପୁର ବାପା ସଦାନନ୍ଦ ମୁହଁଟାକୁ ଓହଳେଈ ଘରକୁ ପଶିଆସିଲେ l ଦିପୁବୋଉ ପାଣି ଗ୍ଲାସ ଟା ହାତକୁ ବଢ଼େଇ ଦେଇ ପଚାରିଲେ, "ହଇଓ !କଣ ହେଲା କି? ମୁହଁ ଟା ଶୁଖିଯାଇଛି କିଆଁ? "

--କଣ ଆଉ ହେବ ଦିପୁବୋଉ !ଭଲ ପ୍ରସ୍ତାବଟି ହାତରୁ ଚାଲିଗଲା l ଝିଅଟି ପାଠୁଆ,ଜାତି ଗୋତ୍ର ରେ ବି ଆମ ସହ ଖୁବ ସମକକ୍ଷ ତା ସହ ଥିଲା ଵାଲା ଘର ଝିଅଟେ ମଧ୍ୟ l ହେଲେ.. ଛାଡ଼ !ଯାହା ଦିପୁନା ଭାଗ୍ୟ ରେ ଅଛି !

--କାଇଁ କଣ ହେଲା କି? ହେଲେ ଛାଡ ପୁଣି କଣ?

--ଝିଅ ଟାର ସିଂହ ରାଶି କୁ ରାକ୍ଷସ ଗଣ l ଦିପୁର ଆମର ମେଷ ରାଶି କୁ ନରଗଣ l ଶ୍ୟାମ ଆଚାର୍ଯ୍ୟ କହିଲେ ଇଏ ମଧ୍ୟନାଡୀ ଯୋଗ l ବାହାଘର ହେଲେ ସିଂହ ମେଣ୍ଢା କୁ ଖାଇଗଲା ପରି ସେ ଝିଅ ଆମ ପୁଅ କୁ...

ଏତକ କହି ସଦାନନ୍ଦ ବାବୁ ଦୀର୍ଘଶ୍ୱାସ ଟିଏ ସହ ସୋଫା ଉପରେ ବସି ପଡିଲେ l

ଦିପୁବୋଉ କିଛି କହିବା ପାଇଁ ଥତ ମତ ହୋଇ ପାଟି ଖୋଲିଲେ, "ଝିଅର ଜାତକ ଟା ଆଉ କୋଉ ଜ୍ୟୋତିଷ ଙ୍କୁ ଦେଖେଇଲେ ହୁଅନ୍ତାନି? "

--ଇଞ୍ଜିନିୟର ଶ୍ୟାମବନ୍ଧୁ ଙ୍କ ଠୁ ଆହୁରି ବଡ ଜ୍ୟୋତିଷ କିଏ ଅଛି ଏ ଖଣ୍ଡମଣ୍ଡଳ ରେ?ପନ୍ଦର ଦିନ ଆଗରୁ ବୁକିଙ୍ଗ କଲା ପରେ ଯାଇ ଆଜି ତାଙ୍କ ସହ ପରାମର୍ଶ ର ସୁଯୋଗ ମିଳିଲା l ସିଏ ଯାହା କହିଲେ ତାହା ଫାଇନାଲ l

ଦିପୁବୋଉ ବଡ ଅସ୍ତବ୍ୟସ୍ତ l ପୁଅ କହିଯାଇଛି, ବାହା ହେବ ତ ସେହି ରାକ୍ଷସ ଗଣ ଝିଅ କୁ ନହେଲେ ନାହିଁ l କଣ କରିବେ ଏବେ ସିଏ ? ସ୍ୱାମୀଙ୍କୁ ଭୀଷଣ ଡର l କଥା ଟା ମଧ୍ୟ ଖୋଲିକରି ଦିପୁବାପା ଙ୍କୁ କହିପାରୁନାହଁନ୍ତି l

--ହଇହେ ଶୁଣୁଛ ! ଦିପୁନା ର ସେହି ଝିଅ ପ୍ରତି ମନ ମାନିଛି l ଆଜି ଅଫିସ ଗଲାବେଳେ କହୁଥିଲା ତାକୁ ବାହା ନହେଲେ ଆଉ କାହାକୁ ହେବ ନାହିଁ l

--ହେ ପାଗଳ ନାଁ କଣ? ଫୋଟୋ ଟେ ଦେଖିଦେଇ କିଏ ବାହାହେବାକୁ ନିଷ୍ପତି ନେଇଯାଏ ନା କଣ? ଆହୁରି ଅନେକ ପ୍ରସ୍ତାବ ଅଛି l ଗୋଟେ ଗଲେ ଯାଉ l

ଦିପୁବୋଉ ବାଧ୍ୟ ହେଇ ସ୍ୱାମୀଙ୍କୁ ପୁଅ କହିଥିବା କଥାଗୁଡ଼ାକ ସବିଶେଷ ଜଣାଇଲେ l ସଦାନନ୍ଦ ସେତକ ଶୁଣି ଖୁବ ଖପ୍ପା ହେଇ କହିଲେ, "ତୁମ କୁ କିଏ କହୁଥିଲା ତା ନାଁ 'ରୂଚି ମହାପାତ୍ର ' ବୋଲି ପୁଅକୁ କହିବାକୁ"?

--ମଲା !ତୁମେ ହିଁ ତ ଫୋଟୋ ଦେଖେଇବାକୁ କହିଥିଲ ! ସିଏ ପଚାରିଲା କାହା ଫଟ ଏଇଟା ମୁଁ କହିଦେଲି ରୂଚି ର l ଏବେ ସେମାନେ ତାଙ୍କର ରାଜିରୁଜା ହେଇସାରିଲେଣି l ସେ ଜାତକ ନମିଳିଲେ ବି ତାକୁ ବାହା ହବ କୋଉଚି l

--ଏ ସବୁ ତୁମରି ଶିକ୍ଷା ଦିପୁବୋଉ ! ପିଲାଙ୍କୁ ନୀତିଶିକ୍ଷା ଦେଇପାରିଲନି l ତୁମେ କଣ ଚାହୁଁଛ ସେ ଝିଅ କୁ ବୋହୂ କରି ଆଣି ନିଜର ଗୋଟିଏ ବୋଲି ପୁଅ କୁ ହରେଇବ?

--ତୁମ ମୁଣ୍ଡ ଖରାପ ହେଇଯାଇଛି କି? କୋଉ ମାଆ କଣ ଚାହେଁ? ତୁମେ କଣ ମୋ ଦୋଷ ଦେଉଛ? ସେ ତ କହିଗଲା ସେ ତାକୁ ହିଁ ବାହାହେବ l ଏଥିରେ ମୋର ଦୋଷ କୋଉଠି? ସବୁବେଳେ ମୋତେ ଦୋଷ ଦେବା ତୁମର ଗୋଟେ ଅଭ୍ୟାସ ହେଇଗଲାଣି l ଏଥିରେ ସବୁ ଦୋଷ ତୁମର l ଜାତକ ଟା ଆଗ ମିଶେଇ ତାପରେ ଯାଇ ପୁଅ କୁ ଫଟ ଦେଖେଇଲନି??

ଦିପୁବାପା ଓ ଦିପୁବୋଉ 'ମୋ ଦୋଷ ତୋ ଦୋଷ' ହୋଇ ଖୁବ ଝଗଡା ଲାଗିଗଲେ l ଝଗଡା ଭୀଷଣ ରୂପ ନେଲା l ରାଗିକରି ସଦାନନ୍ଦ ସ୍ତ୍ରୀ ଙ୍କ ଦୁଇ ଗାଲରେ ଦୁଇଟି ଶକ୍ତ ଚାପୁଡ଼ା ଲଗେଇଦେଲେ l ଦିପୁବୋଉ କାନ୍ଦି କାନ୍ଦି ସ୍ୱାମୀଙ୍କୁ ଗୁଡ଼ାଏ କଣ କହିଯାଉଛନ୍ତି l ସଦାନନ୍ଦ ବି ବଡ ପାଟିରେ କହୁଥାନ୍ତି, "ହେ ଚୁପକର !ସ୍ତ୍ରୀଲୋକ ତୁମେ, ସ୍ତ୍ରୀଲୋକ ଭଳି ହୋଇ ରୁହ l ମୋ ଉପରେ ମୁରବୀପଣିଆ ଦେଖେଇଲେ ମାରିକି ମୁହଁ ଭାଙ୍ଗିଦେବି l"

କଲିଙ୍ଗ ବେଲ ର ଶବ୍ଦ ରେ ସଦାନନ୍ଦ ଉଠିଯାଇ କବାଟ ଖୋଲିଲେ l ଦିପୁ ଭିତରକୁ ପଶିଆସିଲା l ଘର ସାରା ଜିନିଷ ସବୁ ବିକ୍ଷିପ୍ତ ହେଇ ପଡିଛି l ବୋଉ କାନ୍ଦି କାନ୍ଦି କହୁଛି, "ମୋ ଭାଗ୍ୟ ଖରାପ ଥିଲା ବୋଲି ମୋ ବାପା ୟାଙ୍କ ହାତରେ ମୋତେ ଛନ୍ଦି ଦେଇଥିଲେ l "

ଏସବୁ ଘଟଣା ର କାରଣ ଟା ଯେ ସେ ନିଜେ ଏକଥା ଦିପୁ ବୁଝି ଜାଣିଗଲା l ସେ ବି ଘୋଷଣା କଲା ପରି କହିଲା, "ହଉ ହେଲା ମୁଁ ସେ ରାକ୍ଷସ ଗଣ ଝିଅ କୁ ବାହାହେବିନି, ତୁମେ ଦୁଇଜଣ ଆଗ କହିଲ ତୁମ ଦୁହିଁଙ୍କ ଜାତକ ମିଳିଥିଲା କି ନାହିଁ ? ଯଦି ମିଳିଥିଲା ତେବେ କୋଉ ଯୋଟକ ପଡିଥିଲା ତୁମର? "

ବାପାବୋଉ ଦୁହିଁଙ୍କ ପାଟିରୁ ଏକ ସଙ୍ଗେ ବାହାରିଲା, "ରାଜଯୋଟକ " l

ଦିପୁ ବାପା କହୁଥିଲେ ସେ ଜ୍ୟୋତିଷ ଟା ନିଶ୍ଚେ ତୋ ବୋଉର ଜାତକ ଦେଖିବାରେ କିଛି ତ୍ରୁଟି ରଖିଥିଲା l ଠିକ ଏହିସମୟ ରେ ଘରର ଲ୍ୟାଣ୍ଡ ଫୋନ ବାଜି ଉଠିଲା l ଦିପୁର ସାନ ଭଉଣୀ ପୂଜା ଫୋନ କରିଥିଲା ହାଇଦ୍ରାବାଦ ରୁ l ବାପା ଏପଟୁ କହୁଥିଲେ," ମୁଁ ଭାଈ କୁ ପଠେଇଦେଉଛି ଆଜି ଫ୍ଲାଇଟ ରେ l ତୁ ପଳେଇଆ ମାଆ l ଜମା କାନ୍ଦେନା l ତୋ ବାପା ଏବେ ବି ବଞ୍ଚିଛି l"

ଦିପୁ କଥା କଣ ବୁଝିଲାବେଳକୁ ଏମିତି, ଆଠମାସ ତଳେ ବାହା ହୋଇଥିବା ସାନ ଭଉଣୀ ଟିକୁ ସ୍ୱାମୀ ତାର ଖୁବ ନିର୍ଯାତନା ଦେଉଛନ୍ତି l ଜ୍ୱାଇଁଙ୍କର କୁଆଡେ ତାଙ୍କ ଅଫିସ ରେ କେଉଁ ମହିଳା କର୍ମଚାରୀ ଙ୍କ ସହ ସମ୍ପର୍କ ଅଛି l ସେ ପୂଜା କୁ ଡିଭୋର୍ସ ଦେଇ ସେହି ମହିଳାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି l

ସଦାନନ୍ଦ ଓ ସ୍ତ୍ରୀ ସୁଜାତା ଉଭୟ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ l ଦିପୁ ପୁଣି ପଚାରିଲା, "ବାପା ପୂଜା ଓ ଅବିନାଶ ଙ୍କ ଜାତକ ମିଶେଇନଥିଲ କି? "

ଏଥର ବି ବାପା ବୋଉ ଦୁହେଁ ଏକସଙ୍ଗେ କହିପକେଇଲେ, "କିଏ କହିଲା? ତାଙ୍କର 'ରାଜଯୋଟକ' ପଡିଥିଲା l

***********ଲୋପାମୁଦ୍ରା ମିଶ୍ର **********


Rate this content
Log in